ରିଜର୍ଭ ବ୍ୟାଙ୍କ୍‌ର ମୁଦ୍ରା ନୀତି ନିର୍ଦ୍ଧାରଣକାରୀ କମିଟି ‘ଏମ୍‌ପିସି’ ୬ ଫେବ୍ରୁଆରିରେ ଅନୁଷ୍ଠିତ ତା’ର ସଦ୍ୟତମ ଦ୍ବିମାସିକ ବୈଠକରେ ଆସନ୍ତା ବିତ୍ତ ବର୍ଷ ପାଇଁ ମୁଦ୍ରାସ୍ଫୀତି ସମ୍ବନ୍ଧରେ କୌଣସି ପୂର୍ବାନୁମାନ ପ୍ରକାଶ କରି ନ ଥିଲା, ଯାହାର କାରଣ ଥିଲା ‘ଆଧାର ବର୍ଷ’ରେ ଘଟିବାକୁ ଯାଉଥିବା ଏଇ ଆସନ୍ନ ପରିବର୍ତ୍ତନ। ବର୍ତ୍ତମାନ ୨୦୨୪ ‘ଆଧାର ବର୍ଷ’ ଭିତ୍ତିରେ ପ୍ରସ୍ତୁତ ନୂତନ ‘ସିପିଆଇ’ ଶୃଙ୍ଖଳା ଅନୁସାରେ ପ୍ରକାଶିତ ସୂଚନାରୁ ଜାନୁଆରିରେ ଖାଉଟି ମୁଦ୍ରାସ୍ଫୀତି ହାର ୨.୭୫ ଶତାଂଶ ହୋଇଥିବା ଜଣାପଡ଼ିଛି, ଯାହା ପୂର୍ବ ଶୃଙ୍ଖଳା ଭିତ୍ତିରେ ଡିସେମ୍ବରରେ ଥିଲା ୧.୩୩ ଶତାଂଶ।

Advertisment

Drink: ନିଶାଡ଼ିଙ୍କ ନୂଆ ନିଶା, ପିଉଛନ୍ତି ହୋମିଓପାଥି ନେର୍ଭ ଟନିକ୍‌

ଅର୍ଥନୈତିକ ନୀତି ନିର୍ଦ୍ଧାରଣ ଓ ବ୍ୟବସାୟ ପରିଚାଳନା ପରିସରରେ ଶୁଣା ଯାଉଥିବା ଏକ ସୁପରିଚିତ ସତର୍କବାଣୀ ହେଉଛି: ‘‘କେବଳ ଈଶ୍ବରଙ୍କ ଉପରେ ଆମର ଭରସା ରହିଥାଏ; ଅନ୍ୟ ସମସ୍ତଙ୍କୁ ତଥ୍ୟ(ଡେଟା) ଆଣିବାକୁ ହେବ।’’ ଗୁଣାତ୍ମକ ମାନ ପରିଚାଳନା କ୍ଷେତ୍ରରେ ଜଣେ ଅଗ୍ରଦୂତ ରୂପେ ସ୍ବୀକୃତ ଏଡ୍‌ୱାର୍ଡସ୍ ଡେମିଙ୍ଗଙ୍କର ଏଇ ପ୍ରସିଦ୍ଧ ଉପଦେଶ ଯାହାକୁ ପ୍ରାଧାନ୍ୟ ଦେଇଥାଏ, ତାହା ହେଲା ଯେଉଁ ବିଶ୍ବାସ, ବିଚାର, ଅନୁମାନ, ଅନୁଭୂତି ବା ଅନ୍ତର୍ଦୃଷ୍ଟିକୁ ଅନୁସରଣ କରି ନୀତି ନିର୍ଦ୍ଧାରଣ କରାଯାଇଥାଏ, ତାହା ସର୍ବଦା ନିର୍ଭୁଲ୍‌ ତଥ୍ୟ ଉପରେ ଆଧାରିତ ହୋଇଥିବା ଉଚିତ।
ସେଇ ଦୃଷ୍ଟିକୋଣରୁ ବିଚାର କଲେ ଗତ ଗୁରୁବାର ଦିନ ଭାରତ ସରକାରଙ୍କର ପରିସଂଖ୍ୟାନ ମନ୍ତ୍ରଣାଳୟ ଯେଉଁ ‘ଖାଉଟି ଦର ସୂଚକାଙ୍କ’(‘କନ୍‌ସ୍ୟୁମର୍ ପ୍ରାଇସ୍ ଇଣ୍ଡେକ୍ସ’- ‘ସିପିଆଇ’) ଶୃଙ୍ଖଳାରେ ସଂଶୋଧନ-ପରବର୍ତ୍ତୀ ମୁଦ୍ରାସ୍ଫୀତି ସୂଚନା ପ୍ରକାଶ କରିଛି, ତାହା ଯେ ଡେମିଙ୍ଗଙ୍କର ଉପରୋକ୍ତ ଉପଦେଶ ଅନୁସରଣ କରିଛି, ଏଥିରେ କୌଣସି ସନ୍ଦେହ ନାହିଁ। କାରଣ, ଏ ପର୍ଯ୍ୟନ୍ତ ଯେଉଁ ‘ସିପିଆଇ’ ଭିତ୍ତିରେ ଖାଉଟି ମୁଦ୍ରାସ୍ଫୀତି ହିସାବ କରାଯାଉଥିଲା, ସେଥିପାଇଁ ୨୦୧୨କୁ ‘ଆଧାର ବର୍ଷ’(‘ବେସ୍ ଇୟର୍’) ରୂପେ ବ୍ୟବହାର କରାହୋଇ ଆସୁଥିଲା। ଏହା ଯେ କେବଳ ସମୟର ଦୀର୍ଘତା ଦୃଷ୍ଟିରୁ ବର୍ତ୍ତମାନର ଚିତ୍ର ପ୍ରଦାନ ନିମିତ୍ତ ତୁଳନା ପାଇଁ ଉପଯୁକ୍ତ ବିବେଚିତ ହେଉ ନ ଥିଲା, ତାହା ନୁହେଁ, ବର୍ତ୍ତମାନର ଖାଉଟିମାନେ ବ୍ୟବହାର କରୁଥିବା ଅନେକ ଦ୍ରବ୍ୟ ଓ ସେବାମାନ ସେ ସମୟରେ ଖାଉଟି ଦର ସୂଚକାଙ୍କ ହିସାବରେ ଅନ୍ତର୍ଭୁକ୍ତ ହୋଇ ନ ଥିଲା।
ବିଗତ ଏକ ଦଶନ୍ଧିରୁ ଅଧିକ କାଳ ମଧ୍ୟରେ ଭାରତରେ ଉଭୟ ଉତ୍ପାଦନ ଓ ଉପଭୋଗର ପ୍ରକାର ଓ ପରିମାଣରେ ବ୍ୟାପକ ପରିବର୍ତ୍ତନମାନ ଘଟିବା ଦେଖାଯାଇଛି। ଅର୍ଥନୀତିର କ୍ରମ ରୂପାନ୍ତର ଘଟିବା ସହିତ ଦେଶବାସୀଙ୍କର ଆୟରେ ବୃଦ୍ଧି ଘଟିଚାଲିଛି, ଜୀବନଶୈଳୀରେ ପରିବର୍ତ୍ତନ ଘଟୁଛି, ଲୋକମାନଙ୍କର ଖର୍ଚ୍ଚର ଢାଞ୍ଚା ମଧ୍ୟ ବଦଳି ଚାଲିଛି। ଯଦି ସାମୟିକ ଭାବରେ ‘ସିପିଆଇ’ ହିସାବରେ ସଂଶୋଧନ କରାଯାଇ ଏ ସବୁକୁ ଅନ୍ତର୍ଭୁକ୍ତ କରା ନ ଯାଏ, ତେବେ ସେଥିରୁ ମୁଦ୍ରାସ୍ଫୀତି ସମ୍ବନ୍ଧରେ ଯେଉଁ ଚିତ୍ର ଉପଲବ୍‌ଧ ହେବ, ତାହା ହେବ ଏକ ଅବାସ୍ତବ, ପୁରୁଣାକାଳିଆ ଚିତ୍ର, ଯାହାକୁ ଭିତ୍ତି କରି ନୀତି ନିର୍ଦ୍ଧାରଣ ବିପଜ୍ଜନକ ସାବ୍ୟସ୍ତ ହେବାର ଦୃଢ଼ ସମ୍ଭାବନା ରହିଥାଏ। ତେଣୁ ଡେମିଙ୍ଗଙ୍କ ଉପଦେଶ ପାଳନ କଲାଭଳି ଭାରତ ସରକାର ଏବେ ଯେଉଁ ଖାଉଟି ମୁଦ୍ରାସ୍ଫୀତି ହିସାବ କରି ପ୍ରକାଶ କରିଛି, ସେଥିପାଇଁ ପୂର୍ବର ୨୦୧୨ ସ୍ଥାନରେ ୨୦୨୪କୁ ‘ଆଧାର ବର୍ଷ’ ରୂପେ ବ୍ୟବହାର କରାଯିବା ସହିତ ପୂର୍ବର ଖାଉଟିମାନଙ୍କର ସଉଦା ଝୁଡ଼ିରୁ କେତେକ ଅଚଳ ଦ୍ରବ୍ୟ ଓ ସେବାମାନଙ୍କୁ ବାଦ୍ ଦିଆଯିବା ସଙ୍ଗେସଙ୍ଗେ ସେଥିରେ କେତେକ ନୂତନ, ଅଧିକ ପ୍ରତିନିଧିମୂଳକ ଦ୍ରବ୍ୟ ଓ ସେବାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଉଦାହରଣ ସ୍ବରୂପ ପ୍ରଥମ ଥର ପାଇଁ ଅନ୍‌ଲାଇନ ବଜାରରୁ ଦର ସମ୍ବନ୍ଧୀୟ ସୂଚନା ସଂଗୃହୀତ ହେବା ସହିତ ଆଧୁନିକ ଉପକରଣମାନ ଓ ଏପରିକି ଗୃହପାଳିତ ପଶୁମାନଙ୍କ ବାବଦରେ ଖର୍ଚ୍ଚ ମଧ୍ୟ ଉକ୍ତ ସୂଚକାଙ୍କ ପ୍ରସ୍ତୁତିରେ ଅନ୍ତର୍ଭୁକ୍ତ ହୋଇଛି।

Controversy: ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ତାମିଲନାଡୁ ବିଜେପି ମୁଖ୍ୟଙ୍କ ବିବାଦୀୟ ମନ୍ତବ୍ୟ

୨୦୨୩-୨୪ର ପାରିବାରିକ ବ୍ୟୟ ସର୍ବେକ୍ଷଣ(‘ହାଉସ୍‌ହୋଲ୍‌ଡ କନ୍‌ସମ୍ପସନ୍ ଏକ୍ସପେଣ୍ଡିଚର୍ ସର୍ଭେ’)ରୁ ଉପଲବ୍‌ଧ ସୂଚନା ଭିତ୍ତିରେ ଖାଉଟି ଝୁଡ଼ିରେ ଅନ୍ତର୍ଭୁକ୍ତ ଦ୍ରବ୍ୟ ଓ ସେବାମାନଙ୍କୁ ପ୍ରଦାନ କରାଯାଉଥିବା ଅପେକ୍ଷିକ ‘ଓଜନ’(‘ୱେଟେଜ୍’) ବା ଗୁରୁତ୍ବରେ ମଧ୍ୟ ପରିବର୍ତ୍ତନ ଘଟାଯାଇଛି। ଉଦାହରଣ ସ୍ବରୂପ ପୂର୍ବର ଖାଉଟି ଝୁଡ଼ିରେ ଖାଦ୍ୟପଦାର୍ଥମାନଙ୍କୁ ପ୍ରଦାନ କରାଯାଉଥିବା ‘ଓଜନ’ରେ ଏବେ ହ୍ରାସ ଘଟାଯାଇଛି। ୧୮୫୭ରେ ଜର୍ମାନ୍ ଅର୍ଥନୀତିଜ୍ଞ ଅର୍ନ‌୍ଷ୍ଟ ଏଙ୍ଗେଲ୍‌ଙ୍କ ଦ୍ବାରା ଆବିଷ୍କୃତ ତାଙ୍କ ନାମରେ ନାମିତ ‘ଏଙ୍ଗେଲ୍‌’ସ ଲ’ ବା ‘ଏଙ୍ଗେଲ୍‌ଙ୍କ ନିୟମ’ ଅନୁସାରେ ଏକ ପରିବାରର ଆୟରେ ବୃଦ୍ଧି ଘଟିବା ସହିତ ଖାଦ୍ୟପଦାର୍ଥ ଉପରେ ଖର୍ଚ୍ଚ ହେଉଥିବା ସେଇ ପରିବାରର ଆୟର ଅନୁପାତରେ ହ୍ରାସ ଘଟିବାରେ ଲାଗିଥାଏ, ଯଦିବା ଖାଦ୍ୟ ଉପରେ ଖର୍ଚ୍ଚର ପରିମାଣରେ ବୃଦ୍ଧି ଘଟିଥାଏ। ଅର୍ଥାତ୍ ସେଇ ପରିବାର କ୍ରୟ କରୁଥିବା ଦ୍ରବ୍ୟ ଓ ସେବାସମୂହରେ ଖାଦ୍ୟପଦାର୍ଥର ଆପେକ୍ଷିକ ଗୁରୁତ୍ବ ହ୍ରାସ ପାଇବାରେ ଲାଗେ। ବିଗତ ବର୍ଷମାନଙ୍କରେ ଭାରତୀୟ ପରିବାରମାନଙ୍କର ଆୟରେ ଘଟି ଚାଲିଥିବା ବୃଦ୍ଧି ସହିତ ତାଳଦେଇ ଏଙ୍ଗେଲ୍‌ଙ୍କ ଏଇ ନିୟମକୁ ଅନୁସରଣ କରି ସେମାନଙ୍କର ବଜାର ସଉଦା ଝୁଡ଼ିରେ ଖାଦ୍ୟ ଓ ପାନୀୟ ଦ୍ରବ୍ୟମାନଙ୍କର ଏଇ ଆପେକ୍ଷିକ ଗୁରୁତ୍ବ ବା ‘ୱେଟେଜ୍’ରେ ତେଣୁ ହ୍ରାସ ଘଟିବାରେ ଲାଗିଛି। ଏଇ ସତ୍ୟକୁ ସ୍ବୀକାର କରି ମୁଦ୍ରାସ୍ଫୀତିର ପରିମାପକୁ ଅଧିକ ବାସ୍ତବଧର୍ମୀ କରିବା ପାଇଁ ପୂର୍ବର ଶୃଙ୍ଖଳାରେ ଏଇ ଦ୍ରବ୍ୟମାନଙ୍କୁ ୪୫.୮୬ ଶତାଂଶ ‘ୱେଟେଜ୍’ ପ୍ରଦାନ କରାଯାଉଥିବା ବେଳେ, ନୂତନ ଶୃଙ୍ଖଳାରେ ତାହାକୁ ୩୬.୭୫ ଶତାଂଶକୁ ହ୍ରାସ କରି ଦିଆଯାଇଛି। ଯେହେତୁ ଖାଦ୍ୟଦ୍ରବ୍ୟମାନଙ୍କର ଦରଦାମ ଅସ୍ଥିରତା ପାଇଁ କୁଖ୍ୟାତ ହୋଇଥାଏ, ତାହାର ଗୁରୁତ୍ବରେ ହ୍ରାସ ଖାଉଟି ମୁଦ୍ରାସ୍ଫୀତିରେ ଅଧିକ ସ୍ଥିରତା ଆଣିଦେବ ବୋଲି ଆଶା କରାଯାଇପାରେ।
ସେବା କ୍ଷେତ୍ରରେ ୪୦ଟି ସେବା ପୂର୍ବର ଶୃଙ୍ଖଳାରେ ଅନ୍ତର୍ଭୁକ୍ତ ଥିବାବେଳେ ସେଥିପ୍ରତି ଚାହିଦାରେ ପରିଲକ୍ଷିତ ବୃଦ୍ଧିକୁ ସ୍ବୀକୃତି ପ୍ରଦାନ ପୂର୍ବକ ନୂତନ ଶୃଙ୍ଖଳାରେ ସେଥିରେ ବୃଦ୍ଧି ଘଟାଯାଇ ୫୦ଟି ସେବାକୁ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ପୂର୍ବ ଶୃଙ୍ଖଳାରେ ଜାତୀୟ ସ୍ତରରେ ୨୯୯ଟି ଦ୍ରବ୍ୟ ପ୍ରତି ‘ୱେଟେଜ୍’ ପ୍ରଦାନ କରାଯାଇଥିବା ବେଳେ ନୂତନ ଶୃଙ୍ଖଳାରେ ସେଇ ସଂଖ୍ୟାରେ ବୃଦ୍ଧି ଘଟାଇ ୩୫୮ କରି ଦିଆଯାଇଛି।
ଏହି ନୂତନ ‘ସିପିଆଇ’ ଶୃଙ୍ଖଳା ଭାରତୀୟ ଖାଉଟିମାନଙ୍କୁ ସେମାନେ ସମ୍ମୁଖୀନ ହେଉଥିବା ମୁଦ୍ରାସ୍ଫୀତି ସମ୍ବନ୍ଧରେ ଏକ ଅଧିକ ବାସ୍ତବ ସୂଚନା ପ୍ରଦାନ କରିବାରେ ସକ୍ଷମ ହେବ। ଏଥିସହିତ ଏହା ଅନ୍ୟ ଯେଉଁ ଏକ ବୃହତ୍ ତାତ୍ପର୍ଯ୍ୟ ବହନ କରିଥାଏ, ତାହା ହେଲା ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମୁଦ୍ରା ନୀତି ପରିଚାଳନାରେ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା। ରିଜର୍ଭ ବ୍ୟାଙ୍କ୍ ସମ୍ମୁଖରେ ସ୍ଥାପିତ ବିଧିବଦ୍ଧ ଲକ୍ଷ୍ୟ ଅନୁସାରେ ସେ ଖାଉଟି ମୁଦ୍ରାସ୍ଫୀତିକୁ ୪ ଶତାଂଶ ସ୍ତରରେ ରଖିବା ପାଇଁ କାର୍ଯ୍ୟ କରିଥିବା ବେଳେ ଏହାଠାରୁ ୨ ଶତାଂଶ କମ୍ କିମ୍ବା ବେଶୀ (୪ ଶତାଂଶ-୬ ଶତାଂଶ) ସ୍ତରରେ ଏଥିପାଇଁ ସହନ ସୀମା ଧାର୍ଯ୍ୟ କରାଯାଇଛି। ରିଜର୍ଭ ବ୍ୟାଙ୍କ୍‌ର ମୁଦ୍ରା ନୀତି ନିର୍ଦ୍ଧାରଣକାରୀ କମିଟି ‘ଏମ୍‌ପିସି’ ୬ ଫେବ୍ରୁଆରିରେ ଅନୁଷ୍ଠିତ ତା’ର ସଦ୍ୟତମ ଦ୍ବିମାସିକ ବୈଠକରେ ଆସନ୍ତା ବିତ୍ତ ବର୍ଷ ପାଇଁ ମୁଦ୍ରାସ୍ଫୀତି ସମ୍ବନ୍ଧରେ କୌଣସି ପୂର୍ବାନୁମାନ ପ୍ରକାଶ କରି ନ ଥିଲା, ଯାହାର କାରଣ ଥିଲା ‘ଆଧାର ବର୍ଷ’ରେ ଘଟିବାକୁ ଯାଉଥିବା ଏଇ ଆସନ୍ନ ପରିବର୍ତ୍ତନ। ବର୍ତ୍ତମାନ ୨୦୨୪ ‘ଆଧାର ବର୍ଷ’ ଭିତ୍ତିରେ ପ୍ରସ୍ତୁତ ନୂତନ ‘ସିପିଆଇ’ ଶୃଙ୍ଖଳା ଅନୁସାରେ ପ୍ରକାଶିତ ସୂଚନାରୁ ଜାନୁଆରିରେ ଖାଉଟି ମୁଦ୍ରାସ୍ଫୀତି ହାର ୨.୭୫ ଶତାଂଶ ହୋଇଥିବା ଜଣାପଡ଼ିଛି, ଯାହା ପୂର୍ବ ଶୃଙ୍ଖଳା ଭିତ୍ତିରେ ଡିସେମ୍ବରରେ ଥିଲା ୧.୩୩ ଶତାଂଶ।
ଏଇ ଧାରା ବଜାୟ ରହିବ ବୋଲି ଆଶା କରି ରିଜର୍ଭ ବ୍ୟାଙ୍କ୍ ଆଗାମୀ ବିତ୍ତ ବର୍ଷରେ ମୁଦ୍ରାସ୍ଫୀତି ସାମାନ୍ୟ ଉଚ୍ଚା ରହିବ ବୋଲି ପୂର୍ବାନୁମାନ କରିପାରେ। ଫଳରେ ରିଜର୍ଭ ବ୍ୟାଙ୍କ୍‌ର ‘ଏମ୍‌ପିସି’ ନିକଟ ଭବିଷ୍ୟତରେ ‘ରେପୋ ରେଟ୍’ରେ ହ୍ରାସ ଘଟାଇବାର ସମ୍ଭାବନା କ୍ଷୀଣ ମନେ ହେଉଛି- ତାହା ବର୍ତ୍ତମାନର ୫.୨୫ ଶତାଂଶ ସ୍ତରରେ ଅପରିବର୍ତ୍ତିତ ରହିବାର ଦୃଢ଼ ସମ୍ଭାବନା ଦେଖାଯାଉଛି। ଏହାର କାରଣ, ଯଦି କୌଣସି ଅପ୍ରତ୍ୟାଶିତ ଧକ୍‌କା ଯୋଗୁଁ ମୁଦ୍ରାସ୍ଫୀତିରେ ହଠାତ୍ ଏକ ତୀକ୍ଷ୍‌ଣ ବୃଦ୍ଧି ଦେଖା ନ ଦିଏ, ତେବେ ‌ରିଜର୍ଭ ବ୍ୟାଙ୍କ୍ ‘ରେପୋ ରେଟ୍’ରେ ବୃଦ୍ଧି ଘଟାଇବାର ସମ୍ଭାବନା ମଧ୍ୟ କ୍ଷୀଣ ମନେ ହୁଏ। ତେବେ ଅଳ୍ପ ଦିନ ମଧ୍ୟରେ ପ୍ରକାଶ ପାଇବାକୁ ଯାଉଥିବା ଏକ ନୂତନ ‘ଜିଡିପି’ ଶୃଙ୍ଖଳା ମଧ୍ୟ ରିଜର୍ଭ ବ୍ୟାଙ୍କ୍‌ର ନୀତିକୁ ପ୍ରଭାବିତ କରିବ। ଏ ଉଭୟ ଶୃଙ୍ଖଳାରେ ସଂଶୋଧନ ଯୋଗୁଁ ଭାରତରେ ବର୍ତ୍ତମାନ ଉପଲବ୍‌ଧ ‘ଡେଟା’ରେ ଯେଉଁ ଉନ୍ନତି ଘଟିବ ତାହା ନିଶ୍ଚିତ ରୂପେ ଅର୍ଥନୈତିକ ନୀତି ନିର୍ଦ୍ଧାରଣର ଗୁଣାତ୍ମକ ମାନରେ ଡେମିଙ୍ଗ କହିଥିବା ଭଳି ଉନ୍ନତି ଘଟାଇବ।