‘ସୁପ୍ତ’ ଅଦାଲତ

Advertisment

ମନେ ରଖିବା କଥା, ପୋଷା କୁକୁର ଘର ଭିତରେ ଲାଳିତ ପାଳିତ ହୋଇ ଆମକୁ ଆନନ୍ଦଦାୟକ ସାହଚର୍ଯ୍ୟ ଦେବା ସହିତ ଆମର ଜଗୁଆଳି ରୂପେ କାର୍ଯ୍ୟ କରୁଥିବାବେଳେ ଏହି ଅବହେଳିତ ବୁଲା କୁକୁରମାନେ ଅବୈତନିକ....

ମନେ ରଖିବା କଥା, ପୋଷା କୁକୁର ଘର ଭିତରେ ଲାଳିତ ପାଳିତ ହୋଇ ଆମକୁ ଆନନ୍ଦଦାୟକ ସାହଚର୍ଯ୍ୟ ଦେବା ସହିତ ଆମର ଜଗୁଆଳି ରୂପେ କାର୍ଯ୍ୟ କରୁଥିବାବେଳେ ଏହି ଅବହେଳିତ ବୁଲା କୁକୁରମାନେ ଅବୈତନିକ....

samp1

ମନେ ରଖିବା କଥା, ପୋଷା କୁକୁର ଘର ଭିତରେ ଲାଳିତ ପାଳିତ ହୋଇ ଆମକୁ ଆନନ୍ଦଦାୟକ ସାହଚର୍ଯ୍ୟ ଦେବା ସହିତ ଆମର ଜଗୁଆଳି ରୂପେ କାର୍ଯ୍ୟ କରୁଥିବାବେଳେ ଏହି ଅବହେଳିତ ବୁଲା କୁକୁରମାନେ ଅବୈତନିକ ଚୌକିଦାର ରୂପେ କାର୍ଯ୍ୟ କରି ସଂପୃକ୍ତ ବସତିକୁ କେବଳ ଜଗି ରହିଥାନ୍ତି, ତାହା ନୁହେଁ, ସେମାନେ ମଧ୍ୟ ଅନେକ ଆବର୍ଜନା ସଫା କରି ପରିବେଶକୁ ପରିଷ୍କାର ରଖିବାରେ ସହାୟକ ହୋଇଥାନ୍ତି।

ପରମ କାରୁଣିକ ଗୌତମ ବୁଦ୍ଧଙ୍କ ପରେ ମାନବେତର ପ୍ରାଣୀମାନଙ୍କ ପ୍ରତି ସମ୍ବେଦନଶୀଳତା ପ୍ରଦର୍ଶନକୁ ଯଦି କେହି ମନୁଷ୍ୟର ଏକ ପ୍ରମୁଖ ନୈତିକ ଦାୟିତ୍ବ ରୂପେ ସାବ୍ୟସ୍ତ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥାନ୍ତି, ସେ ହେଉଛନ୍ତି ପ୍ରସିଦ୍ଧ ବର୍ଷିଆନ୍ ଅଷ୍ଟ୍ରେଲୀୟ ଦାର୍ଶନିକ ପିଟର୍ ସିଙ୍ଗର୍। ବୁଦ୍ଧଙ୍କର ‘ଜୀବେଦୟା’କୁ ମଧ୍ୟ ଅତିକ୍ରମ କରି ସିଙ୍ଗର୍ ଆମକୁ ଚେତାଇ ଦେଇଛନ୍ତି ଯେ ଅନ୍ୟ ପ୍ରାଣୀମାନେ ମନୁଷ୍ୟର ଦୟା ନୁହେଁ, ମନୁଷ୍ୟ ଠାରୁ ବିଦ୍ବେଷଶୂନ୍ୟ ସମ୍ମାନଜନକ ବ୍ୟବହାର ପାଇବା ପାଇଁ ହକ୍‌ଦାର, ଯେଉଁଭଳି ଜଣେ ମନୁଷ୍ୟ ଅନ୍ୟ ଜଣେ ମନୁଷ୍ୟ ଠାରୁ ଆଶା କରିଥାଏ।
ଉଲ୍ଲେଖଯୋଗ୍ୟ ଯେ ଗୌତମ ବୁଦ୍ଧଙ୍କ ଆହ୍ବାନ ଯେଉଁଭଳି ତାଙ୍କର ଅଗଣିତ ଅନୁଗାମୀମାନଙ୍କୁ ମାନବେତର ପ୍ରାଣୀମାନଙ୍କ ପ୍ରତି ଅହିଂସା ଆଚରଣ କରିବା ପାଇଁ ଶତାବ୍ଦୀ ଶତାବ୍ଦୀ ଧରି ଅନୁପ୍ରାଣିତ କରିଆସିଛି, ପିଟର୍ ସିଙ୍ଗର୍‌ଙ୍କର ୧୯୭୫ରେ ପ୍ରକାଶିତ ପୁସ୍ତକ ‘ଆନିମଲ୍ ଲିବରେସନ୍’ (‘ପ୍ରାଣୀ ମୁକ୍ତି’) ସେଇଭଳି ଏକ ପ୍ରାଣୀ ଅଧିକାର ଆନ୍ଦୋଳନ (ମାନବାଧିକାର ଆନ୍ଦୋଳନ ଭଳି)କୁ ଜନ୍ମ ଦେଇ ଅଗଣିତ ଲୋକମାନଙ୍କ ଠାରେ ସୁପ୍ତ ଅବସ୍ଥାରେ ରହିଥିବା ପ୍ରାଣୀମାନଙ୍କ ପ୍ରତି ଏକ ବୁଦ୍ଧସୁଲଭ ସମ୍ବେଦନଶୀଳତା ଜାଗ୍ରତ କରିଛି (ମାନେକା ଗାନ୍ଧୀ ହେଉଛନ୍ତି ତାହାର ଏକ ପ୍ରସିଦ୍ଧ ଉଦାହରଣ, ଯିଏ ମଧ୍ୟ ନିଜର ଉଦ୍ୟମ ବଳରେ ଅସଂଖ୍ୟ ଭାରତୀୟଙ୍କୁ ଏ ଦିଗରେ ଅନୁପ୍ରାଣିତ କରିଛନ୍ତି)।
ସିଙ୍ଗର୍ ତାଙ୍କର ସେଇ ପୁସ୍ତକର ମୁଖବନ୍ଧରେ ଲେଖିଛନ୍ତି: ‘‘ଏହି ପୁସ୍ତକ ହେଉଛି ମାନବେତର ପ୍ରାଣୀମାନଙ୍କ ଉପରେ ମନୁଷ୍ୟ କରୁଥିବା ଅତ୍ୟାଚାର ସମ୍ବନ୍ଧରେ। ଏହି ଅତ୍ୟାଚାର ଯେଉଁ ଯନ୍ତ୍ରଣା ଓ ପୀଡ଼ା ସୃଷ୍ଟି କରିଆସିଛି ଓ ଏବେ ମଧ୍ୟ ସୃଷ୍ଟି କରିଚାଲିଛି, ତାହା ହେଉଛି କେବଳ ଶତାବ୍ଦୀ ଶତାବ୍ଦୀ ଧରି ଶ୍ବେତକାୟମାନଙ୍କ ଅତ୍ୟାଚାର ଯୋଗୁଁ କୃଷ୍ଣକାୟମାନେ ଭୋଗିଥିବା ଯନ୍ତ୍ରଣା ଓ ପୀଡ଼ା ସହିତ ତୁଳନୀୟ। ଏହି ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ ହେଉଛି ସେଇଭଳି ଗୁରୁତ୍ବପୂର୍ଣ୍ଣ, ଯେଉଁଭଳି ନିକଟ ଅତୀତରେ ଯେ କୌଣସି ନୈତିକ ଓ ସାମାଜିକ ପ୍ରସଙ୍ଗକୁ କେନ୍ଦ୍ର କରି ରଚିତ ହୋଇଥିବା ସଂଗ୍ରାମ ହୋଇଥାଏ।’’
ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତର ବିଭିନ୍ନ ସହରମାନଙ୍କରେ ନିୟମିତ ଭାବରେ ଏକ ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ହେଉଛି ଏହି ସଂଗ୍ରାମର ଏକ କ୍ଷୁଦ୍ର ଅଂଶ। ଏହି ଦୃଶ୍ୟ ହେଉଛି କେତେକ ଉପରବର୍ଣ୍ଣିତ ଭଳି ଜାଗ୍ରତ ନାଗରିକମାନେ ସେମାନଙ୍କ ଅଞ୍ଚଳରେ ପଇଁତରା ମାରୁଥିବା ବୁଲାକୁକୁରମାନଙ୍କୁ ଆଦରରେ ଖାଦ୍ୟ ଖୁଆଉ ଥିବାର ଦୃଶ୍ୟ। କିନ୍ତୁ ସମସ୍ୟା ହେଲା ସମସ୍ତଙ୍କ ଠାରେ ଏଭଳି ପ୍ରାଣୀ-ପ୍ରେମ ଜାଗ୍ରତ ହୋଇ ନ ଥାଏ। ସେମାନେ ବୁଲା କୁକୁରମାନଙ୍କୁ ଏକ ଆତଙ୍କ ରୂ‌େପ ଦେଖିଥାନ୍ତି ଏବଂ ସେମାନଙ୍କୁ ଖାଦ୍ୟ ଦାନ କରୁଥିବା ବ୍ୟକ୍ତିମାନଙ୍କୁ ସମାଜର ଶତ୍ରୁ ରୂପେ ବିଚାର କରିଥାନ୍ତି। ଏହା ‘ଜାଗ୍ରତ’ ଓ ‘ସୁପ୍ତ’ ପକ୍ଷମାନଙ୍କ ମଧ୍ୟରେ ଏକ ସଂଘାତ ସୃଷ୍ଟି କରିଥାଏ; ବୁଲା କୁକୁରମାନଙ୍କର ଏହି ବନ୍ଧୁମାନେ ବିଭିନ୍ନ ପ୍ରକାର ହଇରାଣ ହରକତ ଓ ଘୋର ବିରୋଧର ସମ୍ମୁଖୀନ ହୋଇଥାନ୍ତି।
ନିକଟରେ ଦିଲ୍ଲୀର ଏଇଭଳି ଜଣେ ଶ୍ବାନପ୍ରେମୀ ସଂପୃକ୍ତ ଅଞ୍ଚଳର କେତେକ ଅଧିବାସୀଙ୍କ ଦ୍ବାରା ହଇରାଣ ହରକତର ଶିକାର ହୋଇ ଏହାର ପ୍ରତିକାର ପ୍ରାର୍ଥନା କରି ସୁପ୍ରିମ୍ କୋର୍ଟଙ୍କର ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମ୍ କୋର୍ଟ ଜୁଲାଇ ୧୫ରେ ଏହାର ଶୁଣାଣି କରିବା ଅବସରରେ ସଂପୃକ୍ତ ମାନ୍ୟବର ବିଚାରପତିମାନେ ଆବେଦନକାରୀଙ୍କୁ କିନ୍ତୁ ଏକ ଅଣ-ସିଙ୍ଗର୍‌ସୁଲଭ ଓଲଟା ପ୍ରଶ୍ନ ପଚାରିଥିଲେ: ‘‘ତୁମେ ସେମାନଙ୍କୁ ତୁମ ଘରେ କାହିଁକି ଖାଇବାକୁ ଦେଉନାହଁ?’’ ଆବେଦନକାରୀଙ୍କୁ କୁହାଯାଇଥିଲା: ‘‘ତୁମ ଅଞ୍ଚଳର ପ୍ରତ୍ୟେକ କୁକୁରକୁ ତୁମ ନିଜ ଘରେ ଖାଇବାକୁ ଦିଅ।’’
ମାନ୍ୟବର ଅଦାଲତଙ୍କର ଏଭଳି ପ୍ରଶ୍ନ ଓ ଉପଦେଶରେ ନିହିତ ଥିବା ବିଦ୍ରୂପ କାହାରି ନଜର ଏଡ଼ାଇ ନ ଥାଏ। ବୁଲା କୁକୁରମାନଙ୍କୁ ନିଜ ଘରକୁ ଆଣି ଖାଇବାକୁ ଦେବା ଯେ ଏକ ଅବାସ୍ତବ ପରିକଳ୍ପନା, ଏକଥା ଖୋଦ୍ ଅଦାଲତ ଭଲ ରୂପେ ଜାଣିଥିବେ। ତଥାପି ଅଦାଲତ ଆବେଦନକାରୀଙ୍କୁ ଏଭଳି ଉପଦେଶ ଦେବାର ଅର୍ଥ ହେଉଛି ଏହାଦ୍ବାରା ଅଦାଲତ ଆବେଦନକାରୀଙ୍କ କାର୍ଯ୍ୟକୁ ନାପସନ୍ଦ କରୁଛନ୍ତି ବୋଲି ସନ୍ଦେଶ ପ୍ରସାର କରିବା। କହିବା ବାହୁଲ୍ୟ, ଅଦାଲତଙ୍କର ଏତାଦୃଶ ମନ୍ତବ୍ୟର ପ୍ରଭାବ ଆବେଦନକାରୀଙ୍କ ଠାରେ ସୀମିତ ରହିବ ନାହିଁ। ବିଶେଷ କରି ଦେଶର ସର୍ବୋଚ୍ଚ ଅଦାଲତଙ୍କର ମନ୍ତବ୍ୟକୁ ଅନେକ ସମୟରେ ଭାରତୀୟ ସମାଜ ଆଇନର ମର୍ଯ୍ୟାଦା ପ୍ରଦାନ କରିବା ଦେଖାଯାଇଥାଏ। ସୁପ୍ରିମ୍ କୋର୍ଟଙ୍କର ଏଭଳି ମନ୍ତବ୍ୟ ଦ୍ବାରା ଉତ୍ସାହିତ ହୋଇ ପ୍ରାଣୀ ଅଧିକାର ପ୍ରତି ଉଦାସୀନ ବ୍ୟକ୍ତିମାନେ ଯେ ବୁଲା କୁକୁରମାନଙ୍କ ବନ୍ଧୁମାନଙ୍କ ପ୍ରତି ଅଧିକ ହିଂସ୍ର ବିରୋଧ ପ୍ରଦର୍ଶନ ନ କରିବେ, କିଏ କହିବ?
ଏହା ଅବଶ୍ୟ ସତ ଯେ ସହରମାନଙ୍କରେ ବୁଲା କୁକୁରମାନଙ୍କର ଉପସ୍ଥିତି ବେଳେବେଳେ ମନୁଷ୍ୟମାନଙ୍କ ପ୍ରତି ବିପଦ ସୃଷ୍ଟି କରିଥାଏ। ଉଦାହରଣ ସ୍ବରୂପ ୨୦୨୪ରେ ଭାରତରେ ୩୭ ଲକ୍ଷ କୁକୁର କାମୁଡ଼ା ଘଟଣା ଘଟିଥିବା ଓ ୫୪ଟି ସନ୍ଦେହଜନକ ଜଳାତଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ପ୍ରକାଶ ପାଇଛି। କିନ୍ତୁ ବୁଲା କୁକୁରଙ୍କୁ ଭୋକିଲା ରଖିବା ଦ୍ବାରା କ’ଣ ଏ ସମସ୍ୟାର ସମାଧାନ ହେବ? ବରଂ ‘ମଣ୍ଡୁକ କୃଷ୍ଣସର୍ପ’ କାହାଣୀରେ ଗଙ୍ଗଦତ୍ତ ନାମକ ବେଙ୍ଗ ଭୋକିଲା କଳାନାଗକୁ କହିଥିବା ଭଳି: ‘‘ବୁଭୁକ୍ଷିତଃ କିଂ ନକରୋତି ପାପଂ?’’ ପେଟଭର୍ତ୍ତି ଥିବା କୁକୁର ଅପେକ୍ଷା ଭୋକିଲା କୁକୁର ଅକାର‌ଣେ କାହାକୁ କାମୁଡ଼ିବାର ସମ୍ଭାବନା ସର୍ବଦା ଅଧିକ ହେବା ସ୍ବାଭାବିକ। ତେଣୁ ଅଦାଲତ ବରଂ ହୃଦୟଙ୍ଗମ କରିବା ଆଶା କରାଯାଏ ଯେ ଯେଉଁ ସଚେତନ ନାଗରିକମାନେ ସେମାନଙ୍କ ଅଞ୍ଚଳରେ ବୁଲା କୁକୁରମାନଙ୍କୁ ଖାଇବାକୁ ଦେଉଛନ୍ତି, ସେମାନେ ସେଇ କୁକୁରମାନଙ୍କୁ ଶାନ୍ତ ରହିବାରେ ସହାୟକ ହେଉଛନ୍ତି।
କୁକୁରକୁ ସର୍ବଦା ମନୁଷ୍ୟର ପ୍ରକୃତ ବନ୍ଧୁ ରୂପେ ଅଭିହିତ କରାହୋଇ ଆସିଛି। ଯେଉଁମାନେ ଏ ପର୍ଯ୍ୟନ୍ତ ବୁଦ୍ଧ କିମ୍ବା ସିଙ୍ଗର୍‌ଙ୍କର ପ୍ରାଣୀ-ପ୍ରେମ ଆହ୍ବାନ ଦ୍ବାରା ଜାଗ୍ରତ ହୋଇ ନାହାନ୍ତି, ସେମାନେ ମଧ୍ୟ ଏଇ ନିର୍ଦ୍ଦିଷ୍ଟ ପ୍ରାଣୀଟିକୁ ବନ୍ଧୁତ୍ବର ମର୍ଯ୍ୟାଦା ପ୍ରଦାନ କରିବାକୁ ଆଗେଇ ଆସିବା ଦେଖାଯାଇଥାଏ। ତେବେ ଆମେ ପୋଷା କୁକୁର ଓ ବୁଲା କୁକୁର ମଧ୍ୟରେ ବାଛବିଚାର କରି ଆମର ଏହି ପରମ ବନ୍ଧୁମାନଙ୍କ ପ୍ରତି ଅକୃତଜ୍ଞତା ପ୍ରଦର୍ଶନ କରୁନାହୁଁ କି? ମନେ ରଖିବା କଥା, ପୋଷା କୁକୁର ଘର ଭିତରେ ଲାଳିତ ପାଳିତ ହୋଇ ଆମକୁ ଆନନ୍ଦଦାୟକ ସାହଚର୍ଯ୍ୟ ଦେବା ସହିତ ଆମର ଜଗୁଆଳି ରୂପେ କାର୍ଯ୍ୟ କରୁଥିବାବେଳେ ଏହି ଅବହେଳିତ ବୁଲା କୁକୁରମାନେ ଅବୈତନିକ ଚୌକିଦାର ରୂପେ କାର୍ଯ୍ୟ କରି ସଂପୃକ୍ତ ବସତିକୁ କେବଳ ଜଗି ରହିଥାନ୍ତି, ତାହା ନୁହେଁ, ସେମାନେ ମଧ୍ୟ ଅନେକ ଆବର୍ଜନା ସଫା କରି ପରିବେଶକୁ ପରିଷ୍କାର ରଖିବାରେ ସହାୟକ ହୋଇଥାନ୍ତି।
ତଥାପି ଯଦି ବୁଲା କୁକୁରଙ୍କର ତଥାକଥିତ ଉତ୍ପାତରୁ ରକ୍ଷା ପାଇବା ଆବଶ୍ୟକ ବୋଲି ସମାଜ ଅନୁଭବ କରେ, ତେବେ ଏ ସମସ୍ୟାର ଏକମାତ୍ର ସମାଧାନ ହେଉଛି ବୁଲା କୁକୁରମାନଙ୍କର ବନ୍ଧ୍ୟାକରଣ। ଅନେକ ସହରରେ ଏଭଳି ବନ୍ଧ୍ୟାକରଣ ଅଭିଯାନ ଆରମ୍ଭ ହୋଇଥିଲେ ହେଁ, ତାହା ମୁଖ୍ୟତଃ କାଗଜକଲମ ଓ ଦପ୍ତରୀ ପରିସଂଖ୍ୟାନରେ ସୀମିତ ରହିଛି। ମାନ୍ୟବର ସୁପ୍ରିମ୍ କୋର୍ଟ କୌଣସି ଦରଦୀ ପ୍ରାଣୀପ୍ରେମୀଙ୍କୁ ଭର୍ତ୍ସନା କରିବା ପରିବର୍ତ୍ତେ ଏହି ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଲେ ବରଂ ସମସ୍ୟାର ସମାଧାନ ସୁଗମ ହୁଅନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe