Editorial: ସୁଗୁଣ ମାର୍ଗ

Advertisment

କହିବା ବାହୁଲ୍ୟ, କପଡ଼ା ଓ ବସ୍ତ୍ରରୁ ମୂଲ୍ୟବାନ ପଥର ଓ ଅଳଙ୍କାର ପର୍ଯ୍ୟନ୍ତ ଭାରତୀୟ ରପ୍ତାନି ଦ୍ରବ୍ୟ ଉପରେ ଟାରିଫ୍ ହ୍ରାସ ବର୍ତ୍ତମାନ ଏଠାରେ ସେ କ୍ଷେତ୍ରମାନଙ୍କରେ ଉଲ୍ଲାସ ସୃଷ୍ଟି କରିବା ଦେଖାଯାଇଛି।

କହିବା ବାହୁଲ୍ୟ, କପଡ଼ା ଓ ବସ୍ତ୍ରରୁ ମୂଲ୍ୟବାନ ପଥର ଓ ଅଳଙ୍କାର ପର୍ଯ୍ୟନ୍ତ ଭାରତୀୟ ରପ୍ତାନି ଦ୍ରବ୍ୟ ଉପରେ ଟାରିଫ୍ ହ୍ରାସ ବର୍ତ୍ତମାନ ଏଠାରେ ସେ କ୍ଷେତ୍ରମାନଙ୍କରେ ଉଲ୍ଲାସ ସୃଷ୍ଟି କରିବା ଦେଖାଯାଇଛି।

samp1

କହିବା ବାହୁଲ୍ୟ, କପଡ଼ା ଓ ବସ୍ତ୍ରରୁ ମୂଲ୍ୟବାନ ପଥର ଓ ଅଳଙ୍କାର ପର୍ଯ୍ୟନ୍ତ ଭାରତୀୟ ରପ୍ତାନି ଦ୍ରବ୍ୟ ଉପରେ ଟାରିଫ୍ ହ୍ରାସ ବର୍ତ୍ତମାନ ଏଠାରେ ସେ କ୍ଷେତ୍ରମାନଙ୍କରେ ଉଲ୍ଲାସ ସୃଷ୍ଟି କରିବା ଦେଖାଯାଇଛି। ଭବିଷ୍ୟତରେ ଯଦି ଅସ୍ଥିରଚିତ୍ତ ଟ୍ରମ୍ପ ଏଥିରେ କୌଣସି ଅପ୍ରତ୍ୟାଶିତ ବିଘ୍ନ ନ ଘଟାନ୍ତି, ତେବେ ଆରିଷ୍ଟୋଟ୍‌ଲଙ୍କ ସୁଗୁଣ ମାର୍ଗର ଅନୁସରଣ ଭାରତ ପାଇଁ ଯେ ଶେଷରେ ପ୍ରଭୂତ ସୁଫଳ ପ୍ରଦାନ କରିବାକୁ ଯାଉଛି, ଏଥିରେ କୌଣସି ସନ୍ଦେହ ନାହିଁ।

Governor Of Odisha: ଚକ୍ଷୁ ଦାନ ଉପରେ ଜନସଚେତନତା ବୃଦ୍ଧି ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଶୁକ୍ରବାର ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଯେତେବେଳେ ସେ ପୂର୍ବରୁ ଭାରତ ପ୍ରତି ଲାଗୁ କରିଥିବା ଦଣ୍ଡମୂଳକ ଅତିରିକ୍ତ ଟାରିଫ୍ ହଟାଇବା ସହିତ ବିଧିବଦ୍ଧ ଟାରିଫ୍‌ରେ ମଧ୍ୟ ହ୍ରାସ ଘଟାଇବା ନିମନ୍ତେ ପୁଣି ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା (ଇଗ୍‌ଜେକ୍ୟୁଟିଭ ଅର୍ଡର) ସ୍ବାକ୍ଷର କଲେ, ସେତେବେଳେ ସେ କେବେହେଲେ ହୃଦୟଙ୍ଗମ କରି ନ ଥିବେ ଯେ ସେ ଏହା ଦ୍ବାରା ମହାନ ପ୍ରାଚୀନ ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟ୍‌ଲଙ୍କୁ ସତ୍ୟ ସାବ୍ୟସ୍ତ କରିଛନ୍ତି। ବର୍ତ୍ତମାନ ପ୍ରାୟ ସମସ୍ତ ପର୍ଯ୍ୟବେକ୍ଷକ ଏକମତ ଯେ ଭାରତ ପ୍ରାୟ ପାଖାପାଖି ବ‌ର୍ଷେ କାଳ ଧରି ସର୍ବୋଚ୍ଚ ଟ୍ରମ୍ପ-ଟାରିଫ୍ ବହନ କରି ଚାଲିବା ପରେ ଏବେ ଆମେରିକା ସହିତ ଯେଉଁ ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତି ହାସଲ କରିବାରେ ସଫଳ ହୋଇଛି, ତାହା ହେଉଛି ଅନ୍ୟ ଦେଶମାନଙ୍କ ସହିତ ଆମେରିକା ସଂପାଦନ କରିଥିବା ଚୁକ୍ତିମାନଙ୍କ ତୁଳନାରେ ଏକ ଅପେକ୍ଷାକୃତ ଅଧିକ ସନ୍ତୁଳିତ ତଥା ଜାତୀୟ ସ୍ବାର୍ଥ-ଅନୁକୂଳ ଚୁକ୍ତି। ଆଉ ଭାରତ ଯେଉଁ ମାର୍ଗ ଅନୁସରଣ କରି ଅବଶେଷରେ ଏହା ହାସଲ କରିବାରେ ସଫଳ ହୋଇଛି, ତାହା ହେଉଛି ପ୍ରାୟ ଅଢ଼େଇ ହଜାର ବର୍ଷ ତଳେ ଆରିଷ୍ଟୋଟ୍‌ଲଙ୍କ ଦ୍ବାରା ପ୍ରଦର୍ଶିତ ସେଇ ପ୍ରସିଦ୍ଧ ମାର୍ଗ, ଯାହା ‘ଫ୍ରୋନେସିସ୍’ ନାମରେ ସୁପରିଚିତ।
ଆରିଷ୍ଟୋଟ୍‌ଲ ତାଙ୍କର ନୀତିଶାସ୍ତ୍ର ‘ନିକୋମାକିଆନ୍ ଏଥିକ୍‌ସ’ରେ ଦର୍ଶାଇଥିବା ଭଳି ଏଇ ଆଦର୍ଶ ସୁଗୁଣ ମାର୍ଗର ଅବସ୍ଥିତି ହେଉଛି ଦୁଇଟି ଚରମ ଆଭିମୁଖ୍ୟଜନିତ ଅବଗୁଣର ମଧ୍ୟବର୍ତ୍ତୀ ଅଞ୍ଚଳରେ। ଏଇ ଚରମ ଆଭିମୁଖ୍ୟ ଦୁଇଟି ହେଉଛନ୍ତି- ବହୁଳତା ଓ ବିହୀନତା। ଉଦାହରଣ ସ୍ବରୂପ ଆତ୍ମବିଶ୍ବାସକୁ ନିଆଯାଉ। ଆତ୍ମବିଶ୍ବାସର ବହୁଳତା ଆତ୍ମବଡ଼ିମା ରୂପକ ଅବଗୁଣରେ ପରିଣତ ହୋଇଥିବା ବେଳେ ଆତ୍ମବିଶ୍ବାସର ବିହୀନତା ପରିଣତ ହୋଇଥାଏ ହୀନମନ୍ୟତା ରୂପକ ଅବଗୁଣରେ। ପ୍ରକୃତ ଆତ୍ମବିଶ୍ବାସର ମାର୍ଗ ଯାଇଥାଏ ଏ ଦୁଇ ଅବଗୁଣର ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ। ସେଇଭଳି ସାହସର ବିହୀନତା ଭୀରୁତା ହୋଇଥିବା ବେଳେ ସାହସର ବହୁଳତା ଦୁଃସାହସରେ ପରିଣତ ହୋଇଥାଏ। ପ୍ରକୃତ ସାହସର ଅବସ୍ଥିତି ହେଉଛି ଏ ଦୁଇ ଅବଗୁଣର ମଧ୍ୟବର୍ତ୍ତୀ ଅଞ୍ଚଳରେ।
ଡୋନାଲ୍‌ଡ ଟ୍ରମ୍ପ ଯେତେବେଳେ ଟାରିଫ୍‌କୁ ଏକ ଯୁଦ୍ଧାସ୍ତ୍ର ରୂପେ ପ୍ରୟୋଗ କରିବା ଆରମ୍ଭ କଲେ, ତାହା ପୃଥିବୀର ଅଧିକାଂଶ ଦେଶମାନଙ୍କ ଠାରୁ ଉପରୋକ୍ତ ଦୁଇ ଅବଗୁଣ ମଧ୍ୟରୁ କୌଣସି ଗୋଟିଏ ଅବଗୁଣଯୁକ୍ତ ପ୍ରତିକ୍ରିୟା ଆହରଣ କରିବା ଦେଖାଗଲା। ମାତ୍ର ଗୋଟିଏଦୁଇଟି ଦେଶ ଦୁଃସାହସ ପ୍ରଦର୍ଶନ କରି (ଚୀନ୍, ବ୍ରାଜିଲ) କଥାରେ ବା କାର୍ଯ୍ୟରେ ପ୍ରତି-ଆକ୍ରମଣ ଚଳାଇବା ବେଳେ ଅନ୍ୟମାନେ ପ୍ରାଣ ଭୟରେ ଟ୍ରମ୍ପଙ୍କ ନିକଟରେ ଲଜ୍ଜାଜନକ ଭାବରେ ଭୀରୁତା ପ୍ରଦର୍ଶନ କରି ଆତ୍ମସମର୍ପଣ କରିବା ଦେଖାଗଲା। ଭାରତ କିନ୍ତୁ ହେଉଛି ପ୍ରାୟ ଏକମାତ୍ର ବ୍ୟତିକ୍ରମ, ଯିଏ ଆରିଷ୍ଟୋଟ୍‌ଲଙ୍କୁ ଅନୁସରଣ କଲାଭଳି ଏହି ଉଭୟ ଅବଗୁଣ ଠାରୁ ଦୂରେଇ ରହିବାକୁ ପସନ୍ଦ କରିଛି: ସେ ଲୁଲାଙ୍କ ପରି ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କରିନାହିଁ କିମ୍ବା ସି ଜିନ୍‌ପିଙ୍ଗଙ୍କ ପରି ଆମେରିକା ଉପରେ ଓଲଟ ଟାରିଫ୍ ପକାଇ ନାହିଁ, ଅଥବା ୟୁରୋପ ଓ ଏସିଆର ଅନ୍ୟ ଦେଶମାନଙ୍କ ପରି ପ୍ରତିଯୋଗିତାମୂଳକ ଭାବରେ ଯାଇ ଟ୍ରମ୍ପଙ୍କ ପାଖରେ ନତମସ୍ତକ ହୋଇନାହିଁ।

Arrest: ବିଳାସ ପାଇଁ ଚୋରି କରୁଥିବା ଭାଇଜାଗ ସଫ୍ଟୱେର ଇଞ୍ଜିନିୟର ଗିରଫ

ଏଠାରେ ଯାହା ବିଶେଷ ରୂପେ ଉଲ୍ଲେଖନୀୟ, ତାହା ହେଲା ଭାରତରେ ବର୍ତ୍ତମାନର କ୍ଷମତାସୀନ ସରକାର ଏକ ଜାତୀୟତାବାଦୀ ସରକାର ରୂପେ ପରିଚିତ ହୋଇଥିବା ବେଳେ, ମୋଦୀ ସରକାର ଆମେରିକା ସହିତ ଏଇ ବାଣିଜ୍ୟ ଅସହମତିକୁ ଏକ ଜାତୀୟତାବାଦୀ ନାଟକରେ ପରିଣତ କରିନାହିଁ। ତା’ ପରିବର୍ତ୍ତେ ଭାରତ ଅସୀମ ଧୈର୍ଯ୍ୟର ପରିଚୟ ଦେଇ କଥାବାର୍ତ୍ତା ଚାଲୁ ରଖିବା, ସ୍ବଳ୍ପକାଳୀନ ଆଘାତକୁ ସମ୍ଭାଳି ଯିବା ଏବଂ ବିକଳ୍ପ ବ୍ୟବସ୍ଥାର ଅନୁସନ୍ଧାନ ଆରମ୍ଭ କରିବାକୁ ଉଚିତ ମନେ କରିଛି। ଭାରତୀୟ ଅର୍ଥନୀତିର ଚରିତ୍ରକୁ ବିଚାରକୁ ନେଲେ ଭାରତ ପ୍ରଦର୍ଶନ କରିଥିବା ଏଇ ଆରିଷ୍ଟୋଟ୍‌ଲୀୟ ସାବଧାନତା ପଛରେ ନିହିତ ଥିବା ବିଜ୍ଞତା ହୃଦୟଙ୍ଗମ କରିବା କଷ୍ଟକର ହୋଇ ନ ଥାଏ। ବିଶ୍ବ ଅର୍ଥନୀତି ସହିତ ସଂଯୁକ୍ତ ହେବାର ଲକ୍ଷ୍ୟ ହାସଲ ଓ ଦେଶ ଭିତରେ ନିଯୁକ୍ତି ସୃଷ୍ଟିର ଆବଶ୍ୟକତା ମଧ୍ୟରେ ଏକ ସୂକ୍ଷ୍ମ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଥିବା ଭାରତୀୟ ଅର୍ଥନୀତି ପକ୍ଷରେ ଆମେରିକା ସହିତ ଏକ ଟାରିଫ୍ ଯୁଦ୍ଧରେ ପ୍ରବୃତ୍ତ ହେବା ଘୋର କ୍ଷତିକାରକ ସାବ୍ୟସ୍ତ ହୁଅନ୍ତା। ଏମିତିରେ ନିଜର ରପ୍ତାନିରେ ଉଲ୍ଲେଖନୀୟ ବୃଦ୍ଧି ସାଧନ କରିବାକୁ ଲକ୍ଷ୍ୟ ରଖିଥିବା ଏକ ମଧ୍ୟମ ଶ୍ରେଣୀୟ ଅର୍ଥନୀତି ସ୍ବାଭାବିକ ଭାବରେ କେବେହେଲେ ଏଭଳି ଏକ ଟାରିଫ୍ ଯୁଦ୍ଧରେ ଜୟ ଲାଭ କରିବା ଦେଖାଯାଇ ନ ଥାଏ। ଏଥିସହିତ ସଂପୂର୍ଣ୍ଣ ଆତ୍ମସମର୍ପଣ ମଧ୍ୟ ଏଭଳି ଅର୍ଥନୀତିର ସ୍ବାଧୀନତାକୁ ସଂପୂର୍ଣ୍ଣ ରୂପେ ଧ୍ବଂସ କରିଦେଇ ତାହାକୁ ଅନ୍ୟର ନିୟନ୍ତ୍ରଣାଧୀନ କରିଦେଇଥାଏ।
ଭାରତ ତେଣୁ ପ୍ରଶଂସନୀୟ ବିଜ୍ଞତା ପ୍ରଦର୍ଶନ କରି ଏ ଦୁଇ ବିପର୍ଯ୍ୟୟ ସମ୍ଭାବନା ଠାରୁ ସମାନ ଦୂରତ୍ବ ରକ୍ଷା କରି ଯେଉଁ ମଧ୍ୟମ ମାର୍ଗ ଅନୁସରଣ କରିଛି, ବର୍ତ୍ତମାନ ଆମେରିକା ସହିତ ସଂପାଦିତ ହେବାକୁ ଯାଉଥିବା ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତି ହେଉଛି ସେଥିରୁ ଉପୁଜିଥିବା ସ୍ବାଗତଯୋଗ୍ୟ ଗ୍ରହଣୀୟ ଫଳ। ଭାରତ ଯେ ଏହି ଚୁକ୍ତି ପ୍ରସ୍ତୁତ ହେବା ସମୟରେ ନିଜର କେତେକ ଅତ୍ୟନ୍ତ ସ୍ପର୍ଶକାତର ସ୍ବାର୍ଥ ସୁରକ୍ଷିତ ରଖିବାରେ ସଫଳ ହୋଇଛି, ତାହାର ଏକ ବଳିଷ୍ଠ ଉଦାହରଣ ହେଉଛି ଚାଉଳ, ଗହମ, ଦୁଗ୍‌ଧଜାତ ପଦାର୍ଥ, କୁକୁଡ଼ା ମାଂସ ଆଦି ଭଳି ଆମର ଅଗଣିତ କ୍ଷୁଦ୍ର ଚାଷୀମାନଙ୍କର ସ୍ବାର୍ଥ ସହିତ ଜଡ଼ିତ କୃଷିଜାତ ପଦାର୍ଥମାନଙ୍କୁ ଆମେରିକୀୟ ପ୍ରତିଯୋଗିତା ଠାରୁ ସଂପୂର୍ଣ୍ଣ ସୁରକ୍ଷିତ ରଖାଯିବା। ସ୍ମରଣଯୋଗ୍ୟ ଯେ ଭାରତୀୟ କୃଷିଜାତ ପଦାର୍ଥମାନଙ୍କର ବଜାରକୁ ଆମେରିକୀୟ ରପ୍ତାନିକାରୀମାନଙ୍କ ପାଇଁ ସଂପୂର୍ଣ୍ଣ ଉନ୍ମୁକ୍ତ କରିବା ପାଇଁ ଟ୍ରମ୍ପ ଆରମ୍ଭରୁ ଜିଦ୍ ଧରି ବସିଥିଲେ। ଭାରତ ତେଣୁ ଏବେ ଟ୍ରମ୍ପଙ୍କର ଏଇ ଦାବି ଆଗରେ ମୁଣ୍ଡ ନ ନୁଅଁାଇ ଏକ ବାଣିଜ୍ୟ ଚୁକ୍ତି ସଂପାଦନ କରିବା ହେଉଛି ନିଶ୍ଚିତ ରୂପେ ଏକ ପ୍ରଶଂସନୀୟ ବ୍ୟାବସାୟିକ ଚତୁରତାର ପ୍ରମାଣ।
ତେବେ ଟ୍ରମ୍ପଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭାରତ ଯେଉଁ ଅଳ୍ପ କେତେକ କୃଷିଜାତ ପଦାର୍ଥ ଆମଦାନି ପାଇଁ ଅନୁମତି ପ୍ରଦାନ କରିଛି, ତାହା ଦ୍ବାରା ପ୍ରଭାବିତ ହେବାକୁ ଯାଉଥିବା ଭାରତୀୟ ଉତ୍ପାଦନକାରୀଙ୍କ ସଂଖ୍ୟା ବିଶାଳ ହୋଇ ନ ଥାଏ। ଏଇ ତାଲିକାରେ ଅନ୍ତର୍ଭୁକ୍ତ ଥିବା ପଦାର୍ଥମାନ ହେଲେ କେତେକ ଫଳ, ବାଦାମ ଓ ପିସ୍ତା ବାଦାମ ଭଳି କେତେକ ଶୁଷ୍କ ମଞ୍ଜିଜାତୀୟ ଫଳ, ବ୍ଲୁବେରି ଓ କ୍ରାନ୍‌ବେରି ଭଳି କେତେକ କୋଳି, ପିଡ଼ିଆ, ସୋୟାବିନ୍ ତେଲ ଆଦି। ଭାରତୀୟ ଖାଉଟିମାନେ ଏହାଦ୍ବାରା ଉପକୃତ ହେବାକୁ ଯାଉଥିବା ବେଳେ ଆମେରିକାରୁ ଆମଦାନି ହେଉଥିବା ଶିଳ୍ପ ଉତ୍ପାଦନରେ ବ୍ୟବହୃତ ଉପାଦାନମାନଙ୍କ ଉପରେ ଆମଦାନି ଶୁଳ୍‌କ ହ୍ରାସ ଭାରତୀୟ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧିକୁ ନିଶ୍ଚିତ ରୂପେ ତ୍ବରାନ୍ବିତ କରିବ। କହିବା ବାହୁଲ୍ୟ, କପଡ଼ା ଓ ବସ୍ତ୍ରରୁ ମୂଲ୍ୟବାନ ପଥର ଓ ଅଳଙ୍କାର ପର୍ଯ୍ୟନ୍ତ ଭାରତୀୟ ରପ୍ତାନି ଦ୍ରବ୍ୟ ଉପରେ ଟାରିଫ୍ ହ୍ରାସ ବର୍ତ୍ତମାନ ଏଠାରେ ସେ କ୍ଷେତ୍ରମାନଙ୍କରେ ଉଲ୍ଲାସ ସୃଷ୍ଟି କରିବା ଦେଖାଯାଇଛି। ଭବିଷ୍ୟତରେ ଯଦି ଅସ୍ଥିରଚିତ୍ତ ଟ୍ରମ୍ପ ଏଥିରେ କୌଣସି ଅପ୍ରତ୍ୟାଶିତ ବିଘ୍ନ ନ ଘଟାନ୍ତି, ତେବେ ଆରିଷ୍ଟୋଟ୍‌ଲଙ୍କ ସୁଗୁଣ ମାର୍ଗର ଅନୁସରଣ ଭାରତ ପାଇଁ ଯେ ଶେଷରେ ପ୍ରଭୂତ ସୁଫଳ ପ୍ରଦାନ କରିବାକୁ ଯାଉଛି, ଏଥିରେ କୌଣସି ସନ୍ଦେହ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe