ଏବଂ ‘ଗିଗ୍‌’ ବ୍ୟବସ୍ଥାର ନିଦାରୁଣ ଦିଗଟି ହେଲା ଏହା ଯେ ସେହି ‘ଦାସତ୍ବ’ର ପ୍ରୋତ୍ସାହକ ଓ ପୃଷ୍ଠପୋଷକ ମଧ୍ୟ ହୁଅନ୍ତି ଆମ ଭଳି ସମସ୍ତ ଗ୍ରାହକ, ଯେଉଁମାନଙ୍କ ଅନ୍ୟମନସ୍କତା, ଖାମଖିଆଲି ଢଙ୍ଗ ଓ ଅହଂକାରରୁ ‘ଦଶ ମିନିଟର ଡେଲିଭରି’ ଭଳି ବ୍ୟବସାୟ ମଡେଲର ଜନ୍ମ! ଏଭଳି ସ୍ଥିତିରେ ମର୍ମଭେଦୀ ବିଷୟଟି ହେଲା ଆମ ଭଳି ଗ୍ରାହକଙ୍କ ଅମାନବିକ ଦାବି ପୂରଣ କରିବା ଲାଗି ପ୍ରାଣକୁ ବାଜିରେ ଲଗାଇ ଦଶ ମିନିଟ ମଧ୍ୟରେ ଆମ ଗୃହର ଦ୍ବାରଦେଶରେ ଉପସ୍ଥିତ ହେଉଥିବା ‘ଡେଲିଭରି ବଏ’ର କ୍ଳାନ୍ତ ଚେହେରାକୁ ମଧ୍ୟ ଆମେ ଭଲ ଭାବରେ ଦେଖି ନ ଥାଏଁ, ସାମାନ୍ୟ ବିଳମ୍ବ ହେଲେ ଅଭିଯୋଗ କରିବାର ଧମକ ମଧ୍ୟ ଦେଇଥାଏଁ; ଧନ୍ୟବାଦଟିଏ ଦେବା ତ ଦୂରର କଥା!

Advertisment

Editorial: ଯାତ୍ରୀଙ୍କ କଥା

ଗଲା ଡିସେମ୍ବର ୨୫ ଓ ୩୧ ତାରିଖ ଦିନ, ଅର୍ଥାତ୍‌ ଖ୍ରୀଷ୍ଟମାସ ଓ ନବ ବର୍ଷର ଅବ୍ୟବହିତ ପୂର୍ବରୁ, ଉନ୍ମାଦନାଭରା ଆମ ଦେଶରେ ଲକ୍ଷ ଲକ୍ଷ ସାଧାରଣ ଲୋକ ଯେଉଁ ଅପ୍ରୀତିକର ରସ-ଭଙ୍ଗର ସମ୍ମୁଖୀନ ହେଲେ, ତାହା ଘଟିଲା ‘ଡେଲିଭରି ବଏ’ମାନଙ୍କ ଦ୍ବାରା ହୋଇଥିବା ଦେଶବ୍ୟାପୀ ହରତାଳ ଓ କାର୍ଯ୍ୟ ବନ୍ଦ ହେତୁ। କହିବା ବାହୁଲ୍ୟ, ସ୍ବିଗି, ଜମାଟୋ, ବ୍ଲିନ୍‌କିଟ୍ ଭଳି କେତେକ ଅନଲାଇନ ଡେଲିଭରି କଂପାନି ଏହା ଦ୍ବାରା ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି; କାରଣ ଉପରୋକ୍ତ ଦୁଇ ଦିନରେ ସେମାନଙ୍କ କାରବାର ଆକାଶ ଛୁଆଁ ହୋଇଥାଏ। ପ୍ରକାଶ ଥାଉ କି ବିଭିନ୍ନ କାର୍ଯ୍ୟ ସକାଶେ ଗ୍ରାହକମାନଙ୍କ ଲୋଡ଼ିବା ଉପରେ ଭିତ୍ତିକରି ‘ଅନଲାଇନ’ ମାଧ୍ୟମରେ ନିଯୁକ୍ତ ବ୍ୟକ୍ତିମାନେ ଯେଉଁ କାରବାର ସୃଷ୍ଟି କରିଛନ୍ତି, ତାହା ‘ଗିଗ୍‌ ଅର୍ଥନୀତି’ (ଇଂରେଜୀ ଶବ୍ଦ ‘ଗିଗ୍‌’ର ଅର୍ଥ କୌଣସି ମୁକ୍ତ ବୃତ୍ତ ବ୍ୟକ୍ତିଙ୍କ ଅସ୍ଥାୟୀ ଓ ସୀମିତକାଳୀନ ନିଯୁକ୍ତି) ଭାବେ ପରିଚିତ, ଯାହା ୨୦୩୦ ମସିହା ସୁଦ୍ଧା ଭାରତର ଜି.ଡି.ପି.ର ୧.୨୫% ହେବାର ସମ୍ଭାବନା ଅଛି ଏବଂ ‘ଗିଗ୍‌ କର୍ମବଳ’ର ଏକ ଅଂଶ ‘ଡେଲିଭରି ବଏ’ମାନଙ୍କ ସଂଖ୍ୟା ହେଉଛି ପ୍ରାୟ ୭୭ ଲକ୍ଷ। ଉଲ୍ଲେଖଯୋଗ୍ୟ ଯେ ଯେତେବେଳେ ‘ଗିଗ୍‌’ କାର୍ଯ୍ୟର ବିପୁଳ ସମ୍ଭାବନା ବିଷୟ ଠଉରାଇ ପାରି ବିଭିନ୍ନ ବ୍ୟାବସାୟିକ ମଡେଲମାନ ଉଦ୍ଭାବନ କରାଗଲା, ସେତିକି ବେଳେ ଆଶାର ଏକ ସୂର୍ଯ୍ୟୋଦୟ ହୋଇଥିଲା ଯେ ମାଲିକର ଦାସତ୍ବ ସ୍ବୀକାର ନ କରି ଆପଣା ପସନ୍ଦ ଅନୁସାରେ କାର୍ଯ୍ୟ କରିବାର ସ୍ବାଧୀନତା ସହିତ ଅର୍ଥ ଉପାର୍ଜନର ମାର୍ଗ ଉନ୍ମୁକ୍ତ ହେବାକୁ ଯାଉଛି। କିନ୍ତୁ ତାହା ଇତିମଧ୍ୟରେ ଧୂଳିସାତ୍‌ ହୋଇ ସାରିଛି। ଏଭଳି ସ୍ଥିତିରେ ଭାରତୀୟ ‘ଗିଗ୍‌ କର୍ମୀ’ମାନଙ୍କ ପ୍ରତିବାଦ ଆନ୍ଦୋଳନ ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ। 

Editorial: ପର୍ଯ୍ୟଟକର ଦୃଷ୍ଟି

ଏହି ‘ଗିଗ୍‌ କର୍ମୀ’ମାନେ ଯେଉଁ ଦାବିଗୁଡ଼ିକ ନେଇ ଧର୍ମଘଟ କରିଛନ୍ତି, ସେଗୁଡ଼ିକ ହେଲେ ଅଧିକ ପାରିଶ୍ରମିକ, ଭବିଷ୍ୟତ୍‌ ସୁରକ୍ଷା ଏବଂ ଦୁର୍ଘଟଣା ଇତ୍ୟାଦିକୁ ଘେନି ବୀମା ଓ ଅନ୍ୟାନ୍ୟ ବ୍ୟବସ୍ଥା, କାର୍ଯ୍ୟାନୁଷ୍ଠାନ ବେଳେ ଆପଣା ପକ୍ଷ ରଖିବାର ସୁଯୋଗ ଏବଂ ‘ଦଶ ମିନିଟ୍‌ରେ ଡେଲିଭରି’ ଭଳି ବ୍ୟବସାୟ ମଡେଲରେ ପରିବର୍ତ୍ତନ। ବର୍ତ୍ତମାନ ଏହା ସୁବିଦିତ ଯେ ଏଥିରେ ସଂପୃକ୍ତ ଟେକ୍‌ କଂପାନିଗୁଡ଼ିକ ଦ୍ବାରା ନିର୍ଦ୍ଧାରିତ ପାରିଶ୍ରମିକ ନିତାନ୍ତ ସ୍ବଳ୍ପ; ଯେଉଁ ଅର୍ଥ ରାଶି ‘ଡେଲିଭରି ବଏ’ମାନେ ବ୍ୟବହାର କରୁଥିବା ସେମାନଙ୍କ ଯାନର ରକ୍ଷଣାବେକ୍ଷଣ ଏବଂ ଇନ୍ଧନ ବାବଦ ଖର୍ଚ୍ଚ ପରେ ସାମାନ୍ୟ କିଛି ହୁଏତ ବଳି ପଡ଼େ, ଯେଉଁଥି ଲାଗି ସେମାନେ ଅଧିକରୁ ଅଧିକ ‘ପାର୍ସଲ ଆଇଟମ’ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବାରେ ବ୍ୟାପୃତ ରହି ଦୈନିକ ୧୧ରୁ ୧୨ ଘଣ୍ଟା ଗଳଦ୍‌ଘର୍ମ ପରିଶ୍ରମ କରନ୍ତି। ପୁଣି ‘ବ୍ଲିନ୍‌କିଟ୍‌’ ବା ‘ଇନ୍‌ଷ୍ଟାମାର୍ଟ’ ମାଧ୍ୟମରେ ମାତ୍ର ‘ଦଶ ମିନିଟ’ ଭିତରେ ଗ୍ରାହକମାନଙ୍କ ନିକଟରେ ଏକାଧିକ ଦ୍ରବ୍ୟ ପହଞ୍ଚାଇବାର ଦାୟ ହେତୁ ‘ଡେଲିଭରି ବଏ’ମାନେ ଅନ୍ଧ ବେଗରେ ଦୂରତା ଅତିକ୍ରମ କରନ୍ତି, ଅନେକ ସମୟରେ ଦୁର୍ଘଟଣାର ଶିକାର ହୁଅନ୍ତି ଏବଂ ଏଭଳି ତର ପାଉ ନ ଥିବା କାର୍ଯ୍ୟର ଚାପ ସେମାନଙ୍କୁ ଅସୁସ୍ଥ ମଧ୍ୟ କରି ପକାଏ। ଗୋଟିଏ ଦୃଶ୍ୟ ଦେଖନ୍ତୁ। ଅର୍ଡର ଆସିବା ମାତ୍ରକେ ସତେ ଯେମିତି ଏକ ଷ୍ଟପ୍‌ ୱାଚ୍‌ର ସେକଣ୍ଡ କଣ୍ଟା ଚାଲିବା ଆରମ୍ଭ କରେ ଓ ତା ସହିତ କର୍ମ ଦକ୍ଷତାର ସ୍ତର ନିର୍ଣ୍ଣୟ ପ୍ରକ୍ରିୟା ଆରମ୍ଭ ହୋଇଯାଏ। ଅନେକ ‘ଡେଲିଭରି ବଏ’ଙ୍କ ଅଭିଯୋଗ ଯେ ଗ୍ରାହକ ଚାହିଥିବା ଜିନିଷଟିଏ ଯଦି ଦୈବାତ୍‌ ଠିକଣା ଥାକରେ ନ ଥାଏ, ତେବେ ତାକୁ ଠାବ କରି ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବା ହେଉଛି ସମୟ ସହିତ ପ୍ରତିଦ୍ବନ୍ଦ୍ବିତା, ଯହିଁରେ ସଡ଼କର ଭିଡ଼ ଓ ନିଘଞ୍ଚ ଟ୍ରାଫିକ ଜାମ୍‌ ଦାଉ ସାଧନ୍ତି, ଅଥଚ ବିଳମ୍ବ ହୋଇଗଲେ ଦଣ୍ଡ ସ୍ବରୂପ ‘ଡେଲିଭରି ବଏ’ଙ୍କ ‘ଆଇ.ଡି.’କୁ ସାମୟିକ ଭାବେ ବ୍ଲକ୍‌ କରି ଦିଆଯାଇଥାଏ ଓ ତାଙ୍କୁ କର୍ମ ଓ ଉପାର୍ଜନଶୂନ୍ୟ କରି ଦିଆଯାଏ। ଏଥିରେ ବିଡ଼ମ୍ବନାଟି ହେଲା, ଏଭଳି ସ୍ଥଳେ ବିଳମ୍ବର କାରଣ ଜଣାଇ ନିଯୁକ୍ତିଦାତାଙ୍କ ନିକଟରେ ଆପଣା ପକ୍ଷ ରଖିବାର କୌଣସି ସୁଯୋଗ ହିଁ ‘ଗିଗ୍‌’ ବ୍ୟବସ୍ଥାରେ ନ ଥାଏ। କହିବା ଅନାବଶ୍ୟକ ଯେ ‘ଗିଗ୍‌’ କଂପାନିଗୁଡ଼ିକ ବିପୁଳ ଅର୍ଥ ଉପାର୍ଜନ କରିବାରେ ଲାଗିଛନ୍ତି, ଯେମିତି ୨୦୨୫, ମାର୍ଚ୍ଚ ମାସ ବା ଆର୍ଥିକ ବର୍ଷ ପ୍ରାରମ୍ଭରେ ପ୍ରକାଶିତ ସୂଚନା ଅନୁସାରେ ‘ଜମାଟୋ’ର ବାର୍ଷିକ କାରବାରର ପରିମାଣ ଥିଲା ୨୦,୨୪୩ କୋଟି ଟଙ୍କା। ଅଥଚ ଦାରୁଣ ଅସଂଗତି ହେଉଛି ଏଭଳି ବ୍ୟବସାୟର ମୂଳ ସୂତ୍ରଧରମାନେ ହିଁ ଦୟନୀୟ ଶୋଷଣର ଶିକାର। ସେହି ଦୃଷ୍ଟିରୁ ଏହି ଧର୍ମଘଟ ଯେ ନ୍ୟାୟସଂଗତ, ତହିଁରେ ଦ୍ବିରୁକ୍ତି ନାହିଁ। ପୁଣି ଆଶ୍ବାସନାର ବିଷୟ ହେଲା ଦେଶବ୍ୟାପୀ ‘ଗିଗ୍‌’ କର୍ମୀମାନଙ୍କୁ ଏକତ୍ର କରାଇ ପାରୁଥିବା ଭଳି ଜଣେ ନେତା ଓ ସଂଗଠକଙ୍କ ଆବିର୍ଭାବ ଶେଖ ସଲାଉଦ୍ଦିନଙ୍କ ରୂପରେ ଘଟିଛି। ଖ୍ରୀଷ୍ଟମାସର ହରତାଳ ପରେ କେତେକ କଂପାନି ‘ଡେଲିଭରି ବଏ’ମାନଙ୍କ ଲାଗି ପ୍ରୋତ୍ସାହନମୂଳକ ଘୋଷଣାମାନ କରିଛନ୍ତି, ଯାହାର ଅର୍ଥ ପ୍ରତିବାଦର ସ୍ବର କର୍ଣ୍ଣ କୁହରରେ ପ୍ରବେଶ କରିଛି, ଈଶ୍ବର ପରିତ୍ୟକ୍ତ ସ୍ଥିତିରୁ ମୁକ୍ତିର ମାର୍ଗ ହୁଏତ ଫିଟିବାକୁ ଯାଉଛି। ଇତିମଧ୍ୟରେ ରାଜସ୍ଥାନ ଓ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ‘ଗିଗ୍’ କର୍ମୀଙ୍କ ସର୍ବନିମ୍ନ ସ୍ବାର୍ଥ ରକ୍ଷା ଲାଗି କେତେକ ଆଇନଗତ ପ୍ରାବଧାନ ଆଣିବାର ଉଦ୍ୟମ କଲେଣି, ଯାହା ସ୍ବାଗତଯୋଗ୍ୟ ଓ ଦେଶର ସର୍ବତ୍ର ପରିଦୃଷ୍ଟ ହେବା ଜରୁରି। 
‘ଗିଗ୍’ କାରବାରର ପ୍ରାରମ୍ଭ କାଳରେ ଧାରଣାଟିଏ ଜନ୍ମି ଥିଲା ଯେ ‘ମାଲିକ-କର୍ମଚାରୀ’ଭିତ୍ତିକ ପାରଂପରିକ କାର୍ଯ୍ୟ ବ୍ୟବସ୍ଥାକୁ ଚ୍ୟାଲେଂଜ କରିଥିବା ‘ଗିଗ୍‌’ ବ୍ୟବସ୍ଥାରେ କର୍ମଚାରୀ ହେବ ସ୍ବାଧୀନ, ଅର୍ଥାତ୍‌ ନିଜର ଓ ନିଜ ମର୍ଜିର ମାଲିକ; ଆପଣା ପସନ୍ଦ ଓ ସୁବିଧା ଅନୁସାରେ ଓ ବିନା ବାଧ୍ୟବାଧକତାରେ ସେ କାର୍ଯ୍ୟ କରିବ ଓ ଆୟ କରିବ। ଦିନର ଅବଶିଷ୍ଟ ସମୟ କାର୍ଯ୍ୟ ଓ ଦାୟିତ୍ବର ଚାପରୁ ମୁକ୍ତ ରହିବ। କିନ୍ତୁ ଅବଲୀଳା କ୍ରମେ ଦେଖିବାକୁ ମିଳିଛି ଯେ ‘ଗିଗ୍’ କର୍ମୀମାନେ ଆ‌େଦୗ ସ୍ବାଧୀନ ନୁହନ୍ତି; ନିଜ ପସନ୍ଦ ଅନୁସାରେ ନୁହେଁ, ବରଂ ଏକ ଯନ୍ତ୍ର ପରିଚାଳିତ ‘ଆଲ୍‌ଗରିଦମ’ ଅନୁସାରେ ସେମାନେ କାର୍ଯ୍ୟ ପାଆନ୍ତି; ଗ୍ରାହକମାନଙ୍କ ଠାରୁ ସେମାନଙ୍କୁ ମିଳୁଥିବା ‘ରେଟିଂ’ ସେମାନଙ୍କ ଲାଗି କାର୍ଯ୍ୟର ପରିମାଣ ସ୍ଥିର କରେ; ସେମାନଙ୍କ ଆପତ୍ତି ଶୁଣିବା ଲାଗି କେହି ନ ଥାଆନ୍ତି; ଏବଂ ଯେଉଁ ପାରିଶ୍ରମିକ ମିଳେ ତାହା କୌଣସି ଦୃଷ୍ଟିରୁ ଶ୍ରମକୁ ସାର୍ଥକ କରି ନ ଥାଏ। ଏହାର ଅର୍ଥ ଦାସତ୍ବ ବଳବତ୍ତର ରହେ, କିନ୍ତୁ ମାଲିକଟି କୌଣସି ମନୁଷ୍ୟ ନ ହୋଇ ନିଷ୍କରୁଣ, ନିର୍ଲିପ୍ତ ଓ ପ୍ରାଣହୀନ ଯନ୍ତ୍ରଟିଏ ହୋଇଥାଏ। ଆମେରିକୀୟ ସାମ୍ବାଦିକା ସାରା କେସଲର ୨୦୧୮ ମସିହାରେ ଲେଖିଥିବା ଏକ ବହୁ ଚର୍ଚ୍ଚିତ ଓ ପଠିତ ପୁସ୍ତକର ନାମ ଥିଲା: ‘ଗିଗ୍‌ଡ: ଦ ଏଣ୍ଡ ଅଫ୍ ଦ ଜବ୍‌ ଏଣ୍ଡ ଦ ଫ୍ୟୁଚର ଅଫ୍ ୱାର୍କ’। ୨୦୧୧ ମସିହାରୁ ‘ଗିଗ୍‌’ କାରବାରର ବିଚକ୍ଷଣ ଉଦ୍ଭାବକମାନଙ୍କ ସହିତ ଆଲୋଚନା ଓ ବିଭିନ୍ନ ବ୍ୟବସାୟ ମଡେଲ ସଂପର୍କରେ ଜ୍ଞାନ ଲାଭ ପରେ ସେ ଏହି ପୁସ୍ତକଟି ଲେଖିଥିଲେ। ତହିଁରେ ‘ଉବର’ (ଅନଲାଇନରେ ଭଡ଼ା ଗାଡ଼ି ଯୋଗାଉଥିବା କଂପାନି)ର ଅତୁଳନୀୟ ସଫଳତାର ଗୂଢ଼ କାରଣମାନ ସ୍ଥାନ ପାଇଥିଲା। କିନ୍ତୁ ସେହି ପୁସ୍ତକରେ ସାରା କେସଲର ‘ଗିଗ୍’ କର୍ମୀମାନଙ୍କୁ ସପ୍ତମ ଦଶକର ଆମେରିକୀୟ ‘କେଲୀ ଗର୍ଲ’ମାନଙ୍କ ସହ ତୁଳନା କରିଥିଲେ, ଯେଉଁମାନେ ସେ ସମୟରେ ଅତ୍ୟନ୍ତ ଅସୁରକ୍ଷିତ ଭବିଷ୍ୟତ୍‌ ଓ ପ୍ରତିକୂଳ ପରିବେଶରେ ଅତ୍ୟନ୍ତ ସ୍ବଳ୍ପ ପାରିଶ୍ରମିକରେ ଅହୋରାତ୍ର ପରିଶ୍ରମ କରୁଥିଲେ। 
‘ଗିଗ୍‌’ କଂପାନିଗୁଡ଼ିକ ସେମାନଙ୍କ ଦ୍ବାରା ନିୟୋଜିତ କର୍ମଚାରୀମାନଙ୍କୁ ‘ଇଣ୍ଡିପେଣ୍ଡେଣ୍ଟ କଣ୍ଟ୍ରାକ୍‌ଟର’ ବୋଲି ଅଭିହିତ କରିଥାଆନ୍ତି, ଅର୍ଥାତ୍‌ ଚୁକ୍ତିରେ ଆବଦ୍ଧ ଅଥଚ ସ୍ବାଧୀନ। କିନ୍ତୁ ସେମାନଙ୍କ ବ୍ୟବସାୟ ମଡେଲ କର୍ମଚାରୀମାନଙ୍କୁ କେବଳ ‘ଦାସତ୍ବ’ ହିଁ ଦେଇଥାଏ। ଏବଂ ‘ଗିଗ୍‌’ ବ୍ୟବସ୍ଥାର ନିଦାରୁଣ ଦିଗଟି ହେଲା ଏହା ଯେ ସେହି ‘ଦାସତ୍ବ’ର ପ୍ରୋତ୍ସାହକ ଓ ପୃଷ୍ଠପୋଷକ ମଧ୍ୟ ହୁଅନ୍ତି ଆମ ଭଳି ସମସ୍ତ ଗ୍ରାହକ, ଯେଉଁମାନଙ୍କ ଅନ୍ୟମନସ୍କତା, ଖାମଖିଆଲି ଢଙ୍ଗ ଓ ଅହଂକାରରୁ ‘ଦଶ ମିନିଟର ଡେଲିଭରି’ ଭଳି ବ୍ୟବସାୟ ମଡେଲର ଜନ୍ମ! ଏଭଳି ସ୍ଥିତିରେ ମର୍ମଭେଦୀ ବିଷୟଟି ହେଲା ଆମ ଭଳି ଗ୍ରାହକଙ୍କ ଅମାନବିକ ଦାବି ପୂରଣ କରିବା ଲାଗି ପ୍ରାଣକୁ ବାଜିରେ ଲଗାଇ ଦଶ ମିନିଟ ମଧ୍ୟରେ ଆମ ଗୃହର ଦ୍ବାରଦେଶରେ ଉପସ୍ଥିତ ହେଉଥିବା ‘ଡେଲିଭରି ବଏ’ର କ୍ଳାନ୍ତ ଚେହେରାକୁ ମଧ୍ୟ ଆମେ ଭଲ ଭାବରେ ଦେଖି ନ ଥାଏଁ, ସାମାନ୍ୟ ବିଳମ୍ବ ହେଲେ ଅଭିଯୋଗ କରିବାର ଧମକ ମଧ୍ୟ ଦେଇଥାଏଁ; ଧନ୍ୟବାଦଟିଏ ଦେବା ତ ଦୂରର କଥା!