କହିବା ଅନାବଶ୍ୟକ ଯେ ପୂର୍ବାପେକ୍ଷା କେଇ ଗୁଣ ଅଧିକ ବିଚରଣକ୍ଷମ ହୋଇପାରିଥିବା ମାନବ ଜାତି ଏବଂ ସେହି ବିଚରଣଶୀଳ ମଣିଷମାନଙ୍କ ଅନୁଭୂତିରେ ଭରପୂର ସାମାଜିକ ଗଣମାଧ୍ୟମ ହେତୁ ପୃଥିବୀର ସବୁ ଦେଶ ଏବେ ସମସ୍ତଙ୍କ ସାମନାରେ ଉନ୍ମୁକ୍ତ; ‘ପିକ୍‌ଚର ପୋଷ୍ଟକାର୍ଡ’ରେ ଦିଶୁଥିବା ଭଳି ନୈସର୍ଗିକ ସୌନ୍ଦର୍ଯ୍ୟର ଅନେକ ଉଜ୍ଜ୍ବଳ ଉଦାହରଣ କ୍ରମେ ନିଷ୍ପ୍ରଭ ହେଲେଣି; ସମୃଦ୍ଧ ଆମେରିକାର ଆଖି ଝଲସା ସହରରେ ବାସ କରୁଥିବା ଉତ୍କଟ ଦାରିଦ୍ର୍ୟ ବା ‘ଗଟର୍‌’ରୁ ନିର୍ଗତ ହେଉଥିବା ଦୁର୍ଗନ୍ଧ ଏବେ ଆଉ ଲୁଚା କଥା ହୋଇ ରହିନାହିଁ।

Advertisment

New Year: ନୂଆବର୍ଷରେ ଖାଇଗଲେ କୋଟିଏ ଟଙ୍କାର ଅମିଷ

୨୦୨୫ ମସିହା ବିଦାୟ ନେଇ ଗଲା ବେଳକୁ, ଶୀତ ସଂଧ୍ୟାର ଏକ ଉଷ୍ମ ଆଲୋଚନା କ୍ରମରେ ଭାରତର ଭାବମୂର୍ତ୍ତି ପ୍ରସଙ୍ଗ ହଠାତ୍‌ କେନ୍ଦ୍ରବିନ୍ଦୁରେ ଉପସ୍ଥିତ ହୋଇଗଲା, କାରଣ ଆଲୋଚ୍ୟ ପ୍ରଶ୍ନଟି ଥିଲା ଭାରତକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନରେ ସଂକୋଚନ ପରିଦୃଷ୍ଟ ହେଉଛି କାହିଁକି? ପ୍ରକାଶ ଥାଉ କି କୋଭିଡ୍ ପାନ୍‌ଡେମିକ କାରଣରୁ ସମଗ୍ର ପୃଥିବୀ ‘ତାଲାବନ୍ଦୀ’ ଓ ‘ଏକାନ୍ତବାସ’ ଭଳି ପ୍ରତିଷେଧାତ୍ମକ ପଥରେ ଚାଲିବାରୁ ସମସ୍ତ ପର୍ଯ୍ୟଟନ ସ୍ଥଳ ପରିବ୍ରାଜକ-ଶୂନ୍ୟ ହୋଇ ଉଠିଥିଲେ, ଯେଉଁ କ୍ରମରେ ୨୦୨୦-୨୧ ମସିହାରେ ଭାରତରେ ପାଦ ଦେଇଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ପ୍ରାୟ ୭୪% ହ୍ରାସ ଘଟିଥିଲା। ଅଥଚ ତା’ ପୂର୍ବ ବର୍ଷ ଅର୍ଥାତ୍‌ ୨୦୧୯ ମସିହା ଅତ୍ୟନ୍ତ ପର୍ଯ୍ୟଟନ ଅନୁକୂଳ ସାବ୍ୟସ୍ତ ହୋଇ ସାରା ପୃଥିବୀକୁ ପରିବ୍ରାଜକଙ୍କ କଳରବରେ ମୁଖର କରି ଦେଇଥିଲା। ସେହି ଦୃଷ୍ଟିରୁ ୨୦୧୯ ମସିହାର ପର୍ଯ୍ୟଟକଙ୍କ ସଂଖ୍ୟାକୁ ଏକ ‘ବେଂଚ୍ ମାର୍କ’ ରୂପେ ଗ୍ରହଣ କରାଯାଇ କୋଭିଡ୍‌ ପରବର୍ତ୍ତୀକାଳୀନ ପର୍ଯ୍ୟଟନ ସ୍ଥିତିକୁ ବିଶ୍ଳେଷଣ କରାଯାଇପାରେ। କହିବା ଅନାବଶ୍ୟକ ଯେ କୋଭିଡ୍ କଟକଣା ଦୂର ହେବା ପରେ ପୃଥିବୀବାସୀ ଏଭଳି ଆକ୍ରୋଶର ସହିତ ଚତୁର୍ଦ୍ଦିଗ ଖେଦି ଯିବା ଆରମ୍ଭ କରିଦେଇଥିଲେ ଯେ ତାହାର ପାଞ୍ଚ ବର୍ଷ ନ ପୂରୁଣୁ ଅର୍ଥାତ୍‌ ୨୦୨୪-୨୫ ମସିହା ବେଳକୁ ଅନେକ ଦେଶରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୨୦୧୯ର ରେକର୍ଡକୁ ପଛରେ ପକାଇ ସାରିଛି। ଅଥଚ, ଭାରତରେ ଏଭଳି ସ୍ଥିତି ଦୃଷ୍ଟିଗୋଚର ହୋଇନାହିଁ, ଅର୍ଥାତ୍‌ ୨୦୧୯ ମସିହାରେ ପ୍ରାୟ ଦେଢ଼ କୋଟି ବିଦେଶୀ ପର୍ଯ୍ୟଟକଙ୍କ ଭାରତ ଆଗମନ ସ୍ଥଳେ ୨୦୨୪-୨୫ ମସିହାରେ ସେହି ସଂଖ୍ୟା ୯୫ ଲକ୍ଷ ହୋଇଛି, ଏପରିକି ୨୦୨୨-୨୩ ମସିହାର ସଂଖ୍ୟା ଠାରୁ ମଧ୍ୟ ତାହା କମ୍। ଏହା ପଛରେ ଏକାଧିକ କାରଣ ରହିଛି, ଯାହାର ଆଲୋଚନା ଏଠାରେ ପ୍ରାସଙ୍ଗିକ।

SIR : ଏସଆଇଆର ଯୋଗୁଁ ୨୮ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧ

ଏହି ପରିପ୍ରେକ୍ଷୀରେ ସଂପ୍ରତି ଗୋଆକୁ ଏକ ‘କେସ୍‌ ଷ୍ଟଡି’ ଭାବେ ନିଆଯାଉଛି, କାରଣ, ଭାରତର ଅଧିକାଂଶ ପର୍ଯ୍ୟଟନ ସ୍ଥଳୀ ତୁଳନାରେ ଗୋଆରେ ପର୍ଯ୍ୟଟକ ସଂଖ୍ୟାରେ ହ୍ରାସ ଅଧିକ ତୀବ୍ର ହୋଇଛି। ଉଲ୍ଲେଖଯୋଗ୍ୟ ଯେ ପ୍ରତ୍ୟେକ ବର୍ଷର ଶେଷ ତିନି ମାସରେ ହିମ ଶୀତଳ ପାଶ୍ଚାତ୍ୟ ଦେଶଗୁଡ଼ିକରୁ ପର୍ଯ୍ୟଟକମାନେ ଆରାମପ୍ରଦ ଉଷ୍ଣତାର ସନ୍ଧାନରେ ଗୋଆ ପହଞ୍ଚନ୍ତି, ଯେଉଁଠିକାର ସମୁଦ୍ର, ଜଳବାୟୁ, ପ୍ରାକୃତିକ ପରିବେଶ ଓ ଅତିଥିପରାୟଣ ଅଧିବାସୀ ଚୁମ୍ବକୀୟ ଆକର୍ଷଣର କାରଣ ହୋଇଥାଆନ୍ତି। କିନ୍ତୁ ବିଡ଼ମ୍ବନାର କଥା, ଏହି କିଛି ବର୍ଷ ହେବ ସ୍ଥିତିରେ ତୀକ୍ଷ୍‌ଣ ପରିବର୍ତ୍ତନ ଘଟିଛି, ଯହିଁରେ ଗୋଆକୁ ବିଦେଶୀ ପର୍ଯ୍ୟଟକମାନଙ୍କ ଆଗମନରେ ୬୦%ରୁ ଅଧିକ ସ୍ଖଳନ ଘଟିଛି। ଏହା ପଛରେ ନିହିତ ଏକାଧିକ କାରଣ ମଧ୍ୟରେ ଅଛି ସାଇବର ଠକେଇ, ମାତ୍ରାତିରିକ୍ତ ହୋଟେଲ ଦର, ପର୍ଯ୍ୟଟକଙ୍କ ପ୍ରତି ଦୁର୍ବ୍ୟବବହାର, ଅପରିଚ୍ଛନ୍ନ ପରିବେଶ ଓ ଟାକ୍‌ସି ଚାଳକଙ୍କ ଦୌରାତ୍ମ୍ୟ। ଏହା ସୁବିଦିତ କିଭଳି ବିଭିନ୍ନ ଠକଗୋଷ୍ଠୀ ପ୍ରସିଦ୍ଧ ପାଞ୍ଚ ବା ସାତ ତାରକା ହୋଟେଲର ନକଲି ୱେବ୍‌ସାଇଟ୍ ଅତ୍ୟନ୍ତ ଆକର୍ଷଣୀୟ ଢଙ୍ଗରେ ତିଆରି କରି ବିଦେଶୀ ପର୍ଯ୍ୟଟକମାନଙ୍କୁ ପ୍ରବଞ୍ଚନାର ଶିକାର କରାନ୍ତି; ଯାହା ଫଳରେ ମୋଟା ଅର୍ଥରାଶିର ଅଗ୍ରୀମ ପ୍ରଦାନ କରି ଆଗତୁରା ହୋଟେଲ ବୁକ୍‌ କରିଥିବା ପର୍ଯ୍ୟଟକମାନେ ଗୋଆରେ ପହଞ୍ଚି ଆବିଷ୍କାର କରନ୍ତି ଯେ ସେମାନେ ଠକେଇରେ ପଡ଼ିଛନ୍ତି ଏବଂ ଏକ ବାହାର ଦେଶରେ ସେମାନେ ନିରାଶ୍ରୟ। ସେହିଭଳି ଗୋଆରେ ଟାକ୍‌ସି ଚାଳକଙ୍କ ପ୍ରାଦୁର୍ଭାବ କିଭଳି ମାରାତ୍ମକ, ତା’ର ଧାରଣା କେବଳ ଏତିକିରୁ ମିଳିବ ଯେ ସେଠାରେ ସେମାନେ ‘ଉବର୍’ ବା ‘ଓଲା’ ଭଳି ଗ୍ରାହକ ଅନୁକୂଳ ଅନଲାଇନ ଟ୍ୟାକ୍‌ସି ସେବାକୁ ପ୍ରବେଶ କରାଇ ଦେଉ ନାହାନ୍ତି, ଯେଉଁ କାରଣରୁ ଅତି ଉଚ୍ଚ ଭଡ଼ା ଦେବାକୁ ବାଧ୍ୟ ହେବାରୁ ନେଇ ଦୁର୍ବ୍ୟବହାର ସହିବା ପର୍ଯ୍ୟନ୍ତ ଅନେକ ଅପ୍ରୀତିକର ଅଭିଜ୍ଞତାର ଅଧିକାରୀ ହୋଇ ପର୍ଯ୍ୟଟକମାନେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରନ୍ତି। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଏଭଳି ନକାରାତ୍ମକ ଅନୁଭୂତି ବିଭିନ୍ନ ସାମାଜିକ ଗଣମାଧ୍ୟମ ମଞ୍ଚରେ ପ୍ରସାରିତ ହୋଇ ଅନ୍ୟ ପର୍ଯ୍ୟଟକମ‌ାନଙ୍କୁ ଭାରତ ପର୍ଯ୍ୟଟନରୁ ନିରୁତ୍ସାହିତ କରୁଛି। ନିକଟରେ ଗୋଆର ଏକ ହୋଟେଲରେ ରାତ୍ରି ଭୋଜନର ଦରକୁ ନେଇ ଉଚ୍ଚବାଚ ହେବା ପରେ ହୋଟେଲ କର୍ମଚାରୀଙ୍କ ଆକ୍ରମଣରେ ଆନ୍ଧ୍ରପ୍ରଦେଶର ଜଣେ ପର୍ଯ୍ୟଟକ ନିହତ ହେଲେ। ସେମିତି ଏକ ନାଇଟ କ୍ଲବ୍‌ରେ ନିଆଁ ଲାଗି ୧୪ ଜଣଙ୍କ ପ୍ରାଣହାନି ଘଟିଲା। ଏଭଳି ଘଟଣାଗୁଡ଼ିକରେ ଯାହା ଦିଶିଥାଏ, ତାହା ହେଲା ବଜାରର ଅଶ୍ଳୀଳ ଲୋଭ, ପ୍ରଶାସନର ଦୁର୍ନୀତି ଓ ସରକାରଙ୍କ ସଂବେଦନଶୂନ୍ୟତା। ତେବେ, ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଊଣାଅଧିକେ ଏଭଳି ପରିସ୍ଥିତି ଦୃଷ୍ଟିଗୋଚର ହୋଇଥାଏ; ବିଶେଷ କରି ବିଦେଶୀ ମହିଳା ପର୍ଯ୍ୟଟକମାନେ ଅସଦାଚରଣର ଶିକାର ହୁଅନ୍ତି, କିନ୍ତୁ ଥାଇଲାଣ୍ଡ ବା ସେଭଳି କେତେକ ଦେଶ ଭଳି ସ୍ବତନ୍ତ୍ର ପୁଲିସ ବାହିନୀକୁ ଏଠାରେ ଦେଖିବାକୁ ମିଳି ନ ଥାଏ, ଯେଉଁମାନଙ୍କ ଉପସ୍ଥିତି ଯେ କୌଣସି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକମା‌ନଙ୍କୁ ଆଶ୍ବସ୍ତ କରନ୍ତା।


କୋଭିଡ୍ ପରେ ଭିଏତନାମ, ମାଲେସିଆ, ଇଣ୍ଡୋନେସିଆ ଓ ଶ୍ରୀଲଙ୍କା ଭଳି ଦେଶରେ, ୨୦୧୯ ମସିହାର ମାପଦଣ୍ଡ ତୁଳନାରେ ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି, ଯେମିତି କି ଭିଏତନାମ କୋଭିଡ୍ ଧକ୍କାକୁ ଅତିକ୍ରମ କରି ୨୦୨୪-୨୫ରେ ପ୍ରାୟ ୨ କୋଟିରୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କଲାଣି, ଯେଉଁ ସଂଖ୍ୟା ୨୦୧୯ରେ ଥିଲା ୧ କୋଟି ୮୦ ଲକ୍ଷ। ଅନେକ ସମୀକ୍ଷକଙ୍କ ଦୃଷ୍ଟିରେ ଏହି ଦେଶଗୁଡ଼ିକ ବିଦେଶୀ ପର୍ଯ୍ୟଟକମାନଙ୍କ ଲାଗି ଭାରତ ତୁଳନାରେ ଅଧିକ ଲୋଭନୀୟ ହେବା ପଛ‌େର ଏକ ବଡ଼ କାରଣ ହେଉଛି ଅପେକ୍ଷାକୃତ ଶସ୍ତା ମୂଲ୍ୟରେ ଉଚ୍ଚକୋଟୀର ପର୍ଯ୍ୟଟନ ଲାଗି ସୁଯୋଗ ଓ ସୁବ୍ୟବସ୍ଥା, ଯାହା ସାଧାରଣତଃ ଏସୀୟ ଦେଶକୁ ପସନ୍ଦ କରୁଥିବା ମିତବ୍ୟୟୀ ପର୍ଯ୍ୟଟକମାନଙ୍କୁ ସୁହାଇଥାଏ। ଏକ ତଥ୍ୟରୁ ଜଣାପଡ଼େ ଯେ ବହୁଦେଶୀୟ ହୋଟେଲ ଚେନ୍ ମାରିଅଟରେ ଗୋଟିଏ ଦିନର ରହଣି ଲାଗି ଗୋଆରେ ଭଡ଼ା ୧୫ ହଜାର ଟଙ୍କା ହୋଇଥିବା ବେଳେ ଥାଇଲାଣ୍ଡରେ ସେହି ହୋଟେଲର ସମ ସ୍ତରର ପ୍ରକୋଷ୍ଠର ମୂଲ୍ୟ ହେଉଛି ୯ ହଜାର ଟଙ୍କା। ସେ ସବୁ ଦେଶରେ ବେଳାଭୂମି, ପର୍ବତ ଓ ଐତିହାସିକ ସ୍ମାରକୀକୁ କେନ୍ଦ୍ର କରି ଗଢ଼ି ଉଠିଥିବା ପର୍ଯ୍ୟଟନ ସ୍ଥଳଗୁଡ଼ିକ ମଧ୍ୟ ଅତ୍ୟନ୍ତ ପରିଷ୍କାର ପରିଚ୍ଛନ୍ନ। ଭାରତରେ ସଂପ୍ରତି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ହ୍ରାସ ଘଟିଥିଲେ ହେଁ ସ୍ବଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ଘଟିଛି, ଯାହା ସାନ୍ତ୍ବନା ପ୍ରଦାୟକ ନିଶ୍ଚୟ। କିନ୍ତୁ ଅସଂଗତିଟି ହେଲା, ସ୍ବଦେଶୀ ପର୍ଯ୍ୟଟକମାନଙ୍କ ଦ୍ବାରା ସେସବୁ ଅଞ୍ଚଳ ବସ୍ତୁତଃ ଆବର୍ଜନା କୁଣ୍ଡରେ ପରିଣତ ହୋଇଥାଆନ୍ତି। ନିକଟରେ ଏକ ବହୁ ପ୍ରସାରିତ ଭିଡିଓରେ ଦେଖିବାକୁ ମିଳିଥିଲା କିଭଳି ସିକ୍କିମର ଏକ ପର୍ଯ୍ୟଟନ ସ୍ଥଳରେ କିଛି ବିଦେଶୀ ପର୍ଯ୍ୟଟକ ଆବର୍ଜନା ସଫା କରିବାରେ ବ୍ୟାପୃତ। ପ୍ରସଙ୍ଗ କ୍ରମେ ଉଲ୍ଲେଖ କରାଯାଇପାରେ ଯେ ଆବର୍ଜନା ସୃଷ୍ଟି କରିବାରେ ଭାରତୀୟମାନଙ୍କ ଅସରନ୍ତି ସାମର୍ଥ୍ୟ ହେତୁ ଅନେକ ପାଶ୍ଚାତ୍ୟ ଦେଶରେ ଭାରତୀୟ ପର୍ଯ୍ୟଟକମାନଙ୍କୁ ଅପ୍ରିୟ କରି ଦେଲାଣି। ଏଭଳି ସ୍ଥଳେ ଆଜରବୈଜାନ ଭଳି ଦେଶ ଯାହା ମାତ୍ର କିଛି ବର୍ଷ ପୂର୍ବେ ପର୍ଯ୍ୟଟନ ମାନଚିତ୍ରରେ ବିନ୍ଦୁଟିଏ ଭଳି ଦିଶୁଥିଲେ, ଏବେ ପ୍ରଭାବଳୟ ବିସ୍ତାର କରି ଦୃଷ୍ଟି ଆକର୍ଷଣ କଲେଣି। ସୁତରାଂ, ଭାରତ ସକାଶେ ଏ ସବୁ ଏକ ଅତିକାୟ ଆହ୍ବାନ ଭଳି ବିଦ୍ୟମାନ, ଯାହାର ସଫଳ ମୁକାବିଲା କରା ନ ଗଲେ ୨୦୪୭ ମସିହା ସୁଦ୍ଧା ଦଶ କୋଟି ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ସରକାରୀ ଯୋଜନା ଓ ସ୍ବପ୍ନ ସଫଳ ହେବନାହିଁ।


କହିବା ଅନାବଶ୍ୟକ ଯେ ପୂର୍ବାପେକ୍ଷା କେଇ ଗୁଣ ଅଧିକ ବିଚରଣକ୍ଷମ ହୋଇପାରିଥିବା ମାନବ ଜାତି ଏବଂ ସେହି ବିଚରଣଶୀଳ ମଣିଷମାନଙ୍କ ଅନୁଭୂତିରେ ଭରପୂର ସାମାଜିକ ଗଣମାଧ୍ୟମ ହେତୁ ପୃଥିବୀର ସବୁ ଦେଶ ଏବେ ସମସ୍ତଙ୍କ ସାମନାରେ ଉନ୍ମୁକ୍ତ; ‘ପିକ୍‌ଚର ପୋଷ୍ଟକାର୍ଡ’ରେ ଦିଶୁଥିବା ଭଳି ନୈସର୍ଗିକ ସୌନ୍ଦର୍ଯ୍ୟର ଅନେକ ଉଜ୍ଜ୍ବଳ ଉଦାହରଣ କ୍ରମେ ନିଷ୍ପ୍ରଭ ହେଲେଣି; ସମୃଦ୍ଧ ଆମେରିକାର ଆଖି ଝଲସା ସହରରେ ବାସ କରୁଥିବା ଉତ୍କଟ ଦାରିଦ୍ର୍ୟ ବା ‘ଗଟର୍‌’ରୁ ନିର୍ଗତ ହେଉଥିବା ଦୁର୍ଗନ୍ଧ ଏବେ ଆଉ ଲୁଚା କଥା ହୋଇ ରହିନାହିଁ। ଫ୍ରାନ୍‌ସର ପ୍ୟାରିସ ବା ଇଟାଲିର ମିଲାନ ନଗରୀରେ ପକେଟମାରଙ୍କ ଦୌରାତ୍ମ୍ୟ ନେଇ ପର୍ଯ୍ୟଟକମାନଙ୍କୁ ଗାଇଡ୍‌ମାନେ ସତର୍କ କରାଇ ଦେଉଛନ୍ତି। କିନ୍ତୁ ତା’ ସତ୍ତ୍ବେ ସେଠାକାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଆବେଦନ ସ୍ବତନ୍ତ୍ର ହୋଇ ରହିଛି। ତା’ର କାରଣ ଐତିହାସିକ ସ୍ମାରକୀ ହେଉ ବା କୌଣସି ପ୍ରାକୃତିକ ବିଭବ; ତାହାକୁ ଘେନି ସ୍ଥାନୀୟ ଚାଲିଚଳଣି, ସଂସ୍କୃତି, ଅସ୍ମିତାବୋଧ ଓ ଶ୍ରଦ୍ଧା ଅତ୍ୟନ୍ତ ପ୍ରଗାଢ଼। ଭାରତରେ ସ୍ଥାନୀୟ ଜନସାଧାରଣ ସେଭଳି ବୋଧ ଦର୍ଶାନ୍ତି ନାହିଁ, ଯେଉଁ କାରଣରୁ ଏଠାକାର ପର୍ଯ୍ୟଟନ ଆକର୍ଷଣଗୁଡ଼ିକ ଅସଂପୃକ୍ତ ଜନସାଧାରଣଙ୍କ ମଧ୍ୟରେ ପ୍ରାଣହୀନ ଦ୍ବୀପ ଭଳି ଛିଡ଼ା ହୋଇଥାଆନ୍ତି। ସେମାନଙ୍କ ଜୈବ-ଅସ୍ତିିତ୍ବ ଯଦି ସ୍ଥାନୀୟ ଅଧିବାସୀ ହୃଦୟଙ୍ଗମ କରନ୍ତେ, ତେବେ ହୁଏତ ଅପରିଚ୍ଛନ୍ନତା ବା ଅସଦାଚରଣ ବା ଶୋଷଣର ବିକଟ ଚେହେରା ଦୃଶ୍ୟମାନ ହୁଅନ୍ତା ନାହିଁ। ମନେ ରହିବା ଉଚିତ ଯେ ପର୍ଯ୍ୟଟକର ଦୃଷ୍ଟିରେ ହିଁ କୌଣସି ଦେଶ ବା ଅଞ୍ଚଳର ଭାବମୂର୍ତ୍ତି ଆକାର ପାଇଥାଏ।