ଟ୍ରମ୍ପ-ଟାରିଫ୍ ବୃଦ୍ଧି ଯୋଗୁଁ ଭାରତର ବୈଦେଶିକ ବାଣିଜ୍ୟ ଏ ପର୍ଯ୍ୟନ୍ତ ବିଶେଷ ବାଧାପ୍ରାପ୍ତ ହୋଇ ନାହିଁ। କିନ୍ତୁ ଆଗାମୀ ମାସମାନଙ୍କରେ ଏକ ଦ୍ରୁତ ପରିବର୍ତ୍ତନଶୀଳ ପରିସ୍ଥିତି କେଉଁ ମୋଡ଼ ନେବ, ତାହା କହିହେବ ନାହିଁ। ଦୀର୍ଘ କାଳ ଧରି କଥାବାର୍ତ୍ତା ଚାଲିଥିଲେ ହେଁ ଆମେରିକା ସହିତ ଆମର ଏକ ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତି ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରି ନାହିଁ। ଇଉରୋପିଆନ୍ ୟୁନିଅନ୍ ସହିତ ମଧ୍ୟ ଏକ ଅନୁରୂପ ଚୁକ୍ତି ସ୍ବାକ୍ଷରିତ ହେବାକୁ ଅପେକ୍ଷା କରାଯାଉଛି। ଏଇ ଦୁଇ ଉଦ୍ୟମର ଫଳାଫଳ ଆସନ୍ତା ବିତ୍ତ ବର୍ଷର ଭାରତୀୟ ଅର୍ଥନୀତିର ପ୍ରଦର୍ଶନକୁ ନିଶ୍ଚିତ ରୂପେ କିଛି ମାତ୍ରାରେ ପ୍ରଭାବିତ କରିବ।

Advertisment

AAP MP Raghav Chadha: ଡେଲିଭରି ବଏ ଭୂମିକା‌ରେ ସାଂସଦ ରାଘବ ଚଢ଼ା...

ଗତ ବୁଧବାର ଦିନ ‘ନେସନାଲ୍ ଷ୍ଟାଟିଷ୍ଟିକ୍‌ସ ଅଫିସ’ (‘ଏନ୍ଏସ୍ଓ’) ଦ୍ବାରା ପ୍ରକାଶିତ ‘ମୋଟ ଜାତୀୟ ଉତ୍ପାଦ’ (‘ଜିଡିପି’)ର ପ୍ରଥମ ଆଗୁଆ ଆକଳନ (ଫାଷ୍ଟ୍ ଆଡ୍‌ଭାନ୍‌ସ ଏଷ୍ଟିମେଟ୍‌ସ- ‘ଏଫ୍ଏଇ’)ରୁ ଉପଲବ୍‌ଧ ସୂଚନା ଯଦି କେଉଁ ଗୋଟିଏ କଥା ସାବ୍ୟସ୍ତ କରିଥାଏ, ତାହା ହେଲା ସାଂପ୍ରତିକ ପୃଥିବୀ ରୂପକ ବିକ୍ଷୁବ୍‌ଧ ସାଗରରେ ଭାରତୀୟ ଅର୍ଥନୀତି ପୋତ ଏ ପର୍ଯ୍ୟନ୍ତ କେବଳ ଯେ ବୁଡ଼ି ନ ଯାଇ ଭାସମାନ ରହିପାରିଛି, ତାହା ନୁହେଁ, ସେ ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ବୃହତ୍ ଅର୍ଥନୀତି ରୂପେ ନିଜର ନେତୃସ୍ଥାନ ବଜାୟ ରଖି ନିଜର ଗତିପଥରେ ମଧ୍ୟ ଅଗ୍ରସର ହୋଇଚାଲିଛି। ଏହା ଅନୁସାରେ ଆସନ୍ତା ୩୧ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ୨୦୨୫-୨୬ ବିତ୍ତ ବର୍ଷରେ ‘ଜିଡିପି’ର ଅର୍ଥାତ୍ ଭାରତୀୟ ଅର୍ଥନୀତିର ବାସ୍ତବ ଅଭିବୃଦ୍ଧି ହାର ହେବାକୁ ଯାଉଛି ୭.୪ ଶତାଂଶ। ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଚଳିତ ବିତ୍ତ ବର୍ଷ ପାଇଁ ବାସ୍ତବ ଅଭିବୃଦ୍ଧି ହାର ୭.୩ ଶତାଂଶ ହେବାକୁ ଯାଉଛି ବୋଲି ଯେଉଁ ପୂର୍ବାନୁମାନ କରିଥିଲା, ଏହା ତା’ ଠାରୁ ସାମାନ୍ୟ ଅଧିକ ହୋଇଛି।
ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ବିତ୍ତ ବର୍ଷର ପ୍ରଥମାର୍ଦ୍ଧରେ ଭାରତୀୟ ଅର୍ଥନୀତିର ବାସ୍ତବ ଅଭିବୃଦ୍ଧି ହାର ୮ ଶତାଂଶ ହୋଇ ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲା। ଏବେ ସମଗ୍ର ବିତ୍ତ ବର୍ଷ ପାଇଁ ଅଭିବୃଦ୍ଧି ହାର ୭.୪ ଶତାଂଶ ହେବାକୁ ଯାଉଛି ଅର୍ଥ ବିତ୍ତ ବର୍ଷର ଦ୍ବିତୀୟାର୍ଦ୍ଧରେ ଅଭିବୃଦ୍ଧି ଧିମେଇ ଯିବ ବୋଲି ଆଶଙ୍କା କରାଯାଉଛି। ବୋଧହୁଏ ସରକାରୀ ବ୍ୟୟରେ ହ୍ରାସ ଓ ଟ୍ରମ୍ପ-ଟାରିଫ୍‌ର ପ୍ରଭାବ ଯୋଗୁଁ ବିତ୍ତ ବର୍ଷର ଦ୍ବିତୀୟାର୍ଦ୍ଧରେ ଏପରି ଶିଥିଳତା ଦେଖା ଦେଇପାରେ ବୋଲି ଅନୁମାନ କରାଯାଉଛି। ତେବେ ମଧ୍ୟ ଯଦି ‘ଏନ୍ଏସ୍ଓ’ର ଆକଳନ ସତ୍ୟ ସାବ୍ୟସ୍ତ ହୋଇ ଚଳିତ ବିତ୍ତ ବର୍ଷରେ ଭାରତୀୟ ଅର୍ଥନୀତି ୭.୪ ଶତାଂଶ ହାରରେ ଅଭିବୃଦ୍ଧି ହାସଲ କରେ, ତାହା ଗତ ବର୍ଷ ତୁଳନାରେ ଏକ ବେଶ୍ ଅଧିକ ସନ୍ତୋଷଜନକ ଉପଲବ୍‌ଧି ରୂପେ ଆବିର୍ଭୂତ ହେବ, କାରଣ ଗତ ବିତ୍ତ ବର୍ଷରେ ଭାରତୀୟ ଅର୍ଥନୀତି ଏହାଠାରୁ କମ୍, ୬.୫ ଶତାଂଶ ହାରରେ ଅଭିବୃଦ୍ଧି ହାସଲ କରିପାରିଥିଲା।
ଭାରତୀୟ ଅର୍ଥନୀତିର ବାସ୍ତବ ଅଭିବୃଦ୍ଧି ହାର ଉଚ୍ଚା ହେବା କେବଳ ଦ୍ରୁତ ଅଭିବୃଦ୍ଧି ହାସଲ ହେବା ଯୋଗୁଁ ଘଟିନାହିଁ। ଏଥିପାଇଁ ଅନ୍ୟ ଯେଉଁ ଏକ ଶକ୍ତିର ଅବଦାନ ରହିଛି, ତାହା ହେଉଛି- ମୁଦ୍ରାସ୍ଫୀତି। ମୁଦ୍ରା ଆକାରରେ ଅର୍ଥନୀତିର ଯେଉଁ ଅଭିବୃଦ୍ଧି ହାର ଆକଳନ କରାଯାଇଥାଏ, ସେଇ ମୌଦ୍ରିକ (ନୋମିନାଲ୍) ଅଭିବୃଦ୍ଧି ହାରରୁ ମୁଦ୍ରାସ୍ଫୀତି ହାରକୁ ବାଦ୍ ଦେଲେ ବାସ୍ତବ ଅଭିବୃଦ୍ଧି ହାର ଜଣାପଡ଼ିଥାଏ। ଅତଏବ ଯଦି ମୁଦ୍ରାସ୍ଫୀତି ହାର ଉଚ୍ଚା ହୋଇଥାଏ, ତେବେ ବାସ୍ତବ ଅଭିବୃଦ୍ଧି ହାର ନୀଚା ହୁଏ ଏବଂ ମୁଦ୍ରାସ୍ଫୀତି ହାର ନୀଚା ହୋଇଥିଲେ ବାସ୍ତବ ଅଭିବୃଦ୍ଧି ହାର ଉଚ୍ଚା ହୁଏ। ଏହା ବର୍ତ୍ତମାନ ସୁବିଦିତ ଯେ ଭାରତ ମୁଦ୍ରାସ୍ଫୀତି ଦାନବକୁ ଏପରି ଦମନ କରିପାରିଛି ଯେ, ଖାଉଟି ମୁଦ୍ରାସ୍ଫୀତି ବର୍ତ୍ତମାନ ଶୂନ୍ୟ ପାଖାପାଖି ରହିଚାଲିଛି। ଏଣୁ ସ୍ବାଭାବିକ ଭାବରେ ଏଭଳି ନୀଚା ଖାଉଟି ମୁଦ୍ରାସ୍ଫୀତିର ପ୍ରଭାବରେ ଭାରତୀୟ ଅର୍ଥନୀତିର ବାସ୍ତବ ଅଭିବୃଦ୍ଧି ହାର ଉଚ୍ଚା ହୋଇଛି। ସମଗ୍ର ବିତ୍ତ ବର୍ଷ ପାଇଁ ‘ନୋମିନାଲ୍’ ଅଭିବୃଦ୍ଧି ହାର ଏକ ଅପେକ୍ଷାକୃତ ନୀଚା ୮ ଶତାଂଶ ହୋଇଥିଲେ ହେଁ ନୀଚା ମୁଦ୍ରାସ୍ଫୀତି ପ୍ରଭାବରେ ବାସ୍ତବ ଅଭିବୃଦ୍ଧି ହାର ଏପରି ଉଚ୍ଚା ହୋଇପାରିଛି।
ଆସନ୍ତା ମାସ ଆରମ୍ଭରେ କେନ୍ଦ୍ର ବଜେଟ୍ ଉପସ୍ଥାପିତ ହେବାକୁ ଯାଉଛି। ତାହାର ଅବ୍ୟବହିତ ପୂର୍ବରୁ ‘ଏଫ୍ଏଇ’ରେ ପ୍ରକାଶିତ ‘ନୋମିନାଲ୍’ ଅଭିବୃଦ୍ଧି ହାର ସଂପର୍କିତ ସୂଚନା ଅର୍ଥମନ୍ତ୍ରୀଙ୍କ ପାଇଁ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ। କାରଣ, ସରକାର ମୁଦ୍ରା ଆକାରରେ ହିଁ ସମ୍ବଳ ସଂଗ୍ରହ କରିଥାନ୍ତି, ବାସ୍ତବ ଦ୍ରବ୍ୟ ବା ସେବା ଆକାରରେ ନୁହେଁ। ତେଣୁ ମୌଦ୍ରିକ ଅଭିବୃଦ୍ଧି ହାର ଯଦି ନୀଚା ହୁଏ, ତେବେ ଟିକସ ସୂତ୍ରରୁ ସରକାରଙ୍କର ସମ୍ବଳ ସଂଗ୍ରହ ବାଧାପ୍ରାପ୍ତ ହୋଇଥାଏ। ସରକାରଙ୍କର ସମ୍ବଳ ସଂଗ୍ରହରେ ଯଦି ଆଶାନୁରୂପ ବୃଦ୍ଧି ନ ଘଟେ, ତେବେ ରାଜକୋଷୀୟ ନିଅଣ୍ଟକୁ ସୀମା ମଧ୍ୟରେ ରଖିବା ସରକାରଙ୍କ ପାଇଁ କାଠିକର ପାଠ ହୋଇପାରେ। କାରଣ ସରକାରଙ୍କୁ ସେପରି ସ୍ଥଳେ ନିଜର ବ୍ୟୟ ଭାର ବହନ କରିବା ପାଇଁ ଋଣ କରିବାକୁ ପଡ଼ିବ। ରାଜକୋଷୀୟ ନିଅଣ୍ଟକୁ ‘ଜିଡିପି’ର ନିର୍ଦ୍ଧାରିତ ୪.୪ ଶତାଂଶ ସୀମା ମଧ୍ୟରେ ରଖିବାକୁ ସରକାରଙ୍କୁ ନିଜର ଋଣକୁ ମଧ୍ୟ ସୀମା ମଧ୍ୟରେ ରଖିବାକୁ ହେବ। ଆସନ୍ତା ବିତ୍ତ ବର୍ଷ ଠାରୁ ସରକାର ଜିଡିପି-ଋଣ ମଧ୍ୟରେ ଅନୁପାତକୁ ବିତ୍ତୀୟ ସଂଯମର ସୂଚକ ରୂପେ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି; ତେଣୁ ମୌଦ୍ରିକ ଅଭିବୃଦ୍ଧି ହାର ମାନ୍ଦା ହେବା ସରକାରଙ୍କ ପାଇଁ ଚିନ୍ତାଜନକ ହୋଇପାରେ।

Road Problem: ୧୦ଲକ୍ଷର ପିଚୁ ରାସ୍ତା ୨ବର୍ଷ ମଧ୍ୟରେ ନଷ୍ଟ ,ପେଭର ବ୍ଲକ ଗାୟବ

ଚଳନ୍ତି ଦରଦାମ ଅନୁସାରେ (ଅର୍ଥାତ୍ ମୁଦ୍ରାସ୍ଫୀତିକୁ ବାଦ୍ ନ ଦେଇ) ଚଳିତ ବିତ୍ତ ବର୍ଷରେ ଭାରତୀୟ ଅର୍ଥନୀତିର ଆକାର ମୋଟ ୩୫୭.୧୪ ଲକ୍ଷ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଏହା ଚଳିତ ବିତ୍ତ ବର୍ଷ ପାଇଁ ବଜେଟ୍‌ରେ କରାଯାଇଥିବା ପୂର୍ବାନୁମାନ ଠାରୁ ସାମାନ୍ୟ ଅଧିକ। କିନ୍ତୁ ଏଥି ସତ୍ତ୍ବେ ଏହା ସରକାରଙ୍କର ସମ୍ବଳ ଆବଶ୍ୟକତା ପୂରଣ ନିମିତ୍ତ ଯଥେଷ୍ଟ ନ ହୋଇପାରେ। ତେବେ ଆସନ୍ତା ଚଉଠମାନଙ୍କରେ ମୁଦ୍ରାସ୍ଫୀତି ହାରରେ କ୍ରମେ ବୃଦ୍ଧି ଘଟିଚାଲିବ ବୋଲି ଅନୁମାନ କରାଯାଉଛି। ସେପରି ଘଟିଲେ ‘ନୋମିନାଲ୍’ ଅଭିବୃଦ୍ଧି ହାରରେ ମଧ୍ୟ ଏହାର ପ୍ରଭାବରେ ଉନ୍ନତି ଘଟିବ। ଇତିମଧ୍ୟରେ ଆସନ୍ତା ମାସ ଠାରୁ ‘ଏନ୍ଏସ୍ଓ’ ମଧ୍ୟ ଏକ ପରିବର୍ତ୍ତିତ ଭିତ୍ତି ବର୍ଷ ବା ‘ବେସ୍ ଇଅର୍’ ବ୍ୟବହାର କରି ଏକ ନୂତନ ‘ଜିଡିପି’ ଶୃଙ୍ଖଳା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି। ଏହା ବର୍ତ୍ତମାନର ଶୃଙ୍ଖଳା ସମ୍ବନ୍ଧରେ କେତେକ ଦ୍ବନ୍ଦ୍ବ ଦୂର କରିବ ବୋଲି ଆଶା କରାଯାଉଛି। ଖାଉଟି ମୁଦ୍ରାସ୍ଫୀତି ସୂଚକାଙ୍କ ପ୍ରସ୍ତୁତ କରିବା ପାଇଁ ପରିସଂଖ୍ୟାନ ବିଭାଗ ମଧ୍ୟ ଏକ ନୂତନ ଶୃଙ୍ଖଳା ଆରମ୍ଭ କରିବାକୁ ଯାଉଛି ବୋଲି ସୂଚନା ପ୍ରକାଶ ପାଇଛି। ତେଣୁ ଖୁବ୍ ଶୀଘ୍ର ଭାରତରେ ଉଭୟ ଅଭିବୃଦ୍ଧି ଓ ଦରଦାମ ବୃଦ୍ଧି ଆକଳନରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଘଟିବାକୁ ଯାଉଛି।
ଆଗାମୀ ସମୟରେ ସେବା କ୍ଷେତ୍ର (ସର୍ଭିସେସ୍ ସେକ୍ଟର୍) ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିର ନେତୃତ୍ବ ଗ୍ରହଣ କରିବାର ଦୃଢ଼ ସମ୍ଭାବନା ରହିଛି। ୨୦୨୪-୨୫ରେ ଏଇ କ୍ଷେତ୍ରରେ ଅଭିବୃଦ୍ଧି ହାର ୭.୨ ଶତାଂଶ ହୋଇଥିବା ବେଳେ, ୨୦୨୫-୨୬ରେ ତାହା ୯.୧କୁ ବୃଦ୍ଧି ପାଇଥିବାରୁ ଏଭଳି ଆଶା କରାଯାଉଛି। କିନ୍ତୁ ବାଣିଜ୍ୟ, ହୋଟେଲ, ପରିବହନ ଓ ଯୋଗାଯୋଗ, ଫାଇନାନ୍‌ସ, ରିଅଲ୍ ଇଷ୍ଟେଟ୍, ପେସାଦାର ସେବା ଓ ଲୋକ ପ୍ରଶାସନ ଆଦି ଅନ୍ୟ କ୍ଷେତ୍ରମାନଙ୍କରେ ମଧ୍ୟ ଉତ୍ତମ ଅଭିବୃଦ୍ଧି ଦେଖାଯିବ ବୋଲି ଆଶା କରାଯାଉଛି।
ଟ୍ରମ୍ପ-ଟାରିଫ୍ ବୃଦ୍ଧି ଯୋଗୁଁ ଭାରତର ବୈଦେଶିକ ବାଣିଜ୍ୟ ଏ ପର୍ଯ୍ୟନ୍ତ ବିଶେଷ ବାଧାପ୍ରାପ୍ତ ହୋଇନାହିଁ। କିନ୍ତୁ ଆଗାମୀ ମାସମାନଙ୍କରେ ଏକ ଦ୍ରୁତ ପରିବର୍ତ୍ତନଶୀଳ ପରିସ୍ଥିତି କେଉଁ ମୋଡ଼ ନେବ, ତାହା କହିହେବ ନାହିଁ। ଦୀର୍ଘ କାଳ ଧରି କଥାବାର୍ତ୍ତା ଚାଲିଥିଲେ ହେଁ ଆମେରିକା ସହିତ ଆମର ଏକ ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତି ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରି ନାହିଁ। ଇଉରୋପିଆନ୍ ୟୁନିଅନ୍ ସହିତ ମଧ୍ୟ ଏକ ଅନୁରୂପ ଚୁକ୍ତି ସ୍ବାକ୍ଷରିତ ହେବାକୁ ଅପେକ୍ଷା କରାଯାଉଛି। ଏଇ ଦୁଇ ଉଦ୍ୟମର ଫଳାଫଳ ଆସନ୍ତା ବିତ୍ତ ବର୍ଷର ଭାରତୀୟ ଅର୍ଥନୀତିର ପ୍ରଦର୍ଶନକୁ ନିଶ୍ଚିତ ରୂପେ କିଛି ମାତ୍ରାରେ ପ୍ରଭାବିତ କରିବ। କିନ୍ତୁ ଫଳାଫଳ ଯାହା ହେଲେ ବି ତାହା ଭାରତୀୟ ଅର୍ଥନୀତିର ଅଗ୍ରଗତିକୁ ଯେ ଅଟକାଇ ପାରିବ ନାହିଁ, ତାହା ବୁଧବାରର ସୂଚନାରୁ ସ୍ପଷ୍ଟ ହୋଇଥାଏ।