Advertisment

ଅନ୍ତିମ ନାଗରିକର ଆଶ୍ରୟ

Advertisment

୨୦୨୪ ମସିହାରେ ଅରୁଣାଚଳ ପ୍ରଦେଶର ପାର୍ବତ୍ୟାଞ୍ଚଳରେ ରହୁଥିବା ଜଣେ ମାତ୍ର ଭୋଟରଙ୍କ ସକାଶେ ନିର୍ବାଚନ କମିସନ ସେଠାରେ ଏକ ବୁଥ୍‌ ଖୋଲିବାର ବ୍ୟବସ୍ଥା ଦେଶ ଭିତରେ ଏବଂ ବାହାରେ....

୨୦୨୪ ମସିହାରେ ଅରୁଣାଚଳ ପ୍ରଦେଶର ପାର୍ବତ୍ୟାଞ୍ଚଳରେ ରହୁଥିବା ଜଣେ ମାତ୍ର ଭୋଟରଙ୍କ ସକାଶେ ନିର୍ବାଚନ କମିସନ ସେଠାରେ ଏକ ବୁଥ୍‌ ଖୋଲିବାର ବ୍ୟବସ୍ଥା ଦେଶ ଭିତରେ ଏବଂ ବାହାରେ....

samp1

୨୦୨୪ ମସିହାରେ ଅରୁଣାଚଳ ପ୍ରଦେଶର ପାର୍ବତ୍ୟାଞ୍ଚଳରେ ରହୁଥିବା ଜଣେ ମାତ୍ର ଭୋଟରଙ୍କ ସକାଶେ ନିର୍ବାଚନ କମିସନ ସେଠାରେ ଏକ ବୁଥ୍‌ ଖୋଲିବାର ବ୍ୟବସ୍ଥା ଦେଶ ଭିତରେ ଏବଂ ବାହାରେ ଆଲୋଚନା ଓ ପ୍ରଶଂସାର ବିଷୟବସ୍ତୁ ହୋଇଥିଲା। ଅନ୍ତିିମ ନାଗରିକର ସେହି ଆଶା ଉଜ୍ଜୀବିତ ରହୁ ଯେ ତା’ ଅଧିକାରକୁ ଅମଳିନ ରଖିବା ସକାଶେ ନିର୍ବାଚନ କମିସନଙ୍କ ଭଳି ଅନୁଷ୍ଠାନଟିଏ ବିଦ୍ୟମାନ। ଏବଂ ତା’ ଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ହେଲା ଯଦି ନିର୍ବାଚନ କମିସନ କୌଣସି କାରଣରୁ ସେଭଳି ସୁରକ୍ଷା ଦେବାକୁ ବିଫଳ ହୁଅନ୍ତି, ତେବେ ନ୍ୟାୟାଳୟ ହେଉଛି ଅନ୍ତିମ ଆଶ୍ରୟ ସ୍ଥଳ!

ବିହାରରେ ଅତ୍ୟନ୍ତ ବିବାଦୀୟ ହୋଇ ଉଠିଥିବା ‘ଏସ.ଆଇ.ଆର.’ (ସ୍ପେସାଲ ଇନ୍‌ଟେନସିଭ ରିଭିଜନ) ବା‌ ‘ସ୍ବତନ୍ତ୍ର ସଘନ ସଂଶୋଧନ’ ପ୍ରକ୍ରିୟାର ସ୍ବଚ୍ଛତା ଏବଂ ଖୁଣ ସଂଦର୍ଭରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ପ୍ରଦତ୍ତ ପ୍ରଥମ ଅନ୍ତରୀଣ ରାୟ ଏହାର ବିରୋଧୀ ପକ୍ଷଙ୍କ ମଧ୍ୟରେ ଆଶ୍ବାସନାର ଅମ୍ଳଜାନ ଭରି ଦେଇଛି। ପ୍ରକାଶ ଥାଉ କି ଆସନ୍ତା ନଭେମ୍ବର ମାସରେ ବିହାରରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ବିଶୁଦ୍ଧୀକରଣ ସକାଶେ ଏହା ହେଉଛି ସେଠାକାର ରାଜ୍ୟ ନିର୍ବାଚନ କମିସନଙ୍କ ଏକ କଠୋର ପଦକ୍ଷେପ, ଯଦ୍ଦ୍ବାରା ନକଲି ଭୋଟରମାନେ ଅବଲୀଳା କ୍ରମେ ତାଲିକାରୁ ବହିଷ୍କୃତ ହେବେ। ପ୍ରକାଶ ଥାଉ କି ବେଆଇନ ଅନୁପ୍ରବେଶକାରୀ(ମୁଖ୍ୟତଃ ବାଂଲାଦେଶୀ ଓ ନେପାଳୀ), ଏକାଧିକ ସ୍ଥାନରୁ ଭୋଟର ପରିଚୟ ପତ୍ର ହାସଲକାରୀ, ମୃତକଙ୍କୁ ସେମାନଙ୍କ ଭୋଟର ପରିଚୟ ପତ୍ର ମାଧ୍ୟମରେ ଜୀବନ୍ତ ରଖି ମତଦାନ କରୁଥିବା ଦୁରାଗ୍ରହୀଗଣ ହେଉଛନ୍ତି ସେହି ନକଲି ଭୋଟର ପର୍ଯ୍ୟାୟଭୁକ୍ତ, ଯେଉଁମାନେ ନିର୍ବାଚନ ପ୍ରକ୍ରିୟାରୁ ବାଦ ପଡ଼ିବା ଯେ ଭାରତୀୟ ଗଣତନ୍ତ୍ରର ସ୍ବାସ୍ଥ୍ୟାନୁକୂଳ, ଏହା ପ୍ରଶ୍ନାତୀତ! ତେଣୁ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ ଏଭଳି ଏକ ସ୍ବାଗତଯୋଗ୍ୟ କାର୍ଯ୍ୟାନୁଷ୍ଠାନକୁ ନେଇ ବିବାଦ ଉତ୍ପନ୍ନ ହେବାର କାରଣ କ’ଣ? 
ବିବାଦର ପ୍ରଥମ କାରଣଟି ହେଲା ଏଭଳି ଏକ ଅତ୍ୟନ୍ତ ଅତିକାୟ ପ୍ରକରଣକୁ ଅତି ତରବରିଆ ଭାବେ ମାତ୍ର ଚାରି ସପ୍ତାହ ମଧ୍ୟରେ ସମାପ୍ତ କରିବାର ସିଦ୍ଧାନ୍ତ, ଯହିଁରେ ପ୍ରତ୍ୟେକ ନାଗରିକଙ୍କୁ ଫର୍ମ ପୂରଣ କରି ଆବଶ୍ୟକ ଫଟୋ ଓ ପ୍ରାମାଣିକ ଦଲିଲ ସହିତ ଦାଖଲ କରିବାକୁ ହେବ, ନଚେତ ସେମାନେ ଭୋଟର ତାଲିକାରୁ ବାଦ୍‌ ପଡ଼ିବେ! ବିହାର‌େର ରାଜ୍ୟାନ୍ତରୀ ଶ୍ରମିକମାନଙ୍କ ସଂଖ୍ୟା ଅତ୍ୟନ୍ତ ବିଶାଳ ଏବଂ ସେମାନେ ଏହି(ଜୁଲାଇ ୧୪ରୁ ଆରମ୍ଭ) ଏକ ମାସ ମଧ୍ୟରେ ଆପଣା ଗ୍ରାମରେ ଉପସ୍ଥିତ ରହି ଫର୍ମ ଦାଖଲ କରିବା‌ ଏକ ଦୁରୂହ ବ୍ୟାପାର। ଅବଶ୍ୟ, ବାହାର ରାଜ୍ୟରୁ ‘ଅନଲାଇନ’ ସହାୟତାରେ ସେମାନେ ଏହି କାର୍ଯ୍ୟ ସଂପନ୍ନ କରିପାରିବେ; କିନ୍ତୁ କୃଷି ବା ନିର୍ମାଣ ଶ୍ରମିକ ରୂପେ କାର୍ଯ୍ୟରତ ଅଶିକ୍ଷିତ ଏବଂ ଅତ୍ୟନ୍ତ ଦୁଃସ୍ଥ ମନୁଷ୍ୟମାନଙ୍କୁ ଏହା କୌଣସି ସାନ୍ତ୍ବନା ପ୍ରଦାନ କରି ନ ଥାଏ। ଦ୍ବିତୀୟ କାରଣଟି ଏହି ପ୍ରକରଣରେ ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଏବଂ ରାସନ କାର୍ଡକୁ ପରିଚୟ ଓ ଆବାସର ସନ୍ତକ ରୂପେ ସ୍ବୀକାର କରା ନ ଯିବା, ଅଥଚ ଯାହା ପ୍ରାୟ ୯୦% ନାଗରିକଙ୍କ ନିକଟରେ ସେମାନଙ୍କ ପରିଚୟ ଓ ଆବାସର ପ୍ରମାଣ ସ୍ବରୂପ ମହଜୁଦ ଥାଏ। ଉଲ୍ଲେଖଯୋଗ୍ୟ ଯେ ଯେଉଁ ୧୧ଟି କାଗଜାତ୍(କୌଣସି ଗୋଟିଏ) ଗ୍ରହଣୀୟ ବୋଲି ସୂଚିବଦ୍ଧ ହୋଇଛି; ଯେମିତି ପାସପୋର୍ଟ, ସରକାରୀ କର୍ମଚାରୀଙ୍କ ପେନସନ କାଗଜପତ୍ର, ମାଟ୍ରିକ ସାର୍ଟିଫିକେଟ, କୌଣସି ବ୍ୟାଙ୍କ ବା ପୋଷ୍ଟ ଅଫିସ ଦ୍ବାରା ୧୯୮୫ ମସିହା ପୂର୍ବରୁ ପ୍ରଦାନ କରାଯାଇଥିବା (ଯଦି?) କୌଣସି ପରିଚୟ ପତ୍ର, ଜନ୍ମ ସାର୍ଟିଫିକେଟ, ଜାତି ପ୍ରମାଣ ପତ୍ର ଇତ୍ୟାଦି ଯାହା ସେ ରାଜ୍ୟର ପ୍ରାୟ ୪୦% ଲୋକଙ୍କ ନିକଟରେ ଉପଲବ୍‌ଧ ନାହିଁ; ଏବଂ ଏହା ମଧ୍ୟ ସତ ଯେ ବିହାର ନିୟମିତ ପ୍ରତ୍ୟକ୍ଷ କରୁଥିବା ପ୍ରଳୟଙ୍କରୀ ବନ୍ୟାରେ ଗ୍ରାମ ପରେ ଗ୍ରାମ ନଦୀ ଗର୍ଭସାତ୍‌ ହୋଇ ଯାଉଥିବା ବେଳେ ଲୋକଙ୍କ ଠାରେ ଏଭଳି ଜରାଜୀର୍ଣ୍ଣ ଦଲିଲମାନ ଖୋଜିବା ଏକ ନିଷ୍ଠୁର ପରିହାସ ତୁଲ୍ୟ ଲାଗିଥାଏ। ତୃତୀୟ କାରଣଟି ନିର୍ବାଚନ କମିସନଙ୍କ ଦ୍ବାରା ୨୦୦୩ ମସିହାକୁ ଏକ ‘ସମୟ-ବିଭାଜିକା’ ରୂପେ ଧରିବା, ଅର୍ଥାତ୍‌ ୨୦୦୩ ମସିହା ପୂର୍ବର ଭୋଟର ତାଲିକାଭୁକ୍ତମାନେ ଏଭଳି ଯାଞ୍ଚର ସମ୍ମୁଖୀନ ହେବେନାହିଁ; ତା‌’ ପରବର୍ତ୍ତୀ କାଳରେ ସୂଚିଭୁକ୍ତ ହୋଇଥିବା ସମସ୍ତଙ୍କୁ ପ୍ରାମାଣିକ ଦସ୍ତାବେଜ ଦାଖଲ କରିବାକୁ ହେବ। ସୁତରାଂ, ଏହି ପ୍ରକରଣରେ ୧୯୮୫ ମସିହାରୁ ୨୦୦୪ ମସିହା ମଧ୍ୟରେ ଜନ୍ମିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଲାଗି ଏବଂ ସେମାନଙ୍କ ପିତାମାତାଙ୍କ ସକାଶେ ଭାରତୀୟ ନାଗରିକ ହୋଇଥିବାର ପ୍ରମାଣ ବହନକାରୀ ଦଲିଲ ଦାଖଲ କରିବାକୁ ପଡ଼ିବ! ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ନିର୍ବାଚନ କମିସନ ନିୟମିତ ଭାବେ ଭୋଟର ତାଲିକାର ସଂଶୋଧନ କରି ନ ଥାଆନ୍ତି କି? ତାହା ହେଲେ ୨୦୦୩ ମସିହା ଭଳି ଏକ କୁହୁକ ବର୍ଷର ସହସା ଆବିର୍ଭାବ ଘଟିଲା କାହିଁକି? ତାହା ମଧ୍ୟ ଦୁର୍ବୋଧ୍ୟ!
ଏଥିରେ ଦ୍ବିରୁକ୍ତି ନାହିଁ ଯେ ‘ଏସ.ଆଇ.ଆର.’ ବିରୋଧରେ ପଥିକୃତ୍‌ ଅଭିଯାନ ଚଳାଇଥିବା ଜନ ବିଦ୍ବାନ ଏବଂ ଆନ୍ଦୋଳନକାରୀ ଯୋଗେନ୍ଦ୍ର ଯାଦବ ତଥା ତାଙ୍କ ବିଚକ୍ଷଣ ସତୀର୍ଥଗଣଙ୍କ ଦ୍ବାରା ଆଗତ ମାମଲାର ବିଚାର ପରିପ୍ରେକ୍ଷୀରେ ଯାହା ସର୍ବାଧିକ ଆକର୍ଷଣୀୟ ଥିଲା, ତାହା ହେଉଛି ‘ଏସ.ଆଇ.ଆର.’ରେ ଅନ୍ତର୍ନିହିତ ଦୁର୍ବଳତା ଏବଂ ସମ୍ଭାବ୍ୟ ଦୁରଭିସନ୍ଧିର ସନ୍ଦେହକୁ ପ୍ରାଂଜଳ କରିବା ଲାଗି ଯାଦବଙ୍କ ଦ୍ବାରା ଉପସ୍ଥାପିତ ଶାଣିତ ଓ ଅକାଟ୍ୟ ତର୍କ; ଯାହା ମାନ୍ୟବର ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତଙ୍କ ପ୍ରଶଂସାମୂଳକ ମନ୍ତବ୍ୟରେ ସ୍ପଷ୍ଟ ହୋଇଛି। ପ୍ରକାଶ ଥାଉ କି ‘ଏସ.ଆଇ.ଆର.’ ପ୍ରକ୍ରିୟା ପରେ ବିହାରର ପ୍ରାୟ ୭ କୋଟି ସାବାଳକ ଜନସଂଖ୍ୟାରୁ ୬୫ ଲକ୍ଷ ଭୋଟର ବାଦ୍‌ ପଡ଼ିଛନ୍ତି। ଯୋଗେନ୍ଦ୍ର ଯାବଦ ତାଙ୍କ ତର୍କରେ ନିର୍ବାଚନ କମିସନଙ୍କ ସ୍ବଚ୍ଛତା ଏବଂ ଆଧାର କାର୍ଡକୁ ସ୍ବୀକାର କରା ନ ଯିବାର ଅଯୌକ୍ତିକତାକୁ କେନ୍ଦ୍ର କରି ପ୍ରଶ୍ନ ଉଠାଇଥିଲେ। କଥା ହେଲା, ତାଲିକାରୁ ବହିର୍ଭୂତ ବ୍ୟକ୍ତିମାନଙ୍କ ନାମକୁ ସବିଶେଷ କାରଣ ସହିତ ୱେବ୍‌ସାଇଟ୍‌ରେ ପ୍ରକାଶ କରିବାକୁ ଯାଦବଙ୍କ ଦାବି ପରିପ୍ରେକ୍ଷୀରେ ନିର୍ବାଚନ କମିସନ ଅନେକ ଟାଳଟୁଳ କରିଥିଲେ; ଯଦିଓ ହୃତ ନାଗରିକତ୍ବର କାରଣ ସଂପର୍କରେ ଅବଗତ ହେବା ଏଭଳି ଅସ୍ତିତ୍ବ-ସଂକଟର ଶିକାରମାନଙ୍କ ଲାଗି ଯେ କୌଣସି ଗଣତନ୍ତ୍ରରେ ଅନିବାର୍ଯ୍ୟ ହୋଇଥାଏ। କହିବା ବାହୁଲ୍ୟ, ଏଭଳି ଟାଳଟୁଳରୁ ହିଁ ନିର୍ବାଚନ କମିସନ ସନ୍ଦେହର ପାତ୍ରରେ ପରିଣତ ହୁଅନ୍ତି। ତେବେ, ମାନ୍ୟବର ଅଦାଲତଙ୍କ ଅନ୍ତରୀଣ ଆଦେଶ ନିର୍ବାଚନ କମିସନଙ୍କ ଏଭଳି କୁଣ୍ଠାକୁ ଅଗ୍ରାହ୍ୟ କରିଛି। ଏହି ଅନ୍ତରୀଣ ଆଦେଶର ଦ୍ବିତୀୟ ମହତ୍ତ୍ବପୂର୍ଣ୍ଣ ଅଂଶଟି ହେଲା ଏହି ୬୫ ଲକ୍ଷ ଭୋଟରଙ୍କ ସକାଶେ ଆଧାର କାର୍ଡ ମଧ୍ୟ ଏକ ପ୍ରାମାଣିକ ଦସ୍ତାବେଜ ରୂପେ ସ୍ବୀକାର୍ଯ୍ୟ ହେବ। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଆଧାର ହେଉଛି ଏକମାତ୍ର ପରିଚୟ ପ୍ରମାଣ ବ୍ୟବସ୍ଥା, ଯହିଁରେ ‘ଟିପଚିହ୍ନ’, ‘ଚକ୍ଷୁ ପିତୁଳା’ର ଫଟୋ ମାଧ୍ୟମରେ ଏକ ସ୍ବତନ୍ତ୍ର ନମ୍ବର ଦ୍ବାରା କାର୍ଡଧାରୀର ପରିଚୟ ସନ୍ଦେହାତୀତ ହୋଇଥାଏ। ଅବଶ୍ୟ, ‘ଏସ.ଆଇ.ଆର.’ ସଂକ୍ରାନ୍ତ ସଂପୂର୍ଣ୍ଣ ରାୟ ପ୍ରକାଶିତ ହୋଇନାହିଁ, ତଥାପି ଏହା ସତ ଯେ ‘ଏସ୍‌.ଆଇ.ଆର.’ ଦ୍ବାରା ସୃଷ୍ଟ ଏକ ଭୀତି ସଂଚାରକାରୀ ପରିବେଶରେ ଅସହାୟ ନାଗରିକମାନଙ୍କୁ ନ୍ୟାୟ ଦେବୀଙ୍କ ଅଭୟ କ୍ରୋଡ଼ର ଆଶ୍ବାସନା‌ ମିଳିଛି।
ଏହା ନିର୍ବିବାଦୀୟ ଯେ ଜଣେ ହେଲେ ସୁଦ୍ଧା ବେଆଇନ ବା ନକଲି ନାଗରିକ ଭୋଟ ଦେବାର ସୁଯୋଗ ପାଇବା ସର୍ବାଦୌ ଅନୁଚିତ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଜନସାଂଖ୍ୟିକ ପ୍ରଦୂଷଣ ଦୂର କରିବାର ଆଗ୍ରହାତିଶଯ୍ୟରେ ଜଣେ ଭାରତୀୟର ନାଗରିକତ୍ବ ତା’ଠାରୁ ଛିନ୍ନ ହୋଇଯିବ! ‘ଏସ.ଆଇ.ଆର.’କୁ ବିରୋଧ କରୁଥିବା ପକ୍ଷ ସନ୍ଦେହ କରନ୍ତି ଯେ ଆସନ୍ତା ବିହାର ନିର୍ବାଚନରେ ବିଜେପିକୁ ଜୟଯୁକ୍ତ କରାଇବା ଲାଗି ଏହା କୁଆଡ଼େ ନିର୍ବାଚନ କମିସନଙ୍କ ଏକ ଚତୁର ଉଦ୍ୟମ; ଅର୍ଥାତ୍‌ ନକଲି ଭୋଟର ବା ବେଆଇନ ଅନୁପ୍ରବେଶକାରୀଙ୍କ ଚିହ୍ନଟ ଏକ ଆଳ ମାତ୍ର! ସେମାନଙ୍କ ମତରେ ତାହା ହୋଇ ନ ଥିଲେ ଏଭଳି ଏକ ଅତ୍ୟନ୍ତ ସ୍ପର୍ଶକାତର ପ୍ରକରଣକୁ ସଘନ ଆଲୋଚନା, ବିଚାରବିମର୍ଶ, ବିତର୍କ ଓ ସଚେତନତାର ପ୍ରସାର ବିନା ତଥା ଅତ୍ୟନ୍ତ ତରବରିଆ ଭାବେ ସଂପନ୍ନ କରାଯିବାର ଉଦ୍‌ଗ୍ରୀବତା ପ୍ରକାଶ ପାଇ ନ ଥାଆନ୍ତା! ସର୍ବୋଚ୍ଚ ଅଦାଲତଙ୍କ ଅନ୍ତରୀଣ ଆଦେଶ ସଂଦର୍ଭରେ ଏକ ଆଲୋଚନା ବେଳେ ଗୋଟିଏ ଟେଲିଭିଜନ ଚ୍ୟାନେଲର ‘ଆଙ୍କୋର’ ଯେତେବେଳେ କହିଥିଲେ ଯେ ଏହା ନିର୍ବାଚନ କମିସନଙ୍କୁ ନିରାଶ କରିଥିବ; ଉତ୍ତରରେ ଯୋଗେନ୍ଦ୍ର ଯାଦବଙ୍କ ମନ୍ତବ୍ୟ ଥିଲା‌: କିନ୍ତୁ ଏହା ତ ନିର୍ବାଚନ କମିସନଙ୍କୁ ସନ୍ତୋଷ ପ୍ରଦାନ କରିବା ଉଚିତ, କାରଣ ଅନ୍ତିିମ ନାଗରିକକୁ ନିର୍ବାଚନ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରିବା ତ କମିସନଙ୍କ ମୂଳ ଲକ୍ଷ୍ୟ ହୋଇଥାଏ। ୨୦୨୪ ମସିହାରେ ଅରୁଣାଚଳ ପ୍ରଦେଶର ପାର୍ବତ୍ୟାଞ୍ଚଳରେ ରହୁଥିବା ଜଣେ ମାତ୍ର ଭୋଟରଙ୍କ ସକାଶେ ନିର୍ବାଚନ କମିସନ ସେଠାରେ ଏକ ବୁଥ୍‌ ଖୋଲିବାର ବ୍ୟବସ୍ଥା ଦେଶ ଭିତରେ ଏବଂ ବାହାରେ ଆଲୋଚନା ଓ ପ୍ରଶଂସାର ବିଷୟବସ୍ତୁ ହୋଇଥିଲା। ଅନ୍ତିିମ ନାଗରିକର ସେହି ଆଶା ଉଜ୍ଜୀବିତ ରହୁ ଯେ ତା’ ଅଧିକାରକୁ ଅମଳିନ ରଖିବା ସକାଶେ ନିର୍ବାଚନ କମିସନଙ୍କ ଭଳି ଅନୁଷ୍ଠାନଟିଏ ବିଦ୍ୟମାନ। ଏବଂ ତା’ ଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ହେଲା ଯଦି ନିର୍ବାଚନ କମିସନ କୌଣସି କାରଣରୁ ସେଭଳି ସୁରକ୍ଷା ଦେବାକୁ ବିଫଳ ହୁଅନ୍ତି, ତେବେ ନ୍ୟାୟାଳୟ ହେଉଛି ଅନ୍ତିମ ଆଶ୍ରୟ ସ୍ଥଳ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe