ସରକାର ୨୦୨୭ ବିତ୍ତ ବର୍ଷ ପାଇଁ ଯେଉଁ ୭.୨-୭.୪ ଶତାଂଶ ହାରରେ ବାସ୍ତବ ‘ଜିଡିପି’ ଅଭିବୃଦ୍ଧି ଲକ୍ଷ୍ୟ ଓ ୧୧ ଶତାଂଶ ହାରରେ ମୌଦ୍ରିକ ଅଭିବୃଦ୍ଧି ଲକ୍ଷ୍ୟ ସ୍ଥାପନ କରିଛନ୍ତି, ତାହା ହାସଲ କରିବାର ଦୃଢ଼ ସମ୍ଭାବନା ଦେଖାଯାଉଛି। କିନ୍ତୁ ବିଶେଷଜ୍ଞମାନଙ୍କ ବିଚାରରେ ଅର୍ଥନୀତିର ଉତ୍ପାଦନ କ୍ଷମତାର ପୂର୍ଣ୍ଣ ବିନିଯୋଗ ଘଟିବା ପାଇଁ ଏବଂ ଘରୋଇ କ୍ଷେତ୍ରରେ ନିବେଶକୁ ବ୍ୟାପକ କରିବା ପାଇଁ ଏହା ଯଥେଷ୍ଟ ନ ହୋଇପାରେ। ସେଥିପାଇଁ ବାସ୍ତବ ଅଭିବୃଦ୍ଧି ହାର ୮ ଶତାଂଶ ହେବା ଆବଶ୍ୟକ ବୋଲି ସେମାନଙ୍କର ମତ।
ଗତ ମାସ ଶେଷ ବେଳକୁ ଭାରତ ସରକାରଙ୍କର ପରିସଂଖ୍ୟାନ ମନ୍ତ୍ରଣାଳୟ ୨୦୨୨-୨୩କୁ ନୂତନ ଆଧାର ବର୍ଷ ରୂପେ ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା ଦେଶର ‘ମୋଟ ଜାତୀୟ ଉତ୍ପାଦ’ (‘ଜିଡିପି’) ହିସାବ ପ୍ରକାଶ କରିଛି। ଏଥିପୂର୍ବରୁ ଏ ପର୍ଯ୍ୟନ୍ତ ଆଧାର ବର୍ଷ ରୂପେ ୨୦୧୧-୧୨କୁ ବ୍ୟବହାର କରାହୋଇ ଆସୁଥିବା ଧାରାର ଅନ୍ତ ଘଟି ଏକ ନୂତନ ଶୃଙ୍ଖଳାର ଆରମ୍ଭ ହୋଇଛି। ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତୀୟ ଅର୍ଥନୀତିର ଚରିତ୍ର ଓ ସଂରଚନାରେ ଘଟିଥିବା ପରିବର୍ତ୍ତନକୁ ଅଧିକ ବିଶ୍ବସନୀୟତାର ସହିତ ପ୍ରତିଫଳିତ କରିବା ହେଉଛି ଏହି ପରିବର୍ତ୍ତନର ଉଦ୍ଦେଶ୍ୟ। ୨୦୨୨-୨୩କୁ ନୂତନ ଆଧାର ବର୍ଷ ରୂପେ ଚୟନ କରାଯିବାର ଯଥାର୍ଥତା ହେଲା ୨୦୧୯-୨୧ ସମୟ କାଳରେ କୋଭିଡ୍-୧୯ ପାଣ୍ଡେମିକ୍ ଦ୍ବାରା ସୃଷ୍ଟ ବିଭ୍ରାଟ ପରେ ଏହାକୁ ସଦ୍ୟତମ ସାଧାରଣ ବର୍ଷ ରୂପେ ବିଚାର କରାଯାଇଥାଏ।
ଏହି ପରିଶୋଧିତ ‘ଜିଡିପି’ ଶୃଙ୍ଖଳା ଅନୁସାରେ ଚଳିତ ବିତ୍ତ ବର୍ଷରେ ଭାରତୀୟ ଅର୍ଥନୀତିର ବାସ୍ତବ ଅଭିବୃଦ୍ଧି ହାର ୭.୬ ଶତାଂଶ ହେବାକୁ ଯାଉଛି ବୋଲି ଆକଳନ କରାଯାଇଛି, ଯାହା ପୂର୍ବରୁ କରାଯାଇଥିବା ୭.୪ ଶତାଂଶ ହାର ଆକଳନ ଠାରୁ ସାମାନ୍ୟ ଅଧିକ। ଏହା ନିଶ୍ଚିତ ରୂପେ ଏକ ପ୍ରଭାବଶାଳୀ ପରିସଂଖ୍ୟାନ ହୋଇଥିଲେ ହେଁ ଏକଥା ମଧ୍ୟ ମନେ ରଖିବାକୁ ହେବ ଯେ ୨୦୨୪ ବିତ୍ତ ବର୍ଷ ପାଇଁ ପୂର୍ବରୁ ପ୍ରକାଶିତ ୯.୨ ଶତାଂଶ ଅଭିବୃଦ୍ଧି ହାରରେ ବର୍ତ୍ତମାନ ସଂଶୋଧନ ଘଟାଯାଇ ତାହାକୁ ୭.୨ ଶତାଂଶ କରି ଦିଆଯାଇଛି। ଏହା ତେଣୁ ଏକ ନୀଚା ଭିତ୍ତିଜନିତ ପ୍ରଭାବ ସୃଷ୍ଟି କରି ପରବର୍ତ୍ତୀ ବର୍ଷମାନଙ୍କରେ ଯାନ୍ତ୍ରିକ ଭାବରେ ଅଭିବୃଦ୍ଧି ହାରରେ ଉନ୍ନତି ଘଟାଇବା ଦେଖାଯାଇଛି। ଏଇ କାରଣରୁ ପୂର୍ବ ହିସାବ ଅନୁସାରେ ୨୦୨୫ ବିତ୍ତ ବର୍ଷ ପାଇଁ ଅଭିବୃଦ୍ଧି ହାର ୬.୫ ଶତାଂଶ ହୋଇଥିବା ବେଳେ, ଏବେ ତାହା ୭.୧ ଶତାଂଶ ହୋଇଛି; ୨୦୨୬ ବିତ୍ତ ବର୍ଷ ପାଇଁ ପୂର୍ବରୁ ଦର୍ଶାଯାଇଥିବା ଭଳି ୭.୪ ଶତାଂଶ ସ୍ଥାନରେ ୭.୬ ଶତାଂଶ ହୋଇଛି।
School Problem: ୧୫୪ ବର୍ଷର ବିଦ୍ୟାଳୟର ବିକଳ ଚିତ୍ର: ବିପଦ ଭିତରେ ଭବିଷ୍ୟତର ସ୍ବପ୍ନ ଦେଖୁଛନ୍ତି କୁନି କୁନି ପିଲା
ତେବେ ବି ଭାରତୀୟ ଅର୍ଥନୀତିର ଏହି ଉଚ୍ଚ ଅଭିବୃଦ୍ଧି ହାରର ଆଂଶିକ ଯାନ୍ତ୍ରିକ ଚରିତ୍ର ସତ୍ତ୍ବେ, ଏହା ଅନସ୍ବୀକାର୍ଯ୍ୟ ଯେ ବିଶେଷ କରି ବର୍ତ୍ତମାନର ପ୍ରତିକୂଳ ଆନ୍ତର୍ଜାତିକ ପରିସ୍ଥିତି ସତ୍ତ୍ବେ ଲଗାତାର ତିନି ବର୍ଷ ଧରି ଭାରତୀୟ ଅର୍ଥନୀତି ୭ ଶତାଂଶରୁ ଅଧିକ ହାରରେ ବାସ୍ତବ ଅଭିବୃଦ୍ଧି ହାସଲ କରି ଚାଲିବା ହେଉଛି ଏକ ଅତୀବ ପ୍ରଶଂସନୀୟ ତଥା ବିରଳ ଉପଲବ୍ଧି। ଭାରତୀୟ ରପ୍ତାନି ଟ୍ରମ୍ପ-ଟାରିଫ୍ ରୂପକ ପ୍ରତିବନ୍ଧକ ଯୋଗୁଁ ବ୍ୟାହତ ହୋଇଥିଲେ ମଧ୍ୟ ବୃହତ୍ତର ଅର୍ଥନୀତିର ଅଭିବୃଦ୍ଧି ଧାରାକୁ ତାହା ଅଟକାଇ ପାରିନାହିଁ। ଗୁରୁତ୍ବପୂର୍ଣ୍ଣ ଭାବରେ ସଂଶୋଧିତ ‘ଜିଡିପି’ ଶୃଙ୍ଖଳାରେ ଭାରତୀୟ ଅର୍ଥନୀତିରେ ଇତିମଧ୍ୟରେ ଆବିର୍ଭୂତ ହୋଇଥିବା ନୂତନ ଅଂଶମାନ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏଥିରେ ଡିଜିଟାଲ୍ ଓ ଗିଗ୍ ଅର୍ଥନୀତିରୁ ଅକ୍ଷୟ ଶକ୍ତି, ଘରୋଇ ସହାୟକ ସେବା ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। ଏଥି ସଙ୍ଗେସଙ୍ଗେ ‘ଜିଡିପି’ ହିସାବ କରିବା ନିମିତ୍ତ ବ୍ୟବହୃତ ପଦ୍ଧତିରେ ମଧ୍ୟ ଉନ୍ନତି ଘଟାଯାଇଛି- ଯେମିତି ମାନୁଫାକ୍ଚରିଙ୍ଗରେ ‘ଡବଲ୍-ଡିଫ୍ଲେଟର୍’ ପଦ୍ଧତିର ପ୍ରୟୋଗ। ଏହା ଉପଲବ୍ଧ ଫଳାଫଳର ବିଶ୍ବସନୀୟତାରେ ବୃଦ୍ଧି ଘଟାଇଥାଏ। ଯେତେବେଳେ ଅର୍ଥନୀତିରେ ପରିବର୍ତ୍ତନ ଘଟେ, ନୂଆ ନୂଆ ବ୍ୟବସାୟ ମଡେଲ୍ମାନଙ୍କର ଆବିର୍ଭାବ ଘଟେ, ସେତେବେଳେ ପୁରୁଣା ପଦ୍ଧତିର ପ୍ରୟୋଗ ଦ୍ବାରା କରାଯାଉଥିବା ପରିମାପ ବିକୃତ ଚିତ୍ର ଉତ୍ପନ୍ନ କରିଥାଏ। ତାହା ହିଁ ହେଉଛି ଏବେ ଏକ ନୂତନ ‘ଜିଡିପି’ ଶୃଙ୍ଖଳା ଆରମ୍ଭ କରାଯିବାର ଅସଲ କାରଣ।
Road Problem: ଅବଧି ସରିଲା, କାମ ସରୁନି, ୧୫ ପିଏମଜେଏସୱାଇ ରାସ୍ତା ଅଧାରେ: ୩୧ସୁଦ୍ଧା ନ ସରିଲେ ଫେରିଯିବ ଟଙ୍କା
ଏଇ ନୂତନ ଶୃଙ୍ଖଳା ଅର୍ଥନୀତିର ଚାହିଦା ପାର୍ଶ୍ବର ଯେଉଁ ଚିତ୍ର ପ୍ରଦାନ କରିଥାଏ, ତାହା ଉତ୍ସାହଜନକ ମନେ ହୋଇଥାଏ। ଏହା ଅନୁସାରେ ଚଳିତ ବିତ୍ତ ବର୍ଷରେ ମୋଟ ପୁଞ୍ଜି ସଂରଚନାରେ ୭.୧ ଶତାଂଶ ହାରରେ ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି। ମାନୁଫାକ୍ଚରିଙ୍ଗରେ ବୃଦ୍ଧି ହାର ଏକ ଉଲ୍ଲେଖନୀୟ ୧୧.୫ ଶତାଂଶ ହେବ ବୋଲି ଦର୍ଶାଯାଇଛି। ସେବା କ୍ଷେତ୍ରରେ ଅଭିବୃଦ୍ଧି ମଧ୍ୟ ପଛରେ ପଡ଼ିବାକୁ ଯାଉନାହିଁ: ବାଣିଜ୍ୟ, ହୋଟେଲ, ପରିବହନ କ୍ଷେତ୍ରରେ ୧୦ ଶତାଂଶ ହାରରେ ଅଭିବୃଦ୍ଧି ଘଟି ନିଯୁକ୍ତି ସୃଷ୍ଟିରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି। ଘରୋଇ ଅନ୍ତିମ ଖାଉଟି ଖର୍ଚ୍ଚରେ ଏକ ଉତ୍ତମ ୭.୭ ଶତାଂଶ ହାରରେ ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି। ଏହା କିନ୍ତୁ କେତେ ଦୂର ଧାରଣକ୍ଷମ ହେବ, ତାହା ସନ୍ଦେହଜନକ ମନେ ହୋଇଥାଏ। ଉଦାହରଣ ସ୍ବରୂପ ୨୦୨୫-୨୬ ବିତ୍ତ ବର୍ଷର ଦ୍ବିତୀୟ ଚଉଠରେ ଗ୍ରାମାଞ୍ଚଳରେ ହୋଇଥିବା ଏଇ ଖର୍ଚ୍ଚରେ ୭.୯ ଶତାଂଶ ହାରରେ ବୃଦ୍ଧି ଘଟିଥିବା ବେଳେ, ତୃତୀୟ ଚଉଠରେ ତାହା ୫.୩ ଶତାଂଶକୁ ହ୍ରାସ ପାଇବା ଦେଖାଯାଇଛି। ଏହାର କାରଣ ବୁଝିବା ମଧ୍ୟ କଷ୍ଟ ନୁହେଁ; ତୃତୀୟ ଚଉଠରେ କୃଷି କ୍ଷେତ୍ରରେ ଦେଖାଯାଇଥିବା ଅଭିବୃଦ୍ଧି ହାର ହେଉଛି ମାତ୍ର ୧.୪ ଶତାଂଶ, ଯାହା ହେଉଛି ବିଗତ ଆଠଟି ଚଉଠ ମଧ୍ୟରେ ସର୍ବନିମ୍ନ। ସମଗ୍ର ଚଳିତ ବିତ୍ତ ବର୍ଷରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୨.୪ ଶତାଂଶ ମାତ୍ରରେ ସୀମିତ ରହିବ ବୋଲି ଅନୁମାନ କରାଯାଉଛି। ସେହିପରି ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ର ରୂପେ ଜଣାଶୁଣା ନିର୍ମାଣ କ୍ଷେତ୍ରରେ ବିଗତ ଦୁଇ ବର୍ଷ ଧରି ଦେଖାଯାଇଥିବା ମାନ୍ଦା ଅବସ୍ଥା ମଧ୍ୟ ଚିନ୍ତାଜନକ ହୋଇଥାଏ। ବିଶେଷ କରି ନିମ୍ନ ଓ ମଧ୍ୟମ ମୂଲ୍ୟଯୁକ୍ତ ଗୃହ ନିର୍ମାଣ ପ୍ରତି ଚାହିଦାରେ ଶିଥିଳତା ସେ କ୍ଷେତ୍ର ଓ ତା’ ସହିତ ସଂଯୁକ୍ତ କ୍ଷେତ୍ରମାନଙ୍କରେ ନିଯୁକ୍ତି ସୃଷ୍ଟିରେ ସଂକୋଚନ ଘଟାଇବ ବୋଲି ଆଶଙ୍କା ପ୍ରକାଶ ପାଉଛି।
ଏଠାରେ ମଧ୍ୟ ଉଲ୍ଲେଖ ଆବଶ୍ୟକ ଯେ ପରିସଂଖ୍ୟାନରେ ସଂଶୋଧନ ଯୋଗୁଁ ୨୦୨୫-୨୬ ବିତ୍ତ ବର୍ଷରେ ଭାରତୀୟ ଅର୍ଥନୀତିର ମୌଦ୍ରିକ ଆକାରରେ ସାମାନ୍ୟ ସଂକୋଚନ ଘଟି ତାହା ୩୪୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଏଥିଯୋଗୁଁ ‘ଜିଡିପି’ର ଅନୁପାତ ଆକାରରେ ସରକାରୀ ଋଣ ଓ ରାଜକୋଷୀୟ ନିଅଣ୍ଟରେ ସାମାନ୍ୟ ବୃଦ୍ଧି ଘଟିବ, ଯଦିବା ତାହା ଚଳନୀୟ ସ୍ତରରେ ରହିବ। ସରକାର ୨୦୨୭ ବିତ୍ତ ବର୍ଷ ପାଇଁ ଯେଉଁ ୭.୨-୭.୪ ଶତାଂଶ ହାରରେ ବାସ୍ତବ ‘ଜିଡିପି’ ଅଭିବୃଦ୍ଧି ଲକ୍ଷ୍ୟ ଓ ୧୧ ଶତାଂଶ ହାରରେ ମୌଦ୍ରିକ ଅଭିବୃଦ୍ଧି ଲକ୍ଷ୍ୟ ସ୍ଥାପନ କରିଛନ୍ତି, ତାହା ହାସଲ କରିବାର ଦୃଢ଼ ସମ୍ଭାବନା ଦେଖାଯାଉଛି। କିନ୍ତୁ ବିଶେଷଜ୍ଞମାନଙ୍କ ବିଚାରରେ ଅର୍ଥନୀତିର ଉତ୍ପାଦନ କ୍ଷମତାର ପୂର୍ଣ୍ଣ ବିନିଯୋଗ ଘଟିବା ପାଇଁ ଏବଂ ଘରୋଇ କ୍ଷେତ୍ରରେ ନିବେଶକୁ ବ୍ୟାପକ କରିବା ପାଇଁ ଏହା ଯଥେଷ୍ଟ ନ ହୋଇପାରେ। ସେଥିପାଇଁ ବାସ୍ତବ ଅଭିବୃଦ୍ଧି ହାର ୮ ଶତାଂଶ ହେବା ଆବଶ୍ୟକ ବୋଲି ସେମାନଙ୍କର ମତ। ତେଣୁ ଉତ୍ତମ ସଂଶୋଧିତ ପରିସଂଖ୍ୟାନ ଦ୍ବାରା ସନ୍ତୁଷ୍ଟ ହୋଇ ନ ଯାଇ, ଭାରତୀୟ ଅର୍ଥନୀତି ତା’ର ଅଭିବୃଦ୍ଧି ଉଦ୍ୟମକୁ ଅବ୍ୟାହତ ରଖି ଚାଲିବା ଜରୁରି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/OAnDiWZ5zjRDfuWfWgMX.jpg)