editorial: ବିଷମ ବ୍ରହ୍ମାଣ୍ଡ

Advertisment

ସ୍ବର୍ଗତ ଫାଙ୍ଗ୍ ଲିଝି ଏବେ ଯଦି ଥାନ୍ତେ, କହନ୍ତେ ବ୍ରହ୍ମାଣ୍ଡର ଅନ୍ୟ ଯେ କୌଣସି ନିୟମର ଉଲ୍ଲଂଘନର ପରିଣତି ଭଳି ସମତା ନିୟମର ଉଲ୍ଲଂଘନର ପରିଣତି ମଧ୍ୟ ମାନବ ସମାଜ ପାଇଁ ଭୟାବହ ହେବା ଅବଧାରିତ।

ସ୍ବର୍ଗତ ଫାଙ୍ଗ୍ ଲିଝି ଏବେ ଯଦି ଥାନ୍ତେ, କହନ୍ତେ ବ୍ରହ୍ମାଣ୍ଡର ଅନ୍ୟ ଯେ କୌଣସି ନିୟମର ଉଲ୍ଲଂଘନର ପରିଣତି ଭଳି ସମତା ନିୟମର ଉଲ୍ଲଂଘନର ପରିଣତି ମଧ୍ୟ ମାନବ ସମାଜ ପାଇଁ ଭୟାବହ ହେବା ଅବଧାରିତ।

samp1

ସ୍ବର୍ଗତ ଫାଙ୍ଗ୍ ଲିଝି ଏବେ ଯଦି ଥାନ୍ତେ, କହନ୍ତେ ବ୍ରହ୍ମାଣ୍ଡର ଅନ୍ୟ ଯେ କୌଣସି ନିୟମର ଉଲ୍ଲଂଘନର ପରିଣତି ଭଳି ସମତା ନିୟମର ଉଲ୍ଲଂଘନର ପରିଣତି ମଧ୍ୟ ମାନବ ସମାଜ ପାଇଁ ଭୟାବହ ହେବା ଅବଧାରିତ। କାରଣ ଈଶ୍ବର ଏକ ବିଷମ ବ୍ରହ୍ମାଣ୍ଡ ସର୍ଜନା କରିନାହାନ୍ତି। ତେବେ ବଣ୍ଟନରେ ସଂଶୋଧନ ଦ୍ବାରା ଏ ବିପଦ ଟାଳିବା ପାଇଁ ଆମ ପାଖରେ ଏବେ ବି ବେଳ ଅଛି, ଯଦିବା ତାହା ସୀମିତ।

ବୈଷମ୍ୟ ସର୍ବଦା ମାନବ ସମାଜର ଏକ ଅସମାହିତ ସମସ୍ୟା ହୋଇ ରହିଆସିଛି। ବିଶେଷ କରି ଅର୍ଥନୈତିକ ବୈଷମ୍ୟ। ଇତିହାସ ସାରା ଦାର୍ଶନିକରୁ ରାଜନୀତିଜ୍ଞଙ୍କ ପର୍ଯ୍ୟନ୍ତ, ଅର୍ଥନୀତିଜ୍ଞରୁ ସଶସ୍ତ୍ର ବିପ୍ଳବୀମାନଙ୍କ ପର୍ଯ୍ୟନ୍ତ ଏହାକୁ ଏକ ବିକୃତି ରୂପେ ବିଚାର କରି ସମାଜକୁ ଏଥିରୁ ମୁକ୍ତ କରିବା ନିମିତ୍ତ ଉପାୟ ଖୋଜି ବାହାର କରିବା ପାଇଁ ଉଦ୍ୟମ କରି ଆସିଛନ୍ତି। ଏପରିକି ଏସବୁ ପ୍ରସଙ୍ଗରୁ ଊର୍ଦ୍ଧ୍ବରେ ଥିବା ବୈଜ୍ଞାନିକମାନେ ମଧ୍ୟ ସମୟେ ସମୟେ ଏ ନେଇ ବିଜ୍ଞାନଭିତ୍ତିକ ଚିନ୍ତା ପ୍ରକଟ କରିବା ଦେଖାଯାଇଥାଏ। ଯେମିତି ଦେଖିବାକୁ ମିଳିଥିଲା ଆଜିକୁ ଠିକ୍ ୩୬ ବର୍ଷ ତଳେ ନଭେମ୍ବର ୧୯୮୯ରେ ୱାଶିଙ୍ଗଟନ୍ ଠାରେ ପ୍ରସିଦ୍ଧ ଚୀନା ଅନ୍ତରୀକ୍ଷ ପଦାର୍ଥବିଜ୍ଞାନୀ ଫାଙ୍ଗ୍ ଲିଝିଙ୍କ ଦ୍ବାରା ପ୍ରଦତ୍ତ ତାଙ୍କର ଚହଳ ସୃଷ୍ଟିକାରୀ ଅଭିଭାଷଣରେ (ଫାଙ୍ଗ୍‌ଙ୍କ ବ୍ୟକ୍ତିଗତ ଅନୁପସ୍ଥିତିରେ ସେଠାରେ ପ୍ରକୃତରେ ତାଙ୍କର ଅଭିଭାଷଣକୁ ପାଠ କରି ଶୁଣାଇ ଦିଆଯାଇଥିଲା)।
ସମାଜରେ ବୈଷମ୍ୟହୀନତା ସପକ୍ଷରେ ଯୁକ୍ତି କରି ଫାଙ୍ଗ୍ ତାଙ୍କର ଏହି ଉପସ୍ଥାପନାରେ କହିଥିଲେ ଯେ ବିଶ୍ବ ବ୍ରହ୍ମାଣ୍ଡର ପ୍ରଥମ ନିୟମ ହେଉଛି କେନ୍ଦ୍ରହୀନତା। ଅର୍ଥାତ୍ ବ୍ରହ୍ମାଣ୍ଡର କେନ୍ଦ୍ରସ୍ଥଳ ବୋଲି କିଛି ନାହିଁ; ବ୍ରହ୍ମାଣ୍ଡର ସର୍ବତ୍ର ତା’ର ଚରିତ୍ର ସମାନ ହୋଇଥାଏ। ଫାଙ୍ଗ୍‌ଙ୍କ ମତରେ ଏଥିରୁ ସ୍ପଷ୍ଟହୋଇଥାଏ ଯେ ବ୍ରହ୍ମାଣ୍ଡର ପ୍ରତ୍ୟେକ ସ୍ଥଳ ସମାନ ଅଧିକାର ଉପଭୋଗ କରିଥାଏ। ସେ ତେଣୁ ପ୍ରଶ୍ନ କରିଥିଲେ ଯେ ଏପରି ଏକ ମୌଳିକ ସମାନତାଭିତ୍ତିକ ବ୍ରହ୍ମାଣ୍ଡରେ ଆବିର୍ଭୂତ ହୋଇଥିବା ମନୁଷ୍ୟ ସମାଜ ବୈଷମ୍ୟକୁ କିଭଳି ବରଦାସ୍ତ କରିପାରିବ? ତାଙ୍କର ଅଭିଭାଷଣ ଶେଷରେ ଫାଙ୍ଗ୍ ବୈଷମ୍ୟ ଦୂର କରିବାରେ ସଫଳ ହେବା ପାଇଁ ମନୁଷ୍ୟକୁ ସହାୟକ ହେବା ଲାଗି ପ୍ରାର୍ଥନା କରି କହିଥିଲେ: ‘‘ବ୍ରହ୍ମାଣ୍ଡ ଏଥିପାଇଁ ଆମ ଉପରେ ତା’ର ଆଶୀର୍ବାଦ ଅଜାଡ଼ି ଦେଉ!’’ 
ସେମାନଙ୍କର ଜାଣତରେ ହେଉ କିମ୍ବା ଅଜାଣତରେ ହେଉ, ଗଣତାନ୍ତ୍ରିକ ସମାଜବାଦୀମାନେ ଯେଉଁ ସାମାଜିକ ସମାନତା ପ୍ରତିଷ୍ଠା ଦର୍ଶନ ଅନୁସରଣ କରିଥାନ୍ତି, ତାହା ଅନ୍ତରୀକ୍ଷ ପଦାର୍ଥବିଜ୍ଞାନ (ଆଷ୍ଟ୍ରୋଫିଜିକ୍‌ସ)ର ଏଇ ଫାଙ୍ଗ୍ ଲିଝି ସୂଚିତ ମୌଳିକ ସୂତ୍ରକୁ ହିଁ ଅନୁସରଣ କରିଥାଏ। ସମାଜବାଦୀମାନଙ୍କର ଯୁକ୍ତି ହେଲା- ନାଗରିକ ଭାବରେ ଆମେ ସମସ୍ତେ ହେଉଛୁ ସମାନ, ଏବଂ ସମାଜ ଏହି ସମାନ ନାଗରିକମାନଙ୍କ ପ୍ରତି ବିଷମ ଆଚରଣ ପ୍ରଦର୍ଶନ କରିବା ଗ୍ରହଣୀୟ ନୁହେଁ।
କିନ୍ତୁ ସମସ୍ୟା ହେଲା ଏହି ସମାଜ ଅାପଣାଇ ଥିବା ଅର୍ଥନୈତିକ ଢାଞ୍ଚା ଯଦି ବଜାରଭିତ୍ତିକ ହୋଇଥାଏ, ତେବେ ସେ ଅର୍ଥନୀତି ଯେଉଁ ନିୟମକୁ ଅନୁସରଣ କରି କାର୍ଯ୍ୟ କରିଥାଏ, ତାହା ବ୍ରହ୍ମାଣ୍ଡ ବିଜ୍ଞାନର ଉପରୋକ୍ତ ସାମ୍ୟବାଦୀ ନିୟମର ଅନେକ ସମୟରେ ବିରୋଧାଚରଣ କରିଥାଏ। ଏଭଳି ଅର୍ଥନୀତିରେ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ନିମିତ୍ତ ବୈଷମ୍ୟର ଉପସ୍ଥିତି ଆବଶ୍ୟକ ମନେ ହୋଇଥାଏ। ସମାଜର ଯେଉଁ ସଦସ୍ୟମାନେ ଅଧିକ ଉଦ୍‌ଯୋଗୀ, ଅଧିକ ବୁଦ୍ଧିମାନ, ଅଧିକ ଦୂରଦର୍ଶୀ, ଅଧିକ ଦକ୍ଷ ହୋଇଥାନ୍ତି, ସେମାନଙ୍କର ଆୟ ଅଧିକ ହେଲେ ହେଁ ସେମାନେ ନିଜର ଏଇ ସମସ୍ତ ଉତ୍କୃଷ୍ଟ କ୍ଷମତାକୁ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବାରେ ନିୟୋଜିତ କରିବାକୁ ଉତ୍ସାହିତ ହେବେ। ଏଣୁ ପୃଥିବୀର ପ୍ରତ୍ୟେକ ବଜାରଭିତ୍ତିକ ଅର୍ଥନୀତିରେ ଆୟ ଓ ସଂପଦର ବଣ୍ଟନରେ ଉଲ୍ଲେଖନୀୟ ତାରତମ୍ୟ ଦେଖିବାକୁ ମିଳିଥାଏ। ଏପରିକି ନିଜର ସାମ୍ୟବାଦୀ ଅର୍ଥନୀତିର ରୂପାନ୍ତର ଘଟାଇ ତାହାକୁ ଏକ ବଜାର ଅର୍ଥନୀତିରେ ପରିଣତ କରି ସାରିଥିବା ତଥାକଥିତ କମ୍ୟୁନିଷ୍ଟ ଦେଶ ଚୀନ୍ ମଧ୍ୟ ଏଥିରୁ ବାଦ୍ ପଡ଼ି ନ ଥାଏ।
କିନ୍ତୁ ଏଭଳି ବୈଷମ୍ୟର ମାତ୍ରା ଅତ୍ୟଧିକ ହେଲେ ତାହା କେବଳ ଅନୈତିକ ଓ ବ୍ରହ୍ମାଣ୍ଡର ଉପରୋକ୍ତ ମୌଳିକ ନିୟମ ଉଲ୍ଲଂଘନ କରିଥାଏ, ତାହା ନୁହେଁ, ସେଥିଯୋଗୁଁ ଘୋର ସାମାଜିକ ଅସ୍ଥିରତା ଓ ବିପ୍ଳବର ସୂତ୍ରପାତ ମଧ୍ୟ ଘଟିଥାଏ, ପୃଥିବୀରେ ଅତୀତରେ ଯାହାର ଏକାଧିକ ଉଦାହରଣ ଦେଖିବାକୁ ମିଳିଛି ତଥା ଯାହା ବର୍ତ୍ତମାନ ମଧ୍ୟ ଶ୍ରୀଲଙ୍କା, ବାଂଲାଦେଶ, ନେପାଳ ଅାଦି ଭାରତର ପଡ଼ୋଶୀ ଦେଶମାନଙ୍କରେ ରାଜନୈତିକ ଭୂମିକମ୍ପ ସୃଷ୍ଟି କରିଛି।
ଏହା ସୁବିଦିତ ଯେ ଭାରତ ହେଉଛି ଏକ ଚରମ ଅର୍ଥନୈତିକ ବୈଷମ୍ୟ ଆକ୍ରାନ୍ତ ଦେଶ। ଅନେକ ପର୍ଯ୍ୟବେକ୍ଷକଙ୍କୁ ଏହା ତେଣୁ ଆଶ୍ଚର୍ଯ୍ୟାନ୍ବିତ କରିଥାଏ ଯେ ଏଠାରେ ସେଭଳି ବିଦ୍ରୋହ ଏ ପର୍ଯ୍ୟନ୍ତ ଘଟିବା ଦେଖାଯାଇନାହିଁ। ଏହାର ବିଭିନ୍ନ କାରଣ ମଧ୍ୟରୁ ଗୋଟିଏ ହେଉଛି ଗତ ଜୁଲାଇରେ ୱର୍ଲଡ ବ୍ୟାଙ୍କ୍‌ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଭାରତରେ ‘ଜିନି ‌େକାଏଫିସିଏଣ୍ଟ୍’ର ମୂଲ୍ୟରେ ଘଟିଥିବା ଉଲ୍ଲେଖନୀୟ ହ୍ରାସ ସମ୍ବନ୍ଧରେ ବହନ କରିଥିବା ସୂଚନା। ‘ଜିନି କୋଏଫିସିଏଣ୍ଟ୍‌’ର ମୂଲ୍ୟ ଏକ ସମାଜରେ ଉପସ୍ଥିତ ଅର୍ଥନୈତିକ ବୈଷମ୍ୟର ମାତ୍ରାକୁ ସୂଚାଇଥାଏ। ୱର୍ଲଡ ବ୍ୟାଙ୍କ୍‌ର ଏହି ରିପୋର୍ଟ ଅନୁସା‌ରେ ଭାରତର ‘ଜିନି କୋଏଫିସିଏଣ୍ଟ୍‌’ରେ କ୍ରମାଗତ ହ୍ରାସ ଘଟି ୨୦୨୨ରେ ତାହାର ମୂଲ୍ୟ ୨୫.୫ରେ ପହଞ୍ଚିଥିଲା, ଯାହା ଭାରତକୁ ପୃଥିବୀର ଚତୁର୍ଥ ସର୍ବାଧିକ ସମାନତାପୂର୍ଣ୍ଣ ସମାଜରେ ପରିଣତ କରିଥାଏ (ତିନିଗୋଟି କ୍ଷୁଦ୍ର ପୂର୍ବ ଇ‌ଉରୋପୀୟ ଦେଶ ପ୍ରଥମ ତିନିଟି ସ୍ଥାନ ଦଖଲ କରିଥିବାରୁ, ଏହା ବସ୍ତୁତଃ ଭାରତକୁ ପୃଥିବୀର ସର୍ବାଧିକ ସମାନତାପୂର୍ଣ୍ଣ ଗୁରୁତ୍ବପୂର୍ଣ୍ଣ ଦେଶର ମର୍ଯ୍ୟାଦା ପ୍ରଦାନ କରିଥାଏ)।
ଏଠାରେ ସୂଚନାଯୋଗ୍ୟ ୱର୍ଲଡ ବ୍ୟାଙ୍କ୍ ରିପୋର୍ଟରେ ପ୍ରଦର୍ଶିତ ଏହି ‘ଜିନି କୋଏଫିସିଏଣ୍ଟ୍’ ଥିଲା ଉପଭୋଗଭିତ୍ତିକ, ଯାହା ଭାରତୀୟମାନଙ୍କ ମଧ୍ୟରେ ଉପଭୋଗ (କନ୍‌ସମ୍ପସନ୍)ର ବଣ୍ଟନରେ ରହିଥିବା ତାରତମ୍ୟର ମାତ୍ରାକୁ ସୂଚାଇଥାଏ- ଯେମିତି ଖାଦ୍ୟ, ବସ୍ତ୍ର, ବାସସ୍ଥାନ, ମନୋରଞ୍ଜନ ଆଦିରେ ସେମାନେ କରୁଥିବା ଖର୍ଚ୍ଚରେ ରହିଥିବା ତାରତମ୍ୟର ମାତ୍ରା। ଭାରତରେ ଏହି ତାରତମ୍ୟ ନୀଚା ହେବାର ଅନ୍ୟତମ କାରଣ ହେଉଛି ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମମାନ ମାଧ୍ୟମରେ ସରକାର ଦେଶର କୋଟି କୋଟି ନିମ୍ନ ଆୟ ବର୍ଗର ହିତାଧିକାରୀମାନଙ୍କର ଉପଭୋଗ କ୍ଷମତାରେ ଘଟାଇଥିବା ବୃଦ୍ଧି। ଉପଭୋଗରେ ଏହି ସାମ୍ୟ ଭାରତୀୟମାନଙ୍କର ଅସନ୍ତୋଷକୁ ନିଶ୍ଚିତ ରୂପେ ସାମୟିକ ଭାବରେ ନିର୍ବାପିତ କରିବାରେ ସହାୟକ ହୋଇଛି, ଏଥିରେ କୌଣସି ସନ୍ଦେହ ନାହିଁ। ଦେଶରେ ଆୟ ଓ ସଂପଦର ବଣ୍ଟନରେ ଦେଖାଯାଇଥିବା ଘୋର ବୈଷମ୍ୟ ଦେଶର ବିଶାଳ ବଞ୍ଚିତ ବର୍ଗ ମଧ୍ୟରେ ଯେଉଁ ବିପ୍ଳବ ସୃଷ୍ଟିକାରୀ କ୍ରୋଧ ସୃଷ୍ଟି କରନ୍ତା, ଉପଭୋଗରେ ବୈଷମ୍ୟ ଦୂର ହେବା ଦ୍ବାରା ତାହା ପ୍ରଶମିତ ହୋଇଯାଇଥାଏ।
କିନ୍ତୁ ଆୟ ଓ ସଂପଦର ବଣ୍ଟନରେ ବୈଷମ୍ୟ ଯଦି ତୀକ୍ଷ୍‌ଣ ଓ ଦୀର୍ଘସ୍ଥାୟୀ ହୋଇଥାଏ, ସେଥିଯୋଗୁଁ ସୃଷ୍ଟି ହେଉଥିବା ଜନ ଅସନ୍ତୋଷ ଏହି ଉପଭୋଗରେ ସମାନତାଜନିତ ସନ୍ତୋଷ ତଳେ ଲୁଚି ରହି କୁହୁଳି ଚାଲିବ, ଯାହା କେତେବେଳେ ବିସ୍ଫୋରକ ରୂପ ନେବ କହିହେବ ନାହିଁ। ଆଉ ଭାରତରେ ଏହି ଆୟ ଓ ସଂପଦର ବଣ୍ଟନରେ ଥିବା ବୈଷମ୍ୟ କିଭଳି ତୀବ୍ର, ତାହା ଅନ୍ୟ ଏକ ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ସଂଗଠନ ଦ୍ବାରା ପ୍ରସ୍ତୁତ ଏକ ସଦ୍ୟ ପ୍ରକାଶିତ ସର୍ବେକ୍ଷଣ ରିପୋର୍ଟରୁ ସ୍ପଷ୍ଟ ହୋଇଥାଏ। ନଭେମ୍ବର ୪ରେ ‘ଜି-୨୦’ ଦ୍ବାରା ଆନ୍ତର୍ଜାତିକ ଅର୍ଥନୈତିକ ବୈଷମ୍ୟ ସଂପର୍କରେ ପ୍ରକାଶ ପାଇଥିବା ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ନୋବେଲ୍ ପୁରସ୍କାରପ୍ରାପ୍ତ ଅର୍ଥନୀତିଜ୍ଞ ଜୋସେଫ୍ ଷ୍ଟିଗ୍‌ଲିଜ୍।
ଭାରତରେ ସଂପଦ ବଣ୍ଟନରେ ଥିବା ବୈଷମ୍ୟ ସୁବିଦିତ: ଦେଶର ମୋଟ ସଂପଦର ୪୦.୧ ଶତାଂଶ ଦେଶର ୧ ଶତାଂଶ ଲୋକଙ୍କର ମାଲିକାନାରେ ଥିବାବେଳେ ଜନସଂଖ୍ୟାର ତଳ ୫୦ ଶତାଂଶଙ୍କ ମାଲିକାନାରେ ଥାଏ ଜାତୀୟ ସଂପଦର ମାତ୍ର ୬.୪ ଶତାଂଶ। ‘ଜି-୨୦’ ରିପୋର୍ଟ ଅନୁସାରେ ୨୦୦୦ରୁ ୨୦୨୪ ମଧ୍ୟରେ ଭାରତର ଜନସଂଖ୍ୟାର ଏଇ ଉପର ୧ ଶତାଂଶଙ୍କର ସଂପଦରେ ୬୨ ଶତାଂଶ ବୃଦ୍ଧି ଘଟିଛି, ଯେଉଁ ସମୟରେ ସାରା ପୃଥିବୀର ଅନୁରୂପ ୧ ଶତାଂଶ ଲୋକଙ୍କର ସଂପଦରେ ମଧ୍ୟ ଏକ ଉଚ୍ଚ ୪୧ ଶତାଂଶ ବୃଦ୍ଧି ଘଟିଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଚୀନ୍ ପାଇଁ ଏହି ପରିସଂଖ୍ୟାନ ହେଉଛି ୫୪ ଶତାଂଶ। ସଂପଦର ବଣ୍ଟନରେ ଏଭଳି ତୀବ୍ର ବୈଷମ୍ୟ ସ୍ବାଭାବିକ ଭାବରେ ଆୟ ବଣ୍ଟନରେ ବୈଷମ୍ୟରେ ରୂପାନ୍ତରିତ ହୋଇଥାଏ, ଯାହା ଏକ ଆନ୍ତର୍ଜାତିକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିବାକୁ ବସିଲାଣି ବୋଲି ରିପୋର୍ଟରେ ଚିନ୍ତା ପ୍ରକଟ କରାଯାଇଛି। ଏଭଳି ବୈଷମ୍ୟ ଯୋଗୁଁ ଅର୍ଥନୈତିକ ସ୍ଥିରତା, ଜଳବାୟୁ ଓ ଗଣତନ୍ତ୍ର ବିପଦଗ୍ରସ୍ତ ହୋଇପଡ଼ିବା ଅନିବାର୍ଯ୍ୟ ବୋଲି ଷ୍ଟିଗ୍‌ଲିଜ୍ ସତର୍କବାଣୀ ଶୁଣାଇଛନ୍ତି। ସ୍ବର୍ଗତ ଫାଙ୍ଗ୍ ଲିଝି ଏବେ ଯଦି ଥାନ୍ତେ, କହନ୍ତେ ବ୍ରହ୍ମାଣ୍ଡର ଅନ୍ୟ ଯେ କୌଣସି ନିୟମର ଉଲ୍ଲଂଘନର ପରିଣତି ଭଳି ସମତା ନିୟମର ଉଲ୍ଲଂଘନର ପରିଣତି ମଧ୍ୟ ମାନବ ସମାଜ ପାଇଁ ଭୟାବହ ହେବା ଅବଧାରିତ। କାରଣ ଈଶ୍ବର ଏକ ବିଷମ ବ୍ରହ୍ମାଣ୍ଡ ସର୍ଜନା କରିନାହାନ୍ତି। ତେବେ ବଣ୍ଟନରେ ସଂଶୋଧନ ଦ୍ବାରା ଏ ବିପଦ ଟାଳିବା ପାଇଁ ଆମ ପାଖରେ ଏବେ ବି ବେଳ ଅଛି, ଯଦିବା ତାହା ସୀମିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe