କମଳାଙ୍କ ଦୌଡ଼!

Advertisment
ବିଡ଼ମ୍ବନା

Twitter

ଏ ଯାବତ୍‌ ଡେମୋକ୍ରାଟ୍‌ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ ଏବଂ ନୂଆ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଦାବିକୁ ଔପଚାରିକ ସମ୍ମତି ପ୍ରଦାନ କରିବା ଲାଗି ଚିକାଗୋରେ ଦଳର ମହାସମ୍ମେଳନ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇନାହିଁ। କିନ୍ତୁ ଏତିକି ସ୍ପଷ୍ଟ ଯେ ଦଳର ଦୌଡ଼କୁ ମନ୍ଥରତା ପ୍ରଦାନ କରୁଥିବା ବାଇଡେନ୍‌ଙ୍କ ବୋଝ ଏବେ ଓହ୍ଲେଇ ସାରିଛି, ବରଂ, ବର୍ତ୍ତମାନ କମଳାଙ୍କ କାନ୍ଧ ଉପରେ ହିଁ ଦଳ ଆସୀନ, ଯାହାଙ୍କ ଦୌଡ଼ ଡେମୋକ୍ରାଟ୍‌ ପାର୍ଟିକୁ ନିର୍ବାଚନ ଲକ୍ଷ୍ୟ ଅତିକ୍ରମ କରିବାରେ ସହାୟକ ହୋଇପାରେ!

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କେବେହେଲେ ଏଭଳି ଘଟଣାର ଘନଘଟା ଦେଖି ନ ଥିଲା, ଯହିଁରେ ଜଣେ ରାଷ୍ଟ୍ରପତି ପ୍ରାର୍ଥୀ ନିହତ ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିବା ‌େବଳେ ତାଙ୍କ ପ୍ରତିପକ୍ଷଙ୍କ ପ୍ରାର୍ଥିତ୍ବ ‘ସାଂକେତିକ’ ଭାବେ ଅପମୃତ୍ୟୁ ଲଭିଛି। କହିବା ଅନାବଶ୍ୟକ ଯେ ରକ୍ଷଣଶୀଳ ‘ରିପବ୍ଲିକାନ୍‌’ ଓ ଉଦାରବାଦୀ ‘ଡେମୋକ୍ରାଟ୍‌’ ପାର୍ଟିର ସମର୍ଥକମାନଙ୍କ ମଧ୍ୟରେ ତୀବ୍ର ଧ୍ରୁବୀକରଣ ହେତୁ ଆମେରିକାର ରାଜନୀତି ଗଭୀର ଭାବେ ବିଭାଜିତ ହୋଇ ପଡ଼ିଛି। ସେହି କାରଣରୁ ଏହି ନିର୍ବାଚନଟି ଅତ୍ୟନ୍ତ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଓ ଉତ୍କଣ୍ଠା ଭରପୂର ହେବ ବୋଲି ଆଶା କରାଯାଉଥିଲା। ତେବେ, ନିର୍ବାଚନ ପ୍ରଚାରର ପ୍ରାରମ୍ଭିକ କାଳରେ ଡେମୋକ୍ରାଟ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ନିକୃଷ୍ଟ ପ୍ରଦର୍ଶନ ପରେ ଅଗତ୍ୟା ସେ ଆଶା ମଉଳିଯାଇ ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପଙ୍କ ବିଜୟକୁ ଏକ ପ୍ରକାର ସୁନିଶ୍ଚିତ କରିବାକୁ ବସିଥିବା ବେଳେ ବାଇଡେନ୍‌ଙ୍କ ପ୍ରାର୍ଥିତ୍ବ ପ୍ରତ୍ୟାହାରର ଘୋଷଣା ଓ ମଞ୍ଚକୁ କମଳା ହାରିସଙ୍କ ସହସା ପ୍ରବେଶ ପୁନର୍ବାର ସ୍ଥିତିରେ ଏକ ବୈଦ୍ୟୁତିକ ଆଲୋଡ଼ନ ସୃଷ୍ଟି କଲାଣି; ଯେଉଁ ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଯୁକ୍ତରାଷ୍ଟ୍ର ଆମେରିକାରେ ଜଣେ କ୍ଷମତାସୀନ ରାଷ୍ଟ୍ରପତି ପରବର୍ତ୍ତୀ ନିର୍ବାଚନରେ ଦ୍ବିତୀୟ ବାର ଅବତୀର୍ଣ୍ଣ ହେବା ଏକ ପରଂପରା ସଦୃଶ ହୋଇଥିବାରୁ ଜୋ ବାଇଡେନ୍‌ଙ୍କ ପ୍ରାର୍ଥିତ୍ବ ପ୍ରଶ୍ନାତୀତ ଥିଲା। କିନ୍ତୁ ବର୍ତ୍ତମାନ ଏହା ସୁବିଦିତ କିଭଳି ପ୍ରଥମ ଟେଲିଭିଜନ୍‌ ବିତର୍କ ଓ ଆଦ୍ୟ ନିର୍ବାଚନ ପ୍ରଚାର କାଳରେ ଜଣେ ଘୁମନ୍ତ, ମନ୍ଥର ଓ ଅନ୍ୟମନସ୍କ ବାଇଡେନ୍‌ଙ୍କୁ ଦେଖିବାକୁ ମିଳିଥିଲା ଯିଏ ସ୍ମୃତି ବିଭ୍ରଂଶ ଓ ବାକ୍‌ ସ୍ଖଳନର କ୍ରମାଗତ ଉଦାହରଣମାନ ରଖି ଚାଲିଥିଲେ ଏବଂ ତହିଁରେ ଛାନିଅା ‘ଡେମୋକ୍ରାଟ୍‌’ ସମର୍ଥକମାନେ ତାଙ୍କ ପ୍ରାର୍ଥିତ୍ବ ପ୍ରତ୍ୟାହାର ସକାଶେ ତୀବ୍ର ଦାବି କରିବା ଆରମ୍ଭ କରିଦେଇଥିଲେ; ଏହା ମଧ୍ୟ ଏକ ବାସ୍ତବତା ଯେ ‘ପାର୍‌କିନ୍‌ସନ୍‌’ ବ୍ୟାଧିର ଲକ୍ଷଣ ପ୍ରଦର୍ଶନ କରୁଥିବା ବୃଦ୍ଧ ବାଇଡେନ୍‌ ଲୋକ ଦୃଷ୍ଟିରେ ଏଥିଲାଗି ଅଯୋଗ୍ୟ ମଧ୍ୟ ହୋଇସାରିଥିଲେ। ଅପର ପକ୍ଷେ ଏକ ଭରା ଜନସଭାରେ ଟେଲିଭିଜନ ସିଧା ପ୍ରସାରଣ ଚାଲିଥିବା ବେଳେ ହତ୍ୟା ଉଦ୍ୟମରୁ ରକ୍ଷା ପାଇ ଯାଇଥିବା ଆହତ ଟ୍ରମ୍ପଙ୍କ ସକାଶେ ସମବେଦନା ଓ ସମର୍ଥନ ପ୍ରବଳ ହେବାରେ ଲାଗିଥିଲା। ସେହି ଦୃଷ୍ଟିରୁ ନିର୍ବାଚନକୁ ଆଉ ମାତ୍ର ତିନି ମାସ ବାକୀ ଥିବା ବେଳେ ବାଇଡେନ୍‌ଙ୍କ ପ୍ରାର୍ଥିତ୍ବ ପ୍ରତ୍ୟାହାର ନିଷ୍ପତ୍ତିକୁ ଅପରିଣାମଦର୍ଶୀ ବିଳମ୍ବ ବୋଲି ମଧ୍ୟ ରାଜନୈତିକ ସମୀକ୍ଷକମାନେ ଅଭିହିତ କରିଛନ୍ତି। ସେହି ଦୃଷ୍ଟିରୁ ନୂତନ ଡେମୋକ୍ରାଟ୍‌ ରାଷ୍ଟ୍ରପତି ପ୍ରାର୍ଥୀ ରୂପେ କମଳା ହାରିସଙ୍କ ଉଦ୍ୟମ ଶୃଙ୍ଗାରୋହଣ ତୁଲ୍ୟ ଅତ୍ୟନ୍ତ ଅୟସସାଧ୍ୟ ହେବାକୁ ଯାଉଛି ବୋଲି ସେମାନେ କହିଥାଆନ୍ତି। ଏହା ମଧ୍ୟ ସତ ଯେ ଏଭଳି ଏକ ସ୍ଥିତିର ଅନ୍ଦାଜ ଲଗାଇ ପୂର୍ବରୁ ପଜାଇ ରଖିଥିବା ଅସ୍ତ୍ରରେ ରିପବ୍ଲିକାନ୍‌ମାନେ କମଳାଙ୍କ ଉପରେ ଆକ୍ରମଣ ଆରମ୍ଭ କଲେଣି, ଯହିଁରେ ବ୍ୟକ୍ତିଗତ ଜୀବନରୁ ନେଇ ସାର୍ବଜନିକ ଜୀବନ (ସିନେଟର୍‌ରୁ ଉପରାଷ୍ଟ୍ରପତି ହେବା ଯାଏ) ପର୍ଯ୍ୟନ୍ତ କ୍ଷେତ୍ରରେ ଘଟିଥିବା ବିଚ୍ୟୁତି ଓ ବିଫଳତାର ଆକ୍ଷେପ ଏବଂ ବିଦ୍ରୂପର ଶିକାର ହେଲାଣି; ଏପରିକି ଜୋ‌ ବାଇଡେନ୍‌ଙ୍କ ଆହ୍ବାନରେ ଡେମୋକ୍ରାଟ୍ ଦଳର ନିର୍ବାଚନ ବ୍ୟୟ ସକାଶେ ଠୁଳ ହୋଇଥିବା ୧୧ ନିୟୁତ ଡଲାର ଉପରେ କମଳାଙ୍କ ଅଧିକାରକୁ ପ୍ରଶ୍ନ ଜର୍ଜର କରାଗଲାଣି। କିନ୍ତୁ ସତ କହିଲେ କମଳା ହାରିସଙ୍କ ଆଗମନ ଡେମୋକ୍ରାଟ୍‌ ଦଳର ସମର୍ଥକ ଓ ପୃଷ୍ଠପୋଷକମାନଙ୍କ ମଧ୍ୟରେ ଏଭଳି ବିପୁଳ ଉତ୍ସାହ ସୃଷ୍ଟି କରିଛି ଯେ ସମ୍ଭାବ୍ୟ (!) ରାଷ୍ଟ୍ରପତି ପ୍ରାର୍ଥୀ ରୂପେ ତାଙ୍କ ଆବିର୍ଭାବ ଘଟିବାର ମାତ୍ର ୪୦ ଘଣ୍ଟା ମଧ୍ୟରେ ଦଳ ନିକଟରେ ୨୦୦ ନିୟୁତ ଡଲାରର ଏକ ବିଶାଳ ପାଣ୍ଠି ସୃଷ୍ଟି ହୋଇ ରୀତିମତ ଏକ ରେକର୍ଡ ସୃଷ୍ଟି କଲାଣି। କେବଳ ସେତିକି ନୁହେଁ, ରାଷ୍ଟ୍ରପତି ପ୍ରାର୍ଥୀ ରୂପେ କମଳା ହାରିସଙ୍କ ମଞ୍ଚ ପ୍ରବେଶ ପରେ ଆମେରିକାରେ ହୋଇଥିବା ଏକ ଜନମତ ସର୍ଭେରେ କମଳା ହାରିସଙ୍କୁ ଡୋନାଲ୍‌ଡ ଟ୍ରମ୍ପଙ୍କ ଠାରୁ ୨% ଆଗୁଆ ଦେଖିବାକୁ ମିଳିଛି, ଯାହା ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଥମ ଥର ଲାଗି ଡେମୋକ୍ରାଟ୍‌ ଦଳ ସକାଶେ ଉଲ୍ଲାସର କ୍ଷଣ ସୃଷ୍ଟି କରିଛି। କହିବା ବାହୁଲ୍ୟ, ଗୁଳି ମାଡ଼ର ଶିକାର ହେବା ପରେ ଏକ ‘ହିରୋ’ରେ ପରିଣତ ହୋଇଥିବା ଟ୍ରମ୍ପଙ୍କ ସମକ୍ଷରେ ବାଇଡେନ୍‌ ଅତ୍ୟନ୍ତ ନିଷ୍ପ୍ରଭ ଦିଶୁଥିଲେ, ଯେଉଁ ସ୍ଥିତିରେ ପରିବର୍ତ୍ତନ ଘଟି ବର୍ତ୍ତମାନ ଅନ୍ତତଃ ପକ୍ଷେ ଏକ ସଂଘର୍ଷର ସମ୍ଭାବନା ଦିଶିଥାଏ। ପୁଣି, ଟ୍ରମ୍ପଙ୍କୁ ଘୋଟି ରହିଥିବା ଉଚ୍ଛୃଙ୍ଖଳତା ଓ ଯୌନ କେଳେଙ୍କେରିର କଳଙ୍କ ସଂଦର୍ଭରେ ପୀଡ଼ିତାମାନଙ୍କ ପ୍ରତିନିଧିତ୍ବ କଲା ଭଳି ଜଣେ ମହିଳାଙ୍କ ଆଗମନ ମଧ୍ୟ କମଳାଙ୍କ ସ୍ଥିତିକୁ ଦୃଢ଼ କରିବ ବୋଲି ବିଶେଷଜ୍ଞଙ୍କ ମତ। ଗଣତନ୍ତ୍ର, ଉଦାରବାଦ ଓ ବୈଷମ୍ୟମୁକ୍ତ ସମାଜର ଧ୍ରୁବତାରା ରୂପେ ନିଜକୁ ଅଭିହିତ କରୁଥିବା ଆମେରିକାରେ ଏ ଯାବତ୍ ଜଣେ ମହିଳା ରାଷ୍ଟ୍ରପତି ହେବାର ସୌଭାଗ୍ୟ ଲାଭ କରି ପାରିନାହାନ୍ତି; ୨୦୧୬ ମସିହାରେ ହିଲାରୀ କ୍ଲିଣ୍ଟନ ଏହି ଉଦ୍ୟମରେ ବିଫଳ ହୋଇଥିଲେ। ସୁତରାଂ, ଜଣେ ମହିଳା ଓ କୃଷ୍ଣାଙ୍ଗୀ ହୋଇଥିବାରୁ ତଥାକଥିତ ଆମେରିକୀୟ ଯଥାର୍ଥତାବୋଧ କମଳାଙ୍କୁ ବିଜୟୀ କରିଦେବାର ପ୍ରଚୁର ସମ୍ଭାବନା ମଧ୍ୟ ରହିଛି। ସୁତରାଂ, କମଳାଙ୍କ ଦୌଡ଼ ଯେ ଅ‌େନକ ରୋଚକ ମୁହୂର୍ତ୍ତ ସୃଷ୍ଟି କରିବ, ଏହା ନିଃସନ୍ଦେହ।
ଅଧିକାଂଶ ଆମେରିକୀୟ ୧୯୬୮ ମସିହା ରାଷ୍ଟ୍ରପତି ନିର୍ବାଚନ ସହିତ ଏହି ନିର୍ବାଚନର ଅନେକ ସାମଂଜସ୍ୟ ଦେଖିଥାଆନ୍ତି। ୧୯୬୮ ମସିହାରେ ଭିଏତ୍‌ନାମ ଯୁଦ୍ଧକୁ ନେଇ ଆମେରିକୀୟ ବିଶ୍ବବିଦ୍ୟାଳୟଗୁଡ଼ିକରେ ସୃଷ୍ଟ ତୁମୂଳ ବିରୋଧର ପ୍ରତିଧ୍ବନି ସେହି ସବୁ ବିଶ୍ବବିଦ୍ୟାଳୟରେ ଗାଜା ଉପରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣକୁ ଆମେରିକାର ସମର୍ଥନ ବିରୋଧୀ ପ୍ରଦର୍ଶନମାନଙ୍କରେ ବର୍ତ୍ତମାନ ଶୁଣିବାକୁ ମିଳିଥାଏ। ଏହିଭଳି ତୀବ୍ର ବିରୋଧ କାରଣରୁ ତତ୍କାଳୀନ ଡେମୋକ୍ରାଟ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଲିଣ୍ଡସେ ଜନ୍‌ସନ୍‌ ମଧ୍ୟ ନିର୍ବାଚନ ଦୌଡ଼ରୁ ଓହରି ଯାଇଥିଲେ। ପୁଣି, ଏହି ନିର୍ବାଚନରେ ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍‌ଡ ଟ୍ରଂପ୍‌ଙ୍କ ଭଳି ୧୯୬୮ ମସିହାର ନିର୍ବାଚନରେ ରିପବ୍ଲିକାନ୍‌ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ରିଚାର୍ଡ ନିକ୍‌ସନ୍‌ ମଧ୍ୟ ପୂର୍ବବର୍ତ୍ତୀ ନିର୍ବାଚନରେ ପରାଜିତ ହୋଇଥିଲେ। ୧୯୬୮ ମସିହାରେ ରାଷ୍ଟ୍ରପତି ପଦ ସକାଶେ ପ୍ରାର୍ଥୀ ଚୟନ ଲାଗି ଆୟୋଜିତ ଚିକାଗୋ କନ୍‌ଭେନ୍‌ସନ୍‌ ବା ମହାସ‌େମ୍ମଳନରେ ତୀବ୍ର ବିବାଦ ଓ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା, ଯାହାର ପୁନରାବୃତ୍ତି, ବାଇଡେନ୍‌ ପ୍ରାର୍ଥିତ୍ବ ପ୍ରତ୍ୟାହାର କରି ନ ଥିଲେ, ହୁଏତ ଘଟିଥାଆନ୍ତା! ତେବେ, ଏହି ସବୁ ସାମଂଜସ୍ୟ ମଧ୍ୟରେ ଯେଉଁ ମୁଖ୍ୟ ବୈସାଦୃଶ୍ୟଟି ଥିଲା ତାହା ହେଲା ଲିଣ୍ଡସେ ଜନ୍‌ସନ୍‌ ଯଥେଷ୍ଟ ସମୟ ଆଗରୁ ପ୍ରାର୍ଥିତ୍ବ ପ୍ରତ୍ୟାହାର କରିଥିବା ବେଳେ ବାଇଡେନ୍‌ଙ୍କ ସଂଦର୍ଭରେ ଏଥିରେ ଅନେକ ବିଳମ୍ବ ଘଟିଛି।
ଏକ ଆମେରିକୀୟ ସମ୍ବାଦପତ୍ରରେ ଯେଉଁ ଶିରୋନାମା ପ୍ରକାଶିତ ହୋଇଛି, ତାହାର ମର୍ମାନୁବାଦ ହେଲା: ‘ଟ୍ରଂପ୍‌ଙ୍କୁ ଗୁଳି ମାଡ଼, ବାଇଡେନ୍‌ ହତ।’ ଅତି ନିଷ୍ଠୁର ଶୁଣାଯାଉଥିଲେ ହେଁ ଅନେକଙ୍କ ମତରେ ବାଇଡେନ୍‌ଙ୍କ ଏଭଳି ରାଜନୈତିକ ଅପମୃତ୍ୟୁ ଦଳ ସକାଶେ ଏକ ଆବଶ୍ୟକତା ଥିଲା। କାରଣ ବାଇଡେନ୍‌ ନାମକ ସମସ୍ୟାକୁ ଦୂର କରିବାରେ ଦୃଷ୍ଟି କେନ୍ଦ୍ରୀଭୂତ କରି ରଖିଥିବା ଡେମୋକ୍ରାଟ୍‌ ଦଳ, ପ୍ରତିପକ୍ଷ ଟ୍ରମ୍ପଙ୍କ ଆ‌ଡ଼କୁ ଚାହିଁବାର ବେଳ ମଧ୍ୟ ପାଉ ନ ଥିଲା। ଏ ଯାବତ୍‌ ଡେମୋକ୍ରାଟ୍‌ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ ଏବଂ ନୂଆ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଦାବିକୁ ଔପଚାରିକ ସମ୍ମତି ପ୍ରଦାନ କରିବା ଲାଗି ଚିକାଗୋରେ ଦଳର ମହାସମ୍ମେଳନ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇନାହିଁ। କିନ୍ତୁ ଏତିକି ସ୍ପଷ୍ଟ ଯେ ଦଳର ଦୌଡ଼କୁ ମନ୍ଥରତା ପ୍ରଦାନ କରୁଥିବା ବାଇଡେନ୍‌ଙ୍କ ବୋଝ ଏବେ ଓହ୍ଲେଇ ସାରିଛି, ବରଂ, ବର୍ତ୍ତମାନ କମଳାଙ୍କ କାନ୍ଧ ଉପରେ ହିଁ ଦଳ ଆସୀନ, ଯାହାଙ୍କ ଦୌଡ଼ ଡେମୋକ୍ରାଟ୍‌ ପାର୍ଟିକୁ ନିର୍ବାଚନ ଲକ୍ଷ୍ୟ ଅତିକ୍ରମ କରିବାରେ ସହାୟକ ହୋଇପାରେ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe