ଆସ୍ଥାର ଲଡୁ

Advertisment

ଇତିମଧ୍ୟରେ ‘ତିରୁପତି ଟେଂପଲ ଟ୍ରଷ୍ଟ’ ପକ୍ଷରୁ କୁହାଯାଇଛି ଯେ ମନ୍ଦିରର ଆରାଧ୍ୟ ଶ୍ରୀ ଭେଙ୍କଟେଶ୍ବରଙ୍କ ନିକଟରେ ନୈବେଦ୍ୟ ରୂପେ ଅର୍ପଣ କରାଯାଉଥିବା ଲଡୁର ପ୍ରସ୍ତୁତି ସ୍ବତନ୍ତ୍ର ଭାବେ ମନ୍ଦିର ପ୍ରଶାସନର ପ୍ରତ୍ୟକ୍ଷ...

ଇତିମଧ୍ୟରେ ‘ତିରୁପତି ଟେଂପଲ ଟ୍ରଷ୍ଟ’ ପକ୍ଷରୁ କୁହାଯାଇଛି ଯେ ମନ୍ଦିରର ଆରାଧ୍ୟ ଶ୍ରୀ ଭେଙ୍କଟେଶ୍ବରଙ୍କ ନିକଟରେ ନୈବେଦ୍ୟ ରୂପେ ଅର୍ପଣ କରାଯାଉଥିବା ଲଡୁର ପ୍ରସ୍ତୁତି ସ୍ବତନ୍ତ୍ର ଭାବେ ମନ୍ଦିର ପ୍ରଶାସନର ପ୍ରତ୍ୟକ୍ଷ...

samp1

ଇତିମଧ୍ୟରେ ‘ତିରୁପତି ଟେଂପଲ ଟ୍ରଷ୍ଟ’ ପକ୍ଷରୁ କୁହାଯାଇଛି ଯେ ମନ୍ଦିରର ଆରାଧ୍ୟ ଶ୍ରୀ ଭେଙ୍କଟେଶ୍ବରଙ୍କ ନିକଟରେ ନୈବେଦ୍ୟ ରୂପେ ଅର୍ପଣ କରାଯାଉଥିବା ଲଡୁର ପ୍ରସ୍ତୁତି ସ୍ବତନ୍ତ୍ର ଭାବେ ମନ୍ଦିର ପ୍ରଶାସନର ପ୍ରତ୍ୟକ୍ଷ ଓ ସତର୍କ ତତ୍ତ୍ବାବଧାନରେ ହେଉଥିବାରୁ ତହିଁରେ ଅପମିଶ୍ରଣ ଘଟିଥିବାର ଲେଶ ମାତ୍ର ସମ୍ଭାବନା ନାହିଁ। ତେବେ, ଏକ ବିଶଦ ଅନୁସନ୍ଧାନ ପରେ ଯାଇ ଏ ସଂଦର୍ଭରେ ଅନେକ ପ୍ରସ୍ଥ କ୍ରମେ ଉନ୍ମୋଚିତ ହେବ ତଥା କୌଣସି ଏକ ନିର୍ଦ୍ଦିଷ୍ଟ ନିଷ୍କର୍ଷରେ ପହଞ୍ଚି ହେବ।

ଗଲା ଗୁରୁବାର ଦିନ ଯେଉଁ ଏକ ଅତ୍ୟନ୍ତ ଅବିଶ୍ବସନୀୟ ଖବର ପ୍ରକାଶିତ ଓ ପ୍ରସାରିତ ହୋ‌ଇ ପୃଥିବୀ ତମାମ କୋଟି କୋଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ଠାରେ ଅବିମୋଚନୀୟ ମର୍ମଦାହ ଓ ନିରୁପାୟ ପାପବୋଧ ଜାତ କରିଛି, ତାହା ହେଲା ଆନ୍ଧ୍ରପ୍ରଦେଶର ବିଶ୍ବପ୍ରସିଦ୍ଧ ତିରୁପତି ମନ୍ଦିର (ତିରୁପତି ତିରୁମଲା ଦେବସ୍ଥାନମ୍‌)ରେ ପ୍ରସା‌ଦ ରୂପେ ଉପଲବ୍‌ଧ ‘ଲଡୁ’ରେ ଧର୍ମ-ଭ୍ରଷ୍ଟ କଲା ଭଳି ଅପମିଶ୍ରଣର ଅଭିଯୋଗ! ପ୍ରାପ୍ତ ସମ୍ବାଦ ଅନୁସାରେ ଗୁଜରାଟସ୍ଥିତ ‘ନେସ୍‌ନାଲ୍‌ ଡାଇରି ଡେଭଲପ୍‌ମେଣ୍ଟ ବୋର୍ଡ‌’ ବା ‘ଏନ୍‌.ଡି.ଡି.ବି.’ର ପରୀକ୍ଷାଗାରରେ ‘ଲଡୁ ପ୍ରସାଦମ୍‌’ର ନମୁନା ପରୀକ୍ଷଣ ପରେ ଜଣାପଡ଼ିଛି ଯେ ତାହାର ପ୍ରସ୍ତୁତିରେ ବ୍ୟବହୃତ ଘିଅରେ ‘ଏନିମଲ୍‌ ଫ୍ୟାଟ୍‌’ ବା ‘ପ୍ରାଣୀଜ ଚର୍ବି’ର ଅଂଶ ରହିଛି। କହିବା ବାହୁଲ୍ୟ, ଏଭଳି ଅପାର ଚାଞ୍ଚଲ୍ୟକର ସୂଚନା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଠାରୁ ନିସୃତ ହେବା ପରେ ସ୍ବାଭାବିକ ଭାବେ ଘଟଣାଟି ତୀବ୍ର ରାଜନୀତୀକରଣର ଶିକାର ହୋଇଛି। କିନ୍ତୁ ଏ ପରିପ୍ରେକ୍ଷୀରେ ଯାହା ଅଧିକ ଉଦ୍‌ବେଗଜନକ, ତାହା ହେଲା ଶଂସିତ ଘଟଣାର ସାଂପ୍ରଦାୟିକୀକରଣ! ଉଲ୍ଲେଖଯୋଗ୍ୟ ଯେ ଅପମିଶ୍ରିତ ‘ଲଡୁ ପ୍ରସାଦମ୍‌’ ସେବନ କାରଣରୁ ଅପବିତ୍ର ହୋଇଥିବାର ଭାବନା ଦ୍ବାରା ଦଗ୍‌ଧ ଶ୍ରଦ୍ଧାଳୁଙ୍କ ସଂଖ୍ୟା କିଭଳି ବିଶାଳ ହୋଇପାରେ, ସେ ସମ୍ବନ୍ଧରେ ଧାରଣା କେବଳ ଏଥିରୁ ମିଳିଥାଏ ଯେ ଏହି ‘ଲଡୁ’ର ବିକ୍ରୟରୁ ତିରୁପତି ମନ୍ଦିର ପ୍ରତି ବର୍ଷ ୫୦୦ କୋଟି ଟଙ୍କା ଉପାର୍ଜନ କରିଥାଏ। ଏଭଳି ସ୍ଥଳେ ଏହି ଅତ୍ୟନ୍ତ ସ୍ପର୍ଶକାତର ବିଷୟରେ ଯେ ଏକ ସମ୍ୟକ ଅଥଚ କ୍ଷୁଦ୍ର ଆଲୋଚନା ଆବଶ୍ୟକ, ଏଥିରେ ଦ୍ବିରୁକ୍ତି ନାହିଁ। 
ପ୍ରଥମରୁ କହି ରଖିବା ଉଚିତ ଯେ ଏହି ଘଟଣାକୁ ଘୋଟି ରହିଛି ସଂଶୟର ଧୂମ ପଟଳ, ଯାହାକୁ ପରିଷ୍କାର କରାଯିବା ଅତ୍ୟନ୍ତ ଜରୁରି, ଯେଉଁଥି ଲାଗି କେତେକ ପ୍ରଶ୍ନର ଉତ୍ତର ଲୋଡ଼ାଯିବା ଆବଶ୍ୟକ। ପ୍ରଥମ ପ୍ରଶ୍ନଟି ହେଲା, ଗଲା ଜୁଲାଇ ମାସରୁ ‘ଏନ୍‌.ଡି.ଡି.ବି.’ର ପରୀକ୍ଷଣ ରିପୋର୍ଟ ଆସି ସାରିଥିଲେ ହେଁ ପ୍ରାୟ ଦେଢ଼ ମାସ ପରେ ଅର୍ଥାତ୍‌ ରାଜ୍ୟରେ ‘ତେଲୁଗୁ ଦେଶମ ପାର୍ଟି’ ବା ‘ଟି.ଡି.ପି’ କ୍ଷମତାସୀନ ହେବାର ଶହେ ଦିନ ପୂର୍ତ୍ତି ଅବସରରେ ଏ ବିଷୟ ଉଜାଗର କରାଗଲା କାହିଁକି? ଏ ସଂଦର୍ଭରେ ‘ଟି.ଡି.ପି’ର କୈଫିୟତ ଯାହା ହୋଇଥାଉ ନା କାହିଁକି ଅନେକ ପର୍ଯ୍ୟବେକ୍ଷକ ଏଥିରେ ରାଜନୈତିକ ଅଭିସନ୍ଧି ଦେଖନ୍ତି; କାରଣ ପୂର୍ବବର୍ତ୍ତୀ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍‌ଡୀ ଓ ତାଙ୍କ ସରକାରକୁ ଅପଦସ୍ଥ କରିବା ଲାଗି ଏହା ହିଁ ବର୍ତ୍ତମାନ ସକାଶେ ସର୍ବୋତ୍ତମ ସୁଯୋଗ! ‘ଟି.ଡି.ପି’ର ଅଭିଯୋଗ ଅନୁସାରେ ଜଗନ ରେଡ୍‌ଡୀଙ୍କ କାର୍ଯ୍ୟକାଳ ମଧ୍ୟରେ ଏକ ବିପୁଳ ପରିମାଣର ‘ଲଡୁ ପ୍ରସାଦମ୍‌’ର ଯୋଗାଣ ଦାୟିତ୍ବ ତାମିଲନାଡୁର ଏକ ଅନୁଷ୍ଠାନ ଉପରେ ‘ଆଉଟ୍‌ସୋର୍ସିଂ’ ହିସାବରେ ନ୍ୟସ୍ତ କରାଯାଇଥିଲା, ଯାହାର ନମୁନାରୁ ଏଭଳି ଅପମିଶ୍ରଣର ପ୍ରମାଣ ମିଳିଛି। ଏହା ଖୁବ୍‌ ସମ୍ଭବ ଯେ ସର୍ବନିମ୍ନ ଦରରେ ଲଡୁ ଯୋଗାଇବା ଲାଗି ପ୍ରତିଶ୍ରୁତି ଆବଦ୍ଧ ଟେଣ୍ଡରଧାରୀ ସଂସ୍ଥା ଅତ୍ୟନ୍ତ ଶସ୍ତା ଓ ନିକୃଷ୍ଟ ମାନର ଘିଅ ବ୍ୟବହାର କରିଥିବ, ଯହିଁରେ ଏଭଳି ବିକୃତି ଥାଇପାରେ! କିନ୍ତୁ, ଜଗନମୋହନଙ୍କ ସପକ୍ଷବାଦୀମାନେ ପଚାରି ଥାଆନ୍ତି ଯେ ‘ଲଡୁ ପ୍ରସାଦମ୍‌’ର ଉତ୍କର୍ଷ ଯାଞ୍ଚ କରିବା ଲାଗି ତିରୁପତି ମନ୍ଦିର ପ୍ରଶାସନର ନିଜସ୍ବ ଏକ ଅତ୍ୟାଧୁନିକ ପରୀକ୍ଷାଗାର ବିଦ୍ୟମାନ ଥିବା ବେଳେ ନମୁନାକୁ ସୁଦୂର ଗୁଜରାଟ ପଠାଗଲା କାହିଁକି? ହାଇଦ୍ରାବାଦରେ ଖାଦ୍ୟ ଦ୍ରବ୍ୟର ଗୁଣମାନ ଯାଞ୍ଚ କରିବା ଲାଗି ଅତ୍ୟାଧୁନିକ ଜାତୀୟ ସ୍ତରରେ ପ୍ରସିଦ୍ଧ ପରୀକ୍ଷାଗାର ମଧ୍ୟ ରହିଛି! ଅବଶ୍ୟ, ‘ଏନ୍‌.ଡି.ଡି.ବି.’ର ବିଶ୍ବସନୀୟତା ଅତି ଉଚ୍ଚ ସ୍ତରୀୟ, କିନ୍ତୁ ଘଟଣାଟିର ରାଜନୀତୀକରଣ ହୋଇଗଲା ପରେ ‘ଏନ୍‌.ଡି.ଡି.ବି.’ର ରିପୋର୍ଟକୁ ନେଇ ମଧ୍ୟ ସନ୍ଦେହ ପ୍ରକଟ କରାଯାଉଛି। କେନ୍ଦ୍ରରେ କ୍ଷମତାରୂଢ଼ ‘ଏନ୍‌.ଡି.ଏ.’ ସରକାରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶୀଦାର ଦଳ ରୂପେ ‘ଟି.ଡି.ପି.’ ସଂପ୍ରତି ଏକ ବିଶେଷ ପ୍ରଭାବଶାଳୀ ଭୂମିକାରେ ଦୃଶ୍ୟମାନ ହେଉଛି; ଯାହା ଫଳରେ ଅନେକଙ୍କ ମନରେ ଧାରଣା ସୃଷ୍ଟି ହୋଇଥାଏ ଯେ ଗୁଜରାଟର ବିଜେପି ସରକାରଙ୍କ ପ୍ରଭାବ ସାହାଯ୍ୟରେ ଏକ ବିଭ୍ରାନ୍ତିକର ରିପୋର୍ଟ ସମ୍ଭବ କରାଯାଇ ନାହିଁ ତ? ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ଓ ‘ସି.ବି.ଆଇ.’ ଅନୁସନ୍ଧାନ ସକାଶେ ସେ ପ୍ରସ୍ତୁତ ବୋଲି ଜଗନ ମୋହନ ସ୍ପଷ୍ଟ କରିଛନ୍ତି। ଘଟଣାଟି ଉପରୁ ସନ୍ଦେହର ଛାୟା ଅପସାରଣ କରିବା ଲାଗି ଏକ ପୁଙ୍ଖାନୁପୁଙ୍ଖ ଯାଞ୍ଚ ଯେ ସର୍ବାଦୌ ଆବଶ୍ୟକ, ଏଥିରେ ସନ୍ଦେହ ନାହିଁ। 
ଦ୍ବିତୀୟ ପ୍ରଶ୍ନ ହେଲା ରିପୋର୍ଟରେ କେବଳ ‘ପ୍ରାଣୀଜ ଚର୍ବି’ ବୋଲି ଉଲ୍ଲେଖ ଥିଲେ ସୁଦ୍ଧା ତାହା ଗୋ ଚର୍ବ ଓ ମାଛ ତେଲ ବୋଲି ଏକ ବ୍ୟାଖ୍ୟାନ ସୃଷ୍ଟି ହେଲା କାହିଁକି? ସୁତରାଂ, ବିପଜ୍ଜନକ ସାଂପ୍ରଦାୟିକୀକରଣର ଉଦ୍ୟମ ମଧ୍ୟ ଆରମ୍ଭ ହୋଇଛି! ଏହାର ଉଦାହରଣ ମିଳିଥାଏ ତେଲୁଗୁ ଦେଶମ ପାର୍ଟିର ଜନୈକ ମୁଖପାତ୍ର ପ୍ରଫେସର ଜ୍ୟୋତ୍ସ୍ନାଙ୍କ ମନ୍ତବ୍ୟରୁ, ଯିଏ ଏକ ଜାତୀୟ ଟେଲିଭିଜନ ବିତର୍କରେ ଅଂଶଗ୍ରହଣ କରି ଅଭିଯୋଗ କରିଛନ୍ତି ଯେ ଜଗନ ରେଡ୍‌ଡୀ ଜଣେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଏବଂ ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ଲାଗି ଏହା ତାଙ୍କର ଏକ ସୁପରିକଳ୍ପିତ ଚକ୍ରାନ୍ତ। ନିଜ ମନ୍ତବ୍ୟକୁ ସାବ୍ୟସ୍ତ କରିବା ଲାଗି ସେ ଜଗନ ରେଡ୍‌ଡୀଙ୍କ ଶାସନ ଅବଧିରେ ଘଟିଥିବା ଏଭଳି କେତେକ ଘଟଣାର ଅବତାରଣା କରିଥିଲେ, ଯହିଁରେ ହିନ୍ଦୁ ଉପାସନା ସ୍ଥଳର ଅପବିତ୍ରୀକରଣ କରାଯାଇଥିଲା। କହିବା ଅନାବଶ୍ୟକ ଯେ ‘ଲଡୁ ପ୍ରସାଦମ୍‌’ର ଅପମିଶ୍ରଣକୁ କେନ୍ଦ୍ର କରି ସାଂପ୍ରଦାୟିକ ବିଦ୍ବେଷମୂଳକ ଉଚ୍ଚାଟ କେତେକ ଗଣମାଧ୍ୟମରେ ତୀବ୍ରତା ଲାଭ କରିଛି। କିନ୍ତୁ କଥା ହେଲା, ଭୟଙ୍କର ରାଜନୈତିକ ପରିଣାମ ଦୃଷ୍ଟିରୁ ଏଭଳି ଏକ ଅତ୍ୟନ୍ତ ଆତ୍ମଘାତୀ କାର୍ଯ୍ୟ କୌଣସି ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ କରାଯାଇଥିବା ଅସମ୍ଭବ ଭଳି ଲାଗିଥାଏ। କିନ୍ତୁ, ଅଜାଣତରେ ହୋଇଥିଲେ ହେଁ ଏଭଳି ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗରେ ସାମାନ୍ୟ ବିଫଳତାକୁ ମଧ୍ୟ ଦାୟିତ୍ବହୀନତା ବୋଲି ବୁଝାଯିବ ଏବଂ ଏଥି ଲାଗି ସେ ଉତ୍ତରଦାୟୀ ହେବାକୁ ବାଧ୍ୟ। ଅବଶ୍ୟ, ଇତିମଧ୍ୟରେ ‘ତିରୁପତି ଟେଂପଲ ଟ୍ରଷ୍ଟ’ ପକ୍ଷରୁ କୁହାଯାଇଛି ଯେ ମନ୍ଦିରର ଆରାଧ୍ୟ ଶ୍ରୀ ଭେଙ୍କଟେଶ୍ବରଙ୍କ ନିକଟରେ ନୈବେଦ୍ୟ ରୂପେ ଅର୍ପଣ କରାଯାଉଥିବା ଲଡୁର ପ୍ରସ୍ତୁତି ସ୍ବତନ୍ତ୍ର ଭାବେ ମନ୍ଦିର ପ୍ରଶାସନର ପ୍ରତ୍ୟକ୍ଷ ଓ ସତର୍କ ତତ୍ତ୍ବାବଧାନରେ ହେଉଥିବାରୁ ତହିଁରେ ଅପମିଶ୍ରଣ ଘଟିଥିବାର ଲେଶ ମାତ୍ର ସମ୍ଭାବନା ନାହିଁ। ତେବେ, ଏକ ବିଶଦ ଅନୁସନ୍ଧାନ ପରେ ଯାଇ ଏ ସଂଦର୍ଭରେ ଅନେକ ପ୍ରସ୍ଥ କ୍ରମେ ଉନ୍ମୋଚିତ ହେବ ତଥା କୌଣସି ଏକ ନିର୍ଦ୍ଦିଷ୍ଟ ନିଷ୍କର୍ଷରେ ପହଞ୍ଚି ହେବ।
ତେଣୁ, ନିଷ୍କର୍ଷକୁ ଅପେକ୍ଷା ନକରି କୌଣସି ବ୍ୟକ୍ତିଙ୍କୁ ଦୋଷୀ ରୂପେ ଅଭିହିତ ଓ ତାହା ପ୍ରଘଟ କରିବା ନେଇ ପରିଦୃଷ୍ଟ ହେଉଥିବା ବ୍ୟଗ୍ରତା ମଧ୍ୟ ଗର୍ହିତ, ଯଦ୍ବାରା ‘ଆସ୍ଥାର ଲଡୁ’ରେ ବିଦ୍ବେଷର ତିକ୍ତତା ଭରିଯିବ। ଏହି ପରିପ୍ରେକ୍ଷୀରେ ଏକ ପ୍ରାଚୀନ ଗଳ୍ପ ସ୍ମରଣକୁ ଆସିଥାଏ। ତାହା ଏହି ଭଳି: ଏକ ଉଡ଼ିଯାଉଥିବା ଛଞ୍ଚାଣର ପଞ୍ଝାରେ କଲବଲ ହେଉଥିବା ଆକାଶମାର୍ଗୀ ସର୍ପର ଗରଳ ବୁନ୍ଦା ଅବଲୀଳା କ୍ରମେ ତଳେ ଥିବା ଯେଉଁ ଏକ ଖାଦ୍ୟ ପାତ୍ରରେ ପଡ଼େ, ତାହାକୁ ଜନୈକ ବ୍ରାହ୍ମଣଙ୍କୁ ପରଷି ଦେଇ ରାଜା ତାଙ୍କ ଅଗୋଚର‌ରେ ବ୍ରାହ୍ମଣଙ୍କ ମୃତ୍ୟୁର କାରଣ ହୁଅନ୍ତି। ସୁତରାଂ, ପ୍ରଶ୍ନ ଉଠେ ଯେ ବ୍ରହ୍ମ ହତ୍ୟାର ପାତକ କାହା ଉପରେ ଲାଗିବ? ସର୍ପର ଅସହାୟତା ଓ ରାଜାଙ୍କ ଅଜ୍ଞତା ହେତୁ ଅଘଟଣଟି ଘଟିଥିବାରୁ ଅଗତ୍ୟା ବ୍ରହ୍ମ ହତ୍ୟାର ପାତକ ସେମାନଙ୍କ ମଧ୍ୟରୁ କାହାଠାରେ ଲାଗି ପାରେନାହିଁ! ଏହାର ଅନେକ ବର୍ଷ ପରେ ରାଜଧାନୀରେ ପଦାର୍ପଣ କରିଥିବା କୌଣସି ଜଣେ ନବାଗତ ରାଜଉଆସର ଠିକଣା ଜାଣିବା ଲାଗି ଜଣେ ବୃଦ୍ଧାକୁ ତାହା ପଚାରନ୍ତେ, ବୃଦ୍ଧା କହି ଉ‌େଠ, ‘‌େସହି ବ୍ରାହ୍ମଣହନ୍ତା ରାଜା କଥା ପଚାରୁଛ ତ?’ ଏବଂ ଏହି କଥା ପଦକରେ ହିଁ ତାଙ୍କ ମୁଣ୍ଡ ଉପରେ ବ୍ରହ୍ମ ହତ୍ୟାର ପାତକ ଲାଗିଗଲା! ଦୋଷ ନିର୍ଣ୍ଣୀତ ହୋଇ ନ ଥିବା ସତ୍ତ୍ବେ କୌଣସି ବ୍ୟକ୍ତିଙ୍କୁ ଦୋଷୀ ରୂପେ ପ୍ରଘଟ କରିବାର ସାମନ୍ୟତମ ଉଦ୍ୟମ କରୁଥିବା ପ୍ରତ୍ୟେକଙ୍କ ସକାଶେ ଏହି କାହାଣୀ ଉଦ୍ଦିଷ୍ଟ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe