ଅନ୍ତିମ ବଲ୍‌

ନିଃଶୁଳ୍‌କ ସୁଯୋଗ

ପାକିସ୍ତାନରେ ସମୟାନ୍ତରାଳରେ ସଡ଼କ ଆନ୍ଦୋଳନମାନ ଘଟି କ୍ଷମତାସୀନ ସରକାରଗୁଡ଼ିକ ଲାଗି ବାରମ୍ବାର ଆହ୍ବାନ ସୃଷ୍ଟି କରିଛି। ଆଜିକୁ ଆଠ ବର୍ଷ ତଳେ ଅର୍ଥାତ୍‌ ୨୦୧୪ ମସିହାରେ ବିରୋଧୀ ଦଳର ନେତା ଭାବେ ଇମରାନ ଖାଁଙ୍କ ଆହ୍ବାନରେ ସୃଷ୍ଟ ଏକ ବିଶାଳ ସଡ଼କ ବିରୋଧ ପାକିସ୍ତାନକୁ କିଛି କାଳ ଲାଗି ସ୍ଥାଣୁ କରି ଦେଇଥିଲା। ଏବେ ପୁଣି ଥରେ ଇମରାନ ସେହି ଅସ୍ତ୍ରର ପ୍ରୟୋଗ କରିଛନ୍ତି। ଏହା ହୁଏ’ତ ହୋଇପାରେ ଗଲା ମାର୍ଚ୍ଚ ମାସରେ ସେ ଯେଉଁ ‘ଅନ୍ତିମ ବଲ୍‌’ ପର୍ଯ୍ୟନ୍ତ ଖେଳିବା କଥା କହିଥିଲେ, ସେହି ବଲ୍‌।

ଗଲା ଏପ୍ରିଲ ମାସ ୧ ତାରିଖରେ ପ୍ରକାଶିତ ‘ଇମରାନଙ୍କ କ୍ରିକେଟ୍‌’ ଶୀର୍ଷକ ସ˚ପାଦକୀୟରେ ଇମରାନ ଖାଁଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଅପସାରଣ କରିବା ଲାଗି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହେଉଥିବା ଘମାଘୋଟ ପ୍ରୟାସ ପରିପ୍ରେକ୍ଷୀରେ ଇମରାନଙ୍କ ମୁଖ ନିସୃତ ଅଭିବ୍ୟକ୍ତି-‘ଅନ୍ତିମ ବଲ୍‌ ଯାଏ ଖେଳିବି’-ବିଶେଷ ଆଲୋଚନାର ସ˚ଦର୍ଭ ହୋଇଥିଲା। ଏକଦା ଜଣେ ଅତ୍ୟନ୍ତ ଉଚ୍ଚକୋଟୀର କ୍ରିକେଟ୍‌ ଖେଳାଳି ଭାବେ ଅନ୍ତର୍ଜାତୀୟ ପ୍ରସିଦ୍ଧି ଲାଭ କରିଥିବା ଇମରାନଙ୍କ ବକ୍ତବ୍ୟରେ ଯଦିଓ ଏଭଳି କ୍ରିକେଟୀୟ ମେଟାଫର‌୍‌ ବିଶେଷ ବିସ୍ମୟ ସୃଷ୍ଟି କରି ନ ଥାଏ, ସେହି ସମୟରେ ଉଭୟ ପାକିସ୍ତାନୀ ମିଲିଟାରି ଏବ˚ ବିରୋଧୀ ରାଜନୈତିକ ଦଳଗୁଡ଼ିକର ମେଣ୍ଟ ଦ୍ବାରା ସ˚ପୂର୍ଣ୍ଣ କୋଣଠେସା ହୋଇ ପଡ଼ିଥିବା ତାଙ୍କର ଏହି ଦୃଢ଼ୋକ୍ତି କେତେକ ପାକିସ୍ତାନୀ ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟିରେ ତାଙ୍କୁ ହାସ୍ୟାସ୍ପଦ ରୂପେ ଗଢ଼ି ତୋଳିଥିଲା। ତେବେ, ଏହା ମଧୢ ସତ ଯେ ଇମରାନଙ୍କ କ୍ରିକେଟ୍‌ ସହିତ ପରିଚିତ ଥିବା ମୁଷ୍ଟିମେୟ ପର୍ଯ୍ୟବେକ୍ଷକ ଏଭଳି ପୂର୍ବାନୁମାନ ମଧୢ କରିଥିଲେ ଯେ ଅନେକ ସମୟରେ ବିବାଦୀୟ ବିଜୟ ହାସଲ କରିଥିବାର ଦୃଷ୍ଟାନ୍ତ ଥିବା ସତ୍ତ୍ବେ ପାକିସ୍ତାନ କ୍ରିକେଟ୍‌ ଟିମ୍‌ର କାପ୍ତାନୀ କାଳରେ ପରାଜୟ ଲାଗି କସ୍ମିନ କାଳେ ପ୍ରସ୍ତୁତ ନ ଥିବା ଇମରାନ ଖାଁ ଅବଶ୍ୟ ‘ଅନ୍ତିମ ବଲ୍‌’ ଯାଏ ଖେଳିବାର ଆସ୍ପର୍ଦ୍ଧା ରଖନ୍ତି। ପ୍ରକାଶ ଥାଉ କି ‘ଇମରାନଙ୍କ କ୍ରିକେଟ୍‌’ ଶୀର୍ଷକ ସ˚ପାଦକୀୟଟି ପ୍ରକାଶିତ ହେବାର ମାତ୍ର ଦଶ ଦିନ ପରେ ତାଙ୍କୁ ଦୟନୀୟ ଭାବେ ଇସ୍ତଫା ଦେବାକୁ ପଡ଼ିଲା ଏବ˚ ତାଙ୍କ ଭବିଷ୍ୟତ୍‌ ନେଇ ସ˚ପୂର୍ଣ୍ଣ ରୂପେ ଅନିଶ୍ଚିତ ହୋଇ ପଡ଼ିଥିବା ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମନରେ ଏକ ଧାରଣା ଉତ୍ପନ୍ନ ହୋଇଥିଲା ଯେ କୌଣସି ଘାତକ ଅନ୍ତିମ ବଲ୍‌ ଫିଙ୍ଗିବା ପୂର୍ବରୁ ଇମରାନଙ୍କ ଓଭର‌୍‌ ସମ୍ଭବତଃ ଶେଷ ହୋଇ ଯାଇଛି। କିନ୍ତୁ, ବାସ୍ତବତାଟି ହେଉଛି ଏଭଳି ସବୁ ଧାରଣାକୁ ଭ୍ରମାତ୍ମକ ସାବ୍ୟସ୍ତ କରିବା ଲାଗି ଇମରାନ ଖାଁ ସତେ ଯେମିତି ରହି ଯାଇଥିବା ଶେଷ ବଲ୍‌ରେ ବୋଲି˚ କରିବା ଲାଗି ତାଙ୍କ ‘ରନ୍‌ ଅପ୍‌’ ଆରମ୍ଭ କରିବାକୁ ଉଦ୍ୟତ!

ଏହି ସ୍ତମ୍ଭର ପାଠକ-ପାଠିକାମାନେ ଅବଗତ ଥିବେ ଯେ ସ˚ପ୍ରତି ଇମରାନ ଖାଁ ଏକ ପଦାତିକ ଯୋଦ୍ଧା ଭୂମିକାରେ ଅବତୀର୍ଣ୍ଣ ହୋଇ ତାଙ୍କୁ କ୍ଷମତାଚ୍ୟୁତ କରିଥିବା ବିରୋଧୀ ଦଳ ମେଣ୍ଟ ବିପକ୍ଷରେ ବିଶାଳ ‘ସଡ଼କ ବିରୋଧ’ମାନ ଆରମ୍ଭ କରି ଦେଇଛନ୍ତି। କିନ୍ତୁ ଏ ସ˚ଦର୍ଭରେ ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଲା ପାକିସ୍ତାନରେ ପ୍ରଶ୍ନାତୀତ ଭାବେ କ୍ଷମତାଶାଳୀ ଅନୁଷ୍ଠାନ ମିଲିଟାରି ବିରୋଧରେ ସେଠାକାର ଇତିହାସରେ ପ୍ରଥମ ଥର ଲାଗି ଗୋଟିଏ ରାଜନୈତିକ ଦଳ ପକ୍ଷରୁ ତୀବ୍ର ସ୍ବର ଉତ୍ତୋଳନ କରାଯାଇଛି, ଯହିଁରେ ପାକିସ୍ତାନ ମିଲିଟାରିର ସର୍ବୋଚ୍ଚ ସ୍ତରରେ ମଧୢ ବିବ୍ରତବୋଧର ତରଙ୍ଗ ସୃଷ୍ଟି ହୋଇଛି। ଏହି ବିବ୍ରତବୋଧର ନିଦର୍ଶନ ସ୍ବରୂପ ଏକ ବିଶାଳ ଜନସଭାରେ ଇମରାନଙ୍କ ଉଦ୍‌ବୋଧନକୁ ଆତଙ୍କବାଦର ଉତ୍‌ପ୍ରେରକ ବୋଲି ଆଖ୍ୟା ପ୍ରଦାନ କରାଯାଇ ତାଙ୍କ ଗିରଫଦାରିର ପ୍ରକରଣ ଆରମ୍ଭ ହୋଇଯାଇଛି। ପ୍ରକାଶ ଥାଉ କି ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଅନୁଷ୍ଠିତ ସଦ୍ୟ ଉପନିର୍ବାଚନରେ ଇମରାନ ଖାଁଙ୍କ ନେତୃତ୍ବାଧୀନ ‘ପାକିସ୍ତାନ ତେହରିକ ଏ ଇନ୍‌ସାଫ୍‌’ ବା ‘ପିଟିଆଇ’ର ବିପୁଳ ବିଜୟ ସହିତ କରାଚି ସ˚ସଦୀୟ କ୍ଷେତ୍ରରେ ଅନୁଷ୍ଠିତ ଏକ ଉପନିର୍ବାଚନରେ ବିଜୟ ଇମରାନ ଖାଁଙ୍କ ହାତରେ ଏକ ନିର୍ଣ୍ଣାୟକ ବୋଲି˚ କରିବା ଲାଗି ବଲ୍‌ଟି ଧରାଇ ଦେଇଛି। ଉଲ୍ଲେଖଯୋଗ୍ୟ ଯେ ସିନ୍ଧ ପ୍ରଦେଶରେ ‘ପାକିସ୍ତାନ ପିପୁଲ୍‌ସ ପାର୍ଟି’ ବା ‘ପିପିପି’ର ଗଭୀର ପ୍ରଭାବ ସତ୍ତ୍ବେ କରାଚିରେ ‘ପିଟିଆଇ’ର ବିଜୟ ଇମରାନଙ୍କୁ ଏକ ଦ୍ରୁତ ଓ ଘାତକ ‘ରନ୍‌ ଅପ୍‌’ ଲାଗି ଉତ୍ସାହିତ କରିଥିବ। ଏଭଳି ସ୍ଥିତିରେ ଇମରାନ ଏବ˚ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ମୁଖ ନିସୃତ ଅତ୍ୟନ୍ତ ଉଚ୍ଚାଟଭରା ବକ୍ତବ୍ୟ ବିରୋଧୀ ଶିବିର ଲାଗି ଅସହନୀୟ ହେଉଥିବା ସହିତ ଅସ୍ବସ୍ତିକର ଭୀତି ସ˚ଚାର ମଧୢ କରୁଥାଇପାରେ! ସେହି କାରଣରୁ ଇମରାନଙ୍କ ଘନିଷ୍ଠ ସହଯୋଗୀ ଶହବାଜ ଗିଲଙ୍କ ଏକ ବକ୍ତବ୍ୟ ଏକ ଅନ୍ତର୍ଘାତ ରୂପେ ବିବେଚିତ ହୋଇଥାଏ, ଯାହା କହିଥିଲା ଯେ ପାକିସ୍ତାନର ଉଚ୍ଚ ପଦାଧିକାରୀମାନେ କ୍ଷମତାସୀନ ସରକାର ପକ୍ଷରେ ରହିଥିବା ବେଳେ ମିଲିଟାରିର ତଳ ପାହ୍ୟାରେ ଥିବା ସୈନିକମାନେ ଇମରାନ ଖାଁଙ୍କ ଅନୁଗତ। ଏହାକୁ ପାକିସ୍ତାନ ମିଲିଟାରିରେ ବିଭାଜନ ସୃଷ୍ଟିର ଉଦ୍ୟମ ରୂପେ ଦର୍ଶାଯାଇ ଶାହବାଜ ଗିଲଙ୍କୁ ଗିରଫ କରାଯାଇଛି ଏବ˚ ଏହି ଗିରଫଦାରିର ପ୍ରତିକ୍ରିୟା ସ୍ବରୂପ ଏକ ବିଶାଳ ଜନ ସଭାରେ ଇମରାନ ଖାଁଙ୍କ ଦ୍ବାରା ପ୍ରଦତ୍ତ ଧମକକୁ ଆତଙ୍କବାଦୀ କାର୍ଯ୍ୟ ରୂପେ ଅଭିହିତ କରାଯାଇ ତାଙ୍କ ବିରୋଧରେ ମଧୢ କାର୍ଯ୍ୟାନୁଷ୍ଠାନର ପ୍ରକରଣ ଆରମ୍ଭ ହୋଇଛି। ଅନେକ ପାକିସ୍ତାନୀ ରାଜନୈତିକ ବିଶେଷଜ୍ଞ କହନ୍ତି ଯେ ଇମରାନ ଖାଁଙ୍କ ପ୍ରତିକ୍ରିୟାର ଉଚ୍ଚାଟରେ ଯଦିଓ ଶାହବାଜ ଗିଲଙ୍କୁ ଗିରଫ କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ଏକ ସ୍ପଷ୍ଟ ଧମକ ରହିଥିଲା ଯେ ଯଦି ଇମରାନ ପୁନର୍ବାର କ୍ଷମତାସୀନ ହୁଅନ୍ତି, ତେବେ ସେ ସେମାନଙ୍କୁ ଦେଖିନେବେ; ତାହା କିନ୍ତୁ ଆତଙ୍କବାଦ ପ୍ରୋତ୍ସାହନକାରୀ କାର୍ଯ୍ୟ ରୂପେ ପରିଗଣିତ ହେବା ଅଯୌକ୍ତିକ। ସୁତରା˚, ଇମରାନଙ୍କୁ ନେଇ ଯେ କ୍ଷମତାସୀନ ମେଣ୍ଟ ସରକାର ଏବ˚ ପାକିସ୍ତାନ ମିଲିଟାରି ଏକ ଅସ୍ବସ୍ତିକର ଭୟର ସାମନା କରୁଛି, ତାହା ହୃଦ୍‌ବୋଧ ହୋଇଥାଏ।

ଉଲ୍ଲେଖ ଥାଉ କି ୨୦୧୮ ମସିହାରେ ଇମରାନ ଖାଁ ଯେତେବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦାରୂଢ଼ ହୋଇଥିଲେ, ସେତିକି ବେଳେ ସେ ଏକ ‘ଖର୍ବକାୟ ନେତା’ ରୂପେ ପ୍ରଦର୍ଶିତ ହେଉଥିଲେ, ଯିଏ ସ˚ଖ୍ୟା ଗରିଷ୍ଠତା ନ ଥିବା ସତ୍ତ୍ବେ ପାକିସ୍ତାନ ମିଲିଟାରିର ଅନୁକଂପାରୁ ବିଭିନ୍ନ ବିକ୍ଷିପ୍ତ କ୍ଷୁଦ୍ର ଓ ଅନାମଧେୟ ଦଳର ସା˚ସଦଙ୍କ ସମର୍ଥନ ହାସଲ କରି କ୍ଷମତାସୀନ ହୋଇଥିଲେ। କହିବା ନିଷ୍ପ୍ରୟୋଜନ ଯେ ୨୦୨୨ ମସିହା ବେଳକୁ ଘଟଣାଚକ୍ରରେ ଏହାର ବିପରୀତଟି ଘଟି ଇମରାନ ଖାଁ ପଦଚ୍ୟୁତ ହେବା ବେଳକୁ ମଧୢ ଦିଶିଥିଲା ପାକିସ୍ତାନର ସେନାଧୢକ୍ଷ ଜେନେରାଲ କମର ଜାଭେଦ ବାଜଵା ବା ସେହି କ୍ରମରେ ପାକିସ୍ତାନ ମିଲିଟାରିର ସମ୍ମତିସୂଚକ ନିରବତା। କିନ୍ତୁ ଏହି ଚାରି ବର୍ଷ ମଧୢରେ ଯେଉଁ ପ୍ରଭେଦଟି ସ୍ପଷ୍ଟ ରୂପେ ଦୃଶ୍ୟମାନ ହୋଇଛି, ତାହା ହେଲା ସେହି ‘ଖର୍ବକାୟ ନେତା’ ଇତିମଧ୍ୟରେ ଏକ ଅତିକାୟ ରୂପ ପରିଗ୍ରହଣ କରି ପାକିସ୍ତାନ ମିଲିଟାରିକୁ ବିଚଳିତ କରିବାକୁ ବ୍ୟଗ୍ର। ପାକିସ୍ତାନରେ ଜନମତର ପବନ ତାଙ୍କ ପକ୍ଷରେ ପ୍ରବାହିତ ହେଲାଣି ବୋଲି ଜାଣି ଆସନ୍ତା ନଭେମ୍ବର ମାସ ସୁଦ୍ଧା ଦେଶରେ ସାଧାରଣ ନିର୍ବାଚନ କରାଇବା ଲାଗି ଇମରାନ ଖାଁ ଜୋରଦାର ଦାବି କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ନିର୍ବାଚନ କମିସନ ଅସହାୟତା ପ୍ରକାଶ କରି ଆସନ୍ତା ବର୍ଷ ମେ ମାସ ପୂର୍ବରୁ ଏକ ସାଧାରଣ ନିର୍ବାଚନ ସମ୍ଭବ ନୁହେଁ ବୋଲି ପ୍ରକାଶ କରିବା ପରେ ଇମରାନ ଖାଁ ତାଙ୍କ ସଡ଼କ ଆନ୍ଦୋଳନକୁ ଆହୁରି ତୀବ୍ର କରିଛନ୍ତି। କହିବା ବାହୁଲ୍ୟ ଏଭଳି ସଡ଼କ ବିରୋଧ ଇମରାନଙ୍କୁ ଯେଉଁ ଲୋକପ୍ରିୟତା ପ୍ରଦାନ କଲାଣି, ତାହା ପାକିସ୍ତାନ ମିଲିଟାରିର ସର୍ବୋଚ୍ଚ ସ୍ତରରେ ଅସ୍ବସ୍ତି ସୃଷ୍ଟି କରିଛି। ସୁତରା˚, ଆନ୍ଦୋଳନକାରୀଙ୍କ ବିଶାଳ ପଦାତିକ ବାହିନୀ ସମ୍ମୁଖରେ ପାକିସ୍ତାନ ମିଲିଟାରି ମଧୢ କିଞ୍ଚିତ ନିଷ୍ପ୍ରଭ ଦିଶିବା ଆରମ୍ଭ କରିଛି।

ଏଠାରେ ସ୍ମରଣଯୋଗ୍ୟ ଯେ ୨୦୦୭ ମସିହାରେ ପାକିସ୍ତାନ ସୁପ୍ରିମ୍‌ କୋର୍ଟର ବିଚାରପତି ଇଫତିକାର ମହମ୍ମଦ ଚୌଧୁରୀଙ୍କୁ ତତ୍କାଳୀନ ପାକିସ୍ତାନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁସାରଫ ବହିଷ୍କାର କରିବା ପରେ ଏକ ଓକିଲ ଆନ୍ଦୋନର ସୂତ୍ରପାତ ହୋଇ ତାହା କ୍ରମେ ଏଭଳି ଏକ ବିଶାଳ ସଡ଼କ ଆନ୍ଦୋଳନରେ ପରିଣତ ହୋଇଥିଲା ଯେ ପରିଶେଷରେ ଅତ୍ୟନ୍ତ କ୍ଷମତାଶାଳୀ ଜେନେରାଲ ମଧୢ ମଥାନତ କରି ତାଙ୍କ ଆଦେଶ ପ୍ରତ୍ୟାହାର କରିବାକୁ ବାଧୢ ହୋଇଥିଲେ। ପାକିସ୍ତାନରେ ସମୟାନ୍ତରାଳରେ ସଡ଼କ ଆନ୍ଦୋଳନମାନ ଘଟି କ୍ଷମତାସୀନ ସରକାରଗୁଡ଼ିକ ଲାଗି ବାରମ୍ବାର ଆହ୍ବାନ ସୃଷ୍ଟି କରିଛି। ଆଜିକୁ ଆଠ ବର୍ଷ ତଳେ ଅର୍ଥାତ୍‌ ୨୦୧୪ ମସିହାରେ ବିରୋଧୀ ଦଳର ନେତା ଭାବେ ଇମରାନ ଖାଁଙ୍କ ଆହ୍ବାନରେ ସୃଷ୍ଟ ଏକ ବିଶାଳ ସଡ଼କ ବିରୋଧ ପାକିସ୍ତାନକୁ କିଛି କାଳ ଲାଗି ସ୍ଥାଣୁ କରି ଦେଇଥିଲା। ଏବେ ପୁଣି ଥରେ ଇମରାନ ସେହି ଅସ୍ତ୍ରର ପ୍ରୟୋଗ କରିଛନ୍ତି। ଏହା ହୁଏ’ତ ହୋଇପାରେ ଗଲା ମାର୍ଚ୍ଚ ମାସରେ ସେ ଯେଉଁ ‘ଅନ୍ତିମ ବଲ୍‌’ ପର୍ଯ୍ୟନ୍ତ ଖେଳିବା କଥା କହିଥିଲେ, ସେହି ବଲ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe