ମୋଦୀଙ୍କ ପରିବାର

Advertisment
ବିଡ଼ମ୍ବନା

Twitter

ତତ୍କାଳୀନ ଭାରତର ଅକଥନୀୟ ଦାରିଦ୍ର୍ୟ ଦେଖି ଦକ୍ଷିଣ ଆଫ୍ରିକାରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା ଗାନ୍ଧୀଜୀ ତାଙ୍କ ପାଶ୍ଚାତ୍ୟ ଶୈଳୀର ଜୀବନଯାପନ ଓ ପୋଷାକପତ୍ର ବର୍ଜନ କରି ଆଣ୍ଠୁ ଲୁଚୁ ନ ଥିବା ଭଳି ଧୋତି ଏବଂ ଖଣ୍ଡେ ଚଦରକୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ଅଙ୍ଗବସ୍ତ୍ର ରୂପେ ଧାରଣ କରିଥିଲେ। ଚାଳିଶ କୋଟି ଭାରତୀୟଙ୍କୁ ପରିବାର ରୂପେ ସ୍ବୀକାର କରୁଥିବା ଗାନ୍ଧୀଙ୍କ ପକ୍ଷରୁ ଏହା ଥିଲା ଏକ ହୃଦୟଗ୍ରାହୀ ପ୍ରତୀକାତ୍ମକ ଆଚରଣ। ସେହିଭଳି ୧୪୦ କୋଟି ଭାରତୀୟଙ୍କୁ ନିଜ ପରିବାରର ସଦସ୍ୟ ଭାବେ ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ତାଙ୍କ ଆଚରଣରୁ ମଧ୍ୟ ସେଭଳି କିଛି ସଂକେତ ପ୍ରଦାନ କରିବା ଉଚିତ ଯେ ‘ମୋଦୀ କା ପରିବାର’ କେବଳ ମାତ୍ର ଏକ ରାଜନୈତିକ ଉଚ୍ଚାଟଭରା ସ୍ଲୋଗାନ ନୁହେଁ!

ଆସନ୍ତା ସାଧାରଣ ନିର୍ବାଚନ ଲାଗି ଘମାଘୋଟ ପ୍ରଚାର ପର୍ବର ସୂତ୍ରପାତ ଘଟୁଥିବା ବେଳେ ଯେଉଁ ସ୍ଲୋଗାନ୍‌ଟି ସହସା ଆବିର୍ଭୂତ ହୋଇ ନିର୍ବାଚନର ଗତି ଓ ପ୍ରକୃତିକୁ ଗଭୀର ଭାବେ ପ୍ରଭାବିତ କରିବାକୁ ବସିଲାଣି, ତାହା ହେଲା ‘ମୋଦୀକା ପରିବାର’ ବା ‘ମୋଦୀଙ୍କ ପରିବାର’। ପ୍ରକାଶ ଥାଉ କି ବିଭିନ୍ନ ରାଜନୈତିକ ଦଳରେ ‘ପରିବାରବା‌ଦ’ର ପ୍ରଭୁତ୍ବ ବିରୋଧରେ ଶାଣିତ ସ୍ବର ଉତ୍ତୋଳନ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସା‌ଦ ଯାଦବଙ୍କ ଏକ ଅଭିବ୍ୟକ୍ତି ଯେ ‘ମୋଦୀଙ୍କ ପରିବାର ବୋଲି କିଛି ନାହିଁ’ର ପ୍ରତ୍ୟୁତ୍ତର ସ୍ବରୂପ ତେଲେଙ୍ଗାନାର ଏକ ଜନସଭା‌ରେ ଭାବପ୍ରବଣ ନରେନ୍ଦ୍ର ମୋଦୀଙ୍କ କଣ୍ଠ ନିସୃତ ବ୍ୟକ୍ତବ୍ୟ ଥିଲା ‘ସମଗ୍ର ଭାରତ ହେଉଛି ତାଙ୍କ ପରିବାର’। କହିବା ବାହୁଲ୍ୟ ଯେ ଏହା ପରଠାରୁ ଏକ ବିଡ଼ମ୍ବନା ସ୍ବରୂପ ରାଷ୍ଟ୍ର ସମକ୍ଷରେ ଦଣ୍ଡାୟମାନ ଅନେକ ଭାବଗମ୍ଭୀର ଜ୍ବଳନ୍ତ ସମସ୍ୟାମାନ ନିର୍ବାଚନ କାଳୀନ ଚର୍ଚ୍ଚା ଓ ପ୍ରଚାରରେ ଅଗତ୍ୟା ଗୌଣ ହୋଇଯିବା ସହିତ ଏଭଳି ଅପ୍ରସଙ୍ଗୋଚିତ ବିଷୟ ହିଁ ଉଚ୍ଚାଟ ସୃଷ୍ଟି କରିବାର ସମ୍ଭାବନା ଉଜ୍ଜ୍ବଳ ହୋଇଛି।
ଅଧିକାଂଶ ପର୍ଯ୍ୟବେକ୍ଷକଙ୍କ ମତରେ ୨୦୨୪ ମସିହାରେ ମଧ୍ୟ ବିରୋଧୀ ପକ୍ଷ ୨୦୧୪ ଏବଂ ୨୦୧୯ ମସିହାରେ ପ୍ରଦର୍ଶନ କରିଥିବା ଅବିମୃଶ୍ୟକାରିତାର ପୁନରାବୃତ୍ତି ଘଟାଇବାକୁ ଯାଉଛନ୍ତି, ଯହିଁରେ ଅପ୍ରସଙ୍ଗୋଚିତ ବିଷୟମାନ ମୁଖ୍ୟ ପ୍ରସଙ୍ଗରେ ପରିଣତ ହୋଇ ବିରୋଧୀ ପକ୍ଷର ଜନାଧାରରେ ଆଂଶିକ କ୍ଷତି ଘଟାଇବା ସହିତ ବିଜେପିକୁ ଦୃଢ଼ କରିଥିଲା। ବିରୋଧୀ ପକ୍ଷ ଦ୍ବାରା ହେଉଥିବା ବ୍ୟକ୍ତିଗତ ଆକ୍ଷେପକୁ ନିଜ ଉପକାରରେ ବ୍ୟବହାର କରିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପୂର୍ବ ଓ ସୂକ୍ଷ୍ମ ବିଚକ୍ଷଣତା ହେଉଛି ଏହାର କାରଣ; ଯେମିତି କି ୨୦୧୪ରେ କଂଗ୍ରେସ ନେତା ମଣିଶଙ୍କର ଆୟାରଙ୍କ ଦ୍ବାରା ପ୍ରଦତ୍ତ ଏକ ଅରୁଚିକର ମନ୍ତବ୍ୟ ଯେ ‘କୌଣସି ଚା’ବାଲା ଦେଶର ପ୍ରଧାନମନ୍ତ୍ରୀ ହେବା ଅସମ୍ଭବ’ ପରିପ୍ରେକ୍ଷୀରେ ମୋଦୀଙ୍କ ତିର୍ଯ୍ୟକ୍‌ ଉତ୍ତର ଥିଲା ‘ଦେଶ ବିକ୍ରି କରୁଥିବା ଲୋକଙ୍କ ଠାରୁ ଚା’ ବିକାଳି ଭଲ।’ ଅଧିକାଂଶଙ୍କ ସ୍ମରଣରେ ଥିବ କିଭଳି ୨୦୧୪ ମସିହାର ନିର୍ବାଚନ ପ୍ରଚାରକୁ ଅତ୍ୟନ୍ତ ଉଷ୍ମ ଏବଂ ଉତ୍ସାହପ୍ରଦ କରି ତୋଳିଥିଲା ବିଜେପି ଦ୍ବାରା ଆୟୋଜିତ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମମାନ। ସେହିପରି ୨୦୧୯ ମସିହାରେ ରାହୁଳ ଗାନ୍ଧୀଙ୍କ ଶାଣିତ ସ୍ଲୋଗାନ୍‌ ‘ଚୌକିଦାର ଚୋର ହୈ’ର ପାଲଟା ଉତ୍ତର ସ୍ବରୂପ ବିଜେପି ସମର୍ଥକମାନଙ୍କ ପକ୍ଷରୁ ସୃଷ୍ଟି ହୋଇଥିଲା ‘ମୈ ଭି ଚୌକିଦାର’ ଅର୍ଥାତ୍‌ ‘ମୁଁ ମଧ୍ୟ ଚୌକିଦାର’ର ତରଙ୍ଗ। ପର୍ଯ୍ୟବେକ୍ଷକମାନଙ୍କ ମତରେ ପୂର୍ବୋକ୍ତ ଦୁଇଟିଯାକ ନିର୍ବାଚନ ଭଳି ଏହି ନିର୍ବାଚନରେ ମଧ୍ୟ ମୋଦୀଙ୍କ ଉତ୍ତର ତାଙ୍କ ଲାଗି ଅଧିକ ସମର୍ଥନ ଜୁଟାଇବାରେ ସହାୟକ ହେବ। ପ୍ରକାଶ ଥାଉ କି ‘ମୈ ଭି ଚୌକିଦାର’ ଭଳି ‘ମୈ ହୁଁ ମୋଦୀ କା ପରିବାର’ ଭଳି ଅଭିବ୍ୟକ୍ତିର ଝଡ଼ ଟ୍ବିଟର (ଏକ୍‌ସ) ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମକୁ ‌େଘାଟି ସାରିଲାଣି। ଅବଶ୍ୟ ବିରୋଧୀ ପକ୍ଷ ଏଥିରେ ମଳିନ ନ ପଡ଼ି ପ୍ରଶ୍ନ କରିବାରେ ଲାଗିଛନ୍ତି ଯେ ଅପଖ୍ୟାତ ବିଜେପି ନେତା ବ୍ରିଜଭୂଷଣ ଶରଣ ସିଂହ ବା ଆନ୍ଦୋଳନକାରୀ କୃଷକ ବା ମଣିପୁରର ହିଂସା ପ୍ରପୀଡ଼ିତ ନାଗରିକ ମଧ୍ୟ କ’ଣ ମୋଦୀଙ୍କ ପରିବାରର ଅନ୍ତର୍ଭୁକ୍ତ? ଆଦାନୀ ବା ଅମ୍ବାନୀ ବା ତତ୍ତୁଲ୍ୟ ପ୍ରଭାବଶାଳୀଙ୍କ ଛଡ଼ା ସାଧାରଣ ଭାରତୀୟ କ’ଣ ମୋଦୀଙ୍କ ପରିବାରର ସଦସ୍ୟ? କହିବା ବାହୁଲ୍ୟ, ଏଭଳି ଏକ ସ୍ଥିତି ନିର୍ବାଚନ ପ୍ରଚାର କାଳରେ ଭାଷଣର କାରୁକାର୍ଯ୍ୟକୁ ଉଚ୍ଚକୋଟୀ ପ୍ରଦାନ କରିବ ସତ, କିନ୍ତୁ ଦେଶ ସମ୍ମୁଖୀନ ହେଉଥିବା ଅତ୍ୟନ୍ତ ଭାବଗମ୍ଭୀର ସମସ୍ୟା ଓ ପ୍ରସଙ୍ଗ; ଯେମିତି କି ଅତ୍ୟନ୍ତ ଉଚ୍ଚ ବେକାରୀ ହାର, ତୀବ୍ର ଆର୍ଥିକ ବୈଷମ୍ୟ, ବିଶ୍ବସ୍ତରୀୟ ବିଭିନ୍ନ ସାମାଜିକ-ଅର୍ଥନୈତିକ ସୂଚକାଙ୍କରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଇତ୍ୟାଦିକୁ ନିର୍ବାଚନକାଳୀନ ଚର୍ଚ୍ଚା ପରିସରରୁ ଅପସାରଣ କରିବାର ବିଡ଼ମ୍ବନା ସୃଷ୍ଟି କରିବ।
ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ‘ପରିବାରବାଦ’କୁ ଆଧାର କରି ବିଜେପି ପକ୍ଷରୁ ହେଉଥିବା ନିରବଚ୍ଛିନ୍ନ ଆକ୍ରମଣ ହେତୁ କେତେକ ବିରୋଧୀ ଦଳ ସକାଶେ ଏହା ଅତ୍ୟନ୍ତ ସ୍ପର୍ଶକାତର ହୋଇ ଉଠିଛି, ଯହିଁରେ ଲାଲୁ ପ୍ରସାଦ ଯାଦବଙ୍କ ଭଳି ଜଣେ କୁହାଳିଆ ନେତା ଅଗତ୍ୟା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅସ୍ବାଦୁକର ବ୍ୟକ୍ତିଗତ ଆକ୍ଷେପ କରିବାରେ ବିସ୍ମିତ ହେବାର ବିଶେଷ କାରଣ ନାହିଁ। କିନ୍ତୁ ଏହା ମଧ୍ୟ ସତ ଯେ ରାଜନୈତିକ ଦଳରେ ‘ପରିବାରବାଦ’ ବା ‘ବଂଶବାଦ’ର ଉପସ୍ଥିତିକୁ ଏକ ରାଷ୍ଟ୍ରୀୟ ସମସ୍ୟା ରୂପେ ଚିତ୍ରଣ କରି ବ୍ୟାଖ୍ୟାନ ସୃଷ୍ଟି କରାଯିବା ମଧ୍ୟ ଅଯଥାର୍ଥ। ଯଦି କୌଣସି ଏକ ରାଜନୈତିକ ଦଳ ଏକ ପରିବାରର ମାଲିକାନାରେ ଏକ ଘରୋଇ ଉଦ୍ୟୋଗ ସଦୃଶ ପରିଚାଳିତ ହୋଇ ସୁଦ୍ଧା ଜନାଧାର ସୃଷ୍ଟି କରିପାରେ, ତେବେ ତହିଁରେ ଆପତ୍ତିର ଅବକାଶ ଅଛି କି? ଯଦି ଗାନ୍ଧୀ ପରିବାର କର୍ତ୍ତୃତ୍ବାଧୀନ ହୋଇ ରହିବା କଂଗ୍ରେସ ଦ୍ବାରା ସ୍ବୀକାର୍ଯ୍ୟ ହୋଇଥାଏ ଏବଂ ତଦ୍ଦ୍ବାରା ତାହା କ୍ରମାଗତ ଭାବେ ଅବକ୍ଷୟିଷ୍ଣୁ ହୋଇ ଚାଲେ, ତେବେ ତାହା ଏକ ଦଳୀୟ ବ୍ୟାପାର ମାତ୍ର, ରାଷ୍ଟ୍ରୀୟ ବ୍ୟାପାର ନୁହେଁ। ସେହିଭଳି ତେଜସ୍ବୀ ଯାଦବ ଯଦି ବଳିଷ୍ଠ ନେତୃତ୍ବ ପ୍ରଦାନ କରନ୍ତି, ତେବେ ହୁଏତ ରାଷ୍ଟ୍ରୀୟ ଜନତା ଦଳ ନିିର୍ବାଚନୀ ସଫଳତା ଲାଭ କରିପାରେ! ସୁତରାଂ, ରାଜନୈତିକ ଦଳଗୁଡ଼ିକରେ ଥିବା ‘ପରିବାରବାଦ’କୁ ନେଇ ବିଜେପି ଆଚ୍ଛନ୍ନ ହୋଇ ରହିବା ଏବଂ ତହିଁରୁ ସୃଷ୍ଟ ବିବାଦ ଓ ପ୍ରତିକ୍ରିୟା କ୍ରମରେ ‘ମୋଦୀକା ପରିବାର’ ଭଳି ସ୍ଲୋଗାନ ସୃଷ୍ଟି ହୋଇ ଅଗ୍ରାଧିକାର ଲାଭ କରିବାକୁ ଅପେକ୍ଷା କରିଥିବା ଗମ୍ଭୀର ଓ ଉଦ୍‌ବେଗଜନକ ପ୍ରସଙ୍ଗଗୁଡ଼ିକୁ ନିର୍ବାଚନକାଳୀନ ପ୍ରଚାରରୁ ଅପସାରଣ କରି ପକାଇବା ଔଚିତ୍ୟହୀନ ଭଳି ଲାଗିଥାଏ। କିନ୍ତୁ ବିଡ଼ମ୍ବନା ହେଲା, ସଂପ୍ରତି ଭାରତୀୟ ନିର୍ବାଚନ ରାଜନୀତିରୁ ଭାବଗମ୍ଭୀର ପ୍ରସଙ୍ଗଗୁଡ଼ିକ ହିଁ ଅଦୃଶ୍ୟ ହେବାରେ ଲାଗିଛନ୍ତି ଏବଂ ଉଭୟ ଶାସକ ଓ ବିରୋଧୀ ଦଳଗୁଡ଼ିକ ଅପ୍ରସଙ୍ଗୋଚିତ ବିଷୟରେ ଅଧିକ ନିମଗ୍ନ ହୋଇ ରହୁଛନ୍ତିି।
ଅନେକଙ୍କ ମତରେ ‘ମୋଦୀ କା ପରିବାର’ ବା ‘ମୋଦୀଙ୍କ ପରିବାର’ ଭଳି ସ୍ଲୋଗାନର ଉଚ୍ଚାଟ ହିଁ ଆସନ୍ତା ନିର୍ବାଚନର ମଙ୍ଗ ମୋଡ଼ିବ। ସମଗ୍ର ଭାରତକୁ ପ୍ରଧାନମନ୍ତ୍ରୀ ନିଜ ପରିବାର ଭାବେ ସ୍ବୀକାର କରିଥିବା ପ୍ରସଙ୍ଗରେ ମହାତ୍ମା ଗାନ୍ଧୀଙ୍କ ଜୀବନରେ ଘଟିଥିବା ଏକ ଘଟଣା ସ୍ମରଣକୁ ଆ‌ସିଥାଏ। ଗାନ୍ଧୀଜୀଙ୍କୁ ଭଲ ପାଉଥିବା ଜଣେ ବାଳକ ତାଙ୍କ ଅଧା ଫୁଙ୍ଗୁଳା ବେଶ ଦେଖି ନିଜ ମା’ଙ୍କ ଦ୍ବାରା ସିଲେଇ ହୋଇଥିବା ଏକ କୁର୍ତ୍ତା ତାଙ୍କୁ ଯାଚନ୍ତେ, ଗାନ୍ଧୀ ଶ୍ରଦ୍ଧାରେ ତା’ର ମୁଣ୍ଡକୁ ଆଉଁସିଦେଇ ଯାହା କହିଥିଲେ ତାହା ଥିଲା ଏୟା ଯେ ତାଙ୍କର ଚାଳିଶ କୋଟି ଭାରତୀୟ ଭାଇଭଉଣୀ ନିଜ ଅଙ୍ଗ ଢାଙ୍କିବା ଲାଗି ପୋଷାକ ନ ପାଇଲା ପର୍ଯ୍ୟନ୍ତ ସେ ସେହି କୁର୍ତ୍ତା ଗ୍ରହଣ କରିପାରିବେ ନାହିଁ। ପ୍ରକାଶ ଥାଉ କି ତତ୍କାଳୀନ ଭାରତର ଅକଥନୀୟ ଦାରିଦ୍ର୍ୟ ଦେଖି ଦକ୍ଷିଣ ଆଫ୍ରିକାରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା ଗାନ୍ଧୀଜୀ ତାଙ୍କ ପାଶ୍ଚାତ୍ୟ ଶୈଳୀର ଜୀବନଯାପନ ଓ ପୋଷାକପତ୍ର ବର୍ଜନ କରି ଆଣ୍ଠୁ ଲୁଚୁ ନ ଥିବା ଭଳି ଧୋତି ଏବଂ ଖଣ୍ଡେ ଚଦରକୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ଅଙ୍ଗବସ୍ତ୍ର ରୂପେ ଧାରଣ କରିଥିଲେ। ଚାଳିଶ କୋଟି ଭାରତୀୟଙ୍କୁ ପରିବାର ରୂପେ ସ୍ବୀକାର କରୁଥିବା ଗାନ୍ଧୀଙ୍କ ପକ୍ଷରୁ ଏହା ଥିଲା ଏକ ହୃଦୟଗ୍ରାହୀ ପ୍ରତୀକାତ୍ମକ ଆଚରଣ। ସେହିଭଳି ୧୪୦ କୋଟି ଭାରତୀୟଙ୍କୁ ନିଜ ପରିବାରର ସଦସ୍ୟ ଭାବେ ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ତାଙ୍କ ଆଚରଣରୁ ମଧ୍ୟ ସେଭଳି କିଛି ସଂକେତ ପ୍ରଦାନ କରିବା ଉଚିତ ଯେ ‘ମୋଦୀ କା ପରିବାର’ କେବଳ ମାତ୍ର ଏକ ରାଜନୈତିକ ଉଚ୍ଚାଟଭରା ସ୍ଲୋଗାନ ନୁହେଁ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe