ଆରିଶିର ରାୟ

Advertisment
ବିଡ଼ମ୍ବନା

Twitter

ଆରିଶିରେ ସେମାନେ ନିଜର ଯେଉଁ ଚେହେରା ଦେଖିବେ ତାହା ହେଲା ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିଦ୍ରୋହ, ‌େଯଉଁ ମାମଲା ବର୍ତ୍ତମାନ ଆମେରିକା ରାଜନୀତିକୁ ଉତ୍ତପ୍ତ କରି ରଖିଛି; କିମ୍ବା କାନାଡାରେ ଅନୁସୃତ ଖାଲିସ୍ଥାନୀ ଓ ନାତ୍‌ସି ତୁଷ୍ଟୀକରଣ ରାଜନୀତି; କିମ୍ବା ଲଣ୍ଡନ ଛ‌ାତିରେ ଇହୁଦୀ ବିରୋଧୀ ଘୃଣା ଶୋଭାଯାତ୍ରା, ଇତ୍ୟାଦି। ଏହାପରେ ସେମାନେ ସ୍ବୀକାର କରିବେ ଯେ ଭାରତୀୟ ଗଣତନ୍ତ୍ରର ଚେହେରା ହେଉଛି ସେମାନଙ୍କ ଠାରୁ ବହୁ ଅଧିକ ସୁନ୍ଦର।

ଗତ ସପ୍ତା‌ହରେ ଭାରତର ପରରାଷ୍ଟ୍ରମନ୍ତ୍ରୀ ସୁବ୍ରମଣ୍ୟମ୍ ଜୟଶଙ୍କରଙ୍କ ଦ୍ବାରା ରଚିତ ସଦ୍ୟତମ ପୁସ୍ତକ, ‘ହ୍ବାଏ ଭାରତ ମାଟର୍ସ’ (‘ଭାରତ କାହିଁକି ଭାରୀ’) ପ୍ରକାଶ ପାଇବା ଅବସରରେ ଏହାକୁ ଆଧାର କରି ଏକ ସମ୍ବାଦ ସଂସ୍ଥାକୁ ସେ ଦେଇଥିବା ସାକ୍ଷାତକାର ଅନେକ ଦୃଷ୍ଟିରୁ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ। ସେଥିରେ ତାଙ୍କୁ ପଚରା ଯାଇଥିବା ଏକ ପ୍ରଶ୍ନ ଥିଲା ଏଇଭଳି: ନିକଟ ଅତୀତରେ ଭାରତ ବିଭିନ୍ନ କ୍ଷେତ୍ରରେ ହାସଲ କରିଥିବା ଉଲ୍ଲେଖନୀୟ ସଫଳତାକୁ ସ୍ବୀକାର କରିବା ସଙ୍ଗେ ସଙ୍ଗେ କେତେକ ବିଦେଶୀ ଗଣମାଧ୍ୟମ ଭାରତରେ ଗଣତନ୍ତ୍ରର ଅଧୋଗତି ଘଟି ଚାଲିଛି ବୋଲି ଅଭିଯୋଗ କରିବାରେ ଲାଗିଛନ୍ତି କାହିଁକି?
ଜୟଶଙ୍କର ଏହାର ଯେଉଁ ଉତ୍ତର ଦେଇଥିଲେ, ତାହାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇପାରେ। ଗୋଟିଏ ହେଲା ଯେ ଭାରତରେ ଗଣତନ୍ତ୍ର ନିରବଚ୍ଛିନ୍ନ ଭାବରେ ଅଧିକରୁ ଅଧିକ ଦୃଢ଼ୀଭୂତ ହେବାରେ ଲାଗିଛି ଏବଂ ତା’ ସହିତ ସେଥିରେ ଆହୁରି ଉନ୍ନତି ଘଟିବା ପାଇଁ ମଧ୍ୟ ସ୍ଥାନ ରହିଛି। ଏହି ଉତ୍ତରରେ କୌଣସି ଅସ୍ବାଭାବିକତା ନାହିଁ। ସ୍ବାଧୀନତା ଲାଭ ପରେ ଭାରତ ଏକ ଉଦାର ଗଣତନ୍ତ୍ର ଭିତ୍ତିକ ଶାସନ ବ୍ୟବସ୍ଥାକୁ ଆପଣେଇବାର କାରଣ ହେଲା ଆମେ ଏହାକୁ ଏକ ଆଦର୍ଶ ଓ ସର୍ବୋତ୍କୃଷ୍ଟ ରାଜନୈତିକ ବ୍ୟବସ୍ଥା ରୂପେ ବିଚାର କରୁଛୁ। ଆମେ ଏପରି ବିଚାର କରିବାର କାରଣ ହେଉଛି, ଏହି ବ୍ୟବସ୍ଥାରେ ପ୍ରତ୍ୟେକ ନାଗରିକ ସମ୍ମାନଜନକ ଭାବରେ, ନିରାପଦରେ ଓ ସୁଖସ୍ବାଚ୍ଛନ୍ଦ୍ୟରେ ଜୀବନଯାପନ କରିବାର ସମ୍ଭାବନା ସର୍ବାଧିକ ହୋଇଥାଏ ବୋଲି ଆମେ ବିଶ୍ବାସ କରିଥାଉ। ଏହି ବ୍ୟବସ୍ଥାରେ ଏକ ଭିନ୍ନ ମତ ପୋଷଣ କରିବା ଏକ ଅପରାଧ ରୂପେ ବିବେଚିତ ହୋଇ ନ ଥାଏ ଯେପର୍ଯ୍ୟନ୍ତ ତାହା ରାଷ୍ଟ୍ରର ସ୍ଥିତିକୁ କିମ୍ବା ଅନ୍ୟ ବ୍ୟକ୍ତିର ମୌଳିକ ଅଧିକାରକୁ ବିପନ୍ନ କରି ନ ଥାଏ। ଏଥିରେ କିଏ କ’ଣ‌ ହେବ, ତା‌ହା ବଂଶାନୁକ୍ରମିକ ଭାବରେ ସ୍ଥିର ନ ହୋଇ, ସଂପୃକ୍ତ ବ୍ୟକ୍ତିର ଯୋଗ୍ୟତା ଓ ଇଚ୍ଛା ଅନୁସାରେ ନିର୍ଣ୍ଣୀତ ହୋଇଥାଏ।
ଦାର୍ଶନିକ ଇମାନୁଏଲ୍ କାଣ୍ଟ୍ ସେଥିପାଇଁ ଅଷ୍ଟାଦଶ ଶତାବ୍ଦୀର ଶେଷ ଆଡ଼କୁ ଆଶା କରିଥିଲେ ଯେ ଦିନେ ପୃଥିବୀର ପ୍ରତ୍ୟେକ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠିତ ହେବ, ଯାହା ଫଳରେ ଶୋଷଣ ଓ ଦାସତ୍ବର ଅନ୍ତ ଘଟିବ ଓ ଯୁଦ୍ଧ ବଦଳରେ ଶାନ୍ତି ବିରାଜମାନ କରିବ। ତାଙ୍କର ପ୍ରସିଦ୍ଧ ‘କାଟିଗରିକାଲ୍ ଇ‌ମ୍ପରେଟିଭ୍’ ତତ୍ତ୍ବର ଦ୍ବିତୀୟ ନିୟମ ଅନୁସାରେ କୌଣସି ବ୍ୟକ୍ତିକୁ ଅନ୍ୟ କୌଣସି ଏକ ଲକ୍ଷ୍ୟ ସାଧନରେ ବ୍ୟବହୃତ ହେବା ପାଇଁ ଏକ ସାଧନମାତ୍ର ରୂପେ ବିଚାର ନ କରି ପ୍ରତ୍ୟେକ ବ୍ୟକ୍ତିକୁ ଏକ ଲକ୍ଷ୍ୟ ରୂପେ ହିଁ ବିଚାର କରିବା ପାଇଁ କାଣ୍ଟ୍ ଯେଉଁ ଆହ୍ବାନ ଦେଇଥିଲେ, ତାହା କେବଳ ଏକ ଗଣତନ୍ତ୍ରରେ ହିଁ ପାଳନ କରାଯାଇ ପାରିବ ବୋଲି ସେ ବିଶ୍ବାସ କରୁଥିଲେ। ଗଣତନ୍ତ୍ର ପ୍ରତିଷ୍ଠା କରିବା ପାଇଁ ଉଦ୍ଦିଷ୍ଟ ଫରାସୀ ବିପ୍ଳବକୁ ଦମନ କରିବା ନିମନ୍ତେ ୧୭୯୫ରେ ରାଜଶକ୍ତି ତରଫରୁ ହୋଇଥିବା ପ୍ରତିଆକ୍ରମଣ ବିଫଳ ହେବା ପରେ ପରେ ଉତ୍ସ‌ାହିତ ହୋଇ କାଣ୍ଟ୍ ସାରା ପୃଥିବୀରେ ଦିନେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଏଭଳି ସ୍ବପ୍ନ ଦେଖିଥିଲେ।
କିନ୍ତୁ ଏକ ବିଡ଼ମ୍ବନା ସଦୃଶ ସର୍ବକାଳୀନ ସର୍ବଶ୍ରେଷ୍ଠ ଦାର୍ଶନିକମାନଙ୍କ ମଧ୍ୟରୁ ଅନ୍ୟତମ ରୂପେ ବିବେଚିତ ହୋଇଥିଲେ ମଧ୍ୟ କାଣ୍ଟ୍ କେବେ କଳ୍ପନା କରି ପାରି ନ ଥିଲେ ଯେ ତାଙ୍କ ଭଳି ଅାଉ ଦୁଇ ଜଣ ଜର୍ମାନ୍ ଦାର୍ଶନିକଙ୍କର ମିଳିତ ଚିନ୍ତାଧାରା ଆଉ ଏକ ଶତାବ୍ଦୀ ପରେ ଏପରି ଏକ ବିପ୍ଳବକୁ ଜନ୍ମ ଦେବାକୁ ଯାଉଛି, ଯାହା ଏକ ଭିନ୍ନ କିସମର ଏକଛତ୍ର ଶାସନ ବ୍ୟବସ୍ଥା ସୃଷ୍ଟି କରି ଗଣତନ୍ତ୍ରକୁ କବର ଦେବ- ଯାହାର ନାମ ହେଉଛି ‘ସାମ୍ୟବାଦ’। ସେ ଦୁଇ ଜଣ ଦାର୍ଶନିକ ହେଲେ ହେଗେଲ୍ ଓ ମାର୍କ‌୍ସ। ହେଗେଲ୍‌ଙ୍କ ଦର୍ଶନର ଏକ ଖିଅକୁ ଧରି ମାର୍କ‌୍ସ ଯେଉଁ ନକ୍‌ସା ପ୍ରସ୍ତୁତ କଲେ, ସେଇ ନକ୍‌ସାକୁ ଅବଲମ୍ବନ କରି ରୁଷିଆରେ ବଲ୍‌ସେଭିକ୍ ବିପ୍ଳବ ଓ ୧୯୧୭ରେ କମ୍ୟୁନିଷ୍ଟ ସୋଭିଏତ୍ ୟୁନିଅନ୍‌ର ଆବିର୍ଭାବ ଘଟିଲା। କାଣ୍ଟ୍‌ଙ୍କ ସ୍ବପ୍ନ ଧୂଳିସାତ୍ ହୋଇ ସା‌ରା ପୃଥିବୀରେ ଉଦାର ଗଣତନ୍ତ୍ର ପ୍ରତିଷ୍ଠିତ ହେବା ପରିବର୍ତ୍ତେ, ପୃଥିବୀ କ୍ରମେ ଦୁଇ ଭାଗରେ ବିଭକ୍ତ ହୋଇଗଲା- ସାମ୍ୟବାଦୀ ଓ ପୁଞ୍ଜିବାଦୀ (ପୁଞ୍ଜିବାଦ ହେଉଛି ଉଦାର ଗଣତନ୍ତ୍ରର ଅର୍ଥନୈତିକ ପରିଚୟ)। ପୃଥିବୀର ଇତିହାସ ହେଲା ଏଇ ଦୁଇ ବ୍ୟବସ୍ଥା ବା ମତବାଦ ମଧ୍ୟରେ ଲାଗି ରହିଥିବା ସଂଘାତର ଇତିହାସ। କ୍ରମେ ୧୯୪୯ରେ ଚୀନ୍, ୧୯୫୦ରେ ଉତ୍ତର କୋରିଆ, ୧୯୫୯ରେ କ୍ୟୁବା ଆଦି ଦେଶ ସାମ୍ୟବାଦୀ ଶିବିରରେ ଯୋଗ ଦେଇଥିଲେ। ୧୯୪୭ରେ ସ୍ବାଧୀନତା ଲାଭ କରିଥିବା ଭାରତ କିନ୍ତୁ ନିଜର ପ୍ରାଚୀନ ପରମ୍ପରାକୁ ପୁନରୁଜ୍ଜୀବିତ କରିବାର ସୁଯୋଗ ପାଇ ଉଦାର ଗଣତନ୍ତ୍ରର ପଥରେ ଯାତ୍ରା ଆରମ୍ଭ କରିଦେଲା।
ଅନେକ ପାଶ୍ଚାତ୍ୟ ସନ୍ଦେହୀମାନେ ଭାରତରେ ଗଣତନ୍ତ୍ର ତିଷ୍ଠି ରହିବା ନେଇ ସନ୍ଦେହ ପ୍ରକାଶ କରି ଆସିଥିଲେ ହେଁ, ଗଣତନ୍ତ୍ର ସହିତ ଭାରତୀୟମାନଙ୍କର ଏକାତ୍ମଭାବ ତାହାକୁ ବିଗତ ୭୫ ବର୍ଷ ମଧ୍ୟରେ କେବଳ ପୃଥିବୀର ବୃହତ୍ତମ ନୁହେଁ, ଶ୍ରେଷ୍ଠତମ ଗଣତନ୍ତ୍ରରେ ପରିଣତ କରିଛି ବୋଲି ଆମେ ସଗର୍ବରେ ଦାବି କରି ପାରିବୁ। ଗଣତନ୍ତ୍ରର ଗଭୀରତାର ମୁଖ୍ୟ ମାପକାଠି ହେଉଛି ନିର୍ବାଚନ ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଭାବରେ ଶାସନରେ ପରିବର୍ତ୍ତନ, ଯେଉଁଥିରେ ଭାରତରେ କେବେହେଲେ ବ୍ୟତିକ୍ରମ ଘଟିନାହିଁ (କେହି କେହି ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାନ୍ତି, କିନ୍ତୁ ସେ ମଧ୍ୟ ନିର୍ବାଚନରେ ପରାଜୟକୁ ମୁଣ୍ଡପାତି ସ୍ବୀକାର କରିଥିଲେ)। ତା’ଛଡ଼ା ଜୟଶଙ୍କର କହିଥିବା ଭଳି ଭାରତରେ ସମସ୍ତ ଗଣତାନ୍ତ୍ରିକ ଅନୁଷ୍ଠାନମାନ ସୁଦୃଢ଼ ଭାବରେ କାର୍ଯ୍ୟ କରିବା ସହିତ ନିର୍ବାଚନରେ ଭାରତୀୟମାନେ ଅଧିକରୁ ଅଧିକ ଉତ୍ସାହର ସହିତ ଅଂଶଗ୍ରହଣ କରିବା ଦେଖା ଯାଇଥାଏ।
ତେବେ ଆମ ଗଣତନ୍ତ୍ରରେ ଆହୁରି ଉନ୍ନତି ଘଟିବା ପାଇଁ ସ୍ଥାନ ରହିଛି ବୋଲି ଜୟଶଙ୍କର କାହିଁକି କହିଛନ୍ତି? ଯେଉଁମାନେ ପ୍ରାଚୀନ ଗ୍ରୀକ୍ ଦାର୍ଶନିକ ପ୍ଲାଟୋଙ୍କର ‘ଫର୍ମ‌୍ ତତ୍ତ୍ବ’ ସହିତ ପରିଚିତ, ସେମାନେ ସହଜରେ ଏହାର ଉତ୍ତର ଦେଇ ପାରିବେ। ଏହି ତତ୍ତ୍ବ ଅନୁସାରେ ଆମେ ପାର୍ଥିବ ଜଗତରେ ସଂସ୍ପର୍ଶରେ ଆସୁଥିବା ସମସ୍ତ କଥା - ତାହା ବସ୍ତୁ ହେଉ କିମ୍ବା ଧାରଣା ହେଉ କିମ୍ବା ଅନୁଷ୍ଠାନ ହେଉ କିମ୍ବା ବ୍ୟବସ୍ଥା ହେଉ... - ର ଏକ ଆଦର୍ଶ ଅବସ୍ଥାର ପରିକଳ୍ପନା କରାଯାଇପାରେ, ଯାହା ସହିତ ବାସ୍ତବ ଅବସ୍ଥା କେବେହେଲେ ସମାନ ହୋଇପାରିବ ନାହିଁ। ତେବେ ସେଇ ଆଦର୍ଶ ନିକଟରେ ପହଞ୍ଚିବା ପାଇଁ ବାସ୍ତବ ଅବସ୍ଥା ସର୍ବଦା ଚେଷ୍ଟା କରି ଚାଲିଥିବ। ଏକ ଉଦାହରଣ ସ୍ବରୂପ ଆମ ଗଣତନ୍ତ୍ରରେ ପ୍ରତ୍ୟେକ ନାଗରିକ ଏକ ସ୍ବଚ୍ଛଳ ଜୀବନଯାପନ କରିବା ଆଶା କରାଯାଏ; ଏହି ଲକ୍ଷ୍ୟ ପୂରଣ ପାଇଁ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବାକୁ ଉଦ୍ୟମ ଚାଲିଛି। ଭାରତ ବର୍ତ୍ତମାନ ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ଅର୍ଥନୀତିରେ ପରିଣତ ହେବା ହେଉଛି ସେଇ ଉଦ୍ୟମର ଅଂଶବିଶେଷ।
ଜୟଶଙ୍କରଙ୍କର ଉତ୍ତରର ଦ୍ବିତୀୟ ଭାଗ ଥିଲା ବେଶ୍ ଆମୋଦଦାୟକ। ଯେଉଁମାନେ ଭାରତରେ ଗଣତନ୍ତ୍ରର ସ୍ବାସ୍ଥ୍ୟ ସମ୍ବନ୍ଧରେ ସନ୍ଦେହ ପ୍ରକାଶ କରୁଛନ୍ତି, ସେମାନଙ୍କୁ ସେ ଏକ ଉପଦେଶ ଦେଇଥିଲେ: ଆରିଶିକୁ ଚାହଁ। ଆରିଶିରେ ସେମାନେ ନିଜର ଯେଉଁ ଚେହେରା ଦେଖିବେ ତାହା ହେଲା ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିଦ୍ରୋହ, ‌େଯଉଁ ମାମଲା ବର୍ତ୍ତମାନ ଆମେରିକା ରାଜନୀତିକୁ ଉତ୍ତପ୍ତ କରି ରଖିଛି; କିମ୍ବା କାନାଡାରେ ଅନୁସୃତ ଖାଲିସ୍ଥାନୀ ଓ ନାତ୍‌ସି ତୁଷ୍ଟୀକରଣ ରାଜନୀତି; କିମ୍ବା ଲଣ୍ଡନ ଛ‌ାତିରେ ଇହୁଦୀ ବିରୋଧୀ ଘୃଣା ଶୋଭାଯାତ୍ରା, ଇତ୍ୟାଦି। ଏହାପରେ ସେମାନେ ସ୍ବୀକାର କରିବେ ଯେ ଭାରତୀୟ ଗଣତନ୍ତ୍ରର ଚେହେରା ହେଉଛି ସେମାନଙ୍କ ଠାରୁ ବହୁ ଅଧିକ ସୁନ୍ଦର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe