ସୁରକ୍ଷା ବଳୟ

Advertisment
ବିଡ଼ମ୍ବନା

Twitter

ସତ କହିଲେ, ‘ଡେଟା ହସ୍ତାନ୍ତରଣ ଏବଂ ଠୁଳୀକରଣ’ର ଏ ଯୁଗରେ କୌଣସି ନାଗରିକର କ୍ବଚିତ୍‌ କୌଣସି ବ୍ୟକ୍ତିଗତ ତଥ୍ୟ ଆଜି ସୁଦ୍ଧା ଗୋପନୀୟ ହୋଇ ରହିଥିବ! ତେଣୁ ବ୍ୟକ୍ତିଗତ ଜୀବନରେ ଗର୍ଭଗୃହସୁଲଭ ପବିତ୍ର ଗୋପନୀୟତା ଆଶା କରିବା ଧୃଷ୍ଟତା ମାତ୍ର! ବରଂ ଏହି ପ୍ରାବଧାନ ଦ୍ବାରା ଏତିକି ସମ୍ଭବ ହୋଇପାରେ ଯେ ନିଭୃତ ଶୟନ କକ୍ଷ ମଧ୍ୟରେ ତଥାକଥିତ ଅନେକ ସୈତାନ ସେମାନଙ୍କ ଶିକାରମାନଙ୍କ ଉପରେ ଝାଂପି ପଡ଼ିଲା ବେଳେ ‌େସମାନଙ୍କୁ ଏକ ସୁରକ୍ଷା ବଳୟ ମଧ୍ୟରେ ପାଇବେ!

ଗଲା ବୁଧବାର ଦିନ ଉତ୍ତରାଖଣ୍ଡ ସରକାର ରାଜ୍ୟ ବିଧାନସଭାରେ ପାରିତ କରିଥିବା ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ (ୟୁ.ସି.ସି.) ବା ‘ସମାନ ନାଗରିକ ସଂହିତା’ ବିଲ୍‌ ସଂପ୍ରତି ବିଶେଷ ଚର୍ଚ୍ଚାର କାରଣ ହୋଇଛି। ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ସମଗ୍ର ଦେଶରେ ‘ୟୁ.ସି.ସି.’ ପ୍ରବର୍ତ୍ତନ କରିବା ପୂର୍ବରୁ ବିଜେପି ପକ୍ଷରୁ ଉତ୍ତରାଖଣ୍ଡକୁ ଏକ ପରୀକ୍ଷାଗାର ଭାବେ ବ୍ୟବହାର କରାଯାଇଛି, ଯାହାକୁ ଅତି ଶୀଘ୍ର ଆସାମ, ଗୁଜରାଟ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ସରକାର ଅନୁସରଣ କରିବେ। ଅବଶ୍ୟ ଏହା ସତ ଯେ ବିବିଧ ଧର୍ମାବଲମ୍ବୀଙ୍କ ରାଷ୍ଟ୍ର ଆମ ଭାରତରେ ବିବାହ, ବିଚ୍ଛେଦ, ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ଉତ୍ତରାଧିକାର ଭଳି ବିଷୟମାନ ବିଭିନ୍ନ ଧର୍ମ ଓ ସଂସ୍କୃତି ଆଧାରିତ ‘ପର୍ସନାଲ କୋଡ୍‌’ ବା ‘ବ୍ୟକ୍ତିଗତ ନିୟମ’ଗୁଡ଼ିକୁ ଭିତ୍ତି କରି ପରସ୍ପର ଠାରୁ ଭିନ୍ନ ହୋଇଥାନ୍ତି ଏବଂ ଏହି ପରିପ୍ରେକ୍ଷୀରେ ‘ୟୁ.ସି.ସି.’ ଭଳି ସଭିଙ୍କ ଲାଗି ସମାନ ନିୟମର ପ୍ରାବଧାନ କେତେକ ବିତର୍କ ମଧ୍ୟ ସୃଷ୍ଟି କରିବ। ତେବେ, ଏହି ନିର୍ଦ୍ଦିଷ୍ଟ ସଂଦର୍ଭରେ ଯାହା ବିବାଦୀୟ ହୋଇ ସାରିଲାଣି, ତାହା ହେଲା ‘ଲିଭ୍‌ ଇନ୍‌’ ସଂପର୍କ ବା ‘ବିନା ବିବାହରେ ସହାବସ୍ଥାନଜନିତ ସଂପର୍କ’କୁ ନେଇ ଶଂସିତ ବିଲ୍‌ରେ କେତେକ କାନୁନର ପ୍ରସ୍ତାବ। ପ୍ରକାଶ ଥାଉ କି ‘ଲିଭ୍‌ ଇନ୍‌’ ଭଳି ‘ସଂପର୍କର ଏକ ନୂତନ ବିଭାବ’ର ଆବିର୍ଭାବ ଆମ ଦେଶରେ ନୂତନ ହୋଇଥିବାରୁ ଏହା ମୂଳ ‘ୟୁ.ସି.ସି.’ର ବହିର୍ଭୂତ ଥିଲା, ଯାହାକୁ ଉତ୍ତରାଖଣ୍ଡ ସରକାର ସମୟର ଆବଶ୍ୟକତାକୁ ମହତ୍ତ୍ବ ପ୍ରଦାନ କରି ତହିଁରେ ଅନ୍ତର୍ଭୁକ୍ତ କରିଛନ୍ତି। ସେହି ଦୃଷ୍ଟିରୁ ଏ ସମ୍ବନ୍ଧରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ତେବେ ପ୍ରଥମେ ଏହି ଚିଠା ପ୍ରସ୍ତାବରେ ଥିବା ନିୟମମାନ ଉପରେ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରାଯାଉ। ପ୍ରଥମତଃ, କେବଳ ୨୧ ବର୍ଷ ବା ତଦୂର୍ଦ୍ଧ୍ବ ବୟସର ପୁରୁଷ ଏବଂ ମହିଳା ଏଭଳି ସଂପର୍କରେ ଆବଦ୍ଧ ହୋଇପାରିବେ ଏବଂ ସେମାନେ ନିଜକୁ ‘ରେଜିଷ୍ଟ୍ରାର’ଙ୍କ ଠାରେ ପଂଜୀକୃତ କରିବା ବାଧ୍ୟତାମୂଳକ, ଯାହାକୁ ଅମାନ୍ୟ କଲେ ତିନି ମାସରୁ ଛଅ ମାସ ପର୍ଯ୍ୟନ୍ତ କାରାଦଣ୍ଡର ପ୍ରାବଧାନ ରହିଛି। ଦ୍ବିତୀୟରେ ଏହି ନିର୍ଦ୍ଧାରିତ ବୟସରୁ କମ୍‌ ବୟସ୍କଙ୍କ କ୍ଷେତ୍ରରେ ସେମାନଙ୍କ ଅଭିଭାବକଙ୍କୁ ଏ ସଂପର୍କରେ ଅବଗତ କରାଯିବ। ଯଦି ଏ ସଂଦର୍ଭରେ ଭୁଲ୍‌ ତଥ୍ୟ ଦିଆଯାଇଥିବାର ବା କୌଣସି ‘ପାର୍ଟନର’କୁ ବଳପୂର୍ବକ ବା ଚଞ୍ଚକତାପୂର୍ଣ୍ଣ ଉପାୟରେ ସହାବସ୍ଥାନ କରିବାକୁ ବାଧ୍ୟ କରାଯାଉଥିବାର ସନ୍ଦେହ ସୃଷ୍ଟି ହୁଏ, ତେବେ ଏହାର ତଦନ୍ତ ପୁଲିସ ଦ୍ବାରା କରାଯାଇପାରିବ। ଏଭଳି ଯୁଗଳଙ୍କ ମଧ୍ୟରୁ କୌଣସି ଜଣେ ‘ପାର୍ଟନର’ ଯେ କୌଣସି ସମୟରେ ସଂପର୍କକୁ ରଦ୍ଦ କରିବାକୁ ଇଚ୍ଛା କଲେ ‘ରେଜିଷ୍ଟ୍ରାର’ଙ୍କ ଦପ୍ତରରେ ତାହା ସହଜରେ କରାଇପାରିବେ। ଏହି ଚିଠା ପ୍ରସ୍ତାବରେ ସଂପର୍କ ରିକ୍ତ ମହିଳାଙ୍କ ଭରଣପୋଷଣର ପ୍ରାବଧାନ ରହିଛି ଏବଂ ଏହି ସଂପର୍କ କାରଣରୁ ଭୂମିଷ୍ଠ ସନ୍ତାନମାନଙ୍କୁ ଆଇନତଃ ବୈଧ ବୋଲି ମଧ୍ୟ ସ୍ବୀକାର କରାଯିବ। କହିବା ଅନାବଶ୍ୟକ ଯେ ସଂପ୍ରତି ଆମ ଦେଶରେ ତରୁଣ ବର୍ଗ ଅନେକତ୍ର ‘ଲିଭ୍‌ ଇନ୍‌’ ସଂପର୍କରେ ବାନ୍ଧି ହେବାକୁ ବ୍ୟଗ୍ର ହୋଇ ଉଠୁଛି, ଯେତେବେଳେ କି ବୃହତ୍ତର ଭାରତୀୟ ସମାଜ ରକ୍ଷଣଶୀଳ ହୋଇଥିବାରୁ ଏହାକୁ ଆଦୌ ପସନ୍ଦ କରି ନ ଥାଏ। ଦ୍ବିତୀୟ କଥା ହେଲା, ଏଭଳି ‘ଏକତ୍ର ଅବସ୍ଥାନ’ ସାଧାରଣତଃ ‘ନିରୋଳା’ ପ୍ରେମ ଏବଂ ଉଭୟ ‘ପାର୍ଟନର’ଙ୍କ ସହମତି ବ୍ୟତୀତ ଅନ୍ୟ କୌଣସି ବିଶେଷ ସର୍ତ୍ତ ଲୋଡୁ ନ ଥିଲେ ହେଁ ଏଭଳି ସଂପର୍କରୁ ସୃଷ୍ଟ ଜଟିଳତାର ପ୍ରଭାବ ଅନେକ ସମୟରେ ଉତ୍କଟ ଓ ସୁଦୂରପ୍ରସାରୀ ହୋଇଥାଏ, ଯାହାର କରୁଣ ଦୃଷ୍ଟାନ୍ତମାନ ସଂପ୍ରତି ମିଳିବାରେ ଲାଗିଛି। ଏଭଳି ସ୍ଥିତିରେ ‘ଲିଭ୍‌ ଇନ୍‌’ ସଂପର୍କକୁ ବିବାହ ଆଇନ ଭଳି ଏକ ଶୃଙ୍ଖଳା ଅନ୍ତର୍ଭୁକ୍ତ କରିବା ଯଥାର୍ଥ ବୋଲି ଗୋଟିଏ ପକ୍ଷର ମତ ପ୍ରକାଶ ପାଉଥିବା ବେଳେ ତରୁଣ ପିଢ଼ି ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୁତରାଂ, ଏଭଳି ସ୍ଥଳେ ଉଭୟ ପକ୍ଷଙ୍କ ତର୍କ ଅନୁଶୀଳନସାପେକ୍ଷ ବୋଲି ହୃଦ୍‌ବୋଧ ହୋଇଥାଏ।
ସୁତରାଂ, ପ୍ରତିକ୍ରିୟାଶୀଳ ତରୁଣ ବର୍ଗ ଏହି ପ୍ରାବଧାନକୁ ସରକାରଙ୍କ ଦ୍ବାରା ‘ପ୍ରାଇଭେସି’ ବା ‘ବ୍ୟକ୍ତିଗତ ଗୋପନୀୟତା’ର ଅତିକ୍ରମଣ ରୂପେ ଅଭିହିତ କରୁଛନ୍ତି, ଯାହା ଭାରତୀୟ ନାଗରିକଙ୍କ ଏକ ମୌଳିକ ଅଧିକାରର ଉଲ୍ଲଂଘନ। ପ୍ରକାଶ ଥାଉ କି ପରସ୍ପରକୁ ପସନ୍ଦ କରୁଥିବା ଅନେକ ତରୁଣ-ତରୁଣୀ ବିବାହ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ସହାବସ୍ଥାନ ମାଧ୍ୟମରେ ନିଜ ନିଜକୁ ଅଧିକ ପରଖି ନେବାର ପ୍ରୟାସରେ ‘ଲିଭ୍‌ ଇନ୍‌’ ସଂପର୍କକୁ ଗୁରୁତ୍ବ ଦେଇଥାଆନ୍ତି, ଯାହା ସାଂପ୍ରତିକ ଉଦାର ଯୌନାଚାରର ପରିବେଶରେ ସେମାନଙ୍କ ମଧ୍ୟରେ ଆଦୃତ ହେବାରେ ମଧ୍ୟ ଲାଗିଛି। କିନ୍ତୁ ଆଉ ଏକ ବାସ୍ତବତା ହେଲା ଏଭଳି କାର୍ଯ୍ୟ ବୃହତ୍ତର ଭାରତୀୟ ସମାଜ ଦ୍ବାରା ଏ ଯାବତ୍‌ ଗ୍ରହଣୀୟ ହୋଇ ପାରି ନ ଥିବାରୁ ସେମାନେ ପ୍ରାୟତଃ ଅତି ସନ୍ତର୍ପଣ ସହିତ ଏକତ୍ର ବାସ କରିଥାଆନ୍ତି। ସେହି ଦୃଷ୍ଟିରୁ ‘ପଂଜୀକରଣ’ ବା ଏ ପ୍ରକରଣରେ ‘ଅଭିଭାବକମାନଙ୍କ ସଂପୃକ୍ତି’ ଅଥବା ‘ପୁଲିସ ହସ୍ତକ୍ଷେପ’ ଭଳି ବିଷୟମାନ ସେମାନଙ୍କ ସକାଶେ ଅତ୍ୟନ୍ତ ଅରୁଚିକର ହେବା ସ୍ବାଭାବିକ। ସେମାନଙ୍କ ଆଶଙ୍କା ଯେ ଏହା ବଳରେ ପ୍ରଶାସନ ଓ ପୁଲିସ ସେମାନଙ୍କ ଶୟନ କକ୍ଷକୁ ପ୍ରବେଶ କରିବେ; ଏହା ଦ୍ବାରା ଦୁର୍ନୀତିର ଆଉ ଏକ ବଳୟ ସୃଷ୍ଟି ହେବ, ଯହିଁରେ ‘ଲିଭ୍‌ ଇନ୍‌’ ସଂପର୍କରେ ଥିବା ଯୋଡ଼ିମାନେ ଅଯଥା ‘ବ୍ଲାକ୍‌ମେଲିଂ’ର ଶିକାର ମଧ୍ୟ ହୋଇପାରନ୍ତି। ସେମାନେ ଏହା ମଧ୍ୟ କହିଥାଆନ୍ତି ଯେ ଏଭଳି ନିୟମମାନ ବିବାହ ଓ ବିଚ୍ଛେଦ କ୍ଷେତ୍ରରେ ରହିଥିବାରୁ ଅନେକ ପୁରୁଷ-ମହିଳା ପରସ୍ପରକୁ ପରଖିବା ପାଇଁ ‘ଲିଭ୍‌ ଇନ୍‌’ କଥା ଆଉ ଚିନ୍ତା ନ କରି ସିଧାସଳଖ ବିବାହ ବନ୍ଧନରେ ଆବଦ୍ଧ ହେବେ, ଯାହା ଅବଲୀଳା କ୍ରମେ ଅଧିକ ବିଚ୍ଛେଦର କାରଣ ମଧ୍ୟ ହେବ। ତେବେ, ଏହି ପ୍ରସ୍ତାବର ଅନେକ ସପକ୍ଷବାଦୀ ମଧ୍ୟ ଅଛନ୍ତି, ଯେଉଁମାନେ କହନ୍ତି ଯେ ‘ଲିଭ୍‌ ଇନ୍‌’ ସଂପର୍କରେ ସାଧାରଣତଃ ମହିଳାମାନେ ଅସୁରକ୍ଷା ଭାବନା ଦ୍ବାରା ଜର୍ଜର ହେଉଥିବାରୁ ଚିଠା ପ୍ରସ୍ତାବରେ ସ୍ଥାନିତ ପ୍ରାବଧାନମାନ ସେମାନଙ୍କୁ ଆଶ୍ବସ୍ତ ଏବଂ ସଶକ୍ତ କରିବ; ଯାହା ଫଳରେ ଦୁରାଗ୍ରହ ପୋଷଣ କରିଥିବା ଲୋଭୀ, ସୁବିଧାବାଦୀ, ଲଂପଟ ଏବଂ ପ୍ରତାରକ ପୁରୁଷମାନେ ସେମାନଙ୍କ ଅଭିସନ୍ଧି ହାସଲ ଲକ୍ଷ୍ୟରୁ ନିବୃତ୍ତ ହେବେ। ପ୍ରକାଶ ଥାଉ କି ଏଭଳି ସଂପର୍କରେ ଥିବା ମହିଳାମାନେ ହିଁ ବିବାହ କରିବାକୁ ଅଧିକ ଜିଗର କରୁଥିବାରୁ ସ୍ଥଳବିଶେଷରେ ସେମାନଙ୍କ ‘ପାର୍ଟନର’ମାନଙ୍କ ଦ୍ବାରା ହତ୍ୟାର ଶିକାର ମଧ୍ୟ ହୁଅନ୍ତି। ତେଣୁ ସପକ୍ଷବାଦୀମାନଙ୍କ ମତରେ ଏଭଳି ଏକ ସୂକ୍ଷ୍ମ ସଂପର୍କ ଯାହା ଘଟଣାଚକ୍ରରେ ଅତ୍ୟନ୍ତ ଜଟିଳ ହେବାର ସମ୍ଭାବନା ବହନ କରିଥାଏ, ସଂପୂର୍ଣ୍ଣ ଉତ୍ତରଦାୟିତ୍ବ ଶୂନ୍ୟ ହୋଇ ରହିବା ଅଯୌକ୍ତିକ ମଧ୍ୟ।
ଆଉ ରହିଲା ନାଗରିକଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟକୁ (ଶୟନ କକ୍ଷ) ସରକାରଙ୍କ ଅଯଥା ଅନୁପ୍ରବେଶ ପ୍ରସଙ୍ଗ। କହିବା ଅନାବଶ୍ୟକ ଯେ ପଂଜୀକରଣ ଲାଗି ରେଜିଷ୍ଟ୍ରାର ଯେଉଁ ତଥ୍ୟ ବା ‘ଡେଟା’ ଲୋଡ଼ିବେ, ତାହା ବ୍ୟାଙ୍କ ପାସବୁକ୍‌ ଖୋଲିବା ଠାରୁ ଆରମ୍ଭ କରି ଫେସବୁକ୍‌ ଆକାଉଣ୍ଟ ବା ‘ଆମାଜନ’ ଆକାଉଣ୍ଟ ଖୋଲିବା ଭଳି ତୁଚ୍ଛା ବ୍ୟାପାରରେ ମଧ୍ୟ ଭାରତୀୟମାନେ ବାରମ୍ବାର ପ୍ରଦାନ କରି ସାରିଛନ୍ତି। ସତ କହିଲେ, ‘ଡେଟା ହସ୍ତାନ୍ତରଣ ଏବଂ ଠୁଳୀକରଣ’ର ଏ ଯୁଗରେ କୌଣସି ନାଗରିକର କ୍ବଚିତ୍‌ କୌଣସି ବ୍ୟକ୍ତିଗତ ତଥ୍ୟ ଆଜି ସୁଦ୍ଧା ଗୋପନୀୟ ହୋଇ ରହିଥିବ! ତେଣୁ ବ୍ୟକ୍ତିଗତ ଜୀବନରେ ଗର୍ଭଗୃହସୁଲଭ ପବିତ୍ର ଗୋପନୀୟତା ଆଶା କରିବା ଧୃଷ୍ଟତା ମାତ୍ର! ବରଂ ଏହି ପ୍ରାବଧାନ ଦ୍ବାରା ଏତିକି ସମ୍ଭବ ହୋଇପାରେ ଯେ ନିଭୃତ ଶୟନ କକ୍ଷ ମଧ୍ୟରେ ତଥାକଥିତ ଅନେକ ସୈତାନ ସେମାନଙ୍କ ଶିକାରମାନଙ୍କ ଉପରେ ଝାଂପି ପଡ଼ିଲା ବେଳେ ‌େସମାନଙ୍କୁ ଏକ ସୁରକ୍ଷା ବଳୟ ମଧ୍ୟରେ ପାଇବେ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe