ଘର ବାହୁଡ଼ା

Advertisment

ଖଲିସ୍ତାନ ସମର୍ଥକ ଏବଂ ବାଂଲାଦେଶର ମୌଳବାଦୀ ମୁସଲମାନମାନଙ୍କ ଭାରତ ଓ ହିନ୍ଦୁ ସଂପ୍ରଦାୟ ବିରୋଧୀ କାର୍ଯ୍ୟର ତୀବ୍ର ନିନ୍ଦା କରିଥିବା ଟ୍ରଂପ୍‌ଙ୍କ ବିଜୟ ନରେନ୍ଦ୍ର ମୋଦୀଙ୍କ ଭାରତ ସକାଶେ ଆଶ୍ବାସନାମୂଳକ ହୋଇଛି...

ଖଲିସ୍ତାନ ସମର୍ଥକ ଏବଂ ବାଂଲାଦେଶର ମୌଳବାଦୀ ମୁସଲମାନମାନଙ୍କ ଭାରତ ଓ ହିନ୍ଦୁ ସଂପ୍ରଦାୟ ବିରୋଧୀ କାର୍ଯ୍ୟର ତୀବ୍ର ନିନ୍ଦା କରିଥିବା ଟ୍ରଂପ୍‌ଙ୍କ ବିଜୟ ନରେନ୍ଦ୍ର ମୋଦୀଙ୍କ ଭାରତ ସକାଶେ ଆଶ୍ବାସନାମୂଳକ ହୋଇଛି...

samp1

ଖଲିସ୍ତାନ ସମର୍ଥକ ଏବଂ ବାଂଲାଦେଶର ମୌଳବାଦୀ ମୁସଲମାନମାନଙ୍କ ଭାରତ ଓ ହିନ୍ଦୁ ସଂପ୍ରଦାୟ ବିରୋଧୀ କାର୍ଯ୍ୟର ତୀବ୍ର ନିନ୍ଦା କରିଥିବା ଟ୍ରଂପ୍‌ଙ୍କ ବିଜୟ ନରେନ୍ଦ୍ର ମୋଦୀଙ୍କ ଭାରତ ସକାଶେ ଆଶ୍ବାସନାମୂଳକ ହୋଇଛି ଏବଂ ମୋଦୀଙ୍କୁ ଜଣେ ଭଲ ବନ୍ଧୁ ରୂପେ ସ୍ବୀକାର କରିଥିବା ଟ୍ରଂପ୍‌ଙ୍କ ଆମେରିକା ସହିତ ଭାରତର ସଂପର୍କ ରଣନୈତିକ ସହଯୋଗ ଦୃଷ୍ଟିରୁ ଅଧିକ ସାବଲୀଳ ହେବ। କିନ୍ତୁ ଏଭଳି ମତମାନ ପ୍ରଦାନ କରୁଥିବା ବେଳେ ସମୀକ୍ଷକମାନେ ବୈଧାନିକ ସତର୍କ ବାଣୀଟିଏ ମଧ୍ୟ ଦେଇଛନ୍ତି ଯେ ‘ଅପେକ୍ଷା କର ଓ ଦେଖ।’ କାରଣ ଟ୍ରଂପଙ୍କୁ ନେଇ କୌଣସି ନିର୍ଦ୍ଦିଷ୍ଟ ଭବିଷ୍ୟବାଣୀ କରାଯାଇ ନପାରେ!

ଅପଲକ ନୟନରେ ସମଗ୍ର ପୃଥିବୀ ଚାହିଁ ବସିଥିବା ଆମେରିକୀୟ ନିର୍ବାଚନ ଫଳାଫଳ ଗଲା ବୁଧବାର ପ୍ରକାଶିତ ହୋଇ ଅନୁମାନ, ଆକଳନ, ଆଲୋଚନା ଓ ଆଲୋଡ଼ନର ଯେଉଁ ଉଚ୍ଚାଟ ସୃଷ୍ଟି କରିଛି, ତାହା ପୂର୍ବବର୍ତ୍ତୀ କୌଣସି ଆମେରିକୀୟ ନିର୍ବାଚନ ପରିପ୍ରେକ୍ଷୀରେ ଘଟି ନ ଥିଲା। କହିବାରେ ଦ୍ବିଧା ନାହିଁ ଯେ ‘ଡେମୋକ୍ରାଟ୍‌’ ଓ ‘ରିପବ୍ଲିକାନ୍‌’ ଭଳି ଦୁଇଟି ମାତ୍ର ଦଳକୁ ନେଇ ଲଢ଼ାଯାଉଥିବା ଆମେରିକୀୟ ନିର୍ବାଚନର ଫଳାଫଳ ଏକ ନିର୍ଦ୍ଦିଷ୍ଟ ଧାରାକୁ ଅନୁସରଣ କଲା ଭଳି ପ୍ରାୟତଃ ଅନ୍ଦାଜଯୋଗ୍ୟ ହୋଇଥାଏ; ଯେମିତି କି ବିଶେଷ କୌଣସି କାରଣ ନ ଥିଲେ ଜଣେ କ୍ରମାନ୍ବୟେ ଦୁଇ ଥର ରାଷ୍ଟ୍ରପତି ହେବା (ଏହା ହିଁ ସର୍ବାଧିକ ସୀମା) ପ୍ରାୟତଃ ସୁନିଶ୍ଚିତ; ଅର୍ଥାତ୍‌ ଗୋଟିଏ ଦଳ ପ୍ରାୟ ଆଠ ବର୍ଷ ସକାଶେ ଶାସନରେ ରହିଥାଏ। କିନ୍ତୁ, ଚଳିତ ନିର୍ବାଚନରେ, ଠିକ୍‌ ଏହାର ପୂର୍ବବର୍ତ୍ତୀ ନିର୍ବାଚନ (୨୦୨୦ ମସିହା) ଭଳି ସେମିତି ଘଟି ନାହିଁ, ଅର୍ଥାତ୍‌ ୨୦୨୦ରେ ରିପବ୍ଲିକାନ୍‌ ଦଳ ଯେମିତି ଲଗାତାର ଦ୍ବିତୀୟ ବାର ଶାସନ ଦଖଲ କରିବାରେ ବିଫଳ ହୋଇଥିଲା, ଏ ଥର ସେହି ଦଶା ଡେମୋକ୍ରାଟ୍‌ ଦଳ ଭୋଗିଛି। କିନ୍ତୁ ଏଥରର ଐତିହାସିକ ବ୍ୟତିକ୍ରମଟି ହେଲା ୨୦୨୧ ମସିହାରେ କ୍ଷମତାରୁ ବହିଷ୍କୃତ ହୋଇଥିବା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରଂପ୍‌ ଗୋଟିଏ ପାଳିର ବ୍ୟବଧାନ ପରେ ଅତ୍ୟନ୍ତ ଦମଦାର ଢଙ୍ଗରେ ପୁନର୍ବାର କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି, ଯାହା ଆମେରିକାର ଗଣତାନ୍ତ୍ରିକ ପରଂପରାରେ ଅତ୍ୟନ୍ତ ବିରଳ ଏବଂ ଟ୍ରଂପ୍‌ ଏହି ତାଲିକାରେ ଦ୍ବିତୀୟ। କାରଣ ସେଠାରେ ପରାଜିତ ରାଷ୍ଟ୍ରପତିଗଣ ଅବଲୀଳା କ୍ରମେ ଦୃଶ୍ୟପଟରୁ ଅପସରି ଯାଇ ଏକ ପ୍ରକାର ନିରୁଦ୍ଦିଷ୍ଟ ହୋଇଯାଆନ୍ତି। ସେହି ଦୃଷ୍ଟିରୁ ଏହି ନିର୍ବାଚନ ଫଳାଫଳକୁ ରିପବ୍ଲିକାନ୍‌ ଦଳର ବିଜୟ ବଦଳରେ ଟ୍ରଂପ୍‌ଙ୍କ ବିଜୟ ବୋଲି କହିବା ହୁଏତ ଅଧିକ ସମୀଚୀନ ହେବ। 
କହିବା ଅନାବଶ୍ୟକ ଯେ ତୀବ୍ର ଧ୍ରୁବୀକରଣ, ବିଭାଜିତ ଜନମତ ଓ ତିକ୍ତ ଦଳ-ଭିତ୍ତିକ ବିଦ୍ବେଷର ଝୁଲ ସମଗ୍ର ନିର୍ବାଚନ ପରିବେଶକୁ ଉତ୍ତେଜନା ଉତ୍ତପ୍ତ ଓ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କରି ରଖିଥିଲା, ଯହିଁରେ ଟ୍ରଂପ୍‌ ଏକ ମରଣାନ୍ତକ ଆକ୍ରମଣରୁ ଦୈବୀ କ୍ରମେ ବର୍ତ୍ତି ଯାଇଥିଲେ ଏବଂ ଟେଲିଭିଜନ୍‌ ବିତର୍କ ଠାରୁ ନିର୍ବାଚନୀ ଭାଷଣ ପର୍ଯ୍ୟନ୍ତ ସର୍ବତ୍ର ଉଭୟ ଡୋନାଲ୍‌ଡ ଟ୍ରଂପ୍‌ ଓ ଡେମୋକ୍ରାଟ୍‌ ଦଳର ପ୍ରାର୍ଥୀ କମଳା ହାରିସ୍‌ ପରସ୍ପର ବିରୋଧରେ ଅତ୍ୟନ୍ତ ନିମ୍ନ ରୁଚିସଂପନ୍ନ ବ୍ୟକ୍ତିଗତ ଆକ୍ଷେପ ଓ ବାଚନିକ ଆକ୍ରମଣକୁ ଓହ୍ଲାଇ ଆସିଥିଲେ। ଏଭଳି ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ପରିବେଶରେ ରାଜନୈତିକ ସମୀକ୍ଷକମାନଙ୍କ ଲଶଗି ହାରଜିତ ନେଇ କୌଣସି ପୂର୍ବାନୁମାନ ଲଗାଇବା ମଧ୍ୟ ଅତ୍ୟନ୍ତ କଷ୍ଟକର ଥିଲା। କେବଳ ସେତିକି ନୁହେଁ, ‘ଏକଜିଟ୍‌ ପୋଲ୍‌’ର ଫଳାଫଳ ମଧ୍ୟ ଦ୍ବନ୍ଦ୍ବ ସଂକୁଳ ଥିଲା, ଯଦିଓ କେତେକ ‘ପୋଲ୍‌’ର ନିଷ୍କର୍ଷ କହିଥିଲା ଯେ ଅତ୍ୟନ୍ତ ସୂକ୍ଷ୍ମ ବ୍ୟବଧାନରେ କମଳା ହାରିସ ହୁଏତ ବିଜୟୀ ହୋଇଯାଇପାରନ୍ତି। କିନ୍ତୁ ପରିଶେଷରେ ସମୁଦାୟ ୫୩୮ଟି ‘ଇଲେକ୍‌ଟୋରାଲ କଲେଜ’ ଆସନରୁ ୨୯୫ଟି, ଜନମତରୁ ୫୧ ପ୍ରତିଶତ ଓ କୌଣସି ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନର ପ୍ରତିଶ୍ରୁତି ଦେଉ ନ ଥିବା ସାତଟି ଯାକ ଦୋଳାୟମାନ ରାଜ୍ୟ ‘ସୁଇଂ ଷ୍ଟେଟ୍‌’ର ସମର୍ଥନ ଲାଭ କରି ଡୋନାଲ୍‌ଡ ଟ୍ରଂପ୍‌ ବିପୁଳ ବିଜୟର ଅଧିକାରୀ ହୋଇଛନ୍ତି। କେବଳ ସେତିକି ନୁହେଁ, ଆମେରିକୀୟ ସଂସଦ ‘କଂଗ୍ରେସ’ର ସିନେଟ୍‌ରେ ମଧ୍ୟ ରିପବ୍ଲିକାନ୍‌ ଦଳ ଅଧିକ ଆସନ ଲାଭ କରି ଟ୍ରଂପ୍‌ଙ୍କୁ ନିରଙ୍କୁଶ କରିଛି। ଏହି ପରିପ୍ରେକ୍ଷୀ‌େର ରାଷ୍ଟ୍ରପତି ଭାବେ ତାଙ୍କ ଦ୍ବିତୀୟ ତଥା ଅନ୍ତିମ ପାଳିରେ ଅର୍ଥାତ୍‌ ଭବିଷ୍ୟତ୍‌ରେ କୌଣସି ନିର୍ବାଚନ ପ୍ରତ୍ୟକ୍ଷ କରିବାର ଦାୟ ନ ଥିବା ବେଳେ ଅଙ୍କୁଶହୀନ ଟ୍ରଂପ୍‌ କିଭଳି ଆଚରଣ ପ୍ରଦର୍ଶନ କରିବେ, ତାହା ସମଗ୍ର ପୃଥିବୀ ଲାଗି ଉତ୍କଣ୍ଠାର ହେତୁ ହୋଇ ରହିଛି। କାରଣ ଟ୍ରଂପ୍‌ ତାଙ୍କ ମତ, ମନ୍ତବ୍ୟ ଓ ଆଚରଣରେ ଏହା ବାରମ୍ବାର ପ୍ରମାଣିତ କରି ସାରିଛନ୍ତି ଯେ ଆଡ଼ବାୟାମାନଙ୍କ ଭଳି ସେ ଅନ୍ଦାଜ-ଅଯୋଗ୍ୟ ହୋଇଥାଆନ୍ତି!
ଏଥିରେ ଦ୍ବିରୁକ୍ତି ନାହିଁ ଯେ ସଂପ୍ରତି ପୃଥିବୀରେ ଚାଲିଥିବା ଦୁଇଟି ବୃହତ୍‌ ଯୁଦ୍ଧ, ସଂତ୍ରାସବାଦ, ନୂଆ ରଣନୈତିକ ସମୀକରଣର ଆବିର୍ଭାବ ଓ ମାଂସପେଶୀ ସ୍ଫୀତ କରି ବପୁବନ୍ତ ଚୀନ ପ୍ରଦାନ କରୁଥିବା ଅହେତୁକ ଧମକ ଦ୍ବାରା ସୃଷ୍ଟ ବାତାବରଣରେ ଆମେରିକୀୟ ରାଷ୍ଟ୍ରପତିଙ୍କ ଆଭିମୁଖ୍ୟ କିଭଳି ହେବ, ତାହା ସ୍ବାଭାବିକ ଭାବେ ଉତ୍କଣ୍ଠାର କାରଣ ହୋଇଥାଏ। ଏଭଳି ସ୍ଥଳେ ଡୋନାଲ୍‌ଡ ଟ୍ରଂପ୍‌ଙ୍କ ବ୍ୟକ୍ତିଗତ ଦୃଷ୍ଟିକୋଣ, ଆଗ୍ରହ ଓ ଆଚରଣ କାରଣରୁ ଏଭଳି ଉତ୍କଣ୍ଠା ଅଧିକ ତୀବ୍ର ହୋଇଛି। ତେବେ ସମୀକ୍ଷକମାନେ କହିଥାଆନ୍ତି ଯେ ଟ୍ରଂପ୍‌ଙ୍କ ସମୟରେ ଆମେରିକା ନିଜକୁ ଅଧିକ ନିବୁଜ କରିପାରେ; ଆମଦାନି ଶୁଳ୍‌କ ବୃଦ୍ଧି କରି ନିଜ ବଜାରରେ ବିଦେଶଗତ ଦ୍ରବ୍ୟର ଆଧିପତ୍ୟକୁ କ୍ଷୁଣ୍ଣ କରିବାକୁ ଚାହିପାରେ, ବେଆଇନ ଭାବେ ଆମେରିକାରେ ବସବାସ କରୁଥିବା‌ ବିଦେଶୀମାନଙ୍କୁ ବହିଷ୍କାର କରିପାରେ (ଏମାନଙ୍କ ସଂଖ୍ୟା ପ୍ରାୟ ୧୦ ନିୟୁତ), କେତେକ ଅନ୍ତର୍ଜାତୀୟ ମେଣ୍ଟରୁ ଆମେରିକା ନିଜକୁ ଦୂରେଇ ନେଇପାରେ; ‘ନାଟୋ’ ହେଉ ବା ବିଭିନ୍ନ ପରିବେଶ ଓ ଜଳବାୟୁ ମେଣ୍ଟ ବା ଚୁକ୍ତିନାମାକୁ ମହତ୍ତ୍ବ ନ ଦେଇପାରେ, ସର୍ବୋପରି ‘ଆମେରିକା ପ୍ରଥମ’ ନୀତି ସର୍ବାଧିକ ଗୁରୁତ୍ବ ଲାଭ କରିପାରେ। ଟ୍ରଂପ୍‌ ଏହା ବାରମ୍ବାର ସ୍ପଷ୍ଟ କରିଛନ୍ତି ଯେ ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ନେଇ ଉଚ୍ଚାଟ ବା ମାନବିକ ଅଧିକାର ହନନ ନେଇ ବିଭିନ୍ନ ସଂଗଠନର ଅଭିଯୋଗ ତାଙ୍କର ବିଶ୍ବାସଯୋଗ୍ୟ ହୋଇ ନ ଥାଏ। ଏଭଳି ଆଭିମୁଖ୍ୟର ପ୍ରତିଫଳନ ତାଙ୍କ ଆଚରଣରେ ପରିଦୃଷ୍ଟ ହୋଇପାରେ। କହିବା ବାହୁଲ୍ୟ ଯେ ଟ୍ରଂପ୍‌ଙ୍କ ବିଜୟ ଉଭୟ ପୁଟିନଙ୍କ ରୁଷିଆ ଓ ନେତନ୍ୟାହୁଙ୍କ ଇସ୍ରାଏଲକୁ ଅତ୍ୟନ୍ତ ଉଲ୍ଲସିତ କରିଥିବ, ଅପର ପକ୍ଷରେ ଆମେରିକାର ସମର୍ଥନର ସ୍ରୋତ ଶୁଷ୍କ ହୋଇଯିବାର ଆଶଙ୍କାରେ ଜେରଲେନ୍‌ସ୍କିଙ୍କ ଯୁଦ୍ଧ କ୍ଳାନ୍ତ ୟୁକ୍ରେନ୍‌ ଓ ଅଧିକ ଆକ୍ରମଣ ଭୟରେ ଆୟୋତୋଲ୍ଲାଙ୍କ ଇରାନ ଜଡ଼ସଡ଼ ହୋଇ ଉଠିଥିବ। ସି ଜିନ୍‌ପିଙ୍ଗ୍‌ଙ୍କ ଚୀନ ସକାଶେ ରୁଷିଆର ଏକାନ୍ତ ଆନୁଗତ୍ୟ ଏବେ ଦୁର୍ବଳ ପଡ଼ିପାରେ! ଖଲିସ୍ତାନ ସମର୍ଥକ ଏବଂ ବାଂଲାଦେଶର ମୌଳବାଦୀ ମୁସଲମାନମାନଙ୍କ ଭାରତ ଓ ହିନ୍ଦୁ ସଂପ୍ରଦାୟ ବିରୋଧୀ କାର୍ଯ୍ୟର ତୀବ୍ର ନିନ୍ଦା କରିଥିବା ଟ୍ରଂପ୍‌ଙ୍କ ବିଜୟ ନରେନ୍ଦ୍ର ମୋଦୀଙ୍କ ଭାରତ ସକାଶେ ଆଶ୍ବାସନାମୂଳକ ହୋଇଛି ଏବଂ ମୋଦୀଙ୍କୁ ଜଣେ ଭଲ ବନ୍ଧୁ ରୂପେ ସ୍ବୀକାର କରିଥିବା ଟ୍ରଂପ୍‌ଙ୍କ ଆମେରିକା ସହିତ ଭାରତର ସଂପର୍କ ରଣନୈତିକ ସହଯୋଗ ଦୃଷ୍ଟିରୁ ଅଧିକ ସାବଲୀଳ ହେବ। କିନ୍ତୁ ଏଭଳି ମତମାନ ପ୍ରଦାନ କରୁଥିବା ବେଳେ ସମୀକ୍ଷକମାନେ ବୈଧାନିକ ସତର୍କ ବାଣୀଟିଏ ମଧ୍ୟ ଦେଇଛନ୍ତି ଯେ ‘ଅପେକ୍ଷା କର ଓ ଦେଖ।’ କାରଣ ଟ୍ରଂପଙ୍କୁ ନେଇ କୌଣସି ନିର୍ଦ୍ଦିଷ୍ଟ ଭବିଷ୍ୟବାଣୀ କରାଯାଇ ନପାରେ!
ପ୍ରାୟ ସମସ୍ତଙ୍କ ସ୍ମରଣରେ ଥିବ ଯେ ୨୦୨୧ ମସିହା ଜାନୁଆରି ୬ ତାରିଖରେ ଟ୍ରଂପ୍‌ଙ୍କ ଡାକରାରେ ଶହ ଶହ ଆମେରିକୀୟ ନାଗରିକ କ୍ୟାପିଟଲ୍‌ ହିଲ୍‌ସ (ଆମେରିକୀୟ ସଂସଦ)ରେ ପ୍ରବେଶ କରି ଅଚିନ୍ତନୀୟ ଭଙ୍ଗାରୁଜା ଓ ଅରାଜକତା ସୃଷ୍ଟି କରିଥିଲେ, ଯାହା ଆମେରିକାକୁ ପୃଥିବୀ ସାମାନରେ ଲଜ୍ଜାବନତ କରି ଦେଇଥିଲା। କହିବା ବାହୁଲ୍ୟ, ଏହା ଥିଲା ରାଷ୍ଟ୍ରଦ୍ରୋହ ତୁଲ୍ୟ ଏବଂ ଏହାର କାରଣ ଥିଲା ନିର୍ବାଚନୀ ପରାଜୟକୁ ସ୍ବୀକାର କରୁ ନ ଥିବା ଟ୍ରଂପ୍‌ଙ୍କ ହତାଶା ଓ କ୍ରୋଧର ଉଦ୍‌ଗିରଣର ପରିଣାମ। ଏହା ସହିତ ଟ୍ରଂପ୍‌ ପାଲଟି ଯାଇଥିଲେ ଜଣେ ଅରାଜକ ଉପଦ୍ରବୀ, ଜାତୀୟ ଲଜ୍ଜା ଓ ନିଜ ଦଳର ଅନେକ ସଦସ୍ୟଙ୍କ ଦ୍ବାରା ମଧ୍ୟ ପରିତ୍ୟାଜ୍ୟ। ‘ଟ୍ବିଟର୍‌’ ତାଙ୍କୁ ତା’ ମଞ୍ଚରୁ ବହିଷ୍କାର କରି ଦେଇଥିଲା। କେବଳ ସେତିକି ନୁହେଁ, ଏକ ଠକେଇ ମାମଲାରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା! ଅର୍ଥାତ୍‌ ମାତ୍ର ଚାରି ବର୍ଷର ଅବଧି ଭିତରେ ଆମେରିକାର ରାଜନୀତିରେ ତାଙ୍କର ପୁନର୍ଭ୍ୟୁଦୟ ସଂପୂର୍ଣ୍ଣ ଅସମ୍ଭବ ଥିଲା। କିନ୍ତୁ, ସେହି ଜାନୁଆରି ୬ ତାରିଖ ଦିନ  ହୁଏତ ଟ୍ରଂପ୍‌ ବୁଝି ପାରିଥିଲେ ଯେ ଆମେରିକା ବଦଳିଯାଇଛି ଏବଂ ତାଙ୍କ ସମର୍ଥନରେ ଏଭଳି ଅସଂଖ୍ୟ ସ୍ତାବକଙ୍କ ଆବିର୍ଭାବ ଘଟିଲାଣି, ଯେଉଁମାନେ ‘ଦଳ’ର ନୁହନ୍ତି, କେବଳ ‘ତାଙ୍କର’! ତାହା ହିଁ ଏହି ନିର୍ବାଚନରେ ସତ୍ୟ ସାବ୍ୟସ୍ତ ହୋଇଛି! ଏହି ବଦଳିବା ଭିତରେ  ‘ଟ୍ବିଟର୍‌’ର ନାମ ବଦଳି ହୋଇଯାଇଛି ‘ଏକ୍‌ସ’ ଏବଂ ତା’ର ମାଲିକାନା ବଦଳି ନୂତନ ମାଲିକ ଏଲନ୍‌ ମସ୍କ ହୋଇଯାଇଛନ୍ତି ଟ୍ରଂପ୍‌ଙ୍କ ପରମ ବନ୍ଧୁ, ହି‌ତୈଷୀ ଓ ମାର୍ଗ ଦର୍ଶକ। ଟ୍ରଂପ୍‌ଙ୍କ ଭଳି ଜଣେ ‘ଆଲ୍‌ଫା ମେଲ୍‌’ ବା ‘ବଳିଷ୍ଠ ପୁରୁଷ’ ଏହିଭଳି ଭାବେ ଘରକୁ ବାହୁଡ଼ି ପାରନ୍ତି!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe