ସୂର୍ଯ୍ୟାସ୍ତ-ସହାୟତା

ଆକଳନ କରାଯାଇଛି ଯେ ନାଗରିକମାନେ ଚିକିତ୍ସା ବାବଦରେ ବାର୍ଷିକ ଯେତିକି ବ୍ୟୟ କରିଥାନ୍ତି, ସେଥିରେ ‘ଓପିଡି’ ପରାମର୍ଶ, ପରୀକ୍ଷା ଓ ଔଷଧପତ୍ର ବାବଦ ଖର୍ଚ୍ଚର ଅଂଶ ହେଉଛି ପ୍ରାୟ ୫୦ରୁ ୮୦ ଶତାଂଶ ପର୍ଯ୍ୟନ୍ତ।

samp1

ଆକଳନ କରାଯାଇଛି ଯେ ନାଗରିକମାନେ ଚିକିତ୍ସା ବାବଦରେ ବାର୍ଷିକ ଯେତିକି ବ୍ୟୟ କରିଥାନ୍ତି, ସେଥିରେ ‘ଓପିଡି’ ପରାମର୍ଶ, ପରୀକ୍ଷା ଓ ଔଷଧପତ୍ର ବାବଦ ଖର୍ଚ୍ଚର ଅଂଶ ହେଉଛି ପ୍ରାୟ ୫୦ରୁ ୮୦ ଶତାଂଶ ପର୍ଯ୍ୟନ୍ତ। କୌଣସି ବୀମା ଯୋଜନା ଦ୍ବାରା ଏ ସମସ୍ତ ଚିକିତ୍ସାଜନିତ ବ୍ୟୟ ବହନ ପାଇଁ ସହାୟତା ପ୍ରଦାନ କରାଯାଉ ନ ଥିବା ହେତୁ ଅନେକ ଅସ୍ବଚ୍ଛଳ ବର୍ଗର ରୋଗୀ ଓ ବାର୍ଦ୍ଧକ୍ୟଗ୍ରସ୍ତ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇ ନ ପାରି ଯନ୍ତ୍ରଣା ଜର୍ଜରିତ ଜୀବନଯାପନ କରିବାକୁ ବାଧ୍ୟ ହୋଇଥାନ୍ତି। ସ୍ବାସ୍ଥ୍ୟ ବୀମା ଯୋଜନାରେ ତେଣୁ ଏ ସମସ୍ତ ଅପରିହାର୍ଯ୍ୟ ବ୍ୟୟକୁ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ।

ଭାରତ ୧୯୪୭ରେ ସ୍ବାଧୀନତା ଲାଭ କରିବା ବେଳେ ଜଣେ ଭାରତୀୟର ହାରାହାରି ଅାୟୁଷ ଥିଲା ମାତ୍ର ୩୨ ବର୍ଷ, ଅର୍ଥାତ୍ ‌େଯୗବନର ଶୀର୍ଷ ସମୟ ଥିଲା ତା’ପାଇଁ ଶେଷ ସମୟ। ତାକୁ ଜରା ସ୍ପର୍ଶ କରିବାର ବହୁ ପୂର୍ବରୁ ସେ ଅସ୍ବାସ୍ଥ୍ୟ, ଅପପୁଷ୍ଟି, ସଂକ୍ରାମକ ବ୍ୟାଧି ବା ପ୍ରାକୃତିକ ବିପର୍ଯ୍ୟୟ କବଳରେ ପଡ଼ି ଇହଧାମ ତ୍ୟାଗ କରୁଥିଲା। ସ୍ବାଧୀନତା ପ୍ରାପ୍ତି ପରେ ଭାରତ ଏକ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ ହେବା ପରେ ନାଗରିକମାନଙ୍କର ଜୀବନଧାରଣ ମାନରେ ଦେଖାଯାଇଥିବା ଉନ୍ନତି ଓ ଜନସ୍ବାସ୍ଥ୍ୟ ସେବାର ପ୍ରସାର ଫଳରେ ଭାରତୀୟମାନଙ୍କର ହାରାହାରି ଆୟୁଷରେ କ୍ରମାଗତ ବୃଦ୍ଧି ପାଇଚାଲି ଆଜି ସାତ ଦଶନ୍ଧିରୁ ଅଧିକ କାଳ ପରେ ବା ତଥାକଥିତ ଅମୃତ କାଳରେ ତାହା ୭୦ ବର୍ଷ ଅତିକ୍ରମ କରିସାରିଛି। ଅର୍ଥାତ୍ ଆଜି ସଂସାରକୁ ବିଦାୟ ଜଣାଇବାକୁ ଉଦ୍ୟତ ଭାରତୀୟ ହେଉଛି ଜଣେ ଜରାଗ୍ରସ୍ତ ମନୁଷ୍ୟ ଯାହାକୁ ସେଇ ସମୟରେ ଅଧିକରୁ ଅଧିକ ସଂଖ୍ୟକ ବିଭିନ୍ନ ରୋଗବ୍ୟାଧିମାନଙ୍କ ସହିତ ଲଢ଼ିବାକୁ ପଡ଼ିଥାଏ, ଯେଉଁ ସମୟ ହେଉଛି ତା’ର ଶକ୍ତି ଓ ସାମର୍ଥ୍ୟର ସୂର୍ଯ୍ୟାସ୍ତ ସମୟ।
ଶାରୀରିକ ଦୁର୍ବଳତା ସହିତ ତା’ର ଉପାର୍ଜନହୀନ ଅବସ୍ଥାର ଆର୍ଥିକ ଦୁର୍ବଳତା ମିଶି ଜଣେ ଦୀର୍ଘଜୀବୀ ଭାରତୀୟକୁ ଆଜି ତା’ର ବାର୍ଦ୍ଧକ୍ୟରେ ସଂପୂର୍ଣ୍ଣ ଅସହାୟ କରିଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ଅସହାୟତାର ଅନ୍ୟତମ କାରଣ ହେଉଛି ସେମାନେ ଅାବଶ୍ୟକ କରୁଥିବା ଚିକିତ୍ସା, ଔଷଧପତ୍ର ଆଦିର ବ୍ୟୟବହୁଳତା। ଏହି ପରିପ୍ରେକ୍ଷୀରେ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା’ ନାମକ ସରକାରୀ ସ୍ବାସ୍ଥ୍ୟ ବୀମା ଯୋଜନା ସମ୍ବନ୍ଧରେ କେନ୍ଦ୍ର ସରକାର କରିଥିବା ସଦ୍ୟ ଘୋଷଣାକୁ ଦେଶର ପ୍ରାୟ ସାଢ଼େ ଚାରି କୋଟି ପରିବାରର ଛ’ କୋଟିରୁ ଅଧିକ ବରିଷ୍ଠ ସଦସ୍ୟମାନେ ଯେ ଏକ ଅତ୍ୟନ୍ତ ଉପଯୋଗୀ ଅସ୍ତକାଳୀନ ଉପହାର ରୂ‌େପ ସ୍ବାଗତ କରୁଥିବେ, ଏଥିରେ କୌଣସି ସନ୍ଦେହ ନାହିଁ। ସରକାର ଗ୍ରହଣ କରିଥିବା ଏହି ବହୁପ୍ରତୀକ୍ଷିତ ପଦକ୍ଷେପ ହେଉଛି ଏକ ପ୍ରତିଶ୍ରୁତି ପୂରଣ, କାରଣ ଏହା ଥିଲା ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ପ୍ରସାର କରିଥିବା ତା’ର ଇସ୍ତାହାରର ଏକ ଅଂଶ, ଯାହାକୁ ‘ଭାଜପା’ ନେତୃତ୍ବାଧୀନ ‘ଏନ୍‌ଡିଏ’ ସରକାରର କ୍ୟାବିନେଟ୍ ଗତ ବୁଧବାର ଦିନ ଅନୁମୋଦନ ପ୍ରଦାନ କରିଛି।
ସ୍ବାସ୍ଥ୍ୟ ବୀମା ଯୋଜନାରେ ରହିଥିବା ଏକ ବିଶେଷ ଶୂନ୍ୟସ୍ଥାନ ପୂରଣ କରୁଥିବା ଏହି ଘୋଷଣା ଅନୁସାରେ ଉପରୋକ୍ତ ‘ଆୟୁଷ୍ମାନ ଭାରତ’ ଯୋଜନା ସଂପ୍ରସାରିତ ହୋଇ ଏଥିରେ କୌଣସି ବ୍ୟତିକ୍ରମ ବିନା ଦେଶର ସମସ୍ତ ୭୦ ବର୍ଷ ବୟସ ବା ତଦୂର୍ଦ୍ଧ୍ବ ବୟସର ସମସ୍ତ ନାଗରିକମାନେ ଅନ୍ତର୍ଭୁକ୍ତ ହେବେ। ଏହି ହିତାଧିକାରୀମାନଙ୍କର ସାମାଜିକ-ଅର୍ଥନୈତିକ ଅବସ୍ଥା ଏଥିପାଇଁ ପ୍ରତିବନ୍ଧକ ରୂପେ ବିବେଚିତ ହେବ ନାହିଁ। ସେହିପରି ୭୦ ବର୍ଷରୁ ଊର୍ଦ୍ଧ୍ବ ବୟସର ଯେଉଁ ନାଗରିକମାନେ ନିଜ ପାଇଁ କୌଣସି ଘରୋଇ ସ୍ବାସ୍ଥ୍ୟ ବୀମା ବ୍ୟବସ୍ଥା କରିଥିବେ, ସେମାନେ ମଧ୍ୟ ଏହି ସରକାରୀ ବୀମା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇପାରିବେ; ଯେଉଁଭଳି ‘ଏମ୍ପ୍ଲଇଜ୍ ଷ୍ଟେଟ୍ ଇନ୍‌ସ୍ୟୁରାନ୍‌ସ’ (‘ଇଏସ୍ଆଇ’) ଯୋଜନା ଅନ୍ତର୍ଭୁକ୍ତ ବ୍ୟକ୍ତିମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବେ। ଅବଶ୍ୟ ଯେଉଁ ପୂର୍ବତନ କେନ୍ଦ୍ର ସରକାର କର୍ମଚାରୀମାନେ ‘ସେଣ୍ଟ୍ରାଲ୍ ଗଭର୍ନମେଣ୍ଟ୍ ହେଲ୍‌ଥ ସ୍କିମ୍’ (‘ସିଜିଏଚ୍‌ଏସ୍’)ର ସୁବିଧା ଉପଭୋଗ କରୁଛନ୍ତି, ସେମାନଙ୍କୁ ବର୍ତ୍ତମାନ ଏ ଦୁଇଟି ମଧ୍ୟରୁ ଗୋଟିଏ ବୀମା ଯୋଜନାକୁ ଚୟନ କରିବାକୁ ହେବ। ‘ଆୟୁ‌ଷ୍ମାନ ଭାରତ’ ଯୋଜନାର ଏହି ସଂପ୍ରସାରଣ ବାବଦରେ କେନ୍ଦ୍ର ସରକାରଙ୍କୁ ପ୍ରଥମ ବର୍ଷରେ ୩,୪୩୭ କୋଟି ଟଙ୍କା ବ୍ୟୟ ଭାର ବହନ କରିବାକୁ ପଡ଼ିବ ବୋଲି ହିସାବ କରାଯାଇଛି।
ଦେଶର ସମସ୍ତ ଅତି-ବରିଷ୍ଠ ନାଗରିକମାନେ ଏହି ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଯାଉଥିଲେ ହେଁ, ଏଥିରେ ତଥାପି କେତେକ ସୀମାବଦ୍ଧତା ପରିଦୃଷ୍ଟ ହୋଇଥାଏ। ଏହି ଯୋଜନା ଅନୁସାରେ ଜଣେ ଅତି-ବରିଷ୍ଠ ନାଗରିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁରକ୍ଷା ଲାଭ କରିପାରିବ। କିନ୍ତୁ ଏକ ପରିବାରରେ ଯଦି ଏହି ସୁବିଧା ପାଇବା ପାଇଁ ଯୋଗ୍ୟ ଏକାଧିକ ବରିଷ୍ଠ ସଦସ୍ୟ ଥାଆନ୍ତି, ତେବେ ଏହି ବୀମା ରାଶି ସେମାନଙ୍କ ମଧ୍ୟରେ ବାଣ୍ଟି ଦିଆଯିବ। ଯଦି ଯୋଗ୍ୟ ବ୍ୟକ୍ତିମାନେ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଭୁକ୍ତ ପରିବାରର ସଦସ୍ୟ ହୋଇଥାନ୍ତି, ତେବେ ଏହି ସୁବିଧା ବଣ୍ଟନର ଆବଶ୍ୟକତା ନାହିଁ। ଅତିଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଥିବା ଏହି ଯୋଜନାର ଏହି କେତେକ ସୀମାବଦ୍ଧତା ସତ୍ତ୍ବେ, ସମାଜର ଶୁକ୍ଳକେଶ ସଦସ୍ୟସଦସ୍ୟାମାନଙ୍କ ପାଇଁ ଯେ ଏହା ହେଉଛି ଏକ କଷ୍ଟ ଲାଘବକାରୀ ସାମାଜିକ ସହାୟତା, ତାହା ସମାଜର ପ୍ରତ୍ୟେକ ବର୍ଗର ବରିଷ୍ଠ ସଦସ୍ୟମାନେ ସ୍ବୀକାର କରିବେ। ସ୍ବଚ୍ଛଳ ବର୍ଗର ବରିଷ୍ଠ ନାଗରିକମାନେ ମଧ୍ୟ ଅନେକ ସମୟରେ ସମ୍ମୁଖୀନ ହେଉଥିବା ପାରିବାରିକ ଅବହେଳାରୁ ସେମାନଙ୍କୁ ଉଦ୍ଧାର କରିବାରେ ଏହି ଯୋଜନା ନିଶ୍ଚିତ ରୂ‌େପ କିଛିମାତ୍ରାରେ ସହାୟକ ହେବ। ଏମିତିରେ ଆମ ଦେଶରେ ଜନସଂଖ୍ୟାରେ ସ୍ବାସ୍ଥ୍ୟ ବୀମା ଦ୍ବାରା ସୁରକ୍ଷିତ ଲୋକସଂଖ୍ୟାର ଅନୁପାତ ହେଉଛି ଅତ୍ୟନ୍ତ ନୀଚା, ମାତ୍ର ପ୍ରାୟ ୨୭ ଶତାଂଶ।
ଖାଦ୍ୟ, ବସ୍ତ୍ର, ବାସସ୍ଥାନ ସହିତ ଉତ୍ତମ ସ୍ବାସ୍ଥ୍ୟ ଓ ଶିକ୍ଷା ହେଉଛି ଯେ କୌଣସି ସଭ୍ୟ ସମାଜରେ ମନୁଷ୍ୟର ନିମ୍ନତମ ତଥା ମୌଳିକ ଆବଶ୍ୟକତା। ଏକ ଗଣତାନ୍ତ୍ରିକ ଜନମଙ୍ଗଳ ରାଷ୍ଟ୍ରରେ ନାଗରିକମାନଙ୍କର ଏହି ମୌଳିକ ଆବଶ୍ୟକତାମାନ ପୂରଣ କରିବା ହେଉଛି ଯେ କୌଣସି ସରକାରର ପ୍ରଥମ କର୍ତ୍ତବ୍ୟ। ଅର୍ଥନୈତିକ ବିକାଶ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ଯେଉଁଠି ଏକ ପୁଞ୍ଜିବାଦୀ ବଜାରଭିତ୍ତିକ ଅର୍ଥନୈତିକ ବ୍ୟବସ୍ଥା ଅନୁସରଣ କରାଯାଇଥାଏ, ସେଠାରେ ମଧ୍ୟ ବଜାର ଏହି ଆବଶ୍ୟକତା ପୂରଣ କରିବାରେ ବିଫଳ ହେଲେ, ସରକାର ତାହା ପୂରଣ କରିବା ପାଇଁ ଅାଗେଇ ଆସିଥାନ୍ତି, ଯାହା ସମସ୍ତ ପୁଞ୍ଜିବାଦୀ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ଦେଖାଯାଇଥାଏ।
ଭାରତ ସରକାରଙ୍କର ଏହି ସଦ୍ୟତମ ପଦକ୍ଷେପ ତେଣୁ ଏକ ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ହେଁ, ଏହା ଆବଶ୍ୟକତା ତୁଳନାରେ ଅାଦୌ ଯଥେଷ୍ଟ ନୁହେଁ, ଏବଂ ସରକାର ତାଙ୍କର ଏହି ସ୍ବାସ୍ଥ୍ୟ ବୀମା ଯୋଜନାକୁ ସଂପ୍ରସାରିତ କରିବାର ଅନେକ ପ୍ରକୃତ ସୁଯୋଗ ରହିଛି। ଉଦାହରଣ ସ୍ବରୂପ କେବଳ ଉପରୋକ୍ତ ‘ସିଜିଏଚ୍ଏସ୍’ ଭଳି ଯୋଜନାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଯୋଜନାମାନ କେବଳ ହସ୍‌ପିଟାଲାଇଜେସନ୍ ସଂପର୍କିତ ଖର୍ଚ୍ଚ ବହନ ପାଇଁ ଉଦ୍ଦିଷ୍ଟ, ‘ଓପିଡି’ କିମ୍ବା ବାହ୍ୟ ଚିକିତ୍ସା‌ ସଂପର୍କିତ ଖର୍ଚ୍ଚ ବୋଝ ଲାଘବ କରି ନଥାନ୍ତି। ଆକଳନ କରାଯାଇଛି ଯେ ନାଗରିକମାନେ ଚିକିତ୍ସା ବାବଦରେ ବାର୍ଷିକ ଯେତିକି ବ୍ୟୟ କରିଥାନ୍ତି, ସେଥିରେ ‘ଓପିଡି’ ପରାମର୍ଶ, ପରୀକ୍ଷା ଓ ଔଷଧପତ୍ର ବାବଦ ଖର୍ଚ୍ଚର ଅଂଶ ହେଉଛି ପ୍ରାୟ ୫୦ରୁ ୮୦ ଶତାଂଶ ପର୍ଯ୍ୟନ୍ତ। କୌଣସି ବୀମା ଯୋଜନା ଦ୍ବାରା ଏ ସମସ୍ତ ଚିକିତ୍ସାଜନିତ ବ୍ୟୟ ବହନ ପାଇଁ ସହାୟତା ପ୍ରଦାନ କରାଯାଉ ନ ଥିବା ହେତୁ ଅନେକ ଅସ୍ବଚ୍ଛଳ ବର୍ଗର ରୋଗୀ ଓ ବାର୍ଦ୍ଧକ୍ୟଗ୍ରସ୍ତ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇ ନ ପାରି ଯନ୍ତ୍ରଣା ଜର୍ଜରିତ ଜୀବନଯାପନ କରିବାକୁ ବାଧ୍ୟ ହୋଇଥାନ୍ତି। ସ୍ବାସ୍ଥ୍ୟ ବୀମା ଯୋଜନାରେ ତେଣୁ ଏ ସମସ୍ତ ଅପରିହାର୍ଯ୍ୟ ବ୍ୟୟକୁ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ। ଏଥିସହିତ ଚିକିତ୍ସା ପ୍ରତ୍ୟାଖ୍ୟାନ, ଦୁର୍ନୀତି, ଭିତ୍ତିଭୂମିର ଅଭାବ ଆଦି ହିତାଧିକାରୀମାନେ ଜଣାଶୁଣା ଭାବରେ ସମ୍ମୁଖୀନ ହେଉଥିବା ଅନ୍ୟାନ୍ୟ ଗୁରୁତର ପ୍ରତିବନ୍ଧକମାନ ଦୂର କରିବା ପ୍ରତି ସରକାର ତୁରନ୍ତ ଧ୍ୟାନ ଦେବା ଉଚିତ। ତା’ହେଲେ ଯାଇ ସରକାରଙ୍କର ସୁ-ଉଦ୍ୟମ ବାସ୍ତବରେ ସୁଫଳ ପ୍ରଦାନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe