ଭାରତ ଲୋଡ଼ା!

Advertisment

ନିକଟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଭାରତ ଏଭଳି ବହୁପକ୍ଷଭୁକ୍ତ ହେବା ଦ୍ବାରା ତା’ର ରଣନୈତିକ ଗୁରୁତ୍ବ ହ୍ରାସ ପାଉ ନାହିଁ କି? ଜୟଶଙ୍କରଙ୍କ ଉତ୍ତର ଥିଲା ଯେ ଭାରତ ସର୍ବତ୍ର ଉପସ୍ଥିତ କାରଣ ଭାରତକୁ ସର୍ବତ୍ର ଲୋଡ଼ା ପଡୁଛି।

ନିକଟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଭାରତ ଏଭଳି ବହୁପକ୍ଷଭୁକ୍ତ ହେବା ଦ୍ବାରା ତା’ର ରଣନୈତିକ ଗୁରୁତ୍ବ ହ୍ରାସ ପାଉ ନାହିଁ କି? ଜୟଶଙ୍କରଙ୍କ ଉତ୍ତର ଥିଲା ଯେ ଭାରତ ସର୍ବତ୍ର ଉପସ୍ଥିତ କାରଣ ଭାରତକୁ ସର୍ବତ୍ର ଲୋଡ଼ା ପଡୁଛି।

samp1

ନିକଟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଭାରତ ଏଭଳି ବହୁପକ୍ଷଭୁକ୍ତ ହେବା ଦ୍ବାରା ତା’ର ରଣନୈତିକ ଗୁରୁତ୍ବ ହ୍ରାସ ପାଉ ନାହିଁ କି? ଜୟଶଙ୍କରଙ୍କ ଉତ୍ତର ଥିଲା ଯେ ଭାରତ ସର୍ବତ୍ର ଉପସ୍ଥିତ କାରଣ ଭାରତକୁ ସର୍ବତ୍ର ଲୋଡ଼ା ପଡୁଛି। ସେହି ସୂତ୍ରରୁ କହି ହେବ କି ଚୀନ ଏବେ ତା’ର ରଣନୈତିକ ଲକ୍ଷ୍ୟ ଚରିତାର୍ଥ କରିବା ଲାଗି ଭାରତକୁ ଲୋଡୁଛି? କିଏ ଜାଣେ? ଭବିଷ୍ୟତ୍‌ କହିବ! ଏବଂ ଭାରତ ତା’ର ରଣନୈତିକ ସ୍ବାଧୀନତାକୁ କେତେ ସୂକ୍ଷ୍ମ ଭାବେ ପରିଚାଳନା କରୁଛି, ତା’ ଉପରେ ଅ‌େନକ କିଛି ନିର୍ଭର କରିବ।

ସଂପ୍ରତି ପୃଥିବୀର ରାଜନୈତିକ ଓ ରଣନୈତିକ ପରିବେଶ ବେଶ୍‌ ଉଷ୍ମ ଓ ଚଳଚଞ୍ଚଳ; ଦୁଇଟି ଯୁଦ୍ଧ ସକ୍ରିୟ, କେଉଁଠାରେ ମିତ୍ର ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକ ପାରସ୍ପରିକ ତିକ୍ତତା ଓ ସନ୍ଦେହରେ ଜର୍ଜର ତ କେଉଁଠାରେ ରଣନୈତିକ ସଂପର୍କର ନୂତନ ସମୀକରଣରେ କେତେକ ରାଷ୍ଟ୍ର ପିଚ୍ଛିଳ ପଥ‌େର ଭାରସାମ୍ୟ ରକ୍ଷା କରି ଚାଲିବାରେ ଚେଷ୍ଟିତ ତ କେଉଁଠି ଦୀର୍ଘ ଚାରି ବର୍ଷ ଧରି ସମର ଉଦ୍ୟତ ଥିବା ଦୁଇ ପାରଂପରିକ ଶତ୍ରୁ ରାଷ୍ଟ୍ର ମଧ୍ୟରେ ଅଚାନକ ସନ୍ଧିର ସୂତ୍ରପାତ। କହିବା ବାହୁଲ୍ୟ ଏଠାରେ ଯେଉଁ ସନ୍ଧି ବିଷୟରେ ଅବତାରଣା କରାଯାଇଛି, ତାହା ଯେ ଭାରତ ଓ ଚୀନ ମଧ୍ୟରେ ସଂପାଦିତ ହୋଇଛି, ସେ କଥା ଏହି ସ୍ତମ୍ଭର ସମସ୍ତ ପାଠକପାଠିକା ନିଶ୍ଚିତ ଭାବେ ଅବଗତ ଥିବେ। ପ୍ରକାଶ ଥଉ କି ୨୦୨୧ ମସିହାରେ ଗଲୱାନ ଠାରେ ସଂଘଟିତ ସଂଘର୍ଷ ପରେ ଏହି ରାଷ୍ଟ୍ର ଦ୍ବୟ ମଧ୍ୟରେ ଅତ୍ୟନ୍ତ ଖରାପ ହୋଇଯାଇଥିବା ସଂପର୍କରେ ଉନ୍ନତି ଘଟାଇବାକୁ ଉଭୟ ରାଷ୍ଟ୍ର ମଧ୍ୟରେ ଅତି ସନ୍ତର୍ପଣରେ ବିଭିନ୍ନ ସ୍ତରୀୟ ଆଲୋଚନାମାନ ବିଶେଷ ଫଳ ଦେଖାଇ ପାରି ନ ଥିବା ବେଳେ ପ୍ରଶ୍ନ ଉଠିଥାଏ ଯେ ସହସା ତାହା ସମ୍ଭବ ହେଲା କିପରି? ପ୍ରକାଶ ଥାଉ କି କେଉଁ ସର୍ତ୍ତଗୁଡ଼ିକର ଆଧାରରେ ଏହି ସନ୍ଧି ସଂପାଦିତ ହୋଇଛି, ସେ ନେଇ ବିଶଦ ବିବରଣୀ ପ୍ରକାଶ୍ୟ ହୋଇନାହିଁ; ତେବେ ଏତିକି ସ୍ପଷ୍ଟ ଯେ ‘ଏଲ୍‌.ଏ.ସି.’ ବା ‘ପ୍ରକୃତ ନିୟନ୍ତ୍ରଣ ରେଖା’ ଠାରେ ୨୦୨୦ ମସିହାର ସ୍ଥିତି ବଳବତ୍ତର ରହିବ; ସୁତରାଂ, ୨୦୨୧ ମସିହାର ଗଲୱାନ ସଂଘର୍ଷ ପୂର୍ବ ସମୟ ଭଳି ‘ଏଲ୍‌.ଏ.ସି.’ ଠାରେ ଦୁଇ ରାଷ୍ଟ୍ରର ସୁରକ୍ଷା ବଳ ପରସ୍ପରକୁ ଯଥାଯୋଗ୍ୟ ମାନ୍ୟତା ଦେଇ ‘ପେଟ୍ରୋଲିଂ’ କରିବେ। କହିବା ଅନାବଶ୍ୟକ ଯେ ‘ଏଲ୍‌.ଏ.ସି.’ ଅତିକ୍ରମଣର ଉଦ୍ୟମ ପ୍ରଥମେ ଚୀନ ପକ୍ଷରୁ ହୋଇଥିବାରୁ କୌଣସି ଏକ ସନ୍ଧିରେ ପହଞ୍ଚିବା ଲାଗି ଚୀନକୁ ହିଁ ନିଜ ଅହମିକାକୁ ଅଧିକ ସଂକୋଚନ କରିବାକୁ ପଡ଼ିଥିବ! ଏଣୁ ଉପରେ ପଚରାଯାଇଥିବା ପ୍ରଶ୍ନର ପ୍ରାସଙ୍ଗିକତା ଆହୁରି ଅଧିକ ବୃଦ୍ଧି ପାଇଥାଏ। ତେବେ, ଏ ନେଇ ଅନେକ ଅନୁମାନ, ତତ୍ତ୍ବ ଓ ବ୍ୟାଖ୍ୟାନମାନ ମଧ୍ୟ ସୃଷ୍ଟି ହେଲାଣି, ଯାହା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ। 
କିଛି ପର୍ଯ୍ୟବେକ୍ଷକଙ୍କ ମତରେ ଚୀନର ଅର୍ଥନୀତି ସଂପ୍ରତି ଏକ ଖରାପ ପାଗ ଦେଇ ଯାଉଥିବାରୁ ଦୀର୍ଘ କାଳ ଧରି ଲଦାଖରେ ବିପୁଳ ସଂଖ୍ୟକ ସୈନ୍ୟ ମୁତୟନ କରି ଅଧିକ ବ୍ୟୟ ଭାର ବହନ କରିବା ଚୀନ ସରକାରଙ୍କୁ ଅଯଥା ଭଳି ମନେ ହୋଇଥିବ; କାରଣ ଚୀନ ସରକାରଙ୍କ ହୃଦ୍‌ବୋଧ ହୋଇଥିବ ଯେ ଏହା ଆଦୌ ଫଳପ୍ରସୂ ହେବନାହିଁ; ଭାରତ ସହିତ ଯୁଦ୍ଧ କରି କିଛି ଅଞ୍ଚଳ ଦଖଲ କରିବାର ଅଭୀଷ୍ଟ କଦାପି ପୂରଣ ହେବ ନାହିଁ, ବରଂ ତାହା ଆତ୍ମଘାତୀ ଜଟିଳତାକୁ ଜନ୍ମ ଦେବ! ଏହି ପର୍ଯ୍ୟବେକ୍ଷକମାନେ ଆହୁରି କହନ୍ତି ଯେ ଭାରତ ପକ୍ଷରୁ ଚୀନରେ ବୃହତ୍‌ ପୁଂଜି ନିବେଶର ସୁଯୋଗକୁ ସୁଗମ କରିବା ଲାଗି ଚୀନ ସରକାରଙ୍କ ପକ୍ଷରୁ ଏଭଳି ଏକ ସନ୍ଧିକୁ ଆବଶ୍ୟକ ବୋଲି ବିଚାର କରାଯାଇଥିବ! ସଂପ୍ରତି ଭାରତ ଓ ତାଇୱାନ ମଧ୍ୟରେ ବାଣିଜ୍ୟିକ ସଂପର୍କ ସୁଦୃଢ଼ ହୋଇଛି, ଯହିଁରେ ‘ସେମିକଣ୍ଡକ୍‌ଟର’ ଉତ୍ପାଦନ ଅନ୍ତର୍ଭୁକ୍ତ। ସଂପ୍ରତି ତାଇୱାନ ହେଉଛି ଚୀନର ଏକ ନମ୍ବର ଶତ୍ରୁ। ତେଣୁ ଉତ୍ପାଦନ କ୍ଷେତ୍ରରେ ତାଇୱାନର ପ୍ରବେଶକୁ ଚୀନ ସହଜରେ ଗ୍ରହଣ କରି ପାରୁ ନ ଥିବ! ସଂପ୍ରତି ରୁଷିଆର କାଜାନରେ ଅନୁଷ୍ଠିତ ‘ବ୍ରିକ୍‌ସ’ ଶିଖର ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନ‌େରନ୍ଦ୍ର ମୋଦୀ ଓ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ଔପଚାରିକ ସାକ୍ଷାତ କାଳରେ ସି ଜିନପିଙ୍ଗଙ୍କ ପକ୍ଷରୁ ଯାହା କୁହାଯାଇଥିଲା, ତା’ର ସାରାଂଶ ହେଲା ଏକ ଗୁରୁତ୍ବପୂର୍ଣ୍ଣ ଶକ୍ତି ରୂପେ ଆବିର୍ଭୂତ ହୋଇଥିବା ଭାରତ ସହିତ ଚୀନର ସୁସଂପର୍କ ଓ ସହଯୋଗ ବହୁ ଆୟାମୀ ଲାଭର ସୂତ୍ରପାତ ଘଟାଇବ। ସି ଜିନପିଙ୍ଗ ତାଙ୍କ ବକ୍ତବ୍ୟରେ ଦ୍ବି-ପାକ୍ଷିକ ବାଣିଜ୍ୟ ବିଷୟ ମଧ୍ୟ ଉଲ୍ଲେଖ କରିଥିଲେ। 
ତେବେ, ଏହି ଧାରଣାକୁ ଗ୍ରହଣ କରୁ ନ ଥିବା ପର୍ଯ୍ୟବେକ୍ଷକମାନେ କହନ୍ତି ଯେ ଭାରତର କ୍ରମବର୍ଦ୍ଧିଷ୍ଣୁ ରଣନୈତିକ ଗୁରୁତ୍ବ ହେତୁ ହୁଏତ ଚୀନ ଏଭଳି ଆଭିମୁଖ୍ୟ ପ୍ରଦର୍ଶନ କରିଥିବ! କହିବା ବାହୁଲ୍ୟ ଯେ ଚୀନ ହିଁ ହେଉଛି ଆମେରିକାର ସର୍ବାଧିକ ବଡ଼ ପ୍ରତିସ୍ପର୍ଦ୍ଧୀ; ଯିଏ ଇତି ମଧ୍ୟରେ ରୁଷିଆ, ପାକିସ୍ତାନ, ଇରାନ ଓ ଉତ୍ତର କୋରିଆକୁ ନିଜ ଶିବିର ଅନ୍ତର୍ଭୁକ୍ତ କରି ସାରିଲାଣି। ଏଭଳି ସ୍ଥିତିରେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ପ୍ରମୁଖ ରଣନୈତିକ ସହଯୋଗୀ ରୂପେ ଏସିଆର ଅନ୍ୟତମ ସର୍ବବୃହତ୍‌ ଶକ୍ତି ଭାରତ ଉପସ୍ଥିତ ଥାଇ ଏହି ଅଞ୍ଚଳରେ ଚୀନର ପ୍ରାଧାନ୍ୟକୁ ଅନେକାଂଶରେ କ୍ଷୁଣ୍ଣ କରିଥାଏ। ସୁତରାଂ, ଏକ ପଡ଼ୋଶୀ ଭାବେ ଭାରତର ନିକଟତର ହୋଇ ଏକ ନୂତନ ରଣନୈତିକ ସମୀକରଣ ସୃଷ୍ଟି କରିବାକୁ ଚୀନ ଉଦ୍ୟମଶୀଳ ବୋଲି ସେମାନଙ୍କ ମତ। ସେମାନେ କହିଥାଆନ୍ତି ଯେ ରୁଷିଆ-ୟୁକ୍ରେନ ଯୁଦ୍ଧ ସଂଦର୍ଭରେ ଅମେରିକା ଦ୍ବାରା ଜାରି ବାସନ୍ଦ ବ୍ୟବସ୍ଥାକୁ ସମସ୍ତ ଆମେରିକା ଅନୁଗ‌ାମୀ ରାଷ୍ଟ୍ର ମାନି ନେଇଥିବା ବେଳେ ଭାରତ ପକ୍ଷଭୁକ୍ତ ନ ହୋଇ ଆପଣା ରଣନୈତିକ ସ୍ବାଧୀନତାର ପରିଚୟ ଦେଇଥିବାରୁ ଚୀନ ତାହାକୁ ଏକ ସୁଯୋଗ ରୂପେ ଦେଖି ହୁଏତ ଭାରତକୁ ପ୍ରଭାବିତ କରିବାର ଉଦ୍ୟମ ଆରମ୍ଭ କରିଛି। ସେମାନେ କହନ୍ତି ଯେ ଗଲୱାନ ସଂଘର୍ଷ ସୃଷ୍ଟି କରିବା ପଛରେ ଚୀନର ପ୍ରକୃତ ଅଭିସନ୍ଧି ଥିଲା ଆମେରିକା ଆଡ଼କୁ ଅଧିକ ଢଳୁଥିବା ଭାରତ ଉପରେ ଚାପ ସୃଷ୍ଟି କରିବା। ତେବେ ‘ରଣନୈତିକ ସ୍ବାଧୀନତା’ ରୂପକ ବୈଦେଶିକ ନୀତି ଅବଲମ୍ବନ କରି ଭାରତ ଯେଉଁଭଳି ସ୍ବାତନ୍ତ୍ରୢ ପ୍ରଦର୍ଶନ କରିଛି, ତହିଁରେ ଚାପ ପ୍ରୟୋଗ ଠାରୁ ସହମତିଭିତ୍ତିକ ସମର୍ଥନ ଲାଭ କରିବାର ସୁଯୋଗ ଅଧିକ ଉପଯୁକ୍ତ ବୋଲି ମନେ କରି ଚୀନ ଏଭଳି ପଦକ୍ଷେପ ନେଇଥାଇପାରେ ବୋଲି ଏହି ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି।
ସଂପ୍ରତି ଭାରତ ଅବଲମ୍ବନ କରୁଥିବା ରଣନୈତିକ ଆଭିମୁଖ୍ୟ ତା’ ସକାଶେ ଏକ ନୂତନ ଭାବମୂର୍ତ୍ତି ସୃଷ୍ଟି କରିଛି। ଚୀନ ନେତୃତ୍ବରେ ପରିଚାଳିତ ‘ଏସ୍‌.ସି.ଓ.’ ଓ ‘ବ୍ରିକ୍‌ସ’ ରାଷ୍ଟ୍ର ଗୋଷ୍ଠୀରେ ଅନ୍ତର୍ଭୁକ୍ତ ଥିବା ଭାରତ ଏଣେ ଚୀନ ବିରୋଧୀ ଚତୁର୍ଦେଶୀୟ ଗୋଷ୍ଠୀ ‘କ୍ବାଡ୍‌’ରେ ମଧ୍ୟ ଦୃଶ୍ୟମାନ। ଚୀନ, ରୁଷିଆ ଓ ଇରାନ ସହିତ ଏକତ୍ର ବୈଠକ କରୁଥିବା ଭାରତ, ଆମେରିକା, ଅ‌େଷ୍ଟ୍ରଲିଆ ଓ ଜାପାନ ସହିତ ମଧ୍ୟ ଏକତ୍ର ବସିଥାଏ। ସଂପ୍ରତି ମଧ୍ୟ-ପ୍ରାଚ୍ୟର ଆରବ ରାଷ୍ଟ୍ରମାନଙ୍କ ଶ୍ରଦ୍ଧାସ୍ପଦ ଭାରତ, ଇସ୍ରାଏଲର ବନ୍ଧୁ ରାଷ୍ଟ୍ର ଭାବେ ମଧ୍ୟ ପରିଗଣିତ। କୋଡ଼ିଏଟି ଉନ୍ନତ ରାଷ୍ଟ୍ରର ଗୋଷ୍ଠୀ ‘ଜି-୨୦’ରେ ଆଫ୍ରିକୀୟ ରାଷ୍ଟ୍ରମାନଙ୍କୁ ଅନ୍ତର୍ଭୁକ୍ତ କରିବା ଦିଗରେ ନେତୃତ୍ବ ପ୍ରଦାନ କରି ଭାରତ ‘ଗ୍ଲୋବାଲ୍‌ ସାଉଥ୍‌’ ବା ‘ଦକ୍ଷିଣ ଗୋଲାର୍ଧ’କୁ ମହତ୍ତ୍ବ ପ୍ରଦାନ କରିଥାଏ, ଯାହା ଉତ୍ତର ଗୋଲାର୍ଧ ଅନ୍ତର୍ଭୁକ୍ତ ବିକାଶିତ ରାଷ୍ଟ୍ରଗୁଡ଼ିକ ଦ୍ବାରା ଅଗତ୍ୟା ହେୟମନ୍ୟ ହୋଇ ରହି ଆସିଛି। ଜାତିସଂଘରେ ସଂସ୍କାର କରାଯିବା ନେଇ ମଧ୍ୟ ଭାରତ ମୁଖର। ଏକ ବାସ୍ତବତା ହେଲା, ଏକ ବଳିଷ୍ଠ ଓ ବୃହତ୍ତମ ଗଣତନ୍ତ୍ର ହୋଇଥିବା କାରଣରୁ ଭାରତକୁ ଯୁକ୍ତରାଷ୍ଟ୍ର ଆମେରିକା ସମେତ ତା’ର ଅନୁଗତ ପାଶ୍ଚାତ୍ୟ ୟୁରୋପୀୟ ରାଷ୍ଟ୍ର, ଜାପାନ ଓ ଦକ୍ଷିଣ କୋରିଆ ଆଦି ବିଶ୍ବାସପୂର୍ଣ୍ଣ ଦୃଷ୍ଟିରେ ଦେଖି ଥାଆନ୍ତି। ସାମରିକ ସରଂଜାମ କ୍ରୟ ଓ ସାମରିକ ପ୍ରଯୁକ୍ତି ଆଦାନପ୍ରଦାନ କ୍ଷେତ୍ରରେ ଆମେରିକା, ଫ୍ରାନ୍‌ସ ଓ ଇସ୍ରାଏଲ୍‌ ଇତ୍ୟାଦି ଭାରତ ସହିତ ଘନିଷ୍ଠ ଭାବେ ସଂଶ୍ଳିଷ୍ଟ। ପୁଣି ଭାରତର ଉପସ୍ଥିତି ହେତୁ ‘ଏସ୍‌.ସି.ଓ.’ ହେଉ ବା ‘ବ୍ରିକ୍‌ସ’; ନିରୋଳା ଆମେରିକା ବିରୋଧୀ ମେଣ୍ଟ ରୂପେ ପରିଗଣିତ ହୋଇ ନ ଥାଆନ୍ତି। ସେହି ଦୃଷ୍ଟିରୁ ଭାରତ ଏକ ମଧ୍ୟସ୍ଥି ରାଷ୍ଟ୍ର ରୂପେ ମଧ୍ୟ ଉଭା ହେଲାଣି। ନିକଟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଭାରତ ଏଭଳି ବହୁପକ୍ଷଭୁକ୍ତ ହେବା ଦ୍ବାରା ତା’ର ରଣନୈତିକ ଗୁରୁତ୍ବ ହ୍ରାସ ପାଉ ନାହିଁ କି? ଜୟଶଙ୍କରଙ୍କ ଉତ୍ତର ଥିଲା ଯେ ଭାରତ ସର୍ବତ୍ର ଉପସ୍ଥିତ କାରଣ ଭାରତକୁ ସର୍ବତ୍ର ଲୋଡ଼ା ପଡୁଛି। ସେହି ସୂତ୍ରରୁ କହି ହେବ କି ଚୀନ ଏବେ ତା’ର ରଣନୈତିକ ଲକ୍ଷ୍ୟ ଚରିତାର୍ଥ କରିବା ଲାଗି ଭାରତକୁ ଲୋଡୁଛି? କିଏ ଜାଣେ? ଭବିଷ୍ୟତ୍‌ କହିବ! ଏବଂ ଭାରତ ତା’ର ରଣନୈତିକ ସ୍ବାଧୀନତାକୁ କେତେ ସୂକ୍ଷ୍ମ ଭାବେ ପରିଚାଳନା କରୁଛି, ତା’ ଉପରେ ଅ‌େନକ କିଛି ନିର୍ଭର କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe