ହାତରେ ହାଜତ

ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣକାରୀମାନେ କାହାରିକୁ ଭିଡିଓ କଲ୍ କିମ୍ବା ଅନ୍‌ଲାଇନ୍ ନିରୀକ୍ଷଣ ମାଧ୍ୟମରେ ଗିରଫ କରିବା ଅର୍ଥାତ୍ ତଥାକଥିତ ‘ଡିଜିଟାଲ୍ ଆରେଷ୍ଟ’ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ।

samp1

ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣକାରୀମାନେ କାହାରିକୁ ଭିଡିଓ କଲ୍ କିମ୍ବା ଅନ୍‌ଲାଇନ୍ ନିରୀକ୍ଷଣ ମାଧ୍ୟମରେ ଗିରଫ କରିବା ଅର୍ଥାତ୍ ତଥାକଥିତ ‘ଡିଜିଟାଲ୍ ଆରେଷ୍ଟ’ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ନୂତନ ଭାବରେ ପ୍ରଣୀତ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ (‘ବିଏନ୍ଏସ୍ଏସ୍’)ରେ କେବଳ ଧାରା-୬୩ ଅନୁସାରେ ଇଲେକ୍ଟ୍ରୋନିକ୍ ମାଧ୍ୟମ ବ୍ୟବହାର କରି ସମନ୍‌ସ ଜାରି କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି।

ନ’ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନେତୃତ୍ବରେ ଭାରତକୁ ଏକ ଡିଜିଟାଲ୍ ସମାଜ ଓ ଅର୍ଥନୀତିରେ ପରିଣତ କରିବା ପାଇଁ ଯେଉଁ ‘ଡିଜିଟାଲ୍ ଇଣ୍ଡିଆ’ ଅଭିଯାନ ଆରମ୍ଭ କରାଯାଇଥିଲା, ତାହାର ଚମକପ୍ରଦ ସଫଳତା ବର୍ତ୍ତମାନ ବିଶ୍ବବ୍ୟାପୀ ସ୍ବୀକୃତି ଲାଭ କରିଛି। କିନ୍ତୁ ଏକ ବିଡ଼ମ୍ବନା ଭଳି ଏହି ସଫଳତାର ଯାହା ବୋଧହୁଏ ସର୍ବାଧିକ ଶାଣିତ ସ୍ବାକ୍ଷର ବହନ କରିଥାଏ, ତାହା ହେଉଛି ଗତ ରବିବାର ଦିନ ମୋଦୀ ତାଙ୍କର ଲୋକପ୍ରିୟ ‘ମନ୍‌ କୀ ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରସାର କରିଥିବା ଏକ ସତର୍କବାଣୀ। ଯେଉଁ ଏକ ଦ୍ରୁତ ବର୍ଦ୍ଧିଷ୍ଣୁ ଅପରାଧରୁ ସୁରକ୍ଷିତ ରହିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏହା ମାଧ୍ୟମରେ ସତର୍କ କରାଇ ଦେଇଛନ୍ତି, ତାହା ହେଉଛି ଏକ ଅଭିନବ ଡିଜିଟାଲ୍ ଅପରାଧ, ଯାହାକୁ ‘ଡିଜିଟାଲ୍ ଆରେଷ୍ଟ’ ରୂପେ ଏବେ ଅଭିହିତ କରାଯାଉଛି। ଡିଜିଟାଲ୍ ଜ୍ଞାନକୌଶଳ ବହୁଳ ଭାବରେ ବ୍ୟବହୃତ ହେଉଥିବା ସମାଜରେ ହିଁ ଏଭଳି ଅପରାଧ ରଚନାର ପରିକଳ୍ପନା କରାଯାଇପାରେ।

ଏହି ଅପରାଧର ଆକାର ସମ୍ବନ୍ଧରେ ଏକ ଧାରଣା ଦେବାକୁ ଯାଇ ସରକାରୀ ସୂଚନାକୁ ଆଧାର କରି ମୋଦୀ କହିଛନ୍ତି ଯେ ଏହି ଅପରାଧର ଶିକାର ହୋଇଥିବା ଭାରତୀୟମାନେ ୨୦୨୪ର ପ୍ରଥମ ଚଉଠରେ ପ୍ରାୟ ୧୨୦ କୋଟି ଟଙ୍କା ହରାଇ ସାରିଲେଣି। ଏହି ଅପରାଧ ଘଟାଉଥିବା ଚତୁର ସାଇବର୍ ଠକମାନେ ଏଥିପାଇଁ ଅବଲମ୍ବନ କରୁଥିବା ସୃଜନଶୀଳ କୌଶଳ ଅନୁସାରେ ସେମାନେ ନିଜକୁ ପୁଲିସ୍, ସିବିଆଇ, ରିଜର୍ଭ ବ୍ୟାଙ୍କ୍, କଷ୍ଟମ୍‌ସ, ନାର୍କୋଟିକ୍‌ସ ବ୍ୟୁରୋ ଆଦି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣକାରୀ ସଂସ୍ଥାର ଅଫିସର ରୂ‌େପ ମିଥ୍ୟା ପରିଚୟ ପ୍ରଦାନ କରି ସେମାନଙ୍କର ନିଶାଣ ଶିକାର ନିକଟକୁ ଭିଡିଓ କଲ୍ କରିଥାନ୍ତି କିମ୍ବା ଏସ୍ଏମ୍ଏସ୍ ପଠାଇଥାନ୍ତି। ଏହା ମାଧ୍ୟମରେ ସେମାନେ ସଂପୃକ୍ତ ବ୍ୟକ୍ତି କିମ୍ବା ତାଙ୍କର କେହି ଘନିଷ୍ଠ ସଂପର୍କୀୟ ଡ୍ରଗ୍‌ସ କାରବାର କିମ୍ବା ମନି ଲଣ୍ଡରିଙ୍ଗ୍ ଆଦି ଭଳି କୌଣସି ଆପରାଧିକ କାର୍ଯ୍ୟରେ ଜଡ଼ିତ ଥିବା ଅଭିଯୋଗର ଅନୁସନ୍ଧାନ ଚାଲିଥିବା ଜଣାଇଥାନ୍ତି।

ଏହି ଅପରାଧୀମାନେ ଅବଲମ୍ବନ କରୁଥିବା ଏକ ସାଧାରଣ କୌଶଳ ଅନୁସାରେ ସେମାନେ ଶିକାରକୁ ଜଣାଇଥାନ୍ତି ଯେ ତାଙ୍କ ଠିକଣାରେ ଆସିଥିବା ଏକ ପାର୍ସଲ୍ ଭିତରେ ଡ୍ରଗ୍‌ସ ଥିବା ଧରାପଡ଼ିଛି। ଶିକାର ଠାରେ ବିଶ୍ବାସ ଜନ୍ମାଇବା ପାଇଁ ଏହି ଅପରାଧୀମାନେ ପୂର୍ବରୁ ସଂଗ୍ରହ କରିଥିବା ଅନେକ ବ୍ୟକ୍ତିଗତ ସୂଚନା ତାକୁ ପ୍ରଦାନ କରିଥାନ୍ତି। ତା’ପରେ ସେମାନେ ତଥାକଥିତ ମାମଲାଟିର ଦଫାରଫା କରିବା ପାଇଁ ଶିକାର ଠାରୁ ଏକ ବୃହତ୍ ଲାଞ୍ଚ ଦାବି କରନ୍ତି, ଯାହା ଆଜିର ଡିଜିଟାଲ୍ ଇଣ୍ଡିଆରେ ତତ୍‌କ୍ଷଣାତ୍ ଅନ୍‌ଲାଇନ୍ ଟ୍ରାନ୍‌ସଫର୍ ଜରିଆରେ ସଂପନ୍ନ କରାଯାଇଥାଏ। କାଳେ ଶିକାରଟି ଦ୍ବିଧାଗ୍ରସ୍ତ ହୋଇ ଆଉ କାହାର ପରାମର୍ଶ ଲୋଡ଼ି ସେମାନଙ୍କର ଜାଲରୁ ଖସିଯିବ, ଅପରାଧୀମାନେ ସେଥିପାଇଁ ଶିକାରକୁ ଏହି ସମୟରେ ତା’ର ମୋବାଇଲ୍ ଫୋନ୍‌ର କ୍ୟାମେରାକୁ ଚାଲୁ କରି ରଖିବା ପାଇଁ ବାଧ୍ୟ କରି ତାକୁ ସେମାନଙ୍କର ଦୃଷ୍ଟିପଥରୁ ଅନ୍ତର ହେବାକୁ ଦେଇ ନଥାନ୍ତି। ଶିକାରକୁ ଏଭଳି ସେ ତା’ର ହାତରେ ଧରିଥିବା ମୋବାଇଲ୍ ଫୋନ୍ ହାଜତ ଭିତରେ ନଜରବନ୍ଦୀ କରି ରଖିବା ହେଉଛି ତଥାକଥିତ ‘ଡିଜିଟାଲ୍ ଆରେଷ୍ଟ’ର ଅଂଶବିଶେଷ।

ଅପରାଧ ରଚନାର ଏହି ପ୍ରକ୍ରିୟାକୁ ଆଉ ଥରେ ନିମ୍ନମତେ କ୍ରମ ଅନୁଯାୟୀ ସଜାଇ ଲେଖାଯାଇପାରେ। ସଂପର୍କ: ଫୋନ୍‌ କଲ୍, ମେସେଜ୍, ଇମେଲ୍ ଆଦି ମାଧ୍ୟମରେ ଅପରାଧୀ ତା’ର ଶିକାର ସହିତ ପ୍ରଥମେ ସଂପର୍କ ସ୍ଥାପନ କରିଥାଏ। ଅପରାଧୀ ନିଜକୁ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣକାରୀ ସଂସ୍ଥାର ଅଫିସର କିମ୍ବା ଓକିଲ କିମ୍ବା ଅନ୍ୟ କୌଣସି ସରକାରୀ ପ୍ରତିନିଧି ରୂପେ ବର୍ଣ୍ଣନା କରି ନିଜର ମିଥ୍ୟା ପରିଚୟ ପ୍ରଦାନ କରିଥାଏ। ମିଥ୍ୟା ଅଭିଯୋଗ: ତା’ପରେ ଶିକାର ବିରୁଦ୍ଧରେ ବିଭିନ୍ନ ମିଥ୍ୟା ଅଭିଯୋଗ ଆଗତ କରାଯାଇଥାଏ, ଯେଉଁଥିରେ ଟିକସ ଫାଙ୍କିରୁ ଆରମ୍ଭ କରି ଋଣ ଖିଲାପି, ମନି ଲଣ୍ଡରିଙ୍ଗ୍, ଡ୍ରଗ୍‌ସ ଚାଲାଣ ଆଦି ପର୍ଯ୍ୟନ୍ତ କପୋଳକଳ୍ପିତ ଅଭିଯୋଗମାନ ଅନ୍ତର୍ଭୁକ୍ତ। ଗିରଫଦାରି ଧମକ: ଏହି ଅଭିଯୋଗର ପରିଣାମ ସ୍ବରୂପ ଅଭିଯୁକ୍ତକୁ ଗିରଫ, ଆଇନଗତ କାର୍ଯ୍ୟାନୁଷ୍ଠାନ, ଜେଲ୍‌ଦଣ୍ଡ ଆଦି ଅାସନ୍ନ ବୋଲି ଧମକ ଦିଆଯାଇଥାଏ। ତେବେ ଏଭଳି ଆସନ୍ନ ବିପଦରୁ ମୁକୁଳିବାର ବାଟ ଥିବା କଥା ମଧ୍ୟ ଶିକାରକୁ ଆଶା ଦେଖାଇ ଦିଆଯାଇଥାଏ, ଯାହା ହେଲା ତୁରନ୍ତ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ହସ୍ତାନ୍ତର। ଅତର୍ଚ୍ଛ ଅବସ୍ଥା: ଏହି ଅର୍ଥ ହସ୍ତାନ୍ତର ପାଇଁ ଶିକାରକୁ ଆଦୌ ସମୟ ଦିଆଯାଇ ନ ଥାଏ; ଏପରିକି ତାକୁ ଚିନ୍ତା କରିବାକୁ ମଧ୍ୟ ବେଳ ମିଳି ନ ଥାଏ। ଭୟାତୁର ହରିଣଟିଏ ଦିଗ୍‌ବିଦିଗ ଶୂନ୍ୟ ହୋଇ ଧାଇଁବା ଭଳି ଭୀତତ୍ରସ୍ତ ଶିକାରଟି ତତ୍‌କ୍ଷଣାତ୍ ଦାବି କରାଯାଉଥିବା ଅର୍ଥ ପ୍ରେରଣ କରି ବିପଦମୁକ୍ତ ହେବାକୁ ଆଗେଇ ଆସିଥାଏ। ଅର୍ଥ ପ୍ରେରଣ ମାଧ୍ୟମ: ଏହି ଅପରାଧୀମାନେ ସାଧାରଣତଃ ଯେଉଁ ମାଧ୍ୟମରେ ଅର୍ଥ ପ୍ରେରଣ ନିମିତ୍ତ ଶିକାର ଉପରେ ଚାପ ପକାଇଥାନ୍ତି, ତାହା ହେଉଛି ୱାୟାର୍ ଟ୍ରାନ୍‌ସଫର୍, କ୍ରିପ୍‌ଟୋକରେନ୍‌ସି କିମ୍ବା‌ ଗିଫ୍‌ଟ କାର୍ଡ ଆଦି। 

ପ୍ରଧାନମନ୍ତ୍ରୀ ତାଙ୍କର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଏହି ଡିଜିଟାଲ୍ ଆତଙ୍କ ସଂପର୍କରେ ସତର୍କ କରିବା ପୂର୍ବରୁ ‘ଇଣ୍ଡିଆନ୍ ସାଇବର୍ କ୍ରାଇମ୍ କୋଅର୍ଡିନେସନ୍ ସେଣ୍ଟର୍’ ଜନସାଧାରଣଙ୍କୁ ଏ ସଂପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ ଏକ ଉପଦେଶାବଳୀ ପ୍ରସାର କରିଥିଲା। ଏହି ସଂସ୍ଥା ଏଥିରେ ସ୍ପଷ୍ଟ କରିଦେଇଥିଲା ଯେ ‘ସିବିଆଇ’, ‘ଇଡି’, ‘କଷ୍ଟମ୍‌ସ’, ପୁଲିସ କିମ୍ବା କୌଣସି ନ୍ୟାୟମୂର୍ତ୍ତି କେବେହେଲେ ଭିଡିଓ କଲ୍ ମାଧ୍ୟମରେ କାହାକୁ ହେଲେ ଗିରଫ କରନ୍ତି ନାହିଁ ଏବଂ ଏଭଳି କଲ୍ ପାଇଲେ କେହି ଛାନିଆ ନ ହେବାକୁ ଜନସାଧାରଣଙ୍କୁ ଚେତାଇ ଦେଇଥିଲା। ଅପରାଧୀମାନେ ଯେ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ବ୍ୟବହାର କରି ଏଭଳି ଠକାମି କଲ୍ କରିଥାନ୍ତି, ତାହା ସୂଚାଇବା ଉଦ୍ଦେଶ୍ୟରେ ସଂସ୍ଥା ତା’ର ଉପଦେଶାବଳୀରେ ‘ହ୍ବାଟସ୍‌ଆପ୍’, ‘ସ୍କାଇପ୍’ ଭଳି କେତେକ ପ୍ଲାଟ୍‌ଫର୍ମର ଲୋଗୋ ମଧ୍ୟ ସ୍ଥାନୀତ କରିଥିଲା।

ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣକାରୀମାନେ କାହାରିକୁ ଭିଡିଓ କଲ୍ କିମ୍ବା ଅନ୍‌ଲାଇନ୍ ନିରୀକ୍ଷଣ ମାଧ୍ୟମରେ ଗିରଫ କରିବା ଅର୍ଥାତ୍ ତଥାକଥିତ ‘ଡିଜିଟାଲ୍ ଆରେଷ୍ଟ’ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ନୂତନ ଭାବରେ ପ୍ରଣୀତ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ (‘ବିଏନ୍ଏସ୍ଏସ୍’)ରେ କେବଳ ଧାରା-୬୩ ଅନୁସାରେ ଇଲେକ୍ଟ୍ରୋନିକ୍ ମାଧ୍ୟମ ବ୍ୟବହାର କରି ସମନ୍‌ସ ଜାରି କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିରେ ମଧ୍ୟ ସମନ୍‌ସର ରୂପରେଖ ନିର୍ଦ୍ଧାରଣ କରାଯାଇ କୁହାଯାଇଛି ଯେ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପ୍ରେରଣ କରାଯାଉଥିବା ପ୍ରତ୍ୟେକ ସମନ୍‌ସର ଗୋପନୀୟତା ରକ୍ଷା ନିମିତ୍ତ ତାହା ‘ଏନ୍‌କ୍ରିପ୍‌ଟେଡ୍’ ହୋଇଥିବା ଆବଶ୍ୟକ ଏବଂ ତାହା ସଂପୃକ୍ତ ଅଦାଲତର ମୋହର ବା ଡିଜିଟାଲ୍ ସ୍ବାକ୍ଷର ବହନ କରୁଥିବା ବାଧ୍ୟତାମୂଳକ। ‘ବିଏନ୍ଏସ୍ଏସ୍’ ଅନୁସାରେ (ଧାରା-୫୩୨) ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଶୁଣାଣି କରାଯିବା ନିମିତ୍ତ ବ୍ୟବସ୍ଥା ଥିଲେ ମଧ୍ୟ ‘ଡିଜିଟାଲ୍ ଆରେଷ୍ଟ’ ପାଇଁ କୌଣସି ବ୍ୟବସ୍ଥା ନାହିଁ।
ତେବେ ଏଥିସତ୍ତ୍ବେ ହବ୍‌ସଙ୍କ ଭାଷାରେ ରାଷ୍ଟ୍ର ନାମକ ବିରାଟ ରାକ୍ଷସ ‘ଲେଭିଆ‌ଥାନ୍’ ପ୍ରତି ସାଧାରଣ ନାଗରିକ ଠାରେ ରହିଥିବା ଅନ୍ତର୍ନିହିତ ଭୟ ତାକୁ ଏହି ସାଇବର୍ ଅପରାଧୀମାନଙ୍କର ସହଜ ଶିକାରରେ ପରିଣତ କରିଥାଏ। ଏଣୁ ରାଷ୍ଟ୍ର ଶକ୍ତିର ସର୍ବୋଚ୍ଚ ବାହକ ଖୋଦ୍ ପ୍ରଧାନମନ୍ତ୍ରୀ ଏବେ ପ୍ରଦାନ କରିଥିବା ଅଭୟବାଣୀ ଏଥର ନାଗରିକମାନଙ୍କୁ ଏହି ଡିଜିଟାଲ୍ ବିପଦରୁ ମୁକ୍ତି ପ୍ରଦାନ କରିବ ବୋଲି ଆଶା କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe