ବିପନ୍ନ ବିବିଧତା

Advertisment

ସମସ୍ତ ପ୍ରକା‌ର ପରିବେଶର ସ୍ବାସ୍ଥ୍ୟ ଜୈବବିବିଧତା ଉପରେ ନିର୍ଭର କରିଥାଏ। ‘ଗାଇଆ ତତ୍ତ୍ବ’ ସୂଚାଇଥିବା ଭଳି ସମସ୍ତ ଛୋଟବଡ଼ ଜୀବନ୍ତ ବସ୍ତୁମାନେ ପରସ୍ପର ଉପରେ ନିର୍ଭର କରିଥାନ୍ତି, ସେମାନେ ହେଉଛନ୍ତି ଜୀବନ୍ତ ଧରିତ୍ରୀର ଅଙ୍ଗପ୍ରତ୍ୟଙ୍ଗମାନ ଭଳି।

ସମସ୍ତ ପ୍ରକା‌ର ପରିବେଶର ସ୍ବାସ୍ଥ୍ୟ ଜୈବବିବିଧତା ଉପରେ ନିର୍ଭର କରିଥାଏ। ‘ଗାଇଆ ତତ୍ତ୍ବ’ ସୂଚାଇଥିବା ଭଳି ସମସ୍ତ ଛୋଟବଡ଼ ଜୀବନ୍ତ ବସ୍ତୁମାନେ ପରସ୍ପର ଉପରେ ନିର୍ଭର କରିଥାନ୍ତି, ସେମାନେ ହେଉଛନ୍ତି ଜୀବନ୍ତ ଧରିତ୍ରୀର ଅଙ୍ଗପ୍ରତ୍ୟଙ୍ଗମାନ ଭଳି।

samp1

ସମସ୍ତ ପ୍ରକା‌ର ପରିବେଶର ସ୍ବାସ୍ଥ୍ୟ ଜୈବବିବିଧତା ଉପରେ ନିର୍ଭର କରିଥାଏ। ‘ଗାଇଆ ତତ୍ତ୍ବ’ ସୂଚାଇଥିବା ଭଳି ସମସ୍ତ ଛୋଟବଡ଼ ଜୀବନ୍ତ ବସ୍ତୁମାନେ ପରସ୍ପର ଉପରେ ନିର୍ଭର କରିଥାନ୍ତି, ସେମାନେ ହେଉଛନ୍ତି ଜୀବନ୍ତ ଧରିତ୍ରୀର ଅଙ୍ଗପ୍ରତ୍ୟଙ୍ଗମାନ ଭଳି। ସ୍ବଚ୍ଛ ବା‌ୟୁରୁ ଜଳ ପର୍ଯ୍ୟନ୍ତ, ପରାଗ ସଂଗମରୁ ତାପମାନ ନିୟନ୍ତ୍ରଣ ପର୍ଯ୍ୟନ୍ତ ଜୀବନ ପାଇଁ ଆବଶ୍ୟକ ଅସଂଖ୍ୟ ଦୃଶ୍ୟ ଅଦୃଶ୍ୟ ଉପାଦାନମାନ ମାନଙ୍କର ଉପଲବ୍‌ଧତା ଉପରୋକ୍ତ ଏହି ପାରସ୍ପରିକ ସକ୍ରିୟ ତଥା ସୂକ୍ଷ୍ମ ସଂପର୍କ ଉପରେ ନିର୍ଭର କରିଥାଏ।

‘ୱାର୍ଲଡ୍ ୱାଇଡ୍ ଫଣ୍ଡ୍ ଫର୍ ନେଚର୍’ (‘ଡବଲ୍ୟୁ.ଡବଲ୍ୟୁ.ଏଫ୍.’)ର ସଦ୍ୟ ପ୍ରକାଶିତ ଦ୍ବିବାର୍ଷିକ ରିପୋର୍ଟର ନାମ ହେଉଛି ‘ଲିଭିଙ୍ଗ୍ ପ୍ଲାନେଟ୍ ରିପୋର୍ଟ’ (‘ଏଲ୍‌ପିଆର୍’) ବା ‘ଜୀବନ୍ତ ପୃଥିବୀ ରିପୋର୍ଟ’, ଯାହା ଜେମ୍‌ସ ଲଭ୍‌ଲକ୍‌ ଓ ଡାୟାନ୍ ହିଚ୍‌କକ୍‌ଙ୍କର ପ୍ରସିଦ୍ଧ ‘ଗାଇଆ ତତ୍ତ୍ବ’ର ଅବିକଳ ପ୍ରତିଧ୍ବନି ପରି ପ୍ରତୀୟମାନ ହୋଇଥାଏ। ସେଇ ତତ୍ତ୍ବରେ ଆମର ଆଶ୍ରୟଦାତ୍ରୀ ଗ୍ରହ ପୃଥିବୀକୁ ଏକ ଜୀବନ୍ତ ବସ୍ତୁ ରୂପେ ପରିକଳ୍ପନା କରାଯାଇ ଗ୍ରୀକ୍ ପୌରାଣିକ କାହାଣୀକୁ ଅନୁସରଣ କରି ଧରିତ୍ରୀ ଦେବୀଙ୍କ ନାମ ଅନୁସାରେ ତାହାକୁ ‘ଗାଇଆ’ ନାମରେ ନାମିତ କରାଯାଇଥାଏ। ଅବଶ୍ୟ ଏହି ଜୀବନ୍ତ ଗ୍ରହରେ ଆକ୍ଷରିକ ଭାବରେ ଜୀବନ୍ତ ବୋଲାଉଥିବା ଅସଂଖ୍ୟ ‘ଜାତି’ (‘ସ୍ପିସିଜ୍’)ର ପ୍ରାଣୀ, ଉଦ୍ଭିଦ ଓ ଅନ୍ୟାନ୍ୟ ଜୀବନ୍ତ ବସ୍ତୁମାନ ବାସ କରୁଥିଲେ ହେଁ, ନିଜକୁ ଶ୍ରେଷ୍ଠତମ ପ୍ରାଣୀ ରୂପେ ବିଚାର କରୁଥିବା ମନୁଷ୍ୟ ସଦାବେଳେ କେବଳ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ପ୍ରବୃତ୍ତ ରହି ଅନ୍ୟ ସମସ୍ତଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଚାଲିଛି। କେବଳ ଅବହେଳା ପ୍ରଦର୍ଶନ କରିଛି, ତାହା ନୁହେଁ, ଏହି ଉଦ୍ୟମର ଅଂଶ ସ୍ବରୂପ ସେମାନଙ୍କର ଶୋଷଣ କରିଚାଲିଛି। ମନୁଷ୍ୟର ଏହି ମାନବକୈନ୍ଦ୍ରିକ ଆଚରଣର କ୍ରମାଗତ କୁପରିଣାମ ସ୍ବରୂପ ଏହା ବର୍ତ୍ତମାନ ଅନୁଭୂତ ହେବାକୁ ଲାଗିଲାଣି ଯେ ପୃଥିବୀରେ ମନୁଷ୍ୟ ନାମକ ‘ଜାତି’ର ସଦସ୍ୟ ସଂଖ୍ୟାରେ ଯେଉଁଭଳି ବିସ୍ଫୋରକ ବୃଦ୍ଧି ଘଟିବା ଦେଖାଯାଇଛି, ଅନ୍ୟାନ୍ୟ ଅନେକ ‘ସ୍ପିସିଜ୍’ଙ୍କ କ୍ଷେତ୍ରରେ ଠିକ୍ ତାହାର ବିପରୀତ ଧାରା ପରିଲକ୍ଷିତ ହୋଇ ସେମାନଙ୍କ ସଂଖ୍ୟାରେ ଅବକ୍ଷୟ ଘଟି ଚାଲିଛି। ଉପରୋକ୍ତ ‘ଲିଭିଙ୍ଗ୍ ପ୍ଲାନେଟ୍ ରିପୋର୍ଟ’ ଏହି ଅସ୍ବସ୍ତିକର ସତ୍ୟ ବହନ କରିଥାଏ।
ହଜାର ହଜାର ‘ସ୍ପିସିଜ୍’ମାନଙ୍କର ସଦସ୍ୟ ସଂଖ୍ୟାରେ ଘଟି ଚାଲିଥିବା ପରିବର୍ତ୍ତନ ଧାରାକୁ ଅନୁସରଣ କରି ଏଥିରେ ଯେଉଁ ‘ଲିଭିଙ୍ଗ୍ ପ୍ଲାନେଟ୍ ଇଣ୍ଡେକ୍‌ସ’ ପ୍ରସ୍ତୁତ କରାଯାଇଥାଏ, ତାହା ଅନୁସାରେ ୧୯୭୦ରୁ ୨୦୨୦ ମଧ୍ୟରେ ନଜର ରଖାଯାଇଥିବା ବନ୍ୟ ଜୀବନ ଜନସଂଖ୍ୟାର ହାରାହାରି ଆକାରରେ ପ୍ରାୟ ୭୩ ଶତାଂଶ ହ୍ରାସ ଘଟିଲାଣି। କେବଳ ବନ୍ୟ ଜୀବନ ନୁହେଁ, ପ୍ରାୟ ଅଧିକାଂଶ ସ୍ପିସିଜ୍ ବର୍ତ୍ତମାନ ବିପଦର ସମ୍ମୁଖୀନ। ସେମାନଙ୍କ ମଧ୍ୟରୁ ଅନେକ ବିଲୁପ୍ତ ହେବାର ସମ୍ଭାବନା ମଧ୍ୟ ଦେଖାଦେଲାଣି। ‘ଜୁଲୋଜିକାଲ୍ ସୋସାଇଟି ଅଫ୍ ଲଣ୍ଡନ୍’ (‘ଜେଡ୍‌ଏସ୍‌ଏଲ୍’) ଓ ‘ଗ୍ଲୋବାଲ୍ ଫୁଟ୍‌ପ୍ରିଣ୍ଟ୍ ନେଟ୍‌ୱର୍କ’ ସଂସ୍ଥା ଦ୍ବୟଙ୍କ ସହଯୋଗରେ ପ୍ରସ୍ତୁତ ଏହି ‘ଏଲ୍‌ପିଆର୍’ କେବଳ ଯେ ୪,୦୦୦ରୁ ଅଧିକ ଜାତିର ସ୍ତନ୍ୟପାୟୀ ପ୍ରାଣୀ, ପକ୍ଷୀ, ମାଛ, ସରୀସୃପ ଓ ଉଭୟଚର ପ୍ରାଣୀମାନଙ୍କର ଜନସଂଖ୍ୟାରେ ଘଟୁଥିବା ଚିନ୍ତାଜନକ କ୍ଷୟ ଉପରେ ଆଲୋକପାତ କରିଥାଏ, ତାହା ନୁହେଁ, ଏହା ପ୍ରାକୃତିକ ସମ୍ବଳ ବ୍ୟବହାର ଉପରେ ଆଧାରିତ ମନୁଷ୍ୟର ‘ପରିବେଶ ପଦଚିହ୍ନ’ ବା ‘‌ଇକୋଲୋଜିକାଲ୍ ଫୁଟ୍‌ପ୍ରିଣ୍ଟ୍’ର ମଧ୍ୟ ଆକଳନ କରିଥାଏ।
ଏଥିରେ ପ୍ରକାଶ ପାଇଛି ‌େଯ ମନୁଷ୍ୟ ଯେଉଁ ହାରରେ ପ୍ରାକୃତିକ ସମ୍ବଳ ବ୍ୟବହାର ଅର୍ଥାତ୍ ତାହାର ଧ୍ବଂସ ସାଧନ କରିବାରେ ଲାଗିଛି, ତାହା ହେଉଛି ଯେଉଁ ହାରରେ ପ୍ରକୃତି ଏହି ସମ୍ବଳ ସବୁର ପୁନଃ ସୃଷ୍ଟି ସାଧନ କରିଥାଏ, ତାହାଠାରୁ ୧.୭ ଠାରୁ ଦ୍ରୁତତର। ଏହା ଯେଉଁ ଅନିବାର୍ଯ୍ୟ ସମସ୍ୟା ସୃଷ୍ଟି କରିଥାଏ, ତାହା ହେଉଛି ପ୍ରତ୍ୟେକ ସ୍କୁଲ୍‌ ଛାତ୍ରର ସୁପରିଚିତ କୁଣ୍ଡ ଓ ନଳ ଅଙ୍କ ଦ୍ବାରା ଉପସ୍ଥାପିତ ସମସ୍ୟା ଭଳି। କୁଣ୍ଡରେ ଭର୍ତ୍ତି ହେଉଥିବା ପାଣିର ସ୍ରୋତ ଅପେକ୍ଷା ନିଷ୍କାସିତ ପାଣିର ସ୍ରୋତ ଯଦି ଅଧିକ ହୁଏ ତେବେ ଅଚିରେ କୁଣ୍ଡଟି ଜଳଶୂନ୍ୟ ହୋଇଯାଇଥିବା ଭଳି ମନୁଷ୍ୟର ସଂଯମହୀନ ବ୍ୟବହାର ଯୋଗୁଁ ଦିନେ ଆମକୁ ପ୍ରାକୃତିକ ସମ୍ବଳର ଏକ ଶୂନ୍ୟ ଭଣ୍ଡାରର ସମ୍ମୁଖୀନ ହେବାକୁ ପଡ଼ିବ। ବର୍ତ୍ତମାନ ଯେଉଁ ଜଙ୍ଗଲ କ୍ଷୟ, ଜଳକଷ୍ଟ ଓ ଜଳବାୟୁ ପରିବର୍ତ୍ତନ ସମସ୍ୟାମାନ ଅନୁଭୂତ ହେବାକୁ ଆରମ୍ଭ କଲାଣି, ତାହା ହେଉଛି ଏହି ଆସନ୍ନ ବିପଦର ପୂର୍ବାଭାଷମାନ।
ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ‘ଏଲ୍‌ପିଆର୍’ରେ ପୃଥିବୀରେ ବନ୍ୟ ଜୀବନ ପ୍ରତି ବିପଦର ମୁଖ୍ୟ ଉତ୍ସ ରୂପେ ଯାହାକୁ ପ୍ରଦର୍ଶିତ କରାଯାଇଛି, ତାହା ହେଉଛି ମନୁଷ୍ୟର ଅସୀମ କ୍ଷୁଧା। ଏହି ସର୍ବଗ୍ରାସୀ କ୍ଷୁଧା ନିବାରଣ ନିମିତ୍ତ ଆବଶ୍ୟକ ଖାଦ୍ୟ ଉତ୍ପାଦନ ସମ୍ଭବ କରିବା ପାଇଁ ମନୁଷ୍ୟ କରିଚାଲିଥିବା ଅନୁପ୍ରବେଶ ଯୋଗୁଁ ଅନ୍ୟ ‘ସ୍ପିସିଜ୍’ମାନଙ୍କର ବାସସ୍ଥଳୀ ବା ‘ହାବିଟାଟ୍’ ଧ୍ବଂସ ପାଇ ସଂକୁଚିତ ହୋଇ ଚାଲିଥାଏ ଓ ପରିବେଶର ଅନବରତ ଅବକ୍ଷୟ ଘଟି ଚାଲିଥାଏ। ଏକ ଉଦାହରଣ ସ୍ବରୂପ ଚୀନାମାନଙ୍କର ମୁଖ୍ୟ ଖାଦ୍ୟ ଘୁସୁରୀ ମାଂସ ଉତ୍ପାଦନ ନିମିତ୍ତ ଘୁସୁରୀମାନଙ୍କର ଖାଦ୍ୟଶସ୍ୟ ସୋୟାବିନ୍‌ର ବହୁତ ଉତ୍ପାଦନ ‌ଆବଶ୍ୟକ ହୋଇଥାଏ। ଚୀନାମାନଙ୍କର ବିପୁଳ ସୋୟାବିନ୍ ଚାହିଦା ପୂରଣ କରିବା ପାଇଁ ବ୍ରାଜିଲ୍‌ର କୃଷକମାନେ ସେ ଦେଶରେ ଅବସ୍ଥିତ ପୃଥିବୀର ଅମୂଲ୍ୟ ପ୍ରାକୃତିକ ସଂପଦ ବୃଷ୍ଟିବନ ବା ‘ରେନ୍‌ଫରେଷ୍ଟ’ର ଧ୍ବଂସ ସାଧନ କରି ସେ ଅଞ୍ଚଳକୁ ସୋୟାବିନ୍ କ୍ଷେତରେ ପରିଣତ କରିବାରେ ଲାଗିଛନ୍ତି।
ଏହା ବାଦ୍ ବିଭିନ୍ନ ରୋଗ ଓ ଆକ୍ରମଣାତ୍ମକ ସ୍ପିସିଜ୍‌ମାନଙ୍କର ଅନୁ‌ପ୍ରବେଶ ଯୋଗୁଁ ବନ୍ୟ ଜୀବନ ସଂକଟର ସମ୍ମୁଖୀନ ହେଉଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପ୍ରଦୂଷଣକୁ ମଧ୍ୟ ବନ୍ୟ ଜୀବନ ସମ୍ମୁଖୀନ ହେଉଥିବା ଏକ ପ୍ରମୁଖ ବିପଦ ରୂପେ ଚିହ୍ନଟ କରାଯାଇଛି। ଏହି ଅଞ୍ଚଳରେ ବନ୍ୟ ଜୀବନ ‘ସ୍ପିସିଜ୍’ମାନଙ୍କରେ ଅବକ୍ଷୟ ହାର ପ୍ରାୟ ୬୦ ଶତାଂଶ ହୋଇଥିବା ପ୍ରକାଶ ପାଇଛି। ଏହି ଅବକ୍ଷୟର ସର୍ବୋଚ୍ଚ ହାର ୮୫ ଶତାଂଶ ପରିଲକ୍ଷିତ ହୋଇଛି ମଧୁର ଜଳ ପରିବେଶରେ ଏବଂ ଏହା ପରକୁ ଭୂ-ପରିବେଶରେ ଏହା ୬୯ ଶତାଂଶ ହୋଇଥିବା ବେଳେ ସାମୁଦ୍ରିକ ପରିବେଶରେ ଏହା ହୋଇଛି ୫୬ ଶତାଂଶ। ‘ଏଲ୍‌ପିଆର୍’ ଅନୁସାରେ ପ୍ରାୟ ଏକ ନିୟୁତ ସ୍ପିସିଜ୍ ବର୍ତ୍ତମାନ ବିଲୟର ସମ୍ମୁଖୀନ।
ସମସ୍ତ ପ୍ରକା‌ର ପରିବେଶର ସ୍ବାସ୍ଥ୍ୟ ଜୈବବିବିଧତା ଉପରେ ନିର୍ଭର କରିଥାଏ। ‘ଗାଇଆ ତତ୍ତ୍ବ’ ସୂଚାଇଥିବା ଭଳି ସମସ୍ତ ଛୋଟବଡ଼ ଜୀବନ୍ତ ବସ୍ତୁମାନେ ପରସ୍ପର ଉପରେ ନିର୍ଭର କରିଥାନ୍ତି, ସେମାନେ ହେଉଛନ୍ତି ଜୀବନ୍ତ ଧରିତ୍ରୀର ଅଙ୍ଗପ୍ରତ୍ୟଙ୍ଗମାନ ଭଳି। ସ୍ବଚ୍ଛ ବା‌ୟୁରୁ ଜଳ ପର୍ଯ୍ୟନ୍ତ, ପରାଗ ସଂଗମରୁ ତାପମାନ ନିୟନ୍ତ୍ରଣ ପର୍ଯ୍ୟନ୍ତ ଜୀବନ ପାଇଁ ଆବଶ୍ୟକ ଅସଂଖ୍ୟ ଦୃଶ୍ୟ ଅଦୃଶ୍ୟ ଉପାଦାନମାନ ମାନଙ୍କର ଉପଲବ୍‌ଧତା ଉପରୋକ୍ତ ଏହି ପାରସ୍ପରିକ ସକ୍ରିୟ ତଥା ସୂକ୍ଷ୍ମ ସଂପର୍କ ଉପରେ ନିର୍ଭର କରିଥାଏ।
ଏହି ଜଟିଳ ସଂପର୍କ ଓ ତା’ର ଗୁରୁତ୍ବକୁ ବୁଝିବା ପାଇଁ ଓ ସେଇ ଅନୁସାରେ ପ୍ରତିକାରମୂଳକ ପଦକ୍ଷେପମାନ ନେବାକୁ ଉଦ୍ୟମ କରିବା ପାଇଁ ଏହି ଦ୍ବିବାର୍ଷିକ ‘ଏଲ୍‌ପିଆର୍’ ଏକ ଅତ୍ୟନ୍ତ ଉପଯୋଗୀ ସହାୟିକା ଭାବରେ କାର୍ଯ୍ୟ କରିଥାଏ। ଆମେ ଯଦି ଏହି ରିପୋର୍ଟ ବହନ କରୁଥିବା ସତର୍କ ସୂଚନାମାନ ପ୍ରତି ଧ୍ୟାନ ଦେଉ ଏବଂ ଏଥିରେ ପ୍ରଦର୍ଶିତ ସଂଶୋଧିତ ମାର୍ଗ ଅନୁସରଣ କରୁ, ତେବେ ଆମେ ଜୈବବିବିଧତାର ପୁନରୁଦ୍ଧାର କରିବା ସହିତ, ‘ଆମର ପରିବେଶ ପଦଚିହ୍ନ’କୁ ସଂକୁଚିତ କରିପାରିବା ଏବଂ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରି ମନୁଷ୍ୟ ସମେତ ସମସ୍ତ ଜୀବଜଗତ ପାଇଁ ଆମର ବାସସ୍ଥଳୀ ଜୀବନ୍ତ ପୃଥିବୀକୁ ସୁସ୍ଥ ଓ ସୁରକ୍ଷିତ ରଖିପାରିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe