ତତଲା ‌ତେଳ

Advertisment
ବିଡ଼ମ୍ବନା

Twitter

୨୦୨୪ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ସେଠାରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ମଧ୍ୟ ରୁଷିଆ ତୈଳ ଦରକୁ ଏକ ଆୟୁଧ ଭାବରେ ବ୍ୟବହାର କରିପାରେ। ସେ ସମୟକୁ ଚୀନ୍ ସମେତ ବିଶ୍ବ ଅର୍ଥନୀତି ମଧ୍ୟ ମାନ୍ଦା ଅବସ୍ଥାରୁ ମୁକୁଳି ଚଳଚଞ୍ଚଳ ହେବାର ଦୃଢ଼ ସମ୍ଭାବନା ରହିଛି, ଯାହା ଫଳରେ ପୃଥିବୀରେ ତୈଳ ଚାହିଦାରେ ତୀକ୍ଷ୍‌ଣ ବୃଦ୍ଧି ଘଟି ତୈଳ ଦରରେ ବୃଦ୍ଧି ଘଟାଇପାରେ।

ଗତ ତିନି ମାସ ଧରି ଆନ୍ତର୍ଜାତିକ ତୈଳ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟି ଚାଲିଛି। ଭାରତ ତା’ର ତୈଳ ଚାହିଦା ମୁଖ୍ୟତଃ ଆମଦାନି ମାଧ୍ୟମରେ ପୂରଣ କରୁଥିବାରୁ ଏହା ସ୍ବାଭାବିକ ଭାବରେ ତା’ ପାଇଁ ସମସ୍ୟା ସୃଷ୍ଟି କରିଛି। ପ୍ରକାଶିତ ସୂଚନା ଅନୁସାରେ ଜୁନ୍‌ରୁ ବର୍ତ୍ତମାନ ମଧ୍ୟରେ ତୈଳ ଦରରେ ମାସିକ ହାରାହାରି ୨୪ ଶତାଂଶ ହାରରେ ବୃଦ୍ଧି ଘଟି ଚଳିତ ସପ୍ତାହ ଆରମ୍ଭରେ ଭାରତ କ୍ରୟ କରୁଥିବା ତୈଳର ଦାମ୍ ହୋଇଥିଲା ବ୍ୟାରେଲ୍ ପିଛା ପ୍ରାୟ ୯୬ ଡଲାର୍, ଯାହା ମନସ୍ତାତ୍ତ୍ବିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ୧୦୦ ଡଲାର୍ ସୀମାକୁ ଛୁଇଁଲା ଭଳି ଲାଗିଥାଏ।
ସାଧାରଣତଃ ତୈଳର ଆମଦାନି ମୂଲ୍ୟରେ ବୃଦ୍ଧି ଘଟିଲେ ତୈଳ କମ୍ପାନିମାନେ ଖାଉଟିମାନଙ୍କ ପାଇଁ ବିକ୍ରୟ ମୂଲ୍ୟରେ ବୃଦ୍ଧି ଘଟାଇଥାନ୍ତି। ସରକାର କିନ୍ତୁ ବିଗତ ପ୍ରାୟ ୧୬ ମାସ ଧରି ଖାଉଟି ଦରକୁ ଅପରିବର୍ତ୍ତନୀୟ ଅବସ୍ଥାରେ ରଖିଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ସମ୍ଭବତଃ ‘ଓପେକ୍’ ଓ ରୁଷିଆ ଦ୍ବାରା ଉଦ୍ଦେଶ୍ୟମୂଳକ ଭାବରେ ତୈଳ ଉତ୍ପାଦନରେ ଘଟାଯାଇଥିବା ସଂକୋଚନ ଯୋଗୁଁ ତୈଳର ଆମଦାନି ଦରରେ ବୃଦ୍ଧି ଘଟି ଚାଲିଲେ ମଧ୍ୟ ସରକାର ଖାଉଟି ଦରରେ ବୃଦ୍ଧି ଘଟାଇ ନପାରନ୍ତି। କିନ୍ତୁ ଏହା ସତ୍ତ୍ବେ ସାଧାରଣ ଖାଉଟିମାନଙ୍କ ପାଇଁ ତୈଳ ଦର ଯେଉଁ ବୋଝ ସୃଷ୍ଟି କରି ଚାଲିଛି, ତାହା ଆଦୌ ନଗଣ୍ୟ ନୁହେଁ। ବାସ୍ତବରେ ଅତୀତରେ ଯେତେବେଳେ ପେଟ୍ରୋଲ୍ ଦର ଲିଟର୍ ପିଛା ପ୍ରାୟ ୭୦ ଟଙ୍କାରୁ ବୃଦ୍ଧି ପାଇ ୧୦୦ ଟଙ୍କା ଅତିକ୍ରମ କଲା, ସେଇ ସମୟରୁ ଭାରତୀୟ ଖାଉଟିମାନଙ୍କ ପାଇଁ ଏହା ଏକ ଦୁର୍ବିଷହ ବୋଝରେ ପରିଣତ ହୋଇଛି ବୋଲି କୁହାଯାଇପାରେ। ବର୍ତ୍ତମାନ ପାଇଁ ଖାଉଟି ଦର ଅପରିବର୍ତ୍ତିତ ରହିଲେ ମଧ୍ୟ ତାହା ସେଇ ସ୍ତରରେ ରହିବ।
ଏହା ଜଣାଶୁଣା ଯେ ଖାଉଟିମାନଙ୍କ ପାଇଁ ପେଟ୍ରୋଲ୍/ଡିଜେଲ୍ ଅତ୍ୟାବଶ୍ୟକ ଦ୍ରବ୍ୟ ‌ହୋଇଥିବାରୁ, ଉଚ୍ଚା ଦର ଯୋଗୁଁ ସେମାନଙ୍କର ବଜେଟ୍‌ର ଅଧିକ ଭାଗ ଏଥିରେ ଖର୍ଚ୍ଚ ହେଲେ, ବଜାରରେ ଅନ୍ୟାନ୍ୟ ଦ୍ରବ୍ୟ ଓ ସେବା ପାଇଁ ସେମାନଙ୍କର ଚାହିଦାରେ ସଂକୋଚନ ଘଟି ଅର୍ଥନୀତିରେ ମାନ୍ଦା ଅବସ୍ଥା ସୃଷ୍ଟି କରିଥାଏ। ଏହା ବ୍ୟତୀତ, ଏହି ଇନ୍ଧନ ଦରରେ ବୃଦ୍ଧି ଯୋଗୁଁ ପରିବହନ ଖର୍ଚ୍ଚରେ ବୃଦ୍ଧି ଘଟି ଅନ୍ୟ ଉତ୍ପାଦିତ ଦ୍ରବ୍ୟମାନଙ୍କର ଦରବୃଦ୍ଧି ଘଟାଇଥାଏ। ଏଣୁ ଅଥର୍ନୀତିର ହିତ ଦୃଷ୍ଟିରୁ ଖାଉଟି ତୈଳ ଦର ଯଥାସମ୍ଭବ ସୀମା ମଧ୍ୟରେ ରହିବା ହେଉଛି ବାଞ୍ଛନୀୟ।
ଭାରତରେ ସରକାର ଯଦି ଚାହାଁନ୍ତି, ଖାଉଟି ତୈଳ ଦରକୁ ସେମାନଙ୍କ ପାଇଁ ସହନୀୟ ସ୍ତରରେ ରଖାଯାଇ ପାରିବ। ତାହାର ଉପାୟ ହେଉଛି ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଆଦାୟ କରୁଥିବା ଟିକସରେ ହ୍ରାସ ଘଟାଇବା। ଏକ ଉଦାହରଣ ସ୍ବରୂପ ସରକାର ଦିଲ୍ଲୀରେ ଆଦାୟ କରୁଥିବା ଟିକସ ହେଉଛି ପେଟ୍ରୋଲ୍‌ର ଖାଉଟି ଦରର ୩୬ ଶତାଂଶ ଓ ‌ଡିଜେଲ୍‌ର ଖାଉଟି ଦରର ୩୨ ଶତାଂଶ। ଭ୍ୟାଟ୍ ରେଟ୍ ଅଧିକ ଥିବା ରାଜ୍ୟରେ ଏହି ଅନୁପାତ ମଧ୍ୟ ଆହୁରି ଅଧିକ ହୋଇଥାଏ। ଅବଶ୍ୟ ପରିବେଶ ସୁରକ୍ଷା ଦୃଷ୍ଟିରୁ ଯୁକ୍ତି କରାଯାଇଥାଏ ଯେ ଉଚ୍ଚ ଟିକସ ମାଧ୍ୟମରେ ଜୀବାଶ୍ମ ଇନ୍ଧନର ଦାମ୍‌କୁ ଉଚ୍ଚ ରଖାଯିବା ଦ୍ବାରା ଏହାର ବ୍ୟବହାରକୁ ସଂକୁଚିତ କରାଯାଇ ଅଙ୍ଗାର ନିର୍ଗମନରେ ହ୍ରାସ ଘଟାଯାଇଥାଏ। ଏହି ଦୃଷ୍ଟିକୋଣରୁ ପରିବେଶ ସଚେତନ ଇଉରୋପ୍‌ର ଉଦାହରଣ ଦିଆଯାଇ ଦର୍ଶାଯାଇଥାଏ ଯେ ସେଠାରେ ପେଟ୍ରୋଲ୍ ଉପରେ ଟିକସ ଖାଉଟି ଦରର ପ୍ରାୟ ୬୦ ଶତାଂଶ ହୋଇଥିବା ବେଳେ ଡିଜେଲ୍ ପାଇଁ ଏହା ହୋଇଥାଏ ୫୦ ଶତାଂଶରୁ ଅଧିକ। କିନ୍ତୁ ଏହା ଇଉରୋପ୍ ଓ ଭାରତ ମଧ୍ୟରେ ଏକ ବାସ୍ତବ ତୁଳନାତ୍ମକ ଚିତ୍ର ପ୍ରଦାନ କରି ନଥାଏ। ଇଉରୋପ୍‌ରେ ମୁଣ୍ଡପିଛା ଆୟ ଭାରତରେ ମୁଣ୍ଡପିଛା ଆୟ ଠାରୁ ବହୁଗୁଣ ଅଧିକ ହୋଇଥାଏ। ଏଣୁ ଉଚ୍ଚ ଟିକସ ସତ୍ତ୍ବେ ଜଣେ ଇଉରୋପୀୟ ଖାଉଟି ତା’ର ଆୟର ଯେଉଁ ଅନୁପାତ ଏହି ଟିକସ ଆକାରରେ ସରକାରଙ୍କୁ ଦେଇଥାଏ, ଜଣେ ସାଧାରଣ ଭାରତୀୟ ଖାଉଟି ସରକାରଙ୍କୁ ଦେଉଥିବା ଏଭଳି ଆନୁପାତିକ ଟିକସ ଠାରୁ ତାହା ବହୁତ କମ୍ ହୋଇଥାଏ।
ଭାରତୀୟ ଖାଉଟିଙ୍କ ପାଇଁ ଏହି ବୋଝ ଲାଘବ କରିବାର ଉପାୟ ହେଉଛି ତୈଳ ଉପରେ ସବ୍‌ସିଡି ପ୍ରଦାନ କରିବା ପରିବ‌େର୍ତ୍ତ ଏହା ଉପରେ ଆଦାୟ କରାଯାଉଥିବା ଟିକସ ହାରରେ ହ୍ରାସ ଘଟାଇବା। ଏଥିଯୋଗୁଁ ଅବଶ୍ୟ ସରକାର ଏହି ଟିକସ ସୂତ୍ରରୁ ଆଦାୟ କରୁଥିବା ରାଜସ୍ବରେ ହ୍ରାସ ଘଟିବ। କିନ୍ତୁ ମନେରଖିବା କଥା ଇନ୍ଧନ ଦରରେ ହ୍ରାସ ଯୋଗୁଁ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପରେ ଯେଉଁ ବୃଦ୍ଧି ଘଟିବ, ସେ ସୂତ୍ରରୁ ସରକାର ଆଦାୟ କରୁଥିବା ରାଜସ୍ବରେ ବୃଦ୍ଧି ଘଟି ତାହା ଭରଣା ହୋଇଯିବ।
ସାଧାରଣତଃ ଦେଖାଯାଇଛି ଯେତେବେଳେ ଏଭଳି ପ୍ରସ୍ତାବ ଉପସ୍ଥାପିତ ହୋଇଥାଏ, କେନ୍ଦ୍ର ଓ ରାଜ୍ୟ ପରସ୍ପର ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାନ୍ତି। ବିଶୋଧିତ ତୈଳ ଉପରେ କେନ୍ଦ୍ର ସରକାର ଏକ୍‌ସାଇଜ୍‌ ଡ୍ୟୁଟି ଓ ସେସ୍ ଆଦାୟ କରିଥାନ୍ତି। ଏକ୍‌ସାଇଜ୍‌ ସୂତ୍ରରୁ ସଂଗୃହୀତ ରାଜସ୍ବ କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ; କିନ୍ତୁ ସେସ୍‌ରୁ ଆଦାୟ ହେଉଥିବା ରାଜସ୍ବରେ ରାଜ୍ୟମାନଙ୍କର ଅଂଶ ନଥାଏ। ପେଟ୍ରୋଲ୍ ପମ୍ପ୍ ଏହା ଉପରେ ନିଜର କମିସନ୍ ଆଦାୟ କରିଥାଏ। ସର୍ବୋପରି ରାଜ୍ୟ ସରକାର ବିକ୍ରୟ ଦର ଉପରେ ଭ୍ୟାଟ୍ ଆଦାୟ କରିଥାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ହ୍ରାସ ଦାୟିତ୍ବ ପରସ୍ପର ଆଡ଼କୁ ଠେଲିବାକୁ ଚେଷ୍ଟା କରିବା ପରିବର୍ତ୍ତେ ପ୍ରତ୍ୟେକ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ଯଦି ହ୍ରାସ ଘଟାଇବାକୁ ପ୍ରସ୍ତୁତ ହୁଅନ୍ତେ ତେବେ ଇନ୍ଧନ ଦର ଏକ ସହନୀୟ ସ୍ତରରେ ରହିପାରନ୍ତା।
ଆସନ୍ନ ଶୀତ ଋତୁରେ ଇଉରୋପ୍ ଓ ଆମେରିକାରେ ଯେତେବେଳେ ତୈଳ ଚାହିଦାରେ ବୃଦ୍ଧି ଘଟିବ, ସେତେବେଳେ ତୈଳ ଦର ଉଚ୍ଚା ରଖି ସେମାନଙ୍କ ଉପରେ ଚାପ ବୃଦ୍ଧି କରିବା ପାଇଁ ରୁଷିଆ ତୈଳ ଉତ୍ପାଦନ ସଂକୁଚିତ କରିବା ସଙ୍ଗେ ସଙ୍ଗେ ‘ଓପେକ୍’କୁ ମଧ୍ୟ ଏଥିପାଇଁ ପ୍ରଭାବିତ କରିବ। ୟୁକ୍ରେନ୍ ପ୍ରତି ସେମାନଙ୍କର ସାହାଯ୍ୟ ସହଯୋଗ ଶିଥିଳ କରିବା ଉଦ୍ଦେଶ୍ୟରେ ରୁଷିଆ ଏହି ପଦ‌େକ୍ଷପ ନେଇପାରେ। ତା’ଛଡ଼ା, ୨୦୨୪ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ସେଠାରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ମଧ୍ୟ ରୁଷିଆ ତୈଳ ଦରକୁ ଏକ ଆୟୁଧ ଭାବରେ ବ୍ୟବହାର କରିପାରେ। ସେ ସମୟକୁ ଚୀନ୍ ସମେତ ବିଶ୍ବ ଅର୍ଥନୀତି ମଧ୍ୟ ମାନ୍ଦା ଅବସ୍ଥାରୁ ମୁକୁଳି ଚଳଚଞ୍ଚଳ ହେବାର ଦୃଢ଼ ସମ୍ଭାବନା ରହିଛି, ଯାହା ଫଳରେ ପୃଥିବୀରେ ତୈଳ ଚାହିଦାରେ ତୀକ୍ଷ୍‌ଣ ବୃଦ୍ଧି ଘଟି ତୈଳ ଦରରେ ବୃଦ୍ଧି ଘଟାଇପାରେ। ଏଣୁ ନିକଟ ଭବିଷ୍ୟତରେ ଆନ୍ତର୍ଜାତିକ ତୈଳ ଦରରେ ଯେଉଁ ବୃଦ୍ଧି ଘଟିବାର ଦୃଢ଼ ସମ୍ଭାବନା ରହିଛି, ସେଇ ତତଲା ତେଲର ତାତିରୁ ଭାରତୀୟ ଖାଉଟିମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଟିକସ ହ୍ରାସକୁ ଏକ ଉପଯୁକ୍ତ ଉପାୟ ରୂପେ ବ୍ୟବହାର କରିବା ପାଇଁ ଏବେଠାରୁ ମାନସିକ ସ୍ତରରେ ପ୍ରସ୍ତୁତ ରହିବା ଉଚିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe