କାମ୍ୟ ଅମୃତ କୁମ୍ଭ

Advertisment

ଏଥରର ଏକ ବଡ଼ ବ୍ୟତିକ୍ରମ ହେଲା, ଅନେକ ମୁଖ୍ୟସ୍ରୋତୀୟ ଗଣମାଧ୍ୟମ ଏହି ଦୁର୍ଘଟଣାକୁ ସେ ଭଳି ଗୁରୁତ୍ବ ଦେଇ ନାହାନ୍ତିି, ଯେମିତି ପୂର୍ବ ଦୁର୍ଘଟଣାଗୁଡ଼ିକରେ ଦେଇଥିଲେ। ସରକାରଙ୍କ ତ୍ରୁଟି ଓ ଘଣ୍ଟ ଘୋଡ଼ା ଉଦ୍ୟମ ଉପରୁ

ଏଥରର ଏକ ବଡ଼ ବ୍ୟତିକ୍ରମ ହେଲା, ଅନେକ ମୁଖ୍ୟସ୍ରୋତୀୟ ଗଣମାଧ୍ୟମ ଏହି ଦୁର୍ଘଟଣାକୁ ସେ ଭଳି ଗୁରୁତ୍ବ ଦେଇ ନାହାନ୍ତିି, ଯେମିତି ପୂର୍ବ ଦୁର୍ଘଟଣାଗୁଡ଼ିକରେ ଦେଇଥିଲେ। ସରକାରଙ୍କ ତ୍ରୁଟି ଓ ଘଣ୍ଟ ଘୋଡ଼ା ଉଦ୍ୟମ ଉପରୁ

samp1

ଏଥରର ଏକ ବଡ଼ ବ୍ୟତିକ୍ରମ ହେଲା, ଅନେକ ମୁଖ୍ୟସ୍ରୋତୀୟ ଗଣମାଧ୍ୟମ ଏହି ଦୁର୍ଘଟଣାକୁ ସେ ଭଳି ଗୁରୁତ୍ବ ଦେଇ ନାହାନ୍ତିି, ଯେମିତି ପୂର୍ବ ଦୁର୍ଘଟଣାଗୁଡ଼ିକରେ ଦେଇଥିଲେ। ସରକାରଙ୍କ ତ୍ରୁଟି ଓ ଘଣ୍ଟ ଘୋଡ଼ା ଉଦ୍ୟମ ଉପରୁ ପରଦା ଅପସାରଣ କରିବାକୁ ପୂର୍ବର ବ୍ୟାକୁଳତା ସତେ ଯେମିତି ଏବର ଗଣମାଧ୍ୟମ ହରାଇ ବସିଛି! ସେମିତି ଆଉ ଏକ ବିଡ଼ମ୍ବନା ହେଲା ଏଭଳି ମୃତ୍ୟୁକୁ ସୌଭାଗ୍ୟର ଚିହ୍ନ ବୋଲି ବିଚାର କରିବାର ପ୍ରବଣତା।

ଗଲା ଜାନୁଆରି ୨୯ ତାରିଖରେ ପ୍ରୟାଗରାଜ ସହରରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭ ବେଳାରେ ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଦଳାଚକଟାରେ ପ୍ରାୟ ୩୦ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଛି। କୁହାଯାଉଛି ଯେ ‘ମୌନୀ ଅମାବାସ୍ୟା’ ପ୍ରଦାନ କରୁଥିବା ଏକ ଅନିର୍ବଚନୀୟ ପବିତ୍ର କ୍ଷଣରେ ବୁଡ଼ ପକାଇବା ସକାଶେ ସଙ୍ଗମ ନିକଟରେ ରୁଣ୍ଡ ହୋଇଥିବା ୨ରୁ ୪ କୋଟି ଲୋକଙ୍କ ଆଗ୍ରହାତିଶଯ୍ୟ କାରଣରୁ ଏଭଳି ସ୍ଥିତିର ସୂତ୍ରପାତ ଘଟିଲା। କିନ୍ତୁ, ପ୍ରଶ୍ନ ଉଠିଥାଏ ଯେ ଏହି ମେଳାର ଆୟୋଜନରେ ଦୂରଦୃଷ୍ଟି ସଂପନ୍ନ ଅନୁମାନ ଓ ପୂର୍ବ-ଅଭିଜ୍ଞତାରୁ ଆହୃତ ଜ୍ଞାନର ଉପଯୋଗ କରାଯାଇଥିଲେ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରି ନଥାଆନ୍ତା କି? ଅବଶ୍ୟ, ଏଥିରେ ଦ୍ବିଧା ନାହିଁ ଯେ ଆବହମାନ କାଳରୁ ଚାଲି ଆସିଥିବା ମହାକୁମ୍ଭ ମେଳାର ପରଂପରା ସମଗ୍ର ଭାରତରେ, ନଗର-ପୁରପଲ୍ଲୀ ନିର୍ବିଶେଷରେ, ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଏକ ଅପୂର୍ବ ଆଧ୍ୟା‌ତ୍ମିକ ଶିହରଣ ସୃଷ୍ଟି କରିଥାଏ; ତେଣିକି ଜଣେ ସଙ୍ଗମରେ ବୁଡ଼ ପକାଉ ବା ନ ପକାଉ। ସୁତରାଂ, ପ୍ରତି ଛଅ ବା ବାର ବର୍ଷ ଅନ୍ତରାଳରେ ଅନୁଷ୍ଠିତ ହେଉଥିବା କୁମ୍ଭମେଳାଗୁଡ଼ିକ ହାରାହାରି ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ଲାଗି ଚୁମ୍ବକୀୟ କ୍ଷେତ୍ରରେ ପରିଣତ ହୁଅନ୍ତି ଏବଂ ପୃଥିବୀର ସର୍ବବୃହତ୍‌ ଜନ ସମାଗମ ଭାବରେ ପରିଚିତି ମଧ୍ୟ ଲାଭ କରନ୍ତି। ଚଳିତ କୁମ୍ଭ ମେଳା ‘ମହାକୁମ୍ଭ’ ପର୍ଯ୍ୟାୟଭୁକ୍ତ ହୋଇଥିବାରୁ ଏହା ୧୪୪ ବର୍ଷ ପରେ ପଡ଼ିଛି ଏବଂ ଏହି ବିରଳତା କାରଣରୁ ୪୪ ଦିନ ବ୍ୟାପୀ ଏହି ମେଳାରେ ପ୍ରୟାଗରାଜ ସହର ପ୍ରାୟ ୪୦ କୋଟି ଶ୍ରଦ୍ଧାଳୁଙ୍କୁ ଭେଟିବ ବୋଲି ପୂର୍ବରୁ ଆକଳନ କରାଯାଇଛି। କହିବା ଅନାବଶ୍ୟକ ଯେ ଗଙ୍ଗା ତଟର ସେ ଅପୂର୍ବାନୁମେୟ ବୈଦ୍ୟୁତିକ ବାତାବରଣରେ ନିଜକୁ ହଜାଇଦେବା ଅଥବା ଖୋଜିବା ଲାଗି ଆସିଥିବା ଶ୍ରଦ୍ଧାଳୁଙ୍କ ସହିତ ଉପସ୍ଥିତ ହୁଅନ୍ତି ଅଗଣିତ ଅନୁସନ୍ଧିତ୍ସୁ, ଆଗ୍ରହୀ ଓ ଉତ୍ସାହୀ ଅନ୍ବେଷୀ, ବୃତ୍ତଚିତ୍ର ନିର୍ମାତା, ସାମ୍ବାଦିକ, ରୋମାଞ୍ଚ ଅଭିଳାଷୀ ‘ସେଲିବ୍ରିଟି’, ଏପରିକି ସୁଯୋଗ ସନ୍ଧାନୀ ଅପରାଧୀ, ଯାହା ଏହି ଭିଡ଼କୁ ଅଧିକ ଗହନ କରେ ସିନା ଏହାର ଚରିତ୍ରକୁ ତରଳ ମଧ୍ୟ କରି ପକାଏ। ଭାବୋଚ୍ଛ୍ବାସର ଏହି ବିସ୍ଫୋରକ ପରିସ୍ଥିତିରେ ସଂଯମ, ଶୃଙ୍ଖଳା ଓ ସୁବୋଧ କିଭଳି ଅନେକ ସମୟରେ ସତ୍ତା ହରାନ୍ତି, ତାହାର ପ୍ରମାଣ ଓ ଦୃଷ୍ଟାନ୍ତ ମଧ୍ୟ ହେଉଛି ଏଭଳି ଦୁଃଖଦ ଦୁର୍ଘଟଣା। 
ଏହି ଦୁର୍ଘଟଣା ଲାଗି ଦାୟୀ ତାତ୍‌କାଳିକ କାରଣ ଭାବେ ଯାହା ଦର୍ଶାଯାଉଛି, ତାହା ହେଲା ଏକ ନିର୍ଦ୍ଦିଷ୍ଟ ସମୟରେ, ରାତି ପ୍ରାୟ ୨ଟା ବେଳକୁ, ଗଙ୍ଗା ତୀରରେ ପ୍ରାୟ ୨ରୁ ୪ କୋଟି ଶ୍ରଦ୍ଧାଳୁ ରୁଣ୍ଡ ହେବା ଏବଂ ବୁଡ଼ ପକାଇବାର ସେହି ପବିତ୍ରତମ କ୍ଷଣକୁ ପ୍ରତୀକ୍ଷା କରି ନଦୀ ଧାରରେ ଉପସ୍ଥିତ ସ୍ଥିର ଜନ-ସମୁଦ୍ର ଉପରେ ପଛରୁ ଆଗକୁ ଯିବା ଲାଗି ଉଦ୍‌ବେଳିତ କେଇ ଲକ୍ଷ ଲୋକଙ୍କୁ ଘେନି ଜନ-ତରଙ୍ଗ ସହସା ଲୋଟି ପଡ଼ିବା। ଏହା ମଧ୍ୟ ଅଭିଯୋଗ ହୋଇଥାଏ ଯେ ଭିଡ଼ର ସମ୍ମୁଖ ଭାଗରେ ଅଶ୍ବାରୋହୀ ପୁଲିସ ଦଳ ଶ୍ରଦ୍ଧାଳୁମାନଙ୍କୁ ବୁଡ଼ ପକାଇବାରୁ ନିବୃତ୍ତ କରିଥିଲେ, ଯଦ୍ଦ୍ବାରା ପଛରୁ ଆ‌ସି ନିରନ୍ତର ଜମା ହେଉଥିବା ଲୋକଙ୍କ ଭିଡ଼ ସ୍ଫୀତ ହୋଇ ‘ବାରିକେଡ୍‌’ ଭାଙ୍ଗି ପକାଇଥିଲା ଏବଂ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ଏହି ପରିପ୍ରେକ୍ଷୀରେ ‘ଦ ପ୍ରିଣ୍ଟ’ରେ ପ୍ରକାଶିତ ସାମ୍ବାଦିକା ସାଗରିକା କିସୁଙ୍କ ଅନୁଭୂତି ପ୍ରଣିଧାନଯୋଗ୍ୟ, ଯହିଁରେ ସେ କହିଛନ୍ତି ଯେ କୋଟି କୋଟି ସଂଖ୍ୟକ ଭାବ ଗଦଗଦ ଶ୍ରଦ୍ଧାଳୁଙ୍କ ବିପକ୍ଷରେ ଲାଠି ବର୍ଷଣ ଉନ୍ମୁଖ ପୁଲିସର ଉପସ୍ଥିତି ପରିପ୍ରେକ୍ଷୀରେ ପ୍ରଥମ ‘ସାହି ସ୍ନାନ’ ଦିନରୁ ହିଁ କୌଣସି ଅଘଟଣ ଘଟିବାର ଆଭାସ ମିଳୁଥିଲା।
ପାସୋରିଗଲେ ହେବ ନାହିଁ ଯେ ପ୍ରୟାଗରାଜ ହେଉଛି ଉତ୍ତରପ୍ରଦେଶର ଅନ୍ୟତମ ସର୍ବାଧିକ ଜନ-ସାନ୍ଦ୍ର ସହର, ଯାହାର ଲୋକ ସଂଖ୍ୟା ୨୦୧୦-୧୧ ଜନଗଣନା ଅନୁଯାୟୀ ଥିଲା ପ୍ରାୟ ୧୫.୫ ଲକ୍ଷ ଏବଂ ପ୍ରତି ବର୍ଗ କିଲୋମିଟର‌େର ବାସ କରୁଥିଲେ ପ୍ରାୟ ୧୬ ହଜାର ନାଗରିକ, ଯେଉଁ ସଂଖ୍ୟା ସଂପ୍ରତି ଅଧିକ ବୃଦ୍ଧି ପାଇଥିବା ସ୍ବାଭାବିକ। ଏଭଳି ଏକ ସ୍ଥିତିରେ ପ୍ରତ୍ୟହ ଏକ କୋଟିରୁ ଅଧିକ ବ୍ୟକ୍ତିଙ୍କ ସମାଗମ ଯେ ସହରର ଧାରଣକ୍ଷମ ସହନୀୟତାକୁ ଭାଙ୍ଗି ପକାଇବାକୁ ଯଥେଷ୍ଟ, ଏଥିରେ ସନ୍ଦେହ ନାହିଁ। ପ୍ରଶାସନ ସୂତ୍ରରୁ ପ୍ରକାଶ ଯେ ସେ ଦିନ ସଡ଼କ କଡ଼ରେ ଶୋଇ ରହିଥିବା ଲୋକଙ୍କ ଉପରେ ଭିଡ଼ ଚଢ଼ିଯିବା ପରେ ଏଭଳି ସ୍ଥିତି ସୃଷ୍ଟି ହେଲା। କିନ୍ତୁ ଅକଳ୍ପନୀୟ ଭିଡ଼ରେ ସଂପୂର୍ଣ୍ଣ ଶ୍ବାସରୁଦ୍ଧ ହୋଇ ପଡ଼ିଥିବା ଏକ ସହର ରାତ୍ରିଯାପନ ସକାଶେ ନିରାପଦ ଆଶ୍ରୟ ଯୋଗାଇ ପାରନ୍ତା କି? ସୁତରାଂ, ଦୂରଦୃଷ୍ଟିସଂପନ୍ନ ଆୟୋଜନର ଆବଶ୍ୟକତା ନ ଥିଲା କି? ଏହା ପୂର୍ବବର୍ତ୍ତୀ କୁମ୍ଭ ମେଳା ୨୦୧୯ ମସିହାରେ ହୋଇଥିବାରୁ ଏହି କୁମ୍ଭମେଳା ସକାଶେ ପ୍ରସ୍ତୁତି ଲାଗି ଅନ୍ତତଃ ଛଅ ବର୍ଷ ସମୟ ମିଳିଥିଲା! ଏହି ଆୟୋଜନ ଲାଗି ବଜେଟ ପ୍ରାବଧାନ ଥିଲା ପ୍ରାୟ ୭ରୁ ୧୦ ହଜାର କୋଟି ଟଙ୍କା। ସୁତରାଂ, ମହାକୁମ୍ଭ ସମ୍ମେଳନ ସକାଶେ ପ୍ରୟାଗରାଜକୁ ଅଧିକ ଧାରଣକ୍ଷମ ଓ ନିରାପଦ କରି ଗଢ଼ି ତୋଳିବା ସମ୍ଭବ ମଧ୍ୟ ‌ହୋଇଥାଆନ୍ତା। କେବଳ ସେତିକି ନୁହେଁ, ନିୟମିତ କୁମ୍ଭ ମେଳାର ଆୟୋଜନ ପ୍ରୟାଗରାଜ ସକାଶେ ଅନିବାର୍ଯ୍ୟ ହୋଇଥିବାରୁ ଏଥି ଲାଗି ପ୍ରସ୍ତୁତି ସେଠାରେ ଏକ ନିରନ୍ତର ପ୍ରକ୍ରିୟା ମଧ୍ୟ ହେବା ଉଚିତ। ଏହା ସତ ଯେ ପ୍ରତି ବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା‌ରେ ବୃଦ୍ଧି ଘଟିବାରେ ଲାଗିଛି, କିନ୍ତୁ ଏହା ସହିତ ପ୍ରଯୁକ୍ତି ଓ ସମର୍ଥ ବନ୍ଦୋବସ୍ତର ଉତ୍କୃଷ୍ଟ ସାଧନ ମଧ୍ୟ ଉପଲବ୍‌ଧ। ସୁତରାଂ, ଏଭଳି ଅଘଟଣର ପୁନରାବୃତ୍ତି ପ୍ରଶ୍ରୟ ନ ପାଇବା ମଧ୍ୟ ସମ୍ଭବ।
ଯଦିଓ ଏହ ଦୁର୍ଘଟଣା ସହିତ ଅପବାଦିତ ଭାରତୀୟ ‘ଭି.ଆଇ.ପି.’ ସଂସ୍କୃତିର ପ୍ରତ୍ୟକ୍ଷ ସଂପର୍କ ନାହିଁ, ତଥାପି ତାହା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଛି। ଚଳିତ କୁମ୍ଭ ମେଳାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ଅନ୍ୟାନ୍ୟ କ୍ଷମତାଧାରୀ ‘ଭି.ଆଇ.ପି.’ମାନଙ୍କ ଯାନବାହନ ସକାଶେ ସଡ଼କର ଗୋଟିଏ ପାର୍ଶ୍ବ ସଂପୂର୍ଣ୍ଣ ମୁକ୍ତ ରଖା ଯାଉଥିବା ବେଳେ ଅପର ପାର୍ଶ୍ବରେ ପାଦରେ ଚାଲି ଯିବା ଆସିବା କରୁଥିବା କୋଟିକୋଟି ଅଣନିଃଶ୍ବାସୀ ଶ୍ରଦ୍ଧାଳୁଙ୍କ ମନରେ ବିରକ୍ତି ସୃଷ୍ଟି କରୁଥିବା ସ୍ବାଭାବିକ। ପୁଣି ଅଭିଯୋଗ ହୋଇଥାଏ ଯେ ଭି.ଆଇ.ପି.ମାନଙ୍କ ସକାଶେ ନିରାପଦ ଓ ସୁଖଦ ଗଙ୍ଗା ସ୍ନାନ ସମ୍ଭବ କରିବା ଲାଗି ହେଉଥିବା ପୁଲିସ ବନ୍ଦୋବସ୍ତ କାରଣରୁ ସାଧାରଣ ଲୋକେ ପ୍ରାୟ ପନ୍ଦର କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲିବାକୁ ବାଧ୍ୟ ହେଉଥିଲେ। ସୁତରାଂ, ଜମାଟ ବାନ୍ଧି ରହିଥିବା କ୍ଷୋଭ ହୁଏତ ସେ ଦିନ ପାହାନ୍ତା କାଳରେ ଘାତକ ଧୈର୍ଯ୍ୟହୀନତାକୁ ଜନ୍ମ ଦେଇଥିବ। ତେବେ, ତୀବ୍ର ସମାଲୋଚନାର ଶରବ୍ୟ ହେବା ପରେ ସେଠାରେ ‘ଭି.ଆଇ.ପି.’ ସ୍ନାନ ବ୍ୟବସ୍ଥାକୁ ବନ୍ଦ ରଖାଯାଇଛି। ପ୍ରବଳ ଜନ ସମାଗମ ସୃଷ୍ଟିକାରୀ କୌଣସି ଧର୍ମୋତ୍ସବରେ ‘ଭି.ଆଇ.ପି.’ ସଂସ୍କୃତି ଯେ ଅଶାଳୀନ ଭଳି ଦିଶିଥାଏ, ତାହା କହିବା ଅନାବଶ୍ୟକ ମଧ୍ୟ।
ଅବଶ୍ୟ, କୁମ୍ଭମେଳାରେ ଦଳାଚକଟା ଜନିତ ପ୍ରାଣହାନି ଘଟଣା ପୂର୍ବରୁ ଘଟିଛି। ଲିପିବଦ୍ଧ ଇତିହାସ ଅନୁସାରେ ୧୮୪୦ ମସିହାର କୁମ୍ଭ ମେଳା ଦଳାଚକଟାରେ ୫୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ନିକଟ ଅତୀତରେ ୨୦୦୩, ୨୦୧୦ ଓ ୨୦୧୩ ମସିହାରେ ଯଥାକ୍ରମେ ୩୯, ୭ ଓ ୩୬ ଜଣ ଲୋକଙ୍କ ପ୍ରାଣହାନି ଘଟିଥିଲା। କିନ୍ତୁ ଏଥରର ଏକ ବଡ଼ ବ୍ୟତିକ୍ରମ ହେଲା, ଅନେକ ମୁଖ୍ୟସ୍ରୋତୀୟ ଗଣମାଧ୍ୟମ ଏହି ଦୁର୍ଘଟଣାକୁ ସେ ଭଳି ଗୁରୁତ୍ବ ଦେଇ ନାହାନ୍ତିି, ଯେମିତି ପୂର୍ବ ଦୁର୍ଘଟଣାଗୁଡ଼ିକରେ ଦେଇଥିଲେ। ସରକାରଙ୍କ ତ୍ରୁଟି ଓ ଘଣ୍ଟ ଘୋଡ଼ା ଉଦ୍ୟମ ଉପରୁ ପରଦା ଅପସାରଣ କରିବାକୁ ପୂର୍ବର ବ୍ୟାକୁଳତା ସତେ ଯେମିତି ଏବର ଗଣମାଧ୍ୟମ ହରାଇ ବସିଛି! ସେମିତି ଆଉ ଏକ ବିଡ଼ମ୍ବନା ହେଲା ଏଭଳି ମୃତ୍ୟୁକୁ ସୌଭାଗ୍ୟର ଚିହ୍ନ ବୋଲି ବିଚାର କରିବାର ପ୍ରବଣତା। ଏଭଳି ଅବାନ୍ତର ଆବେଗ ପ୍ରଣୋଦିତ ଭାବନା ହେତୁ ଅତୀତରେ ଅନେକ ଶ୍ରଦ୍ଧାଳୁ ପୁରୀ ରଥଯାତ୍ରା ସମୟରେ ରଥ ଚକ ତଳକୁ ଡେଇଁ ଆତ୍ମହତ୍ୟା କରୁଥିଲେ; ସେମାନଙ୍କ ଧ୍ୟେୟ ଥିଲା ମୋକ୍ଷ ଲାଭ। କିନ୍ତୁ ଏଭଳି ସାନ୍ତ୍ବନା ଧର୍ମ ସ୍ଥଳରେ ଘଟୁଥିବା ଦୁର୍ଘଟଣାକୁ ଏକ ପ୍ରକାର ଯଥାର୍ଥତା ପ୍ରଦାନ କରିଥାଏ ଏବଂ ତ୍ରୁଟି ସୁଧାରିବା ଲାଗି ହେଉଥିବା ଆଲୋଚନା ଓ ବିତର୍କ ଆଦିକୁ ସ୍ଫୃହାହୀନ କରି ପକାଏ। ହିନ୍ଦୁମାନଙ୍କ ବିଶ୍ବାସ ଅନୁସାରେ ଅମୃତ ସିଞ୍ଚିତ ଗଙ୍ଗା ବକ୍ଷରେ ସ୍ନାନ କରିବାକୁ କୋଟି କୋଟି ଶ୍ରଦ୍ଧାଳୁ କୁମ୍ଭ ମେଳାରେ ଏକତ୍ର ହୁଅନ୍ତି, ଯେଉଁମାନଙ୍କ ଲାଗି ଏକ ଦୁର୍ଘଟଣାମୁକ୍ତ କୁମ୍ଭ ହିଁ ହେବ ଅମୃତ କୁମ୍ଭ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe