ବିଷ ବ୍ୟବସାୟ

Advertisment

ଅସାଧୁ ଭାରତୀୟ ଔଷଧ କଂପାନିମାନେ ଅଫ୍ରିକାକୁ ନିଜର କୁକର୍ମର ନିଶାଣ କରିବା ଅନ୍ୟ ଏକ ଚିନ୍ତାଜନକ ତାତ୍ପର୍ଯ୍ୟ ବହନ କରିଥାଏ। ଯଦିବା ସାଂପ୍ରତିକ ପୃଥିବୀରେ ପୂର୍ବର ସେଇ ଜାତିବାଦୀ (ରେସିଷ୍ଟ୍) ଚିନ୍ତାଧାରାରେ ପରିବର୍ତ୍ତନ....

ଅସାଧୁ ଭାରତୀୟ ଔଷଧ କଂପାନିମାନେ ଅଫ୍ରିକାକୁ ନିଜର କୁକର୍ମର ନିଶାଣ କରିବା ଅନ୍ୟ ଏକ ଚିନ୍ତାଜନକ ତାତ୍ପର୍ଯ୍ୟ ବହନ କରିଥାଏ। ଯଦିବା ସାଂପ୍ରତିକ ପୃଥିବୀରେ ପୂର୍ବର ସେଇ ଜାତିବାଦୀ (ରେସିଷ୍ଟ୍) ଚିନ୍ତାଧାରାରେ ପରିବର୍ତ୍ତନ....

samp1

ଅସାଧୁ ଭାରତୀୟ ଔଷଧ କଂପାନିମାନେ ଅଫ୍ରିକାକୁ ନିଜର କୁକର୍ମର ନିଶାଣ କରିବା ଅନ୍ୟ ଏକ ଚିନ୍ତାଜନକ ତାତ୍ପର୍ଯ୍ୟ ବହନ କରିଥାଏ। ଯଦିବା ସାଂପ୍ରତିକ ପୃଥିବୀରେ ପୂର୍ବର ସେଇ ଜାତିବାଦୀ (ରେସିଷ୍ଟ୍) ଚିନ୍ତାଧାରାରେ ପରିବର୍ତ୍ତନ ଘଟାଇବା ଉଦ୍ୟମ ଜାରି ରହିଛି, ତଥାପି ଏବେ ମଧ୍ୟ ବାକୀ ବିଶ୍ବରେ ଆଫ୍ରିକାକୁ ଏକ ଅନ୍ଧାରି ମହାଦେଶ ରୂପେ ବିଚାର କରାଯାଇଥାଏ ଏବଂ ସେ ମହାଦେଶର କୃଷ୍ଣକାୟ ଅଧିବାସୀମାନଙ୍କୁ ଏକ ପ୍ରକାର ହୀନ-ମାନବ ରୂପେ ଦେଖାଯାଇଥାଏ। ଭାରତୀୟ ଔଷଧ କଂପାନିମାନଙ୍କର ଆଚରଣ ଆଫ୍ରିକା ପ୍ରତି ସେମାନଙ୍କର ଏଇଭଳି ଅାଭିମୁଖ୍ୟ ଦ୍ବାରା ପ୍ରଭାବିତ ହୋଇନାହିଁ ତ?

ପ୍ରଖ୍ୟାତ ବ୍ରିଟିସ ଔପନ୍ୟାସିକ-ଦାର୍ଶନିକ ଆଲ୍‌ଡସ୍ ହକ୍ସଲି ଭାରତୀୟ ଆଧ୍ୟାତ୍ମବାଦ ଦ୍ବାରା ପ୍ରଭାବିତ ହୋଇ ଯେଉଁ ଇନ୍ଦ୍ରିୟାତୀତ ଅନୁଭୂତି ସନ୍ଧାନରେ ବାହାରି ପଡ଼ିଥିଲେ, ସେଥିରେ ସହାୟକ ହେବା ପାଇଁ ସେ କେବଳ ଧ୍ୟାନକୁ ଏକ ମାଧ୍ୟମ ରୂପେ ବ୍ୟବହାର କରିଥିଲେ, ତାହା ନୁହେଁ; ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ସେ ଅନେକ ସମୟରେ ମେସ୍କାଲିନ୍ ନାମକ ଏକ ରାସାୟନିକ ପଦାର୍ଥ ମଧ୍ୟ ଗ୍ରହଣ କରୁଥିଲେ, ଯାହାର ଉଚ୍ଚାଙ୍ଗ ମତିଭ୍ରମକାରୀ ପ୍ରଭାବର ପ୍ରଶଂସାରେ ହକ୍ସଲି ଶତମୁଖ ହୋଇପଡ଼ିବା ଦେଖାଯାଉଥିଲା। ୧୯୫୪ରେ ପ୍ରକାଶିତ ତାଙ୍କର ପୁସ୍ତକ ‘ଦି ଡୋର୍‌ସ ଅଫ୍ ପର୍ସେପ୍‌ସନ୍’ (‘ଅନୁଭବର ଦ୍ବାର’)ରେ ହକ୍ସଲି ତାଙ୍କର ଏହି ଡ୍ରଗ୍-ଆଶ୍ରୟୀ ଆଧ୍ୟାତ୍ମିକ ଅନୁସନ୍ଧାନର ବିସ୍ତାରିତ ବର୍ଣ୍ଣନା କରିଛନ୍ତି।
କିନ୍ତୁ ବିପଦର କଥା ହେଲା ସବୁ ଗଞ୍ଜେଇ ସେବନକାରୀମାନେ ଯେଉଁଭଳି ମହାଦେବ ନୁହନ୍ତି, ସବୁ ଡ୍ରଗ୍‌ସ‌ ସେବନକାରୀମାନେ ସେଇଭଳି ହକ୍ସଲିଙ୍କ ଭଳି ଆଧ୍ୟାତ୍ମିକ ଆନନ୍ଦ-ସନ୍ଧାନୀ ଦାର୍ଶନିକ ନୁହନ୍ତି। ଡ୍ରଗ୍‌ସ ବ୍ୟବହାର କିପରି ମହାମାରୀର ରୂପ ନେଇ ସେବନକାରୀ ତଥା ସମଗ୍ର ସମାଜର ଭୟଙ୍କର କ୍ଷତି ସାଧନ କରିଥାଏ, ତାହା ଆମେରିକାରୁ ଅାଫ୍ରିକା ପର୍ଯ୍ୟନ୍ତରେ ବ୍ୟାପିଥିବା ‘ଓପିଅଏଡ୍’ ସଂକଟ ଦ୍ବାରା ପ୍ରମାଣିତ ହୋଇଥାଏ (ଭାରତରେ ପଞ୍ଜାବ ହେଉଛି ଏହାର ଆଉ ଏକ ଉଦାହରଣ)। ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଚୀନ ପ୍ରତି ଏକ କଠୋର ଆଭିମୁଖ୍ୟ ଗ୍ରହଣ କରି ତା’ ପ୍ରତି ଦଣ୍ଡମୂଳକ ‘ଟାରିଫ୍’ (ଆମଦାନି ଶୁଳ୍‌କ) ଲାଗୁ କରିବାର ଅନ୍ୟତମ କାରଣ ରୂପେ ଯାହା ଦର୍ଶାଇଛନ୍ତି, ତାହା ହେଲା ଆମେରିକାକୁ ଫେଣ୍ଟାନିଲ୍ ନାମକ ଏକ ‘ଓପିଅଏଡ୍’ ଉପାଦାନ ଚୋରାଚାଲାଣ କରିବାରେ ଚୀନ‌ର ଭୂମିକା। ଏହି ପରିପ୍ରେକ୍ଷୀରେ ଏବେ ‘ବିବିସି’ର ଏକ ଷ୍ଟିଙ୍ଗ୍ ଅପରେସନ୍ ମାଧ୍ୟମରେ ମହାରାଷ୍ଟ୍ରର ଏକ ଔଷଧ କଂପାନି ପଶ୍ଚିମ ଆଫ୍ରିକାର ନାଇଜେରିଆ ଓ ଘାନା ଆଦି ଦେଶମାନଙ୍କୁ ଚୋରାରେ ‘ଓପିଅଏଡ୍’ ନିଶା ଦ୍ରବ୍ୟ ଯୋଗାଉଥିବା ସମ୍ବନ୍ଧରେ ଯେଉଁ ଚାଞ୍ଚଲ୍ୟକର ଖବର ପ୍ରକାଶ ପାଇଛି, ତାହା ଆନ୍ତର୍ଜାତିକ ସମୁଦାୟ ସମ୍ମୁଖରେ ଭାରତକୁ ଲଜ୍ଜାଜନକ ଭାବରେ କାଠଗଡ଼ାରେ ଛିଡ଼ା କରାଇଛି।
ପ୍ରାୟ ଏକ ଦଶନ୍ଧିରୁ ଅଧିକ କାଳ ଧରି ପଶ୍ଚିମ ଆଫ୍ରିକା ସେଠାରେ ଜଙ୍ଗଲ ନିଅଁା ଭଳି ମାଡ଼ିଚାଲିଥିବା ‘ଓପିଅଏଡ୍’ ସେବନ ମହାମାରୀ ସହିତ ଲଢ଼େଇ କରିଚାଲିଛି। ଏହି ଲଢ଼େଇର ଅଂଶସ୍ବରୂପ ସେଠାରେ ବ୍ୟାପକ ଭାବରେ ନିଶା ଦ୍ରବ୍ୟ ରୂପେ ଦୁରୁପଯୋଗ ହେଉଥିବା ‘ଟ୍ରାମାଡଲ୍’ ନାମକ ଏକ ଯନ୍ତ୍ରଣା ଉପଶମକାରୀ ଔଷଧର ବ୍ୟବହାର ଓ ପ୍ରସାର ଉପରେ ନିୟନ୍ତ୍ରଣ ଲାଗୁ କରାଯିବା ପରେ ଏହାର ବିଭିନ୍ନ ବିକଳ୍ପ ‘ଓପିଅଏଡ୍’ମାନଙ୍କର ଚୋରା ପ୍ରସାରରେ ବିସ୍ଫୋରକ ବୃଦ୍ଧି ଘଟିବା ଦେଖାଯାଇଛି। ‘ଟ୍ରାମାଡଲ୍’ର ଏହିପରି ଏକ ବିକଳ୍ପ ହେଉଛି ‘ଟାପେଣ୍ଟାଡଲ୍’ ଓ ‘କାରିସୋପ୍ରୋଡଲ୍’ ମିଶ୍ରିତ ଏକ ଔଷଧୀୟ ପଦାର୍ଥ (ପ୍ରଥମଟି ଯନ୍ତ୍ରଣା ଉପଶମକାରୀ ହୋଇଥିବାବେଳେ ଦ୍ବିତୀୟଟି ହେଉଛି ମାଂସପେଶୀ ପାଇଁ ଆରାମପ୍ରଦ), ଯାହାର ବ୍ୟବହାର ଇଉରୋପରେ ସଂପୂର୍ଣ୍ଣ ନିଷିଦ୍ଧ। ମହାରାଷ୍ଟ୍ରସ୍ଥିତ ‘ଆଭିଓ ଫାର୍ମାସିଉଟିକାଲ୍‌ସ’ କଂପାନି କିନ୍ତୁ ବିନା ଲାଇସେନ୍‌ସରେ ଏହି ଉଭୟ ଉପାଦାନ ମିଶ୍ରିତ ବଟିକା ଉତ୍ପାଦନ କରି ତାହାକୁ ବିପୁଳ ପରିମାଣରେ ପଶ୍ଚିମ ଆଫ୍ରିକାର ଦେଶମାନଙ୍କୁ ଚାଲାଣ କରି ସେଠାରେ ଏକ ଜନସ୍ବାସ୍ଥ୍ୟ ସଂକଟ ସୃଷ୍ଟି କରିଛି।
ଉଲ୍ଲେଖ ନିଷ୍ପ୍ର‌ୟୋଜନ, ଭାରତୀୟ ଔଷଧ ନିର୍ମାତାମାନଙ୍କ ଦ୍ବାରା ଏଭଳି ନିଷିଦ୍ଧ ପଦାର୍ଥ ଉତ୍ପାଦନ ଓ ରପ୍ତାନି ଭାରତୀୟ ଔଷଧ ନିୟନ୍ତ୍ରଣ ବ୍ୟବସ୍ଥାର ଦକ୍ଷତା ଓ ଦାୟିତ୍ବବୋଧ ଉପରେ ଏକ ବିରାଟ ପ୍ରଶ୍ନବାଚୀ ଲଗାଇଛି। ବିଶେଷ କରି ଔଷଧ ଉତ୍ପାଦନ କ୍ଷେତ୍ରରେ ଭାରତ ହାସଲ କରିଥିବା ଚମକପ୍ରଦ ଅଗ୍ରଗତି ଯୋଗୁଁ ଭାରତ ସଗର୍ବରେ ନିଜକୁ ପୃଥିବୀର ଫାର୍ମାସି ରୂପେ ପ୍ରଦର୍ଶିତ କରୁଥିବାବେଳେ ଏହି କଳଙ୍କ ଭାରତ ପାଇଁ ବିଶେଷ ଭାବରେ ଅସ୍ବସ୍ତିକର ହୋଇଥାଏ। ‘ବିବିସି’ର ଷ୍ଟିଙ୍ଗ୍ ଅପରେସନ୍ ଭାରତର ଔଷଧପତ୍ର ରପ୍ତାନି ତଦାରଖ ଦାୟିତ୍ବ ନିର୍ବାହ କରୁଥିବା ‘ସେଣ୍ଟ୍ରାଲ୍ ଡ୍ରଗ୍‌ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍’ (‘ସିଡିଏସ୍‌ସିଓ’)ର ଅପାରଗତାକୁ ପଦାରେ ପକାଇଥାଏ। ବିଳମ୍ବରେ ନିଦରୁ ଉଠି ‘ମହାରାଷ୍ଟ୍ର ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ୍‌ମିନିଷ୍ଟ୍ରେସନ୍’ (‘ଏଫ୍‌ଡିଏ’) ଅଭିଯୁକ୍ତ ‘ଆଭିଓ ଫାର୍ମାସିଉଟିକାଲ୍‌ସ’ କଂପାନିର କାରଖାନା ଓ ଗୋଦାମ ଉପରେ ଚଢ଼ାଉ କରି ସେଠାରେ ମହଜୁଦ ଥିବା ଏହି ନିଷିଦ୍ଧ ଔଷଧର ଷ୍ଟକ୍‌କୁ ଜବତ କରିଛି ଓ ଏହାର ଉତ୍ପାଦନ ବନ୍ଦ କରାଇଛି।
ଆମର ଔଷଧ ନିୟନ୍ତ୍ରକମାନଙ୍କର ଅପାରଗତାର ଏହା କିନ୍ତୁ ଏକମାତ୍ର ପ୍ରମାଣ ନୁହେଁ। ଏଇମାତ୍ର ୨୦୨୨ରେ ହରିଆଣାସ୍ଥିତ ‘ମେଡେନ୍ ଫାର୍ମାସିଉଟିକାଲ୍‌ସ’ କଂପାନି ଦ୍ବାରା ପ୍ରସ୍ତୁତ ଓ ରପ୍ତାନି କରାଯାଇଥିବା କଫ୍‌ ସିରପ୍ ସେବନ କରି ଆଫ୍ରିକାର ଗାମ୍ବିଆରେ ୭୦ ଜଣ ଶିଶୁ ମୃତ୍ୟୁମୁଖରେ ପଡ଼ିବା ଯୋଗୁଁ ଯେଉଁ ବଦନାମ ସୃଷ୍ଟି ହୋଇଥିଲା, ଭାରତୀୟ ଔଷଧଶିଳ୍ପ ଏ ପର୍ଯ୍ୟନ୍ତ ସେ ବଦନାମରୁ ମୁକ୍ତିଲାଭ କରିନାହିଁ। ପରେ ଅନୁସନ୍ଧାନରୁ ଏହି କାଶ ଔଷଧରେ ଏଥିଲିନ୍ ଗ୍ଲାଇକଲ୍ ଓ ଡାଇଏଥିଲିନ୍ ଗ୍ଲାଇକଲ୍ ଭଳି ବିଷାକ୍ତ ରାସାୟନିକ ପଦାର୍ଥମାନ ଅପମିଶ୍ରିତ ହୋଇଥିବା ଜଣାପଡ଼ିଥିଲା।
‘ଆଭିଓ ଫାର୍ମାସିଉଟିକାଲ୍‌ସ’ର ଦୁଷ୍କର୍ମ ଏବେ ଲୋକଲୋଚନକୁ ଆସିବା ପରେ ଭାରତରେ ଔଷଧ ନିୟନ୍ତ୍ରଣ ବ୍ୟବସ୍ଥାର ସଂସ୍କାର ଯେ ଜରୁରି ହୋଇପଡ଼ିଛି, ସେ ନେଇ ଆଉ ସନ୍ଦେହର କୌଣସି ଅବକାଶ ନାହିଁ। ଏଥିପାଇଁ ‘ସିଡିଏସ୍‌ସିଓ’ ଏବଂ ‘ଏଫ୍‌ଡିଏ’ ଭଳି ନିୟନ୍ତ୍ରକ ସଂସ୍ଥାମାନଙ୍କର କାର୍ଯ୍ୟକ୍ଷମତାରେ ଉନ୍ନତି ହାସଲ ନିମିତ୍ତ ଆବଶ୍ୟକ ପଦକ୍ଷେପ ନିଆଯିବା ଆବଶ୍ୟକ (ଲୋକଶକ୍ତିରୁ ପ୍ରବିଧି ପର୍ଯ୍ୟନ୍ତରେ)। ଉତ୍ପାଦନ ଓ ରପ୍ତାନି ଉପରେ ନିୟମିତ ଦୃଷ୍ଟି ରଖିବା, ନିୟମିତ ଅଡିଟ୍ କରିବା ଓ ସମଗ୍ର ବ୍ୟବସ୍ଥାରେ ସ୍ବଚ୍ଛତା ଅବଲମ୍ବନ କରିବା ଦ୍ବାରା ଏଭଳି ଦୁଷ୍କର୍ମ ଘଟିବାର ବାଟ ବନ୍ଦ କରି ଦିଆଯାଇ ପାରିବ। ତେବେ ଅସାଧୁ କଂପାନିମାନେ ଯେ ବୃହତ୍ ଲାଭର ପ୍ରଲୋଭନରେ ଦୁଷ୍କର୍ମର ନୂତନ ବାଟ ବାହାର ନ କରିବେ, ଏମିତି ନୁହେଁ। ସେମାନଙ୍କୁ ଏଥିରୁ ନିବୃତ୍ତ କରିବା ପାଇଁ ଲୋଡ଼ା କଠିନ ଦଣ୍ଡ ବ୍ୟବସ୍ଥା। ଅର୍ଥଦଣ୍ଡ, ‌ଲାଇସେନ୍‌ସ ପ୍ରତ୍ୟାହାର, ଆପରାଧିକ କାର୍ଯ୍ୟାନୁଷ୍ଠାନ ଆଦି ଦ୍ବାରା ସେମାନଙ୍କୁ ଏଭଳି କୌଣସି ଅନୈତିକ କିମ୍ବା ଆଇନ ଉଲ୍ଲଂଘନକାରୀ କାର୍ଯ୍ୟରୁ ନିବୃତ୍ତ କରାଯାଇ ପାରିବ। ଆନ୍ତର୍ଜାତିକ ନିୟନ୍ତ୍ରକ ସଂସ୍ଥାମାନଙ୍କ ସହିତ ସହଯୋଗ ପ୍ରତିଷ୍ଠା ଭାରତୀୟ ନିୟନ୍ତ୍ରକମାନଙ୍କୁ ଅଧିକ ଫଳପ୍ରଦ ଭାବରେ କାର୍ଯ୍ୟ କରିବାରେ ସହାୟକ ହେବ।
ଉପରେ ଉଲ୍ଲେଖ କରାଯାଇଥିବା ଉଭୟ ଉଦାହରଣରେ ଅସାଧୁ ଭାରତୀୟ ଔଷଧ କଂପାନିମାନେ ଅଫ୍ରିକାକୁ ନିଜର କୁକର୍ମର ନିଶାଣ କରିବା ଅନ୍ୟ ଏକ ଚିନ୍ତାଜନକ ତାତ୍ପର୍ଯ୍ୟ ବହନ କରିଥାଏ। ଯଦିବା ସାଂପ୍ରତିକ ପୃଥିବୀରେ ପୂର୍ବର ସେଇ ଜାତିବାଦୀ (ରେସିଷ୍ଟ୍) ଚିନ୍ତାଧାରାରେ ପରିବର୍ତ୍ତନ ଘଟାଇବା ଉଦ୍ୟମ ଜାରି ରହିଛି, ତଥାପି ଏବେ ମଧ୍ୟ ବାକୀ ବିଶ୍ବରେ ଆଫ୍ରିକାକୁ ଏକ ଅନ୍ଧାରି ମହାଦେଶ ରୂପେ ବିଚାର କରାଯାଇଥାଏ ଏବଂ ସେ ମହାଦେଶର କୃଷ୍ଣକାୟ ଅଧିବାସୀମାନଙ୍କୁ ଏକ ପ୍ରକାର ହୀନ-ମାନବ ରୂପେ ଦେଖାଯାଇଥାଏ। ଭାରତୀୟ ଔଷଧ କଂପାନିମାନଙ୍କର ଆଚରଣ ଆଫ୍ରିକା ପ୍ରତି ସେମାନଙ୍କର ଏଇଭଳି ଅାଭିମୁଖ୍ୟ ଦ୍ବାରା ପ୍ରଭାବିତ ହୋଇନାହିଁ ତ? ଭାରତ ଏବେ ଏକ ବିକଶିତ ଦେଶରେ ପରିଣତ ହେବାକୁ ଚେଷ୍ଟା ଚଳାଇଥିଲେ ହେଁ, ବର୍ତ୍ତମାନ ଅାଫ୍ରିକୀୟ ଦେଶମାନଙ୍କ ପରି ଭାରତ ମଧ୍ୟ ହେଉଛି ବିକାଶଶୀଳ ଦକ୍ଷିଣ-ବିଶ୍ବର ଏକ ଅଂଶ। କେବଳ ସେତିକି ନୁହେଁ, ଭାରତ ନିଜକୁ ପୃଥିବୀର ସମସ୍ତ ବିକାଶଶୀଳ ଦେଶମାନଙ୍କର ନେତା ରୂପେ ପ୍ରଦର୍ଶିତ କରିବା ପାଇଁ ଚୀନ ସହିତ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଚଳାଇଛି। ଆଫ୍ରିକାକୁ ବିଷାକ୍ତ କଫ୍‌ ସିରପ୍ ରପ୍ତାନି କରିବା କିମ୍ବା ସେଠାରେ ଏକ ‘ଓପିଅଏଡ୍’ ସଂକଟ ସୃଷ୍ଟି କରିବା ଭାରତ ପାଇଁ ଏହି ଲକ୍ଷ୍ୟ ସାଧନରେ ସହାୟକ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe