ଗୃହଦାହ

Advertisment

ଯଦି କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ କିମ୍ବା ଅନୁସନ୍ଧାନର ଫଳସ୍ବରୂପ ଏଭଳି ଏକ ଅସ୍ବାଭାବିକ ଘଟଣା ଆବିଷ୍କୃତ ହୋଇଥାନ୍ତା, ତା’ହେଲେ ଏହାର କୁପ୍ରଭାବ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସୀମିତ ରହନ୍ତା। ଅତୀତରେ ଜଷ୍ଟିସ୍ ସୌମିତ୍ର ସେନ୍‌ଙ୍କ ଠାରୁ ଜଷ୍ଟିସ୍ ପି ଡି ଦିନାକରନ୍....

ଯଦି କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ କିମ୍ବା ଅନୁସନ୍ଧାନର ଫଳସ୍ବରୂପ ଏଭଳି ଏକ ଅସ୍ବାଭାବିକ ଘଟଣା ଆବିଷ୍କୃତ ହୋଇଥାନ୍ତା, ତା’ହେଲେ ଏହାର କୁପ୍ରଭାବ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସୀମିତ ରହନ୍ତା। ଅତୀତରେ ଜଷ୍ଟିସ୍ ସୌମିତ୍ର ସେନ୍‌ଙ୍କ ଠାରୁ ଜଷ୍ଟିସ୍ ପି ଡି ଦିନାକରନ୍....

samp1

ଯଦି କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ କିମ୍ବା ଅନୁସନ୍ଧାନର ଫଳସ୍ବରୂପ ଏଭଳି ଏକ ଅସ୍ବାଭାବିକ ଘଟଣା ଆବିଷ୍କୃତ ହୋଇଥାନ୍ତା, ତା’ହେଲେ ଏହାର କୁପ୍ରଭାବ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସୀମିତ ରହନ୍ତା। ଅତୀତରେ ଜଷ୍ଟିସ୍ ସୌମିତ୍ର ସେନ୍‌ଙ୍କ ଠାରୁ ଜଷ୍ଟିସ୍ ପି ଡି ଦିନାକରନ୍ ପର୍ଯ୍ୟନ୍ତଙ୍କ ବିରୁଦ୍ଧରେ ଆଗତ ଦୁର୍ନୀତି ଅଭିଯୋଗ ଓ ଅବଶେଷରେ ସେମାନଙ୍କର ଇସ୍ତଫା ଘଟଣାରେ ତାହା ହିଁ ହୋଇଥିଲା। ଦିଲ୍ଲୀ ଘଟଣାର ଅଚାନକ ଓ ଯାଦୃଚ୍ଛିକ ଚରିତ୍ର କିନ୍ତୁ ଏହି ବିକୃତିର ବିସ୍ତାର ସମ୍ବନ୍ଧରେ ଏକ ବ୍ୟାପକ ସନ୍ଦେହ ସୃଷ୍ଟି କରିବା ଅନିବାର୍ଯ୍ୟ: ଅନ୍ୟ କେଉଁଠି ଏପରି ଅଗ୍ନିକାଣ୍ଡ ମଧ୍ୟ ଏଇଭଳି ପରିଣତି ସୃଷ୍ଟି କରନ୍ତା ନାହିଁ ତ?

ବିଗତ ୭୫ ବର୍ଷ ମଧ୍ୟରେ ସ୍ବାଧୀନ ଭାରତ ନିଜକୁ କେବଳ ପୃଥିବୀର ବୃହତ୍ତମ ନୁହେଁ, ସଫଳତମ ଗଣତନ୍ତ୍ରମାନଙ୍କ ମଧ୍ୟରୁ ଅନ୍ୟତମ ରୂପେ ସୁପ୍ରତିଷ୍ଠିତ କରିପାରିଛି। ଏହା ସମ୍ଭବ ହେବା ପାଇଁ ଦେଶର ଯେଉଁ କେତେକ ଅନୁଷ୍ଠାନମାନଙ୍କର ଅବଦାନ ହେଉଛି ଉଲ୍ଲେଖନୀୟ, ସେମାନଙ୍କ ମଧ୍ୟରେ ଅଗ୍ରଣୀ ହେଉଛି ଭାରତୀୟ ନ୍ୟାୟପାଳିକା। ଏହାର ବିଭିନ୍ନ ଦୋଷ ଦୁର୍ବଳତା ସ‌େତ୍ତ୍ବ ଭାରତୀୟ ନ୍ୟାୟପାଳିକାର ଦକ୍ଷତା ଓ ନିରପେକ୍ଷତା ଆନ୍ତର୍ଜାତିକ ସ୍ତରରେ ସ୍ବୀକୃତି ଓ ପ୍ରଶଂସା ଲାଭ କରି ଆସିଛି।
ଏହି ପୃଷ୍ଠଭୂମିରେ ତେଣୁ ଏବେ ଦିଲ୍ଲୀ ହାଇକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କର ବାସଭବନରେ ଅକସ୍ମାତ ନିଅଁା ଲାଗିଯିବା ପରେ ସେଠାରେ ଏକ କୋଠରିରେ ମହଜୁଦ ଥିବା ବିପୁଳ ପରିମାଣର ନଗଦ ନୋଟ୍ (କେତେକ ଅସମର୍ଥିତ ରିପୋର୍ଟ ଅନୁସାରେ ଅନ୍ୟୂନ ୧୫ କୋଟି ଟଙ୍କା ମୂଲ୍ୟର) ଆବିଷ୍କୃତ ହେବା ସଂପର୍କିତ ଯେଉଁ ଘଟଣା ଦେଶବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଛି, ତାହାର ସୁଦୂରପ୍ରସାରୀ ତାତ୍ପର୍ଯ୍ୟ ଯେ କେବଳ ସେଇ ଘଟଣାରେ ସଂପୃକ୍ତ ଥିବା ଚରିତ୍ରମାନଙ୍କ ଉପରେ ତାହାର ସମ୍ଭାବ୍ୟ ପ୍ରଭାବ ମଧ୍ୟରେ ସୀମିତ ନୁହେଁ, ଏହା ପ୍ରତ୍ୟେକ ଚିନ୍ତାଶୀଳ ନାଗରିକକୁ ଚିନ୍ତାଗ୍ରସ୍ତ କରିଦେଇଛି। ସତେ ଯେମିତି ଏହି ଅଗ୍ନିକାଣ୍ଡରେ ଆମ ନ୍ୟାୟପାଳିକାର ସଯତ୍ନ ନିର୍ମିତ ମର୍ଯ୍ୟାଦାର ଗୃହ ଦଗ୍ଧୀଭୂତ ହୋଇଯାଇଛି। ଏହାର ମର୍ମ ହୃଦୟଙ୍ଗମ କରିବାରେ ବାଇବଲ୍‌ରେ ବର୍ଣ୍ଣିତ ଏକ ସୁପରିଚିତ କାହାଣୀ ଆମ ପାଇଁ ବିଶେଷ ସହାୟକ ହୋଇଥାଏ।
ଏଇ କାହାଣୀ ଅନୁସାରେ ଦିନେ ସକାଳେ ‌ଯୀଶୁ ଅଲିଭ୍ ପାହାଡ଼ (‘ମାଉଣ୍ଟ ଅଫ୍ ଅଲିଭ୍‌ସ’)ରୁ ତଳକୁ ଓହ୍ଲାଇ ପବିତ୍ର ଜେରୁଜେଲମ୍‌ସ୍ଥିତ ଉପାସନା ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ହେଲେ। ସେଠାରେ ସେ ଏକତ୍ରିତ ହୋଇଥିବା ତାଙ୍କର ଅନୁଗାମୀମାନଙ୍କୁ ପ୍ରବଚନ ପ୍ରଦାନ କରିବାକୁ ଆରମ୍ଭ କଲେ। ହଠାତ୍ ଏହି ଭିଡ଼ ଭେଦ କରି ସେଠାରେ ଧସେଇ ପଶିଲେ କେତେକ ‘ଫାରିସି’ ନାମକ ଇହୁଦୀ ସଂପ୍ରଦାୟର ଅତ୍ୟନ୍ତ ରକ୍ଷଣଶୀଳ ସଦସ୍ୟ ଓ ଧର୍ମୀୟ ଲିଖନକାରମାନେ। ସେମାନେ ସେମାନଙ୍କ ସାଙ୍ଗରେ ଜଣେ ବନ୍ଦିନୀ ନାରୀଙ୍କୁ ଘୋଷାରି ଘୋଷାରି ଯୀଶୁଙ୍କ ସମ୍ମୁଖରେ ଆଣି ଛିଡ଼ା କରାଇଦେଲେ। ସତେ ଯେମିତି ଏହି ଯୁବ ପ୍ରବଚକ ଯୀଶୁ ହେଉଛନ୍ତି ଜଣେ ବିଚାରପତି, ଯିଏ ତାଙ୍କର ଅନୁଗାମୀମାନଙ୍କୁ ପାରମ୍ପରିକ ଧର୍ମାଚରଣରୁ ବିଚ୍ୟୁତ କରିବା ପାଇଁ ଚେଷ୍ଟା କରୁଛନ୍ତି।
ସେମାନେ ବିଦ୍ରୂପଭରା ସ୍ବରରେ ଯୀଶୁଙ୍କୁ କହିଲେ ଯେ ସେ ବନ୍ଦିନୀ ଜଣକ ପରକୀୟା ପ୍ରୀତିରେ ଲିପ୍ତ ଥିବା ଅବସ୍ଥାରେ ଧରାପଡ଼ିଛନ୍ତି ଏବଂ ପାରମ୍ପରିକ ମୋଜେସ୍‌ପ୍ରଦତ୍ତ ଧର୍ମୀୟ ନିୟମ ଅନୁଯାୟୀ ଏଭଳି ଅପରାଧ ପାଇଁ ସେଇ ଦୋଚାରୁଣୀଙ୍କ ଉପରେ ଟେକାମାଡ଼ କରାଯିବା କଥା। ଯେହେତୁ ଯୀଶୁ ଏକ ନୂତନ ଧର୍ମାଚରଣ ବିଧିର ପ୍ରଚାର କରୁଛନ୍ତି, ଏହି ଅପରାଧ ପାଇଁ ସେ କିଭଳି ଦଣ୍ଡ ସୁପାରିସ କରିବେ? ପ୍ରେମ, ଦୟା, କ୍ଷମାର ପ୍ରସାର କରୁଥିବା ଯୀଶୁଙ୍କୁ ଅଡୁଆରେ ପକାଇବା ପାଇଁ ହିଁ ସେମାନେ ତାଙ୍କୁ ଏହି ପ୍ରଶ୍ନ ପଚାରିଥିଲେ। ସେ ଅପରାଧିନୀଙ୍କ ଉପରେ ଟେକାମାଡ଼ କରାଯିବ ନା ନାହିଁ? ଯେହେତୁ ପ୍ରଚଳିତ ଧର୍ମୀୟ ବ୍ୟବସ୍ଥାରେ ପରକୀୟା ପ୍ରୀତି ଏକ ଅକ୍ଷମଣୀୟ ଅପରାଧ ରୂପେ ବିବେଚିତ ହେଉଥିଲା, ଏହି ଅଭିଯୋଗକାରୀମାନେ ଦୃଢ଼ନିଶ୍ଚିତ ଥିଲେ ଯେ ଏହା ସେଇ ଯୁବ ଧର୍ମପ୍ରଚାରକ ଯୀଶୁଙ୍କୁ ଏପରି ଏକ ସଂକଟରେ ପକାଇଦେବ, ଯେଉଁଥିରୁ ସେ ମୁକୁଳି ପାରିବେ ନାହିଁ ଏବଂ ଫଳରେ ସେ ପ୍ରଚାର କରୁଥିବା ସେଇ ନୂତନ ଧର୍ମ ଭ୍ରମାତ୍ମକ ଓ ମିଥ୍ୟା ସାବ୍ୟସ୍ତ ହେବ। ସଂକଟଟି ହେଲା: ଅପରାଧଟି ଅକ୍ଷମଣୀୟ ହୋଇଥିବାରୁ ମୋଜେସ୍‌ଙ୍କ ନିୟମ ଅନୁସାରେ ଅପରାଧିନୀଙ୍କ ଉପରେ ଟେକାମାଡ଼ ପାଇଁ ଯୀଶୁ ସହମତ ହେବା ବ୍ୟତୀତ ତାଙ୍କର ଅନ୍ୟ ଉପାୟ ନାହିଁ‌; କିନ୍ତୁ ଏଥିରେ ସହମତ ହେବା ଦ୍ବାରା ଯୀଶୁ ନିଜେ ପ୍ରଚାର କରୁଥିବା ଦୟା, କ୍ଷମା, ପ୍ରେମର ଧର୍ମର ବିରୋଧାଚରଣ କରିବେ, ଯାହାଦ୍ବାରା ସେଇ ନୂତନ ଧର୍ମର ଅନ୍ତ ଘଟିବ।
ଯୀଶୁ ପ୍ରଥମେ ଏ ପ୍ରଶ୍ନର କୌଣସି ଉତ୍ତର ନ ଦେଇ ଚୁପ୍ ହୋଇ ନଇଁପଡ଼ି ନିଜର ଆଙ୍ଗୁଳି ସାହାଯ୍ୟରେ ବାଲିରେ କିଛି ଲେଖିଦେଲେ, ଯାହାର ବିଷୟବସ୍ତୁ ସମ୍ବନ୍ଧରେ ବାଇବଲ୍‌ରେ କିଛିହେଲେ ଉଲ୍ଲେଖ ନାହିଁ। ପ୍ରଶ୍ନକର୍ତ୍ତମାନେ କିନ୍ତୁ ନଛୋଡ଼ବନ୍ଦା ଭାବରେ ଯୀଶୁଙ୍କ ମୁହଁରୁ ଏକ ସ୍ପଷ୍ଟ ଉତ୍ତର ଶୁଣିବା ପାଇଁ ତାଙ୍କ ଉପରେ ଚାପ ପକାଇବାରେ ଲାଗିଲେ। ଯୀଶୁ ଏଥର ମୁହଁ ଖୋଲିଲେ: ‘‘ତୁମମାନଙ୍କ ମଧ୍ୟରେ ଯିଏ ହେଉଛି ସଂପୂର୍ଣ୍ଣ ରୂପେ ନିଷ୍ପାପ, ସେ ହିଁ ପ୍ରଥମ ଟେକାଟି ଫିଙ୍ଗୁ।’’ ଏହାପରେ ଅଭିଯୋଗକାରୀମାନେ ଜଣକ ପରେ ଜଣେ ସମସ୍ତେ ସେ ସ୍ଥାନ ତ୍ୟାଗ କରି ପଳାୟନ କଲେ; କେବଳ ସେ ଅଭିଯୁକ୍ତା ଜଣକ ସେଠାରେ ଯୀଶୁଙ୍କ ସମ୍ମୁଖରେ ଛିଡ଼ା ହୋଇରହିଲେ, ଯାହାଙ୍କୁ ସେ ଦୋଷୀ ରୂପେ ଦେଖୁନାହାନ୍ତି ବୋଲି ଯୀଶୁ ଆଶ୍ବାସନା ଦେଲେ।
ଏଥର ସେଇ ଅଭିଯୁକ୍ତାଙ୍କ ସ୍ଥାନରେ ଛିଡ଼ା କରିଦିଆଯାଉ ସେଇମାନଙ୍କୁ, ଯେଉଁମାନଙ୍କ ଘରୁ ଆମ ଦେଶରେ ଇଡି/ଇନ୍‌କମ୍‌ଟ୍ୟାକ୍ସ/ସିବିଆଇ ଆଦି ଅନୁସନ୍ଧାନକାରୀ ସଂସ୍ଥାମାନେ ନିୟମିତ ଭାବରେ ବସ୍ତା ବସ୍ତା ନଗଦ ନୋଟ୍‌ମାନ ଜବତ କରିବା ଖବର ପ୍ରକାଶ ପାଇବାରେ ଲାଗିଛି- କଲିକତାରେ ଜଣେ ତୃଣମୂଳ କଂଗ୍ରେସ ସରକାରର ମନ୍ତ୍ରୀଙ୍କ ବାନ୍ଧବୀଙ୍କ ଘରୁ ୫୦ କୋଟି ଟଙ୍କାରୁ ଝାଡ଼ଖଣ୍ଡର ଜଣେ କଂଗ୍ରେସ ସାଂସଦଙ୍କ ବାସଭବନ ଓ ବ୍ୟବସାୟ ପ୍ରତିଷ୍ଠାନମାନଙ୍କରୁ ୩୫୦ କୋଟି ଟଙ୍କା ପର୍ଯ୍ୟନ୍ତ। ଏବଂ ଅଭିଯୋଗକାରୀ ‘ଫାରିସି’ମାନଙ୍କ ସ୍ଥାନରେ ଛିଡ଼ା କରିଦିଆଯାଉ ଜଣେ ବିଚାରପତିଙ୍କୁ ଯାହାଙ୍କର ବାସଗୃହରୁ ଅଗ୍ନିକାଣ୍ଡ ଯୋଗୁଁ ବସ୍ତା ବସ୍ତା ନୋଟ୍ ଆବିଷ୍କୃତ ହେବା ସମ୍ବାଦ ଦେଶସାରା ବ୍ୟାପି ଯାଇଛି। ଏହି ଆବିଷ୍କାର ପଛରେ ଥିବା ପ୍ରକୃତ ସତ୍ୟ ବିଧିବଦ୍ଧ ଅନୁସନ୍ଧାନ ପରେ ସାବ୍ୟସ୍ତ ହେବ। କିନ୍ତୁ ଜନମାନସରେ ଏହି ଘଟଣା ଯେଉଁ ଧାରଣା ସୃଷ୍ଟି କରିଛି, ତାହା ଅନୁସାରେ ଏଭଳି ବିଚାରପତି ଯୀଶୁଙ୍କ ସାମ୍ନାରେ ଅଭିଯୋଗକାରୀ ‘ଫାରିସି’ମାନଙ୍କ ପରି ନିଜର ନୈତିକ ଦୁର୍ବଳତା ଯୋଗୁଁ ଏକ କ୍ଷମାଶୀଳ ଆଭିମୁଖ୍ୟ ଗ୍ରହଣ କରି ଅଭିଯୁକ୍ତମାନଙ୍କୁ ଛାଡ଼ିଦେବାର ଦୃଢ଼ ସମ୍ଭାବନା ରହିଛି। ଅନ୍ୟ ଭାବରେ କହିଲେ, ଅଭିଯୁକ୍ତମାନଙ୍କର ବିଚାର କରିବା ପାଇଁ ଏଭଳି ବିଚାରପତିଙ୍କର ନୈତିକ ଅଧିକାର ନ ଥାଏ।
ଏହି ଘଟଣାର ଯେଉଁ ଏକ ନିର୍ଦ୍ଦିଷ୍ଟ ଦିଗ ଦେଶବାସୀଙ୍କୁ ବିଶେଷ ଭାବରେ ବିବ୍ରତ କରୁଛି, ତାହା ହେଲା ଏହି ଆବିଷ୍କାରର ଅଚାନକ ଚରିତ୍ର। ଯଦି କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ କିମ୍ବା ଅନୁସନ୍ଧାନର ଫଳସ୍ବରୂପ ଏଭଳି ଏକ ଅସ୍ବାଭାବିକ ଘଟଣା ଆବିଷ୍କୃତ ହୋଇଥାନ୍ତା, ତା’ହେଲେ ଏହାର କୁପ୍ରଭାବ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସୀମିତ ରହନ୍ତା। ଅତୀତରେ ଜଷ୍ଟିସ୍ ସୌମିତ୍ର ସେନ୍‌ଙ୍କ ଠାରୁ ଜଷ୍ଟିସ୍ ପି ଡି ଦିନାକରନ୍ ପର୍ଯ୍ୟନ୍ତଙ୍କ ବିରୁଦ୍ଧରେ ଆଗତ ଦୁର୍ନୀତି ଅଭିଯୋଗ ଓ ଅବଶେଷରେ ସେମାନଙ୍କର ଇସ୍ତଫା ଘଟଣାରେ ତାହା ହିଁ ହୋଇଥିଲା। ଦିଲ୍ଲୀ ଘଟଣାର ଅଚାନକ ଓ ଯାଦୃଚ୍ଛିକ ଚରିତ୍ର କିନ୍ତୁ ଏହି ବିକୃତିର ବିସ୍ତାର ସମ୍ବନ୍ଧରେ ଏକ ବ୍ୟାପକ ସନ୍ଦେହ ସୃଷ୍ଟି କରିବା ଅନିବାର୍ଯ୍ୟ: ଅନ୍ୟ କେଉଁଠି ଏପରି ଅଗ୍ନିକାଣ୍ଡ ମଧ୍ୟ ଏଇଭଳି ପରିଣତି ସୃଷ୍ଟି କରନ୍ତା ନାହିଁ ତ?
ଦିଲ୍ଲୀର ଏହି ଘଟଣା ପୁଣିଥରେ ଆମ ଦେଶରେ ନ୍ୟାୟପାଳିକାର ଉଚ୍ଚ ସ୍ତର‌େର ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାରର ଜରୁରି ଆବଶ୍ୟକତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି, ଯେଉଁଥିରେ ଯୋଗ୍ୟତା ଅପେକ୍ଷା ପାରିବାରିକ ଉତ୍ତରାଧିକାରର ଛାପ ଅଧିକ ସୁସ୍ପଷ୍ଟ। ଭାରତୀୟ ନ୍ୟାୟ ବ୍ୟବସ୍ଥା ତା’ର କାଳକ୍ଷେପଣକାରୀ ଚରିତ୍ର ଓ ବ୍ୟୟବହୁଳତା ପାଇଁ କୁଖ୍ୟାତ। ଏଥିସହିତ ଯଦି ଦୁର୍ନୀତି ମିଶିଯାଏ, ତେବେ ଏହା ପ୍ରାଚୀନ ଚୀନ୍‌ର ସେଇ ନ୍ୟାୟ ବ୍ୟବସ୍ଥା ପରି ହୋଇଯିବ, ଯାହା ବିଷୟରେ ମହାନ ଦାର୍ଶନିକ ବର୍ଟ୍ରାଣ୍ଡ୍ ରସେଲ୍ ତାଙ୍କର ଏକ ପୁସ୍ତକରେ ମସିଏଁ ହୁକ୍ ନାମକ ଜନୈକ ଜେସୁଇଟ୍ ମିସନାରିଙ୍କୁ ଉଦ୍ଧାର କରି ବର୍ଣ୍ଣନା କରିଥିଲେ। ମିସନାରି ଜଣକ ତାଙ୍କର ଚୀନ୍ ଭ୍ରମଣ ବେଳେ ଜାଣିବାକୁ ପାଇଥିଲେ ଯେ ଚୀନ୍‌ର ତତ୍‌କାଳୀନ ସମ୍ରାଟ ତାଙ୍କର ମାଲିମକଦ୍ଦମାଖୋର୍ ପ୍ରଜାମାନଙ୍କୁ ଏଥିରୁ ନିବୃତ୍ତ କରି ଅଦାଲତରେ ମକଦ୍ଦମା ସଂଖ୍ୟାରେ ହ୍ରାସ ଘଟାଇବା ଉଦ୍ଦେଶ୍ୟରେ ସେ ଦେଶର ନ୍ୟାୟ ବ୍ୟବସ୍ଥାକୁ ଯେତେ ଦୂର ସମ୍ଭବ କାଳକ୍ଷେପଣକାରୀ, ବ୍ୟୟବହୁଳ ଓ ଦୁର୍ନୀତିଗ୍ରସ୍ତ କରିବାକୁ ପଦକ୍ଷେପ ନେବା ପାଇଁ ବିଚାରପତିମାନଙ୍କୁ ନ‌ିର୍ଦ୍ଦେଶ ଦେଇଥିଲେ। କହିବା ବାହୁଲ୍ୟ, ଗଣତାନ୍ତ୍ରିକ ଭାରତରେ ଏଭଳି ଏକ ସମାଧାନ ଗ୍ରହଣୀୟ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe