ତିନିଟି ସନ୍ଦେଶ

Advertisment

ଏଥର କେରଳର ୱାଏନାଡ଼ ଆସନ ଲାଗି ହୋଇଥିବା ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀଙ୍କ ବିଜୟ ନିର୍ବାଚନୀ ଦୁର୍ଦଶା ସତ୍ତ୍ବେ ସେ ଦଳରେ ଉଲ୍ଲାସ ସୃଷ୍ଟି କରିଛି। ଭାରତର ସର୍ବପୁରାତନ ଏହି ଜାତୀୟ ଦଳଟି କ୍ରମେ ଅଧୋଗାମୀ ହୋଇ ଚାଲିଥିବା ବେଳେ ସେହି ଗୋଟିଏ ପରିବାରର...

ଏଥର କେରଳର ୱାଏନାଡ଼ ଆସନ ଲାଗି ହୋଇଥିବା ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀଙ୍କ ବିଜୟ ନିର୍ବାଚନୀ ଦୁର୍ଦଶା ସତ୍ତ୍ବେ ସେ ଦଳରେ ଉଲ୍ଲାସ ସୃଷ୍ଟି କରିଛି। ଭାରତର ସର୍ବପୁରାତନ ଏହି ଜାତୀୟ ଦଳଟି କ୍ରମେ ଅଧୋଗାମୀ ହୋଇ ଚାଲିଥିବା ବେଳେ ସେହି ଗୋଟିଏ ପରିବାରର...

samp1

ଏଥର କେରଳର ୱାଏନାଡ଼ ଆସନ ଲାଗି ହୋଇଥିବା ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀଙ୍କ ବିଜୟ ନିର୍ବାଚନୀ ଦୁର୍ଦଶା ସତ୍ତ୍ବେ ସେ ଦଳରେ ଉଲ୍ଲାସ ସୃଷ୍ଟି କରିଛି। ଭାରତର ସର୍ବପୁରାତନ ଏହି ଜାତୀୟ ଦଳଟି କ୍ରମେ ଅଧୋଗାମୀ ହୋଇ ଚାଲିଥିବା ବେଳେ ସେହି ଗୋଟିଏ ପରିବାରର ତିନି ଜଣ ଯାକ ସଦସ୍ୟ ସଂସଦରେ ବିରାଜମାନ କରିବା ଏହା ସୂଚା‌ଇ ‌େଦଉଛି ଯେ ଗାନ୍ଧୀ ପରିବାରର ପ୍ରଭାବରୁ ମୁକ୍ତ କଂଗ୍ରେସଟିଏ ଦୃଶ୍ୟମାନ ହେବାର ସମ୍ଭାବନା ବସ୍ତୁତଃ ଅତି କ୍ଷୀଣ। କଂଗ୍ରେସର ଭବିଷ୍ୟତ୍‌ ଲାଗି ଏହା ଏକ ସୁଖବର ହୋଇ ନ ପାରେ।

ଗଲା ଶନିବାର ଦିନ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର ବିଧାନସଭା ଫଳାଫଳ ପ୍ରକାଶିତ ହୋଇଯାଇଛି। ଅନେକ ସମୀକ୍ଷକ କହିଥାନ୍ତି ଯେ ଏଥିରେ ଭାରତୀୟ ନିର୍ବାଚନ ରାଜନୀତିର ଇତିହାସରେ କେତେକ ମୋଡ଼ ପରିବର୍ତ୍ତନକାରୀ ସମ୍ଭାବନାର ଇଙ୍ଗିତ ମିଳିଥାଏ, ଯେଉଁ ସଂଦର୍ଭରେ ଏକ ଆଲୋଚନା ଲାଗି ଅବକାଶ ସୃଷ୍ଟି ହୋଇଥାଏ। ଗୋଟିଏ ପାର୍ଶ୍ବରେ ଭାରତୀୟ ଆର୍ଥିକ ପ୍ରଗତିର ଇଂଜିନ୍‌ ରୂପେ ପରିଚିତ ମହାରାଷ୍ଟ୍ର ଏବଂ ଅନ୍ୟ ପାର୍ଶ୍ବରେ ଝାଡ଼ଖଣ୍ଡ ଭଳି ଏକ କ୍ଷୁଦ୍ର ଦରିଦ୍ର ଓ ଆଦିବାସୀବହୁଳ ରାଜ୍ୟ, ଯାହା ବିଭିନ୍ନ ମାନବୀୟ ସୂଚକାଙ୍କରେ ପ୍ରାୟତଃ ନିମ୍ନତର ସୋପାନରେ ହିଁ ବିଦ୍ୟମାନ ଥାଏ। କିନ୍ତୁ ନିର୍ବାଚନ ପରିଣାମ ସୂଚାଇଛି ଯେ ଏ ଦୁଇଟିଯାକ ରାଜ୍ୟ ଅନେକ କାରଣ ମଧ୍ୟରୁ ଅନ୍ତତଃ ତିନିଟି କାରଣ ଦ୍ବାରା ସମାନ‌ ଭାବେ ପ୍ରଭାବିତ ହୋଇଛନ୍ତି। ସେହି ତିନିଟି କାରଣ ହିଁ ତିନିଟି ସନ୍ଦେଶ।
ପ୍ରଥମଟି ହେଲା ଉଭୟ ରାଜ୍ୟରେ ମହିଳାମାନେ ପୁନର୍ବାର ଓ ଅତ୍ୟନ୍ତ ଦୃଢ଼ ଭାବେ ପ୍ରମାଣ କରି ଦେଇଛନ୍ତି ଯେ ସେମାନେ ନିର୍ବାଚନ ନିକିତିର ଭାରସାମ୍ୟରେ ଭୂଚଳନସୁଲଭ ପରିବର୍ତ୍ତନ ଘଟାଇପାରନ୍ତି। ୨୦୨୧ ମସିହାରେ ଅନୁଷ୍ଠିତ ପଶ୍ଚିମବଙ୍ଗ ରାଜ୍ୟ ବିଧାନସଭା ନିର୍ବାଚନରେ ଏହାର ଆଭାସ ମିଳିଥିଲା, ଯହିଁରେ ସେଠାକାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ବିଜେପି ଦଳର କେତେକ ଅରୁଚିକର କଟାକ୍ଷ ସେ ରାଜ୍ୟର ମହିଳାମାନଙ୍କୁ ତୃଣମୂଳ କଂଗ୍ରେସ ସପକ୍ଷରେ ଠୁଳ କରାଇଥିଲା, ଫଳରେ ବିଜେପି ଆଶା କରିଥିବା ସଂଖ୍ୟା ଠାରୁ କମ୍ ଆସନ ପାଇଥିଲା। ମହିଳାମାନଙ୍କ ଭୋଟ ବ୍ୟାଙ୍କ୍‌ ସୃଷ୍ଟି କରି ଚଳିତ ବର୍ଷ ମଧ୍ୟପ୍ରଦେଶରେ ବିଜେପି ସରକାର କ୍ଷମତାରୂଢ଼ ହୋଇଥିଲା, ଯହିଁରେ ‘ମୁଖ୍ୟମନ୍ତ୍ରୀ ଲାଡ଼ଲୀ ବହନା ଯୋଜନା’ ମାଧ୍ୟମ‌େର ମହିଳାମାନଙ୍କ ବ୍ୟା‌ଙ୍କ ଖାତାକୁ ସିଧାସଳଖ ଅର୍ଥରାଶି ପ୍ରେରଣର ବ୍ୟବସ୍ଥା ଦେଖିବାକୁ ମିଳିଥିଲା। 
ଏଥର ମଧ୍ୟ ଉଭୟ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ‘ଲାଡ଼ଲୀ ବହନା’ ଜାତୀୟ ଯୋଜନା ଫଳରେ ମହିଳାମାନଙ୍କ ବିପୁଳ ସମର୍ଥନ ଯଥାକ୍ରମେ ବି.ଜେ.ପି. ଓ ଜେ.ଏମ୍‌.ଏମ୍‌.କୁ ସଫଳତା ପ୍ରଦାନ କରିଛି। ଚଳିତ ନିର୍ବାଚନରେ ମହିଳା ଭୋଟରମାନଙ୍କ ସଂଖ୍ୟାରେ ୬ ପ୍ରତିଶତ ବୃଦ୍ଧି ଘଟିଛି, ଅର୍ଥାତ୍‌ ନିଜ ପସନ୍ଦର ଦଳକୁ ଜୟଯୁକ୍ତ କରିବା ଲାଗି ସେମାନେ ବଦ୍ଧପରିକର ହୋଇ ଘରୁ ବାହାରିଛନ୍ତି। ଅନେକଙ୍କ ମତରେ ଏହା ସହିତ କ୍ଷମତା ପରିବର୍ତ୍ତନର ସୂତ୍ରଧର ରୂପେ ମହିଳାମାନଙ୍କ ଏକ ପ୍ରକାର ସଶକ୍ତୀକରଣ ପ୍ରକ୍ରିୟାର ପ୍ରାରମ୍ଭ ଘଟିଛି। ଏ ଯାବତ୍‌ ଜାତି, ସଂପ୍ରଦାୟ ଓ ଲାଭାର୍ଥୀ ଯୋଜନାମାନ ଜରିଆରେ ଭୋଟ ହାସଲ କରିବାର ଉଦ୍ୟମରେ ଏକ ପୁରୁଷକୈନ୍ଦ୍ରିକ ଦୃଷ୍ଟିଭଙ୍ଗୀ ହିଁ ବିଦ୍ୟମାନ ଥିଲା, ଯାହା ସାଧାରଣତଃ ପୁରୁଷପ୍ରଧାନ ସମାଜରେ ସ୍ବାଭାବିକ ଭାବେ ଘଟିଥାଏ। କହିବା ଅନାବଶ୍ୟକ ଯେ ଦୀର୍ଘ କାଳ ଧରି ବଳବତ୍ତର ରହି ତାହା କ୍ରମେ ଘଷରା ଓ ରୋମାଂଚଶୂନ୍ୟ ମଧ୍ୟ ହୋଇପଡ଼ିଥିଲା। ସୁତରାଂ, ଲିଙ୍ଗଭିତ୍ତିକ ବିଶେଷ ବିବେଚନା ମାଧ୍ୟମରେ କେବଳ ମହିଳାମାନଙ୍କ ସକାଶେ ଯୋଜନା ବା ସ୍କିମ୍‌ ଉପଲବ୍‌ଧ କରାଇବା ଓ ସେମାନଙ୍କ ସଂଚୟ ଖାତାକୁ ଅଯାଚିତ ଭାବେ ଅର୍ଥ ପ୍ରେରଣ କରିବା, ସେମାନଙ୍କୁ ସୁନିଶ୍ଚିତ ଭାବେ ରୋମାଂଚିତ କରିଥିବ, ଯାହାର ପ୍ରମାଣ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ। ସ୍ବାଧୀନତୋତ୍ତର ଭାରତରେ ଏହା ଏକ ଅଭିନବ ରାଜନୈତିକ ଅଭିଜ୍ଞତା, ଯାହାକୁ ପାଥେୟ କରି କ୍ଷମତାରୂଢ଼ ଦଳଗୁଡ଼ିକ ମହିଳାମାନଙ୍କ ଭୋଟ ବ୍ୟାଙ୍କ୍‌ ସୃଷ୍ଟି କରିବାରେ ଯେ ଏଣିକି ଅଧିକ ପ୍ରବୃତ୍ତ ହେବେ, ତହିଁରେ ଦ୍ବିରୁକ୍ତି ନାହିଁ!
ଦ୍ବିତୀୟଟି ହେଲା ନକାରାତ୍ମକ ପ୍ରଚାରର ଦୁଷ୍ପରିଣାମ। ଗତ ସାଧାରଣ ନିର୍ବାଚନରେ ବିଜେପି ଯେଉଁ ଏକ ନିର୍ଦ୍ଦିଷ୍ଟ କାରଣରୁ ଆଶାନୁରୂପ ସଫଳତା ଲାଭ କରିବାରେ ଅସମର୍ଥ ହୋଇଥିଲା, ତାହା ଥିଲା ନକାରାତ୍ମକ ପ୍ରଚାର; ଯହିଁରେ ଅରୁଚିକର ବ୍ୟକ୍ତିିଗତ ଆକ୍ଷେପ, ସାଂପ୍ରଦାୟିକ ଘୃଣା ବ୍ୟଂଜକ ଉଚ୍ଚାଟ ଓ ବିପକ୍ଷକୁ ଖର୍ବକାୟ କରିବାର ଉଦ୍ୟମମାନ ଅନ୍ତର୍ଭୁକ୍ତ ଥିଲା। ଅବଶ୍ୟ, ଉଭୟ ବି.ଜେ.ପି. ଓ କଂଗ୍ରେସ ଊଣାଅଧିକେ ଏହି ଦୋଷରେ ଦୋଷୀ ଥିଲେ, କିନ୍ତୁ ଏ କ୍ଷେତ୍ରରେ ବି.ଜେ.ପି.ର ମାତ୍ରାଧିକ୍ୟ ହେତୁ ଦଳର ମାର୍ଗଦର୍ଶକ ଭାବେ ପରିଚିତ ‘ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ’ ମଧ୍ୟ ବିଜେପି ପ୍ରତି ରୁଷ୍ଟ ହୋଇଥିଲା, ଯାହା ସଂଘ ମୁଖ୍ୟ ମୋହନ ଭାଗବତଙ୍କ ବକ୍ତବ୍ୟରେ ପରବର୍ତ୍ତୀ କାଳରେ ସ୍ପଷ୍ଟ ହୋଇଥିଲା। ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ଏଥର ମହାରାଷ୍ଟ୍ରରେ କଂଗ୍ରେସ ଅଧିକ ନକାରାତ୍ମକ ଉଚ୍ଚାଟ ପ୍ରଦର୍ଶନ କରିଥିଲା, ଯହିଁରେ ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଦୁର୍ନୀତିଗ୍ରସ୍ତ, ପୁଂଜିପତି (ଅମ୍ବାନୀ ଓ ଅଦାନୀ)ଙ୍କ ଏଜେଣ୍ଟ, ସାଂପ୍ରଦାୟିକ ଘୃଣା ସୃଷ୍ଟିକାରୀ ରୂପେ ବର୍ଣ୍ଣନା କରାଯାଇଥିଲା, ଯହିଁରେ ଭୋଟରଙ୍କ ମଧ୍ୟରେ ଏକ ପ୍ରକାର ବିରକ୍ତି ମଧ୍ୟ ସୃଷ୍ଟି ହୋଇଥିଲା। ଅପରପକ୍ଷେ ପୂର୍ବ ଅଭିଜ୍ଞତାରୁ ସଚେତନ ବି.ଜେ.ପି. ନିଜକୁ ସଂଘ ପରିବାରର ନିକଟତର କରି ଭୋଟରମାନଙ୍କ ଗୃହଦ୍ବାରରେ ପହଞ୍ଚି ଓ ଅପେକ୍ଷାକୃତ ଭାବେ ଅଧିକ ସକାରାତ୍ମକ ପ୍ରଚାରର ଆଶ୍ରୟ ନେଇ ଲୋକପ୍ରିୟ ହୋଇଥିଲା। ଅଥଚ, ଝାଡ଼ଖଣ୍ଡରେ ଆସାମର ମୁଖ୍ୟମନ୍ତ୍ରୀ ତଥା ବି.ଜେ.ପି.ର ତାରକା ପ୍ରଚାରକ ହିମନ୍ତ ବିଶ୍ବଶର୍ମା ସେଠାକାର ଆଦିବାସୀମାନଙ୍କ ମଧ୍ୟରେ ଅଯଥାର୍ଥ ଭାବେ ବେଆଇନ ଅନୁପ୍ରବେଶକାରୀଙ୍କ ବିଷୟ ଉତ୍‌ଥାପନ କରି ବିଷ ସଂଚାରର ଉଦ୍ୟମ ହେତୁ ଅପ୍ରିୟ ହୋଇଥିଲେ। ଅପର ପ୍ରତି ଦ୍ବେଷ ସୃଷ୍ଟି କରି ଗୋଟିଏ ପକ୍ଷକୁ ଐକ୍ୟ ବଦ୍ଧ କରିବାର ଉଦ୍ୟମରେ ଆସାମର ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ସମସ୍ୟାକୁ ଏକ ପ୍ରତିକୂଳ ସ୍ଥାନ ଓ ପରିବେଶରେ ରୋପଣ କରିବାର ଭୁଲ୍‌ କରିଥିଲେ। ନିର୍ବାଚନ ପ୍ରଚାରର ଉଚ୍ଚାଟରେ ଦଳୀୟ ପ୍ରାର୍ଥୀମାନେ ଅନେକ ସମୟରେ ଲକ୍ଷ୍ମଣ ରେଖା ଅତିକ୍ରମ କରି ଯାଆନ୍ତି, ଯାହା ଭାରତୀୟ ଭୋଟର୍‌ଙ୍କ ଦ୍ବାରା ଅନେକ ସମୟରେ ଗ୍ରହଣୀୟ ହୋଇ ନ ଥାଏ।
ମହାରାଷ୍ଟ୍ରରେ ଶିବସେନା ଓ ଏନ୍‌.ସି.ପି.ର ଗୋଟିଏ ଗୋଟିଏ ଅଂଶ ମୂଳ ଦଳରୁ ବିଚ୍ୟୁତ ହେବା ସତ୍ତ୍ବେ ଏହି ନିର୍ବାଚନରେ ନିଜକୁ ଦୃଢ଼ ଭାବେ ପ୍ରତିଷ୍ଠା କରି ପ୍ରମାଣ କରି ଦେଇଛନ୍ତି ଯେ ସେହି ଦଳର ପ୍ରତିଷ୍ଠାତାମାନଙ୍କ ସର୍ବବିଦ୍ୟମାନ ପ୍ରଭାବ ତାହାର ଔଜ୍ଜ୍ବଲ୍ୟ ହରାଇ ସାରିଛି। ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନ୍‌.ସି.ପି. ଦ୍ବାରା ଉଦ୍ଧବ ଠାକରେଙ୍କ ମୂଳ ଶିବସେନା ଓ ଶରଦ ପାୱାରଙ୍କ ମୂଳ ଏନ୍‌.ସି.ପି. ଧରାଶାୟୀ ହେବା ପରେ ଅ‌େନକ ପର୍ଯ୍ୟବେକ୍ଷକ କହିଥାଆନ୍ତି ଯେ ବଂଶବାଦ ରାଜନୀତିର ଜାଗିର କ୍ରମେ ଗୁରୁତ୍ବ ହରାଇବାର ଦ୍ବାରଦେଶରେ। କିନ୍ତୁ ଏଭଳି ଧାରଣା ହୁଏତ ଆଂଶିକ ସତ୍ୟ। କାରଣ ଏହା ମଧ୍ୟ ହୋଇପାରେ ଯେ ପୂର୍ବ ଜନାଦେଶକୁ ଅବମାନନାମୂଳକ ଆଚରଣ ପ୍ରଦର୍ଶନ କରିଥିବା ହେତୁ ‘ମହାରାଷ୍ଟ୍ର ବିକାଶ ଅଘାଡ଼ି’ ଓ ଝାଡ଼ଖଣ୍ଡରେ ବି.ଜେ.ପି. ପରାଜୟ ବରଣ କରି ତା’ର ମୂଲ୍ୟ ପ୍ରଦାନ କରିଛନ୍ତି। ୨୦୧୯ ମସିହାରେ ବି.ଜେ.ପି. ଓ ଶିବସେନା ମେଣ୍ଟକୁ ବିପୁଳ ଜନାଦେଶ ମିଳିଥିବା ପରେ ଉଚ୍ଚାଭିଳାଷୀ ଉଦ୍ଧବ ଠାକରେ ବିଜେପି ସହିତ ସଂପର୍କ ଛିନ୍ନ କରି ସଂପୂର୍ଣ୍ଣ ବିପରୀତ ରାଜ‌େନୖତିକ ଆଦର୍ଶ ବହନକାରୀ କଂଗ୍ରେସ ଓ ଏନ୍‌.ସି.ପି. ସହିତ ଏକତ୍ର ହୋଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେମିତି ଝାଡ଼ଖଣ୍ଡରେ ନିର୍ବାଚିତ ସରକାରକୁ ଧରାଶାୟୀ କରିବାର ଓ ହେମନ୍ତ ସୋରେନଙ୍କୁ ଗିରଫ କରି ଦଳକୁ ଉଜାଡ଼ିଦେବାର ଅପଚେଷ୍ଟାରୁ ବି.ଜେ.ପି. ବିରତ ହୋଇ ନ ଥିଲା। ଏହା ହେଉଛି ତୃତୀୟ କାରଣ ଯେଉଁଥି ଲାଗି ମହାରାଷ୍ଟ୍ରରେ ବି.ଜେ.ପି. ଓ ଝାଡ଼ଖଣ୍ଡରେ ଜେ.ଏମ୍‌. ଏମ୍‌. ବିଜୟୀ ହୋଇଛନ୍ତି।
ବେକାରି, କ୍ରମବଦ୍ଧିଷ୍ଣୁ ଆର୍ଥିକ ବୈଷମ୍ୟ ଓ ମୁଦ୍ରାସ୍ଫୀତି ଇତ୍ୟାଦି ଭଳି ଅତି ଗମ୍ଭୀର ବାସ୍ତବ ସମସ୍ୟାକୁ ଅବଲମ୍ବନ କରି ନିର୍ବାଚନ ପ୍ରଚାର କରୁଥିବା ସତ୍ତ୍ବେ ରାହୁଳ ଗାନ୍ଧୀ ଜନମାନସକୁ ଭେଦି ପାରୁ ନାହାନ୍ତି କାହିଁକି? ଏହାର ଏକ ବଡ଼ କାରଣ ହେଲା ତାଙ୍କ ଯଥେଷ୍ଟ ପ୍ରୟାସ ସତ୍ତ୍ବେ ଜଣେ ଭୂ-ସଂଲଗ୍ନ ନେତା ରୂପେ ସେ ଅଦ୍ୟାବଧି ସ୍ବୀକୃତ ହୋଇପାରି ନାହାନ୍ତି। ଅନେକ କହନ୍ତି ଯେ ତାଙ୍କ ବାକ୍ୟମାନ କେବଳ କର୍ଣ୍ଣ କୁହରରେ ପ୍ରବେଶ କରିଥା‌ଏ ସିନା, ପ୍ରାଣରେ ସ୍ପନ୍ଦନ ସୃଷ୍ଟି କରି ନ ଥାଏ। ଦୃଢ଼ ମତ ପ୍ରକାଶ ପାଇ ଚାଲିଛି ଯେ ଗାନ୍ଧୀ ପରିବାରର ଛାୟାରୁ ମୁକ୍ତ ନ ହେବା ପର୍ଯ୍ୟନ୍ତ କଂଗ୍ରେସର ପୁନଃ ଅଭ୍ୟୁଦୟ ସମ୍ଭବ ନୁହେଁ। କିନ୍ତୁ ସେଭଳି କଂଗ୍ରେସଟିଏ କେବେ ହେଲେ ସମ୍ଭବ ହେବ କି? ଏଥର କେରଳର ୱାଏନାଡ଼ ଆସନ ଲାଗି ହୋଇଥିବା ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀଙ୍କ ବିଜୟ ନିର୍ବାଚନୀ ଦୁର୍ଦଶା ସତ୍ତ୍ବେ ସେ ଦଳରେ ଉଲ୍ଲାସ ସୃଷ୍ଟି କରିଛି। ଭାରତର ସର୍ବପୁରାତନ ଏହି ଜାତୀୟ ଦଳଟି କ୍ରମେ ଅଧୋଗାମୀ ହୋଇ ଚାଲିଥିବା ବେଳେ ସେହି ଗୋଟିଏ ପରିବାରର ତିନି ଜଣ ଯାକ ସଦସ୍ୟ ସଂସଦରେ ବିରାଜମାନ କରିବା ଏହା ସୂଚା‌ଇ ‌େଦଉଛି ଯେ ଗାନ୍ଧୀ ପରିବାରର ପ୍ରଭାବରୁ ମୁକ୍ତ କଂଗ୍ରେସଟିଏ ଦୃଶ୍ୟମାନ ହେବାର ସମ୍ଭାବନା ବସ୍ତୁତଃ ଅତି କ୍ଷୀଣ। କଂଗ୍ରେସର ଭବିଷ୍ୟତ୍‌ ଲାଗି ଏହା ଏକ ସୁଖବର ହୋଇ ନ ପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe