ଇରାନ ଉପରେ ଆକ୍ରମଣ କରିବାର ଅବ୍ୟବହିତ ପୂର୍ବରୁ କେହି ଜଣେ ଦୂରଦର୍ଶୀ ଶୁଭଚିନ୍ତକ ଅବା ଟ୍ରଂପଙ୍କୁ କହି ଦେଇ ଥାଆନ୍ତା କି ‘ବୁର୍ଜ ଖଲିଫା’ ନିର୍ମିତ ହେଉଥିବା ଦେଶଗୁଡ଼ିକରେ ‘ବଙ୍କର’ ନିର୍ମାଣ ସକାଶେ ଅବକାଶ ନ ଥାଏ, ଯେଉଁଠି ଯୁଦ୍ଧ କାଳରେ ହୁଏତ ଆତ୍ମ ଗୋପନ କରି ହୁଅନ୍ତା? କିନ୍ତୁ ଟ୍ରଂପଙ୍କ ଭଳି ଜଣେ ହାଲୁକା ବାର୍‌ହା ଶିକାରୀ ଏଭଳି ପରାମର୍ଶ ଗ୍ରହଣ କରନ୍ତେ କି ନାହିଁ, ତାହା ମଧ୍ୟ ସନ୍ଦେହର ବିଷୟ!

Advertisment

ସପ୍ତାହକ ତଳେ ଇରାନ ଉପରେ ଇସ୍ରାଏଲ ଓ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ସଂଘଟିତ ମିଳିତ ଆକ୍ରମଣ ଯେ ତା’ର ପରିଣାମ ସ୍ବରୂପ ସମଗ୍ର ମଧ୍ୟ-ପ୍ରାଚ୍ୟ ଭୂଖଣ୍ଡକୁ ଯୁଦ୍ଧର ଅନଳ ମଧ୍ୟକୁ ନିକ୍ଷେପ କରି ପକାଇବ, ତାହା ହୁଏତ ଉଭୟ ଇସ୍ରାଏଲ ଓ ଆମେରିକା ଅନୁମାନ କରି ପାରି ନ ଥିବେ! ଏହା ସୁବିଦିତ ଯେ ଏହି ଆକ୍ରମଣ ସମ୍ବନ୍ଧରେ ସ୍ପଷ୍ଟୀକରଣ ଦେବାକୁ ଯାଇ, ଗଲା ଛଅ ଦିନ ମଧ୍ୟରେ, ଡୋନାଲ୍‌ଡ ଟ୍ରଂପ ଅନ୍ତତଃ ତିନିଟି ଅଲଗା ଅଲଗା ମୂଳ କାରଣ ଦର୍ଶାଇ ସାରିଲେଣି। କେବଳ ସେତିକି ନୁହେଁ, ଆମେରିକାରେ ଏକ ଦୃଢ଼ ବ୍ୟାଖ୍ୟାନ ମଧ୍ୟ ସୃଷ୍ଟି ହେଲାଣି ଯେ ଆମେରିକା ପ୍ରକୃତରେ ଇସ୍ରାଏଲ ସକାଶେ ଯୁଦ୍ଧ ଲଢୁଛି; ଅତ୍ୟନ୍ତ ମୂଲ୍ୟବାନ ଯୁଦ୍ଧ ସରଂଜାମ ଓ ଭିତ୍ତିଭୂମିର ବିନଷ୍ଟ, ସୈନିକମାନଙ୍କ ପ୍ରାଣପାତ, ଅର୍ଥନୈତିକ ଚାପ ଏବଂ ସମ୍ମାନ ହାନି ପ୍ରେକ୍ଷାପଟରେ ଏଭଳି ଏକ ଯୁଦ୍ଧ ଆମେରିକା ସକାଶେ ନିତାନ୍ତ ଅନାବଶ୍ୟକ। କହିବା ବାହୁଲ୍ୟ ଯେ ମାତ୍ର ଦିନେ ବା ଦୁଇ ଦିନ ମଧ୍ୟରେ ଇରାନକୁ ନତଜାନୁ କରି ସେଠାରେ ଭେନେଜୁଏଲା ସଦୃଶ କ୍ଷମତା ପରିବର୍ତ୍ତନ କରାଇବାର ଉଦ୍ୟମ, ଜଣେ ଅର୍ବାଚୀନ ଶିକାରୀ ହାଲୁକା ମନରେ ବାର୍‌ହା ଶିକାର କରିବାକୁ ବାହାରି ପଡ଼ିଥିବା ଭଳି ଦିଶିଥାଏ, ଯେଉଁ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୁଏ। 
ବିଶେଷଜ୍ଞମାନଙ୍କ ମତରେ ସାଂପ୍ରତିକ ଇରାନ ଆଉ ୧୯୫୩ ମସିହାର ଇରାନ ଭଳି ହୋଇ ରହି ନାହିଁ, ଯେଉଁ ସମୟରେ ବ୍ରିଟେନ ଓ ଆମେରିକାର ମିଳିତ ଉଦ୍ୟମରେ, ଅପରେସନ ଆଜାକ୍‌ସ ମାଧ୍ୟମରେ, ସେଠାକାର ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ମୋସାଦ୍ଦେଗଙ୍କୁ ଗାଦିଚ୍ୟୁତ କରି ପାଶ୍ଚାତ୍ୟ ଅନୁଗତ ଶାହ ବଂଶର ଦାୟାଦଙ୍କୁ କ୍ଷମତାରୂଢ଼ କରାଯାଇପାରିଥିଲା। ପ୍ରକାଶ ଥାଉ କି ୧୯୭୯ ମସିହାରେ, ଆୟୋତୋଲ୍ଲା ରୁହୋଲ୍ଲା ଖୋମେନେଇଙ୍କ ନେତୃତ୍ବରେ, ତୀବ୍ର ପାଶ୍ଚାତ୍ୟ ବିରୋଧୀ ଏବଂ ଧର୍ମୀୟ ମୌଳବାଦ ଆଧାରିତ ବିଶାଳ ଜନ ବିଦ୍ରୋହ ଦ୍ବାରା, ୧୯୭୯ ମସିହାରେ ମହମ୍ମଦ ରେଜା ପହଲବୀ ବିତାଡ଼ିତ ହେବା ପରେ, ସେଠାକାର ରାଜନୈତିକ ଅନୁଷ୍ଠାନଗୁଡ଼ିକରେ ମୌଳବାଦୀ ବିଚାର ଏଭଳି ଭେଦି ସାରିଛି ଯେ ସେଠ‌ାରେ ପୁନର୍ବାର ପାଶ୍ଚାତ୍ୟ ଅନୁଗାମୀମାନଙ୍କ ଶାସନର ଆଶା ଏକ ଦିବା ସ୍ବପ୍ନ ସୁଲଭ ଲାଗିଥାଏ। କେବଳ ସେତିକି ନୁହେଁ, ଇରାନର ନାଗରିକ ସମାଜ ପ୍ରାୟ ସଂପୂର୍ଣ୍ଣ ରୂପେ ସିହା (୯୫%) ସଂପ୍ରଦାୟଭୁକ୍ତ ହୋଇଥିବାରୁ ଆସ୍ଥା ଦୃଷ୍ଟିରୁ ଅବିଭାଜ୍ୟ ‌ହୋଇଥାଆନ୍ତି ଏବଂ ତୀବ୍ର ଜାତୀୟତାବୋଧ ହେତୁ କୌଣସି ବାହ୍ୟ ଶକ୍ତି ଦ୍ବାରା ସେମାନଙ୍କ ରାଷ୍ଟ୍ରର ସାର୍ବଭୌମତ୍ବର ହନନ ସେମାନଙ୍କ ସକାଶେ ଅସହନୀୟ ହୋଇଥାଏ; ଯେଉଁ କାରଣରୁ ଇରାକ ଦ୍ବାରା ଅଧିକୃତ ଆପଣା ଅଞ୍ଚଳ ଦଖଲ କରିବା ଲାଗି ଇରାନ ୮ ବର୍ଷରୁ ଅଧିକ କାଳ (୧୯୮୦-୮୮) ଯୁଦ୍ଧରେ ବ୍ୟାପୃତ ରହିବାର ଦୃଢ଼ତା ପ୍ରଦର୍ଶନ କରି ସାରିଛି। ଆମେରିକା-ଇସ୍ରାଏଲର ଆକ୍ରମଣରେ ଇରାନର ‘ସୁପ୍ରିମ ଲିଡର’ ଚଉରାଅଶୀ ବର୍ଷ ବୟସ୍କ ଆୟୋତୋଲ୍ଲା ଖା‌ମେନେଇଙ୍କ ନିଧନ ପରେ ସିହା ସଂପ୍ରଦାୟର ବିଶ୍ବାସ ଅନୁସାରେ ସେ ଜାତି ଓ ଧର୍ମ ସକାଶେ ‘ସହିଦତ୍ବ’ ଲାଭ କରିଛନ୍ତି। ଏଭଳି ‘ସହିଦତ୍ବ’ ଏକ ପରମ ଅଭିଳଷିତ ଲକ୍ଷ୍ୟ ହୋଇଥିବାରୁ ଏକ ସଂଘାତ କାଳରେ ୯.୫ କୋଟି ଇରାନୀୟଙ୍କ ମଧ୍ୟରେ ଆତ୍ମବଳି ଦେବାକୁ ପ୍ରସ୍ତୁତ ପଦାତିକମାନଙ୍କ ଊଣା ନ ଘଟିବା ସ୍ବାଭାବିକ, ଯାହା ଏହି ଯୁଦ୍ଧକୁ ଅତ୍ୟନ୍ତ ବିଭୀଷିକାମୟ କରିବାର ଆଶଙ୍କା ଅଧିକ। ସେହି ବିଶେଷଜ୍ଞମାନଙ୍କ ମତରେ, ଖୁବ୍‌ ସମ୍ଭବ, ଏଭଳି କେତେକ ବିଶେଷ ବିଷୟକୁ ନଜରଅନ୍ଦାଜ କରି ଆମେରିକା ଯୁଦ୍ଧରେ ପ୍ରବେଶ କରିଥିବା ହେତୁ ଆବଶ୍ୟକ େହଲେ ଯୁଦ୍ଧରୁ ପ୍ରସ୍ଥାନ କରିବାର ଦ୍ବାର ଉନ୍ମୁକ୍ତ ରଖିବା ବିଷୟ ପାସୋରି ଯାଇଛି। ତେଣୁ ଇରାନ ଉପରେ ଅଧିକରୁ ଅଧିକ ଆକ୍ରମଣ କରି ତାକୁ ଶ୍ବାସରୁଦ୍ଧ କରିଦେବାର ଉଦ୍ୟମ ଛଡ଼ା ହୁଏତ ଅନ୍ୟ କୌଣସି ଗତ୍ୟନ୍ତର ନାହିଁ। କିନ୍ତୁ, ଏହା ଆମେରିକା ସକାଶେ କିଭଳି କ୍ଷତିକାରକ ହେଲାଣି, ତାହା ଗଲା ସାତ ଦିନର ଯୁଦ୍ଧରୁ ହୃଦ୍‌ବୋଧ କରି ହୋଇଥାଏ। ଆହତ ବାର୍‌ହାକୁ ଅନୁଧାବନ କରୁଥିବା ଅସଂଖ୍ୟ ଶିକାରୀ ସାକ୍ଷ୍ୟ ଦେଇଥାନ୍ତି କିଭଳି ଅପେକ୍ଷାକୃତ କ୍ଷୁଦ୍ର ଶରୀର ସତ୍ତ୍ବେ ଶେଷ ରକ୍ତ ବିନ୍ଦୁ ଯାଏ ଲଢ଼ିବାର ଜିଦି ଏକ ଆହତ ବାର୍‌ହାକୁ ସିଂହ ଠାରୁ ମଧ୍ୟ ଅଧିକ ବିପଜ୍ଜନକ ଓ ପ୍ରାଣଘାତୀ କରିପାରେ। 

Shuttle: ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ୍‌: କ୍ବାର୍ଟରରେ ଲକ୍ଷ୍ୟ ସେନ୍‌

ଏଠାରେ ପ୍ରଣିଧାନଯୋଗ୍ୟ ଯେ ଇରାନର ଜାତଶତ୍ରୁ ହୋଇଥିବା କାରଣରୁ ଏ ଯୁଦ୍ଧ ହୁଏତ ଇସ୍ରାଏଲ ସକାଶେ ଆକାଂକ୍ଷିତ ଥିଲା; କିନ୍ତୁ, ସର୍ବେକ୍ଷଣ ଅନୁସାରେ ପ୍ରାୟ ୪୦% ଆମେରିକୀୟଙ୍କ ଧାରଣା ଯେ ଆମେରିକା ସକାଶେ ଏହା ଅନାବଶ୍ୟକ, କାରଣ ସାତ ହଜାର ମାଇଲ ଦୂରବର୍ତ୍ତୀ ଏକ ରାଷ୍ଟ୍ରରୁ ଆମେରିକା ପ୍ରତି ବିପଦ (ଟ୍ରଂପ କହୁଥିବା ଭଳି)ର କୌଣସି ଆଶଙ୍କା ଦିଶି ନ ଥାଏ। ସୁତରାଂ, ଏଭଳି ଏକ ଯୁଦ୍ଧରେ ଆମେରିକୀୟ ଜୀବନ, ଅର୍ଥ ଓ ସମ୍ମାନର କ୍ଷୟ ଅହେତୁକ ଭଳି ମନେ ହେବା ସ୍ବାଭାବିକ। ହୁଏତ ଟ୍ରଂପ ମଧ୍ୟ ସେଭଳି କିଛି ହୃଦୟଙ୍ଗମ କରୁଥିବେ, କିନ୍ତୁ, ସମସ୍ୟା ହେଲା, ଏହି ଅପରିଣାମଦର୍ଶୀ ଯୁଦ୍ଧରୁ ପ୍ରସ୍ଥାନ କରିବାରେ ଟ୍ରଂପଙ୍କୁ ତାଙ୍କ ଅହମିକା ବାଧା ଦେବ। ଇତିମଧ୍ୟରେ ଇରାନକୁ ଘେରି ରହିଥିବା ଆମେରିକାର ମିତ୍ର ଅରବ ରାଷ୍ଟ୍ରଗୁଡ଼ିକ ଇରାନର ଘାତକ କ୍ଷେପଣାସ୍ତ୍ର ଆକ୍ରମଣରେ ଦଗ୍‌ଧୀଭୂତ ହେବାରେ ଲାଗିଛନ୍ତି, ଯେଉଁ ଅନୁଭୂତି ସେମାନଙ୍କ ସକାଶେ ସଂପୂର୍ଣ୍ଣ ନୂଆ ଏବଂ ଅପ୍ରତ୍ୟାଶିତ ମଧ୍ୟ। ସେମାନେ ହୁଏତ ଏଭଳି ସ୍ଥିତିରେ ସୁରକ୍ଷା ସକାଶେ ଆମେରିକା ଆଡ଼କୁ ଦୃଷ୍ଟି ପକାନ୍ତେ; କିନ୍ତୁ, ବିଡ଼ମ୍ବନା ହେଲା ଆମେରିକା ହିଁ ଏଭଳି ଏକ ଅନାହୂତ ପରିସ୍ଥିତିର କାରଣ ଏବଂ ସ୍ବୟଂ ଯୁଦ୍ଧରେ ନିମଗ୍ନ ଥିବାରୁ ସହାୟତା କରିବା ସକାଶେ ବର୍ତ୍ତମାନ ଅସମର୍ଥ ଏବଂ ହୁଏତ ଅନାଗ୍ରହୀ ମଧ୍ୟ। କହିବା ବାହୁଲ୍ୟ ଯେ ଏହା ଯଦି କେବଳ ଇସ୍ରାଏଲର ଯୁଦ୍ଧ ହୋଇଥାଆନ୍ତା, ତେବେ, ଆରବ ରାଷ୍ଟ୍ରଗୁଡ଼ିକ ଇରାନୀ ଆକ୍ରମଣର ଶରବ୍ୟ ହୋଇ ନ ଥାଆନ୍ତେ! କେବଳ ସେତିକି ନୁହେଁ, ଇରାନ ପକ୍ଷରୁ ହର୍ମୁଜ ପ୍ରଣାଳିକୁ ଅବରୋଧ କରି ଦିଆଯିବା ପରେ ଆରବ ରାଷ୍ଟ୍ରଗୁଡ଼ିକର ୬୦% ଖଣିଜ ତୈଳର ରପ୍ତାନି ଅସମ୍ଭବ ହୋଇ ପଡ଼ିଛି, ଯାହା ଦୂର ନ ହେଲେ ସେମାନଙ୍କ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇ ଯାଇପାେର। ଏହି କାରଣରୁ ସମଗ୍ର ପୃଥିବୀରେ ତୈଳ ଦର ମାତ୍ରାଧିକ ବୃଦ୍ଧି ପାଇ ତୀବ୍ର ମୁଦ୍ରାସ୍ଫୀତିକୁ ଜନ୍ମ ଦେଇପାରେ; ଯେଉଁ କାରଣରୁ ଏହି ଯୁଦ୍ଧ ସଂପ୍ରତି ଚାଲିଥିବା ଅନ୍ୟାନ୍ୟ ଯୁଦ୍ଧ ଠାରୁ ଭିନ୍ନ ଏବଂ ଅଧିକ ଭୟାବହ ମଧ୍ୟ। ଏଣେ, ଡୋନାଲ୍‌ଡ ଟ୍ରଂପଙ୍କ ଦ୍ବାରା ଅପମାନିତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଏହି ଯୁଦ୍ଧରେ ପାରଂପରିକ ଭାବେ ଆମେରିକାର ପକ୍ଷଭୁକ୍ତ ହୋଇନାହାନ୍ତିି; ‘ନାଟୋ’ ମଧ୍ୟ ଏ ଯୁଦ୍ଧରେ ଏ ଯାବତ୍‌ ଜଡ଼ିତ ହୋଇନାହିଁ। ଏହାର ଅର୍ଥ ଅନେକ ମିତ୍ର ରାଷ୍ଟ୍ରଙ୍କ ମଧ୍ୟରେ ଆମେରିକା ପ୍ରତି ପୂର୍ବର ଉଷ୍ମ ଅନ୍ତରଙ୍ଗତା ନ ଥିବା ବେଳେ ଆଉ କେତେକ ମିତ୍ର ରାଷ୍ଟ୍ର ଆମେରିକାର ନିର୍ଭରଯୋଗ୍ୟତା ନେଇ ଦ୍ବନ୍ଦ୍ବଗ୍ରସ୍ତ ହେଲେଣି। କହିବା ବାହୁଲ୍ୟ, ପୃଥିବୀର ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ସକାଶେ ଏଭଳି ସମ୍ମାନ କ୍ଷୟ ମଧ୍ୟ ଏକ ନୂତନ ଅନୁଭୂତି! କେବଳ ସେତିକି ନୁହେଁ, ଗଲା ପ୍ରାୟ ବର୍ଷଟିଏ ଧରି ୧୧ଟିରୁ ଅଧିକ ଯୁଦ୍ଧ ବନ୍ଦ କରାଇଥିବାର ଅକ୍ଳାନ୍ତ ଆସ୍ଫାଳନ କରି ଚାଲିଥିବା ଟ୍ରଂପଙ୍କ ସକାଶେ ନିଜେ ଆରମ୍ଭ କରିଥିବା ଯୁଦ୍ଧରୁ ପ୍ରସ୍ଥାନର ବାଟ ନ ପାଇବା ମଧ୍ୟ ଏକ ନୂତନ ଅନୁଭୂତି ହେଉଥିବ ଅବା!

Editorial: ‘ମହାନଦୀ ସଂକଟ ଓ ନବୀନ ବାବୁ’ ଗୋବିନ୍ଦ ଭୂୟାଁଙ୍କ ସଂପାଦକୀୟରୁ....

ଅାଉ ଏକ ବାସ୍ତବତା େହଲା, ସାଉଦି ଆରବ ବା ‘ୟୁ.ଏ.ଇ.’ ବା କାତାର ବା ଆବୁଧାବି; ଏଭଳି ଦେଶଗୁଡ଼ିକ ଦୀର୍ଘକାଳୀନ ଶାନ୍ତି, ଅପରିମେୟ ସମୃଦ୍ଧି ଓ ଆମେରିକା ପ୍ରଦତ୍ତ ସୁରକ୍ଷାର ପ୍ରତିଶ୍ରୁତି କାରଣରୁ ସେମାନଙ୍କ ସମର ପାରଙ୍ଗମତା ଓ ସଂଘାତ ମଧ୍ୟରେ ତିଷ୍ଠି ରହି ଲଢ଼ି ପାରିବାର ଦୃଢ଼ତା ହରାଇ ସାରିଛନ୍ତି। ଦୁବାଇ ବା ଦୋହା ବା ସାରଜାହ ଭଳି ଧନାଢ଼୍ୟ ମହାନଗରଗୁଡ଼ିକ ସମଗ୍ର ପୃଥିବୀର ସ୍ବପ୍ନ ବିଳାସୀମାନଙ୍କ ସକାଶେ ବାସ, ବୃତ୍ତି, ବ୍ୟବସାୟ ଓ ବିପଣିର ଅଭୟ ଅମରାବତିରେ ପରିଣତ ହୋଇଥିବା ବେଳେ ସାଂପ୍ରତିକ ଯୁଦ୍ଧର ଘନଘଟା ସେମାନଙ୍କୁ ପଳାୟନ ଉନ୍ମୁଖ କରିଛି। କିନ୍ତୁ ବିମାନ ଚଳାଚଳ ସଂପୂର୍ଣ୍ଣ ରଦ୍ଦ ହୋଇଯାଇଥିବାରୁ ସେମାନଙ୍କ ଲାଗି ମଧ୍ୟ ପ୍ରସ୍ଥାନର ଦ୍ବାର ବନ୍ଦ! ସୁତରାଂ, ସେମାନେ ମଧ୍ୟ କିଂକର୍ତ୍ତବ୍ୟବିମୂଢ଼! ଇରାନ ଉପରେ ଆକ୍ରମଣ କରିବାର ଅବ୍ୟବହିତ ପୂର୍ବରୁ କେହି ଜଣେ ଦୂରଦର୍ଶୀ ଶୁଭଚିନ୍ତକ ଅବା ଟ୍ରଂପଙ୍କୁ କହି ଦେଇ ଥାଆନ୍ତା କି ‘ବୁର୍ଜ ଖଲିଫା’ ନିର୍ମିତ ହେଉଥିବା ଦେଶଗୁଡ଼ିକରେ ‘ବଙ୍କର’ ନିର୍ମାଣ ସକାଶେ ଅବକାଶ ନ ଥାଏ, ଯେଉଁଠି ଯୁଦ୍ଧ କାଳରେ ହୁଏତ ଆତ୍ମ ଗୋପନ କରି ହୁଅନ୍ତା? କିନ୍ତୁ ଟ୍ରଂପଙ୍କ ଭଳି ଜଣେ ହାଲୁକା ବାର୍‌ହା ଶିକାରୀ ଏଭଳି ପରାମର୍ଶ ଗ୍ରହଣ କରନ୍ତେ କି ନାହିଁ, ତାହା ମଧ୍ୟ ସନ୍ଦେହର ବିଷୟ!