ଚୀନ ହେଉଛି ପୃଥିବୀର ବୃହତ୍ତମ ଆଲୁମିନିଅମ ଉତ୍ପାଦନକାରୀ ଓ ରପ୍ତାନିକାରୀ ରାଷ୍ଟ୍ର। ଆଲୁମିନିଅମ ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ଭାରତର ସ୍ଥାନ ଦ୍ବିତୀୟ। କିନ୍ତୁ ତାପଜ ବିଦ୍ୟୁତ୍ କେନ୍ଦ୍ର ନିର୍ଭର ଆଲୁମିନିଅମ କାରଖାନାମାନ କ୍ରମେ ଦେଶର ଭାବମୂର୍ତ୍ତ ସକାଶେ କାଳେ ଅସ୍ବସ୍ତିର କାରଣ ହେବ ବୋଲି ଭାରତ କୌଣସି ବିକଳ୍ପ ଖୋଜିଲାଣି କି? ନିଜ ଦେଶର ବକ୍ସାଇଟ ଭଣ୍ଡାରକୁ ସୁରକ୍ଷିତ ରଖି ଅନ୍ୟ ଦେଶରେ ତାହା ଆହରଣ କରିବାର ଉଦ୍ୟମ କଲାଣି କି? ଏଭଳି ଉଦ୍ୟମ ହିଁ ଭବିଷ୍ୟତ୍ରେ କାମରେ ଆସିଥାଏ।
ଗଲା ଗୁରୁବାର ଦିନ ଦକ୍ଷିଣ କୋରିଆର ରାଜଧାନୀ ସିଓଲ ଠାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଅତ୍ୟନ୍ତ ବିରଳ ପର୍ଯ୍ୟାୟର ହୋଇଥିବାରୁ ତା’ ଉପରେ ସମଗ୍ର ପୃଥିବୀର ଦୃଷ୍ଟି ନିବଦ୍ଧ ଥିଲା। ପୁଣି, ଆମେରିକୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କ ଟାରିଫ ଉତ୍ପାତ ଦ୍ବାରା ସୃଷ୍ଟ ଏକ ବିଚଳିତକର ବାତାବରଣରେ ଏହି ସାକ୍ଷାତ ଓ ଆଲୋଚନାରୁ କି ସନ୍ଦେଶ ମିଳିବ, ତାହା ଦେଖିବାକୁ ପୃଥିବୀ ଉଦ୍ଗ୍ରୀବ ଥିଲା; କାରଣ ପରସ୍ପରର ତୀବ୍ର ବିରୋଧୀ ପୃଥିବୀର ଦୁଇ ଶୀର୍ଷତମ ମହାଶକ୍ତିଙ୍କ ମଧ୍ୟରେ ଭେଟାଭେଟି କାଳେ ଅବା ପୃଥିବୀ ସମ୍ମୁଖରେ ଏକ ଧୂମ ଆଚ୍ଛାଦିତ ଭବିଷ୍ୟତକୁ ସାମାନ୍ୟ ପରିଷ୍କାର କରିେଦବ! ସେଭଳି କେତେକ ସନ୍ଦେଶ ଅବଶ୍ୟ ମିଳି ସାରିଛି; ଯହିଁରୁ କିଛି ସ୍ପଷ୍ଟ ଓ କିଛି ପ୍ରଚ୍ଛନ୍ନ ଏବଂ ସାଂକେତିକ, ଯାହାକୁ ନେଇ ଏଠାରେ ଏକ କ୍ଷୁଦ୍ର ଆଲୋଚନା କରାଯାଇପାରେ।
ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହି ଆଲୋଚନା ପରେ ଯାହା ଘୋଷଣା କରାଯାଇଛି, ତାହା ଅନୁସାରେ ଉଭୟ ଦେଶ ମଧ୍ୟରେ ଚାଲି ଆସୁଥିବା ତୀବ୍ର ବାଦରେ ଅନ୍ତତଃ ବର୍ଷକ ସକାଶେ ଆଂଶିକ ବିରାମ ଲାଗିପାରେ; ଚୀନ ଉପରେ ଆମେରିକା ଦ୍ବାରା ଜାରି ଟାରିଫରେ ୩୦% ହ୍ରାସ ଘଟାଯିବା ସହିତ ଆମେରିକାରୁ ଅତ୍ୟୁଚ୍ଚ ମାନର ‘ଚିପ୍’ ଆମଦାନି କରିବା ଚୀନ ସକାଶେ ଅଧିକ ସ୍ବଚ୍ଛନ୍ଦ ହେବ। ଏହା ବଦଳରେ ଆମେରିକାର ସୋୟାବିନ ପୁନର୍ବାର ଚୀନ ବଜାରରେ ପ୍ରବେଶ କରିବ ଏବଂ ଚୀନରୁ ଅଧିକ ପରିମାଣର ‘ରେୟାର ଆର୍ଥ ମିନେରାଲସ’ ବା ଖଣିଜ ବିରଳ ମୃତ୍ତିକା ଆମଦାନି କରିବାକୁ ଆମେରିକା ସମର୍ଥ ହେବ। ତେବେ, କେତେକ ପର୍ଯ୍ୟବେକ୍ଷକ ଏହି ସାକ୍ଷାତ-ଆଲୋଚନାକୁ ଅଧାପନ୍ତରିଆ ବୋଲି ମତ ଦିଅନ୍ତି, କାରଣ ଔପଚାରିକ ଶିଖର ଆଲୋଚନା ଶେଷରେ ପରଂପରାଗତ ଭାବେ ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ସ୍ବାକ୍ଷର ବହନକାରୀ ଘୋଷଣାପତ୍ର ଜାରି ହୋଇଥାଏ, ଯାହା ଏଠାରେ ଦେଖିବାକୁ ମିଳି ନ ଥିଲା; ଆଲୋଚନା ଅନ୍ତରେ ଦୁଇ ନେତାଙ୍କ ପକ୍ଷରୁ ଏକ ମିଳିତ ପ୍ରେସ ବିବୃତି ମଧ୍ୟ ଦିଆ ଯାଇ ନ ଥିଲା। ଉଚ୍ଚ ଶବ୍ଦ କରି ଉଡୁଥିବା ଉଡ଼ାଜାହାଜ ତୁଲ୍ୟ ଉଚ୍ଚାଟଭରା ଟ୍ରଂପ ଓ ଏକ ନିରବ ଘାତକ ବୁଡ଼ାଜାହାଜର ସ୍ବଭାବଧାରୀ ସି ଜିନପିଙ୍ଗଙ୍କ ଏହି ସାକ୍ଷାତ ସ୍ବାଭାବିକ ଭାବେ ବିଶେଷ ଉଷ୍ମ ହୋଇ ନ ଥିବ। ତଥାପି ଏହି ଭେଟ ପରେ ଅତ୍ୟୁତ୍ସାହୀ ଦିଶୁଥିବା ଟ୍ରଂପ ଆଲୋଚନାର ସଫଳତାକୁ ୧୦ରୁ ୧୨ ନମ୍ବର ଦେବା ସହିତ ନିଜେ ଚୀନର ଅତିଥି ହେବାର ଅଭିପ୍ରାୟ ପ୍ରକାଶ କରିବା ସହ ସି ଜିନପିଙ୍ଗଙ୍କୁ ଆମେରିକା ଆମନ୍ତ୍ରଣ କରି ପକାଇଥିଲେ, ଯଦିଓ ସି ଜିନପିଙ୍ଗ ସୌଜନ୍ୟମୂଳକ ସ୍ମିତ ହସ ସହିତ ରହସ୍ୟ ଘେରା ନିରବତାରେ ସେଠାରୁ ପ୍ରସ୍ଥାନ କରିଥିଲେ। ସୁତରାଂ, ବୁଝା ପଡ଼ିଥାଏ ଯେ ସି ଜିନପିଙ୍ଗଙ୍କ ସହିତ ସାକ୍ଷାତ କରି ଦ୍ବି-ପାକ୍ଷିକ ବ୍ୟାବସାୟିକ ସ୍ଥାଣୁତାକୁ କାମଚଳା ଭାବେ ହେଉ ପଛକେ କୌଣସିମତେ ଦୂର କରିବା ନେଇ ଟ୍ରଂପ ବ୍ୟାକୁଳ ଥିଲେ, ଯଦିଓ ଆମେରିକାକୁ ପୁଣି ମହାନ କରିବା ଉଦ୍ଦେଶ୍ୟରେ ତାଙ୍କ ଦ୍ବାରା ଅନୁସୃତ ଟାରିଫ ଯୁଦ୍ଧ ଭଳି ପଦକ୍ଷେପର ମାନ ରକ୍ଷା ଲାଗି ମୁହଁ ଫୁଟାଣି ସ୍ବରୂପ ଚୀନ ଉପରେ ୧୪୫-୧୫୦%ର ଟାରିଫର ଘୋଷଣା କରିବାରେ ଲାଗିଥିଲେ। ଏଭଳି ସ୍ଥିତିରେ ମିଳୁଥିବା ସନ୍ଦେଶଟି ହେଲା ଆମେରିକା ସହିତ ଗୋଟିଏ ବନ୍ଧନୀରେ ରହିବାରେ ଚୀନ ସକ୍ଷମ ହେଲାଣି। ଏବଂ ପାରସ୍ପରିକ ନିର୍ଭରଶୀଳତା ଦୃଷ୍ଟିରୁ ଚୀନ ସହିତ ଏକ ବୁଝାମଣା କରିବାରେ ଆମେରିକାର ଦାୟ ଓ ବ୍ୟାକୁଳତା ଅଧିକ।
ଯୁକ୍ତରାଷ୍ଟ୍ର ଆମେରିକା ପୃଥିବୀର ସର୍ବାଧିକ ଶକ୍ତିଶାଳୀ ଓ ବିତ୍ତଶାଳୀ ରାଷ୍ଟ୍ର ହୋଇଥିଲେ ହେଁ ତାକୁ ଅସହାୟ କରି ପକାଉଥିବା ନାଡ଼ିଟି ଯେ ଚୀନର ଅଙ୍ଗୁଳି ଟିପ ତଳେ ଦୁକୁଦୁକୁ କରୁଛି, ତାହା ହୃଦ୍ବୋଧ କରିହୁଏ। ଦୁଇଟି କାରଣରୁ ଏମିତି ଘଟିଥାଏ। ପ୍ରଥମଟି ହେଲା ସାରା ପୃଥିବୀବାସୀଙ୍କ ବ୍ୟବହାର୍ଯ୍ୟ ପ୍ରାୟ ସମସ୍ତ ଦ୍ରବ୍ୟ(ଛୋଟ-ବଡ଼ ଓ ସୂକ୍ଷ୍ମ-ସ୍ଥୂଳ)ର ପ୍ରମୂଖ କାରଖାନା ରୂପେ ଚୀନ ନିଜକୁ ପ୍ରତିଷ୍ଠା କରିପାରିଛି, ଯହିଁରୁ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ତୁଳନାତ୍ମକ ଭାବେ ସବୁଠାରୁ ଶସ୍ତା। ଏହି କାରଣରୁ ଚୀନ ହେଉଛି ପୃଥିବୀର ବୃହତ୍ତମ କାରଖାନା-ଦ୍ରବ୍ୟ ରପ୍ତାନିକାରୀ ଦେଶ। ଅତ୍ୟଧିକ ଟାରିଫ ହେତୁ ଆମେରିକାରେ ଚୀନା ଦ୍ରବ୍ୟର ଦରରେ ବୃଦ୍ଧି ଘଟିଲେ, ସେ ସବୁର ବ୍ୟବହାରକାରୀ ଅଗଣିତ ଆମେରିକୀୟ ଏଥିରେ ରୁଷ୍ଟ ହେବା ସ୍ବାଭାବିକ। କାରଣ ମୂଲ୍ୟ ଦୃଷ୍ଟିରୁ ଚୀନା ଦ୍ରବ୍ୟ ବିକଳ୍ପଶୂନ୍ୟ ହୋଇଥାଏ। ଚୀନା ଦ୍ରବ୍ୟର ଚାହିଦା ଆମେରିକାରେ କେତେ ଅଧିକ, ତାହା କେବଳ ଏଥିରୁ ସ୍ପଷ୍ଟ ହୁଏ ଯେ ଆମେରିକାକୁ ଚୀନା ଦ୍ରବ୍ୟର ରପ୍ତାନି ମୂଲ୍ୟ ହେଉଛି ୪୪୦ ବିଲିଅନ ଡଲାର। ଏହି କାରଣରୁ ଟ୍ରଂପଙ୍କ ପକ୍ଷରୁ ଚୀନ ଉପରେ ବର୍ଦ୍ଧିତ ଟାରିଫକୁ କାର୍ଯ୍ୟକାରୀ ମଧ୍ୟ କରାଯାଇ ପାରୁ ନ ଥିଲା। ଦ୍ବିତୀୟଟି ହେଲା ଖଣିଜ ବିରଳ ମୃତ୍ତିକାର ଯୋଗାଣକାରୀ ରାଷ୍ଟ୍ର ରୂପେ ଚୀନର ପ୍ରାଧାନ୍ୟ; ପ୍ରକାଶ ଥାଉ କି ପୃଥିବୀର ସମୁଦାୟ ବିରଳ ମୃତ୍ତିକା ଭଣ୍ଡାରର ୬୦% ଚୀନ ଦ୍ବାରା ଅଧିକୃତ; ଏବଂ ତା’ର ବିଶୋଧନ ଓ ‘ଆଲୟ’ ପ୍ରସ୍ତୁତିର ପ୍ରଯୁକ୍ତିରେ ଚୀନର ପୂର୍ଣ୍ଣ ଏକଚାଟିଆ ହେତୁ ପୃଥିବୀର ସମୁଦାୟ ଚାହିଦାର ୯୦% ଚୀନ ହିଁ ପୂରଣ କରିଥାଏ। ମୋବାଇଲ ଫୋନରୁ ନେଇ କଂପ୍ୟୁଟର ଦେଇ ଇଲେକ୍ଟ୍ରିକ ଭେଇକଲ ପର୍ଯ୍ୟନ୍ତ ସବୁରି ନିର୍ମାଣରେ ବିରଳ ମୃତ୍ତିକା ମାଗନେଟ୍ ଅପରିହାର୍ଯ୍ୟ ହୋଇଥିବାରୁ ତାହାର ଯୋଗାଣ ପଥ ଉନ୍ମୁକ୍ତ ରହିବା ନେଇ ଆମେରିକା ଉଦ୍ବିଗ୍ନ ହେବା ସ୍ବାଭାବିକ। ପ୍ରକାଶ ଥାଉ କି ଉପଲବ୍ଧତା ଦୃଷ୍ଟିରୁ ବିରଳ ମୃତ୍ତିକା ଆଦୌ ବିରଳ ନୁହେଁ; କେବଳ ଯାହା ଏହି ଧାତୁର ଗୁଣ ତାକୁ ବିରଳ ପର୍ଯ୍ୟାୟଭୁକ୍ତ କରିଥାଏ। କିନ୍ତୁ ମୂଳ କଥା ହେଲା, ଏହାର ବିଶୋଧନ ଓ ଆଲୟ ପ୍ରସ୍ତୁତିର ପ୍ରଯୁକ୍ତିରେ ଚୀନ ସବୁ ଦେଶଙ୍କ ତୁଳନାରେ ଆଗୁଆ। ଅବଶ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ଏ କ୍ଷେତ୍ରରେ ସ୍ବାବଲମ୍ବୀ ହେବା ଲାଗି ଅତ୍ୟନ୍ତ ବ୍ୟଗ୍ର, ଯେଉଁ କାରଣରୁ ୟୁକ୍ରେନ ଓ ଗ୍ରୀନଲାଣ୍ଡର ବିରଳ ମୃତ୍ତିକା ଖଣି ଉପରେ ଟ୍ରଂପଙ୍କ ଆଖି ରହିଛି; କିନ୍ତୁ, ଏହା କାଳସାପେକ୍ଷ ହେବ, ହୁଏତ ସର୍ବନିମ୍ନ ଗୋଟିଏ ଦଶନ୍ଧି ବା ଅଧିକ ଲାଗି ଯାଇପାରେ। ଏଠାରେ ପ୍ରଣିଧାନଯୋଗ୍ୟ ବିଷୟଟି ହେଲା ଚାରି ଦଶନ୍ଧି ପୂର୍ବରୁ ବିରଳ ମୃତ୍ତିକାର ଭବିଷ୍ୟତ୍ ଚାହିଦା ବିଷୟ ଅନୁମାନ କରି ଚୀନର ତତ୍କାଳୀନ ଶାସନ ମୁଖ୍ୟ ଝାଓ ଜିଆଙ୍ଗ ଏ କ୍ଷେତ୍ରରେ ଏକାଧିପତ୍ୟ ହାସଲ କରିବାର ପରାମର୍ଶ ଦେଇଥିଲେ, ଯାହାକୁ ଚୀନ ଦେଶ ନୀତିଗତ ଭାବେ ଗ୍ରହଣ କରିଥିଲା। କହିବା ବାହୁଲ୍ୟ ଯେ ପୃଥିବୀକୁ ଧୀରେ ଧୀରେ ଆପଣା ପ୍ରଭାବର ଅଧୀନସ୍ଥ କରିବାକୁ ଚୀନର ଉଦ୍ୟମ ସଫଳ ହୋଇଛି, ଯାହା ପଛରେ ନିହିତ ଅଛି ଦୂରଦୃଷ୍ଟି ଓ ସ୍ବପ୍ନ ଚରିତାର୍ଥ କରିବାର ଦୃଢ଼ ସଂକଳ୍ପ। ଅବଶ୍ୟ, ଚୀନ ମଧ୍ୟ ‘ଏନଭିଡିଆ’ ଭଳି ଅତି ଉଚ୍ଚକୋଟୀର ଚିପ୍ ସକାଶେ ଆମେରିକା ଉପରେ ନିର୍ଭର କରିଥାଏ ଏବଂ ସାଂପ୍ରତିକ ଟାରିଫ ଯୁଦ୍ଧର ପରିବେଶ ଚୀନକୁ ଏ ନେଇ ମଧ୍ୟ ଘୋର ବିବ୍ରତ କରୁଥିବ। କିନ୍ତୁ ଚୀନୀୟ ରାଷ୍ଟ୍ର ମୁଖ୍ୟମାନେ କ୍ବଚିତ୍ ବ୍ୟାକୁଳତା କି ରୋଷଭରା ଉଚ୍ଚାଟ ପ୍ରଦର୍ଶନ କରନ୍ତି। ଏଭଳି ଆଭିମୁଖ୍ୟ ଶକ୍ତିଶାଳୀ ପ୍ରତିପକ୍ଷକୁ ମଧ୍ୟ ଅସହାୟ କରି ପକାଏ।
ଏକ ଭିନ୍ନ ପ୍ରସଙ୍ଗରେ ହୋଇଥିଲେ ହେଁ ଚୀନର ଦୂରଦୃଷ୍ଟି କିଭଳି ସୁଦୂରପ୍ରସାରୀ, ତା’ର ଆଉ ଏକ ଦୃଷ୍ଟାନ୍ତ ବିଶେଷ ପ୍ରଣିଧାନଯୋଗ୍ୟ। ଏକ ବହୁଳ ବ୍ୟବହୃତ ଧାତୁ ହିସାବରେ ଆଲୁମିନିଅମର ଚାହିଦା ଭବିଷ୍ୟତରେ ସର୍ବାଧିକ ହେବ ବୋଲି ଅନୁମାନ କରି ଚୀନ ପକ୍ଷରୁ ଇଣ୍ଡୋନେସିଆ ଏବଂ ଆଫ୍ରିକାର ଗିନି ଓ ନାଇଜେରିଆରେ ବୃହତ୍ ସ୍ମେଲଟର ପ୍ଲାଣ୍ଟମାନ ସ୍ଥାପନ କରାଯାଉଛି(‘ବ୍ଲୁମବର୍ଗ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ)। ଆଲୁମିନିଅମ କାରଖାନା ମାତ୍ରାତିରିକ୍ତ ଶକ୍ତି ନିର୍ଭର ହୋଇଥିବାରୁ ଚୀନ ସରକାର ପରିବେଶ ସୁରକ୍ଷା ଚିନ୍ତାରେ ନିଜ ଦେଶରେ ଅଧିକ ସଂଖ୍ୟକ କୋଇଲା-ଭିତ୍ତିକ ବିଦ୍ୟୁତ୍ କେନ୍ଦ୍ରମାନ ସ୍ଥାପନ କରିବାକୁ ଆଗ୍ରହୀ ନୁହନ୍ତି। ତେଣୁ ଚୀନ ତା’ର ଆଲୁମିନିଅମ ଉତ୍ପାଦନ କ୍ଷେତ୍ରକୁ ଅନ୍ୟ ଦେଶକୁ ନିରବରେ ସଂପ୍ରସାରିତ କରୁଛି। ଚୀନ ହେଉଛି ପୃଥିବୀର ବୃହତ୍ତମ ଆଲୁମିନିଅମ ଉତ୍ପାଦନକାରୀ ଓ ରପ୍ତାନିକାରୀ ରାଷ୍ଟ୍ର। ଆଲୁମିନିଅମ ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ଭାରତର ସ୍ଥାନ ଦ୍ବିତୀୟ। କିନ୍ତୁ ତାପଜ ବିଦ୍ୟୁତ୍ କେନ୍ଦ୍ର ନିର୍ଭର ଆଲୁମିନିଅମ କାରଖାନାମାନ କ୍ରମେ ଦେଶର ଭାବମୂର୍ତ୍ତ ସକାଶେ କାଳେ ଅସ୍ବସ୍ତିର କାରଣ ହେବ ବୋଲି ଭାରତ କୌଣସି ବିକଳ୍ପ ଖୋଜିଲାଣି କି? ନିଜ ଦେଶର ବକ୍ସାଇଟ ଭଣ୍ଡାରକୁ ସୁରକ୍ଷିତ ରଖି ଅନ୍ୟ ଦେଶରେ ତାହା ଆହରଣ କରିବାର ଉଦ୍ୟମ କଲାଣି କି? ଏଭଳି ଉଦ୍ୟମ ହିଁ ଭବିଷ୍ୟତ୍ରେ କାମରେ ଆସିଥାଏ। ଚୀନୀୟ ଦୂରଦୃଷ୍ଟି ତା’ର ପ୍ରମାଣ।
Follow Us