ପିତା ପଥି

Advertisment

ବର୍ତ୍ତମାନ ଆମେରିକାରେ ରୋଗୀମାନେ ବ୍ୟବହାର କରୁଥିବା ଜେନେରିକ ଔଷଧପତ୍ରର ୪୦ ଶତାଂଶ ଆସିଥାଏ ଭାରତରୁ। ଅର୍ଥାତ୍ ଭାରତୀୟ ଜେନେରିକ୍‌ସ ରପ୍ତାନି ଯୋଗୁଁ ନିୟୁତ ନିୟୁତ ଆମେରିକୀୟ ରୋଗୀମାନେ ସ୍ବଳ୍ପ ବ୍ୟୟରେ ସ୍ବାସ୍ଥ୍ୟସେବା ପାଇ ପାରୁଛନ୍ତି।

ବର୍ତ୍ତମାନ ଆମେରିକାରେ ରୋଗୀମାନେ ବ୍ୟବହାର କରୁଥିବା ଜେନେରିକ ଔଷଧପତ୍ରର ୪୦ ଶତାଂଶ ଆସିଥାଏ ଭାରତରୁ। ଅର୍ଥାତ୍ ଭାରତୀୟ ଜେନେରିକ୍‌ସ ରପ୍ତାନି ଯୋଗୁଁ ନିୟୁତ ନିୟୁତ ଆମେରିକୀୟ ରୋଗୀମାନେ ସ୍ବଳ୍ପ ବ୍ୟୟରେ ସ୍ବାସ୍ଥ୍ୟସେବା ପାଇ ପାରୁଛନ୍ତି।

samp1

ବର୍ତ୍ତମାନ ଆମେରିକାରେ ରୋଗୀମାନେ ବ୍ୟବହାର କରୁଥିବା ଜେନେରିକ ଔଷଧପତ୍ରର ୪୦ ଶତାଂଶ ଆସିଥାଏ ଭାରତରୁ। ଅର୍ଥାତ୍ ଭାରତୀୟ ଜେନେରିକ୍‌ସ ରପ୍ତାନି ଯୋଗୁଁ ନିୟୁତ ନିୟୁତ ଆମେରିକୀୟ ରୋଗୀମାନେ ସ୍ବଳ୍ପ ବ୍ୟୟରେ ସ୍ବାସ୍ଥ୍ୟସେବା ପାଇ ପାରୁଛନ୍ତି। ଟ୍ରମ୍ପ ସେଥିରେ ବ୍ୟାଘାତ ସୃଷ୍ଟି କରିବା ଆଶା କରାଯାଏନା।

ଆଜି ଠାରୁ ଆମେରିକା ବିଦେଶରୁ ଆମଦାନି କରୁଥିବା ବ୍ରାଣ୍ଡ୍‌ଯୁକ୍ତ ଓ ପେଟେଣ୍ଟ୍‌ଯୁକ୍ତ ଔଷଧପତ୍ରମାନଙ୍କ ଉପରେ ୧୦୦ ପ୍ରତିଶତ ହାରରେ ଟାରିଫ୍ ଲାଗୁ କରିଛି। ଓଷଧ ଉତ୍ପାଦନରେ ଆମେରିକାକୁ ଆତ୍ମନିର୍ଭର କରିବା ଓ ସୁଲଭ ମୂଲ୍ୟରେ ସେଠାରେ ଉପଭୋକ୍ତାମାନଙ୍କ ପାଇଁ ଔଷଧପତ୍ର ଉପଲବ୍‌ଧ କରାଇବା ହେଉଛି ଏହି ଟାରିଫ୍ ଲାଗୁ କରିବା ପଛରେ ନିହିତ ଥିବା ସେ ଦେଶର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କର ମୁଖ୍ୟ ଉଦ୍ଦେଶ୍ୟ। ସ୍ବାଭାବିକ ଭାବରେ ଟ୍ରମ୍ପଙ୍କର ଏହି ପଦକ୍ଷେପ ଆମେରିକାକୁ ଔଷଧ ରପ୍ତାନି କରୁଥିବା ବିଦେଶୀ ଔଷଧ ଉତ୍ପାଦନକାରୀ କଂପାନିମାନଙ୍କ ମଧ୍ୟରେ ଏକ ଗୁରୁତର ଛାନିଆ ଭାବ ସୃଷ୍ଟି କରିଛି। ଭାରତୀୟ ଔଷଧ ଶିଳ୍ପ ଏନେଇ ବିଶେଷ ଭାବରେ ଆତଙ୍କିତ ହୋଇ ପଡ଼ିବା ଦେଖାଯାଇଛି ଓ ଏହାର ପ୍ରଭାବରେ ସେଆର ବଜାରରେ ଔଷଧ କଂପାନିମାନଙ୍କର ସେଆର ମୂଲ୍ୟରେ ସ୍ଖଳନ ପରିଲକ୍ଷିତ ହୋଇଛି।
ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାରଣ ଭାରତୀୟ ଔଷଧ ରପ୍ତାନିକାରୀମାନଙ୍କ ପାଇଁ ଆମେରିକା ହେଉଛି ବୃହତ୍ତମ ବିଦେଶୀ ବଜାର। ସେମାନେ ବାର୍ଷିକ ପ୍ରାୟ ଯେଉଁ ୨୦ ବିଲିଅନ ଡଲାର ମୂଲ୍ୟର ଔଷଧ ରପ୍ତାନି କରିଥାନ୍ତି, ତାହାର ପ୍ରାୟ ୩୫ ଶତାଂଶ ପ୍ରେରିତ ହୋଇଥାଏ ଆମେରିକାକୁ। ତେବେ ବର୍ତ୍ତମାନ ପାଇଁ ସେମାନଙ୍କୁ ଯାହା କିଛି ମାତ୍ରାରେ ଆଶ୍ବସ୍ତ କରୁଥିବ, ତାହା ହେଲା ଭାରତୀୟ ରପ୍ତାନିର ମୁଖ୍ୟ ଅଂଶ ହେଉଛି ବ୍ରାଣ୍ଡ୍‌ହୀନ ଜେନେରିକ ଔଷଧପତ୍ରମାନ, ଯେଉଁଗୁଡ଼ିକ ପ୍ରତି ଏବେ ଟ୍ରମ୍ପଙ୍କ ଟାରିଫ୍ ଲାଗୁ ହେବନାହିଁ। ଏହା ଭାରତୀୟ ଔଷଧ ନିର୍ମାତାମାନଙ୍କ ପାଇଁ ସାମୟିକ ଆଶ୍ବସ୍ତି ସୃଷ୍ଟି କରୁଥିଲେ ହେଁ, ସେମାନଙ୍କ ପାଇଁ ଭବିଷ୍ୟତ ସଂପୂର୍ଣ୍ଣ ବିପଦମୁକ୍ତ ବୋଲି କୁହାଯାଇ ପାରିବ ନାହିଁ।
ଡୋନାଲ୍‌ଡ ଟ୍ରମ୍ପ ଜାତୀୟ ନିରାପତ୍ତା କାରଣ ଦର୍ଶାଇ ସେଠାରେ ଧାରା ୨୩୨ ଅଧୀନରେ ଔଷଧପତ୍ର ଆମଦାନି ସଂପର୍କରେ ଚଳାଇଥିବା ଅନୁସନ୍ଧାନ ଯେ କେତେବେଳେ ଜେନେ‌ରିକ ଔଷଧପତ୍ର ଆମଦାନି ପ୍ରତି ଲାଗୁ ହୋଇଯାଇପାରେ, ତାହାର ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ। ଔଷଧ ପ୍ରସ୍ତୁତିରେ ବ୍ୟବହୃତ ସକ୍ରିୟ ଉପାଦାନ (‘ଆକ୍‌ଟିଭ ଫାର୍ମାସିଉଟିକାଲ ଇନ୍‌ଗ୍ରେଡିଏଣ୍ଟ୍‌ସ’- ‘ଏପିଆଇ’)ମାନ ଏହି ଅନୁସନ୍ଧାନ ପରିସରଭୁକ୍ତ ହୋଇଥିଲେ ହେଁ, ଏହା ଜେନେରିକ୍‌ସ ଆମଦାନି ପ୍ରତି ମଧ୍ୟ ସଂପ୍ରସାରିତ ହେବାର ସମ୍ଭାବନା ରହିଛି। ଏହି ଅନୁସନ୍ଧାନର ଅନ୍ତିମ ରିପୋର୍ଟ ଡିସେମ୍ବର ଶେଷ ସୁଦ୍ଧା ପ୍ରକାଶ ପାଇବ ଏବଂ ମାର୍ଚ୍ଚ ୨୦୨୬ ସୁଦ୍ଧା ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ଆଧାର କରି ନିଷ୍ପତ୍ତି ନେବେ। ସେତେବେଳେ ସେ ଯେ ଜେନେରିକ୍‌ସ ଉପରେ ଟାରିଫ୍ ବସାଇ ନ ଦେବେ, ତାହା କିଏ କହିବ?
ଜେନେରିକ ଔଷଧପତ୍ର ବର୍ତ୍ତମାନ ଟ୍ରମ୍ପଙ୍କର ଟାରିଫ୍ ପ୍ରହାରରୁ ଖସିଯିବା ଏକ ସଂଯୋଗ ନୁହେଁ‌; ଏହା ହେଉଛି ଏକ ସୁଚିନ୍ତିତ ଉଦାରତା। ବଜାରରେ କୌଣସି ବ୍ରାଣ୍ଡ୍ ବହନ କରୁ ନ ଥିବା ଉତ୍ତମ ମାନର ଜେନେରିକ ଔଷଧପତ୍ର ବାଣ୍ଡେଡ୍ ଔଷଧପତ୍ର ଠାରୁ ବେଶ ଶସ୍ତାରେ ଉପଲବ୍‌ଧ ହୋଇଥାଏ। ଏହା ଆମେରିକାରେ ସ୍ବାସ୍ଥ୍ୟସେବା ବ୍ୟୟକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସହାୟକ ହୋଇଥାଏ। ଆମେରିକାରେ ସୁଲଭ ଔଷଧ ଯୋଗାଣକାରୀ ସଂଗଠନ ‘ଦି ଆସୋସିଏସନ ଫର୍ ଅାକ୍‌ସେସିବ୍ଲ ମେଡିସିନ୍‌ସ’ (‘ଏଏଏମ୍’) ସତର୍କ ବାଣୀ ଶୁଣାଇଛି ଯେ ଯଦି ଜେନେରିକ୍‌ସମାନଙ୍କ ପ୍ରତି ଟାରିଫ୍ ଲାଗୁ କରାଯାଏ, ତାହା ସେଠାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିପର୍ଯ୍ୟୟ ସୃଷ୍ଟି କରିବ। ଟାରିଫ୍ ଲାଗୁ ହେଲେ ଜେନେରିକ ଔଷଧପତ୍ରମାନଙ୍କର ଦାମ୍‌ରେ ବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ସେଗୁଡ଼ିକର ଯୋଗାଣ ସଂକୁଚିତ ହୋଇ ଉପଭୋକ୍ତାମାନଙ୍କ ପାଇଁ ଏକ ଭୟଙ୍କର ସଂକଟ ସୃଷ୍ଟି ହେବ। ଏହି ସଂଗଠନ କରିଥିବା ଏକ ଅନୁଶୀଳନ ଅନୁସାରେ ଆମେରିକାର ଔଷଧପତ୍ର ନିୟନ୍ତ୍ରକ ସଂସ୍ଥା ‘ଏଫ୍‌ଡିଏ’ ଦ୍ବାରା ଅନୁମୋଦନପ୍ରାପ୍ତ ଜେନେରିକ୍‌ସମାନଙ୍କର ବ୍ୟବହାର ଦ୍ବାରା ୨୦୨୪ରେ ଆମେରିକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଘଟି ପାରିଥିବା ବ୍ୟୟ ହ୍ରାସର ପରିମାଣ ହୋଇଥିଲା ୪୬୭ ବିଲିଅନ ଡଲାର ଏବଂ ବିଗତ ଦଶନ୍ଧିରେ ଏହି ମୋଟ ସଞ୍ଚୟର ପରିମାଣ ହୋଇଛି ଏକ ବିଶାଳ ୩.୪ ଟ୍ରିଲିଅନ ଡଲାର।
ଟ୍ରମ୍ପଙ୍କ ପାଇଁ ଏହା ବିଶେଷ ଗୁରୁତ୍ବ ବହନ କରିଥାଏ। ସେ ଅବଲମ୍ବନ କରିଥିବା ଟାରିଫ୍‌ ନୀତି ଯୋଗୁଁ ଆମେରିକାରେ ଖାଉଟିମାନେ ଦରଦାମ ବୃଦ୍ଧିର ସମ୍ମୁଖୀନ ହେବେ ବୋଲି ଅର୍ଥନୀତିଜ୍ଞମାନେ ସତର୍କବାଣୀ ଶୁଣାଇ ଚାଲିଥିଲେ ହେଁ ସେ ଏଥିରୁ ନିବୃତ୍ତ ହେଉନାହାନ୍ତି। ଏ ପର୍ଯ୍ୟନ୍ତ ସେଠାରେ ଦରଦାମ ବୃଦ୍ଧି ଆତଙ୍କ ସୃଷ୍ଟିକାରୀ ସ୍ତର ଛୁଇଁ ନ ଥିଲେ ହେଁ ନିକଟ ଭବିଷ୍ୟତରେ ତାହା ଘଟିବାକୁ ଯାଉଛି ବୋଲି ଆଶଙ୍କା ପ୍ରକାଶ ପାଉଛି। ଦରଦାମ ବୃଦ୍ଧି ତାଙ୍କର ସମର୍ଥକମାନଙ୍କୁ ଟ୍ରମ୍ପଙ୍କ ପ୍ରତି ବିମୁଖ କରିବାର ସମ୍ଭାବନା ଥିବାବେଳେ, ବିଶେଷ କରି ଯଦି ସ୍ବାସ୍ଥ୍ୟସେବା ଖର୍ଚ୍ଚରେ ବୃଦ୍ଧି ଘଟେ, ତାହା ଜନସାଧାରଣଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି କରିବ। ତେଣୁ ଏହି ଭୟ ହୁଏତ ଟ୍ରମ୍ପଙ୍କୁ ଜେନେରିକ ଔଷଧପତ୍ର ଉପରେ ଟାରିଫ୍ ଲାଗୁ କରିବାରୁ ନିବୃତ୍ତ କରିପାରେ।
ଟ୍ରମ୍ପ ଆମେରିକାରେ ଔଷଧ ଶିଳ୍ପ ପ୍ରତିଷ୍ଠା ନିମିତ୍ତ ଲକ୍ଷ୍ୟ ରଖି ବର୍ତ୍ତମାନର ଟାରିଫ୍‌ ନୀତି ଅନୁସରଣ କରୁଥିଲେ ହେଁ, ଔଷଧ ଶିଳ୍ପର ବିଶେଷ ଚରିତ୍ର ଯୋଗୁଁ ତାହା ସ୍ବଳ୍ପ କାଳ ମଧ୍ୟରେ ସମ୍ଭବ ହେବା ଆଶା କରାଯାଇ ପାରିବ ନାହିଁ। ଏଥିପାଇଁ ଗୁଣାତ୍ମକ ମାନ ନିଶ୍ଚିତ କରିବା ଲାଗି ନିୟନ୍ତ୍ରକମାନଙ୍କ ଠାରୁ ଅନୁମୋଦନ ଲାଭ ଆବଶ୍ୟକ ହୋଇଥାଏ, ଯାହା ଅତ୍ୟନ୍ତ କଠୋର ହୋଇଥାଏ; ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ଉପକରଣମାନଙ୍କର ମଧ୍ୟ କଡ଼ାକଡ଼ି ଯାଞ୍ଚ କରାଯାଇଥାଏ, ବଜାର ପାଇଁ ଉତ୍ପାଦନ ଅନୁମୋଦନ ଲାଭ କରିବା ପୂର୍ବରୁ ଛେକ ପରେ ଛେକ ପରୀକ୍ଷାମୂଳକ ଉତ୍ପାଦନ କରାଯାଇଥାଏ, ଉତ୍ପାଦନରେ ନିୟୋଜିତ କର୍ମଚାରୀମାନଙ୍କୁ ଉପଯୁକ୍ତ ତାଲିମ ଦେବାକୁ ପଡ଼ିଥାଏ ଏବଂ ଏକ ଦକ୍ଷ ଓ ନିର୍ଭରଯୋଗ୍ୟ ଯୋଗାଣଶୃଙ୍ଖଳ ପ୍ରତିଷ୍ଠା ଆବଶ୍ୟକ ହୋଇଥାଏ। ଏ ସମସ୍ତ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇ କୌଣସି ଏକ ନୂତନ ଔଷଧ କାରଖାନାରେ ଉତ୍ପାଦନ ଆରମ୍ଭ ହେବା ବେଳକୁ ଡୋନାଲ୍‌ଡ ଟ୍ରମ୍ପଙ୍କର କାର୍ଯ୍ୟକାଳ ଶେଷ ହୋଇଯାଇଥିବ। ତେଣୁ ନିଜ ସ୍ବାର୍ଥ ଦୃଷ୍ଟିରୁ ଟ୍ରମ୍ପ ନିଜର କାର୍ଯ୍ୟକାଳ ମଧ୍ୟରେ ଜେନେରିକ ଔଷଧପତ୍ର ଉପରେ ଟାରିଫ୍ ଲାଗୁ କରିବା ଉଚିତ ହେବ ନାହିଁ ବୋଲି ଆଶା କରାଯାଏ।
ବର୍ତ୍ତମାନ ଆମେରିକାରେ ରୋଗୀମାନେ ବ୍ୟବହାର କରୁଥିବା ଜେନେରିକ ଔଷଧପତ୍ରର ୪୦ ଶତାଂଶ ଆସିଥାଏ ଭାରତରୁ। ଅର୍ଥାତ୍ ଭାରତୀୟ ଜେନେରିକ୍‌ସ ରପ୍ତାନି ଯୋଗୁଁ ନିୟୁତ ନିୟୁତ ଆମେରିକୀୟ ରୋଗୀମାନେ ସ୍ବଳ୍ପ ବ୍ୟୟରେ ସ୍ବାସ୍ଥ୍ୟସେବା ପାଇ ପାରୁଛନ୍ତି। ଟ୍ରମ୍ପ ସେଥିରେ ବ୍ୟାଘାତ ସୃଷ୍ଟି କରିବା ଆଶା କରାଯାଏନା। କିନ୍ତୁ ଏହା ବର୍ତ୍ତମାନ ଜଣାଶୁଣା ଯେ ଡୋନାଲ୍‌ଡ ଟ୍ରମ୍ପଙ୍କ ମସ୍ତିଷ୍କ ଯୁକ୍ତିନିଷ୍ଠ ଭାବରେ କାର୍ଯ୍ୟ କରି ନ ଥାଏ; ବ୍ୟକ୍ତିଗତ ଆବେଗ ତାଙ୍କର କାର୍ଯ୍ୟକୁ ଅଧିକ ପ୍ରଭାବିତ କରିଥାଏ। ଭାରତ ପ୍ରତି ସେ ବର୍ତ୍ତମାନ ଯେଉଁଭଳି ଖୋଲାଖୋଲି ବିଦ୍ବେଷ ପ୍ରକଟ କରିବାରେ ଲାଗିଛନ୍ତି, ତାହା ତାଙ୍କୁ ଆଗାମୀ କେତେ ମାସ ମଧ୍ୟରେ ଜେନେରିକ ଔଷଧ ଆମଦାନି ଉପରେ ଟାରିଫ୍ ଲାଗୁ କରିବାକୁ ପ୍ରବୃତ୍ତ କରିପାରେ। ଏଣୁ ପୃଥିବୀର ଅଗ୍ରଣୀ ଜେନେରିକ୍‌ସ ଉତ୍ପାଦନକାରୀ ରୂପେ ସୁଖ୍ୟାତ ଭାରତ ଏଣିକି ଆମେରିକା ବଜାର ଉପରେ ଆଉ ଅତ୍ୟଧିକ ନିର୍ଭରଶୀଳ ନ ହୋଇ, ଅବଶିଷ୍ଟ ପୃଥିବୀର ଦେଶମାନଙ୍କରେ ବ୍ୟବସାୟ ବୃଦ୍ଧି କରିବା ପାଇଁ ଜୋରସୋର ଉଦ୍ୟମ ଆରମ୍ଭ କରିଦେବା ଉଚିତ। ଏହାହିଁ ହେଉଛି ଭାରତୀୟ ଔଷଧ ଶିଳ୍ପ ପାଇଁ ଟ୍ରମ୍ପ ପରଶି ଥିବା ପିତା ପଥିକୁ ହଜମ କରିବାର ପ୍ରକୃଷ୍ଟ ଉପାୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe