editorial: ଦେଶୀଙ୍କ ଦିନ

ସଂପ୍ରତି ଭାରତ‌ରେ ପୋଷା ଜୀବଙ୍କ ବ୍ୟବସାୟର ଆକାର ହେଉଛି ଅତ୍ୟନ୍ତ ବିଶାଳ, ପ୍ରାୟ ୩.୬ ବିଲିଅନ ଡଲାର(୨୦୨୪), ଯାହାର ବୃହତ୍ତମ ଅଂଶ ବିଦେଶୀ କୁକୁର ଜାତିଙ୍କ ଦ୍ବାରା ଅଧିକୃତ। ଏକ ଆକଳନ ଅନୁସାରେ ୨୦୨୮ ମସିହା ସୁଦ୍ଧା ଆମ ଦେଶରେ ପୋଷା...

samp1

ସଂପ୍ରତି ଭାରତ‌ରେ ପୋଷା ଜୀବଙ୍କ ବ୍ୟବସାୟର ଆକାର ହେଉଛି ଅତ୍ୟନ୍ତ ବିଶାଳ, ପ୍ରାୟ ୩.୬ ବିଲିଅନ ଡଲାର(୨୦୨୪), ଯାହାର ବୃହତ୍ତମ ଅଂଶ ବିଦେଶୀ କୁକୁର ଜାତିଙ୍କ ଦ୍ବାରା ଅଧିକୃତ। ଏକ ଆକଳନ ଅନୁସାରେ ୨୦୨୮ ମସିହା ସୁଦ୍ଧା ଆମ ଦେଶରେ ପୋଷା କୁକୁରଙ୍କ ବ୍ୟବସାୟ ମୂଲ୍ୟ ପ୍ରାୟ ୭ ବିଲିଅନ ଡଲାରକୁ ବୃଦ୍ଧି ପାଇବ।

ଆମ ଦେଶରେ ବୁଲା କୁକୁରମ‌ାନଙ୍କ ସଂଖ୍ୟା, ସ୍ଥିତି ଓ ନିୟତି ଇତ୍ୟାଦି ନେଇ ଯେତେବେଳେ ଜନ ସମାଜ, ପୌରପାଳିକା ଓ ଅଦାଲତ(ସର୍ବୋଚ୍ଚ ଅଦାଲତ ସମେତ)ଙ୍କ ପର୍ଯ୍ୟନ୍ତ ଚିନ୍ତିତ ଓ ତର୍କ-ମୁଖର, ସେତିକି‌େବଳେ ଏହି ଦେଶୀ କୁକୁରଙ୍କ କୁଟୁମ୍ବର କିଛି ସଦସ୍ୟ ରାଷ୍ଟ୍ର ସକାଶେ ଯେ ଗର୍ବର ଚିହ୍ନ ହେଲେଣି, ସେ ନେଇ ହୁଏତ ଅନେକ ଅବଗତ ନ ଥିବେ। ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ସାମରିକ ବାହିନୀରେ, ବିଶେଷତଃ ‘ବି.ଏସ.ଏଫ.’ ଓ ‘ସି.ଆର.ପି.ଏଫ.’ରେ, ନିରବ ପଦାତିକ ଭାବେ କାର୍ଯ୍ୟରତ କୁକୁରମାନ ପାରଂପାରିକ ଭାବେ ବିଦେଶରୁ ଆମଦାନି ହୋଇଥିବା ଜର୍ମାନ ସେଫର୍ଡ‌୍(ଆଲସାସିଏନ୍‌ ଭାବେ ଅଧିକ ପରିଚିତ), ଲାବ୍ରାଡର ଏବଂ ବେଲଜିଆନ ମାଲିନୋଇ ହୋଇଥିବା ବେଳେ ୨୦୨୦ ମସିହା ଠାରୁ ଏହି ଧାରାରେ ପରିବର୍ତ୍ତନ ଘଟାଇ ମୁଧୋଲ ହାଉଣ୍ଡ, ରାମପୁର ହାଉଣ୍ଡ ଏବଂ ରାଜପାଲୟମ ଭଳି ସଂପୂର୍ଣ୍ଣ ଦେଶୀ ଓ ଜାତିଆ କୁକୁରମାନଙ୍କୁ ପ୍ରଶିକ୍ଷଣ ଦେଇ ଅତ୍ୟନ୍ତ ସୁଦକ୍ଷ କରାଗଲାଣି। ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସକୁ ଜାତୀୟ ଏକତା ଦିବସ ରୂପେ ପାଳନ କରାଯିବା ଅବସରରେ ଗୁଜରାଟରେ ଆୟୋଜିତ ବିଶେଷ ଉତ୍ସବରେ ପ୍ରଥମ ଥର ଲାଗି ଭାରତୀୟ ସେନାର ଏହି ଦେଶୀ ଚତୁଷ୍ପଦ ସଦସ୍ୟଙ୍କ ଚାରିଟି ଦଳ ପ୍ୟାରେଡ୍‌ରେ ଅଂଶ ଗ୍ରହଣ କରିବେ। ସଂପ୍ରତି ଭାରତୀୟ ସାମରିକ ବାହିନୀ ‘ମେକ୍ ଇନ ଇଣ୍ଡିଆ’ର ଆହ୍ବାନକୁ ଅନୁସରଣ କରି ସଂପୂର୍ଣ୍ଣ ଆତ୍ମନିର୍ଭରକ୍ଷମ ହେବାର ଉଦ୍ୟମରେ ବ୍ୟାପୃତ ଥିବା ବେଳେ ଉପରୋକ୍ତ ଦେଶୀ ଶ୍ବାନ ଜାତି ସାଫଲ୍ୟର ଉଦାହରଣ ଭାବେ ଛିିଡ଼ା ହେଲେଣି, ଯେଉଁ ସମ୍ବନ୍ଧରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ପ୍ରକାଶ ଥାଉ କି ୨୦୨୦ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ ଉପର ବର୍ଣ୍ଣିତ କୁକୁର ଜାତିଗୁଡ଼ିକୁ ସେନାବାହିନୀରେ ଅନ୍ତର୍ଭୁକ୍ତ କରିବା ନେଇ ଆଗ୍ରହ ପ୍ରକାଶିତ ହୋଇଥିଲା, ଯାହା ପରେ ୧୫୦ଟି ମୁଧୋଲ ହାଉଣ୍ଡ ଏବଂ ରାମପୁର ହାଉଣ୍ଡ ଶାବକଙ୍କୁ ଯୋଗାଡ଼ କରାଯାଇ ‌େବଙ୍ଗାଲୁରୁ ଓ ମିରଟସ୍ଥିତ ମିଲିଟାରି ଶ୍ବାନ ପ୍ରଶିକ୍ଷଣ କେନ୍ଦ୍ରରେ ଟ୍ରେନିଂ ଦିଆଯିବାର ପ୍ରକରଣ ପ୍ରାରମ୍ଭ ହୋଇଥିଲା। ତା’ ପରଠାରୁ ପାଞ୍ଚ ବର୍ଷର ଅବଧି ମଧ୍ୟରେ ଏହି କୁକୁରଗୁଡ଼ିକ ଅତ୍ୟନ୍ତ ସନ୍ତୋଷଜନକ ପ୍ରଦର୍ଶନ କରି ପ୍ରିୟଭାଜନ ହୋଇ ପାରିଛନ୍ତି। ଅଭିଜ୍ଞ କୁକୁର ପ୍ରଶିକ୍ଷକମାନେ କହିଥାଆନ୍ତି ଯେ ଦେଶୀ ଗୁଣସୂତ୍ରର ଅଧିକାରୀ ଏହି କୁକୁରଗୁଡ଼ିକ ଭାରତୀୟ ଜଳବାୟୁ ସହିତ ଚମତ୍କାର ଭାବେ ଖାପ ଖୁଆଇ ପାରିବେ ଏବଂ ରୋଗ ପ୍ରତିରୋଧକ ଶକ୍ତି ଓ ପ୍ରତିକୂଳତାକୁ ସହ୍ୟ କରିବାର କ୍ଷମତା ପରିପ୍ରେକ୍ଷୀରେ ବିଦେଶୀ ସହଯୋଗୀଙ୍କ ତୁଳନାରେ ଅଧିକ ସମର୍ଥ ହେବେ। ଉଭୟ ମୁଧୋଲ ହା‌ଉଣ୍ଡ ଓ ରାମପୁର ହାଉଣ୍ଡ ଜାତିର କୁକୁରଗୁଡ଼ିକ ଅତ୍ୟନ୍ତ ବୁଦ୍ଧିମାନ ଏବଂ ବେଗବାନ, ଯେଉଁମାନେ ପୂର୍ଣ୍ଣ ବେଗରେ ଅବିଶ୍ରାନ୍ତ ଭାବେ କୋଡ଼ିଏ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ିବାକୁ ସକ୍ଷମ। ଏହି ପାଞ୍ଚ ବର୍ଷ ମଧ୍ୟରେ ଏମାନେ ଜାମ୍ମୁ କାଶ୍ମୀରର ବାରମୂଳା ଓ ଅନନ୍ତନାଗ ଏବଂ ଛତିଶଗଡ଼ରେ ଅନେକ ଆତଙ୍କବାଦୀ ଓ ନକ୍ସଲ ବିରୋଧୀ ଅଭିଯାନରେ ଚିତ୍ତାକର୍ଷକ ପ୍ରଦର୍ଶନ କରି ସାମର୍ଥ୍ୟର ସ୍ବୀକୃତି ପତ୍ର ମଧ୍ୟ ହାସଲ କଲେଣି। ଗଲା ବର୍ଷ ସି.ଆର.ପି.ଏଫ.ର କେ-୯ ୟୁନିଟ୍‌ର ଏକ ଦେଶୀ ଚତୁଷ୍ପଦ ସଦସ୍ୟ ଛତିଶଗଡ଼ର ଜଙ୍ଗଲରେ ଆଠ କିଲୋଗ୍ରାମ ଓଜନର ବିସ୍ଫୋରକ ଠାବ କରି ଏକ ଅତ୍ୟନ୍ତ ସାଂଘାତିକ ଅନ୍ତର୍ଘାତୀ ଉଦ୍ୟମକୁ ପଣ୍ଡ କରିଦେବା ସହିତ ପ୍ରଧାନମନ୍ତ୍ରୀଙ୍କ ‘ମନ କୀ ବାତ୍‌’ରେ ଉଲ୍ଲେଖ‌‌ଯୋଗ୍ୟ ହୋଇପାରିଥିଲା। ସେହି ଭଳି ଗଲା ବର୍ଷ ଏକ ପ୍ରତିଯୋଗିତାରେ ରିୟା ନାମଧାରିଣୀ ଏକ ମୁଧୋଲ ହାଉଣ୍ଡ ଚମତ୍କାର ପ୍ରଦର୍ଶନ କରି ୧୧୬ଟି ବିଦେଶୀ ମିଲିଟାରି କୁକୁରଙ୍କୁ ପରାସ୍ତ କରି ସର୍ବଶ୍ରେଷ୍ଠର ମାନ୍ୟତା ଲାଭ କରିଥିଲା। ଦିନେ ‘ଦେଶୀ’ମାନଙ୍କର ଯେ ‘ଦିନ’ ଆସିବ, ତା’ର ଉଦାହରଣ ଓ ପ୍ରମାଣ ଭାବେ ଏହି କୁକୁରଗୁଡ଼ିକ ସଂପ୍ରତି ବିଦ୍ୟମାନ।
ମୁଧୋଲ ହାଉଣ୍ଡ, ରାମପୁର ହାଉଣ୍ଡ ଓ ରାଜପାଲୟମ ଭଳି କୁକୁର ଜାତିଙ୍କୁ ତିନି ଶହରୁ ପାଞ୍ଚ ଶହ ବର୍ଷ ଅତୀତରେ, ସୁଲିଖିତ ଦସ୍ତାବେଜ ଆଧାରରେ ଠାବ କରାଯାଇପାରେ, ଯେଉଁମାନେ ତତ୍କାଳୀନ ଅଭିଜାତ ରାଜା ଓ ନୱାବ ପରିବାରର ତତ୍ତ୍ବାବଧାନରେ ପ୍ରତିପାଳିତ ହେଉଥିଲେ ଏବଂ ସେମାନଙ୍କ ପ୍ରତ୍ୟକ୍ଷ ପୃଷ୍ଠପୋଷକତାରେ ବଂଶ ବୃଦ୍ଧି କରୁଥିଲେ। ଶିକାର ଠାରୁ ଆରମ୍ଭ କରି ଯୁଦ୍ଧ ଅଭିଯାନ ପର୍ଯ୍ୟନ୍ତ ସେମାନେ ଏହି ସଂଭ୍ରାନ୍ତ ଖାଉନ୍ଦମାନଙ୍କ ସହଗାମୀ ହେଉଥିଲେ। ମୁଧୋଲ ହାଉଣ୍ଡ, ରାମପୁର ହାଉଣ୍ଡ ଏବଂ ରାଜପାଲୟମ ଜାତି ସେମାନଙ୍କ ନାମ ପାଇଛନ୍ତି ସେମାନଙ୍କ ମୂଳ ବାସସ୍ଥାନରୁ ଯାହା ଯଥାକ୍ରମେ କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଓ ତାମିଲନାଡୁରେ ଅବସ୍ଥିତ। 
ଊନବିଂଶ ଶତାବ୍ଦୀର ପ୍ରାରମ୍ଭ କାଳରେ ମୁଧୋଲ ରାଜା ମାଲୋଜୀ ରାଓ ଘୋରପଡ଼େଙ୍କ ପକ୍ଷରୁ ଦୁଇଟି ମୁଧୋଲ ହାଉଣ୍ଡ ଶାବକ ତତ୍କାଳୀନ ଇଂଲାଣ୍ଡ ରାଜା ପଞ୍ଚମ ଜର୍ଜଙ୍କୁ ଉପହାର ଭାବେ ପ୍ରଦାନ କରାଯାଇଥିବା ବିଷୟ ଇତିହାସରେ ବର୍ଣ୍ଣିତ। ମରହଟ୍ଟାମାନେ ଯୁଦ୍ଧ ଅଭିଯାନ ବେଳେ ମଧ୍ୟ ମୁଧୋଲ ହା‌ଉଣ୍ଡମାନଙ୍କୁ ବ୍ୟବହାର କରୁଥିଲେ। ରାମପୁର ନୱାବ ପରିବାରର ପୃଷ୍ଠପୋଷକତାପ୍ରାପ୍ତ ରାମପୁର ହାଉଣ୍ଡଗୁଡ଼ିକ ମୋଗଲ ସମ୍ରାଟମାନଙ୍କର ମଧ୍ୟ ପ୍ରିୟପାତ୍ର ଥିଲେ। ସେମିତି ତାମିଲନାଡୁର ନାୟକ ରାଜବଂଶର ତତ୍ତ୍ବାବଧାନରେ ରାଜପାଲୟମ ଜାତିର ବିସ୍ତାର ଘଟିଥିଲା। ତେବେ, ଦେଶ ସ୍ବାଧୀନ ହେଲା ପରେ ରାଜା ଓ ନୱାବମାନେ ଅପସୃତ ହୋଇଯିବା ସହିତ ଏହି କୁକୁରମାନଙ୍କ ସଂଖ୍ୟାରେ ତୀବ୍ର ହ୍ରାସ ଘଟିଥିଲା। ଏପରିକି ଏହି ଜାତିର କିଛି କୁକୁର ଘଟଣାଚକ୍ରରେ ଆଶ୍ରୟହୀନ ହୋଇ ବୁଲାରେ ପରିଣତ ହେଲେ, ଯେଉଁମାନଙ୍କ ଗୁଣମାନର ଅଂଶ ବହନ କରି ମିଶ୍ରିତ ଜାତିର କୁକୁର ବିଭିନ୍ନ ସଡ଼କରେ ଘୂରି ବୁଲୁଛନ୍ତି ଏବଂ ସେମାନଙ୍କ ଶାରୀରିକ ଗଠନର ସ୍ବାତନ୍ତ୍ରୢ ଓ ଠାଣିମାଣି ସେମାନଙ୍କୁ ସେହି ଆଭିଜାତ୍ୟଭରା ଅତୀତ ସହିତ ‌େଯା‌ଡ଼ିଥାଏ। ସେହି ଦୃଷ୍ଟିରୁ କୁହାଯାଇପାରେ ଯେ ପ୍ରଧାନମନ୍ତ୍ରୀଙ୍କ ଆଗ୍ରହ ହେତୁ ଏଭଳି କୁକୁର ଜାତିଙ୍କ ପୁନରଭ୍ୟୁଦୟ ଘଟିଛି। ପ୍ରକାଶ ଥାଉ କି ସଂପ୍ରତି ଭାରତ‌ରେ ପୋଷା ଜୀବଙ୍କ ବ୍ୟବସାୟର ଆକାର ହେଉଛି ଅତ୍ୟନ୍ତ ବିଶାଳ, ପ୍ରାୟ ୩.୬ ବିଲିଅନ ଡଲାର(୨୦୨୪), ଯାହାର ବୃହତ୍ତମ ଅଂଶ ବିଦେଶୀ କୁକୁର ଜାତିଙ୍କ ଦ୍ବାରା ଅଧିକୃତ। ଏକ ଆକଳନ ଅନୁସାରେ ୨୦୨୮ ମସିହା ସୁଦ୍ଧା ଆମ ଦେଶରେ ପୋଷା କୁକୁରଙ୍କ ବ୍ୟବସାୟ ମୂଲ୍ୟ ପ୍ରାୟ ୭ ବିଲିଅନ ଡଲାରକୁ ବୃଦ୍ଧି ପାଇବ। ଏଭଳି ସ୍ଥଳେ ଆଶା କରାଯାଇପାରେ ଯେ ଅନେକତ୍ର ଜାତିଆ ଦେଶୀ କୁକୁରଙ୍କ ଦ୍ବାରା ବିଦେଶୀମାନେ ବିସ୍ଥାପିତ ହୋଇପାରନ୍ତି। ଏବଂ କେବଳ ସେତିକି ନୁହେଁ, ଉପର ବର୍ଣ୍ଣିତ ଏହି ଶ୍ବାନ ଜା‌ତି ମଧ୍ୟ ସେମାନଙ୍କ ଉତ୍କୃଷ୍ଟ ଗୁଣବତ୍ତା ଲାଗି ବିଦେଶରେ ମଧ୍ୟ ଆଦୃତ ହେବେ।
ସେନା ବାହିନୀରେ ପ୍ରାୟ ୭ ବର୍ଷ କାର୍ଯ୍ୟ କଲା ପରେ ଏହି ସାହସୀ ସୈନିକମାନଙ୍କୁ ଅବସର ପ୍ରଦାନ କରାଯାଏ, ଯାହା ପରେ ସେମାନେ ପେନସନ ପାଇବା ସହିତ ଅବସର ପରବର୍ତ୍ତୀ ସେବା କେନ୍ଦ୍ରଗୁଡ଼ିକରେ ଯତ୍ନ ଓ ସ୍ନେହର ବାତାବରଣରେ କାଳ କାଟନ୍ତି। ତେବେ ସଂପ୍ରତି ଏହି ଅତି ବୁଦ୍ଧିମାନ, ସୁପ୍ରଶିକ୍ଷିତ ଓ ସୁଶୀଳ ଜନ୍ତୁଗୁଡ଼ିକୁ କେତେକ ‘ଆଶା’ ସ୍କୁଲ‌ ସହିତ ସଂଯୁକ୍ତ କରାଯାଇ ମାନସିକ ଭିନ୍ନକ୍ଷମ ପିଲାମାନଙ୍କ ସହିତ ସମୟ କାଟିବାରେ ନିୟୋଜିତ କରାଯାଉଛି, ଯେଉଁଠି ଏହି ପଶୁମାନଙ୍କ ନିଷ୍କପଟ ଶ୍ରଦ୍ଧା ଓ ସାନ୍ନିଧ୍ୟ ଲାଭ କରି ପିଲାମାନଙ୍କ ଜୀବନ ରସାଣିତ ହେଉଛି। କହିବାର ତାତ୍ପର୍ଯ୍ୟ ହେଲା ଦେଶ ଓ ସମାଜ ହିତରେ ଏମା‌ନଙ୍କ ଜୀବନ ଶେଷ ପର୍ଯ୍ୟନ୍ତ ବିନିଯୁକ୍ତ ହେଉଛି। ତେବେ ଆଜିର ଏହି ଅବସରରେ ଏକ ଅସଂଗତି ମଧ୍ୟ ଦିଶୁଛି, ଯାହା ହେଲା ଆଜିର ପରେଡ୍‌ରେ ରାଷ୍ଟ୍ର ସମକ୍ଷରେ ସେମାନଙ୍କ କତିପୟ ଭାଇ ଭଉଣୀ ଦର୍ପିତ ଠାଣିରେ ଚାଲିଲେଣି ବୋଲି ଜାଣିବାର ସୌଭାଗ୍ୟ ଗୃହ ପରିତ୍ୟକ୍ତ ଓ ସଡ଼କାଶ୍ରୟୀ ପ୍ରାୟ ‌େଦଢ଼ କୋଟି ଦେଶୀ କୁକୁରଙ୍କ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe