ଏଥର ହାତ ମଇଳା କର

Advertisment

ମନେ ରଖିବା କଥା ଭାରତ ତା’ର ମୋଟ ବିରଳ ମୃତ୍ତିକା ଆବଶ୍ୟକତାର ଏକ ଉଚ୍ଚା ୮୧ ଶତାଂଶ ପୂରଣ ନିମିତ୍ତ କେବଳ ଚୀନ୍ ଉପରେ ନିର୍ଭର କରିଥାଏ। ବର୍ତ୍ତମାନ ଚୀନ୍ ସହିତ ବୁଝାମଣା ପରେ ହୁଏତ ଚୀନ୍ ଏବେ ତା’ର କଟକଣା କୋହଳ କରିପାରେ।

ମନେ ରଖିବା କଥା ଭାରତ ତା’ର ମୋଟ ବିରଳ ମୃତ୍ତିକା ଆବଶ୍ୟକତାର ଏକ ଉଚ୍ଚା ୮୧ ଶତାଂଶ ପୂରଣ ନିମିତ୍ତ କେବଳ ଚୀନ୍ ଉପରେ ନିର୍ଭର କରିଥାଏ। ବର୍ତ୍ତମାନ ଚୀନ୍ ସହିତ ବୁଝାମଣା ପରେ ହୁଏତ ଚୀନ୍ ଏବେ ତା’ର କଟକଣା କୋହଳ କରିପାରେ।

samp1

ମନେ ରଖିବା କଥା ଭାରତ ତା’ର ମୋଟ ବିରଳ ମୃତ୍ତିକା ଆବଶ୍ୟକତାର ଏକ ଉଚ୍ଚା ୮୧ ଶତାଂଶ ପୂରଣ ନିମିତ୍ତ କେବଳ ଚୀନ୍ ଉପରେ ନିର୍ଭର କରିଥାଏ। ବର୍ତ୍ତମାନ ଚୀନ୍ ସହିତ ବୁଝାମଣା ପରେ ହୁଏତ ଚୀନ୍ ଏବେ ତା’ର କଟକଣା କୋହଳ କରିପାରେ। ଏହା କିନ୍ତୁ ନିଶ୍ଚିତ ରୂପେ ସମସ୍ୟାର ଏକ ଦୀର୍ଘକାଳୀନ ସମାଧାନ ନୁହେଁ।

ଏହାକୁ ନେଇ ଝଗଡ଼ା କରିବା ପରିବର୍ତ୍ତେ ଆପୋସ କଥାବାର୍ତ୍ତା ମାଧ୍ୟମରେ ଏକ ସମାଧାନର ବାଟ ଫିଟାଇବାକୁ ଚେଷ୍ଟା କରିବା ନିମିତ୍ତ ଭାରତ ଓ ଚୀନ୍ ଗତ ଗୁରୁବାର ଦିନ ଏକ ବିବୃତ୍ତି ଜାରି କରିଛନ୍ତି। ଏହି ବସ୍ତୁକୁ ହିଁ ବ୍ୟବହାର କରି ଚୀନ୍ ଶେଷରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କୁ ସେ ଆରମ୍ଭ କରିଥିବା ବାଣିଜ୍ୟ ଯୁଦ୍ଧରେ ତା’ ନିକଟରେ ଏକରକମ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଛି। ଏହି ଅସାଧାରଣ କ୍ଷମତାସଂପନ୍ନ ବସ୍ତୁ ବା ବସ୍ତୁଗୁଡ଼ିକର ନାମ ହେଉଛି ‘ବିରଳ ମୃତ୍ତିକା’ ବା ବର୍ତ୍ତମାନ ବହୁଚର୍ଚ୍ଚିତ ‘ରେଆର୍ ଆର୍ଥ’ ବା ପୂରା ନାମ- ‘ରେଆର୍ ଆର୍ଥ ଏଲିମେଣ୍ଟ୍‌ସ’।
ଏହି ନାମ ମଧ୍ୟ ଏକ ବିଡ଼ମ୍ବନା ବହନ କରିଥାଏ; କାରଣ ପୃଥିବୀ ପୃଷ୍ଠରେ ଏହି ୧୭ଟି ଧାତବ ପଦାର୍ଥମାନଙ୍କର ଉପସ୍ଥିତି ଆଦୌ ବିରଳ ହୋଇ ନ ଥାଏ, ବରଂ ସେମାନେ ଧାରଣ କରୁଥିବା କେତେକ ଭୂ-ରାସାୟନିକ ଚରିତ୍ର ଯୋଗୁଁ ସେମାନେ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ କେନ୍ଦ୍ରୀଭୂତ ହେବା ପରିବର୍ତ୍ତେ ବ୍ୟାପକ ଅଞ୍ଚଳରେ ବିକ୍ଷିପ୍ତ ହୋଇ ରହିଥାନ୍ତି। ଏହାର ଫଳସ୍ବରୂପ ଏହି ଧାତବ ପଦାର୍ଥମାନଙ୍କର ଉତ୍ତୋଳନ ଓ ସଂଗ୍ରହ ସହଜ ହୋଇ ନ ଥାଏ, ଯେମିତି ଅନ୍ୟାନ୍ୟ କେନ୍ଦ୍ରୀଭୂତ ଧାତୁମାନଙ୍କ କ୍ଷେତ୍ରରେ ଘଟିଥାଏ। ଯଥେଷ୍ଟ ତଥା ବ୍ୟବହାରଯୋଗ୍ୟ ପରିମାଣରେ ଏହି ବିରଳ ମୃତ୍ତିକା ସଂଗ୍ରହ କରିବାକୁ ହେଲେ ଅପ୍ରମିତ ପରିମାଣର ବିଦ୍ୟୁତ୍ ଶକ୍ତି ଓ ବିପୁଳ ପରିମାଣର ପରିବେଶ କ୍ଷତିକାରକ ରାସାୟନିକ ପଦାର୍ଥମାନଙ୍କର ବ୍ୟବହାର ଆବଶ୍ୟକ ହୋଇଥାଏ। ତେଣୁ ଏଗୁଡ଼ିକ ସହଜରେ ଉପଲବ୍‌ଧ ହୋଇ ନଥାନ୍ତି ଓ ବିରଳ ବିବେଚିତ ହୋଇଥାନ୍ତି।
ବିରଳ ମୃତ୍ତିକା ଧାତୁମାନ ପୁଣି ଅନେକ ସମୟରେ ୟୁରାନିଅମ୍ କିମ୍ବା ଥୋରିଅମ୍ ଭଳି ବିକୀରଣଶୀଳ ମୌଳିକ ପଦାର୍ଥମାନଙ୍କ ସହିତ ମିଶିକରି ରହିଥାନ୍ତି। ଏମାନଙ୍କୁ ସେଥିରୁ ଅଲଗା କରିବା ପାଇଁ ଏକ କୃତ୍ରିମ ଜଳାଶୟରେ ସଲ୍‌ଫେଟ୍, ଆମୋନିଆ, ହାଇଡ୍ରୋକ୍ଲୋରିକ୍‌ ଏସିଡ୍ ଭଳି କ୍ୟାନସର ସୃଷ୍ଟିକାରୀ ବିଷାକ୍ତ ପଦାର୍ଥ ବ୍ୟବହାର କରିବାକୁ ହୋଇଥାଏ, ଯେଉଁ ପ୍ରକ୍ରିୟାକୁ ଲିଚିଙ୍ଗ୍ ରୂପେ ଅଭିହିତ କରାଯାଇଥାଏ, ଏବଂ ସଂପୃକ୍ତ ଜଳାଶୟକୁ ସେଥିପାଇଁ ‘ଲିଚିଙ୍ଗ୍ ପଣ୍ଡ୍’ ରୂପେ ନାମିତ କରାଯାଇଥାଏ। ଏହି ‘ଲିଚିଙ୍ଗ୍ ପଣ୍ଡ୍’ଗୁଡ଼ିକୁ ଯଦି କଡ଼ାକଡ଼ି ଭାବରେ ନିବୁଜ କରା ନ ଯାଏ, ତେବେ ତାହାର ବିଷାକ୍ତ ଜଳ ଅନ୍ୟାନ୍ୟ ଜ‌ଳସ୍ରୋତ ଓ ଭୂତଳ ଜଳକୁ ବିଷାକ୍ତ କରି ଜନସାଧାରଣଙ୍କ ପାଇଁ ଭୟଙ୍କର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।
ପୃଥିବୀର ଅଧିକାଂଶ ଦେଶମାନେ ତେଣୁ ସାବଧାନତା ଅବଲମ୍ବନ କରି ଏହି ବିରଳ ମୃତ୍ତିକା ଉତ୍ତୋଳନ ଠାରୁ ଦୂରେଇ ରହିଥିବାବେଳେ କମ୍ୟୁନିଷ୍ଟ ଏକଛତ୍ର ଶାସନାଧୀନ ଚୀନ୍ ଏଥିପ୍ରତି ଭ୍ରୂକ୍ଷେପ ନ କରି ୧୯୮୦ ଦଶକରୁ ସେଠାରେ ବ୍ୟାପକ ଭାବରେ ଉପଲବ୍‌ଧ ବିରଳ ମୃତ୍ତିକାମାନ ସଂଗ୍ରହରେ ନିଜକୁ ସଂପୂର୍ଣ୍ଣ ରୂପେ ନିୟୋଜିତ କରିଦେଇଛି। ସେଠାରେ ଏହାର ପ୍ରତିବାଦ କରିବା ପାଇଁ କାହାରି ସାହସ ନାହିଁ, ଏହି କାର୍ଯ୍ୟ ପାଇଁ ଶସ୍ତାରେ ଶ୍ରମ ଉପଲବ୍‌ଧ ଏବଂ ଏହାର ପ୍ରକ୍ରିୟାକରଣ ନିମିତ୍ତ ବିସ୍ତୃତ ଜନବସତିହୀନ ମରୁଭୂମି ଅଞ୍ଚଳ ଉପଲବ୍‌ଧ ଅଛି। ସରକାରୀ ପ୍ରୋତ୍ସାହନ ଲାଭ କରି ଚୀନ୍ ୧୯୯୦ ଦଶକ ଠାରୁ ପୃଥିବୀରେ ବିରଳ ମୃତ୍ତିକା ଯୋଗାଣରେ ଏକରକମ ଏକଚାଟିଆ ଅଧିକାର ଉପଭୋଗ କରିଆସୁଛି କହିଲେ ଚଳେ। ପରିସ୍ଥିତି ଏପରି ହୋଇଛି ଯେ ଯେହେତୁ ଚୀନ୍ ବିରଳ ମୃତ୍ତିକା ସଂଗ୍ରହ ସଂପର୍କିତ ବିଷାକ୍ତ ମଇଳା ସଫେଇ କାର୍ଯ୍ୟ କରିବାକୁ ଆଗେଇ ଆସିଛି, ଆମେରିକା ଭଳି ଦେଶମାନେ ଆଉ ନିଜ ଦେଶରେ ସେ ସଫେଇ କାର୍ଯ୍ୟ ନ କରି ଅର୍ଥାତ୍ ନିଜ ହାତ ମଇଳା ନ କରି ନିଜ ଦେଶରେ ସଂଗ୍ରହ କରାଯାଇଥିବା ମୃତ୍ତିକାକୁ ସଫେଇ ପାଇଁ ଚୀନ୍‌କୁ ପଠାଉଛନ୍ତି। ଚୀନ୍‌ରେ ବର୍ତ୍ତମାନ ତେଣୁ ପୃଥିବୀର ୬୦ ଶତାଂଶ ବିରଳ ମୃତ୍ତିକା ଉପଲବ୍‌ଧ ଥିବାବେଳେ, ସେଠାରେ ପୃଥିବୀର ୯୦ ଶତାଂଶ ପ୍ରକ୍ରିୟାକରଣ ସଂପାଦିତ ହୋଇଥାଏ।
ଉପରୋକ୍ତ ୧୭ଟି ବିରଳ ମୃତ୍ତିକା ଧାତୁମାନଙ୍କ ମଧ୍ୟରୁ ନମୁନା ରୂପେ କେତୋଟିର ନାମ ହେଉଛି- ଇଟ୍ରିଅମ୍, ଲାନ୍ଥାନମ୍, ସେରିଅମ୍, ପ୍ରାସିଓଡିମିଅମ୍, ନିଓଡିମିଅମ୍, ପ୍ରୋମେଥିଅମ୍, ସାମାରିଅମ୍ ଇତ୍ୟାଦି। ଏଗୁଡ଼ିକର ଉପଯୋଗ ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କଲେ ଚୀନ୍ କାହିଁକି ସମ୍ଭାବ୍ୟ ବିପଦ ସତ୍ତ୍ବେ ଏଗୁଡ଼ିକର ଯୋଗାଣକୁ ନିଜ ଦଖଲକୁ ନେବା ପାଇଁ ପ୍ରାୟ ଅର୍ଦ୍ଧଶତାବ୍ଦୀ ତଳୁ ନିଷ୍ପତ୍ତି ନେଇଛି, ତାହା ସହଜରେ ବୁଝା ପଡ଼ିଥାଏ। ରିଚାର୍ଜଯୋଗ୍ୟ ବ୍ୟାଟେରି (ମଟରଗାଡ଼ିରୁ ମୋବାଇଲ୍ ଫୋନ୍ ପର୍ଯ୍ୟନ୍ତ), ଅପ୍‌ଟିକାଲ୍‌ ଗ୍ଲାସ୍, କ୍ୟାମେରା ଲେନ୍‌ସ, ଲେଜର୍, ଉଚ୍ଚଶକ୍ତିସଂପନ୍ନ ସ୍ଥ‌ାୟୀ ଚୁମ୍ବକ, ଏମ୍ଆର୍ଆଇ କଣ୍ଟ୍ରାଷ୍ଟ ଏଜେଣ୍ଟ ଆଦି ହେଉଛନ୍ତି ଏହି ବିରଳ ମୃତ୍ତିକା ଧାତୁମାନଙ୍କର ଆବଶ୍ୟକତାର କେତୋଟି ମାତ୍ର ଉଦାହରଣ। ଏହି କାରଣରୁ ଟ୍ରମ୍ପ ଆରମ୍ଭ କରିଥିବା ବାଣିଜ୍ୟ ଯୁଦ୍ଧର ଜବାବରେ ଚୀନ୍ ଯେତେବେଳେ ଏପ୍ରିଲରେ ‘ରେଆର୍ ଆର୍ଥ ମ୍ୟାଗ୍‌ନେଟ୍‌ସ’ର ରପ୍ତାନି ଉପରେ ଅଙ୍କୁଶ ଲଗାଇବାକୁ ନିଷ୍ପତ୍ତି ନେଲା, ପୃଥିବୀ ସାରା ଇଲେକ୍ଟ୍ରିକ୍ ଗାଡ଼ି, ଇଲେକ୍ଟ୍ରୋନିକ୍‌ସ ଦ୍ରବ୍ୟ, ପ୍ରତିରକ୍ଷା ସାମଗ୍ରୀ ଆଦି ଉତ୍ପାଦନ ଘୋର ବାଧାପ୍ରାପ୍ତ ହୋଇ ଏକରକମ ଆତଙ୍କ ସୃଷ୍ଟି ହୋଇଯାଇଛି।
ଭାରତରେ ବିଶେଷ କରି ମଟରଗାଡ଼ି ନିର୍ମାଣ ଶିଳ୍ପ ପାଇଁ ଏହା ଏକ ଭୀଷଣ ଧକ୍‌କା ରୂପେ ଆବିର୍ଭୂତ ହୋଇଛି। ଉଦାହରଣ ସ୍ବରୂପ ଭାରତର ବୃହତ୍ତମ ମଟରଗାଡ଼ି ନିର୍ମାତା ‘ମାରୁତି ସୁଜୁକି’ ଏପ୍ରିଲ-ସେପ୍‌ଟେମ୍ବର ପାଇଁ ତା’ର ‘ଇ-ଭିଟାରା’ ଇଲେକ୍ଟ୍ରିକ୍ କାର୍‌ର ଉତ୍ପାଦନରେ ଦୁଇ-ତୃତୀୟାଂଶ ହ୍ରାସ ଘଟାଇବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରିଛି। ‘ବଜାଜ୍ ଅଟୋ’ ଓ ‘ଟିଭିଏସ୍ ମୋଟର’ ମଧ୍ୟ ସେମାନଙ୍କର ଉତ୍ପାଦନ ଗୁରୁତର ଭାବରେ ବ୍ୟାହତ ହେବାକୁ ଯାଉଛି ବୋଲି ଘୋଷଣା କରିଛନ୍ତି। ଚୀନ୍ ତା’ର ଆମଦାନି ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛି ବୋଲି ‘ସୋନା କମ୍‌ଷ୍ଟାର୍’ କଂପାନି ପ୍ରକାଶ କରିଛି, ଯାହା ମାରୁତି, ହ୍ୟୁଣ୍ଡାଇ ଆଦି ଗାଡ଼ି ନିର୍ମାତାମାନଙ୍କ ଭଳି ‘ସୋନା କମ୍‌ଷ୍ଟାର୍’ର ଗ୍ରାହକମାନଙ୍କ ଉତ୍ପାଦନକୁ ବାଧା ପହଞ୍ଚାଇବା ନିଶ୍ଚିତ।
ଚୀନ୍‌ର ଏହି ପଦକ୍ଷେପ ନେଇ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ୨୦୨୦ରେ ଉଭୟ ଦେଶ ମଧ୍ୟରେ ଘଟିଥିବା ସୀମା ସଂଘର୍ଷ ପରେ ଭାରତ ଚୀନ୍‌ରୁ ଆମଦାନି ଓ ନିବେଶ ବିରୁଦ୍ଧରେ ଗ୍ରହଣ କରିଥିବା ପଦକ୍ଷେପମାନଙ୍କର ପ୍ରତିକ୍ରିୟାରେ ଚୀନ୍ ତା’ର ବିରଳ ମୃତ୍ତିକା ଯୋଗାଣକୁ ବର୍ତ୍ତମାନ ଏପରି ଏକ ଅସ୍ତ୍ର ରୂପେ ବ୍ୟବହାର କରିବା ଆଦୌ ଅପ୍ରତ୍ୟାଶିତ ନୁହେଁ। ମନେ ରଖିବା କଥା ଭାରତ ତା’ର ମୋଟ ବିରଳ ମୃତ୍ତିକା ଆବଶ୍ୟକତାର ଏକ ଉଚ୍ଚା ୮୧ ଶତାଂଶ ପୂରଣ ନିମିତ୍ତ କେବଳ ଚୀନ୍ ଉପରେ ନିର୍ଭର କରିଥାଏ। ବର୍ତ୍ତମାନ ଚୀନ୍ ସହିତ ବୁଝାମଣା ପରେ ହୁଏତ ଚୀନ୍ ଏବେ ତା’ର କଟକଣା କୋହଳ କରିପାରେ। ଏହା କିନ୍ତୁ ନିଶ୍ଚିତ ରୂପେ ସମସ୍ୟାର ଏକ ଦୀର୍ଘକାଳୀନ ସମାଧାନ ନୁହେଁ। 
ତେବେ ଆଶ୍ବାସନାର କଥା ଏହା ଯେ ଭାରତରେ ଗଚ୍ଛିତ ଥିବା ପ୍ରାୟ ୭ ନିୟୁତ ଟନ୍ ବିରଳ ମୃତ୍ତିକା ହେଉଛି ଚୀନ୍ ଓ ଭିଏତ୍‌ନାମ ପରକୁ ପୃଥିବୀର ତୃତୀୟ ବୃହତ୍ତମ ଗଚ୍ଛିତ ପରିମାଣ। ଏଥର ପରିବେଶ ସୁରକ୍ଷାକୁ ଯଥେଷ୍ଟ ଧ୍ୟାନ ଦେଇ ଆମକୁ ପ୍ରକୃତିର ଏହି ଦାନକୁ ଅବଶେଷରେ ସଂଗ୍ରହ କରିବାକୁ ଆମର ହାତ ମଇଳା କରିବାକୁ ଆଗେଇ ଆସିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe