ଟମାସ ମାକଲେ ନିଶ୍ଚିତ ଭାବେ ଜଣେ ପୂର୍ବାଗ୍ରହ ଜର୍ଜର ସଂକୀର୍ଣ୍ଣ ଦୃଷ୍ଟିସଂପନ୍ନ ବଦରାଗୀ ଭଦ୍ରଲୋକ ହୋଇଥିବେ। କାରଣ ତିନି ଦିନର ନିରବଚ୍ଛିନ୍ନ ଜଳ ଯାତ୍ରା ପରେ ଭାରତର ସ୍ଥଳ ଭାଗର ଦର୍ଶନ ତାଙ୍କୁ ଉଲ୍ଲସିତ କରିଥିଲେ ହେଁ ଭାରତର ପାଗ, ଅଧିବାସୀଙ୍କ ଚମର ରଙ୍ଗ ଓ ସେମାନଙ୍କ ବେଶପୋଷାକ ଇତ୍ୟାଦି ତାଙ୍କୁ ବିରକ୍ତ କରି ଦେଇଥିଲା। ଏହା ସେ ତାଙ୍କ ସ୍ମୃତି ଲିଖନରେ ଉଲ୍ଲେଖ କରିଥିଲେ। ତେଣୁ ଏଭଳି ଭୂଖଣ୍ଡକୁ ଶାସନ କରିବା ଲାଗି ତାଙ୍କ ପରିକଳ୍ପନାରୁ ସଂବେଦନଶୂନ୍ୟ ଓ କ୍ଷମତା ପ୍ରୟୋଗକାରୀ ଅମଲା ଗୋଷ୍ଠୀ ସୃଷ୍ଟି ହେବାରେ ବିସ୍ମୟର କାରଣ ନ ଥାଏ।
ଗଲା ସୋମବାର ଦିନ ରାମନାଥ ଗୋଏଙ୍କା ସ୍ମାରକୀ ବକ୍ତୃତା ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀଙ୍କ ଦ୍ବାରା ଉଠାଯାଇଥିବା ମାକଲେ ପ୍ରସଙ୍ଗ ସଂପ୍ରତି ଏକ ସ୍ବାଗତଯୋଗ୍ୟ ବିତର୍କ ସୃଷ୍ଟି କରିଛି। ପ୍ରକାଶ ଥାଉ କି ୧୮୩୫ ମସିହାରେ, ବ୍ରିଟିସ ପ୍ରଶାସକ ଟମାସ ମାକଲେଙ୍କ ଦ୍ବାରା ପ୍ରସ୍ତୁତ ଢାଞ୍ଚାରେ ସାର୍ବଜନୀନ ଶିକ୍ଷା ବ୍ୟବସ୍ଥା ଦ୍ବାରା ଅତ୍ୟନ୍ତ ସମୃଦ୍ଧ ପ୍ରାଚୀନ ଭାରତୀୟ ଜ୍ଞାନ ପରଂପରା ଧରାଶାୟୀ ହୋଇଯାଇଥିଲା। ଏହା ଫଳରେ ଭାରତରେ ଏକ ଇଂରେଜୀ ପଢୁଆବିଶିଷ୍ଟ ବର୍ଗର ଉଦ୍ଭବ ମଧ୍ୟ ଘଟିଥିଲା, ଯାହା ଭାରତୀୟ ସମାଜକୁ ଦ୍ବିଧା ବିଭକ୍ତ କରିଥିଲା ଏବଂ ଏ ଯାବତ୍ ତାହା ବଳବତ୍ତର ରହିଛି। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଉପନିବେଶବାଦୀ ମାନସିକତା ପରିହାର କରିବାକୁ ଭାରତୀୟମାନଙ୍କୁ ଆହ୍ବାନ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଭାରତୀୟମାନଙ୍କ ଠାରୁ ମାକଲେଙ୍କ ଭୂତ ଛଡ଼ାଇବା ସଂଦର୍ଭରେ ଅସରନ୍ତି ବିତର୍କମାନ ଚାଲି ଆସିଛି, ଯାହା ପ୍ରାୟତଃ ମୀମାଂସାହୀନ ଭାବେ ସମାପ୍ତ ହୋଇଛି ଅଥବା ଇଂରେଜୀ ଭାଷା ବିରୋଧୀ ଉଚ୍ଚାଟ ବା ରାଜନୈତିକ କର୍ଦ୍ଦମ ନିକ୍ଷେପ ମଧ୍ୟରେ ମିଳେଇ ଯାଇଛି। ଏଭଳି ସ୍ଥଳେ ସ୍ଥିର ଦୃଷ୍ଟିରେ ଏହି ବିଷୟକୁ ଅବଲୋକନ କରିବା ଆବଶ୍ୟକ ଭଳି ମନେ ହୋଇଥାଏ।
ପ୍ରଥମ କଥା ହେଲା ଅତୀତରେ ବା ବର୍ତ୍ତମାନ ଘଟିଥିବା ଅଥବା ଘଟୁଥିବା ଯେ କୌଣସି ଘଟଣାକୁ ସ୍ଥାନ, କାଳ ଓ ପାତ୍ରର ସଂଦର୍ଭରୁ ବିଚ୍ୟୁତ କରି ତା’ର ମୂଲ୍ୟାୟନ କରାଯାଇ ନ ପାରେ। ପ୍ରକାଶ ଥାଉ କି ଭାରତରେ କଂପାନି ଶାସନକୁ ଦୃଢ଼ କରିବା ସକାଶେ ଖସଡ଼ା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ବ୍ରିଟିସ ଇଷ୍ଟ ଇଣ୍ଡିଆ କଂପାନି ପକ୍ଷରୁ ଗଭର୍ନର ଜେନେରାଲଙ୍କ ଏକ୍ଜିକ୍ୟୁଟିଭ କାଉନସିଲରେ ଲ’(ଆଇନ) ମେମ୍ବର ଭାବେ ଟମାସ ମାକଲେଙ୍କୁ ନିଯୁକ୍ତ କରାଯାଇଥିଲା। ଶାସନ ପରିଚାଳନା ଲାଗି କଂପାନିର ପ୍ରତିନିଧିମାନଙ୍କ ସହିତ ସାଧାରଣ ଲୋକଙ୍କ ଭାବବିନିମୟ ଅତ୍ୟାବଶ୍ୟକ ହୋଇଥିବାରୁ ଏକ ଇଂରେଜୀ ପଢୁଆ ମଧ୍ୟବର୍ତ୍ତୀ ବର୍ଗ ନିର୍ମାଣ କରିବାକୁ ମାକଲେ ପ୍ରବୃତ୍ତ ହୋଇଥିଲେ, ଯେଉଁ ବର୍ଗ ନିମ୍ନସ୍ଥ ଶାସିତ ଓ ଉପରିସ୍ଥ ଶାସକଙ୍କ ମଧ୍ୟରେ ସଂଯୋଗର ସୂତ୍ର ପାଲଟିଥିଲା। ମାକଲେ ବୁଝିଥିଲେ ଯେ ବ୍ରିଟିସ ଶାସନ କାଳରେ ଜଣେ ଇଂରେଜୀ ଶିକ୍ଷିତ ଭାରତୀୟ ସହଜରେ ଶାସକ ବର୍ଗର ନିକଟବର୍ତ୍ତୀ ହୋଇ କ୍ଷମତାପନ୍ନ ହୋଇ ଉଠିବ ଏବଂ ତାଙ୍କ ଭାଷାରେ ସେହି ବ୍ୟକ୍ତି ‘ଚର୍ମର ବର୍ଣ୍ଣ ଦୃଷ୍ଟିରୁ ଭାରତୀୟ ବୋଲି ଚିହ୍ନିତ ହେବ ସିନା, ମିଜାଜରେ ବ୍ରିଟିସ ହିଁ ହେବ। ସତ କହିଲେ ଏହି ଭଳି ଭାବେ ମାକଲେଙ୍କ ଦ୍ବାରା ଭାରତରେ ଏକ ‘କିରାଣି’ ଉତ୍ପାଦନକାରୀ କାରଖାନାର ଭିତ୍ତି ପଡ଼ିଥିଲା। ପ୍ରକାଶ ଥାଉ କି ‘ମାକଲେସ ମିନିଟ୍’ ଆଧାରରେ ଭାରତେର ସାର୍ବଜନୀନ ଇଂରେଜୀ ମାଧ୍ୟମ ଶିକ୍ଷା ପ୍ରଚଳିତ ହୋଇ ଆଜ୍ଞାଧୀନ କିରାଣିମାନଙ୍କୁ ସୃଷ୍ଟି କରି ଚାଲିଥିଲେ ହେଁ ତା’ର ୨୭ ବର୍ଷ ପରେ ଯାଇ ଭାରତୀୟମାନେ ‘ଆଇ.ସି.ଏସ୍.’ ପରୀକ୍ଷାରେ ବସି ଉଚ୍ଚ ପଦାସୀନ ହେବାର ସୁଯୋଗ ପାଇଥିଲେ। ତେବେ, ବ୍ରିଟିସି ଇଷ୍ଟ ଇଣ୍ଡିଆ କଂପାନିର ଦୃଷ୍ଟିକୋଣରୁ ମାକଲେ ହୁଏତ ଅଯୌକ୍ତିକ ନ ଥିଲେ ଓ ସେ କେବଳ ତାଙ୍କ ବୃତ୍ତିଗତ ଦାୟିତ୍ବ ନିର୍ବାହ କରିଥିଲେ।
କହିବା ଅନାବଶ୍ୟକ ଯେ ଭାରତ ସ୍ବାଧୀନତା ଲାଭ କଲା ବେଳକୁ ଇଂରେଜୀ ପଢୁଆ ଭାରତୀୟମାନେ ପ୍ରାଶାସନିକ କଳର ଅପରିହାର୍ଯ୍ୟ ଅଂଶ ହୋଇ ପଡ଼ିଥିଲେ। ସୁତରାଂ, ସ୍ବାଧୀନତା ପରେ ସହସା ସେହି ଢାଞ୍ଚାେର ବିଘଟନ ଘଟାଇବା ଆଦୌ ସମ୍ଭବ ନ ଥିଲା। କାରଣ ତଦ୍ଦ୍ବାରା ନୂତନ ଭାବେ ସ୍ବାଧୀନ ହୋଇଥିବା ଏକ ଦରିଦ୍ର ଓ ଜନବହୁଳ ରାଷ୍ଟ୍ରର ଶାସନ ପରିଚାଳନା ଅସମ୍ଭବ ହୁଅନ୍ତା। ସୁତରାଂ, ସ୍ବାଧୀନତୋତ୍ତର ଭାରତରେ ସେହି ବର୍ଗ ହିଁ ‘ବିଶିଷ୍ଟ ବର୍ଗ’ (ଏଲିଟ୍ କ୍ଲାସ୍) ଭାବେ ପରିଚିତ ହେଲେ ଏବଂ ସାତ ଦଶନ୍ଧି ପରେ ମଧ୍ୟ ଏ ଯାବତ୍ ସରକାରଙ୍କ ଦ୍ବାରା ପ୍ରଦତ୍ତ ଥାଟବାଟ ସହିତ ଆତଯାତ ହେଉଛନ୍ତି। ଅବଶ୍ୟ, ଉପନିବେଶବାଦର ପ୍ରଭାବରୁ ଶାସନ ବ୍ୟବସ୍ଥାକୁ ମୁକ୍ତ କରିବା ଲାଗି ଉଦ୍ୟମ ହୋଇଛି, କିନ୍ତୁ ତାହା ସାମାନ୍ୟ ଓ ନିଷ୍ପ୍ରଭାବୀ ସଂସ୍କାରରେ ସମାପ୍ତ ହୋଇଛି, ମୌଳିକ ପରିବର୍ତ୍ତନ ସମ୍ଭବ କରି ପାରିନାହିଁ। ତେଣୁ ଶାସନରେ ଉପନିବେଶବାଦୀ ମାନସିକତା ବଳବତ୍ତର ଦୃଢ଼ମୂଳ ହୋଇ ରହିଛି, ଯାହାର ଦୂରୀକରଣ କଷ୍ଟସାଧ୍ୟ ମଧ୍ୟ।
ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ଇଂରେଜୀ ଭାଷା ମାଧ୍ୟମରେ ଶିକ୍ଷା ଦ୍ବାରା କ’ଣ ସ୍ବାଭାବିକ ଭାବେ ଉପନିବେଶବାଦୀ ମାନସିକତା ସୃଷ୍ଟି ହୋଇଥାଏ? ସ୍ବାଧୀନତା ଆନ୍ଦୋଳନର ପ୍ରାୟ ସମସ୍ତ ତୁଙ୍ଗ ନେତା ଇଂରେଜୀରେ ସୁଶିକ୍ଷିତ ଥିଲେ, ଏବଂ ସେମାନଙ୍କ ମଧ୍ୟରୁ ଅନେକ ବିଲାତରେ (ଗାନ୍ଧୀ, ନେହରୁ, ପଟେଲ ଓ ଆମ୍ବେଦକର) ମଧ୍ୟ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ମାକଲେଙ୍କ ସୌଜନ୍ୟରୁ ଇଂରେଜୀ ଶିକ୍ଷା ପ୍ରଚଳନ ହେବା ଠାରୁ ଆଜି ପର୍ଯ୍ୟନ୍ତ ସୁଦୀର୍ଘ କାଳଖଣ୍ଡରେ ଇଂରେଜୀ ଭାଷା ମାଧ୍ୟମରେ ଶିକ୍ଷିତ ଭାରତୀୟମାନେ ବୈଜ୍ଞାନିକ, ପ୍ରଯୁକ୍ତି ବିଶାରଦ, ଶକ୍ଷାବିତ୍, କଳାକାର, ଉଦ୍ୟୋଗୀ ଓ ବିଶ୍ବସ୍ତରୀୟ କଂପାନିର ସି.ଇ.ଓ. ହୋଇଛନ୍ତି, ଯେଉଁମାନେ ବିଶିଷ୍ଟ ସ୍ଥାନୀୟ ନିଶ୍ଚୟ; କିନ୍ତୁ, ଉପନିବେଶବାଦୀ ସଂସ୍କୃତିରେ ପ୍ରସ୍ଫୁଟିତ ହୋଇଥିବା ‘ବିଶିଷ୍ଟ ବର୍ଗ’ର ବନ୍ଧନୀରେ ଅନ୍ତର୍ଭୁକ୍ତ ହୋଇ ନ ପାରନ୍ତି। ତେବେ, ସମସ୍ୟା ରହିଛି କେଉଁଠି, ଯାହା ଆଡ଼କୁ ପ୍ରଧାନମନ୍ତ୍ରୀ ଇଙ୍ଗିତ କରିଥିଲେ? ସମସ୍ୟାଟି ରହିଛି ଦେଶୀୟ ଭାଷା ଓ ତାହାର ବ୍ୟବହାରକାରୀମାନଙ୍କୁ ଇଂରେଜୀ ପଢୁଆ ଭାରତୀୟମାନେ ହେୟ ଦୃଷ୍ଟିରେ ଦେଖିବାରେ! ଉଲ୍ଳେଖଯୋଗ୍ୟ ଯେ ‘ମାକଲେସ ମିନିଟ୍’ର ଗୋଟିଏ ଧକ୍କାରେ ଦେଶୀୟ ଭାଷାସମୂହ ଓ ଅନନୁକରଣୀୟ ଭାରତୀୟ ଜ୍ଞାନ ପରଂପରା ଭୂଲୁଣ୍ଠିତ ହୋଇଗଲା, କାରଣ ଇଂରେଜୀ ଭାଷା ଓ ୟୁରୋପୀୟ ଜ୍ଞାନ ବ୍ୟବସ୍ଥାର ପରାକାଷ୍ଠା ଦେଖାଇବା ପାଇଁ ଯାଇ ମାକଲେ ଭାରତୀୟ ଭାଷାଗୁଡ଼ିକୁ ଅତ୍ୟନ୍ତ ଅସାର ଏବଂ ସମଗ୍ର ଭାରତୀୟ ଜ୍ଞାନ ଭଣ୍ଡାର ‘ତାଙ୍କ ପାଠାଗାରର ଗୋଟିଏ ଥାକ’ରେ ଧରିଯିବ ବୋଲି କଟୁ ଆକ୍ଷେପ କରିଥିଲେ ଓ ସେହି କାରଣରୁ କାର୍ଯ୍ୟତଃ ଭାରତୀୟ ଭାଷାରେ ଶିକ୍ଷାଦାନ ବ୍ୟବସ୍ଥା ହିଁ ଏକା ବେଳକେ ବନ୍ଦ ହୋଇଗଲା। ତେବେ, ମାକଲେଙ୍କ ମୂର୍ଖାମୀର ପରିଚୟ ଏଥିରୁ ମିଳିଥାଏ ଯେ ସେହି ସମୟ ବେଳକୁ (୧୮୩୨) ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ସଂସ୍କୃତ ଭାଷା ଶିକ୍ଷା ଆରମ୍ଭ ହୋଇଯାଇଥିଲା ଏବଂ ୧୮୮୮ ମସିହା ବେଳକୁ ବିଶିଷ୍ଟ ବ୍ରିଟିସ ସଂସ୍କୃତ ବିଦ୍ବାନ ପ୍ରଫେସର ହୋରେସ ହେମାନ ୱିଲସନଙ୍କ ଦ୍ବାରା ଋଗ୍ ବେଦର ସଂପୂର୍ଣ୍ଣ ଇଂରେଜୀ ଅନୁବାଦ ଛଅ ଖଣ୍ଡରେ ପ୍ରକାଶିତ ହୋଇ ଯାଇଥିଲା।
ତେବେ, ଭାରତୀୟ ଭାଷାଗୁଡ଼ିକୁ ନ୍ୟୂନ କରି ଇଂରେଜୀକୁ ବଡ଼ ବୋଲି ପ୍ରମାଣିତ କରିବା ଭଳି ମାକଲେୀୟ ଅବିମୃଶ୍ୟକାରିତାର ପ୍ରତିକ୍ରିୟା ସ୍ବରୂପ ଭାରତରେ ଅନେକତ୍ର ଇଂରେଜୀ ଭାଷା ବିରୋଧୀ ଆବେଗ ସୃଷ୍ଟି ହୋଇଥାଏ। କିନ୍ତୁ ସାଂପ୍ରତିକ ବାସ୍ତବତାଟି ହେଉଛି ଇଂରେଜୀ ଭାଷା ବିବର୍ଜିତ ଭାରତ ଏକ ଅସମ୍ଭବ ପରିକଳ୍ପନା। କାରଣ, ଏହି ଭାଷା ଅଗଣିତ ଭାରତୀୟଙ୍କ ସ୍ବପ୍ନ ଚରିତାର୍ଥ କରୁଥିବା ଦୂରଗାମୀ ଯାତ୍ରାର ପାସପୋର୍ଟରେ ପରିଣତ ହୋଇଛି। କିନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପରିପ୍ରେକ୍ଷୀରେ ଯାହା ଆବଶ୍ୟକ, ତାହା ହେଲା ଭାରତୀୟ ଭାଷାଗୁଡ଼ିକୁ ଔପନିବେଶିକ କାଳର ହୀନମନ୍ୟତାରୁ ମୁକ୍ତ କରିବା। ଭାରତ ଭଳି ଏକ ପ୍ରାଚୀନ ସଭ୍ୟତା ଦୀର୍ଘ କାଳ ପରାଧୀନ ହୋଇ ରହିବାର ଏକ ବରଦାନ ମଧ୍ୟ ଏୟା ଯେ ପ୍ରାୟ ପ୍ରତ୍ୟେକ ଭାରତୀୟ ଦୁଇ ବା ତିନିଟି ଭାଷାର ବ୍ୟବହାରକାରୀ, ଯାହା ଅନେକ ଦେଶର ନାଗରିକଙ୍କ କପାଳରେ ଜୁଟି ନ ଥାଏ। ଏଭଳି ସ୍ଥଳେ ଯାହା କାମ୍ୟ, ତାହା ହେଲା ଉଭୟ ଇଂରେଜୀ ଓ ଭାରତୀୟ ଭାଷାଗୁଡ଼ିକୁ ସମାଦର ସହିତ ବ୍ୟବହାର କରି ଭାରତୀୟ ଜ୍ଞାନ ପରଂପରାରେ ଅଧିକ ଗବେଷଣା ଓ ଚିନ୍ତନର ପ୍ରବେଶ ଘଟାଇବା। ହୀନମନ୍ୟତାରୁ ମୁକ୍ତ ଭାରତୀୟ ଭାଷା ଓ ଜ୍ଞାନ ପରଂପରା ଯେ ପୃଥିବୀର ସର୍ବୋତ୍ତମ ମଧ୍ୟରୁ ଅନ୍ୟତମ ଭାବେ ପ୍ରମାଣିତ ହେବ, ତାହା କହିବା ବାହୁଲ୍ୟ ମାତ୍ର।
ଟମାସ ମାକଲେ ନିଶ୍ଚିତ ଭାବେ ଜଣେ ପୂର୍ବାଗ୍ରହ ଜର୍ଜର ସଂକୀର୍ଣ୍ଣ ଦୃଷ୍ଟିସଂପନ୍ନ ବଦରାଗୀ ଭଦ୍ରଲୋକ ହୋଇଥିବେ। କାରଣ ତିନି ଦିନର ନିରବଚ୍ଛିନ୍ନ ଜଳ ଯାତ୍ରା ପରେ ଭାରତର ସ୍ଥଳ ଭାଗର ଦର୍ଶନ ତାଙ୍କୁ ଉଲ୍ଲସିତ କରିଥିଲେ ହେଁ ଭାରତର ପାଗ, ଅଧିବାସୀଙ୍କ ଚମର ରଙ୍ଗ ଓ ସେମାନଙ୍କ ବେଶପୋଷାକ ଇତ୍ୟାଦି ତାଙ୍କୁ ବିରକ୍ତ କରି ଦେଇଥିଲା। ଏହା ସେ ତାଙ୍କ ସ୍ମୃତି ଲିଖନରେ ଉଲ୍ଲେଖ କରିଥିଲେ। ତେଣୁ ଏଭଳି ଭୂଖଣ୍ଡକୁ ଶାସନ କରିବା ଲାଗି ତାଙ୍କ ପରିକଳ୍ପନାରୁ ସଂବେଦନଶୂନ୍ୟ ଓ କ୍ଷମତା ପ୍ରୟୋଗକାରୀ ଅମଲା ଗୋଷ୍ଠୀ ସୃଷ୍ଟି ହେବାରେ ବିସ୍ମୟର କାରଣ ନ ଥାଏ। ବ୍ରିଟିସ ଶାସକ ପଳାୟନ କରିବା ପରେ ମଧ୍ୟ ସେହି ବର୍ଗ ହିଁ ଉପନିବେଶବାଦର ମାଦକତାରୁ ମୁକ୍ତ ହୋଇ ନାହାନ୍ତି। ସେମାନଙ୍କୁ ତହିଁରୁ ମୁକ୍ତ କରିବା ହିଁ ହେଉଛି ସର୍ବାଧିକ ବଡ଼ ଆହ୍ବାନ।
Follow Us