editorial: ରିଲ୍‌ସ, ଡେଟା ଓ ଆମେ

ଏକ ମହତ୍ତର ଉଦ୍ଦେଶ୍ୟର ଅନୁପସ୍ଥିତି ହେତୁ ବିହାରରେ ଡେଟାର ସୁଲଭତା ଓ ବିଚକ୍ଷଣ ମସ୍ତିଷ୍କର ସମ୍ମିଶ୍ରଣରୁ କୁଫଳ ହିଁ ପ୍ରାପ୍ତ ହୋଇଛି। ଏଭଳି ସ୍ଥଳେ ଯାହା ଆବଶ୍ୟକ, ତାହା ହେଲା ଉପଯୁକ୍ତ ମାର୍ଗ ଦର୍ଶନ, ଯାହା ବୁଦ୍ଧିଜୀବୀ, ସୁଶୀଳ ସମାଜ ଓ ରାଜନୈତିକ ନେତୃତ୍ବ ଦ୍ବାରା ସମ୍ଭବ।

samp1

ଏକ ମହତ୍ତର ଉଦ୍ଦେଶ୍ୟର ଅନୁପସ୍ଥିତି ହେତୁ ବିହାରରେ ଡେଟାର ସୁଲଭତା ଓ ବିଚକ୍ଷଣ ମସ୍ତିଷ୍କର ସମ୍ମିଶ୍ରଣରୁ କୁଫଳ ହିଁ ପ୍ରାପ୍ତ ହୋଇଛି। ଏଭଳି ସ୍ଥଳେ ଯାହା ଆବଶ୍ୟକ, ତାହା ହେଲା ଉପଯୁକ୍ତ ମାର୍ଗ ଦର୍ଶନ, ଯାହା ବୁଦ୍ଧିଜୀବୀ, ସୁଶୀଳ ସମାଜ ଓ ରାଜନୈତିକ ନେତୃତ୍ବ ଦ୍ବାରା ସମ୍ଭବ। ତେଣୁ କେବଳ ଡେଟାର ଶସ୍ତା ଉପଲବ୍‌ଧତା ନେଇ ସନ୍ତୁଷ୍ଟି ଯଥେ‌ଷ୍ଟ ନୁହେଁ।

ବିହାରରେ ଏକ ନିର୍ବାଚନ ପ୍ରଚାରକାଳୀନ ଭାଷଣରେ ପ୍ରଧାନମନ୍ତ୍ରୀଙ୍କ ଯେଉଁ ମନ୍ତବ୍ୟକୁ କେନ୍ଦ୍ର କରି ବିତର୍କର ମୃଦୁ ଝଡ଼ଟିଏ ସୃଷ୍ଟି ହୋଇଛି, ତାହା ହେଲା ଅତ୍ୟନ୍ତ ଶସ୍ତାରେ ଉପଲବ୍‌ଧ ‘ଡେଟା’ର ସୁଯୋଗ ନେଇ ବିହା‌ରର ତରୁଣ ବର୍ଗ କିଭଳି ସାମାଜିକ ଗଣମାଧ୍ୟମରେ ‘କଣ୍ଟେଣ୍ଟ କ୍ରିଏଟର’ ରୂପେ ସୃଜନ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରିବାରେ ଲାଗିଛନ୍ତି ଏବଂ ‘ରିଲ୍‌ସ’ ତିଆରି କରି ଉପାର୍ଜନକ୍ଷମ ହୋଇ ପାରିଛନ୍ତି। ବିହାରର ସମସ୍ତିପୁର ଠାରେ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନରେ ଶୁଣିବାକୁ ମିଳିଛି ଯେ ସରକାରଙ୍କ ନୀତି କାରଣରୁ ‌େଗାଟିଏ ଜି.ବି. ଡେଟାର ମୂଲ୍ୟ କପେ ଚା’ ଠାରୁ ମଧ୍ୟ କମ୍‌ ହୋଇ ଏଭଳି ଅପୂର୍ବ ସୁଯୋଗ ସୃଷ୍ଟି କରିଛି। ତେବେ, ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ଅଶିକ୍ଷା, ରୋଜଗାରହୀନତା, ଦାରିଦ୍ର୍ୟ ଓ ଅପରାଧ ଇତ୍ୟାଦି ଦ୍ବାରା ନିପୀଡ଼ିତ ବିହାର ଭଳି ଏକ ରୁଗ୍‌ଣ ରାଜ୍ୟରେ ଉଚ୍ଚଶିକ୍ଷା, ଗବେଷଣା, ସମ୍ମାନଜନକ ଚାକିରି ବା ସଫଳ ବ୍ୟବସାୟ ଇତ୍ୟାଦି ପରିବର୍ତ୍ତେ ‘ରିଲ୍‌ସ’ରୁ ରୋଜଗାର କରିବା ଯୁବ ଶକ୍ତିଙ୍କ ଭବିତବ୍ୟ ହେବା ଉଚିତ କି? 
ଯଦିଓ ଅନେକ ସମାଲୋଚକ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ପ୍ରଥମରୁ ତର୍କ କରିଥାନ୍ତି ଯେ ସଂପ୍ରତି ଏକ ଜି.ବି. ଡେଟାର ମୂଲ୍ୟ ଗୋଟିଏ କପ ଚା’ର ମୂଲ୍ୟ ଠାରୁ ଊଣା ହୋଇ ରହିନାହିଁ; କିନ୍ତୁ ଏଭଳି ତର୍କ ନିରର୍ଥକ ଭଳି ମନେହୁଏ; କାରଣ ଦିନକୁ ହାରାହାରି ୭ ଘଣ୍ଟା ସମୟ ଇଣ୍ଟରନେଟ୍‌ ସହିତ ସଂଶ୍ଳିଷ୍ଟ ରହି ଅବିରାମ ଡେଟା ଭୁଂଜନରେ ପ୍ରବୃତ୍ତ ଭାରତୀୟ ଜନ ସମାଜ ସକାଶେ ‘ଡେଟା’ର କ୍ଷୁଧା ବାସ୍ତବ ଜଠର ଜ୍ବାଳା ଠାରୁ ମଧ୍ୟ ତୀବ୍ରତର ହୋଇପାରେ; ଏଭଳି ‘ଡେଟା’ ଅନିବାର୍ଯ୍ୟତା ପରିପ୍ରେକ୍ଷୀରେ ମୂଲ୍ୟ ଭଳି ପ୍ରସଙ୍ଗ ଗୁରୁତ୍ବହୀନ ହୋଇପଡ଼େ। ତେଣୁ ଯାହା ଆଲୋଚ୍ୟ ହେବା ଉଚିତ, ତାହା ହେଲା ‘ରିଲ୍‌ସ’(ଇନଷ୍ଟାଗ୍ରାମ) ବା ସର୍ଟ‌୍ସ(ୟୁଟ୍ୟୁବ) ଅଥବା ସେହିଭଳି ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ‘କଣ୍ଟେଣ୍ଟ’ ବା ବିଷୟବସ୍ତୁ ସର୍ଜନା କରି ତା’ ମାଧ୍ୟମରେ ଅର୍ଥ ଉପାର୍ଜନ କରିବା କେତେ ସହଜ ଓ ଧାରଣକ୍ଷମ! ଏହା ଅବଶ୍ୟ ସତ ଯେ ୟୁଟ୍ୟୁବ ବା ସେହିଭଳି ଅନ୍ୟାନ୍ୟ ଗଣମାଧ୍ୟମର ମଞ୍ଚ ଅନେକ ଲୁକ୍କାୟିତ ପ୍ରତିଭାଙ୍କୁ ବିପୁଳ ପରିଚିତି ଏପରିକି ଈର୍ଷଣୀୟ ଖ୍ୟାତି ଓ ଆୟର ସୁଯୋଗ ପ୍ରଦାନ କରିଛି; ଯେଉଁ କାରଣରୁ ଜାତି, ଧର୍ମ, ପେସା, ଲିଙ୍ଗ ଓ ବୟସ ନିର୍ବିଶେଷରେ ଅସୁମାରି ସାଧାରଣ ଲୋକ ‘ୟୁଟ୍ୟୁବର୍’ ବା ‘ଇନ୍‌ଷ୍ଟାଗ୍ରାମର୍‌’ ହୋଇ ସତେ ଯେମିତି କେଉଁ କଳ୍ପିତ ସୁବର୍ଣ୍ଣ ଖଣିର ଅଭିଯାନରେ ବାହାରି ପଡ଼ିଛନ୍ତି। ଏହି ମାର୍ଗରେ ଉପାର୍ଜନର ଆଶା, ସୁଯୋଗ ଓ ବାସ୍ତବତା ସଂଦର୍ଭରେ ପ୍ରସିଦ୍ଧ ଏବଂ ଅଭିଜ୍ଞ ‘କଣ୍ଟେଣ୍ଟ କ୍ରିଏଟର’ମାନେ କହିଥାଆନ୍ତି ଯେ ସଂପ୍ରତି ଭାରତରେ ‘କଣ୍ଟେଣ୍ଟ କ୍ରିଏଟର’ଙ୍କ ସଂଖ୍ୟା ପ୍ରାୟ ୪୦ ଲକ୍ଷ ହୋଇଥିଲେ ହେଁ ମାତ୍ର ୧୦% ତହିଁରୁ ଅର୍ଥ ଉପାର୍ଜନ କରି ପାରୁଛନ୍ତି। ସେମାନଙ୍କ ମତରେ ନିଜ ଚ୍ୟାନେଲ ପ୍ରତି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବା ଓ ତାକୁ ଦୀର୍ଘ କାଳ ଯାଏ ବଳବତ୍ତର କରି ରଖିବା ନେଇ କୌଣସି ନିର୍ଦ୍ଦିଷ୍ଟ ଧାରା ନ ଥାଏ। ‘ଆଲଗରିଦମ’ର ତରଙ୍ଗରେ କୋଟି କୋଟି ‘କଣ୍ଟେଣ୍ଟ’ ବା ବିଷୟବସ୍ତୁ ମଧ୍ୟରୁ ଯାହା ଦୃଷ୍ଟି ପଥାରୂଢ଼ ହୋଇ ଅଗତ୍ୟା ଆଦୃତ ‌ହୋଇଯାଏ, ସେ ସବୁ ଯେ ଗୁଣାତ୍ମକ ଭାବେ ଉତ୍କୃଷ୍ଟ, ତା’ର କୌଣସି ଗ୍ୟାରେଣ୍ଟି ନ ଥାଏ। ଏଭଳି ସ୍ଥଳେ ଅନେକ ଅତ୍ୟନ୍ତ ଉତ୍କୃଷ୍ଟ ‘କଣ୍ଟେଣ୍ଟ କ୍ରିଏଟର’, ସେମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇପାରନ୍ତି। ଏକ ସ୍ଥୂଳ ହିସାବ କହିଥାଏ ଯେ ପ୍ରାୟ ୬୦%ରୁ ଅଧିକ ‘ରିଲସ’ ପ୍ରସ୍ତୁତକର୍ତ୍ତା ମାସକୁ ହାରାହାରି ମାତ୍ର ୨୦୦୦ ଟଙ୍କାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରିପାରନ୍ତି। ଏଭଳି ସୂତ୍ରରୁ ଅର୍ଥାଗମ ମଧ୍ୟ କେତେକ ନିୟମ ଦ୍ବାରା ଅନୁବନ୍ଧିତ, ଯେମିତି ୟୁଟ୍ୟୁବ୍‌ରେ ପ୍ରଥମ ୧୦୦ ଡଲାର(ପ୍ରାୟ ୮୫୦୦ ଟଙ୍କା) ‘କଣ୍ଟେଣ୍ଟ କ୍ରିଏଟର’କୁ ମିଳି ନ ଥାଏ, ତା’ ପର ଠାରୁ ରୋଜଗାର ଆରମ୍ଭ ହୁଏ, ଯହିଁରୁ ୩୮% ୟୁଟ୍ୟୁବ କାଟି ରଖିଥାଏ। ପୁଣି ମୂଳତଃ ‘ଭିଉ’ (ଦେଖିବା) ସଂଖ୍ୟା ଉପରେ ରୋଜଗାର ନିର୍ଭରଶୀଳ ହୋଇଥିବାରୁ ଏହାର ନିରନ୍ତରତା ଓ ପରିମାଣ ନେଇ କୌଣସି ସୁନିଶ୍ଚିତତା ନ ଥାଏ। ଅବଶ୍ୟ, ଅନେକ ‘କଣ୍ଟେଣ୍ଟ କ୍ରିଏଟର’ ନିଜକୁ ଏକ ବ୍ରାଣ୍ଡ ରୂପେ ପ୍ରତିଷ୍ଠା କରି ବା ନିଜ ଚ୍ୟାନେଲକୁ ବିଭିନ୍ନ ଉପାୟରେ ସାମାଜିକ ଗ୍ରହଣୀୟତା ପ୍ରଦାନ କରି ଲୋକପ୍ରିୟ ହୋଇଛନ୍ତି; କିନ୍ତୁ ଅସଂଖ୍ୟ ‘କଣ୍ଟେଣ୍ଟ କ୍ରିଏଟର’ ଅଧିକ ‘ଭିଉ’ ପାଇବା ସକାଶେ ମନୁଷ୍ୟର ଦୁର୍ବଳତା ଓ ଇତର ଚିତ୍ତବୃତ୍ତିକୁ ତୃପ୍ତ କଲା ଭଳି ଚାଞ୍ଚଲ୍ୟ, ବିବାଦ, ଅଶ୍ଳୀଳତା ଆଦିର ସାହାଯ୍ୟ ନିଅନ୍ତି, ଯେଉଁ କାରଣରୁ ସାମାଜିକ ଗଣମାଧ୍ୟମ ଅପନିନ୍ଦିତ ହେବାରେ ଲାଗିଛି। ପରିଶେଷରେ, ଏତିକି କୁହାଯାଇପାରେ ଯେ ରିଲ୍‌ସ ତିଆରିରେ ପ୍ରବୃତ୍ତ ‘କଣ୍ଟେଣ୍ଟ କ୍ରିଏଟର’ମାନଙ୍କ ମାଧ୍ୟମରେ ବିହାର କସ୍ମିନ କାଳେ ‘ୟୁଥ ଡିଭିଡେଣ୍ଡ’ ବା ‘ତାରୁଣ୍ୟର ଲାଭ’ ଉଠାଇ ପାରିବ ନାହିଁ, ଯାହା ଅନ୍ୟଥା ବିହାରକୁ ଏକ ଆଦର୍ଶ ସ୍ଥାନୀୟ ରାଜ୍ୟରେ ପରିଣତ କରି ପାରନ୍ତା। 
ନିର୍ଦ୍ବନ୍ଦ୍ବରେ କୁହାଯାଇପାରେ ଯେ ଇଣ୍ଟରନେଟ୍‌ ପ୍ରଯୁକ୍ତି ହିଁ ହେଉଛି ପୃଥିବୀର ଭାଗ୍ୟ ନିୟନ୍ତ୍ରକ ଏବଂ ଏଥିରେ ନିମଗ୍ନ ଅସାମାନ୍ୟ ବିଚକ୍ଷଣ ମସ୍ତିଷ୍କମାନ ଇତିମଧ୍ୟରେ ‘କୃତ୍ରିମ ବୁଦ୍ଧିମତ୍ତା’ର ଉଦ୍ଭାବନ ଓ ପ୍ର‌େୟାଗ ଦ୍ବାରା ମାନବ ସାମର୍ଥ୍ୟର ଦିଗନ୍ତ ଅତିକ୍ରମ କଲେଣି। ସେହି ଦୃଷ୍ଟିରୁ ସୁଲଭ ଡେଟାର ଅଧିକାରୀ ବିଚକ୍ଷଣ ଭାରତୀୟମାନଙ୍କ ଠାରୁ ଭବିଷ୍ୟତ ନିର୍ଦ୍ଧାରଣକାରୀ ଅନବଦ୍ୟ ଉଦ୍ଭାବନଟିଏ ଆଶା କରିବା ଅଯଥାର୍ଥ କି? କିନ୍ତୁ ହୋଇଛି କ’ଣ? ସଂପ୍ରତି ବିହାରରେ ଅନେକ ବିଚକ୍ଷଣ କିଶୋର ଓ ତରୁଣ ସେଠାକାର ସହର ଓ ଗ୍ରାମାଞ୍ଚଳକୁ ସାଇବର ଠକଙ୍କ ରାଜଧାନୀରେ ପରିଣତ କରିସାରିଲେଣି। ଗଣମାଧ୍ୟମରେ ପ୍ରକାଶିତ ସମ୍ବାଦ ଅନୁସାରେ ମଧ୍ୟ ଓ ଦକ୍ଷିଣ ବିହାରର ନବାଡ଼ା, ଜାମୁଇ, ନାଳନ୍ଦା ଓ ଗୟା ଜିଲ୍ଲା ତରୁଣ ସାଇବର ଠକମାନଙ୍କ ଦ୍ବାରା ଭରପୂର, ଯେଉଁମାନେ ଅତି ବେପରୁଆ ଠାଣିରେ ଗଛ ମୂଳରେ ବସି ମଧ୍ୟ ସେମାନଙ୍କ ସିଣ୍ଡିକେଟ ଚଳାଉଛନ୍ତି ଓ ଅଭିନବ ଉପାୟରେ ଅପ୍ରସ୍ତୁତ ଶିକାରମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରି ନେଉଛନ୍ତି। ୨୦୨୨ରେ ନବାଡ଼ା ଜିଲ୍ଲାର ତାଲପୋଷ ଗାଁରୁ ପୁଲିସ ୩୧ ଜଣ ସାଇବର ଠକଙ୍କୁ ଗିରଫ କରିଥିଲା। ଗୟା ଜିଲ୍ଲାର ଭବାନୀବିଘା ଗାଁର ଜଣେ ସାଇବର ଠକର ବ୍ୟାଙ୍କ ଖାତା ଜବତ ହୋଇଥିଲା, ଯହିଁରେ ଜମା ଥିଲା ୧.୧୦ କୋଟି ଟଙ୍କା। ସେହି ଭଳି ନାଳନ୍ଦା ଜିଲ୍ଲାର ଜଣେ ଯୁବକ ଗିରଫ ହୋଇଥିଲା ଯିଏ ଆଖପାଖ ଗ୍ରାମରୁ ସାଇବର ଠକ ଦଳ ଗଢ଼ିବା ସକାଶେ ଇଚ୍ଛୁକ ପ୍ରାର୍ଥୀ ଚୟନ କରୁଥିଲା। କହିବାର ତାତ୍ପର୍ଯ୍ୟ ହେଲା, ଏକ ମହତ୍ତର ଉଦ୍ଦେଶ୍ୟର ଅନୁପସ୍ଥିତି ହେତୁ ବିହାରରେ ଡେଟାର ସୁଲଭତା ଓ ବିଚକ୍ଷଣ ମସ୍ତିଷ୍କର ସମ୍ମିଶ୍ରଣରୁ କୁଫଳ ହିଁ ପ୍ରାପ୍ତ ହୋଇଛି। ଏଭଳି ସ୍ଥଳେ ଯାହା ଆବଶ୍ୟକ, ତାହା ହେଲା ଉପଯୁକ୍ତ ମାର୍ଗ ଦର୍ଶନ, ଯାହା ବୁଦ୍ଧିଜୀବୀ, ସୁଶୀଳ ସମାଜ ଓ ରାଜନୈତିକ ନେତୃତ୍ବ ଦ୍ବାରା ସମ୍ଭବ। ତେଣୁ କେବଳ ଡେଟାର ଶସ୍ତା ଉପଲବ୍‌ଧତା ନେଇ ସନ୍ତୁଷ୍ଟି ଯଥେ‌ଷ୍ଟ ନୁହେଁ।
ଏହି ଆଲୋଚନା ବେଳେ ଏକ ଭିନ୍ନ ପ୍ରସଙ୍ଗ ପ୍ରଣିଧାନଯୋଗ୍ୟ ଭଳି ମନେ ହୋଇଥାଏ, ଯାହାର ଅବତାରଣା ଏଠାରେ, ଅତି ସଂକ୍ଷେପରେ। ବାହ୍ୟ ଆକ୍ରମଣରୁ ସୁରକ୍ଷା ପାଇଁ ଇସ୍ରାଏଲ ଦ୍ବାରା ବିକଶିତ ‘ଆଇରନ ଡୋମ୍‌’ ଭଳି ସାରା ପୃଥିବୀର ସୁରକ୍ଷା କବଚ ଭାବେ ‘ଗୋଲଡେନ ଡୋମ’ ସୁରକ୍ଷା ବ୍ୟବସ୍ଥାର ବିକାଶ କରାଇବା ହେଉଛି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରଂପଙ୍କ ଏକ ଅତି ଉଚ୍ଚାଭିଳାଷୀ ସ୍ବପ୍ନ(୧୭୫ ବିଲିଅନ ଡଲାର), ଯେଉଁଥି ଲାଗି ଆମେରିକାରେ ସଘନ ଉଦ୍ୟମ ଆରମ୍ଭ ହୋଇ ସାରିଛି। ‘କୃତ୍ରିମ ବୁଦ୍ଧିମତ୍ତା’ ଓ ଅନ୍ୟ ଭବିଷ୍ୟଧର୍ମୀ ପ୍ରଯୁକ୍ତି ଦ୍ବାରା ପରିଚାଳିତ ଏହି ବ୍ୟବସ୍ଥା ଫଳରେ ପୃଥିବୀର ଯେ କୌଣସି ସ୍ଥାନରେ ଯେ କୌଣସି କ୍ଷେପଣାସ୍ତ୍ରକୁ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଛେଦ କରିବା ସମ୍ଭବ ହେବ। କିନ୍ତୁ ଏଭଳି ସ୍ଥଳେ ଯାହା ସମସ୍ତଙ୍କୁ ବିସ୍ମୟ ବିସ୍ଫାରିତ କରିଛି, ତାହା ହେଲା ସେଭଳି ଏକ ‘ବୈଶ୍ବିକ ସୁରକ୍ଷା ବ୍ୟବସ୍ଥା’ର ପ୍ରତିରୂପ ପ୍ରସ୍ତୁତ କରି ସାରିଲାଣି ବୋଲି ଚୀନ ପକ୍ଷରୁ ଘେଷଣା, ଯାହାର ନାମ ରଖାଯାଇଛି ‘ଗ୍ଲୋବାଲ ମିସାଇଲ ଡିଫେନସ ବ୍ରେନ୍‌’। ଏହାର ଅର୍ଥ ଇତିହାସରେ ପ୍ରଥମ ଥର ଲାଗି ଆମେରିକାର ସାମରିକ ପ୍ରାଧାନ୍ୟ ଦୟନୀୟ ଭାବେ କ୍ଷୁଣ୍ଣ ହୋଇଛି। ସାମରିକ ବିଶେଷଜ୍ଞମାନେ ଏହାକୁ ଭୂଚଳନ ସୁଲଭ ବିଭ୍ରାଟ ଭଳି ଦେଖନ୍ତି। ଏ କାହାଣୀର ମର୍ମ ହେଲା, ଚୀନର ଏକ ବିଶାଳ ବିଚକ୍ଷଣ ତରୁଣ ବର୍ଗ ଯୁଗାନ୍ତକାରୀ ଉଦ୍ଭାବନମାନ ଜରିଆରେ ସେ ଦେଶକୁ ପୃଥିବୀର ଶୀର୍ଷତମ ସ୍ଥାନକୁ ନେବାକୁ ପ୍ରତିଜ୍ଞାବଦ୍ଧ ଥିବା ବେଳେ ଆମେମାନେ ସେହି ଚୀନୀୟମାନଙ୍କ ଦ୍ବାରା ବିକଶିତ ମୋବାଇଲ ଫୋନ ଓ ଆପ୍‌(ଟିକଟିକ୍‌) ବ୍ୟବହାର କରି ରିଲ୍‌ସ କରିବାରେ ଓ ଦେଖିବାରେ ପ୍ରମତ୍ତ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe