ବିିଜେପି ଚକ୍ଷୁରେ ଏବର କଂଗ୍ରେସ ହେଉଛି ଜୱାହରଲାଲ ନେହରୁଙ୍କ ପାରିବାରିକ ଦଳ; ତେଣୁ କଂଗ୍ରେସକୁ ଦୁର୍ବଳ କରିବା ଲାଗି ନେହରୁଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରାଯିବା ଅପରିହାର୍ଯ୍ୟ। ସୁତରାଂ, ଅସଂଗତିଟି ହେଉଛି ନିଜ ଗାଣତାନ୍ତ୍ରିକ ଦୃଷ୍ଟିଭଙ୍ଗୀକୁ ନେଇ ନେହରୁ ନ୍ୟୁୟର୍କ, ସିଙ୍ଗାପୁର ଏବଂ ଦକ୍ଷିଣ ଆଫ୍ରିକାରେ ପ୍ରଶଂସିତ ହେଉଥିବା ବେଳେ ସ୍ବଦେଶରେ ଅହରହ ବାଚନିକ ବେତ୍ରାଘାତର ଶିକାର ହୋଇ ଚାଲିଛନ୍ତି।
ଗଲା ୩ ତାରିଖରେ ଗୁଜରାଟର ବଡ଼ୋଦରା(ବରୋଦା) ଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତ୍ରୀ ପାଳନ ଅବସରରେ ଆୟୋଜିତ ଏକ ସଭାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଏକ ମନ୍ତବ୍ୟ କଂଗ୍ରେସ ଦଳ ପକ୍ଷରୁ ତୀବ୍ର ସମାଲୋଚନାର ଶରବ୍ୟ ହୋଇଥିବା ବେଳେ ଲୋକକ୍ଷେତ୍ରରେ ମଧ୍ୟ ଆଲୋଚିତ ହେବାରେ ଲାଗିଛି। ତାଙ୍କ ଭାଷଣରେ ମନ୍ତ୍ରୀ ମହୋଦୟଙ୍କ ଉକ୍ତିଟି ଥିଲା ଏହା ଯେ ବାବ୍ରୀ ମସଜିଦ ନିର୍ମାଣ ଲାଗି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହରୁ ସରକାରୀ ତହବିଲରୁ ଅର୍ଥ ବ୍ୟୟ କରିବାର ପ୍ରସ୍ତାବ ଦେଇଥିଲେ ହେଁ ସର୍ଦ୍ଦାର ପଟେଲଙ୍କ ପ୍ରତିବାଦ ହେତୁ ତାହା କାର୍ଯ୍ୟକାରୀ ହୋଇ ପାରି ନ ଥିଲା। କହିବା ଅନାବଶ୍ୟକ ଯେ ପଣ୍ଡିତ ନେହରୁ କିଭଳି ମୁସଲିମ ତୁଷ୍ଟୀକରଣରେ ବ୍ୟାପୃତ ଥିଲେ, ତାହା ଦର୍ଶାଇବା ଥିଲା ରାଜନାଥ ସିଂହଙ୍କ ଉଦ୍ଦେଶ୍ୟ। ଭାରତର ଅଭିଲେଖାଗାରଗୁଡ଼ିକରେ ଉପଲବ୍ଧ ସମସାମୟିକ ଦସ୍ତାବେଜ ଓ ଐତିହାସିକ ସାମଗ୍ରୀରେ ଏଭଳି ବିବୃତ୍ତିକୁ ସମର୍ଥନ କଲା ଭଳି କୌଣସି ତଥ୍ୟ ଓ ପ୍ରମାଣ ନ ଥିବାର ଅଭିଯୋଗ କରି କଂଗ୍ରେସ ତଥା ଅନ୍ୟ ବିରୋଧୀ ଦଳଗୁଡ଼ିକ ଶାଣିତ ସମାଲୋଚନା କରିଛନ୍ତି। ଅବଶ୍ୟ, ଅପର ଦିଗରେ ରାଜନାଥ ସିଂହଙ୍କ ପକ୍ଷକୁ ଦୃଢ଼ କରିବା ସକାଶେ ବିଜେପିର ମୁଖପାତ୍ର ସୁଧାଂଶୁ ତ୍ରିବେଦୀଙ୍କ ଦ୍ବାରା ଯେଉଁ ପୁସ୍ତକର ଅବତାରଣା କରାଯାଇଛି, ତାହା ହେଲା ‘ଇନସାଇଡ ଷ୍ଟୋରି ଅଫ ସର୍ଦାର ପଟେଲ- ଡାଇରି ଅଫ ମଣିବେନ ପଟେଲ’। ତେବେ, ତା’ ସହିତ ସୋମନାଥ ମନ୍ଦିରର ପୁନର୍ନିର୍ମାଣ ଓ ଉଦ୍ଘାଟନ ସଂଦର୍ଭକୁ ଉଜ୍ଜୀବିତ କରି ‘ନେହରୁ-ପଟେଲ’ ଏବଂ ‘ନେହରୁ-ରାଜେନ୍ଦ୍ର ପ୍ରସାଦଙ୍କ ବାର୍ତ୍ତା ବିନିମୟର ଦୃଷ୍ଟାନ୍ତ ଦେବା ସହିତ ତ୍ରିବେଦୀ ମହାଶୟ ନେହରୁଙ୍କ ଅହେତୁକ ମୁସଲମାନ ପ୍ରୀତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏଭଳି ସ୍ଥଳେ ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ରାଜନାଥ ସିଂହଙ୍କ ବିବୃତ୍ତି ସଂଦର୍ଭରେ ଉଠୁଥିବା ପ୍ରଥମ ପ୍ରଶ୍ନଟି ହେଲା ଯେ ସେ ସମୟରେ ବାବ୍ରୀ ମସଜିଦ ଅକ୍ଷତ ଅବସ୍ଥାରେ ଥିବାରୁ ତାହାର ନିର୍ମାଣର ପ୍ରଶ୍ନ ଅବା ଉଠିବ କାହିଁକି? କେବଳ ସେତିକି ନୁହେଁ, ପଣ୍ଡିତ ନେହରୁଙ୍କ ରାଜନୈତିକ ମତାଦର୍ଶ ଦୃଷ୍ଟିରୁ ସେ କଦାଚିତ୍ କୌଣସି ଉପାସନା ପୀଠର ନିର୍ମାଣରେ ସରକାରୀ ରାଜକୋଷର ଅର୍ଥ ବ୍ୟୟ କରନ୍ତେ ନାହିଁ। କାରଣ ନେହରୁ ମାର୍କା ‘ସେକ୍ୟୁଲାରିଜମ’ ବା ଧର୍ମ ନିରପେକ୍ଷତାବାଦ ଅନୁସାରେ କୌଣସି ଧର୍ମ ବା ପନ୍ଥ ସହିତ ସରକାର ବା ସରକାରୀ ସଂସ୍ଥା କିମ୍ବା ସାଂବିଧାନିକ ଅନୁଷ୍ଠାନ ବା ପଦ କୌଣସି ରୂପେ ସଂଶ୍ଳିଷ୍ଟ ହେେବା ଉଚିତ ନୁହେଁ। ସେହି କାରଣରୁ ହିଁ ସୋମନାଥ ମନ୍ଦିରର ପୁନଃ ନିର୍ମାଣରେ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥ ଅର୍ଥାତ୍ ୨୫ ଲକ୍ଷ ଟଙ୍କା ଦାନ ସୂତ୍ରରେ ସଂଗୃହୀତ ହୋଇଥିଲା ଏବଂ ପୁନର୍ନିର୍ମିତ ସୋମନାଥ ମନ୍ଦିରର ଉଦ୍ଘାଟନ ଉତ୍ସବରେ ରାଷ୍ଟ୍ରପତି ରୂପେ ରାଜେନ୍ଦ୍ର ପ୍ରସାଦଙ୍କ ଅଂଶ ଗ୍ରହଣକୁ ସେ ନାପସନ୍ଦ କରିଥିଲେ ଏବଂ ନିଜ ମତକୁ ପତ୍ର ମାଧ୍ୟମରେ ରାଜେନ୍ଦ୍ର ପ୍ରସାଦଙ୍କୁ ଜଣାଇ ମଧ୍ୟ ଦେଇଥିଲେ। ପ୍ରକାଶ ଥାଉ କି ନେହରୁ ମାର୍କା ଧର୍ମ ନିରପେକ୍ଷତାକୁ ତତ୍କାଳୀନ କଂଗ୍ରେସରେ ଅନେକ ବିଚକ୍ଷଣ ହିନ୍ଦୁ ଧର୍ମାବଲମ୍ବୀ ରକ୍ଷଣଶୀଳ ନେତା ଗ୍ରହଣ କରୁ ନ ଥିଲେ। ଏହା ମଧ୍ୟ ସୁବିଦିତ ଯେ ନେହରୁଙ୍କ ଧର୍ମ ନିରପେକ୍ଷତାର ଧାରଣା ପଛରେ ୟୁରୋପୀୟ ଉଦାରବାଦୀ ଚିନ୍ତନର ପ୍ରଭାବ ଥିଲା, ଯାହା ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟିକୋଣ ଠାରୁ ମଧ୍ୟ ଭିନ୍ନ ଥିଲା; କାରଣ ଗାନ୍ଧୀଜୀ ‘ସର୍ବଧର୍ମ ସମନ୍ବୟ’ ଆଦର୍ଶରେ ବ୍ୟକ୍ତିଗତ, ସାମାଜିକ ଓ ରାଷ୍ଟ୍ରୀୟ ଜୀବନ ପରିଚାଳିତ ହେଉ ବୋଲି ଆଶା କରୁଥିଲେ। ତେବେ, ଚିନ୍ତନରେ ଏଭଳି ବୈସାଦୃଶ୍ୟ ହେତୁ ନେହରୁଙ୍କୁ ହିନ୍ଦୁ ବିରୋଧୀ ଏବଂ ମୁସଲିମ ତୁଷ୍ଟୀକରଣର ପୃଷ୍ଠପୋଷକ ରୂପେ ବିବେଚନା କରାଯାଇ ପାରିବ କି? ସମସାମୟିକ ଦସ୍ତାବେଜକୁ ଗଭୀର ଅନୁଧ୍ୟାନ କରିଥିବା ଇତିହାସକାରମାନଙ୍କ ମତରେ ମୁସଲମାନମାନଙ୍କ ଉପାସନା ଗୃହ ବ୍ୟାପାରରେ ରାଷ୍ଟ୍ରର ଭୂମିକା ନେଇ ନେହରୁଙ୍କ ମତ ମଧ୍ୟ ସମାନ ହୁଅନ୍ତା।
ଏହା ସୁବିଦିତ ଯେ ବିଜେପି ଏବଂ ତା’ର ଅନୁଗତ ଦକ୍ଷିଣପନ୍ଥୀ ଦଳଗୁଡ଼ିକ ନିରବଚ୍ଛିନ୍ନ ଭାବେ ନେହରୁଙ୍କୁ ଘେନି ସମାଲୋଚନା, ନିନ୍ଦା ଓ କୁତ୍ସା ରଟନା କରି ଆସିଛନ୍ତି। ଏହି କାର୍ଯ୍ୟରେ ‘ମିଡିଆ ସେଲ’ ଅହରହ ନିୟୋଜିତ ଏବଂ ନେହରୁଙ୍କୁ କେନ୍ଦ୍ର କରି ଅସରନ୍ତି ଗୁଜବ ଓ ମିଥ୍ୟାଚାରର ପ୍ରବାହ ‘ହ୍ବାଟସଆପ ବିଶ୍ବବିଦ୍ୟାଳୟ’ର ପାଠ୍ୟକ୍ରମକୁ ପରିପୃକ୍ତ କରି ସାରିଲାଣି। ତହିଁରେ ସର୍ବାଧିକ ଜନପ୍ରିୟ ପ୍ରସଙ୍ଗଟି ହେଉଛି ନେହରୁଙ୍କ ସହିତ ତତ୍କାଳୀନ ତୁଙ୍ଗ ନେତାମାନଙ୍କ ମତଭେଦ ଓ ଏଥିରେ ନିହିତ ଉଦ୍ଦେଶ୍ୟ ହେଉଛି ସେହି କ୍ରମରେ ନେହରୁଙ୍କୁ ନ୍ୟୂନ କରିବା। ଅବଶ୍ୟ, ଏହା ସତ ଯେ ନିଜ ମତାଦର୍ଶ, ଉଚ୍ଚାକାଂକ୍ଷା, କାର୍ଯ୍ୟ ଶୈଳୀ ପରିପ୍ରେକ୍ଷୀରେ ନେହରୁ, ନିଜ ଜୀବଦ୍ଦଶାେର, କେତେକ ସମସାମୟିକ ତୁଙ୍ଗ ନେତାଙ୍କ ଦ୍ବାରା ସମାଲୋଚିତ ହେଉଥିଲେ। କିନ୍ତୁ ସେ ସବୁ ବିଚାର ସ୍ତରରେ ସୀମିତ ଥିଲା, ବ୍ୟକ୍ତିଗତ ଅସୂୟା ବା ଅପମାନ ପ୍ରଦର୍ଶନ କି ଆକ୍ଷେପ ସ୍ତରକୁ ସ୍ଖଳିତ ହେଉ ନ ଥିଲା। ଏହି ସଂଦର୍ଭରେ ଅପର ଉଦ୍ଦେଶ୍ୟରେ ଲିଖିତ ଆପଣା ମତ ଓ ବିଚାର ବହନକାରୀ ପତ୍ରାବଳୀ କାଳଜୟୀ ଲିଖନ ରୂପେ ସ୍ବୀକୃତ ହେବା ସହିତ ସଂଭ୍ରମଶୀଳତା ଓ ସମ୍ମାନବୋଧର ଦୃଷ୍ଟାନ୍ତ ହୋଇ ରହିଛି। କିନ୍ତୁ ବିଡ଼ମ୍ବନା ହେଲା ଏଭଳି ମତାନୈକ୍ୟକୁ କଳହ ବୋଲି ଦର୍ଶାଯାଉଛି, ଯାହାକୁ ଲକ୍ଷ୍ୟ କରି ଇତିହାସକାର ଇରଫାନ ହବିବ କହିଥାନ୍ତି ଯେ ନେହରୁ-ପଟେଲ, ନେହରୁ-ସୁଭାଷ ବୋଷ, ଗାନ୍ଧୀ-ବୋଷ ବା ଗାନ୍ଧୀ-ଆମ୍ବେଦକରଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ସାଂପ୍ରତିକ ବ୍ୟାଖ୍ୟାନରୁ ବୁଝି ହେଉ ନାହିଁ ଯେ ସେମାନେ ପାରସ୍ପରିକ ଲଢ଼େଇରୁ ମୁକ୍ତ ହୋଇ କେତେବେଳେ ସ୍ବାଧୀନତା ସଂଗ୍ରମରେ ଲଢ଼ିଲେ?
ନେହରୁଙ୍କ ମୃତ୍ୟୁ ପରେ ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ଅତିକ୍ରାନ୍ତ ହୋଇଯାଇଥିବାରୁ ଏହି କାଳାନ୍ତରରେ ‘ନେହରୁ ଭକ୍ତି’ ବା ‘ନେହରୁ ପ୍ରୀତି’ ପତଳା ପଡ଼ିଯିବା ସ୍ବାଭାବିକ। ତେଣୁ ଦୃଷ୍ଟିପଥ ପରଷ୍କାର ହୋଇ ପଶ୍ଚାତ୍-ଅବଲୋକନରେ ତାଙ୍କର ଦୋଷତ୍ରୁଟି ଦେଖିପାରିବା ମଧ୍ୟ ଅଧିକ ସମ୍ଭବ। ତେଣୁ ନେହରୁଙ୍କ ସମାଲୋଚନା କରିବାରେ କୌଣସି ବାଧା ମଧ୍ୟ ନ ଥାଏ। କିନ୍ତୁ ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଲା ତାଙ୍କୁ ତତ୍କାଳୀନ ପରିସ୍ଥିତି ଓ ପରିବେଶ ପ୍ରେକ୍ଷାପଟରେ ସ୍ଥାପନ କରି ତଉଲିବା। କହିବା ବାହୁଲ୍ୟ, ଯେ ସ୍ବାଧୀନତା ପରବର୍ତ୍ତୀ ଦଙ୍ଗା ପ୍ରପୀଡ଼ିତ ଦରିଦ୍ର ଓ ଦିଗହୀନ ଭାରତର ନେତୃତ୍ବ ନେଉଥିବା ଯେ କୌଣସି ନେତା, ଯେତେ ବିଚାରଶୀଳ ଓ ବିଚକ୍ଷଣ ହେଲେ ମଧ୍ୟ, ଦ୍ବନ୍ଦ୍ବର ସମ୍ମୁଖୀନ ହେବା ଅନିବାର୍ଯ୍ୟ ଏବଂ ତାଙ୍କର କେତେକ କାର୍ଯ୍ୟ ନେଇ ଭବିଷ୍ୟତ୍ ସଦୟ ହୋଇ ନ ପାରେ!ଏହା ହିଁ ନେହରୁଙ୍କ ଦୁର୍ଭାଗ୍ୟ।
ବିିଜେପି ଚକ୍ଷୁରେ ଏବର କଂଗ୍ରେସ ହେଉଛି ଜୱାହରଲାଲ ନେହରୁଙ୍କ ପାରିବାରିକ ଦଳ; ତେଣୁ କଂଗ୍ରେସକୁ ଦୁର୍ବଳ କରିବା ଲାଗି ନେହରୁଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରାଯିବା ଅପରିହାର୍ଯ୍ୟ। ସୁତରାଂ, ଅସଂଗତିଟି ହେଉଛି ନିଜ ଗାଣତାନ୍ତ୍ରିକ ଦୃଷ୍ଟିଭଙ୍ଗୀକୁ ନେଇ ନେହରୁ ନ୍ୟୁୟର୍କ, ସିଙ୍ଗାପୁର ଏବଂ ଦକ୍ଷିଣ ଆଫ୍ରିକାରେ ପ୍ରଶଂସିତ ହେଉଥିବା ବେଳେ ସ୍ବଦେଶରେ ଅହରହ ବାଚନିକ ବେତ୍ରାଘାତର ଶିକାର ହୋଇ ଚାଲିଛନ୍ତି।
ସଂଯୋଗ କ୍ରମେ ୧୯୯୨ ମସିହାରେ ଆଜିର ଦିନରେ ବାବ୍ରୀ ମସଜିଦ ଧରାଶାୟୀ ହୋଇଥିଲା। ଇତିମଧ୍ୟରେ ସର୍ବୋଚ୍ଚ ଅଦାଲତଙ୍କ ରାୟ କ୍ରମେ ବାବ୍ରୀ ମସଜିଦର ପୁନଃ ନିର୍ମାଣ ଲାଗି ଅବକାଶ ମଧ୍ୟ ସୃଷ୍ଟି ହେଲାଣି। ନେହରୁ କୌଣସି ମନ୍ଦିର ବା ମସଜିନ ସକାଶେ ସରକାରୀ ଅର୍ଥ ବ୍ୟୟ କରିଥିବାର କୌଣସି ପ୍ରମାଣ ନାହିଁ। କିନ୍ତୁ ସରକାରୀ ଅର୍ଥ ବ୍ୟୟ କରି ସେ ‘ବିକାଶର କେତେକ ମନ୍ଦିର’ (ତାଙ୍କ ଭାଷାରେ) ନିର୍ମାଣ କରିଥିଲେ; ଯେମିତି ୧୯୫୦ରେ ଆଇ.ଆଇ.ଟି., ୧୯୫୪ରେ ଏନ୍.ଡି.ଏ., ୧୯୫୬ରେ ଏମ୍ସ, ୧୯୫୮ରେ ଡି.ଆର.ଡି.ଓ., ୧୯୬୧ରେ ଆଇ.ଆଇ.ଏମ. ଓ ଏନ.ଆଇ.ଡି.। ୧୯୫୬ ମସିହାରେ ଭାଭା ଆଣବିକ ଗବେଷଣା କେନ୍ଦ୍ରରେ ପ୍ରଥମ ରିଆକ୍ଟର ‘ଅପସରା’ କାର୍ଯ୍ୟକ୍ଷମ ହୋଇଥିଲା। ୧୯୬୩ ମସିହାରେ ଥୁମ୍ବାରୁ ଭାରତର ପ୍ରଥମ ରକେଟ ମହାକାଶ ଯାତ୍ରା କରିଥିଲା। ତାଙ୍କ ଷୋହଳ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଭିଲାଇ ଇସ୍ପାତ୍ କାରଖାନା, ଭାକ୍ରା ନଙ୍ଗଲ ଓ ହୀରାକୁଦ ବୃହତ୍ ନଦୀବନ୍ଧ, ଓ.ଏନ.ଜି.ସି ଇତ୍ୟାଦି ଭଳି ଅନେକ ପ୍ରକଳ୍ପ ରୂପ ପାଇଥିଲା। ଏ ପରିପ୍ରେକ୍ଷୀରେ ଇସ୍ରାଏଲୀ କବି ୟାହୁଦା ଆମିକାଇଙ୍କ କବିତାର ପଦ ଆଧାରରେ କୁହାଯାଇପାରେ ଯେ ଏଭଳି ସ୍ମାରକୀମାନ ଅତୀତ ପିଠିରେ ‘ପେପର ୱେଟ’ ଭଳି ବସି ରହିଥିବାରୁ ଇତିହାସର ପୃଷ୍ଠା ଉଡ଼ିଯାଇ ପାରୁନାହିଁ! ଏହା ହିଁ ନେହରୁଙ୍କ ଲାଗି ସାନ୍ତ୍ବନା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)