ଅନେକତ୍ର ସନ୍ଦେହ ସୃଷ୍ଟି ହୋଇଥାଏ ଯେ ଏହା ମାଧ୍ୟମରେ ଯେ କୌଣସି ନାଗରିକର ଅତ୍ୟନ୍ତ ବ୍ୟକ୍ତିଗତ ତଥା ଗୋପନୀୟ ପରିସର ମଧ୍ୟକୁ ସରକାରଙ୍କ ଅନୁପ୍ରବେଶ ଘଟିବ; ସେହି ବ୍ୟକ୍ତିଙ୍କ ଉପରେ, ଜର୍ଜ ଅରୱେଲଙ୍କ ପ୍ରସିଦ୍ଧ ଉପନ୍ୟାସ ‘ଊଣେଇଶହ ଚଉରାଅଶୀ’ର ‘ବିଗ୍‌ ବ୍ରଦର୍‌’ଙ୍କ ଭଳି, ସନ୍ତର୍ପଣରେ ଦୃଷ୍ଟି ରଖାଯାଇପାରିବ; ରାଜନୈତିକ ବିରୋଧୀମାନଙ୍କ ଚିହ୍ନଟ ଓ ନିପୀଡ଼ନ ସହଜ ହେବ; ଯାହା ମୁକ୍ତ ଗଣତନ୍ତ୍ରର ମୂଳାଧାର ଉପରେ କୁଠାରାଘାତ କରିବ।

Advertisment

ଗଲା ଦୁଇ ତିନି ଦିନ ଧରି ଯେଉଁ ପ୍ରସଙ୍ଗଟି ସାମାଜିକ ଗଣମାଧ୍ୟମ, ମୁଖ୍ୟସ୍ରୋତୀୟ ମିଡିଆ ଏବଂ ଲୋକକ୍ଷେତ୍ରରେ ତୁମୂଳ ଆଲୋଚନାର ବିଷୟବସ୍ତୁ ପାଲଟିଛି, ତାହା ସରକାରଙ୍କ ଦ୍ବାରା ପ୍ରସ୍ତୁତ, ପୃଷ୍ଠପୋଷିତ ଏବଂ ପ୍ରସାରିତ ମୋବାଇଲ ଆପ୍‌ ‘ସଂଚାର ସାଥୀ’କୁ କେନ୍ଦ୍ର କରି। ଏହି ପରିପ୍ରେକ୍ଷୀରେ ୨୦୨୧ ମସିହାର ‘ପେଗାସସ୍‌’ ନାମଧାରୀ ଗୁଇନ୍ଦା ସଫ୍‌ଟୱେର ବିଷୟ ସ୍ମରଣକୁ ଆସି ମେରୁଦଣ୍ଡରେ ଶୀତଳ ଶିହରଣ ପ୍ରବାହିତ କରିଥାଏ, କାରଣ ସହସା ଠାବ ହୋଇଯାଇଥିବା ସେହି ବିଶେଷ ପ୍ରଯୁକ୍ତି ବଳରେ ଅନେକ ବିରୋଧୀ ରାଜନୈତିକ ଦଳର ସଦସ୍ୟ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ସାମାଜିକ କର୍ମୀଙ୍କ ଫୋନକୁ ସେମାନଙ୍କ ଅଲକ୍ଷ୍ୟରେ ‘ଟ୍ୟାପିଂ’ କରାଯାଉଥିଲା ଏବଂ ତହିଁରେ ସଂପୃକ୍ତି ନେଇ ସରକାରଙ୍କ ତୀବ୍ର ପ୍ରତ୍ୟାଖ୍ୟାନ ସତ୍ତ୍ବେ ତାହା ବିଶ୍ବାସଯୋଗ୍ୟ ହୋଇ ପାରି ନ ଥିଲା। ତେବେ, ପ୍ରଶ୍ନ ହେଲା ‘ସଂଚାର ସାଥୀ’ ଭଳି ଆପ୍‌ର ପରିକଳ୍ପନା ଭାରତୀୟ ନାଗରିକଙ୍କ ହିତ ସାଧନ ଉଦ୍ଦେଶ୍ୟରେ ହୋଇଥିବାରୁ ଏହା କାହିଁକି ପେଗାସସ୍‌ ତୁଲ୍ୟ ଆଶଙ୍କା ସୃଷ୍ଟି କରୁଛି? ଏହାର ଉତ୍ତର ଖୋଜାଯିବା ଆବଶ୍ୟକ। 
ସରକାରଙ୍କ ପ୍ରଦତ୍ତ ତଥ୍ୟାନୁସାରେ ୨୦୨୫ ଜାନୁଆରିରୁ କାର୍ଯ୍ୟକ୍ଷମ ଏବଂ ୧.୪ କୋଟି ‘ଡାଉନଲୋଡ୍‌କାରୀ’ଙ୍କ ଦ୍ବାରା ବ୍ୟବହୃତ ଏହି ଆପ୍‌ ମାଧ୍ୟମରେ ୭.୫ ଲକ୍ଷ ମୋବାଇଲ ଚୋରି, ଜାଲି ନେଟ୍‌ୱାର୍କ ଏବଂ ସାଇବର ଠକେଇ ଆଦି ଧରା ପଡ଼ିଛି; ଏବଂ ‘ମୋବାଇଲ ଚୋରି’ ଓ ‘ସାଇବର ପ୍ରବଞ୍ଚନା’ର ସାଂପ୍ରତିକ ସାନ୍ଦ୍ର ବାତାବରଣରେ ଭାରତୀୟ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ସୁରକ୍ଷା ବର୍ମ ପ୍ରଦାନ କରିବ‌ା ହେଉଛି ଏହି ଆପ୍‌ର ମୂଳ ଲକ୍ଷ୍ୟ। ଏହା ସତ୍ତ୍ବେ ବିବାଦ କାହିଁକି? ଏଥିରେ ଦୁଇଟି କାରଣ ନିହିତ; ପ୍ରଥମଟି ହେଲା ଏହି ଆପ୍‌ର ବ୍ୟବହାରକୁ ‘ପସନ୍ଦ’ ପର୍ଯ୍ୟାୟରୁ ବାହାର କରିନେଇ ‘ବାଧ୍ୟତାମୂଳକ’ କରାଇବାରେ ସରକାରଙ୍କ ପ୍ରୟାସ, ଯହିଁରେ ମୋବାଇଲ ଚୋରି ରୋକିବା ଭଳି ଅପେକ୍ଷାକୃତ ହାଲୁକା ପ୍ରସଙ୍ଗକୁ ଘେନି ଅକାରଣ ବଳ ପ୍ରୟୋଗର ଇଚ୍ଛା ଦେଖିବାକୁ ମିଳିଥାଏ। ଏଥି ସକାଶେ ସରକାରଙ୍କ ପକ୍ଷରୁ ମୋବାଇଲ୍‌ ନିର୍ମାଣକାରୀ କଂପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଯେ ଭାରତରେ ବ୍ୟବହାର ଲାଗି ଉଦ୍ଦିଷ୍ଟ ପ୍ରତ୍ୟେକ ମୋବାଇଲ ଫୋନରେ ମୂଳରୁ ଓ ଅବିଚ୍ଛେଦ୍ୟ ଭାବେ ‘ସଂଚାର ସାଥୀ’ ଆପ୍‌କୁ ସ୍ଥାନିତ କରାଯାଉ। ଏହାର ଅର୍ଥ ଏହାକୁ ‘ଅନଇନଷ୍ଟଲ’ ବା ‘ଡିଲିଟ୍‌’ କରିବା ଅସମ୍ଭବ ହେବ। ବର୍ତ୍ତମାନ ଏହା ସୁବିଦିତ ଯେ ଆମ ‘ଡିଭାଇସ’ରେ ସ୍ଥାନିତ ପ୍ରତ୍ୟେକ ଆପ୍‌ ତା’ର ବ୍ୟବହାରକାରୀଙ୍କ ଅନେକ ବ୍ୟକ୍ତିଗତ ‘ଡେଟା’ ବା ତଥ୍ୟ ସଂଗ୍ରହ କରିଥାଆନ୍ତି। କୌଣସି ଆପ୍‌କୁ ଡାଉନଲୋଡ କରି ବ୍ୟବହାର କରିବା ପୂର୍ବରୁ ‘ଡିଭାଇସ’ର କେତେକ ଗୂଢ଼ ଅଞ୍ଚଳକୁ ପ୍ରବେଶାଧିକାର ସକାଶେ ‘ଅାପ୍‌’ଟି ଲୋଡୁଥିବା ବିନମ୍ର ଅନୁମତିର ସ୍ବୀକାର ସହିତ ଫୋନଟି ଆଂଶିକ ଭାବେ ସେହି ଆପ୍‌ର କବଳିତ ହୋଇଯାଏ ଏବଂ ବ୍ୟବହାରକାରୀର ଅନେକ ଗୋପନୀୟତା ଅବଲୀଳା କ୍ରମେ ଉନ୍ମୁକ୍ତ ହୋଇଯାଇଥାଏ; ଉଦାହରଣ ସ୍ବରୂପ ଅନେକ ଆପ୍‌ ବ୍ୟବହାରକାରୀର ‘ଲୋକେସନ’ ବା ‘ଉପସ୍ଥିତିର ସ୍ଥାନ’ ନେଇ ସର୍ବଦା ଅବଗତ ରହିବାର ଅନୁମତି ଲୋଡ଼ନ୍ତି, ଯାହା ସ୍ବୀକାର୍ଯ୍ୟ ହେବା ସହିତ ବ୍ୟବହାରକାରୀଙ୍କୁ ସେହି ଆପ୍‌ର ଅଦୃଶ୍ୟ ଚକ୍ଷୁ ଅନୁଧାବନ କରି ଚାଲେ। ପ୍ରକାଶ ଥାଉ କି ‘ସଂଚାର ସାଥୀ’ ଆପ୍‌ଟି ବ୍ୟବହାରକାରୀଙ୍କ କଲ୍‌, କଣ୍ଟାକ୍‌ଟ, ଲୋକେସନ, କ୍ୟାମେରା ଏପରିକି ଟର୍ଚ ବ୍ୟବହାର କରିବାର କ୍ଷମତା ଲୋଡ଼ିଥାଏ। ସୁତରାଂ, ଅନେକତ୍ର ସନ୍ଦେହ ସୃଷ୍ଟି ହୋଇଥାଏ ଯେ ଏହା ମାଧ୍ୟମରେ ଯେ କୌଣସି ନାଗରିକର ଅତ୍ୟନ୍ତ ବ୍ୟକ୍ତିଗତ ତଥା ଗୋପନୀୟ ପରିସର ମଧ୍ୟକୁ ସରକାରଙ୍କ ଅନୁପ୍ରବେଶ ଘଟିବ; ସେହି ବ୍ୟକ୍ତିଙ୍କ ଉପରେ, ଜର୍ଜ ଅରୱେଲଙ୍କ ପ୍ରସିଦ୍ଧ ଉପନ୍ୟାସ ‘ଊଣେଇଶହ ଚଉରାଅଶୀ’ର ‘ବିଗ୍‌ ବ୍ରଦର୍‌’ଙ୍କ ଭଳି, ସନ୍ତର୍ପଣରେ ଦୃଷ୍ଟି ରଖାଯାଇପାରିବ; ରାଜନୈତିକ ବିରୋଧୀମାନଙ୍କ ଚିହ୍ନଟ ଓ ନିପୀଡ଼ନ ସହଜ ହେବ; ଯାହା ମୁକ୍ତ ଗଣତନ୍ତ୍ରର ମୂଳାଧାର ଉପରେ କୁଠାରାଘାତ କରିବ। ତେବେ, ଏହା ମଧ୍ୟ ସତ ଯେ ସରକାରଙ୍କ ଏଭଳି ଆଗ୍ରହ କେବଳ ସନ୍ଦେହାସ୍ପଦ ହୋଇ ରହିଥାଆନ୍ତା, ଯଦି ମୋବାଇଲ ନିର୍ମାତା କଂପାନିଗୁଡ଼ିକୁ ସରକାରଙ୍କ ନିର୍ଦ୍ଦେଶ ସଂବଳିତ ପତ୍ରଟିକୁ ଅତ୍ୟନ୍ତ ଗୋପନୀୟ ଭାବେ ପ୍ରେରଣ କରା ଯାଇ ନ ଥାଆନ୍ତା ଏବଂ ଏହାକୁ ପ୍ରଘଟ କରି ‘ରଏଟର୍ସ’ ପକ୍ଷରୁ ସମ୍ବାଦ ପ୍ରସାରିତ ହୋଇ ନ ଥାଆନ୍ତା। କହିବା ବାହୁଲ୍ୟ, ଏହି କାରଣରୁ ସରକାରଙ୍କ ଦୁରଭିସନ୍ଧି ନେଇ ସନ୍ଦେହ ଦୃଢ଼ମୂଳ ହୋଇ ବିରୋଧକୁ ଜନ୍ମ ଦେଇଛି। 

editorial: ଅରୁଣାଚଳର ଗୁଂଜନ

ଅବଶ୍ୟ, ଇତିମଧ୍ୟରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଗଲାଣି ଯେ ‘ସଂଚାର ସା‌ଥୀ’କୁ ଜଣେ ବ୍ୟବହାରକାରୀ ଇଚ୍ଛା କଲେ ‘ଅନଇନଷ୍ଟଲ’ କରି ଦେଇପାରିବ; କିନ୍ତୁ ସାଇବର ସୁରକ୍ଷା ବିଶେଷଜ୍ଞମାନଙ୍କ ଅନୁସାରେ ‘ଅନଇନଷ୍ଟଲ’ କରିଦେଲେ ସୁଦ୍ଧା ଗୋଟିଏ ଆପ୍‌ର ପଦଚିହ୍ନ ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଏ ନାହିଁ; ଅସ୍ପଷ୍ଟ ଭାବେ ରହିଥାଏ। ଏବଂ ତା’ ଦ୍ବାରା ସଂଗୃହୀତ ‘ଡେଟା’ ଚିର କାଳ ସକାଶେ ତାହାର ସଂପତ୍ତି ହୋଇ ରହିଯାଏ। ଏହି ମର୍ମରେ ପ୍ରଶ୍ନ ଉଠିପାରେ ଯେ ବିଭିନ୍ନ ଲୋକପ୍ରିୟ ଦେଶୀ-ବିଦେଶୀ ଆପ୍‌ର ବ୍ୟବହାର ଜରିଆରେ ଯେତେବେଳେ ବ୍ୟକ୍ତିଗତ ‘ଡେଟା’ର ନିରବଚ୍ଛିନ୍ନ ପ୍ରବାହ ଚାଲିଛି, ‘ସଂଚାର ସାଥୀ’ ବେଳକୁ ଆପତ୍ତି କାହିଁକି? ଏଥିରେ ଦ୍ବିଧା ନାହିଁ ଯେ ଯେକୌଣସି ଆପ୍‌ ହେଉ ନା କାହିଁକି, ଏକ ଅପରିଚିତ ସତ୍ତା ଦ୍ବାରା ବ୍ୟକ୍ତିଗତ ‘ଡେଟା’ର ଭଣ୍ଡାରଣରେ ଦୁରୁପଯୋଗର ଆଶଙ୍କା ସର୍ବଦା ଲୁଚି ରହିଥାଏ;  କିନ୍ତୁ ‘ସଂଚାର ସାଥୀ’ ଭଳି ଆପ୍‌ କ୍ଷେତ୍ରରେ ମୌଳିକ ପ୍ରଭେଦଟି ହେଲା ଅହରହ ସରକାରଙ୍କ ଦୃଷ୍ଟି ତଳେ ଆବଦ୍ଧ ଜଣେ ନାଗରିକର ବ୍ୟକ୍ତିଗତ ଗୋପନୀୟତା ଉନ୍ମୁକ୍ତ ହୋଇଗଲେ ତାହା କାରଣ-ଅକାରଣ ରାଷ୍ଟ୍ରର ଅନୁଶାସନ, ନିୟନ୍ତ୍ରଣ ଏପରିକି ଦଣ୍ଡକୁ ଆମନ୍ତ୍ରଣ କରିପାରେ। ତେବେ, ଏ ସଂଦର୍ଭରେ ଅନେକ କହିଥାଆନ୍ତି ଯେ ନିହାତି ଆପରାଧିକ ହୋଇ ନ ଥିଲେ ସରକାରଙ୍କ ଠାରୁ କୌଣସି ସଂଦର୍ଭକୁ ଲୁକ୍କାୟିତ ରଖାଯିବାର ଆବଶ୍ୟକତା ଅଛି କି? କିନ୍ତୁ ସତ କହିଲେ ଜୀବନକୁ ସ୍ବଚ୍ଛନ୍ଦ କରିବା ଲାଗି ବସ୍ତୁତଃ ବିଭିନ୍ନ ସ୍ତରୀୟ ଗୋପନୀୟତା ଏକାନ୍ତ ଆବଶ୍ୟକ ହୋଇଥାଏ, ଯେମିତି ବନ୍ଧୁମାନଙ୍କ ସହିତ ନିଭୃତ ବାର୍ତ୍ତାଳାପର ଅଂଶୀଦାର ପିତାମାତା ହୋଇ ନ ପାରନ୍ତି। କହିବା ବାହୁଲ୍ୟ, ଏହି ସ୍ବାଚ୍ଛନ୍ଦ୍ୟ ସକାଶେ ସଂବିଧାନରେ ବ୍ୟକ୍ତିଗତ ଗୋପନୀୟତାର ଅଧିକାରକୁ ନାଗରିକର ମୌଳିକ ଅଧିକାରର ମାନ୍ୟତାଭୁକ୍ତ କରାଯାଇଛି। ତେଣୁ ପାଲଟା ପ୍ରଶ୍ନ ହୋଇପାରେ ଯେ ଜଣେ ନାଗରିକର ବ୍ୟକ୍ତିଗତ ଜୀବନର ନିବୁଜତା ମଧ୍ୟକୁ ସରକାର ଡୁଙ୍ଗି ଦେଖିବେ କାହିଁକି? କେହି କେହି କହିଥାଆନ୍ତି ଯେ ସାଧାରଣ ନାଗରିକମାନଙ୍କୁ ମାଗଣା ବଣ୍ଟନ ଓ ସବସିଡି ପ୍ରଦାନରେ ନିମଗ୍ନ ଏକ ଏକ ଜନ କଲ୍ୟାଣକାରୀ ସରକାର ସନ୍ଦେହର ପାତ୍ର ହେବ କାହିଁକି? ‘ସଂଚାର ସାଥୀ’ର ଉଦ୍ଦେଶ୍ୟ ତ ଜନ ହିତ ସାଧନ, ତେବେ ତା’ର ବିରୋଧ କାହିଁକି? ସତ କହିଲେ, ବିରୋଧର କାରଣ ନ ଥାଆନ୍ତା, ଯଦି ସରକାରଙ୍କ ପକ୍ଷରୁ ସ୍ବଚ୍ଛତା ଅବଲମ୍ବନ କରି ‘ସଂଚାର ସାଥୀ’ର ସ୍ଥାୟିତ୍ବ ପ୍ରସଙ୍ଗକୁ ରାଷ୍ଟ୍ରକୁ ଅବଗତ କରାଇ ଜନମତ ଲୋଡ଼ିଥାଆନ୍ତେ; ୨୦୧୩-୧୪ ମସିହାରେ ତତ୍କାଳୀନ ଆଇନ ଓ ସଂଚାର ମନ୍ତ୍ରୀ କପିଳ ଶିବଲଙ୍କ ଦ୍ବାରା ‘ଇଣ୍ଟରନେଟ ସେନସରସିପ’ ଲାଗି ଉଦ୍ୟମ କରାଯାଇ ନ ଥାଆନ୍ତା; ସୂଚନା ଅଧିକାର ଆଇନକୁ ଦୁର୍ବଳ କରି ନିଜକୁ ଦୁର୍ଭେଦ୍ୟ କରିଥିବା ବେଳେ ନାଗରିକର ଜୀବନକୁ ଯବକାଚ ତଳେ ଥୋଇ ଦେଖିବାର ସରକାରଗୁଡ଼ିକ ଯତ୍ନଶୀଳ ହୁଅନ୍ତେ ନାହିଁ; ନାଗରିକତାର ପ୍ରମାଣ ବହନକାରୀ ‘ଏସ.ଆଇ.ଆର.’ ପ୍ରସ୍ତୁତିରେ ତରବରିଆ ଓ ସନ୍ଦେହପୂର୍ଣ୍ଣ ହାବଭାବ ପ୍ରକାଶ ପାଇ ନ ଥାଆନ୍ତା; ଚାଞ୍ଚଲ୍ୟ ସୃଷ୍ଟିକାରୀ ଭୀମା-କୋରୋଗାଓଁ ଘଟଣା(୨୦୧୮)ରେ ଅଭିଯୁକ୍ତମାନଙ୍କ ଲାପଟପରେ ସରକାରୀ ଏଜେନ୍‌ସି ଦ୍ବାରା ଆପତ୍ତିମୂଳକ ସୂଚନାର ବପନ ନେଇ ଫେରେନସିକ ଯାଞ୍ଚ ସାବ୍ୟସ୍ତ କରି ନ ଥାଆନ୍ତା; ୨୦୧୮ ମସିହା ଜାନୁଆରି ମାସରେ ‘ଟ୍ରିବ୍ୟୁନ’ ଖବରକାଗଜ ପ୍ରକାଶ କରି ନ ଥାଆନ୍ତା ଯେ ‘ୟୁ.ଆଇ.ଡି.ଏ.ଆଇ.’ରେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କ ଦ୍ବାରା ନାଗରିକମାନଙ୍କ ଆଧାର ତଥ୍ୟକୁ ‘ହ୍ବାଟସଆପ’ ଏଜେଣ୍ଟଙ୍କୁ ବିକ୍ରି କରି ଦିଆଯାଇଛି; ଏବଂ ‘ପୋଗାସସ’ ମାମଲା ଅସମାହିତ ଓ ରହସ୍ୟ ଘେରା ହୋଇ ରହି ଯାଇ ନ ଥାଆନ୍ତା! ଏ ତାଲିକା ଦୀର୍ଘ ଏବଂ ନାଗରିକର ଦୃଷ୍ଟିରେ ସନ୍ଦେହାସ୍ପଦ ହେବା ଭଳି ସ୍ଥିତି ସବୁ ସରକାରଙ୍କ ଅମଳରେ ସୃଷ୍ଟି ହୋଇଛି।

Editorial: ଧାତବ ପକ୍ଷୀର ଦୁଃଖ


ସରକାରଙ୍କ ଦୃଷ୍ଟିରେ ‘ସଂଚାର ସାଥୀ’ ହେଉଛି ଭାରତୀୟ ନାଗରିକଙ୍କ ହିତାକାଂକ୍ଷୀ ସାଥୀ ଅର୍ଥାତ୍ ଗୋଟିଏ ପରମ ମିତ୍ର। ମିତ୍ର ସମକ୍ଷରେ ଅନାବୃତ ହୋଇଯିବାରେ ଆପତ୍ତି ମଧ୍ୟ ନ ଥାଏ, କାରଣ ତହିଁରେ ସଂପର୍କର ଆଧାର ହୋଇଥାଏ ସ୍ବଚ୍ଛତା ଓ ବିଶ୍ବାସ। କିନ୍ତୁ ଏକ ବିଡ଼ମ୍ବନା ହେଲା, ଏଭଳି ଅନାବୃତ ହୋଇଯିବା ହେତୁ ପରମ ମିତ୍ର ଯଦି ଭେଦିଆ ପାଲଟିଯାଏ, ତେବେ ସର୍ବାଧିକ ବିପଦର ଆଶଙ୍କା ମଧ୍ୟ ଦେଖାଦିଏ; ତେଣୁ ଜୁଲିଅସ ସିଜରଙ୍କ ସନ୍ଦେହର ଊର୍ଦ୍ଧ୍ବରେ ଥିବା ପରମ ମିତ୍ର ବ୍ରୁଟସ୍‌ର ଛୁରୀକା ଯେତେବେଳେ ତାଙ୍କ ପିଠି ଭେଦ କରିଗଲା, ପଛକୁ ବୁଲିପଡ଼ି ଅବିଶ୍ବାସ୍ୟ ସତ୍ୟ ଆବିଷ୍କାର କରିଥିବା ସିଜରଙ୍କ ବିସ୍ମୟ ବିସ୍ଫାରିତ କଣ୍ଠରୁ ଅଗତ୍ୟା ନିର୍ଗତ ହୋଇଯାଇଥିଲା ‘ବ୍ରୁଟସ, ତୁମେ ବି!’