ଚୀନ ମଧ୍ୟ ଏହି ବାସ୍ତବତାକୁ ସ୍ବୀକାର କରୁଥିବ େଯ ଅରୁଣାଚଳ ପ୍ରଦେଶକୁ ଅଧିକାର କରିବାର ଲକ୍ଷ୍ୟ ଆଦୌ ଫଳପ୍ରଦ ହେବନାହିଁ; କିନ୍ତୁ ଅରୁଣାଚଳ ପ୍ରଦେଶକୁ ଭାରତର ମୁଣ୍ଡ ବିନ୍ଧା ଲାଗି ସଫଳତାର ସହିତ ବ୍ୟବହାର କରାଯାଇପାରେ। ଏଭଳି ସ୍ଥଳେ ଭାରତ ଯେଉଁ ପନ୍ଥା ଅବଲମ୍ବନ କରିବା ଉଚିତ, ତାହା ହେଲା କୌଣସି ପ୍ରତିକ୍ରିୟାମୂଳକ ଉଚ୍ଚାଟ ସୃଷ୍ଟି ନ କରି ନିଘଞ୍ଚ ଧ୍ୟାନର ସହିତ ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବା ପଥରେ ଅଗ୍ରସର ହେବା। ଚୀନର ଉପଦ୍ରବରେ ଧ୍ୟାନ ଭଙ୍ଗ ଘଟିଲେ ଭାରତର ଲକ୍ଷ୍ୟ ପ୍ରାପ୍ତିରେ ବିଳମ୍ବ ହେବ ଓ ଚୀନର ଅଭିସନ୍ଧି ପୂରଣ ହେବ।
ଚୀନ ଓ ଭାରତ ମଧ୍ୟରେ ସୁସଂପର୍କ ପୁନଃ ବାହଲ ହେବା ନେଇ ସଂକେତମାନ ସଂପ୍ରତି ଦିଶିବାକୁ ଲାଗିଥିବା ବେଳେ ଅରୁଣାଚଳ ପ୍ରଦେଶର ଅଧିକାରକୁ ନେଇ ଚୀନର ସଦ୍ୟତମ ଦାବି ସେହି ଉତ୍ସାହରେ ଭଟ୍ଟା ପକାଇଛି। ଯଦିଓ, ଏ ପରିପ୍ରେକ୍ଷୀରେ ଉଭୟ ଭାରତ ଓ ଚୀନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆରୋପ, ପ୍ରତ୍ୟାରୋପ ଓ ଅସ୍ବୀକାର ସଂବଳିତ ମନ୍ତବ୍ୟର ଗତାନୁଗତିକ ଧାରା ସୃଷ୍ଟି ହୋଇଛି, ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଲା ସାଂପ୍ରତିକ ପୃଥିବୀର ବସ୍ତୁସ୍ଥିତି, ରଣନୈତିକ ପରିସ୍ଥିତି, ଅର୍ଥନୈତିକ ଓ ବାଣିଜ୍ୟିକ ଭାରସାମ୍ୟ ଇତ୍ୟାଦି ଭଳି ସଂଦର୍ଭକୁ ବିଚାରକୁ ନେଇ ଶଂସିତ ଘଟଣାର ଆଲୋଚନା କରିବା ଏବଂ ଭାରତ ଓ ଚୀନର ଭବିଷ୍ୟତ୍ ସଂପର୍କକୁ ନେଇ ଏକ ଅର୍ଥପୂର୍ଣ୍ଣ ଅନ୍ଦାଜ ଲଗାଇବାର ପ୍ରଚେଷ୍ଟା କରିବା।
ପ୍ରଥମେ ବିବାଦର ପୃଷ୍ଠଭୂମି ଉପରେ କ୍ଷିପ୍ର ଦୃଷ୍ଟିପାତ କରିବା। ଅଭିଯୋଗ ଅନୁସାରେ ଇଂଲାଣ୍ଡରେ ବସବାସ କରୁଥିବା ଅରୁଣାଚଳୀ ମହିଳା ପେମା ୱାଙ୍ଗଜମ ତାଙ୍କ ଜାପାନ ଯାତ୍ରା ପଥରେ, ସାଂଘାଇ ବିମାନବନ୍ଦରରେ ସ୍ବଳ୍ପକାଳୀନ ରହଣି ସମୟରେ, ପାସପୋର୍ଟ ଜବତ କରାଯିବା ଓ ଜାପାନ ଅଭିମୁଖେ ପରବର୍ତ୍ତୀ ବିମାନ ଧରିବାକୁ ସୁଯୋଗ ଦିଆ ନ ଯାଇ ଦୀର୍ଘ ଅଠର ଘଣ୍ଟା କାଳ ଅଟକ ରଖାଯିବା ଭଳି ଏକ ଘୋର ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ; ଯାହାକୁ ଘେନି ଭାରତ ଓ ଚୀନ ମଧ୍ୟରେ ଏକ କୂଟନୈତିକ ବିବାଦର ସୂତ୍ରପାତ ଘଟିଥିଲା। ଏହାର କାରଣ ଥିଲା, ପାସପୋର୍ଟରେ ଜଣେ ଅରୁଣାଚଳୀଙ୍କ ଜାତୀୟତାକୁ ଭାରତୀୟ ବୋଲି ଚିହ୍ନିତ କରାଯିବା ଚୀନୀୟ ଅଧିକାରୀମାନଙ୍କ ସକାଶେ ସ୍ବୀକାର୍ଯ୍ୟ ନ ଥିଲା। ପ୍ରକାଶ ଥାଉ କି ଅରୁଣାଚଳ ପ୍ରଦେଶ ପ୍ରତି ଚୀନର ଆସକ୍ତି ବହୁ ପୁରୁଣା, ଏବଂ ସେହି ଅଞ୍ଚଳକୁ ଚୀନ ଦକ୍ଷିଣ ତିବ୍ବତ ବା ଜାଙ୍ଗନାମ ବୋଲି ଆଖ୍ୟାୟିତ କରିଥାଏ, ଯଦିଓ ତାହା ଭାରତର ଏକ ରାଜ୍ୟ ତଥା ଅବିଚ୍ଛେଦ୍ୟ ଅଂଶ। ଏଠାରେ ପ୍ରଣିଧାନଯୋଗ୍ୟ ବିଷୟଟି ହେଲା ଚୀନ ପକ୍ଷରୁ ଭାରତ ଓ ଚୀନ ମଧ୍ୟବର୍ତ୍ତୀ ସୀମା ନିର୍ଦ୍ଧାରଣକାରୀ ରେଖା ‘ମାକମୋହନ ଲାଇନ’କୁ ସର୍ବଦା ଅସ୍ବୀକାର କରି ଆସିଛି ଏବଂ ୧୯୧୪ ମସିହାରେ ଏହି ସୀମାରେଖାକୁ ଆନୁଷ୍ଠାନିକ ସ୍ବୀକୃତି ପ୍ରଦାନ ଲାଗି ଅନିଚ୍ଛୁକ ଚୀନ ଅନୁପସ୍ଥିତ ରହିବାରୁ ସେ ସମୟେର ସ୍ବାଧୀନ ଥିବା ତିବ୍ବତ ପକ୍ଷରୁ ମାକମୋହନ ସାହେବଙ୍କ ମାନଚିତ୍ର ସଂବଳିତ ଦସ୍ତାବେଜରେ ଦସ୍ତଖତ କରାଯାଇଥିଲା। ତେବେ, ୧୯୫୦ ମସିହାରେ ଚୀନ ଦ୍ବାରା ତିବ୍ବତ ଦଖଲ ଓ ଆତ୍ମସାତ୍ ପରେ ସେହି ଦସ୍ତାବେଜ ଏକ ପ୍ରକାର ଅଚଳ ହୋଇଯାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୫୪ ମସିହାରେ ଚୀନ ପକ୍ଷରୁ ଭାରତ ଉଦ୍ଦେଶ୍ୟରେ ପ୍ରଦତ୍ତ ଏକ ପ୍ରସ୍ତାବରେ ‘ଆକସାଇ ଚୀନ’କୁ ଭାରତକୁ ଦେଇ ପ୍ରତିବଦଳରେ ଅରୁଣାଚଳ ପ୍ରଦେଶ ନେବାକୁ ଇଚ୍ଛା ପ୍ରକଟ କରାଯାଇଥିଲା, ଯାହାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହରୁ ଅଗ୍ରାହ୍ୟ କରି ଦେଇଥିଲେ। ଏହା ପରେ ୧୯୬୨ ମସିହାରେ ଚୀନ ପକ୍ଷରୁ ଭାରତ ବିରୋଧରେ ଆକ୍ରମଣ ସଂରଚନା କରାଯାଇ ‘ଆକସାଇ ଚୀନ’ ଅଞ୍ଚଳକୁ ଦଖଲ କରି ଦିଆଯିବା ସହିତ ‘ମାକମୋହନ ଲାଇନ’ ଅତିକ୍ରମ କରାଯାଇ ଚୀନ ଦୃଷ୍ଟିରେ ତା’ର ଅସାରତା ପ୍ରମାଣ କରିବାର ଉଦ୍ୟମ କରାଯାଇଥିଲା। ସଂପ୍ରତି ଭାରତ ଓ ଚୀନ ମଧ୍ୟରେ ରହିଥିବା ସୀମାରେଖାଟି ହେଉଛି ବାସ୍ତବ ନିୟନ୍ତ୍ରଣ ରେଖା ବା ‘ଲାଇନ ଅଫ ଏକ୍ଚୁଆଲ କଂଟ୍ରୋଲ’ ବା ‘ଏଲ.ଏ.ସି.’ ଯାହା ଭୂମ୍ୟାଧିକାର ନେଇ ଉଭୟ ଦେଶ ପୋଷଣ କରୁଥିବା ଧାରଣା ଉପରେ ଆଧାରିତ ବୁଝାମଣାକୁ ନେଇ ସ୍ବୀକୃତ ହୋଇଛି। କିନ୍ତୁ ଏ ସବୁ ମଧ୍ୟରେ ଅରୁଣାଚଳ ପ୍ରଦେଶ ପ୍ରତି ଚୀନର ଆକର୍ଷଣ ଉଜ୍ଜୀବିତ ରହିଛି ଏବଂ ଏହି ଅଞ୍ଚଳକୁ ଧୀର ମନ୍ଥର ଭାବେ ଜୀର୍ଣ୍ଣ କରିଦେବାକୁ ସତେ ଯେମିତି ଚୀନ ଉଦ୍ଗ୍ରୀବ; ତାହା ହୋଇ ନ ଥିଲେ ଚୀନ ପକ୍ଷରୁ ଅରୁଣାଚଳ ପ୍ରଦେଶର ସୀମାକୁ ଲାଗି ରାଜପଥ, ରେଳପଥ, ବିମାନବନ୍ଦର ଓ ବସତି ସ୍ଥାପନ ଭଳି ଦ୍ରୁତ ଭିତ୍ତିଭୂମିଗତ ବିକାଶ ଘଟା ଯାଇ ନ ଥାଆନ୍ତା ବା ଚୀନ ଦ୍ବାରା କଳ୍ପିତ ମାନଚିତ୍ରରେ ଅରୁଣାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳ ଚୀନୀୟ ନାମ ବହନ କରି ବିଦ୍ୟମାନ ହୋଇ ନ ଥାଆନ୍ତେ! ଏହାର ଅର୍ଥ ହେଲା, ଚୀନ ପ୍ରମାଣ କରିବାକୁ ଚାହିଁଥାଏ ଯେ ଅରୁଣାଚଳ ପ୍ରଦେଶ ବାସ୍ତବରେ ହେଉଛି ଭାରତ ଦ୍ବାରା ଅନଧିକୃତ ଭାବେ ଅଧିକୃତ ଏକ ଚୀନା ପ୍ରଦେଶ। କିନ୍ତୁ ପ୍ରକୃତରେ ଅରୁଣାଚଳ ପ୍ରଦେଶ ଏକଛତ୍ରବାଦୀ ଚୀନ ବଦଳରେ ସର୍ବଦା ଗଣତନ୍ତ୍ରୀ ଭାରତର ଅଂଶ ହୋଇ ରହିବାକୁ ଚାହିଁଥାଏ, ଯାହାର ପ୍ରମାଣ ସେଠାରେ ହେଉଥିବା ସାଧାରଣ ନିର୍ବାଚନରେ ବିପୁଳ ଅଂଶ ଗ୍ରହଣ(୭୬% ମତଦାନ)। କିନ୍ତୁ ବିଡ଼ମ୍ବନା ହେଲା, ତାହାକୁ ଭ୍ରୂକ୍ଷେପ ନ କରି ଅରୁଣାଚଳ ପ୍ରଦେଶ ଉପରେ ଦାବିକୁ ନେଇ ଚୀନ ପକ୍ଷରୁ ଭାରତର କାନ ପାଖରେ ବିରକ୍ତିକର ଗୁଂଜନ ସୃଷ୍ଟିର ଉଦ୍ୟମ ଅବ୍ୟାହତ ରହିବା।
ସଂପ୍ରତି ଘଟିଥିବା ବିବାଦ ପରିପ୍ରେକ୍ଷୀରେ ଚୀନ ବିରୋଧରେ ଭାରତୀୟ ଜନମତ ତୀବ୍ର ହେବା ସ୍ବାଭାବିକ, କାରଣ ଭାରତ ସହିତ ଚୀନ ବାରମ୍ବାର ବିଶ୍ବାସଘାତକତା କରି ଆସିଛି। କିନ୍ତୁ ଏକ କର୍କଶ ବାସ୍ତବତା ହେଲା ଚୀନ ସଂପ୍ରତି ଏଭଳି ଏକ ସ୍ଥିତିରେ ବିଦ୍ୟମାନ, ଯେଉଁଠି ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ନତ ମସ୍ତକ ହେବାକୁ ବାଧ୍ୟ ହୋଇଛି; ଟ୍ରଂପଙ୍କ ଟାରିଫ ଯୁଦ୍ଧ ଅନ୍ତତଃ ପକ୍ଷେ ତାହା ପ୍ରମାଣ କରିଛି। ବ୍ଲୁମବର୍ଗରେ ପ୍ରକାଶିତ ଏକ ରିପୋର୍ଟ କହିଥାଏ ଯେ ସଂପ୍ରତି ଚୀନ ୯୦ ପ୍ରତିଶତ ଆତ୍ମନିର୍ଭରକ୍ଷମ ହେବା ସହିତ ଅବଶିଷ୍ଟ ପୃଥିବୀକୁ ପ୍ରାୟ ୬୦% ଚୀନ-ନିର୍ଭରଶୀଳ କରି ପକାଇଛି। ଦୈନନ୍ଦିନ ବ୍ୟବହାର୍ଯ୍ୟ ସାଧାରଣ ଦ୍ରବ୍ୟ ଠାରୁ ଆରମ୍ଭ କରି ଇ.ଭି., ମୋବାଇଲ, ଔଷଧ, ବିରଳ ମୃତ୍ତିକା, ମାଗନେଟ୍, ଉଚ୍ଚ କ୍ଷମତାସଂପନ୍ନ ମାଇକ୍ରୋଚିପ୍ ଇତ୍ୟାଦି ପର୍ଯ୍ୟନ୍ତ ଅଧିକାଂଶ କ୍ଷେତ୍ରରେ ଚୀନ ଏବେ ଅଗ୍ରଣୀ ନିର୍ମାଣକାରୀ ରାଷ୍ଟ୍ର ଏବଂ ପୃଥିବୀର ଅଧିକାଂଶ ରାଷ୍ଟ୍ରଙ୍କ ସହିତ ଚୀନର ବାଣିଜ୍ୟ ମୁଖ୍ୟତଃ ରପ୍ତାନିଭିତ୍ତିକ, ଅର୍ଥାତ୍ ଚୀନ ପାଇଁ ଆୟ ଓ ଲାଭର ଉତ୍ସ। କହିବାର ଅର୍ଥ ହେଲା ଚୀନ ବିନା ପୃଥିବୀର ଅଧିକାଂଶ ସ୍ଥାନରେ ଦୈନନ୍ଦିନ ଜୀବନ ଯାତ୍ରାରେ ଘୋର ବ୍ୟାଘାତ ଘଟିବ। ଏହା ନିଃସନ୍ଦେହ ଯେ ଏଭଳି ଏକ ସ୍ଥିତିରେ ପହଞ୍ଚିବା ଲାଗି ଚୀନ ପକ୍ଷରୁ, ଚାରି ଦଶନ୍ଧି ପୂର୍ବରୁ, ଦୂରଦୃଷ୍ଟିସଂପନ୍ନ ରାଷ୍ଟ୍ରପତି ଝାଓ ଜିଆଙ୍ଗଙ୍କ ନେତୃତ୍ବରେ ନିରବ ଯାତ୍ରା ଆରମ୍ଭ ହୋଇଯାଇଥିଲା; ଯେମିତି କି ବିରଳ ମୃତ୍ତିକା ଭବିଷ୍ୟତ୍ରେ ପୃଥିବୀର ପ୍ରାଣ-ସ୍ପନ୍ଦନ ହେବ ବୋଲି ଠଉରାଇ ନେଇ ଗଲା ଅଷ୍ଟମ ଦଶକରୁ ଚୀନରେ ବିଧିବଦ୍ଧ ଜାତୀୟ ନୀତି ପ୍ରସ୍ତୁତ ହୋଇ ଏ କ୍ଷେତ୍ରରେ ବୈଶ୍ବିକ ଏକାଧିପତ୍ୟ ହାସଲର ଲକ୍ଷ୍ୟ ରଖାଯାଇଥିଲା; ବା କୋଭିଡ ମହାମାରୀ ସମୟରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହସା ସଚେତନ ହୋଇଥିଲେ କିଭଳି ଚୀନ ସେମାନଙ୍କ ହୃଦ୍ସ୍ଥଳକୁ ଭେଦି ସାରିଲାଣି ଅର୍ଥାତ୍ ବ୍ୟାଙ୍କ, ବିତ୍ତୀୟ ଅନୁଷ୍ଠାନ, ଉଦ୍ୟୋଗ, ଥିଙ୍କ ଟ୍ୟାଙ୍କ ମଧ୍ୟକୁ ଚୀନୀୟ ବିତ୍ତ ଓ ବିଚାର ସନ୍ତର୍ପଣରେ ପ୍ରବେଶ କରି ସେ ସବୁକୁ ଅକ୍ତିଆର ଓ ପ୍ରଭାବିତ କରିବାକୁ ବସିଲେଣି; ଅଥବା ଜାତିସଂଘର ପ୍ରାୟ ସମସ୍ତ ଛାମୁଆ ସଂଗଠନର ଶୀର୍ଷରେ ଯେମିତି ଚୀନ ପଦଚିହ୍ନ ଗଭୀର ହେଲାଣି। ଏଭଳି ଅସମାନୁପାତିକ ଭାରସାମ୍ୟ ହେତୁ ସଂପ୍ରତି ଚୀନ କିଭଳି ଅନୁକୂଳ ସ୍ଥିତିରେ, ତା’ର ଧାରଣା ଏଥିରୁ ମିଳିଥାଏ ଯେ ଚୀନର ଉପଦ୍ରବରେ ବିବ୍ରତ ଜାପାନର ପ୍ରଧାନମନ୍ତ୍ରୀ ସାନେ ତାକାଇଚିଙ୍କ ଦ୍ବାରା ପ୍ରକାଶିତ ଉଦ୍ବେଗ ବିଜଡ଼ିତ ସ୍ବରର ତୀବ୍ରତା କମାଇବାକୁ ତାଙ୍କୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ ପରାମର୍ଶ ଦେଲେଣି।
କହିବା ବାହୁଲ୍ୟ, ଭାରତ ସମ୍ମୁଖରେ ପାକିସ୍ତାନ ଭଳି ଚୀନ ମଧ୍ୟ ଏକ ଚରମ ଶତ୍ରୁ ରାଷ୍ଟ୍ର ରୂପେ ବିଦ୍ୟମାନ, କିନ୍ତୁ ପ୍ରଭେଦଟି ହେଲା ପାକିସ୍ତାନ ଠାରୁ ନିଜକୁ ସଂପୂର୍ଣ୍ଣ ନିବୁଜ କରିପାରିଲା ଭଳି ପଦକ୍ଷେପ ଚୀନ ବିରୋଧରେ ନିଆଯିବା ଅସମ୍ଭବ। କାରଣ ଅନେକ ବିଷୟରେ ଭାରତ ଚୀନ ଉପରେ ନିର୍ଭରଶୀଳ। ଉଲ୍ଲେଖଯୋଗ୍ୟ ଯେ ୨୦୨୧ ମସିହାରେ, ଗଲୱାନ ସଂଘାତ କାରଣରୁ, ଭାରତ ଓ ଚୀନ ମଧ୍ୟରେ ସଂପର୍କ ନିମ୍ନତମ ସ୍ତରରେ ପହଞ୍ଚିଥିବା ସତ୍ତ୍ବେ ଚୀନରୁ ଭାରତର ଆମଦାନି ପରିମାଣ ଥିଲା ହାରାହାରି ୭ ବିଲିଅନ ଡଲାର, ଅନ୍ୟାନ୍ୟ ଦେଶ ତୁଳନାରେ ସର୍ବାଧିକ। ତେବେ, ଚୀନ ମଧ୍ୟ ଏହି ବାସ୍ତବତାକୁ ସ୍ବୀକାର କରୁଥିବ େଯ ଅରୁଣାଚଳ ପ୍ରଦେଶକୁ ଅଧିକାର କରିବାର ଲକ୍ଷ୍ୟ ଆଦୌ ଫଳପ୍ରଦ ହେବନାହିଁ; କିନ୍ତୁ ଅରୁଣାଚଳ ପ୍ରଦେଶକୁ ଭାରତର ମୁଣ୍ଡ ବିନ୍ଧା ଲାଗି ସଫଳତାର ସହିତ ବ୍ୟବହାର କରାଯାଇପାରେ। ଏଭଳି ସ୍ଥଳେ ଭାରତ ଯେଉଁ ପନ୍ଥା ଅବଲମ୍ବନ କରିବା ଉଚିତ, ତାହା ହେଲା କୌଣସି ପ୍ରତିକ୍ରିୟାମୂଳକ ଉଚ୍ଚାଟ ସୃଷ୍ଟି ନ କରି ନିଘଞ୍ଚ ଧ୍ୟାନର ସହିତ ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବା ପଥରେ ଅଗ୍ରସର ହେବା। ଚୀନର ଉପଦ୍ରବରେ ଧ୍ୟାନ ଭଙ୍ଗ ଘଟିଲେ ଭାରତର ଲକ୍ଷ୍ୟ ପ୍ରାପ୍ତିରେ ବିଳମ୍ବ ହେବ ଓ ଚୀନର ଅଭିସନ୍ଧି ପୂରଣ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)