ଜାତିସଂଘର ଏକ ଆକଳନ ଅନୁସାରେ ୨୦୨୫ରେ ପୃଥିବୀରେ ୧୫-୬୪ ବୟସ ସୀମା ମଧ୍ୟରେ କର୍ମକ୍ଷମ ଲୋକସଂଖ୍ୟା ହେଉଛି ୫.୩ ବିଲିଅନ୍, ଯେଉଁଥିରେ ଭାରତର ଅଂଶ ହେଉଛି ସର୍ବୋଚ୍ଚ, ଏକ ବିଲିଅନ୍ରୁ ଅଧିକ, ଏବଂ ଦ୍ବିତୀୟ ସ୍ଥାନରେ ଥିବା ଚୀନ୍ର ଅଂଶ ହେଉଛି ୯୮୬ ମିଲିଅନ୍। ବର୍ତ୍ତମାନ କୁହାଗଲାଣି ଯେ ଏବେ ବିରଳ ମୃତ୍ତିକା ଯେଉଁଭଳି ଚୀନ୍ର ଅସଲ ଶକ୍ତି ରୂପେ ଆବିର୍ଭୂତ ହୋଇଛି, ଭାରତର ଏହି ଯୁବ ଜନଶକ୍ତି (ଯାହାର ମଧ୍ୟବର୍ତ୍ତୀ ବୟସ ହେଉଛି ୨୮ ବର୍ଷ ମାତ୍ର) ତା’ର ଅସଲ ଶକ୍ତି।
ଏବେ ମଧ୍ୟ ଏକ ଜନସଂଖ୍ୟାର ଆଦର୍ଶ ଆକାର ସମ୍ବନ୍ଧରେ ଆଲୋଚନା ସମୟରେ ବୁଦ୍ଧିଜୀବୀ ମହଲରେ ୧୭୯୮ରେ ପ୍ରକାଶିତ ବ୍ରିଟିଶ୍ ପାଦ୍ରୀ ତଥା ଅର୍ଥନୀତିଜ୍ଞ ଥମାସ୍ ରବଟ୍ ମାଲ୍ଥସ୍ଙ୍କର ଦୀର୍ଘ ପ୍ରବନ୍ଧ ‘ଏସେ ଅନ୍ ଦି ପ୍ରିନ୍ସିପ୍ଲ ଅଫ୍ ପପୁଲେସନ୍’ର ଅବତାରଣା କରାଯିବା ଦେଖାଯାଇଥାଏ। ପ୍ରକୃତରେ ମାଲ୍ଥସ୍ଙ୍କର ଏହି ରଚନା ଥିଲା ୧୭୯୩ରେ ପ୍ରକାଶିତ ୱିଲିଅମ୍ ଗଡ୍ୱିନ୍ ନାମକ ଅନ୍ୟ ଜଣେ ପାଦ୍ରୀ ତଥା ଚିନ୍ତକଙ୍କ ଦ୍ବାରା ଲିଖିତ ପୁସ୍ତକ, ‘ପଲିଟିକାଲ୍ ଜଷ୍ଟିସ୍’ (‘ରାଜନୈତିକ ନ୍ୟାୟ’)ରେ ଭବିଷ୍ୟତରେ ଏକ ଚିର ଆନନ୍ଦମୟ ମାନବ ସମାଜର ଆବିର୍ଭାବ ସମ୍ବନ୍ଧରେ କରାଯାଇଥିବା ଭବିଷ୍ୟବାଣୀକୁ ଭୁଲ୍ ପ୍ରମାଣିତ କରିବା ପାଇଁ ଏକ ସୁଚିନ୍ତିତ ଯୁକ୍ତି।
ମାଲ୍ଥସ୍ଙ୍କ ଯୁକ୍ତି ଅନୁସାରେ ପୃଥିବୀ ପୃଷ୍ଠରେ ଗଡ୍ୱିନ୍ଙ୍କ ସ୍ବର୍ଗର ଆବିର୍ଭାବ ପଥରେ ଥିବା ଅସଲ ପ୍ରତିବନ୍ଧକ ହେଉଛି- ଜନସଂଖ୍ୟା। କାରଣ ପ୍ରକୃତିର ନିୟମ ଅନୁସାରେ ଜନସଂଖ୍ୟାରେ ବୃଦ୍ଧି ଖାଦ୍ୟ ଯୋଗାଣରେ ବୃଦ୍ଧିକୁ ସର୍ବଦା ପଛରେ ପକାଇ ଚାଲିବ, ଯାହା ଶେଷରେ ମନୁଷ୍ୟ ସମାଜର ବିଲୟ ସାଧନ କରିବାର ସମ୍ଭାବନା ବହନ କରିଥାଏ। ଏହା ମୂଳରେ ଯାହା ନିହିତ ଥାଏ, ତାହା ହେଉଛି ମନୁଷ୍ୟର ଅଦମନୀୟ ପ୍ରଜନନ ପ୍ରବୃତ୍ତି। କିନ୍ତୁ ମାଲ୍ଥସ୍ ଏହା ମଧ୍ୟ କହିଥିଲେ ଯେ ଏଭଳି ବିଲୟ ଘଟିବାର ଅବ୍ୟବହିତ ପୂର୍ବରୁ ‘ପଜିଟିଭ୍ ଚେକ୍’ (‘ପ୍ରାକୃତିକ ବାଧା’) ନାମକ ପ୍ରାକୃତିକ ପ୍ରତିବନ୍ଧକମାନଙ୍କ ପ୍ରଭାବରେ ଜନସଂଖ୍ୟାରେ ଘଟୁଥିବା ବୃଦ୍ଧି ବନ୍ଦ ହୋଇଯିବ। ଉଦାହରଣ ସ୍ବରୂପ ଖାଦ୍ୟାଭାବ ଯୋଗୁଁ ନାରୀମାନେ କଙ୍କାଳସାର ହୋଇ ସେମାନଙ୍କର ପ୍ରଜନନ କ୍ଷମତା ହରାଇ ବସିବେ ଏବଂ ପିଲାମାନେ ଅପପୁଷ୍ଟିର ଶିକାର ହୋଇ ନିଜର ରୋଗ ପ୍ରତିରୋଧିନୀ ଶକ୍ତି ହରାଇ ମୃତ୍ୟୁ ମୁଖରେ ପଡ଼ିବେ।
କିନ୍ତୁ ଏପରି ଏକ ଭୟଙ୍କର ପରିଣତି ଅନିବାର୍ଯ୍ୟ ନୁହେଁ। ମାଲ୍ଥସ୍ଙ୍କ ମତରେ ‘ପ୍ରିଭେଣ୍ଟିଭ୍ ଚେକ୍’ (‘ପ୍ରତିରୋଧକ ବାଧା’) ନାମକ ପଦକ୍ଷେପ ଗ୍ରହଣ ଦ୍ବାରା ଏହାକୁ ଟାଳି ଦେଇହେବ। ଯେହେତୁ ଅଦମ୍ୟ ପ୍ରଜନନ ପ୍ରବୃତ୍ତି ହେଉଛି ଅନିୟନ୍ତ୍ରିତ ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ, ଏହି ପ୍ରବୃତ୍ତିକୁ ଲଗାମ ଦେବା ଦ୍ବାରା ହିଁ ଜନସଂଖ୍ୟାକୁ ଏକ ଆଦର୍ଶ ଆକାର ମଧ୍ୟରେ ସୀମିତ କରାଯାଇ ପାରିବ। ମାଲ୍ଥସ୍ ସୁପାରିସ କରିଥିବା ଯେଉଁ ‘ପ୍ରିଭେଣ୍ଟିଭ୍ ଚେକ୍’ ପ୍ରୟୋଗ କରି ଏହା ହାସଲ କରାଯାଇ ପାରିବ, ତାହା ହେଲା ଏକ ପିତୃ-କୈନ୍ଦ୍ରିକ ପରିବାର, ଯେଉଁଠି ପିତୃ ଆେଦଶ ବଦଳରେ ନାରୀମାନେ ୨୮ ବର୍ଷ ବୟସ ପର୍ଯ୍ୟନ୍ତ କୁମାରୀ ରହିବାକୁ ବାଧ୍ୟ ହେବେ, ଏବଂ ତା’ ପରେ ମଧ୍ୟ ସରକାରଙ୍କ ଅନୁମତି ବିନା ପ୍ରଜନନରେ ପ୍ରବୃତ୍ତ ହୋଇପାରିବେ ନାହିଁ। ମାଲ୍ଥସ୍ଙ୍କ ଉପଦେଶ ଅନୁସାରେ ଏଭଳି ସମାଜରେ ନାରୀମାନଙ୍କୁ ଶୈଶବରୁ ଏପରି ଧର୍ମଭୀରୁ କରି ଗଢ଼ା ଯାଇଥିବ ଯେ, ସେମାନେ ନର୍କରେ ପଡ଼ିବା ଭୟରେ ଏହି ନିୟନ୍ତ୍ରଣର ଉଲ୍ଲଂଘନ କରିବାକୁ ସାହସ କରିବେ ନାହିଁ। ତା’ ହେଲେ ଯାଇ ଜନସଂଖ୍ୟାର ଅାକାର ନିରାପଦ ସୀମା ଲଂଘନ କରିବ ନାହିଁ ଏବଂ ସେମାନଙ୍କ ପାଇଁ ଏକ ଅପେକ୍ଷାକୃତ ସନ୍ତୋଷଜନକ ଜୀବନଧାରଣର ମାନ ଉପଲବ୍ଧ ହୋଇପାରିବ।
ଯଦି ପ୍ରଶ୍ନ କରାଯାଏ, ଏକବିଂଶ ଶତାବ୍ଦୀର ଏକ-ଚତୁର୍ଥାଂଶ ପାର ହେଉଥିବା ଆଜିର ସମୟର ଭାରତୀୟ ଉଚ୍ଚଶିକ୍ଷିତା ବୃତ୍ତିଧାରିଣୀ ଯୁବତୀମାନେ ପ୍ରଜନନରେ ଅଂଶଗ୍ରହଣ କରିବା ପାଇଁ ବା ନ କରିବା ପାଇଁ ସେମାନଙ୍କର ନିଷ୍ପତ୍ତି ନେବାବେଳେ ସେମାନଙ୍କର ସ୍ବାଧୀନତା (‘ଏଜେନ୍ସି’) ହରାଇ ସେଭଳି କୌଣସି ମାଲ୍ଥୁସୀୟ ନିୟନ୍ତ୍ରଣର ସମ୍ମୁଖୀନ ହୋଇଥାନ୍ତି କି, ନିଃସନ୍ଦେହରେ ସମସ୍ବରରେ ତା’ର ଉତ୍ତର ମିଳିବ- ନା! ସେଇଥିପାଇଁ ଏବେ ଦେଶର ଅନ୍ୟତମ ମର୍ଯ୍ୟାଦାଜନକ ବୈଷୟିକ ଉଚ୍ଚଶିକ୍ଷା ଅନୁଷ୍ଠାନ ‘ଆଇଆଇଟି ହାଇଦ୍ରାବାଦ’ର ଯୁବତୀ ଇଞ୍ଜିନିଅର୍ମାନେ ଏ ସଂପର୍କରେ ସେମାନଙ୍କର ଯେଉଁ ଆଭିମୁଖ୍ୟ ପ୍ରଦର୍ଶନ କରିବା ପ୍ରକାଶ ପାଇଛି, ତାହା ଦେଶର ବର୍ତ୍ତମାନ ବହୁଚର୍ଚ୍ଚିତ ସ୍ବଦେଶୀ ସୋସିଆଲ ମିଡିଆ କଂପାନି ‘ଆରାଟ୍ଟାଇ’ର ଜନନୀ କଂପାନି ‘ଜୋହୋ’ର ସହ-ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁଙ୍କୁ ହତଭମ୍ଭ କରିଦେଇଛି। ପ୍ରକାଶିତ ଏକ ସମ୍ବାଦ ଅନୁସାରେ ନିକଟରେ ଖ୍ୟାତିସଂପନ୍ନା ମହିଳା ଉଦ୍ୟୋଗୀ ଉପାସନା କୋନିଡେଲା ଆଇଆଇଟି ହାଇଦ୍ରାବାଦର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିବା ସମୟରେ ଯେତେବେଳେ ସେମାନଙ୍କୁ ପଚାରିଲେ, ‘‘ତୁମମାନଙ୍କ ମଧ୍ୟରୁ କେତେଜଣ ବିବାହ କରିବାକୁ ଚାହଁ?’’, ସେତେବେଳେ ତାଙ୍କୁ ଯେଉଁ ଉତ୍ତର ମିଳିଲା, ତାହା ତାଙ୍କୁ ଯୁଗପତ୍ ବିସ୍ମୟ ଓ ଆନନ୍ଦରେ ଭରିଦେଲା, ଯାହା ସେ ସୋସିଆଲ ମିଡିଆରେ ପ୍ରସାରିତ କରିଛନ୍ତି।
ଉପାସନାଙ୍କ ପ୍ରଶ୍ନର ଉତ୍ତରରେ ଉପସ୍ଥିତ ଅଧିକାଂଶ ଛାତ୍ରମାନେ ସମ୍ମତିସୂଚକ ହାତ ଟେକିଥିବା ବେଳେ ଅଧିକାଂଶ ଛାତ୍ରୀ ବିବାହ ପ୍ରତି ସେମାନଙ୍କର ଅସମ୍ମତି ପ୍ରକାଶ କରି ହାତ ଟେକି ନଥିଲେ। ବିବାହ ପ୍ରତି ନାରୀମାନଙ୍କର ବିସ୍ମୟଜନକ ବିମୁଖତା ଦ୍ବାରା ଆନନ୍ଦିତ ହୋଇ ଉପାସନା ତାଙ୍କର ସୋସିଆଲ ମିଡିଆ ପୋଷ୍ଟ୍ରେ ଲେଖିଛନ୍ତି ଯେ ଏହା ହେଉଛି ଆଜିର ପ୍ରଗତିଶୀଳ ଭାରତର ପରିଚୟ, େଯଉଁଠି ନାରୀମାନେ ପୁରୁଷମାନଙ୍କ ଅପେକ୍ଷା ବହୁ ଅଧିକ ନିଜର ଧ୍ୟାନ ନିଜର କ୍ୟାରିଅର୍ ଉପରେ କେନ୍ଦ୍ରୀଭୂତ କରୁଛନ୍ତି।
ଶ୍ରୀଧର ଭେମ୍ବୁ ସୋସିଆଲ ମିଡିଆରେ ଉପାସନାଙ୍କର ଏହି ପୋଷ୍ଟ୍ ଦେଖିବା ପରେ ବିବ୍ରତ ବୋଧ କରି ତା’ର ପ୍ରତିକ୍ରିୟାରେ ନିଜର ଏକ ପୋଷ୍ଟ୍ ମାଧ୍ୟମରେ ଦେଶର ଯୁବ ଉଦ୍ୟୋଗୀମାନଙ୍କୁ ଆହ୍ବାନ ଦେଇଛନ୍ତି ଯେ ସେମାନେ ୨୦ରୁ ୨୯ ବର୍ଷ ବୟସ ମଧ୍ୟରେ ବିବାହ କରି ସନ୍ତାନସନ୍ତତି ଜନ୍ମ କରନ୍ତୁ, ଯାହାକୁ ଭେମ୍ବୁ ଏଇ ଯୁବପିଢ଼ିର ସମାଜ ପ୍ରତି ଜନସଂଖ୍ୟାରେ ସନ୍ତୁଳନ ରକ୍ଷାକାରୀ କର୍ତ୍ତବ୍ୟ (‘ଡେମୋଗ୍ରାଫିକ୍ ଡ୍ୟୁଟି’) ରୂପେ ଅଭିହିତ କରିଛନ୍ତି।
ଭେମ୍ବୁଙ୍କର ଏହି ଅଣ-ମାଲ୍ଥୁସୀୟ ଆହ୍ବାନ ସଂପୃକ୍ତ ପରିସରରେ ବ୍ୟାପକ ଚାଞ୍ଚଲ୍ୟ ସୃଷ୍ଟି କରିଛି। କିନ୍ତୁ ଏହା ବର୍ତ୍ତମାନ ସାବ୍ୟସ୍ତ ହୋଇସାରିଛି ଯେ ମାଲ୍ଥସ୍ ତାଙ୍କର ସତର୍କବାଣୀ ପ୍ରକାଶ କରିବା ପରେ ଦୀର୍ଘ ଦୁଇ ଶତାବ୍ଦୀରୁ ଅଧିକ କାଳ ପାର ହୋଇ ଯାଇଥିଲେ ହେଁ ଏବଂ ଇତିମଧ୍ୟରେ ପୃଥିବୀର ଜନସଂଖ୍ୟାରେ ପ୍ରାୟ ଆଠ ଗୁଣ ବୃଦ୍ଧି ଘଟିସାରିଥିଲେ ହେଁ, ସେଥିଯୋଗୁଁ ମାନବ ସମାଜର ବିଲୟ ଘଟିବା ପରିବର୍ତ୍ତେ ପୃଥିବୀ ପୃଷ୍ଠରେ ମନୁଷ୍ୟର ଜୀବନଧାରଣର ମାନରେ ବହୁଗୁଣ ଉନ୍ନତି ଘଟିଛି ଓ ଘଟି ଚାଲିଛି। ଅପରପକ୍ଷେ, ଭାରତ ଭଳି ଦେଶରେ ଜନସଂଖ୍ୟାକୁ ଆଉ ଏକ ମାଲ୍ଥୁସୀୟ ବୋଝ ରୂେପ ବିଚାର ନକରି ବର୍ତ୍ତମାନ ତାହାକୁ ଆମର ଲାଭପ୍ରଦ ଶକ୍ତି (‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’) ରୂପେ ଦେଖାଯାଉଛି।
ଭାରତର ଏହି ଜନଶକ୍ତିର ଅାଧାର ହେଉଛି ଏହାର ବିଶାଳ ଜନସଂଖ୍ୟାରେ କର୍ମକ୍ଷମ, ଉତ୍ପାଦନଶୀଳ ସଦସ୍ୟମାନଙ୍କର ଉଚ୍ଚ ଅନୁପାତ: ଜନସଂଖ୍ୟାର ପ୍ରାୟ ଦୁଇ-ତୃତୀୟାଂଶ ହେଉଛନ୍ତି କର୍ମକ୍ଷମ ବିବେଚିତ ୧୫-୫୯ ବୟସ ସୀମା ମଧ୍ୟରେ ଅନ୍ତର୍ଭୁକ୍ତ। ଜାତିସଂଘର ଏକ ଆକଳନ ଅନୁସାରେ ୨୦୨୫ରେ ପୃଥିବୀରେ ୧୫-୬୪ ବୟସ ସୀମା ମଧ୍ୟରେ କର୍ମକ୍ଷମ ଲୋକସଂଖ୍ୟା ହେଉଛି ୫.୩ ବିଲିଅନ୍, ଯେଉଁଥିରେ ଭାରତର ଅଂଶ ହେଉଛି ସର୍ବୋଚ୍ଚ, ଏକ ବିଲିଅନ୍ରୁ ଅଧିକ, ଏବଂ ଦ୍ବିତୀୟ ସ୍ଥାନରେ ଥିବା ଚୀନ୍ର ଅଂଶ ହେଉଛି ୯୮୬ ମିଲିଅନ୍। ବର୍ତ୍ତମାନ କୁହାଗଲାଣି ଯେ ଏବେ ବିରଳ ମୃତ୍ତିକା ଯେଉଁଭଳି ଚୀନ୍ର ଅସଲ ଶକ୍ତି ରୂପେ ଆବିର୍ଭୂତ ହୋଇଛି, ଭାରତର ଏହି ଯୁବ ଜନଶକ୍ତି (ଯାହାର ମଧ୍ୟବର୍ତ୍ତୀ ବୟସ ହେଉଛି ୨୮ ବର୍ଷ ମାତ୍ର) ତା’ର ଅସଲ ଶକ୍ତି।
ଆଉ ଆମର ଏହି ଯୁବ ଜନଶକ୍ତିର ମଞ୍ଜ ହେଉଛନ୍ତି ଉପାସନା ଭେଟିଥିବା ହାଇଦ୍ରାବାଦ ଆଇଆଇଟିର ସେଇ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀମାନେ। ଚିନ୍ତାଜନକ ଭାବରେ ସେଠାରେ ପ୍ରକାଶିତ ବିବାହ ଓ ସନ୍ତାନ ବିମୁଖତା ଯୋଗୁଁ ଭାରତରେ ବର୍ତ୍ତମାନ ପ୍ରଜନନ ହାର ସୂଚାଉଥିବା ‘ଟିଏଫ୍ଆର୍’ ପ୍ରତିସ୍ଥାପନ ହାର ୨.୧ ତଳକୁ ଖସିଗଲାଣି ଏବଂ ଏଥିରେ ଯଦି ଉନ୍ନତି ନ ଘଟେ, ଆମେ ଅନତିବିଳମ୍ବେ ଆମର ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ହରାଇବାକୁ ଆରମ୍ଭ କରିବା। ଏଇ ଆସନ୍ନ ବିପଦକୁ ଟାଳିବା ପାଇଁ ହିଁ ଶ୍ରୀଧର ଭେମ୍ବୁ ଏଭଳି ଆହ୍ବାନ ଦେଇଛନ୍ତି। ଦେଶର ଯୋଗ୍ୟା ଯୁବତୀମାନେ ତାଙ୍କର ଡାକ ଶୁଣି (ମାଲ୍ଥସ୍ଙ୍କ ଡାକ ନଶୁଣି) ନିଜର ବିରଳ ପ୍ରଜନନ କ୍ଷମତାକୁ ନଷ୍ଟ ହେବାକୁ ନଦେଇ କିଛିଟା ବ୍ୟକ୍ତିଗତ ତ୍ୟାଗ ସ୍ବୀକାର କରି ବିବାହ କରିବାକୁ ଆଗେଇ ଆସନ୍ତୁ। ତାହା ହିଁ ଭାରତକୁ ପ୍ରଗତିଶୀଳ କରିବ, ଉପାସନା ଭ୍ରମାତ୍ମକ ଭାବରେ ବିଶ୍ବାସ କରୁଥିବା ସେମାନଙ୍କର ବିବାହ ବିମୁଖତା ନୁହେଁ। ସେମାନଙ୍କର ବିବାହ ବର୍ଜନ ହେଉଛି ମାଲ୍ଥସ୍ଙ୍କ ଭୂତ ଠାରେ ପୁଣି ପ୍ରାଣ ସଞ୍ଚାର କଲା ଭଳି!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/OAnDiWZ5zjRDfuWfWgMX.jpg)