ସାଧାରଣତଃ ଘଡ଼ିଆଳମାନେ ବଡ଼ ନଦୀଗୁଡ଼ିକରେ ଜଳୀୟ ପରିସ୍ଥିତି ସହିତ ବେଶ୍ ଖାପଖୁଆଇଥାନ୍ତି । ଭାରତ ଓ ଓଡ଼ିଶାରେ ଦେଖାଯାଉଥିବା ମୋଟ ତିନିଗୋଟି କୁମ୍ଭୀର ପ୍ରଜାତି ମଧ୍ୟରୁ ଘଡ଼ିଆଳର ଶରୀର ଗଠନ ନିଆରା ହୋଇଥାଏ I ତା'ର ଲମ୍ବା ଓ ପତଳା ସ୍ନାଉଟ୍ (ଥଣ୍ଟ ସଦୃଶ ପାଟି ଓ ଥୋମଣୀ) ଯୋଗୁଁ କେହି କେହି ଏମାନଙ୍କୁ ଥଣ୍ଟିଆ କୁମ୍ଭୀର ବୋଲି ମଧ୍ୟ କୁହନ୍ତି I କେବଳ ପୁରୁଷଙ୍କ ନାକ ଉପରେ ଢାଳ ବା ଘଡା ସଦୃଶ ଗଠନ ଦେଖିବାକୁ ମିଳୁଥିବା ବେଳେ ଏହି ବୈଶିଷ୍ଟ୍ୟଟି ଘଡ଼ିଆଳର ନାମକରଣରେ ବି ବ୍ୟବହାର ହୋଇଛି I ଏମାନେ ନିଜର ସ୍ନାଉଟ୍‌କୁ ଉପଯୋଗ କରି ନଦୀରେ ମାଛ ଶିକାର କରିବାକୁ ଭଲପାଆନ୍ତି । କେବଳ ଖରା ସେକିବା ଏବଂ ବସା ତିଆରି ପାଇଁ ସେମାନେ ପାଣିରୁ ବାହାରି ନଦୀକୂଳ ବାଲି ପଠାକୁ ଆସନ୍ତି।

Advertisment

ଭାରତୀୟ ଉପମହାଦେଶର ଅଳ୍ପ କେତୋଟି ନଦୀ ପ୍ରଣାଳୀରେ ବାସ କରୁଥିବା ଏହି ଗୁରୁତର ବିପଦଗ୍ରସ୍ତ କୁମ୍ଭୀରଟି ଓଡ଼ିଶାରେ କେବଳ ମହାନଦୀଠାରେ ହାତଗଣତି ଅଳ୍ପ ସଂଖ୍ୟାରେ ପ୍ରାକୃତିକ ପରିସ୍ଥିତିରେ ଦେଖିବାକୁ ମିଳନ୍ତି I ସାଧାରଣତଃ ନଦୀ ପରିସ୍ଥିତିର ଖାଦ୍ୟଚକ୍ରରେ ଏମାନେ ଉପର ସ୍ତରରେ ରହି ଜଙ୍ଗଲ ପରିସ୍ଥିତିର ବାଘ ବା କଲରାପତରିଆ ବାଘ ପରି ମୁଖ୍ୟ ଖାଦକର ଭୂମିକା ନିଭାଇବା ସହିତ ଇକୋସିଷ୍ଟମରେ ଉଚ୍ଚ ସ୍ତରରୁ ନିମ୍ନ ସ୍ତର ପର୍ଯ୍ୟନ୍ତ ପ୍ରଭାବ ପକାଇ ପ୍ରକୃତିର ଶୃଙ୍ଖଳକୁ ସନ୍ତୁଳନ ରଖିବାରେ ବିଶେଷ ଯୋଗଦାନ କରିଥାନ୍ତି । କିନ୍ତୁ ମହାନଦୀରେ ଘଡିଆଳଙ୍କ ସଂଖ୍ୟା ୧୯୭୦ ଦଶକରେ ଏତେ କମ୍ ହୋଇଗଲା ଯେ ସେମାନଙ୍କ ସଂରକ୍ଷଣ ଓ ବଂଶ ବିସ୍ତାର ନିମନ୍ତେ ସବୁ ପ୍ରକାରର ଚେଷ୍ଟା ଆରମ୍ଭ ହୋଇଗଲା । ପ୍ରାରମ୍ଭିକ ଭାବେ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଘଡ଼ିଆଳମାନଙ୍କ ଆବଦ୍ଧ ପ୍ରଜନନ କରି ପରେ ମହାନଦୀର ପ୍ରାକୃତିକ ପରିସ୍ଥିତି ସାତକୋଶିଆ ଗଣ୍ଡରେ ଛାଡିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ତା'ପରେ ୧୯୭୫ ମସିହାରେ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO), ଓଡିଶା ଜଙ୍ଗଲ ବିଭାଗ ଓ ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନର ମିଳିତ ପଦକ୍ଷେପ ଦ୍ୱାରା ଏକ ସମନ୍ୱିତ ଉପାୟ ଏବଂ ରଣନୀତି ପ୍ରସ୍ତୁତ କରି ଘଡ଼ିଆଳମାନଙ୍କ ନିମନ୍ତେ ସଂରକ୍ଷଣ ଯୋଜନା ଆରମ୍ଭ କରାଯାଇଥିଲା । ଯାହାର କି ମୁଖ୍ୟ ଲକ୍ଷ୍ୟ ଥିଲା ଅନୁକୂଳ ବାସସ୍ଥାନ ସୃଷ୍ଟି କରି ଏହି ଜୀବମାନଙ୍କ ପ୍ରାକୃତିକ ପ୍ରଜନନକୁ ସଫଳ କରିବା । ଏହା ସହ ୧୯୭୫ ମସିହାରେ ହିଁ ଟିକରପଡାଠାରେ ଏକ ଘଡ଼ିଆଳ ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ବି ପ୍ରତିଷ୍ଠା କରାଯାଇଥିଲା।

ଫଳ ସ୍ୱରୂପ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଘଡ଼ିଆଳମାନଙ୍କ ଆବଦ୍ଧ ପ୍ରଜନନ କରାଯିବା ପରେ ସେମାନଙ୍କୁ ଟିକରପଡାଠାରେ ଲାଳନ ପାଳନ କରି ପରବର୍ତ୍ତୀ ସମୟରେ ମହାନଦୀର ପ୍ରାକୃତିକ ପରିସ୍ଥିତିରେ ମୁକ୍ତ କରାଯାଉଛି । ୧୯୭୭ ରୁ ୨୦୧୭ ମସିହା ମଧ୍ୟରେ ମୋଟ ୮୬୭ଟି ଘଡ଼ିଆଳ ମହାନଦୀରେ ଛଡାଯାଇଥିବା ଜଣାଯାଏ । କିନ୍ତୁ ଏଠାରେ ଏମାନଙ୍କ ବଞ୍ଚିବା ହାର ବହୁତ କ୍ଷୀଣ ହେବା ଏକ ଗମ୍ଭୀର ବିଷୟ କହିଲେ ଅତ୍ୟୁକ୍ତି ହେବନି । ଏହାର ମୁଖ୍ୟ କାରଣ ଘଡ଼ିଆଳର ମାଛଜାଲରେ ଫସିବା, ବିଭିନ୍ନ ପ୍ରକାର ମନୁଷ୍ୟ କୃତ ନକାରାତ୍ମକ ପ୍ରଭାବ ଦ୍ୱାରା ପ୍ରାକୃତିକ ପରିବେଶର ନଷ୍ଟ ଯଥା; ବହୁମାତ୍ରାରେ ମାଛଧରା କାଯ୍ୟକଳାପ, ବାଲୁକା ଖନନ, ପରିବେଶ ଅନୁପଯୋଗୀ ପର୍ଯ୍ୟଟନ, ଶୁଷ୍କ ଋତୁରେ ନଦୀରେ ଆବଶ୍ୟକ ଜଳସ୍ତରର ହ୍ରାସ ଓ ନ୍ୟୂନତମ ସ୍ରୋତର ଅଭାବ, ଲୋକଙ୍କ ଦ୍ୱାରା ଶିକାର, ମତ୍ସ୍ୟଜୀବୀ ଓ ସାଧାରଣ ଜନତାଙ୍କ ସଚେତନତାର ଅଭାବ ଏବଂ ଜଳବାୟୁ ପରିବର୍ତ୍ତନ ଆଦିକୁ ଦର୍ଶାଇଥାଏ ।

ମହାନଦୀରେ ପାଞ୍ଚ ବର୍ଷର ସଫଳ ପ୍ରଜନନ ଏବଂ ସଂରକ୍ଷଣ ଯାତ୍ରା

ଓଡିଶା ବନ୍ୟଜୀବ ସଂଗଠନର (https://www.wildlifeodisha.in/) ଗଣନା ଅନୁସାରେ, ୧୯୮୭-୮୮ ମସିହାରେ ମହାନଦୀର ହୀରାକୁଦ ଜଳଭଣ୍ଡାର ପରଠାରୁ ପ୍ରାୟ ୪୦୦ କିଲୋମିଟର ଲମ୍ବ ନଦୀପଥରେ ୨୫ଟି ଘଡ଼ିଆଳ ରେକର୍ଡ କରାଯାଇଥିଲା। କିନ୍ତୁ ୨୦୦୩ ଓ ୨୦୦୪ ମସିହାର ଗଣନା ହିସାବରେ ଯଥାକ୍ରମେ ତିନୋଟି ଓ ଗୋଟିଏ ଘଡ଼ିଆଳ ଥିବା ଜଣାପଡିଥିଲା। ବର୍ତ୍ତମାନ ସମୟରେ ମହାନଦୀରେ ଏମାନଙ୍କ ସଂଖ୍ୟା ୨୦୧୮-୧୯ ଓ ୨୦୧୯-୨୦ରେ ୮ଟି, ୨୦୨୦-୨୧ରେ ୧୧ଟି ଏବଂ ୨୦୨୧-୨୨ ଓ ୨୦୨୨-୨୩ରେ ୭ଟି ଥିବା "ୱାଇଲ୍ଡ ଲାଇଫ୍ ଓଡିଶା ୨୦୨୩" ରିପୋର୍ଟରେ ଦର୍ଶାଯାଇଛି । ମହାନଦୀରେ ୧୯୮୦ ମସିହାରେ କେତୋଟି ଘଡ଼ିଆଳ ବସା ଚିହ୍ନଟ କରାଯାଇଥିଲେ ସୁଦ୍ଧା ଗୋଟିଏ ବି ଶାବକ ଚିହ୍ନଟ ହୋଇପାରିନଥିଲା। କିନ୍ତୁ ଦୀର୍ଘ ଚାରି ଦଶନ୍ଧି ଅପେକ୍ଷାର ଅନ୍ତ ଘଟିଲା ପରେ ୨୦୨୧ ମସିହାରୁ କ୍ରମାଗତ ଭାବେ ପାଞ୍ଚ ବର୍ଷ ଧରି ମହାନଦୀର ପ୍ରାକୃତିକ ପରିସ୍ଥିତିରେ ଘଡ଼ିଆଳମାନଙ୍କ ପ୍ରଜନନ ସଫଳ ହେବା ସହ ୨୦୨୧ରେ ୨୮ଟି, ୨୦୨୨ରେ ୪୨ଟି, ୨୦୨୩ ଓ ୨୦୨୪ରେ ୩୫ଟି ଲେଖାଁ, ଏବଂ ୨୦୨୫ରେ ୨୯ଟି ଶାବକ ଜନ୍ମ ନେଇଥିବା ଜଣାପଡ଼ିଛି ।

ବହୁ ଦଶନ୍ଧିର ଚେଷ୍ଟା ସତ୍ତ୍ୱେ ମହାନଦୀର ପ୍ରାକୃତିକ ପରିସ୍ଥିତିରେ ଘଡିଆଳଙ୍କ ବଂଶ ବିସ୍ତାରରେ ଆଖିଦୃଷ୍ଟିଆ ସଫଳତା ଦେଖାଯାଇନଥିଲେ ବି ଏବେଏବେ ଏହି ଆଶା ପୁଣି ଥରେ ଉଜ୍ଜୀବିତ ହୋଇଛି । ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ବନ୍ୟପ୍ରାଣୀ ଶାଖା, ଓଡ଼ିଶାଙ୍କ ତଥ୍ୟାନୁସାରେ ୨୦୧୯ରୁ ୨୦୨୨ ମଧ୍ୟରେ ମହାନଦୀରେ ଛଡାଯାଇଥିବା ୧୯ଟି ଘଡ଼ିଆଳଙ୍କ ଶରୀରରେ ଜିପିଏସ୍ ରେଡିଓ ଟ୍ରାନ୍ସମିଟର ଲଗାଯାଇ ସେମାନଙ୍କୁ ନିରୀକ୍ଷଣ କରାଯାଇଛି । ତା' ସହ ଘଡ଼ିଆଳଙ୍କ ବିଷୟରେ ବହୁତ କିଛି ତଥ୍ୟ ସଂଗ୍ରହ ଏମାନଙ୍କ ଗବେଷଣା ଓ ସଂରକ୍ଷଣ ଦିଗରେ ଗୋଟିଏ ପାଦ ଆଗକୁ ବଢ଼ାଉଛି କହିଲେ ବୋଧହୁଏ କିଛି ଭୁଲ ହେବନାହିଁ ।

ଘଡ଼ିଆଳର ସଂରକ୍ଷଣ ଦିଗରେ ଜନସାଧାରଣ ଓ ମତ୍ସଜୀବୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ 

ପୁରାଣରେ ଗଙ୍ଗାମାତାଙ୍କ ବାହାନ ରୂପେ ମାନ୍ୟତା ଥିବା ଘଡ଼ିଆଳଙ୍କ ପ୍ରତି ଆମେ ଜନସାଧାରଣ ଓ ମତ୍ସଜୀବୀମାନେ ସଚେତନ ହୋଇ ଏମାନଙ୍କ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ଭୂମିକା ନିଭାଇପାରିବା। ମାଛଜାଲ ଓ କେନାଲରେ ଫସିଥିବା ଘଡିଆଳଙ୍କ ଉଦ୍ଧାର କାର୍ଯ୍ୟରେ ସହଯୋଗ ନିମନ୍ତେ ଓ ପ୍ରଥମ ପ୍ରତିକ୍ରିୟାକର୍ତ୍ତା ହିସାବରେ ନଦୀତଟୀୟ ବସବାସ କରୁଥିବା ଜନସାଧାରଣ ଏବଂ ମତ୍ସଜୀବୀଙ୍କ ଦକ୍ଷତା ବୃଦ୍ଧି ବି ଓଡିଶାରେ ଏହି ଜୀବଙ୍କ ଅସ୍ତିତ୍ଵ ରକ୍ଷା ଓ ସଂରକ୍ଷଣ ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ, ଏଥିରେ ସନ୍ଦେହ ନାହିଁ ।

ଲେଖକ: ନୀଳମାଧବ ସାହୁ

ଅଧୁନା ନୀଳମାଧବ ସାହୁ ଡେରାଡୁନ୍ ସ୍ଥିତ ଭାରତୀୟ ବନ୍ୟଜୀବ ସଂସ୍ଥାନରେ ଗବେଷଣାରତ

Email: [email protected]

ଫଟୋ: ନୀଳମାଧବ ସାହୁ

ଆହୁରି ପଢ଼ନ୍ତୁ: Ambulance Catches Fire: ଚଳନ୍ତା ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ଡାକ୍ତର, ନବଜାତ ଶିଶୁ ସମେତ ୪ଜଣ

ଆହୁରି ପଢ଼ନ୍ତୁ: Baragarh Dhanu Yatra: ଧନୁଯାତ୍ରା ପାଇଁ ଘୋଷଣା ହେଲା ନାମ, ଜାଣନ୍ତୁ କିଏ କେଉଁ ଭୂମିକାରେ କରିବେ ଅଭିନୟ