ବରଗଡ଼: ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏଥର ମହୋତ୍ସବରେ ଅଭିନୟ ପାଇଁ କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯାଇଛି। ଏଥିରେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ସୁଶୀଲ ମେହେର ବରଗଡ଼ କଂସ ଅଭିନେତା ଭାବେ ମନୋନୀତ ହୋଇଛନ୍ତି।
ସେହିପରି ପ୍ରଭାସ କୁମାର ତ୍ରିପାଠୀ ମୁଷ୍ଟିକ, ହିମାଂଶୁ ସାହୁ ଚାଣୁର, ଆର୍ତ୍ତତ୍ରାଣ ମହାପାତ୍ର ଉଗ୍ରସେନ, କାମରାଜ ଭୋଇ ନାରଦ, ମନୋଜ ସାହୁ ବସୁଦେବ, ଜଗନ୍ନାଥ ସାହୁ ଅକ୍ରୂର, ଜଗବନ୍ଧୁ ମହାଲିଙ୍ଗ ସାର୍ତ୍ତକୀ, ଅମ୍ବାଭୋନାର ହେମନ୍ତ ପ୍ରଧାନ ସେନାପତି, ଗୁଲାବ ଚନ୍ଦ୍ର ଦାଶ ମହାମନ୍ତ୍ରୀ ଚରିତ୍ର ପାଇଁ ଚୟନ ହୋଇଛନ୍ତି। ଧନୁଯାତ୍ରା ମହୋତ୍ସବ ସମିତି ଉପସଭାପତି ବରଗଡ଼ ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହା ଘୋଷଣା କରିଛନ୍ତି।
ଡିସେମ୍ବର ୨୪ ତାରିଖରୁ ଜାନୁଆରି ୩ ତାରିଖ ଯାଏଁ ବରଗଡ଼ ଧନୁଯାତ୍ରା ମହୋତ୍ସବ
ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୪ ତାରିଖରୁ ଜାନୁଆରି ୩ ତାରିଖ ଯାଏଁ ଅନୁଷ୍ଠିତ ହେବ ବୋଲି ମହୋତ୍ସବ ସମିତି ପକ୍ଷରୁ କୁହାଯାଇଛି। ଏଥିପାଇଁ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହୋଇଥିଲା। ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବରଗଡ ବିଧାୟକ ଅଶ୍ୱିନୀ ଷଡଙ୍ଗୀ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଅତାବିରା ବିଧାୟକ ନିହାର ରଂଜନ ମହାନନ୍ଦ, ପୌରାଧ୍ୟକ୍ଷା କଳ୍ପନା ମାଝୀଙ୍କ ସମେତ ସମିତିର ବିଭିନ୍ନ କମିଟିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।
ଆହୁରି ପଢ଼ନ୍ତୁ: Encounter, 7 Maoists Death: ମାଲକାନଗିରି ସୀମାନ୍ତରେ ବଡ଼ ଧରଣର ଏନକାଉଣ୍ଟର୍: କୁଖ୍ୟାତ ମାଓ ଦଂପତିଙ୍କ ସମେତ ଟଳିଲେ ୭ ମାଓବାଦୀ
ସମିତିର ସଂପାଦକ ସୁରେଶ୍ୱର ଶତପଥିଙ୍କ ସଂଯୋଜନାରେ ବୈଠକରେ କଳାକାର ଚୟନ ଉପରେ ସବିଶେଷ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ୩ ବର୍ଷରେ ଥରେ କଳାକାର ଚୟନ ପ୍ରକ୍ରିୟା ହୁଏ। ଏଥିପାଇଁ ଏଥର କଳାକାର ଉପଦେଷ୍ଟା କମିଟିକୁ ଚୟନ ଦାୟିତ୍ୱ ଦିଆଯାଇଛି। ୫ ଜଣିଆ ଜୁରି କମିଟି ଗଠନ କରାଯାଇ ମହାରାଜ କଂସଙ୍କଠାରୁ ନେଇ ସମସ୍ତ କଳାକାରମାନଙ୍କୁ ଚୟନ କରିବା ପାଇଁ ନିଷ୍ପତ୍ତି କରାଯାଇଛି। ସେହିପରି ଧନୁଯାତ୍ରାକୁ ଆକର୍ଷଣୀୟ କିପରି ଅଧିକ କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା। ଏହାସହ ଭିଡକୁ ଦୃଷ୍ଟିରେ ରଖି ସବୁ ପ୍ରକାର ବ୍ୟବସ୍ଥା କରାଯିବା ନେଇ ଆଲୋଚନା ହୋଇଥିଲା।
ଆହୁରି ପଢ଼ନ୍ତୁ:BDO Demanding PC: ବହଳଦା ବିଡ଼ିଓଙ୍କ ବିରୋଧରେ ସରପଞ୍ଚମାନଙ୍କ ସଙ୍ଗୀନ ଅଭିଯୋଗ
ବିଗତ ବର୍ଷର କିଛି ଭୁଲକୁ ମଧ୍ୟ ସୁଧାର ଆଣିବା ଦିଗରେ ପଦକ୍ଷେପ ନିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ବିଧାୟକ ଶ୍ରୀ ଷଡଙ୍ଗୀ ଧନୁଯାତ୍ରାକୁ ସଫଳ କରିବା ଦିଗରେ ଯାହା ପଦକ୍ଷେପ ନେବା କଥା ନିଆଯାଉ ଓ ସେ ସବୁ ପ୍ରକାର ସହାୟତା ଦେବେ ବୋଲି କହିଥିଲେ। ଅତାବିରା ବିଧାୟକ ଶ୍ରୀ ମହାନନ୍ଦ ଓ ପଦ୍ମପୁର ବିଧାୟିକା ଶ୍ରୀମତୀ ବରିହା ଆଇନଶୃଙ୍ଖଳା ତଥା ଯାତ୍ରା ଦେଖିବାକୁ ଆସୁଥିବା ଲୋକଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ। ଏସପିଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷବ୍ୟକ୍ତ କରିଥିଲେ। ଏସବୁ ଭିତରେ ଧନୁଯାତ୍ରା କିଭଳି ବିଶ୍ୱ ଦରବାରରେ ପ୍ରଶଂସିତ ହେବ ସେ ଦିଗରେ ସବୁପ୍ରକାର ପଦକ୍ଷେପ ଚଳିତ ବର୍ଷ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ବିଭିନ୍ନ ବିଭାଗର ଅଧିକାରୀ, ମହୋତ୍ସବ ସମିତିର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/18/untitled-1-2025-11-18-12-52-24.jpg)