ଏହା ଏକ ବାସ୍ତବତା ଯେ ରାଜନୈତିକ ଇଚ୍ଛା ଶକ୍ତିର ଦୃଢ଼ତା ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ। ସୁତରାଂ, ଆଶା କରିବା ଯେ ଏହି ଗମ୍ଭୀରତା ବଳବତ୍ତର ରହୁ, ଭାରତର ନିଅଣ୍ଟିଆ ସ୍କ୍ବାଡ୍ରନ ସଂଖ୍ୟା କେବଳ ତେଜସର ଅଧିକରୁ ଅଧିକ ଅତ୍ୟାଧୁନିକ ସଂସ୍କରଣଗୁଡ଼ିକ ଦ୍ବାରା ପୂରଣ ହେଉ, ତେଜସ ଭଳି ଧାତବ ପକ୍ଷୀ ତା’ ହୃଦ୍‌ସ୍ଥଳରେ ବିଦେଶୀ ଆତ୍ମା ବହନ କରି ଉଡ଼ି ବୁଲିବାର ଦୁଃଖରୁ ମୁକ୍ତ ହେଉ। ଏତିକି ସମ୍ଭବ ହେଲେ, ତାହା ହେବ ଦିବଂଗତ ବିଚକ୍ଷଣ ପାଇଲଟ ନମନ ସେୟଲଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି।

Advertisment

ଗଲା ଶୁକ୍ରବାର ଦିନ ଦୁବାଇ ଠାରେ ଆୟୋଜିତ ‘ଏୟାର ସୋ’ରେ ଭାରତୀୟ ଲଢୁଆ ବିମାନ ତେଜସ ଦୁର୍ଘଟଣାଗ୍ରସ୍ତ ହେବା ସହିତ ଅଭିଜ୍ଞ ପାଇଲଟ ନମନ ସେୟଲଙ୍କ ପ୍ରାଣହାନି ଘଟିବା ଦ୍ବାରା ସମଗ୍ର ଦେଶ ବିଷଣ୍ଣ ହୋଇ ଉଠିଥିବା ବେଳେ ଯାହା ବିଚଳିତକର ହୋଇଛି, ତାହା ହେଲା କେତେକ ଟେଲିଭିଜନ ନ୍ୟୁଜ ଚ୍ୟାନେଲ ଓ ସାମାଜିକ ଗଣମାଧ୍ୟମରେ ଅ‌େଯୗକ୍ତିକ, ଅଜ୍ଞ, ବୋଧହୀନ ମତାମତ ଓ ହାଲୁକା ଟୀକାଟିପ୍ପଣୀର ଝଡ଼। ପାକିସ୍ତାନୀ ସାମାଜିକ ଗଣମାଧ୍ୟମ ପକ୍ଷରୁ ଏ ନେଇ ସ୍ବାଭାବିକ ଉଲ୍ଲାସ ପ୍ରକାଶ ପାଉଥିବା ବେଳେ ଭାରତୀୟମାନେ ମାତ୍ରାତିରିକ୍ତ ଆବେଗ ଜର୍ଜର ହୋଇ ତେଜସ ବିମାନର ସାମର୍ଥ୍ୟକୁ ପ୍ରଶ୍ନ ଓ ସନ୍ଦେହ କରୁଛନ୍ତି। କିନ୍ତୁ, ପ୍ରାୟ ୮୦% ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ତେଜସର ପ୍ରଦର୍ଶନ ଏ ଯାବତ୍‌ ଚିତ୍ତାକର୍ଷକ ରହିଛି; ୨୪ ବର୍ଷର ଇତିହାସରେ ଏହା ହେଉଛି ଦ୍ବିତୀୟ ଦୁର୍ଘଟଣା, ଯହିଁରୁ ଗୋଟାଏ ଏକ ‘ଏୟାର ସୋ’ରେ ଘଟିଛି; ଯେଉଁଠି ଅତ୍ୟନ୍ତ ସୂକ୍ଷ୍ମ ଓ ବିପଜ୍ଜନକ ଉଡ଼ାଣ କାରିଗରି ପ୍ରଦର୍ଶନ କରାଯାଉଥିବାରୁ ଦୁର୍ଘଟଣାର ଆଶଙ୍କା ବହୁଗୁଣିତ ହୋଇଥାଏ। ଏବଂ ଏହା ମଧ୍ୟ ପ୍ରଣିଧାନଯୋଗ୍ୟ ଯେ ‘ଦୁର୍ଘଟଣା-ଅସମ୍ଭବ’ ବୋଲି ବିବେଚିତ ହେଉଥିବା ଅତ୍ୟାଧୁନିକ ଏଫ-୧୬ ବିମାନ ମଧ୍ୟ ‘ଏୟାର ସୋ’ ବେଳେ ଦୁର୍ଘଟଣା(ଗଲା ମାର୍ଚ୍ଚ ୨୮)ର ସମ୍ମୁଖୀନ ହୋଇଛି। କେବଳ ଏହି ବର୍ଷ ଏହା ବ୍ୟତୀତ ଆଉ ତିନିଟି ଦୁର୍ଘଟଣା ଘଟିସାରିଛି। ତେଣୁ ଦିବଂଗତ ପାଇଲଟଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଏବଂ ଗୋଟିଏ ତେଜସ ବିମାନର ବିନଷ୍ଟକୁ ବିଚାରକୁ ନେଇ ଯାହା ଆଲୋଚ୍ୟ ହେବା ଉଚିତ, ତାହା ହେଲା ସାମରିକ ସରଞ୍ଜାମ, ବିଶେଷ କରି ଲଢୁଆ ବିମାନ, ଆଦିର ନିର୍ମାଣରେ ଆତ୍ମନିର୍ଭରଶୀଳ ହେବାର ଉଦ୍ୟମ କିଭଳି ଆହ୍ବାନ ଏବଂ ଅସହାୟତାବୋଧକୁ ଜନ୍ମ ଦେଇଛି।
ଉଲ୍ଲେଖଯୋଗ୍ୟ ଯେ ମିଗ୍‌-୨୧ ଭଳି ‘ସିଂଗଲ ସିଟର ଲାଇଟ୍‌ କଂବାଟ ଏୟାରକ୍ରାଫ୍‌ଟ’ ବା ‘ଗୋଟିଏ ଆସନ ବିଶିଷ୍ଟ ହାଲୁକା ଲଢୁଆ ବିମାନ’ଗୁଡ଼ିକ ବୟସାଧିକ୍ୟ ହେତୁ ପର୍ଯ୍ୟାୟ କ୍ରମେ କାର୍ଯ୍ୟାନ୍ତର ହେବା ଭଳି ସ୍ଥିତି ଉପୁଜିବାରୁ ଗଲା ୧୯୮୩ ମସିହାରେ ସେହି ଶୂନ୍ୟ ସ୍ଥାନ ପୂରଣ କରିବା ଲାଗି ତେଜସ ପ୍ରକଳ୍ପର ଶୁଭାରମ୍ଭ ଘଟିଥିଲା, ଯହିଁରେ ପ୍ରମୁଖ ଲକ୍ଷ୍ୟଟି ଥିଲା ଏକ ସଂପୂର୍ଣ୍ଣ ସ୍ବଦେଶୀ ଲଢୁଆ ବିମାନର ନିର୍ମାଣ। କିନ୍ତୁ, ବିଡ଼ମ୍ବନାଟି ହେଲା ଇତି ମଧ୍ୟରେ ଚାରି ଦଶନ୍ଧି ବିତି ଯାଇଥିଲେ ମଧ୍ୟ ବିମାନ ବାହିନୀର ଅର୍ଡର ମୁତାବକ ୪୦ଟି ତେଜସ ମାର୍କ ୧ ବିମାନ ମିଳି ପାରିନାହିଁ; ମିଳିଛି ୩୮ଟି। ପ୍ରକାଶ ଥାଉ କି ନିର୍ଦ୍ଧାରିତ ଯୋଜନା ମୁତାବକ ଏତେ ବେଳକୁ ଅଧିକ ଆଧୁନିକ ଜ୍ଞାନ କୌଶଳ ସଂପନ୍ନ ‘ତେଜସ-ମାର୍କ ୨’ ଯୁଦ୍ଧ ବିମାନ ଭାରତୀୟ ବିମାନ ବାହିନୀ ନିକଟରେ ପୂର୍ଣ୍ଣତଃ ଉପଲବ୍‌ଧ ହୋଇଯିବା କଥା। କିନ୍ତୁ ବସ୍ତୁ ସ୍ଥିତି ହେଉଛି ତେଜସର ଆଂଶିକ ଉନ୍ନୀତ ସଂସ୍କରଣ ‘ତେଜସ-ମାର୍କ-୧ଏ’ ମଧ୍ୟ ବିମାନ ବାହିନୀର ହସ୍ତଗତ ହୋଇ ପାରିନାହିଁ, ଯାହା ୨୦୨୪ ସୁଦ୍ଧା ଉପଲବ୍‌ଧ ହୋଇଯିବ ବୋଲି ଭାରତୀୟ ଏୟାର ଫୋର୍ସ ଏବଂ ‘ଏଚ.ଏ.ଏଲ.’(ହିନ୍ଦୁସ୍ଥାନ ଏରୋନଟିକ୍‌ସ ଲିମିଟେଡ୍‌) ମଧ୍ୟରେ ସଂପାଦିତ ଚୁକ୍ତିନାମାରେ ପ୍ରତିଶ୍ରୁତ ଥିଲା। ସ୍ମରଣଯୋଗ୍ୟ ଯେ ଗଲା ଫେବ୍ରୁଆରି ମାସରେ ବେଙ୍ଗାଲୁରୁ ଠାରେ ଆୟୋଜିତ ଆନ୍ତର୍ଜାତିକ ଯୁଦ୍ଧ ବିମାନ ପ୍ରଦର୍ଶନୀ ସମୟରେ ବିମାନ ବାହିନୀ ମୁଖ୍ୟ ଅମରପ୍ରୀତ ସିଂହଙ୍କ ପକ୍ଷରୁ ଏଭଳି ଅହେତୁକ ବିଳମ୍ବ ଘେନି ଗଭୀର ଅସନ୍ତୋଷ ପ୍ରକଟ କରାଯାଇଥିଲା। ଇତି ମଧ୍ୟରେ ଭାରତୀୟ ବାୟୁ ସେନା ପକ୍ଷରୁ ସତର୍କ କରାଇ ଦିଆଗଲାଣି ଯେ ‘ତେଜସ-ମାର୍କ-୧ଏ’କୁ ଆଦୌ କାମଚଳା ଢଙ୍ଗରେ ସ୍ବୀକାର କରାଯିବ ନାହିଁ; ତା’ ପୂର୍ବରୁ ଚୁକ୍ତିରେ ପ୍ରତିଶ୍ରୁତ ପ୍ରାବିଧିକ ଉନ୍ନତିକୁ ଟିକିନିଖି ଭାବେ ପରଖାଯିବ। ଏହା ନିଃସନ୍ଦେହ ଯେ କୌଣସି ସାମରିକ ବ୍ୟବସ୍ଥାରେ ବିମାନ ବାହିନୀଗୁଡ଼ିକ ସର୍ବାଧିକ ତକନିକୀ-ନିର୍ଭର ହୋଇଥାନ୍ତି, ଯାହା ଭାରତ ଲାଗି ମଧ୍ୟ ପ୍ରଯୁଜ୍ୟ। କେବଳ ସେତିକି ନୁହେଁ, ଅନେକ ସାମରିକ ବିଶେଷଜ୍ଞଙ୍କ ଦୃଷ୍ଟିରେ ଭାରତୀୟ ସେନାର ତିନି ବାହିନୀ ମଧ୍ୟରୁ ବିମାନ ବାହିନୀ ବିଭିନ୍ନ କାରଣରୁ ସର୍ବାଧିକ କର୍ମକ୍ଷମ ଓ କର୍ମ ତତ୍ପର। କିନ୍ତୁ, ଅସଂଗତିଟି ହେଲା, ଏହା ୪୨ ସ୍କ୍ବାଡ୍ରନ ବିଶିଷ୍ଟ ହେବାକୁ କ୍ଷମତାପ୍ରାପ୍ତ ହୋଇଥିଲେ ହେଁ ଏହାର କ୍ଷମତା ସୀମିତ ରହିଛି ମାତ୍ର ୩୧ଟି ସ୍କ୍ବାଡ୍ରନରେ, ଏବଂ ନୂତନ ବିମାନ ସଂଖ୍ୟାରେ ବୃଦ୍ଧି ନ ଘଟିଲେ ଏହା ଅଚିରେ ୨୯କୁ ସଂକୁଚିତ ହୋଇଯାଇପାରେ। ଏହି ବିଶେଷଜ୍ଞମାନଙ୍କ ମତରେ ଏହା ହେଉଛି ଷଷ୍ଠ ଦଶକରେ ଭାରତୀୟ ବାୟୁ ସେନା ସଂପର୍କିତ ଦୃଶ୍ୟପଟ ସହିତ ପ୍ରାୟ ସମତୁଲ। ସଂପ୍ରତି ଆମ ଦେଶରେ ଯୁଦ୍ଧ ସରଂଜାମ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଉପରେ ସର୍ବାଧିକ ମହତ୍ତ୍ବ ପ୍ରଦାନ କରାଯାଉଥିଲେ ହେଁ ଚାହିଦା ଓ ଯୋଗାଣ ମଧ୍ୟରେ ସୃ‌ଷ୍ଟି ହେଉଥିବା ତାରତମ୍ୟ ସ୍ବାଭାବିକ ଭାବେ ଚିନ୍ତାର କାରଣ ହୋଇଥିବା ବେଳେ ‘ଅପରେସନ ସିନ୍ଦୂର’ ପରବର୍ତ୍ତୀ ସମୟରେ ସେହି ଚିନ୍ତା ଅଧିକ ତୀବ୍ର ହୋଇଛି। ଭୁଲିଗଲେ ହେବ ନାହିଁ ଯେ ପାକିସ୍ତାନୀ ବିମାନ ବାହିନୀ ମଧ୍ୟ ଅନେକ ଦୃଷ୍ଟିରୁ ଭାରତ ସହିତ ସମକକ୍ଷ, ଏପରିକି ଅଳ୍ପ କେତେକ କ୍ଷେତ୍ରରେ ଆଗରେ ମଧ୍ୟ। ତା’ ସହିତ ପାକିସ୍ତାନ ସକାଶେ ଉପଲବ୍‌ଧ ଅଛି ଚୀନର ଅନାବିଳ ସହଯୋଗ। ଏବଂ ଏକ ସାମାନ୍ୟ ଅସ୍ବସ୍ତିକର ବାସ୍ତବତାଟି ହେଲା, ଭାରତୀୟ ପ୍ରଯୁକ୍ତିଗତ ପରିକଳ୍ପନା ପଞ୍ଚମ ପିଢ଼ିର ଲଢୁଆ ବିମାନ ନିର୍ମାଣ ପର୍ଯ୍ୟନ୍ତ ଯାଇଥିବା ବେଳେ ଚୀନ ନିକଟରେ ବିଦ୍ୟମାନ ଅଛି ସ୍ବନିର୍ମିତ ଷଷ୍ଠ ପିଢ଼ିର ଯୁଦ୍ଧ ବିମାନର ଭାଡ଼ି। ଏଭଳି ସ୍ଥଳେ ଗୋଟିଏ ତେଜସ ବିମାନ ଅନ୍ତର୍ହିତ ହୋଇଯିବା ମଧ୍ୟ ଏକ ଗୁରୁତର ପ୍ରସଙ୍ଗ ଏବଂ ନମନଙ୍କ ଭଳି ଜଣେ ଅଭିଜ୍ଞ ଏବଂ ବହୁ ସମ୍ମାନ ଓ ପୁରସ୍କାର ବିଜୟୀ ପାଇଲଟଙ୍କ ନିଧନ ଏକ ଅପୂରଣୀୟ କ୍ଷତି।
‘ଏଚ.ଏ.ଏଲ.’ ଦ୍ବାରା ତେଜସ ନିର୍ମାଣ ଉଦ୍ୟମ ଅନେକ ରାଜନୈତିକ କ୍ଷମତା ପରିବର୍ତ୍ତନ ମଧ୍ୟ ଦେଇ ଅଗ୍ରଗତି କରିଛି ସତ, କିନ୍ତୁ ଭାରତୀୟ ପ୍ରଯୁକ୍ତି ଗବେଷଣା ଓ ଉନ୍ନତି ସେଭଳି ଉଚ୍ଚକୋଟୀ ସ୍ପର୍ଶ କରିପାରିନାହିଁ, ଯଦ୍ଦ୍ବାରା ଶତ ପ୍ରତିଶତ ସଂପୂର୍ଣ୍ଣ ଭାରତୀୟ ଅତ୍ୟାଧୁନିକ ଯୁଦ୍ଧ ବିମାନଟିଏ ସମ୍ଭବ ହୋଇପାରିବ। ପ୍ରକାଶ ଥାଉ କି ତେଜସ ନିର୍ମାଣ କ୍ରମରେ ଯାହା ତୀବ୍ର ହତାଶା ସୃଷ୍ଟି କରିଥିଲା, ତାହା ହେଉଛି ଉଚ୍ଚାଭିଳାଷୀ ‘କାବେରୀ ପ୍ରକଳ୍ପ’ର ବିଫଳତା, ଯାହା ଫଳରେ ଏ ଯାବତ୍‌ ଭାରତରେ ଶକ୍ତିଶାଳୀ ଜେଟ୍‌ ଇଂଜିନର ନିର୍ମାଣ ସମ୍ଭବ ହୋଇପାରିନାହିଁ। 
ଏକାଧିକ ଦଶକର ପରିଶ୍ରମ, କେଇ କୋଟି ଟଙ୍କାର ବିନିବେଶ ଏବଂ ଡଜନେ ସରିକି ‘ପ୍ରଟୋଟାଇପ’ ବା ପ୍ରତିରୂପ ନିର୍ମାଣ ପରେ ସୁଦ୍ଧା ‘କାବେରୀ ଇଂଜିନ’ ଠାରୁ ଏକ ଯୁଦ୍ଧ ବିମାନକୁ ଉଡ୍‌ଡୀୟମାନ କରିବା ଲାଗି ଆବଶ୍ୟକ ନା ଧକ୍କା(ଥ୍ରଷ୍ଟ) ନା ଶକ୍ତି ମିଳି ପାରିଲା! ଏହି କାରଣରୁ ଅତ୍ୟନ୍ତ ତରବର ଭାବେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ନିର୍ମିତ ‘ଜି.ଇ. ଏଫ୪୦୪’ ଓ ‘ଜି.ଇ. ଏଫ୪୧୪’ ଇଂଜିନ କ୍ରୟ କରି ତେଜସରେ ଖଂଜିବା ଅନିବାର୍ଯ୍ୟ ହୋଇଗଲା। ବିଶେଷଜ୍ଞମାନଙ୍କ ମତରେ ଏକ ସ୍ବଦେଶୀ ବିକଶିତ ବିମାନରେ ସ୍ବଦେଶୀ ଆତ୍ମା ସ୍ଥାପନ କରିବାରେ ‘କାବେରୀ’ର ବିଫଳତା ହେତୁ ତେଜସ ପ୍ରକଳ୍ପ ରୂପାୟନରେ ଅନ୍ତତଃ ଗୋଟିଏ ଦଶକ ବିଳମ୍ବିତ ହେଲା ଏବଂ ତେଜସ ଏକ ୮୦% ସ୍ବଦେଶୀ ବିମାନ ରୂପେ ଆତ୍ମପ୍ରକାଶ କରିବାକୁ ବାଧ୍ୟ ହେଲା। 
ଏଥିରେ ଦ୍ବିଧା ନାହିଁ ଯେ ତେଜସ ମାର୍କ-୧ ଯୁଦ୍ଧ ବିମାନଟି ପ୍ରଯୁକ୍ତିଗତ ଉତ୍କର୍ଷ ଓ ସାମର୍ଥ୍ୟ ଦୃଷ୍ଟିରୁ ଆଦୌ ଊଣା ନୁହେଁ। ତେଣୁ ତେଜସ ଦୁର୍ଘଟଣାଦ୍ବାରା ସୃଷ୍ଟ ଅନେକ ଉଚ୍ଚାଟ ନିରର୍ଥକ ମଧ୍ୟ। କିନ୍ତୁ ଏହି ଦୁର୍ଘଟଣା ପରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ଉଜାଗର ହୋଇଛି। ପ୍ରଶ୍ନ ଉଠୁଛି ଯେ ସ୍ବ‌ିଡେନ ଭଳି ଦେଶ ମାତ୍ର ୧୦ ବର୍ଷରେ ଏକ ନୂତନ ଯୁଦ୍ଧ ବିମାନ ନିର୍ମାଣ ପ୍ରକଳ୍ପକୁ ସଂପୂର୍ଣ୍ଣ କରି ଦେଉଥିବା ବେଳେ ଭାରତରେ ଅସହନୀୟ ବିଳମ୍ବ ଘଟୁଛି କାହିଁକି? ଏହାର ଉତ୍ତର ଖୋଜାଯିବା ଆବଶ୍ୟକ। ଭାରତକୁ ଘୋଟି ରହିଥିବା ଅସୁଖକର ବୈଦେଶିକ ପରିସ୍ଥିତି ଦୃଷ୍ଟିରୁ ବର୍ତ୍ତମାନ ସରକାର ଏ ନେଇ ଭାବ ଗମ୍ଭୀର ମୁଦ୍ରାରେ ବୋଲି ଯୁଦ୍ଧ ବିଶାରଦମାନେ ଏକମତ ହୁଅନ୍ତି। ଏହା ଏକ ବାସ୍ତବତା ଯେ ରାଜନୈତିକ ଇଚ୍ଛା ଶକ୍ତିର ଦୃଢ଼ତା ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ। ସୁତରାଂ, ଆଶା କରିବା ଯେ ଏହି ଗମ୍ଭୀରତା ବଳବତ୍ତର ରହୁ, ଭାରତର ନିଅଣ୍ଟିଆ ସ୍କ୍ବାଡ୍ରନ ସଂଖ୍ୟା କେବଳ ତେଜସର ଅଧିକରୁ ଅଧିକ ଅତ୍ୟାଧୁନିକ ସଂସ୍କରଣଗୁଡ଼ିକ ଦ୍ବାରା ପୂରଣ ହେଉ, ତେଜସ ଭଳି ଧାତବ ପକ୍ଷୀ ତା’ ହୃଦ୍‌ସ୍ଥଳରେ ବିଦେଶୀ ଆତ୍ମା ବହନ କରି ଉଡ଼ି ବୁଲିବାର ଦୁଃଖରୁ ମୁକ୍ତ ହେଉ। ଏତିକି ସମ୍ଭବ ହେଲେ, ତାହା ହେବ ଦିବଂଗତ ବିଚକ୍ଷଣ ପାଇଲଟ ନମନ ସେୟଲଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି।