ରୋହତକ: ବାପା...ମୋତେ ଟିକେ ତୁମେ କୋଳେଇ ନିଅ। ଆରପାରିକୁ ଯିବା ପୂର୍ବରୁ ବାପାକୁ ଏଭଳି କହିଲା ପୁଅ। କିଛି ଦିନ ତଳେ ‌ହରିୟାଣାର ରୋହତକରେ ଏକ ଦୁଃଖଦ ଦୁର୍ଘଟଣା ଘଟିଥିଲା । ରୋହତକରେ ଅଭ୍ୟାସ କରୁଥିବା ସମୟରେ ଜାତୀୟ ସ୍ତରର ବାସ୍କେଟବଲ୍ ଖେଳାଳି ହାର୍ଦ୍ଦିକ ରାଠିଙ୍କ ଦେହାନ୍ତ ହୋଇଥିଲା। ଅଭ୍ୟାସ ବେଳେ ସେ ବାସ୍କେଟବଲ୍ ପୋଲରେ ଯାଇ ଓହଳି ପଡ଼ିଥିଲେ। ଏହା ପରେ ପୋଲ୍‌ଟି ଭାଙ୍ଗି ପଡ଼ି ତାଙ୍କ ଛାତିକୁ ଚାପିଦେଇଥିଲା।  ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଥିବା ବେଳେ ଏବେ ହାର୍ଦ୍ଦିକଙ୍କ ଶେଷ କଥା କ’ଣ ଥିଲା, ତାହା ତାଙ୍କ ବାପା ଜଣାଇଛନ୍ତି।

Advertisment

ଏ ଯନ୍ତ୍ରଣା ଆଉ ସହିପାରୁନାହିଁ

ହାର୍ଦ୍ଦିକଙ୍କ ବାପାଙ୍କ କହିବା ମୁତାବକ, "ଦୁର୍ଘଟଣା ଘଟିବା ପରେ ହାର୍ଦ୍ଦିକଙ୍କୁ ଡାକ୍ତରଖାନା ନିଆଯାଇଥିଲା। ମୁଁ ବି ପାଖରେ ଠିଆ ହୋଇଥାଏ। ଯନ୍ତ୍ରଣା ଅସହ୍ୟ ହୋଇପଡ଼ିବାରୁ ମୋ ପୁଅ ମୋତେ କହିଥିଲା, ବାପା ମୋତେ ଟିକେ ତୁମେ କୋଳେଇ ନିଅ। ଏ ଯନ୍ତ୍ରଣା ଆଉ ସହିପାରୁନାହିଁ। ଏହାର କିଛି ସମୟରେ ତା’ର ଦେହାନ୍ତ ହୋଇଥିଲା।"

ଅଭ୍ୟାସ ବେଳେ ଚାଲିଗଲା ଜୀବନ

ସୂଚନା ଅନୁସାରେ, ହାର୍ଦ୍ଦିକ ରାଠି ସବ୍-ଜୁନିୟର ନ୍ୟାସନାଲ୍ସ ଏବଂ ୟୁଥ୍ ନ୍ୟାସନାଲ୍ସରେ ଖେଳିଥିଲେ। ତାଙ୍କୁ ବାସ୍କେଟବଲ୍ ଫେଡେରେସନ ଅଫ୍ ଇଣ୍ଡିଆର ଇନ୍ଦୋର ଏକାଡେମୀ ପାଇଁ ମଧ୍ୟ ଚୟନ କରାଯାଇଥିଲା। ସେ ବିଭିନ୍ନ ପ୍ରତିଯୋଗିତା ପାଇଁ ତାଙ୍କ ଗାଁରେ ଅଭ୍ୟାସ କରୁଥିଲେ। ଦୁର୍ଘଟଣା ଘଟିବା ଦିନ ମଧ୍ୟ ସେ ସକାଳେ ଅଭ୍ୟାସ ପାଇଁ ପଡ଼ିଆରେ ପହଞ୍ଚିଥିଲେ। ସେହି ସମୟରେ ଦଳର ଅନ୍ୟ ସଦସ୍ୟମାନେ ବିଶ୍ରାମ ନେଉଥିଲେ। ଏହି ସମୟରେ ଅଭ୍ୟାସ ଆରମ୍ଭ କରିବା ପୂର୍ବରୁ ହାର୍ଦ୍ଦିକ ଦୌଡ଼ି ଆସି ବାସ୍କେଟବଲ୍ ପୋଲରେ ଓହଳି ପଡ଼ିଥିଲେ। ହେଲେ ତାଙ୍କୁ ଜଣାନଥିଲା ପୋଲ୍‌ଟି ଏଭଳି ଭାଙ୍ଗି ତାଙ୍କ ଉପରେ ପଡ଼ିଯିବ। 

ଆହୁରି ପଢ଼ନ୍ତୁ: Celina Jaitley: ଘରୋଇ କଳି: କୋର୍ଟର ଦ୍ବାରସ୍ଥ ହେଲେ ଅଭିନେତ୍ରୀ ସେଲିନା ଜେଟଲି