ଯେତେବେଳେ କୌଣସି ଅସ୍ଥିରତା ସୃଷ୍ଟିକାରୀ ବାହ୍ୟ କାରଣ ଯୋଗୁଁ ବିଦେଶୀ ନିବେଶକମାନେ ସେଆର୍ ବଜାରରୁ ନିବେଶ ପ୍ରତ୍ୟାହାର କରି ପଳାୟନ କରିବା ଆରମ୍ଭ କରନ୍ତି, ସେତେବେଳେ ଡଲାର୍ର ବିନିମୟ ମୂଲ୍ୟରେ ଅନିବାର୍ଯ୍ୟ ଭାବରେ ବୃଦ୍ଧି ଘଟିଥାଏ ଓ ଟଙ୍କାକୁ ଧକ୍କା ଲାଗିଥାଏ। ବର୍ତ୍ତମାନ ତାହା ହିଁ ଘଟିଛି। ଏହି ପରିସ୍ଥିତିର ମୁକାବିଲା କରିବା ନିମିତ୍ତ କୃତ୍ରିମ ଭାବରେ ଟଙ୍କାର ବିନିମୟ ମୂଲ୍ୟରେ ସାମୟିକ ବୃଦ୍ଧି ହାସଲ କରିବା ପରିବର୍ତ୍ତେ, ନୀତି ନିର୍ଦ୍ଧାରକମାନେ ଅର୍ଥନୀତିର ସଂରଚନାକୁ ମଜଭୁତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ।
ସଂପ୍ରତି ଭାରତୀୟ ମୁଦ୍ରା ଟଙ୍କାର ଆନ୍ତର୍ଜାତିକ ବିନିମୟ ମୂଲ୍ୟରେ ହ୍ରାସ ଘଟି ତାହା ଏକ ଗୁରୁତ୍ବପୂର୍ଣ୍ଣ ମନସ୍ତାତ୍ତ୍ବିକ ସୀମାରେଖା ଅତିକ୍ରମ କରିଛି। ଗୋଟିଏ ଆମେରିକୀୟ ଡଲାର୍ ବଦଳରେ ୯୦ ଟଙ୍କା ବିନିମୟ ହାର ହେଉଛି ଏହି ସୀମାରେଖା। ବିଗତ ଏକ ବର୍ଷ ମଧ୍ୟରେ ଟଙ୍କାର ବିନିମୟ ମୂଲ୍ୟରେ ୭ ଶତାଂଶରୁ ଅଧିକ ସ୍ଖଳନ ଘଟି ତାହା ଏଇ ସ୍ତରରେ ପହଞ୍ଚିଥିବାବେଳେ, ବିଗତ ସପ୍ତାହମାନଙ୍କରେ ଏହି ହ୍ରାସ ତୀବ୍ରତର ହେବା ଦେଖାଯାଇଛି।
ଟଙ୍କାର ଏଭଳି ଆନ୍ତର୍ଜାତିକ ଦୁର୍ବଳତା କେତେକଙ୍କ ଜାତୀୟତାବାଦୀ ଗର୍ବବୋଧ ପ୍ରତି ଏକ ଆଘାତ ସଦୃଶ ହୋଇଥାଏ ଏବଂ ତେଣୁ ସେମାନେ ଆଶା କରିଥାନ୍ତି ଯେ ରିଜର୍ଭ ବ୍ୟାଙ୍କ୍ ମୁଦ୍ରା ବଜାରରେ ହସ୍ତକ୍ଷେପ କରି ଟଙ୍କାର ବିନିମୟ ମୂଲ୍ୟରେ କୃତ୍ରିମ ଭାବରେ ଉନ୍ନତି ଘଟାଇବ। ଅତୀତରେ ମଧ୍ୟ ସରକାର ଓ ରିଜର୍ଭ ବ୍ୟାଙ୍କ୍ ଏହି ନୀତି ଅନୁସରଣ କରିବା ଦେଖାଯାଇଛି। ଏଥର କିନ୍ତୁ ରିଜର୍ଭ ବ୍ୟାଙ୍କ୍ ସେଭଳି କୌଣସି ଆବେଶର ବଶବର୍ତ୍ତୀ ନ ହୋଇ ସେଭଳି ହସ୍ତକ୍ଷେପରୁ ନିବୃତ୍ତ ରହିବା ଦେଖାଯାଇଛି ଏବଂ ସରକାର ମଧ୍ୟ ରିଜର୍ଭ ବ୍ୟାଙ୍କ୍ ଉପରେ ସେଥିପାଇଁ କୌଣସି ଚାପ ପକାଉ ନାହାନ୍ତି।
ଟଙ୍କାର ବିନିମୟ ମୂଲ୍ୟକୁ କୃତ୍ରିମ ଭାବରେ ଉଚ୍ଚ କରିବା ଦ୍ବାରା ଭାରତୀୟ ରପ୍ତାନିକାରୀମାନଙ୍କ ପାଇଁ ବିଦେଶ ବଜାରରେ ପ୍ରତିବନ୍ଧକ ସୃଷ୍ଟି କରାଯାଇଥାଏ, କାରଣ ଏହା ଦ୍ବାରା ବିଦେଶୀ ମୁଦ୍ରା (ଡଲାର୍) ଆକାରରେ ଭାରତୀୟ ରପ୍ତାନି ଦ୍ରବ୍ୟର ମୂଲ୍ୟ କୃତ୍ରିମ ଭାବରେ ଉଚ୍ଚ ହୋଇ ତାହାର ପ୍ରତିଯୋଗିତା କ୍ଷମତା ହ୍ରାସ ପାଇଥାଏ। ଅପର ପକ୍ଷେ ଟଙ୍କାର ବିନିମୟ ମୂଲ୍ୟ ନୀଚା ରହିଲେ ବିଦେଶ ବଜାରରେ ଭାରତୀୟ ରପ୍ତାନି ଦ୍ରବ୍ୟ ଅପେକ୍ଷାକୃତ ଶସ୍ତା ହେବା ଫଳରେ ସେଠାରେ ସେଥିପ୍ରତି ଚାହିଦାରେ ବୃଦ୍ଧି ଘଟିଥାଏ। ସେଇଥିପାଇଁ ବେଳେବେଳେ ଟ୍ରମ୍ପ ଟାରିଫ୍ର ମୁକାବିଲା ପାଇଁ ଜାଣିଶୁଣି ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଘଟାଇବା ପାଇଁ ଆହ୍ବାନ ଦିଆଯିବା ମଧ୍ୟ ଶୁଣିବାକୁ ମିଳିଥାଏ। ବର୍ତ୍ତମାନ ଟଙ୍କାର ବିନିମୟ ମୂଲ୍ୟରେ ସ୍ଖଳନ ଆଂଶିକ ଭାବରେ ସେଥିରେ ସହାୟକ ହେବା ସଙ୍ଗେ ସଙ୍ଗେ ଅନ୍ୟ ଦେଶମାନଙ୍କର ବଜାରରେ ଭାରତୀୟ ରପ୍ତାନିର ପ୍ରତିଯୋଗିତା କ୍ଷମତାରେ ଉନ୍ନତି ଘଟାଇବାରେ ମଧ୍ୟ ସହାୟକ ହେବ। ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହେବାରେ ଲାଗି ରହିଥିବା ଅନିଶ୍ଚିତତା ଯୋଗୁଁ ଭାରତୀୟ ରପ୍ତାନିକାରୀମାନେ ଏକ ସ୍ଥାଣୁ ଅବସ୍ଥାର ସମ୍ମୁଖୀନ ହୋଇଥିବା ବେଳେ ଏହି ଦୁର୍ବଳ ଟଙ୍କା ପ୍ରକୃତରେ ସେମାନଙ୍କ ପାଇଁ ଏକ ବଳ ବୃଦ୍ଧିକାରକ ରୂପେ କାର୍ଯ୍ୟ କରିବାର ଦୃଢ଼ ସମ୍ଭାବନା ରହିଛି।
ତେବେ ଏହା ମଧ୍ୟ ଜଣାଶୁଣା ଯେ ଟଙ୍କାର ଏଭଳି ଅବମୂଲ୍ୟାୟନ ଯୋଗୁଁ ଭାରତ ଆମଦାନି କରୁଥିବା ଦ୍ରବ୍ୟମାନ ମହଙ୍ଗା ହୋଇଯିବ। ସାଧାରଣତଃ ମହଙ୍ଗା ଆମଦାନି ଯୋଗୁଁ ସଂପୃକ୍ତ ଦ୍ରବ୍ୟମାନଙ୍କର ଦର ବୃଦ୍ଧି ଘଟି ମୁଦ୍ରାସ୍ଫୀତି ଉପରେ ଚାପ ବୃଦ୍ଧି କରିଥାଏ। କିନ୍ତୁ ସୌଭାଗ୍ୟ କ୍ରମେ ଭାରତରେ ମୁଦ୍ରାସ୍ଫୀତି ସ୍ତର ବର୍ତ୍ତମାନ ଏପରି ନୀଚା ହୋଇଛି ଯେ ଏଭଳି ଆମଦାନିଜନିତ ଚାପ ସତ୍ତ୍ବେ ତାହା ନିକଟ ଭବିଷ୍ୟତରେ ନିରାପଦ ସୀମା ମଧ୍ୟରେ ରହି ଚାଲିବ ବୋଲି ଆଶା କରାଯାଉଛି। ଅନ୍ୟ ଏକ ସଂଯୋଗ କ୍ରମେ ଭାରତ ଏକ ପ୍ରମୁଖ ଆମଦାନି ଦ୍ରବ୍ୟ ଅଶୋଧିତ ତୈଳର ଆନ୍ତର୍ଜାତିକ ବଜାରରେ ଦର ଏବେ ବ୍ୟାରେଲ୍ ପିଛା ୬୩/୬୪ ଡଲାର୍ ସହନୀୟ ସ୍ତରରେ ପ୍ରାୟ ସ୍ଥିର ରହିଛି। ରୁଷିଆ ମଧ୍ୟ ରିହାତି ଦରରେ ତୈଳ ଯୋଗାଣ ଅବ୍ୟାହତ ରଖିବ ବୋଲି ସେ ଦେଶର ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ ତାଙ୍କର ସଦ୍ୟସମାପ୍ତ ଭାରତ ଗସ୍ତ ସମୟରେ ଘୋଷଣା କରିଛନ୍ତି। ଆନ୍ତର୍ଜାତିକ ବଜାରରେ ବର୍ତ୍ତମାନ ମୁଦ୍ରାସ୍ଫୀତି ନୀଚା ହୋଇଥିବାରୁ ଭାରତ ଆମଦାନି କରୁଥିବା ଅଧିକାଂଶ ଦ୍ରବ୍ୟମାନଙ୍କର ଦରଦାମ ମଧ୍ୟ ଆମ ପାଇଁ ଅସହନୀୟ ହେବ ନାହିଁ।
Mayurbhanj Chhau: ମୟୂରଭଂଜ ଛଉକୁ ପ୍ରଶଂସା କଲେ ପଶ୍ଚିମବଙ୍ଗ ରାଜ୍ୟପାଳ
ରିଜର୍ଭ ବ୍ୟାଙ୍କ୍ ବର୍ତ୍ତମାନ ଯେଉଁ ନିର୍ଲିପ୍ତ ଭାବ ପ୍ରଦର୍ଶନ କରିଛି, ଉପରୋକ୍ତ ପରିସ୍ଥିତି ମଧ୍ୟ ସେଥିପାଇଁ ଅନୁକୂଳ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟ ଅତୀତରେ ରିଜର୍ଭ ବ୍ୟାଙ୍କ୍ ଏ ବାବଦରେ ପ୍ରଦର୍ଶନ କରିଥିବା ଆଚରଣ ଠାରୁ ଏହା ହେଉଛି ସଂପୂର୍ଣ୍ଣ ଭିନ୍ନ। ଉଦାହରଣ ସ୍ବରୂପ ଏକ ଆକଳନ ଅନୁସାରେ ଗତ ଜାନୁଅାରିରୁ ସେପ୍ଟେମ୍ବର ମଧ୍ୟରେ ବୈଦେଶିକ ମୁଦ୍ରା ବଜାରରେ ହସ୍ତକ୍ଷେପର ଅଂଶ ସ୍ବରୂପ ରିଜର୍ଭ ବ୍ୟାଙ୍କ୍ ପ୍ରାୟ ୩୮ ବିଲିଅନ୍ ଡଲାର୍ ବିକ୍ରୟ କରିଥିଲା (ଅର୍ଥାତ୍ ଅନୁରୂପ ମୂଲ୍ୟର ଟଙ୍କା କ୍ରୟ କରିଥିଲା)। (ଏହା ଦ୍ବାରା ମୁଦ୍ରା ବଜାରରେ ଡଲାର୍ର ଯୋଗାଣରେ ବୃଦ୍ଧି ଘଟି ତା’ର ମୂଲ୍ୟରେ ହ୍ରାସ ଘଟିଥାଏ ଏବଂ ଟଙ୍କାର ଯୋଗାଣରେ ହ୍ରାସ ଘଟି ତା’ର ମୂଲ୍ୟରେ ବୃଦ୍ଧି ଘଟିଥାଏ।) ରିଜର୍ଭ ବ୍ୟାଙ୍କ୍ର ଏଭଳି ପଦକ୍ଷେପ ଯୋଗୁଁ ଆମର ମୂଲ୍ୟବାନ ବୈଦେଶିକ ମୁଦ୍ରାପାଣ୍ଠିରେ ନିଷ୍ଫଳ କ୍ଷୟ ଘଟିଥାଏ ଏବଂ ବଜାରରେ ନଗଦ ଟଙ୍କାର ଯୋଗାଣ ସଂକୁଚିତ ହୋଇଥାଏ। ରିଜର୍ଭ ବ୍ୟାଙ୍କ୍ର ମୁଦ୍ରା ନୀତି ନିର୍ଦ୍ଧାରଣକାରୀ କମିଟି (‘ଏମ୍ପିସି’) ତା’ର ସଦ୍ୟତମ ବୈଠକରେ ସୁଧ ହାରରେ ହ୍ରାସ ଓ ଋଣ ପ୍ରଦାନରେ ବୃଦ୍ଧି ଘଟାଇବା ନିମିତ୍ତ ନେଇଥିବା ନିଷ୍ପତ୍ତିର ଏହା ବିରୋଧାଚରଣ କରନ୍ତା।
ତା’ ଛଡ଼ା, ବର୍ତ୍ତମାନ ବିଦେଶୀ ପୁଞ୍ଜି ନିବେଶକମାନେ ଭାରତୀୟ ସେଆର୍ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିବା ଦେଖାଯାଉଛି। ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶରେ ମଧ୍ୟ ବର୍ତ୍ତମାନ ଶିଥିଳତା ପରିଲକ୍ଷିତ ହେଉଛି। ତେଣୁ ଏଇ ସମୟରେ ରିଜର୍ଭ ବ୍ୟାଙ୍କ୍ ବୈଦେଶିକ ମୁଦ୍ରା ବଜାରରେ ପ୍ରବେଶ କରି ଡଲାର୍ ବିକ୍ରୟ ମାଧ୍ୟମରେ ନିଜ ପାଖରେ ବିତ୍ତୀୟ ନିରାପତ୍ତା କବଚ ସଦୃଶ ମହଜୁଦ ଥିବା ବୈଦେଶିକ ମୁଦ୍ରାପାଣ୍ଠିର ଏକ ଅଂଶ ହରାଇବା କେବେହେଲେ ବୁଦ୍ଧିମାନର କାର୍ଯ୍ୟ ରୂପେ ବିବେଚିତ ହୁଅନ୍ତା ନାହିଁ।
ତେବେ ଏହାର ଅର୍ଥ ନୁହେଁ ଯେ ଡଲାର୍-ଟଙ୍କା ବିନିମୟ ହାର ୯୦ ଟଙ୍କା ଅତିକ୍ରମ କରିବା ଆମ ପାଇଁ ଚିନ୍ତାଜନକ ନୁହେଁ। ଏହା ବାସ୍ତବରେ ଆମ ଅର୍ଥନୀତିର ସଂରଚନାତ୍ମକ ଦୁର୍ବଳତାକୁ ପଦାରେ ପକାଇଥାଏ। ଏଇ ଦୁର୍ବଳତାର ଚିତ୍ର ହେଉଛି ସ୍ପଷ୍ଟ: ଆମର ବାହ୍ୟ ସନ୍ତୁଳନ ବର୍ତ୍ତମାନ ଚାପଗ୍ରସ୍ତ, ଦେଶକୁ ପୁଞ୍ଜି ପ୍ରବାହରେ ଅନିଶ୍ଚିତତା ପ୍ରବେଶ କରିଛି ଏବଂ ଆମର ଆତ୍ମସନ୍ତୋଷ ଆଉ ବୋଧହୁଏ ସମ୍ଭାଳି ହେବ ନାହିଁ। ରପ୍ତାନିକାରୀମାନଙ୍କ ପାଇଁ ଯାହା ଲାଭଜନକ ମନେ ହୁଏ, ଦେଶର ଅନ୍ୟ ଅଧିବାସୀମାନଙ୍କ ପାଇଁ ତାହା ଯନ୍ତ୍ରଣାଦାୟକ ହୋଇଥାଏ। ଭାରତ କେବଳ ଅଶୋଧିତ ତୈଳ ଆମଦାନି କରି ନ ଥାଏ, ଏହା ବାଦ୍ ରାସାୟନିକ ସାର, ଇଲେକ୍ଟ୍ରୋନିକ୍ସ, ଯନ୍ତ୍ରପାତି ଆଦି ଭଳି ଅନେକ ଅନ୍ୟ ଅପରିହାର୍ଯ୍ୟ ଦ୍ରବ୍ୟମାନ ମଧ୍ୟ ବିଦେଶରୁ ଆମଦାନି କରିଥାଏ। ଟଙ୍କାର ବିନିମୟ ମୂଲ୍ୟରେ ଅବନତି ଘଟିଲେ ଏ ସମସ୍ତ ଦ୍ରବ୍ୟମାନଙ୍କର ବଜାର ଦରରେ ମଧ୍ୟ ବୃଦ୍ଧି ଘଟି ଖାଉଟିମାନଙ୍କୁ ହନ୍ତସନ୍ତ କରିବ। ଏହା ମୁଦ୍ରାସ୍ଫୀତିକୁ ଇନ୍ଧନ ଯୋଗାଇବ, ଶିଳ୍ପବାଣିଜ୍ୟ ଉଦ୍ୟୋଗମାନଙ୍କର ଲାଭ ସଂକୁଚିତ କରିବ, ଏବଂ ନିଃଶବ୍ଦରେ ଖାଉଟିମାନଙ୍କୁ ଶୋଷଣ କରିବ।
Bhadrak News: ସରକାରଙ୍କ ନିୟମ ଭାଙ୍ଗୁଛି ସରକାରୀ ବିଭାଗ
ଭାରତର ଦୁର୍ବଳତା ହେଉଛି ଏହା ଯେ ଆମେ ଖୁବ୍ କମ୍ ଅତ୍ୟାଧୁନିକ ଦ୍ରବ୍ୟ ରପ୍ତାନି କରିଥାଉ ଏବଂ ବହୁ ପ୍ରକାରର ଉଚ୍ଚ ମୂଲ୍ୟଯୁକ୍ତ ଦ୍ରବ୍ୟମାନ ଆମଦାନି କରିଥାଉ। ଯେତେବେଳେ କୌଣସି ଅସ୍ଥିରତା ସୃଷ୍ଟିକାରୀ ବାହ୍ୟ କାରଣ ଯୋଗୁଁ ବିଦେଶୀ ନିବେଶକମାନେ ସେଆର୍ ବଜାରରୁ ନିବେଶ ପ୍ରତ୍ୟାହାର କରି ପଳାୟନ କରିବା ଆରମ୍ଭ କରନ୍ତି, ସେତେବେଳେ ଡଲାର୍ର ବିନିମୟ ମୂଲ୍ୟରେ ଅନିବାର୍ଯ୍ୟ ଭାବରେ ବୃଦ୍ଧି ଘଟିଥାଏ ଓ ଟଙ୍କାକୁ ଧକ୍କା ଲାଗିଥାଏ। ବର୍ତ୍ତମାନ ତାହା ହିଁ ଘଟିଛି। ଏହି ପରିସ୍ଥିତିର ମୁକାବିଲା କରିବା ନିମିତ୍ତ କୃତ୍ରିମ ଭାବରେ ଟଙ୍କାର ବିନିମୟ ମୂଲ୍ୟରେ ସାମୟିକ ବୃଦ୍ଧି ହାସଲ କରିବା ପରିବର୍ତ୍ତେ, ନୀତି ନିର୍ଦ୍ଧାରକମାନେ ଅର୍ଥନୀତିର ସଂରଚନାକୁ ମଜଭୁତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ। ପ୍ରଥମ, ରପ୍ତାନି ବୃଦ୍ଧି ନିମିତ୍ତ ପରିବର୍ତ୍ତିତ ପରିସ୍ଥିତିରେ ନୂତନ ଉପାୟ ଅନୁସନ୍ଧାନ କରାଯିବା ଆବଶ୍ୟକ। ଦ୍ବିତୀୟ, ବିଦେଶୀ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ ଅର୍ଥନୈତିକ ସଂସ୍କାର ତ୍ବରାନ୍ବିତ କରାଯିବା ଆବଶ୍ୟକ। ତୃତୀୟ, ସୁଚିନ୍ତିତ ଆତ୍ମନିର୍ଭରତା ଅଭିଯାନ ମାଧ୍ୟମରେ ଆମଦାନି ପ୍ରତିସ୍ଥାପନ ଘଟାଇବା ଆବଶ୍ୟକ। ଭାରତ ବର୍ତ୍ତମାନ ମୋଟାମୋଟି ଭାବରେ ଏଇ ତ୍ରିବିଧ ପନ୍ଥା ଅନୁସରଣ କରୁଛି। ଏହା ଫଳବତୀ ହେବା ସମୟସାପେକ୍ଷ। ସେଇ ସମୟରେ ଟଙ୍କାର ନିମ୍ନ ଗତି କାହାରିକୁ ବିବ୍ରତ କରିବା ଉଚିତ ନୁହେଁ।
Follow Us