ବଙ୍ଗଳାର ବିଭାଜନ ସହିତ ସିରାଜଉଦ୍ଦୌଲାଙ୍କ ରାଜ୍ୟ ସିନା ଭାରତରେ ରହିଗଲା, କିନ୍ତୁ ୧୯୭୧ ପରବର୍ତ୍ତୀ ସେଠାକାର ରାଜନୈତିକ ଇତିହାସରୁ ମନେ ହୁଏ ଯେ ସତେ ଯେମିତି ବାଂଲାଦେଶ ମୀର ଜାଫରଙ୍କ ବଂଶଧରମାନଙ୍କ ଦ୍ବାରା ଭରପୂର; ଯେଉଁ ମୀର ଜାଫର ସିରାଜଉଦ୍ଦୌଲାଙ୍କ ପ୍ରିୟ ସେନାଧ୍ୟକ୍ଷ ହୋଇଥିଲେ ହେଁ ଚରମ ବିଶ୍ବାସଘାତକତା ପ୍ରଦର୍ଶନ କରି ପଲାସୀ ଯୁଦ୍ଧ କାଳରେ ସୈନ୍ୟ ଚାଳନା କରି ନ ଥିଲେ ଏବଂ ସିରାଜଙ୍କ ପରାଜୟ ଓ ମୃତ୍ୟୁର କାରଣ ହୋଇଥିଲେ! ତାଙ୍କ ଏଭଳି ବିଶ୍ବାସଘାତକତାର ପ୍ରତିବଦଳରେ ଇଷ୍ଟ ଇଣ୍ଡିଆ କଂପାନି ପକ୍ଷରୁ ତାଙ୍କୁ ବଙ୍ଗର ନୱାବ କରି ଦିଆଯାଇଥିଲା! ତେଣୁ ଏଭଳି ଆଲୋଚନା କାଳରେ କ୍ଷମତାଲୋଭୀ ବିଶ୍ବାସଘାତକ ମୀର ଜାଫର ପ୍ରସଙ୍ଗ ମନେ ପଡ଼େ।
Editorial: ଆତ୍ମ-ନିରୀକ୍ଷଣରେ ଅନ୍ଧତ୍ବ
ଗଲା ତିନି ଦିନ ଧରି ବାଂଲାଦେଶରେ ଯେଉଁଭଳି ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି, ତାହା ଅନେକାଂଶରେ ଗଲା ଜୁଲାଇ-ଅଗଷ୍ଟ ମାସରେ ସେଠାରେ ସଂଘଟିତ ହୋଇଥିବା ତୀବ୍ର ସଡ଼କ ବିଦ୍ରୋହକୁ ମନେ ପକାଇ ଦେଇଥାଏ, ଯାହା ଅବଲୀଳା କ୍ରମେ ସେଠାକାର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ କୌଣସିମତେ ପ୍ରାଣ ଧରି ପଳାୟନ କରିବାକୁ ବାଧ୍ୟ କରିଥିଲା। ତେବେ ପୂର୍ବର ଏବଂ ଏବର ଅରାଜକ ଓ ଭିଡ଼ତନ୍ତ୍ରୀ ପ୍ରତିବାଦ ମଧ୍ୟରେ ପ୍ରଭେଦଟି ହେଉଛି ପୂର୍ବଟି କ୍ଷମତାସୀନ ସରକାର ବିରୋଧରେ ହୋଇଥିବା ବେଳେ ବର୍ତ୍ତମାନ ତାହା ସୁନିର୍ଦ୍ଦିଷ୍ଟ ଭାବେ ଭାରତ ବିରୋଧରେ ହେଉଛି। ପ୍ରକାଶ ଥାଉ କି ମାତ୍ର ପାଞ୍ଚ ଦଶନ୍ଧି ତଳେ ସ୍ବାଧୀନ ବାଂଲାଦେଶକୁ ଅସ୍ତିତ୍ବ ପ୍ରଦାନ କରିବାରେ ଭାରତର ସାମରିକ ବାହିନୀ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିଲା, ଯହିଁରେ ପାକିସ୍ତାନ ସେନା ସହିତ ଯୁଦ୍ଧରେ ୩,୮୪୩ ଭାରତୀୟ ସୈନିକ ପ୍ରାଣବଳି ଦେଇଥିଲେ। ତେଣୁ, ଭାରତର ଏଭଳି ଚରମ ତ୍ୟାଗ ସତ୍ତ୍ବେ ସ୍ବାଧୀନ ବାଂଲାଦେଶରେ ଭାରତ ବିରୋଧୀ ଜନମତର ପ୍ରାବଲ୍ୟ ସ୍ବାଭାବିକ ଭାବେ ବିସ୍ମିତ କରିଥାଏ। ଏଭଳି ସ୍ଥଳେ ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ବିଶେଷ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଉଲ୍ଲେଖଯୋଗ୍ୟ ଯେ ୨୦୨୪ ମସିହା ଜୁଲାଇ-ଅଗଷ୍ଟ ମାସର ଜନ ବିଦ୍ରୋହ କାଳରେ ଆବିର୍ଭୂତ ହୋଇଥିବା ଛାତ୍ର ନେତା ଉସମାନ ହାଦୀଙ୍କୁ ଅଜ୍ଞାତ ଆତତାୟୀ ଗୁଳି କରି ହତ୍ୟା କରିବା ପରେ ବାଂଲାଦେଶରେ ପ୍ରବଳ ଜନ ଆକ୍ରୋଶ ସୃଷ୍ଟି ହୋଇ ଭାରତ ବିରୋଧୀ ମନୋଭାବ ପ୍ରଦର୍ଶିତ ହୋଇଛି, ଯହିଁରେ ଚଟ୍ଟଗ୍ରାମରେ ଅବସ୍ଥିତ ଭାରତୀୟ ଆସିଷ୍ଟାଣ୍ଟ ହାଇକମିସନରଙ୍କ ସରକାରୀ ବାସଭବନ ମଧ୍ୟ ଆକ୍ରମଣର ଶିକାର ହୋଇଛି। ଭାରତକୁ ସମର୍ଥନ କରୁଥିବା ଆରୋପରେ ବାଂଲାଦେଶର ଦୁଇଟି ସର୍ବାଧିକ ପ୍ରସାରିତ ଦୈନିକ ଖବର କାଗଜର ଦପ୍ତରକୁ ଜାଳି ଦିଆଯାଇଛି ଏବଂ ଏକ ଗୁଜବକୁ ବିଶ୍ବାସ କରି ଜନୈକ ବାଂଲାଦେଶୀ ହିନ୍ଦୁଙ୍କୁ ଉନ୍ମତ୍ତ ଭିଡ଼ ଅତି ନୃଶଂସ ଭାବେ ହତ୍ୟା କରିଛି। ଏଭଳି ତୀବ୍ର ଭାରତ ବିଦ୍ବେଷର କାରଣ ହେଲା, ବାଂଲାଦେଶରେ ସୃଷ୍ଟ ଧାରଣା ଯେ ହାଦୀଙ୍କ ହତ୍ୟା ପଛରେ ନିହିତ ଅଛି ଭାରତ ଆଶ୍ରିତ ଶେଖ ହସିନାଙ୍କ ଷଡ୍ଯନ୍ତ୍ର ଏବଂ ଆତତାୟୀମାନେ ଏବେ ଭାରତରେ ସୁରକ୍ଷିତ। ଏହା ସୁବିଦିତ ଯେ ଗଲା ଅଗଷ୍ଟ ମାସରେ ପଳାତକ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭାରତ ଦ୍ବାରା ରାଜନୈତିିକ ଶରଣ ପ୍ରଦାନ ଏବଂ ତାଙ୍କ ପ୍ରତ୍ୟର୍ପଣ ସକାଶେ ବାଂଲାଦେଶ ପକ୍ଷରୁ ବାରମ୍ବାର ଦାବି ସତ୍ତ୍ବେ ଭାରତର ନିସ୍ଫୃହତା ହେତୁ ସେଠାକାର କାମଚଳା ଅନ୍ତରୀଣ ସରକାର ସୁବ୍ୟବସ୍ଥିତ ଢଙ୍ଗରେ ଭାରତ ବିରୋଧୀ ବ୍ୟାଖ୍ୟାନ ସୃଷ୍ଟି କରିବାରେ ବ୍ୟାପୃତ, ଯାହାକୁ ଘନୀଭୂତ କରିବାରେ ଲାଗିଛି ପାକିସ୍ତାନ ଅନୁରକ୍ତ ଚରମ ମୌଳବାଦୀ ସଂଗଠନ ଜମାତ-ଏ-ଇସଲାମୀ।
Editorial: ଆତ୍ମ-ନିରୀକ୍ଷଣରେ ଅନ୍ଧତ୍ବ
ଇତିମଧ୍ୟରେ ସେଠାରେ କାଳ ଚକ୍ରର ଓଲଟ ଘୂର୍ଣ୍ଣନ ଘଟି ଯାଇଛି। ତାହା ହୋଇ ନ ଥିଲେ ବାଂଲାଦେଶର ସ୍ବାଧୀନତା ସଂଗ୍ରାମ ସମୟରେ ‘ରାଜାକର’ ବା ବିଶ୍ବାସଘାତକ (ପାକିସ୍ତାନ ସମର୍ଥକ) ଭାବେ ଅପନିନ୍ଦିତ ଜମାତ-ଏ-ଇସଲାମୀ ସଂପ୍ରତି ସେଠାରେ ମହାନାୟକ ହୋଇ ଯାଇ ନ ଥାଆନ୍ତା! କହିବା ଅନାବଶ୍ୟକ ଯେ ଏଭଳି ଭୂଚଳନସୁଲଭ ପରିବର୍ତ୍ତନ ଲାଗି ଦାୟୀ ଆୱାମୀ ଲିଗ୍ର ନେତ୍ରୀ ଶେଖ ହସିନାଙ୍କ ଶେଷ ଦେଢ଼ ଦଶନ୍ଧିର ଶାସନ; ଯହିଁରେ ତାଙ୍କ ଦ୍ବାରା ପ୍ରଦର୍ଶିତ ଘୋର ଏକଛତ୍ରବାଦୀମନସ୍କତା ଓ ଅଣସାଂବିଧାନିକ ଆଭିମୁଖ୍ୟ ତାଙ୍କୁ ଏଭଳି ଅପ୍ରିୟ କରିଛି ଯେ ସେ ବିତାଡ଼ିତ ହେବା ପରେ ତାଙ୍କ ପିତା ତଥା ବାଂଲାଦେଶର ଜନକ ଶେଖ ମୁଜିବୁର ରହମନଙ୍କ ସମସ୍ତ ସ୍ମୃତି ସ୍ମାରକୀ ଭୂଲୁଣ୍ଠିତ, ତାଙ୍କ ଦଳ ଆୱାମୀ ଲିଗ୍ ଅସ୍ପୃଶ୍ୟ ଓ ରାଜନୈତିକ ବାସନ୍ଦର ଶିକାର ଏବଂ ତାଙ୍କୁ ଆଶ୍ରୟ ପ୍ରଦାନ କରିଥିବା ଦେଶ ଭାରତ ଏକ ଶତ୍ରୁ ରାଷ୍ଟ୍ର। ତେବେ, େସ ଯାହା ହେଉ, ଏକ ପଡ଼ୋଶୀ ରାଷ୍ଟ୍ର ହୋଇଥିବା କାରଣରୁ ଯାହା ଭାରତ ସକାଶେ ଅଧିକ ବିଚଳତକର ହୋଇଥାଏ, ତାହା ହେଲା ସେଠାକାର କାମଚଳା ଅନ୍ତରୀଣ ସରକାରର ମସ୍ତିଷ୍କ ପକ୍ଷଘାତ, ଯେଉଁ କାରଣରୁ ଏବର ବାଂଲାଦେଶ ଦିଗହୀନ ଏବଂ ଭିଡ଼ତନ୍ତ୍ରର ଅଧୀନସ୍ଥ ରାଷ୍ଟ୍ର ଭଳି ମନେ ହେଉଛି।
ଗଲା ଗୁରୁବାର ଦିନ ଅନିୟନ୍ତ୍ରିତ ଭିଡ଼ ହିଂସାରେ ବାଂଲାଦେଶର ସର୍ବାଧିକ ପ୍ରସାରିତ ଓ ପଠିତ ବାଂଲା ଦୈନିକ ‘ପ୍ରଥମ ଆଲୋ’ର ଦପ୍ତରକୁ ଭସ୍ମୀଭୂତ କରି ଦେବାର ଉଦ୍ୟମ ହୋଇଛି। ଏହାର କାରଣ ହେଉଛି ତହିଁରେ ପ୍ରକାଶିତ ଏକ ସର୍ବେକ୍ଷଣ ରିପୋର୍ଟ, ଯାହା କହିଥାଏ ଯେ ଆସନ୍ତା ଫେବ୍ରୁଆରି ମାସରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଆୱାମୀ ଲିଗର ଅଂଶ ଗ୍ରହଣ ସପକ୍ଷରେ ୭୦% ବାଂଲାଦେଶୀ ନାଗରିକ ମତ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ କାମଚଳା ଅନ୍ତରୀଣ ସରକାରଙ୍କ ପକ୍ଷରୁ ଆୱାମୀ ଲିଗ ଉପରେ ନିଷେଧାଦେଶ ଜାରି କରାଯାଇଛି; ଯାହା ତା’ର ସାଂପ୍ରତିକ ଦୁରବସ୍ଥା ସତ୍ତ୍ବେ ବାଂଲାଦେଶର ବୃହତ୍ତମ ରାଜନୈତିକ ଦଳ। ଏଠାରେ ସ୍ମରଣଯୋଗ୍ୟ ଯେ ଶେଖ ହସିନାଙ୍କ ଏକଛତ୍ରବାଦ ଶାସନରେ ମଧ୍ୟ ମୁଖ୍ୟ ପ୍ରତିପକ୍ଷ ଦଳ ‘ବାଂଲାଦେଶ ନେସନାଲିଷ୍ଟ ପାର୍ଟି’ ବା ‘ବି.ଏନ.ପି.’ ଉପରେ ନିର୍ବାଚନରେ ଅଂଶ ଗ୍ରହଣ ପରିପ୍ରେକ୍ଷୀରେ ନିଷେଧାଦେଶ ଲାଗୁ କରାଯାଇଥିଲା; ଅର୍ଥାତ୍ ଶାନ୍ତି ଲାଗି ନୋବେଲ ପୁରସ୍କାର ବିଜେତା ଓ ପ୍ରଖ୍ୟାତ ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସଙ୍କ କାମଚଳା ସରକାରରେ ସକରାତ୍ମକ ସଂସ୍କାର ବଦଳରେ ପ୍ରତିଶୋଧର ରାଜନୀତି ଦୃଶ୍ୟମାନ ହେଉଛି। ଏହା ଏକ ବିଡ଼ମ୍ବନା। ବାଂଲାଦେଶର ଜନ୍ମ ପର ଠାରୁ କ୍ଷମତା ଲିପ୍ସା, ପ୍ରତିଶୋଧ ପରାୟଣତା ଏବଂ ବିଶ୍ବାସଘାତକତାର ଯେଉଁ ବୈତାଳିକ ନୃତ୍ୟ ସେଠାରେ ପ୍ରଦର୍ଶିତ ହୋଇଥିଲା, ମନେ ହେଉଛି ତାହା, ସାମାନ୍ୟ ବିରାମ ପରେ, ପୁନର୍ବାର ଆରମ୍ଭ ହେବାକୁ ଯାଉଛି।
ଏବେ ଚୁମ୍ବକରେ ସେହି ଇତିହାସର ଉପସ୍ଥାପନା। ୧୯୭୧ରେ ଶେଖ ମୁଜିବୁର ରହମନ ରାଷ୍ଟ୍ରପତି ହୁଅନ୍ତି। ତା’ର ଚାରି ବର୍ଷ ପରେ ଅର୍ଥାତ୍ ୧୯୭୫, ଅଗଷ୍ଟ ୧୫ରେ ଏକ ସାମରିକ ବିଦ୍ରୋହ ଜରିଆରେ ତାଙ୍କୁ ପ୍ରାୟ ସପରିବାର ହତ୍ୟା(ଶେଖ ହସିନା ଓ ତାଙ୍କ ଭଉଣୀଙ୍କୁ ଛାଡ଼ି) କରାଇ ରାଷ୍ଟ୍ରପତି ହୁଅନ୍ତି ଖଣ୍ଡାକର ମୁସ୍ତାକ ଅହମଦ, ମୁଜିବୁରଙ୍କ ପୁରୁଣା ବନ୍ଧୁ। ତାହାର ତିନି ମାସ ପରେ ଅର୍ଥାତ୍ ନଭେମ୍ବର ୩ରେ ଆଉ ଏକ ସାମରିକ ବିଦ୍ରୋହ ଏବଂ ଗାଦି ଅଧିକାର କରନ୍ତି ଖାଲେଦ ମୋସାରଫ। ଏହାର ତିନି ଦିନ ପରେ ପୁଣି ଏକ ସାମରିକ ବିଦ୍ରୋହ, ନିହତ ହୁଅନ୍ତି ମୋସାରଫ ଏବଂ ରାଷ୍ଟ୍ରପତି ହୁଅନ୍ତି ସେନାଧ୍ୟକ୍ଷ ଜିଆ ଉର ରହମନ। ଏହାର ଚାରି ବର୍ଷ ପରେ ଅର୍ଥାତ୍ ୧୯୮୧ରେ ଆଉ ଏକ ସାମରିକ ବିଦ୍ରୋହ, ଯାହା ବିଫଳ ହୁଏ ସତ, କିନ୍ତୁ ପ୍ରାଣ ହରାନ୍ତି ଜିଆ ଉର ରହମନ। ତା’ ପରେ ରାଷ୍ଟ୍ରପତି ହୁଅନ୍ତି ତତ୍କାଳୀନ ଉପ ରାଷ୍ଟ୍ରପତି ଅବଦୁସ ସତ୍ତାର। ଏହାର ବର୍ଷକ ପରେ ପୁନର୍ବାର ଏକ ସାମରିକ ବିଦ୍ରୋହ; ସତ୍ତରଙ୍କୁ ତଡ଼ି ରାଷ୍ଟ୍ରପତି ହୁଅନ୍ତି ସେନାମୁଖ୍ୟ ହୁସେନ ମହମଦ ଏରସାଦ। ୧୯୯୦ ମସିହାରେ ଗଣତନ୍ତ୍ର ପକ୍ଷବାଦୀ ଉନ୍ମତ୍ତ ଜନ ବିଦ୍ରୋହ ପରେ ଏରସାଦ ଇସ୍ତଫା ଦିଅନ୍ତି ଏବଂ ଏକ କାମଚଳା ସରକାର ଗାଦକିୁ ଆସେ। ୧୯୯୬ରେ ଆଉ ଏକ ସାମରିକ ବିଦ୍ରୋହ, ଯାହା ବିଫଳ ହୁଏ। ତୀବ୍ର ରାଜନୈତିକ ଅସ୍ଥିରତା ଓ ବ୍ୟାପକ ହିଂସା ମଧ୍ୟରେ ୨୦୦୭ ମସିହାରେ ପୁଣି ଏକ ସାମରିକ ବିଦ୍ରୋହ ପରେ ମିଲିଟାରି ସମର୍ଥିତ କାମଚଳା ସରକାରର ମୁଖ୍ୟ ହୁଅନ୍ତି ଫକିରୁଦ୍ଦିନ ଅହମଦ। ୨୦୧୧ ମସିହାରେ ପୁଣି ଏକ ସାମରିକ ବିଦ୍ରୋହ ବିଫଳ ହୁଏ, ଯହିଁରେ କେତେକ ଅବସରପ୍ରାପ୍ତ ସେନାଧିକାରୀ କ୍ଷମତା ଅକ୍ତିଆର କରି ଇସଲାମୀୟ ଶାସନ ପ୍ରତିଷ୍ଠା କରିବାକୁ ବାହାରି ଥାଆନ୍ତି। ଏ ସବୁ ଉଲ୍ଲେଖ କରିବାର ତାତ୍ପର୍ଯ୍ୟ ହେଲା ବାଂଲାଦେଶର ରାଜନୈତିକ ତାରଲ୍ୟ ଦୃଷ୍ଟିରୁ ବିଚାର କରି ହୃଦୟଙ୍ଗମ କରିବା ଯେ ଏକଦା ସେ ଦେଶର ତ୍ରାଣକର୍ତ୍ତା ରୂପେ ବିବେଚିତ ଭାରତ ତା’ର ସର୍ବକାଳୀନ ମିତ୍ର ହୋଇ ରହି ପାରିବାର ଆଶା ଅମୂଳକ।
ନିହତ ଛାତ୍ରନେତା ଉସମାନ ହାଦୀ ଥିଲେ ଜଣେ ମୌଳବାଦୀ ଓ ଚରମ ଭାରତ ବିଦ୍ବେଷୀ। ତାଙ୍କ ଦ୍ବାରା ଅଙ୍କିତ ବୃହତ୍ତର ବାଂଲାଦେଶ ମାନଚିତ୍ରରେ ୧୭୩୩-୫୭ ମସିହାର ବଙ୍ଗ ନୱାବ ସିରାଜଉଦ୍ଦୌଲାଙ୍କ ବଙ୍ଗ ପ୍ରଦେଶ ଅନ୍ତର୍ଭୁକ୍ତ ହୋଇ ଭାରତରେ ତୀବ୍ର ପ୍ରତିବାଦ ସୃଷ୍ଟି କରିଥିଲା। ବଙ୍ଗଳାର ବିଭାଜନ ସହିତ ସିରାଜଉଦ୍ଦୌଲାଙ୍କ ରାଜ୍ୟ ସିନା ଭାରତରେ ରହିଗଲା, କିନ୍ତୁ ୧୯୭୧ ପରବର୍ତ୍ତୀ ସେଠାକାର ରାଜନୈତିକ ଇତିହାସରୁ ମନେ ହୁଏ ଯେ ସତେ ଯେମିତି ବାଂଲାଦେଶ ମୀର ଜାଫରଙ୍କ ବଂଶଧରମାନଙ୍କ ଦ୍ବାରା ଭରପୂର; ଯେଉଁ ମୀର ଜାଫର ସିରାଜଉଦ୍ଦୌଲାଙ୍କ ପ୍ରିୟ ସେନାଧ୍ୟକ୍ଷ ହୋଇଥିଲେ ହେଁ ଚରମ ବିଶ୍ବାସଘାତକତା ପ୍ରଦର୍ଶନ କରି ପଲାସୀ ଯୁଦ୍ଧ କାଳରେ ସୈନ୍ୟ ଚାଳନା କରି ନ ଥିଲେ ଏବଂ ସିରାଜଙ୍କ ପରାଜୟ ଓ ମୃତ୍ୟୁର କାରଣ ହୋଇଥିଲେ! ତାଙ୍କ ଏଭଳି ବିଶ୍ବାସଘାତକତାର ପ୍ରତିବଦଳରେ ଇଷ୍ଟ ଇଣ୍ଡିଆ କଂପାନି ପକ୍ଷରୁ ତାଙ୍କୁ ବଙ୍ଗର ନୱାବ କରି ଦିଆଯାଇଥିଲା! ତେଣୁ ଏଭଳି ଆଲୋଚନା କାଳରେ କ୍ଷମତାଲୋଭୀ ବିଶ୍ବାସଘାତକ ମୀର ଜାଫର ପ୍ରସଙ୍ଗ ମନେ ପଡ଼େ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)