ଡୁବନ କୁଣ୍ଠା

Advertisment

ଉଲ୍ଲେଖଯୋଗ୍ୟ ଯେ ‘ଆଇ.ଆଇ.ଟି.’ ଓ ‘ଆଇ.ଆଇ.ଏସ.’ ସହିତ ସଂଶ୍ଳିଷ୍ଟ ଅତି ଉର୍ବର ଭାରତୀୟ ମସ୍ତିଷ୍କମାନ ଉପରୋକ୍ତ ‘ଡିପ୍‌ ଟେକ୍‌’ ‌ଷ୍ଟାର୍ଟଅପଗୁଡ଼ିକୁ ନେଇ ସ୍ବପ୍ନାଭିଳାଷୀ ହୋଇଥିବା ବେଳେ ରାଷ୍ଟ୍ର ପକ୍ଷରୁ ଜାତୀୟ ଅାୟ ବା ‘ଜି.ଡି.ପି.’ର ମାତ୍ର ୦.୭% ସେମାନଙ୍କୁ ଉପଲବ୍‌ଧ...

ଉଲ୍ଲେଖଯୋଗ୍ୟ ଯେ ‘ଆଇ.ଆଇ.ଟି.’ ଓ ‘ଆଇ.ଆଇ.ଏସ.’ ସହିତ ସଂଶ୍ଳିଷ୍ଟ ଅତି ଉର୍ବର ଭାରତୀୟ ମସ୍ତିଷ୍କମାନ ଉପରୋକ୍ତ ‘ଡିପ୍‌ ଟେକ୍‌’ ‌ଷ୍ଟାର୍ଟଅପଗୁଡ଼ିକୁ ନେଇ ସ୍ବପ୍ନାଭିଳାଷୀ ହୋଇଥିବା ବେଳେ ରାଷ୍ଟ୍ର ପକ୍ଷରୁ ଜାତୀୟ ଅାୟ ବା ‘ଜି.ଡି.ପି.’ର ମାତ୍ର ୦.୭% ସେମାନଙ୍କୁ ଉପଲବ୍‌ଧ...

samp1

ଉଲ୍ଲେଖଯୋଗ୍ୟ ଯେ ‘ଆଇ.ଆଇ.ଟି.’ ଓ ‘ଆଇ.ଆଇ.ଏସ.’ ସହିତ ସଂଶ୍ଳିଷ୍ଟ ଅତି ଉର୍ବର ଭାରତୀୟ ମସ୍ତିଷ୍କମାନ ଉପରୋକ୍ତ ‘ଡିପ୍‌ ଟେକ୍‌’ ‌ଷ୍ଟାର୍ଟଅପଗୁଡ଼ିକୁ ନେଇ ସ୍ବପ୍ନାଭିଳାଷୀ ହୋଇଥିବା ବେଳେ ରାଷ୍ଟ୍ର ପକ୍ଷରୁ ଜାତୀୟ ଅାୟ ବା ‘ଜି.ଡି.ପି.’ର ମାତ୍ର ୦.୭% ସେମାନଙ୍କୁ ଉପଲବ୍‌ଧ ହୋଇଥାଏ, ଯେତେବେଳେ କି ଚୀନ ତା’ର ଅତିକାୟ ଜି.ଡି.ପି.ର ୨.୭% ଏଭଳି ଷ୍ଟାର୍ଟଅପକୁ ଦେଇଥାଏ। ‘ବିଜନେସ ଲାଇନ’ ସମ୍ବାଦପତ୍ର ଦ୍ବାରା ପ୍ରଦତ୍ତ ତଥ୍ୟ କହିଥାଏ ଯେ ୨୦୧୪ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ଏକ ଦଶନ୍ଧି ମଧ୍ୟରେ ‘ଡିପ୍‌ ଟେକ୍‌’ ଷ୍ଟାର୍ଟଅପଗୁଡ଼ିକ ସମ୍ମିଳିତ ଭାବେ ଯେତିକି ପୁଞ୍ଜି ଲାଭ କରିଛନ୍ତି, ସେହି ସମୟ ମଧ୍ୟରେ ସମ ପରିମାଣର ପୁଞ୍ଜି ଏକାକୀ ଜମାଟୋ ଲାଭ କରିଛି।

ଭାରତୀୟମାନଙ୍କ ମନ ଅଙ୍ଗନକୁ କବଳିତ କରି ରଖିବା ଉଦ୍ୟମରେ ଗଲା କିଛି ଦିନ ଧରି ଦୃଶ୍ୟ-ଶ୍ରାବ୍ୟ ଗଣମାଧ୍ୟମ(ଉଭୟ ସାମାଜିକ ଗଣମାଧ୍ୟମ ଓ ଟେଲିଭିଜନ ନ୍ୟୁଜ ଚ୍ୟାନେଲ)ଗୁଡ଼ିକ ଯେଉଁ ଖବରକୁ ଅହୋରାତ୍ର ଦେଖାଇ ଚାଲିଛନ୍ତି, ତାହା ରାଜା ରଘୁବଂଶୀଙ୍କ ହତ୍ୟା ମାମଲାକୁ କେନ୍ଦ୍ର କରି, ଯହିଁରେ ତାଙ୍କ ନବ ବିବାହିତା ପତ୍ନୀ ସୋନମ, ତା’ ପ୍ରେମିକ ରାଜ ଖୁସୱା ଏବଂ ଚାରି ଜଣ ‘ସୁପାରି କିଲର’ ସଂପୃକ୍ତ ବୋଲି ଅଭିଯୋଗ ହୋଇଥାଏ। ପ୍ରକାଶ ଥାଉ କି ଏ ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ହାଜତରେ ଏବଂ ଘଟଣାଟି ଅଧିକ ଅନୁସନ୍ଧାନ, ଯଥୋଚିତ ପୁଲିସ କାର୍ଯ୍ୟାନୁଷ୍ଠାନ ଓ ପରିଶେଷରେ ନ୍ୟାୟିକ ବିଚାରର ଅପେକ୍ଷାରେ। ହୁଏତ ମନେ ହୋଇପାରେ ଯେ ବିଷୟଟିର ‘ସମ୍ବାଦ-ଯୋଗ୍ୟତା’ର ଅନ୍ତ ଏହିଠାରେ ଘଟିଲା ଏବଂ ଶିରୋନାମାରୁ ଅପସରି ଯାଇ ଏହା ଅନ୍ୟାନ୍ୟ ମହତ୍ତ୍ବପୂର୍ଣ୍ଣ ଖବର ସକାଶେ ପଥ ଉନ୍ମୋଚନ କରିବ। କିନ୍ତୁ, ପ୍ରତିଦିନ ନୂଆ ସି.ସି. କ୍ୟାମେରା ଫୁଟେଜ, ନୂଆ ପରିଚିତଙ୍କ ‘ବାଇଟ୍‌’ ସହିତ ଅନ୍ୟାନ୍ୟ ଅନେକ ସୂତ୍ରର ଆବିଷ୍କାର ସହିତ ରୋମାଞ୍ଚକୁ ବଳବତ୍ତର ରଖିବାର ପ୍ରୟାସ ଚାଲିଛି, ଯାହା ଆଉ କିଛି ଦିନ ପର୍ଯ୍ୟନ୍ତ, ଅନ୍ତତଃ ଆଉ ଗୋଟିଏ ଏଭଳି ଜାନ୍ତବ ରୋମାଞ୍ଚ ପ୍ରଦାନକାରୀ ଘଟଣାଟିଏର ଆବିର୍ଭାବ ନ ଘଟିଲା ପର୍ଯ୍ୟନ୍ତ ଚାଲିବ! ଟେଲିଭିଜନ ନ୍ୟୁଜ ଚ୍ୟାନେଲଗୁଡ଼ିକ ଦ୍ବାରା ପ୍ରଦତ୍ତ ଯୁକ୍ତି ହେଲା ଦର୍ଶକଙ୍କ ଚାହିଦା ହିଁ ସେମାନଙ୍କ କାର୍ଯ୍ୟକ୍ରମ ପ୍ରସ୍ତୁତିକୁ ଦିଗ ପ୍ରଦାନ କରିଥାଏ, ଯାହା ହେଉଛି ‘ଟିଆର୍‌ପି’ ସ୍କୋର। କିନ୍ତୁ ଏଭଳି ସ୍ଥଳେ ଏକ ସ୍ବାଭାବିକ ପ୍ରଶ୍ନ ହେଲା ଏହା ଯେ ଆମମାନଙ୍କ ଶରୀର ଭଳି ମନ ମଧ୍ୟ କ’ଣ ତା’କୁ ମୁହୁର୍ମୁହୁ ପରଷା ଯାଉଥିବା ‘ଫାଷ୍ଟ ଫୁଡ୍‌’ ଜାତୀୟ ଖାଦ୍ୟରେ ଅଭ୍ୟସ୍ତ ହୋଇ ସାରିଲାଣି?
ରାଜା ରଘୁବଂଶୀ ହତ୍ୟାକାଣ୍ଡ ଘଟି ନ ଥିଲେ ଯେଉଁ ମହତ୍ତ୍ବପୂର୍ଣ୍ଣ ବିଷୟମାନ ଏହି ଗଲା ଦୁଇ ତିନି ଦିନ ମଧ୍ୟରେ ଆଲୋଚନାର ପରିସରକୁ ଅଧିକାର କରି ରଖିଥାଆନ୍ତା, ସେଗୁଡ଼ିକ ହେଲେ ସର୍ବଦଳୀୟ ଭାରତୀୟ ପ୍ରତିନିଧି ମଣ୍ଡଳୀଗୁଡ଼ିକର ସ୍ବଦେଶ ପ୍ରତ୍ୟାବର୍ତ୍ତନ ପରେ ପ୍ରଧାନମନ୍ତ୍ରୀଙ୍କ ସହିତ ଆନୁଷ୍ଠାନିକ ସାକ୍ଷାତ କାର୍ଯ୍ୟକ୍ରମ ବା ସୁପ୍ରିମ୍‌ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ନେଇ ପାଟନା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରାକେଶ କୁମାରଙ୍କ ଏକ ପତ୍ର ପାଇବା ପରେ ରାଷ୍ଟ୍ରପତିଙ୍କ ଦ୍ବାରା ଏ ସଂକ୍ରାନ୍ତ ତଦନ୍ତ ଲାଗି ଆଦେଶ ବା ଯୁକ୍ତରାଷ୍ଟ୍ର ଆମେରିକାରେ ହାତକଡ଼ି ପଡ଼ିଥିବା ଜଣେ ଅସହାୟ ଭାରତୀୟ ଛାତ୍ରଙ୍କୁ ଭୂମି ଉପ‌ରେ ମାଡ଼ି ବସି ପୁଲିସ କରୁଥିବା ଜୁଲମ ଇତ୍ୟାଦି! ପ୍ରକାଶ ଥାଉ କି ସାମାଜିକ କର୍ମୀ ତିସ୍ତା ଶୀତଲବାଡ଼ଙ୍କ ଜାମିନ ଆବେଦନର ଶୁଣାଣି ସକାଶେ ଅଦାଲତର ଅବକାଶ କାଳରେ ଚନ୍ଦ୍ରଚୂଡ଼ଙ୍କ ଦ୍ବାରା ଗୋଟିଏ ଦିନରେ ଦୁଇଟି ସାଂବିଧାନିକ ଖଣ୍ଡପୀଠର ଗଠନ କରାଯାଇଥିଲା ଏବଂ ପ୍ରଥମ ଖଣ୍ଡପୀଠ ଦ୍ବାରା ଆବେଦନ ଅଗ୍ରାହ୍ୟ ହେବା ପରେ ଦ୍ବିତୀୟ ଖଣ୍ଡପୀଠରେ ତାହା ସ୍ବୀକୃତି ଲାଭ କରିଥିଲା। ରକେଶ କୁମାରଙ୍କ ଅଭିଯୋଗ ଅନୁସାରେ ଏଥିରୁ ଦୁର୍ନୀତିର ଇଙ୍ଗିତ ମିଳିଥାଏ। ଏହି ବିଷୟ ଏଥି ଲାଗି ଗୁରୁତ୍ବପୂର୍ଣ୍ଣ ଯେ ସ୍ବାଧୀନତୋତ୍ତର ଭାରତର ଇତିହାସରେ ସର୍ବୋଚ୍ଚ ଅଦାଲତର ଜଣେ ପୂର୍ବତନ ପ୍ରଧାନ ବିଚାରପତିଙ୍କ ବିରୋଧରେ ଏଭଳି ତଦନ୍ତର ଦୃଷ୍ଟାନ୍ତ ପୂର୍ବରୁ ନାହିଁ! କହିବା ଅନାବଶ୍ୟକ ଯେ ନ୍ୟାୟପାଳିକାରେ ଦୁର୍ନୀତିର ସନ୍ଦେହ ବ୍ୟତୀତ ଏହି ସଂଦର୍ଭରେ ଆଉ ଏକ ବିତର୍କିତ ପ୍ରଶ୍ନ ହେଲା ନ୍ୟାୟପାଳିକାକୁ ଭୟ ପ୍ରଦର୍ଶନ କରି ଅନୁଗତ ହେବାକୁ ବାଧ୍ୟ କରିବା ସକାଶେ ଆଇନ ପ୍ରଣୟନକର୍ତ୍ତା ବା ସରକାରଙ୍କ ଏହା ଏକ ଉଦ୍ୟମ ନୁହେଁ ତ? ସେହି ଭଳି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀର ଅଭିଜ୍ଞତା ବା ଟ୍ରଂପ୍‌ ସରକାରଙ୍କ ଅଧୀନସ୍ଥ ଆ‌ମେରିକାରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପରିସ୍ଥିତି ଇତ୍ୟାଦି ଭଳି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ବିଭିନ୍ନ ଦିଗରୁ ଅଧିକ ବ୍ୟାପକ ଚର୍ଚ୍ଚା ସକାଶେ ସୁଯୋଗ ସୃଷ୍ଟି କରାଯାଇ ପାରନ୍ତା, ଯଦି ଭାରତର ଜନସାଧାରଣଙ୍କୁ ଶୀଘ୍ର ପ୍ରଭାବିତ କରିପାରୁଥିବା ଦୃଶ୍ୟ-ଶ୍ରାବ୍ୟ ଗଣମାଧ୍ୟମର ଧ୍ୟାନ ଆକର୍ଷଣକାରୀ ଆଲୋକ ଏ ସବୁ ବିଷୟ ଉପରେ ଅଧିକ ସମୟ ଧରି ପଡ଼ନ୍ତା!
ଏଭଳି ଆଲୋଚନା ପରିପ୍ରେକ୍ଷୀରେ ଭାରତୀୟ ଷ୍ଟାର୍ଟଅପଗୁଡ଼ିକ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିବା କେନ୍ଦ୍ର ଶିଳ୍ପ ଓ ଯୋଗାଣ ମନ୍ତ୍ରୀ ପୀୟୁଷ ଗୋୟଲ ସ୍ମରଣକୁ ଆସନ୍ତି, ଯାହାଙ୍କ କ୍ଷୋଭର କାରଣ ଥିଲା ଏହା ଯେ ଚୀନର ଷ୍ଟାର୍ଟଅପଗୁଡ଼ିକ ‘କୃତ୍ରିମ ବୁଦ୍ଧିମତ୍ତା’ (ଏ.ଆଇ.) ବା ‘କ୍ବାଣ୍ଟମ କଂପ୍ୟୁଟିଙ୍ଗ’ ଭଳି ଭବିଷ୍ୟତ ନିର୍ଦ୍ଧାରଣକାରୀ ଉଦ୍ୟମରେ ବ୍ୟାପୃତ ଥିବା ବେଳେ ଅଜସ୍ର ପୁଞ୍ଜି ଯୋଗାଣର ଅଧିକାରୀ ଭାରତୀୟ ଷ୍ଟାର୍ଟଅପଗୁଡ଼ିକ କେବଳ ଦଶ ମିନିଟ୍‌ରେ ଖାଦ୍ୟ ‘ଡେଲିଭରି’ କରିବାର ନିଜକୁ ସୀମିତ ରଖିଛନ୍ତି। କହିବା ବାହୁଲ୍ୟ, ଏଭଳି ଏକ ଆକ୍ଷେପ ‘ଜମାଟୋ’ ବା ସେହିଭଳି ଷ୍ଟାର୍ଟଅପଗୁଡ଼ିକ ଲାଗି ଉଦ୍ଦିଷ୍ଟ ଥିଲେ ମଧ୍ୟ ଯେଉଁମାନେ ଏହା ଦ୍ବାରା ଅଧିକ ଆହତ ହୋଇଥିବେ, ସେଗୁଡ଼ିକ ହେଲେ ଦେଶର ଭବିଷ୍ୟତ୍‌ ପରିବର୍ତ୍ତନ କରିବାରେ ବ୍ରତୀ ଅଥଚ ଅପରିଚିତିର ଅନ୍ଧକାର ମଧ୍ୟରେ ସଂଘର୍ଷଶୀଳ ଅନେକ ଅତୁଳନୀୟ ଷ୍ଟାର୍ଟଅପ; ଯେମିତି ‘ଅଗ୍ନିକୁଳ କସମସ’, ଯାହା ‘ଥ୍ରୀ-ଡି ପ୍ରିଣ୍ଟିଂ’ ପ୍ରଯୁକ୍ତି ବ୍ୟବହାର କରି ଶସ୍ତା ରକେଟ୍‌ ନିର୍ମାଣରେ ଉଦ୍ୟମଶୀଳ, ଯାହା ଦ୍ବାରା କମ୍‌ ଖର୍ଚ୍ଚରେ କ୍ଷୁଦ୍ର ଉପଗ୍ରହଗୁଡ଼ିକୁ ଅନ୍ତରୀକ୍ଷରେ ସ୍ଥାପନ କରାଯିବା ସମ୍ଭବ। ପ୍ରକାଶ ଥାଉ କି ଏହି ଅନୁଷ୍ଠାନ ପକ୍ଷରୁ ଶ୍ରୀହରିକୋଟାରୁ ଏକ ରକେଟର ସଫଳ ପରୀକ୍ଷାମୂଳକ ଉତ୍‌କ୍ଷେପଣ ହୋଇସାରିଛି; ବା ‘ଭେକ୍‌ଟର ଟେକନିକ୍‌ସ’ ଯାହା ସାମରିକ ଡ୍ରୋନରେ ବ୍ୟବହୃତ ହେଉଥିବା ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶ ନିର୍ମାଣ କରି ଡ୍ରୋନ ଉତ୍ପାଦନରେ ଭାରତକୁ ସ୍ବାବଲମ୍ବୀ କରିବାକୁ ଅଙ୍ଗୀକାରବଦ୍ଧ; ଅଥବା ‘ମାଇଣ୍ଡଗ୍ରୋଭ’ ଯାହା ସୁଲଭ ମୂଲ୍ୟରେ ଉନ୍ନତ ମାନର ସେମିକଣ୍ଡକ୍‌ଟର ପ୍ରସ୍ତୁତ କରି ଚୀନର ପ୍ରଭାବକୁ ପ୍ରତିହତ କରିବାକୁ ଚାହିଁଥାଏ; ଅଥବା ‘ଅଣୁବଳ ଫ୍ୟୁଜନ’, ଯାହା ଏ ଯାବତ୍‌ ସମ୍ଭବ ହୋଇ ନ ଥିବା ‘ନ୍ୟୁକ୍ଲିଅର ଫ୍ୟୁଜନ’ ମାଧ୍ୟମରେ ଶକ୍ତିର ସ୍ରୋତ ସୃଷ୍ଟି କରିବା ଦିଗରେ ଗଭୀର ଗବେଷଣାରତ। ଏହା କେବଳ କିଛି ମୁଷ୍ଟିମେୟ ଦୃଷ୍ଟାନ୍ତ ମାତ୍ର, ଏଭଳି ଅନେକ ଷ୍ଟାର୍ଟଅପ ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଓ ଯୁଗ ପ୍ରବର୍ତ୍ତନକାରୀ ପ୍ରୟାସରେ ନିମଗ୍ନ, କିନ୍ତୁ ଦୁର୍ଭାଗ୍ୟର ବିଷୟ ତହିଁରୁ ଅନେକ ଆବଶ୍ୟକ ପୁଞ୍ଜି ଅଭାବରୁ ମୁମୂର୍ଷୁପ୍ରାୟ, ଏପରିକି ମୃତ ମଧ୍ୟ। ଏହାର ଏକମାତ୍ର କାରଣ ଏମାନଙ୍କ ଉପରେ ଧ୍ୟାନ ଆକର୍ଷଣକାରୀ ଆଲୋକ ପଡ଼ି ନ ଥାଏ, ଯାହା ପୁଞ୍ଜି ବା ପ୍ରୋତ୍ସାହନ ଆକର୍ଷଣ କରିବା ଲାଗି ଜରୁରି। ଉଲ୍ଲେଖଯୋଗ୍ୟ ଯେ ‘ଆଇ.ଆଇ.ଟି.’ ଓ ‘ଆଇ.ଆଇ.ଏସ.’ ସହିତ ସଂଶ୍ଳିଷ୍ଟ ଅତି ଉର୍ବର ଭାରତୀୟ ମସ୍ତିଷ୍କମାନ ଉପରୋକ୍ତ ‘ଡିପ୍‌ ଟେକ୍‌’ ‌ଷ୍ଟାର୍ଟଅପଗୁଡ଼ିକୁ ନେଇ ସ୍ବପ୍ନାଭିଳାଷୀ ହୋଇଥିବା ବେଳେ ରାଷ୍ଟ୍ର ପକ୍ଷରୁ ଜାତୀୟ ଅାୟ ବା ‘ଜି.ଡି.ପି.’ର ମାତ୍ର ୦.୭% ସେମାନଙ୍କୁ ଉପଲବ୍‌ଧ ହୋଇଥାଏ, ଯେତେବେଳେ କି ଚୀନ ତା’ର ଅତିକାୟ ଜି.ଡି.ପି.ର ୨.୭% ଏଭଳି ଷ୍ଟାର୍ଟଅପକୁ ଦେଇଥାଏ। ‘ବିଜନେସ ଲାଇନ’ ସମ୍ବାଦପତ୍ର ଦ୍ବାରା ପ୍ରଦତ୍ତ ତଥ୍ୟ କହିଥାଏ ଯେ ୨୦୧୪ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ଏକ ଦଶନ୍ଧି ମଧ୍ୟରେ ‘ଡିପ୍‌ ଟେକ୍‌’ ଷ୍ଟାର୍ଟଅପଗୁଡ଼ିକ ସମ୍ମିଳିତ ଭାବେ ଯେତିକି ପୁଞ୍ଜି ଲାଭ କରିଛନ୍ତି, ସେହି ସମୟ ମଧ୍ୟରେ ସମ ପରିମାଣର ପୁଞ୍ଜି ଏକାକୀ ଜମାଟୋ ଲାଭ କରିଛି। 
ପ୍ରକାଶ ଥାଉ କି ‘ମୁସକାନ’ ବା ‘ପ୍ରଗତି’ ନାମଧାରିଣୀ ଦୁଇ ମହିଳା ଗଲା ମାର୍ଚ୍ଚ ଓ ଏପ୍ରିଲ ମାସରେ ଦୃଶ୍ୟ-ଶ୍ରାବ୍ୟ ଗଣମାଧ୍ୟମର ପରିସରକୁ ଅନେକ କାଳ ଧରି ଅଧିକାର କରି ରଖିଥିଲେ, ଯେଉଁ ଦୁଇ ଜଣ ମଧ୍ୟ ଏବର ସୋନମ ଭଳି ନିଜ ନିଜ ପ୍ରେମିକମାନଙ୍କ ସହିତ ଷଡ୍‌ଯନ୍ତ୍ର କରି ପତି ହତ୍ୟା କରିଥିଲେ। କହିବା ଅନାବଶ୍ୟକ ଯେ ଅନାୟାସରେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିବା ଲାଗି ଏଭଳି ଚାଞ୍ଚଲ୍ୟକର ସହଜ ଲଭ୍ୟ ସମ୍ବାଦମାନ ହିଁ ଉପଯୁକ୍ତ ହୋଇଥାଆନ୍ତି। କିନ୍ତୁ ଜେନ୍‌ ବୌଦ୍ଧ ଗୁରୁମାନଙ୍କ ଉପଦେଶ ଅନୁସାରେ ପ୍ରକୃତ ରତ୍ନ ପାଇବାକୁ ହେଲେ ମହୋଦଧିର ଗଭୀରତା ମଧ୍ୟକୁ ବୁଡ଼ିବାକୁ ହୋଇଥାଏ। ଏବର ବିଡ଼ମ୍ବତ ଅସଂଗତିଟି ହେଲା ଦୃଶ୍ୟ-ଶ୍ରାବ୍ୟ ଗଣମାଧ୍ୟମଗୁଡ଼ିକ ‘ସ୍କୁବା ଡାଇଭର’ଙ୍କ ସୁଲଭ ଦକ୍ଷ ବୁଡ଼ାଳି ହୋଇଥିଲେ ହେଁ ଡୁବନ କୁଣ୍ଠିତ ଏବଂ ବେଳାଭୂମିରେ ଛିଡ଼ା ହୋଇ ଫେନିଳ ତରଙ୍ଗର ଦୃଶ୍ୟରେ ଆତ୍ମହରା ହେବାରେ ଲୀନ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe