editorial: ଜିହାଦୀ ଡାକ୍ତର!

ଜିହାଦୀ ହେବାର ଆକର୍ଷଣ କ’ଣ ବୋଲି ହାସାନ ସେ ଯୁବକକୁ ପ୍ରଶ୍ନ କଲାରୁ ସେ ଉତ୍ତର ଦେଲା: ‘‘ଆଧ୍ୟାତ୍ମିକ ଶକ୍ତି ଆମକୁ ଉପରକୁ ଭିଡ଼ିଥାଏ, ଯେତେବେଳେ ପାର୍ଥିବ ଶକ୍ତି ଆମକୁ ତଳକୁ ଭିଡ଼ିଥାଏ। ଯିଏ ଜିହାଦୀ ହେବାକୁ ନିଷ୍ପତ୍ତି ନେଇଥାଏ ସିଏ ପାର୍ଥିବ ଆକର୍ଷଣ ପ୍ରତି ସଂପୂର୍ଣ୍ଣ ନିର୍ବିକାର ହୋଇଥାଏ।

samp1

ଜିହାଦୀ ହେବାର ଆକର୍ଷଣ କ’ଣ ବୋଲି ହାସାନ ସେ ଯୁବକକୁ ପ୍ରଶ୍ନ କଲାରୁ ସେ ଉତ୍ତର ଦେଲା: ‘‘ଆଧ୍ୟାତ୍ମିକ ଶକ୍ତି ଆମକୁ ଉପରକୁ ଭିଡ଼ିଥାଏ, ଯେତେବେଳେ ପାର୍ଥିବ ଶକ୍ତି ଆମକୁ ତଳକୁ ଭିଡ଼ିଥାଏ। ଯିଏ ଜିହାଦୀ ହେବାକୁ ନିଷ୍ପତ୍ତି ନେଇଥାଏ ସିଏ ପାର୍ଥିବ ଆକର୍ଷଣ ପ୍ରତି ସଂପୂର୍ଣ୍ଣ ନିର୍ବିକାର ହୋଇଥାଏ। ...ଆମେ ଯେଉଁ ଶପଥ ନେଇଥାଉ ତାହା ସ୍ବର୍ଗର ଉଦ୍ୟାନ ‘ବେତ୍ ଆଲ୍-ରିଦ୍ବାନ୍’ ନାମରେ ନାମିତ ହୋଇଥାଏ, ଯେଉଁ ଉଦ୍ୟାନ ହେଉଛି କେବଳ ଦେବଦୂତ ଓ ଜିହାଦୀମାନଙ୍କ ପାଇଁ ସଂରକ୍ଷିତ। ଜିହାଦ ସମୟରେ ମୃତ୍ୟୁ ମଶା କାମୁଡ଼ା ଠାରୁ ମଧ୍ୟ କମ୍ କଷ୍ଟଦାୟକ ହୋଇଥାଏ।’’

ଏହା ଲେଖା ହେବା ବେଳକୁ ପ୍ରକାଶିତ ସୂଚନା ଅନୁସାରେ ଦିଲ୍ଲୀର ଲାଲକିଲ୍ଲା ଠାରେ ସୋମବାର ସନ୍ଧ୍ୟାରେ ଘଟିଥିବା ଭୟାନକ କାର୍ ବୋମା ବିସ୍ଫୋରଣର ଇସଲାମୀୟ ଆତଙ୍କବାଦ ସହିତ ସଂପର୍କ ସ୍ପଷ୍ଟ ହୋଇସାରିଛି। ନିର୍ଦ୍ଦିଷ୍ଟ ଭାବରେ ଅନୁସନ୍ଧାନକାରୀମାନେ ନିକଟରେ ଫରିଦାବାଦ ଠାରେ ଧରାପଡ଼ିଥିବା ଏକ ଆତଙ୍କବାଦୀ ଗୋଷ୍ଠୀର ଜଣେ ପଳାୟମାନ ସଦସ୍ୟ ଏହି ଆକ୍ରମଣ ରଚନା କରିଥିବା ଜାଣିବାକୁ ପାଇଛନ୍ତି ବୋଲି ପ୍ରକାଶ ପାଇଛି। ଏହି ଫରିଦାବାଦ ଆତଙ୍କବାଦୀ ଗୋଷ୍ଠୀ ଠାରୁ ପୁଲିସ ୨,୯୦୦ କିଲୋଗ୍ରାମ ବିଶାଳ ପରିମାଣର ବିସ୍ଫୋରକ ପଦାର୍ଥ ଜବତ କରିଥିଲା। ଏହି ଗୋଷ୍ଠୀର ଅନ୍ୟତମ ସଦସ୍ୟ ଡାକ୍ତର ମହମ୍ମଦ ଉମର୍ ନବି କିନ୍ତୁ ସେ ସମୟରେ ପୁଲିସ ହାତରେ ଧରା ନ ପଡ଼ି ଖସି ପଳାଇଥିଲା। ବର୍ତ୍ତମାନ ସୂଚନା ପ୍ରକାଶ ପାଇଛି ଯେ ଲାଲକିଲ୍ଲା ଠାରେ ଯେଉଁ ହ୍ୟୁଣ୍ଡାଇ ଆଇ ୨୦ କାର୍‌ରେ ଏହି ଘାତକ ବିସ୍ଫୋରଣ ଘଟିଲା, ସେ ଗାଡ଼ିର ଚାଳକ ଥିଲା ସେଇ ପଳାୟମାନ ଆତଙ୍କବାଦୀ ଡାକ୍ତର ମହମ୍ମଦ ଉମର୍ ନବି। ଅର୍ଥାତ୍ ଆତଙ୍କବାଦୀ ଡାକ୍ତର ଜଣକ ଏହି ଆତଙ୍କବାଦୀ ଆକ୍ରମଣ ରଚନା କରି ନିରୀହ ଲୋକମାନଙ୍କୁ ହତ୍ୟା କରିବା ଭଳି ଏକ ଲକ୍ଷ୍ୟ ହାସଲ ପାଇଁ ଆତ୍ମହତ୍ୟା କରିଛି।
ଆଶ୍ଚର୍ଯ୍ୟଜନକ ‌ଭାବରେ ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣରେ ଜଣେ ଡାକ୍ତର ସଂଶ୍ଳିଷ୍ଟ ଥିବାବେଳେ, ନିକଟରେ ଆବିଷ୍କୃତ ହୋଇଥିବା ଅନ୍ୟ କେତେକ ଆତଙ୍କବାଦୀ ଆକ୍ରମଣ ଯୋଜନାରେ ମଧ୍ୟ ଡାକ୍ତରମାନେ ସଂପୃକ୍ତ ଥିବା ଜଣାପଡ଼ିଛି। ଗତ ସପ୍ତାହରେ ଜାମ୍ମୁକାଶ୍ମୀର ପୁଲିସ ଫରିଦାବାଦ ଠାରେ ଆଦିଲ ଅହମଦ ଓ ମୁଜାମ୍ମିଲ ସକିଲ ନାମକ ଦୁଇ ଜଣ ଡାକ୍ତରଙ୍କୁ ଗିରଫ କରିବା ସହିତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରି ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ଭଣ୍ଡୁର କରିଦେଇଥିଲେ। ଏହି ଗୋଷ୍ଠୀର ଅନ୍ୟ ଜଣେ ଖସି ପଳାଇଥିବା ସଦସ୍ୟ ଥିଲା ଦିଲ୍ଲୀ ଠାରେ ବିସ୍ଫୋରଣ ଘଟାଇଥିବା ଆତଙ୍କବାଦୀ ଜଣକ। ପୁଲିସ ମଧ୍ୟ ଏହି ଆତଙ୍କବାଦୀ ଚକ୍ରାନ୍ତରେ ଆଉ ଜଣେ ମହିଳା ଡାକ୍ତରଙ୍କର ଭୂମିକା ସମ୍ବନ୍ଧରେ ଅନୁସନ୍ଧାନ କରୁଛି, ଯାହାଙ୍କ କାର୍ ଭିତରୁ ଦୁଇଟି ବନ୍ଧୁକ ଓ ଗୁଳି ଆବିଷ୍କୃତ ହୋଇଥିଲା। ଅନ୍ୟ ଘଟଣାରେ ଗୁଜରାଟ ପୁଲିସର ଆତଙ୍କବାଦ ବିରୋଧୀ ସ୍କ୍ବାଡ୍ ହାଇଦ୍ରାବାଦ ଠାରେ ଅହମ୍ମଦ ମହିଉଦ୍ଦିନ ସଇଦ ନାମକ ଜଣେ ଡାକ୍ତରଙ୍କୁ ଗିରଫ କରିଛି, ଯାହାଙ୍କ ଠାରୁ ୩୦ ରାଉଣ୍ଡ୍ ଗୁଳି ସହିତ ତିନିଗୋଟି ବନ୍ଧୁକ ଉଦ୍ଧାର କରାଯାଇଛି। ଏହାଠାରୁ ଆହୁରି ଭୟାନକ କଥା ହେଲା ଡାକ୍ତର ମହିଉଦ୍ଦିନଙ୍କ ପାଖରୁ ଚାରି ଲିଟର ଜଡ଼ାତେଲ ମଧ୍ୟ ଜବତ କରାଯାଇଛି ଯାହାକୁ ସେ ତାଙ୍କର ବିଶେଷ ଜ୍ଞାନ ବ୍ୟବହାର କରି ରିସିନ୍ ନାମକ ଏକ ସାଂଘାତିକ ବିଷ ପ୍ରସ୍ତୁତ କରିବାରେ ବ୍ୟବହାର କରିବାକୁ ଯାଉଥିଲେ। ଚିନ୍ତାଜନକ ଭାବରେ ଏ ସମସ୍ତ ଡାକ୍ତରମାନଙ୍କର ବିଭିନ୍ନ ବିଦେଶୀ ଇସଲାମୀୟ ଆତଙ୍କବାଦୀ ସଂଗଠନମାନଙ୍କ ସହିତ ସଂପର୍କ ଥିବା ସମ୍ବନ୍ଧରେ ସୂଚନା ପ୍ରକାଶ ପାଇବାରେ ଲାଗିଛି।
ଏଇ ଘଟଣାମାନଙ୍କର କେତେଗୁଡ଼ିଏ ଅତ୍ୟନ୍ତ ଚିନ୍ତାଜନକ ଦିଗ ରହିଛି। ଗୋଟିଏ ହେଲା ନିକଟ ଅତୀତରେ ଦେଶରେ ନିରାପତ୍ତା ସତର୍କତାକୁ କଡ଼ାକଡ଼ି କରାଯାଇଥିବା ସତ୍ତ୍ବେ ସମସ୍ତଙ୍କ ଅଗୋଚରରେ ଏଭଳି ଆତଙ୍କବାଦୀ ନେଟ୍‌ୱର୍କମାନ ପ୍ରତିଷ୍ଠା ସମ୍ଭବ ହେଲା କିପରି? ଦ୍ବିତୀୟରେ ଏତେ ବିପୁଳ ପରିମାଣର ବିସ୍ଫୋରକ ପଦାର୍ଥ ଓ ବୋମା ତିଆରି ସରଞ୍ଜାମ ଚାଲାଣ ହୋଇପାରିଲା କିପରି, ଯାହା କାହାରି ସନ୍ଦେହ ଉଦ୍ରେକ କରାଇଲା ନାହିଁ? ଦୀପାବଳି ସମୟରେ ବାଣ ତିଆରି ପାଇଁ ବାରୁଦ ଚାଲାଣର ଛଦ୍ମ ବେଶରେ ଆତଙ୍କବାଦୀମାନେ ଏହି ବିସ୍ଫୋରକ ପଦାର୍ଥମାନ ଚାଲାଣ କରିବାରେ ସଫଳ ହୋଇନାହାନ୍ତି ତ? ତୃତୀୟରେ ବର୍ତ୍ତମାନ ଧରାପଡ଼ିଥିବା ନେଟ୍‌ୱର୍କ ବାଦ୍ ଦେଶରେ ଆଉ ଏଭଳି କେତେ ଆତଙ୍କବାଦୀ ନେଟ୍‌ୱର୍କ ଜାଣିଶୁଣି ଶୁପ୍ତ ଅବସ୍ଥାରେ ରହିଛନ୍ତି, କିଏ କହିବ, ଯେଉଁମାନଙ୍କୁ ‘ସ୍ଲିପର୍ ସେଲ୍’ ରୂପେ ନିରାପତ୍ତା ପରିସରରେ ବର୍ଣ୍ଣନା କରାଯାଇଥାଏ? ଚତୁର୍ଥରେ, ସବୁଠାରୁ ଯାହା ଅଧିକ ଚିନ୍ତାଜନକ, ତାହା ହେଲା ଆତଙ୍କବାଦୀ କାର୍ଯ୍ୟକଳାପରେ ଡାକ୍ତରମାନଙ୍କର ସଂପୃକ୍ତି।
ଅବଶ୍ୟ ଅତୀତରେ ପୃଥିବୀର ସର୍ବାଧିକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ରଚିତ ହୋଇଥିଲା ଜଣେ ସୁଶିକ୍ଷିତ ଇଞ୍ଜିନିଅରଙ୍କ ଦ୍ବାରା, ଯାହାଙ୍କର ନାମ ହେଲା- ଓସାମା ବିନ୍ ଲାଦେନ୍। ତାଙ୍କ ଦ୍ବାରା ରଚିତ ୧୧ ସେପ୍‌ଟେମ୍ବର ୨୦୦୧ (‘୯/୧୧’ ରୂପେ କୁଖ୍ୟାତ)ର ନ୍ୟୁୟର୍କସ୍ଥିତ ୱର୍ଲଡ୍ ଟ୍ରେଡ୍ ସେଣ୍ଟର ଉପରେ ବିମାନ-ବୋମା ଆକ୍ରମଣରେ ପ୍ରାୟ ୩,୦୦୦ ନିରୀହ ଲୋକଙ୍କର ପ୍ରାଣହାନି ଘଟିବା ସହିତ ସେଇ ନଭଶ୍ଚୁମ୍ବୀ ଟାୱାର୍ ଦ୍ବୟ ଧୂଳିସାତ୍ ହୋଇଯାଇଥିଲା। ତେବେ ସାଧାରଣ ବିଚାର ଅନୁସାରେ ଇଞ୍ଜିନିଅର ଓ ଡାକ୍ତରମାନଙ୍କ ମଧ୍ୟରେ ଏକ ମୌଳିକ ପାର୍ଥକ୍ୟ ଥାଏ: ଇଞ୍ଜିନିଅରମାନଙ୍କର ଶିକ୍ଷା ଓ ବୃତ୍ତି ନିର୍ଜୀବ ପଦାର୍ଥ ସଂପର୍କିତ ହୋଇଥିବା ବେଳେ, ଡାକ୍ତରମାନଙ୍କର ବୃତ୍ତି ହୋଇଥାଏ ଜୀବନ୍ତ ମନୁଷ୍ୟର କଷ୍ଟ ଲାଘବ କରିବା ଓ ତା’ର ଜୀବନ ବଞ୍ଚାଇବା। ସାଧାରଣ ଦୃଷ୍ଟିଭଙ୍ଗୀ ଅନୁସାରେ ଜଣେ ଇଞ୍ଜିନିଅରଙ୍କ ଠାରୁ ମନୁଷ୍ୟର ଯନ୍ତ୍ରଣା ପ୍ରତି ସେଇଭଳି ସମ୍ବେଦନା ଆଶା କରାଯାଏନା, ଯେଉଁଭଳି ଜଣେ ଡାକ୍ତରଙ୍କ ଠାରୁ କରାଯାଇଥାଏ। ଜଣେ ଡାକ୍ତର ଗ୍ରହଣ କରିଥିବା ହିପୋକ୍ରାଟିକ୍ ଶପଥ ଅନୁସାରେ ଚିକିତ୍ସା ପାଇଁ ତାଙ୍କ ପାଖକୁ ଆସିଥିବା ଲୋକଟି ତାଙ୍କ ପାଇଁ ହୋଇଥାଏ କେବଳ ଜଣେ ବିଶୁଦ୍ଧ ରୋଗୀ, ଯାହାର ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସେ ତା’ର ରୋଗ ଉପଶମ କରିବାକୁ ଚେଷ୍ଟା କରିଥାନ୍ତି- କୌଣସି ବାଛବିଚାର ପ୍ରଦର୍ଶନ ନ କରି।
ଏଭଳି ଜଣେ ଡାକ୍ତର ତା’ହେଲେ ଏହାର ବିପରୀତ ଆଚରଣ ପ୍ରଦର୍ଶନ କରି ମନୁଷ୍ୟର ଯନ୍ତ୍ରଣା ଲାଘବ କରିବା ପରିବର୍ତ୍ତେ, ତା’ର ଜୀବନ ନାଶ କରିବା ପାଇଁ ପ୍ରବୃତ୍ତ ହେଲେ କିପରି? ଏ ପ୍ରଶ୍ନର ଉତ୍ତର ବୋଧହୁଏ ମିଳିଥାଏ ଉପରୋକ୍ତ ‘୯/୧୧’ ଘଟଣା ପରେ ପରେ ୧୯ ନଭେମ୍ବର ୨୦୦୧ରେ ମର୍ଯ୍ୟାଦାଜନକ ପତ୍ରିକା ‘ଦି ନ୍ୟୁୟର୍କର’ରେ ପ୍ରକାଶିତ ଜଣେ ବିଫଳ ଆତ୍ମଘାତୀ ବିଦ୍ରୋହୀ ବୋମା ଆକ୍ରମଣକାରୀ ସହିତ ଏକ ସାକ୍ଷାତ୍‌କାର ରିପୋର୍ଟରୁ, ଯାହାକୁ ପ୍ରଖ୍ୟାତ ବିବର୍ତ୍ତନୀୟ ଜୈବ ବିଜ୍ଞାନୀ ରିଚାର୍ଡ ଡକିନ୍‌ସ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଦି ଗଡ୍ ଡିଲ୍ୟୁଜନ୍’ରେ ଉଦ୍ଧାର କରିଛନ୍ତି। ସେଇ ୨୭ ବର୍ଷୀୟ ବିଫଳ ଜିହାଦୀ ଜଣକ ସାମ୍ବାଦିକା ନାସ୍‌ରା ହାସାନଙ୍କୁ ଦେଇଥିବା ସାକ୍ଷାତ୍‌କାରରେ ଏ ସମ୍ବନ୍ଧରେ ଯାହା କହିଥିଲା, ତାହାର କିୟଦଂଶ ଏଠାରେ ଉଦ୍ଧାର କରିବା ଯ‌େଥଷ୍ଟ ହେବ।
ଜିହାଦୀ ହେବାର ଆକର୍ଷଣ କ’ଣ ବୋଲି ହାସାନ ସେ ଯୁବକକୁ ପ୍ରଶ୍ନ କଲାରୁ ସେ ଉତ୍ତର ଦେଲା: ‘‘ଆଧ୍ୟାତ୍ମିକ ଶକ୍ତି ଆମକୁ ଉପରକୁ ଭିଡ଼ିଥାଏ, ଯେତେବେଳେ ପାର୍ଥିବ ଶକ୍ତି ଆମକୁ ତଳକୁ ଭିଡ଼ିଥାଏ। ଯିଏ ଜିହାଦୀ ହେବାକୁ ନିଷ୍ପତ୍ତି ନେଇଥାଏ ସିଏ ପାର୍ଥିବ ଆକର୍ଷଣ ପ୍ରତି ସଂପୂର୍ଣ୍ଣ ନିର୍ବିକାର ହୋଇଥାଏ। ...ଆମେ ଯେଉଁ ଶପଥ ନେଇଥାଉ ତାହା ସ୍ବର୍ଗର ଉଦ୍ୟାନ ‘ବେତ୍ ଆଲ୍-ରିଦ୍ବାନ୍’ ନାମରେ ନାମିତ ହୋଇଥାଏ, ଯେଉଁ ଉଦ୍ୟାନ ହେଉଛି କେବଳ ଦେବଦୂତ ଓ ଜିହାଦୀମାନଙ୍କ ପାଇଁ ସଂରକ୍ଷିତ। ଜିହାଦ ସମୟରେ ମୃତ୍ୟୁ ମଶା କାମୁଡ଼ା ଠାରୁ ମଧ୍ୟ କମ୍ କଷ୍ଟଦାୟକ ହୋଇଥାଏ।’’ କହିବା ବାହୁଲ୍ୟ, ଡାକ୍ତରମାନେ ଯେଉଁ ମନୁଷ୍ୟ ଶରୀରର ଚିକିତ୍ସା କରନ୍ତି, ତାହା କେବଳ ପାର୍ଥିବ ବସ୍ତୁ ମାତ୍ର, ଯାହା ଜିହାଦୀ ଡାକ୍ତରମାନଙ୍କ ପାଇଁ କୌଣସି ଗୁରୁତ୍ବ ବହନ କରି ନ ଥାଏ। ତେଣୁ ସେଭଳି ଜଣେ ଡାକ୍ତର ଲାଲକିଲ୍ଲା ବିସ୍ଫୋରଣ ଘଟାଇବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe