ଭାରତୀୟ ଅର୍ଥନୀତି ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ଅର୍ଥନୀତି ହୋଇଥିବା ସଙ୍ଗେ ସଙ୍ଗେ ବେକାରିରେ ହ୍ରାସ ଓ ମୁଦ୍ରାସ୍ଫୀତିର ଅନ୍ତର୍ଦ୍ଧାନ ମିଶି େଯଉଁ ଆଦର୍ଶ ପରିସ୍ଥିତିର ଆବିର୍ଭାବ ଘଟିଛି, ତାହା ଯେ ହେଉଛି ରିଜର୍ଭ ବ୍ୟାଙ୍କ୍ ଅତୀତରେ ଗ୍ରହଣ କରିଥିବା କଠୋର ପଦକ୍ଷେପର ସୁଫଳ, ଏଥିରେ କୌଣସି ସନ୍ଦେହ ନାହିଁ।
ଅର୍ଥଶାସ୍ତ୍ରରେ ଯେଉଁ କେତେକ ଧାରଣାକୁ ବେଦବାକ୍ୟ ଭାବରେ ଗ୍ରହଣ କରାଯାଇଥାଏ, ସେଥି ମଧ୍ୟରେ ଏକ ପ୍ରସିଦ୍ଧ ଧାରଣା ‘ଫିଲିପ୍ସ କର୍ଭ’ ନାମକ ଏକ ଗ୍ରାଫ୍ର ରୂପ ପରିଗ୍ରହଣ କରିଥାଏ। ନିଉଜିଲାଣ୍ଡ୍ରେ ଜନ୍ମିତ ବିଲ୍ ଫିଲିପ୍ସ ନାମକ ଇଞ୍ଜିନିଅର୍-ଅର୍ଥନୀତିଜ୍ଞଙ୍କ ଦ୍ବାରା ଆବିଷ୍କୃତ ଏହି ଗ୍ରାଫ୍ ଏକ ଅର୍ଥନୀତିରେ ସ୍ବଳ୍ପ କାଳରେ ମୁଦ୍ରାସ୍ଫୀତି ଓ ବେକାରି ମଧ୍ୟରେ ସଂପର୍କ ପରସ୍ପରର ବିପରୀତ ହୋଇଥାଏ ବୋଲି ସାଚାଇଥାଏ। ଅର୍ଥାତ୍ ମୁଦ୍ରାସ୍ଫୀତି ହାର ନୀଚା ଥିବାବେଳେ ବେକାରି ହାର ଉଚ୍ଚ ହୋଇଥାଏ ଏବଂ ବେକାରି ହାର ନୀଚା ହେଲେ ମୁଦ୍ରାସ୍ଫୀତି ହାର ଉଚ୍ଚ ହୋଇଥାଏ। କେନ୍ଦ୍ରୀୟ ବ୍ୟାଙ୍କ୍ମାନଙ୍କର ଗଭର୍ନରମାନଙ୍କ ଭଳି ଅର୍ଥନୀତିର ପରିଚାଳକମାନେ ସେମାନଙ୍କର କର୍ତ୍ତବ୍ୟ ସଂପାଦନ ସମୟରେ ତେଣୁ ସର୍ବଦା ବିଲ୍ ଫିଲିପ୍ସ ଆବିଷ୍କୃତ ଏହି ବକ୍ରରେଖା ଉପରେ ନଜର ରଖିଥାନ୍ତି।
ଏକ କେନ୍ଦ୍ରୀୟ ବ୍ୟାଙ୍କ୍ ନିର୍ବାହ କରୁଥିବା ବିଭିନ୍ନ ଦାୟିତ୍ବମାନଙ୍କ ମଧ୍ୟରୁ ସର୍ବପ୍ରଧାନ ହେଉଛି ମୁଦ୍ରାସ୍ଫୀତି ନିୟନ୍ତ୍ରଣ। ମୁଦ୍ରାସ୍ଫୀତି ଅତ୍ୟଧିକ ହେଲେ ତାହାକୁ ପ୍ରଶମିତ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ତା’ର ନିର୍ଣ୍ଣାୟକ ସୁଧ ହାରରେ ବୃଦ୍ଧି ଘଟାଇଥାଏ। ଏହା ମୁଦ୍ରାସ୍ଫୀତିରେ ସ୍ଖଳନ ଘଟାଇବା ସଙ୍ଗେ ସଙ୍ଗେ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପରେ ମଧ୍ୟ ସଂକୋଚନ ଘଟାଇଥାଏ। ଏଥିଯୋଗୁଁ ନିଯୁକ୍ତିରେ ସଂକୋଚନ ଘଟି ବେକାରିରେ ବୃଦ୍ଧି ଘଟିପାରେ। ଯେମିତି ଦେଖାଯାଇଥିଲା ୧୯୮୦ ଦଶକର ଆଦ୍ୟ କାଳରେ ଆମେରିକାରେ। ସେତେବେଳେ ରାଷ୍ଟ୍ରପତି ଜିମି କାର୍ଟର୍ଙ୍କ ଦ୍ବାରା ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍ର ଚେଆର୍ମ୍ୟାନ୍ ରୂପେ ସଂଯୋଗକ୍ରମେ ନିଯୁକ୍ତ ପଲ୍ ଭୋଲକର୍ ସେ ଦେଶରେ ବୋଲ ମାନୁ ନଥିବା ମୁଦ୍ରାସ୍ଫୀତିକୁ ଦମନ କରିବା ନିମିତ୍ତ ବଦ୍ଧପରିକର ହୋଇ ସୁଧ ହାରରେ ବୃଦ୍ଧି ଘଟାଇ ଚାଲିଲେ। ଫଳରେ ମୁଦ୍ରାସ୍ଫୀତି ସିନା ବାର୍ଷିକ ୫ ଶତାଂଶ ତଳେ ରହିଲା, କିନ୍ତୁ ୧୯୮୨ ବେଳକୁ ଆମେରିକାରେ ବେକାରି ହାର ଯାଇ ଏକ ଉଚ୍ଚ ୧୧ ଶତାଂଶରେ ପହଞ୍ଚିଲା। ପୃଥିବୀ ସାରା କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ୍ ପରିସରରେ ପଲ୍ ଭୋଲକର୍ ଜଣେ କିଂବଦନ୍ତି ପୁରୁଷ ରୂପେ ବିବେଚିତ ହୋଇଥାନ୍ତି ଏବଂ ତାଙ୍କର ଏହି ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଉଦ୍ୟମର ଅନୁଭୂତିକୁ ଏକ ଦିଗ୍ଦର୍ଶନକାରୀ ଉଦାହରଣ ରୂପେ ଗ୍ରହଣ କରିଥାନ୍ତି।
ଏଇ ପୃଷ୍ଠଭୂମିରେ ଯଦି ଦେଖାଯାଏ, ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସମ୍ମୁଖରେ ବର୍ତ୍ତମାନ ଦେଶରେ ମୁଦ୍ରାସ୍ଫୀତି ଓ ବେକାରିର ଯେଉଁ ଚିତ୍ର ଉପଲବ୍ଧ ହୋଇଛି, ତାହା ପଲ୍ ଭୋଲକର୍ଙ୍କ ଠାରେ ମଧ୍ୟ ଈର୍ଷା ସୃଷ୍ଟି କରନ୍ତା। ସଦ୍ୟ ପ୍ରକାଶିତ ସୂଚନା ଅନୁସାରେ ଗତ ମାସରେ ଦେଶରେ ବାର୍ଷିକ ଖାଉଟି ମୁଦ୍ରାସ୍ଫୀତି ହାରରେ ସ୍ଖଳନ ଘଟି ତାହା ପାଖାପାଖି ଶୂନ୍ୟରେ ପହଞ୍ଚିଥିଲା କହିଲେ ଚଳେ, ଯାହା ହୋଇଥିଲା ୦.୨୫ ଶତାଂଶ। ଏହା ହେଉଛି ବିଗତ ଦଶ ବର୍ଷ ମଧ୍ୟରେ ଦେଶରେ ଦେଖାଯାଇଥିବା ସର୍ବନିମ୍ନ ଖାଉଟି ମୁଦ୍ରାସ୍ଫୀତି ହାର। ଯଦି ଏଠାରେ ଭୋଲକର୍ଙ୍କର ଅନୁଭୂତିର ପୁନରାବୃତ୍ତି ଘଟିଥାନ୍ତା, ତା’ ହେଲେ ଏଇ ସମୟରେ ଦେଶରେ ବେକାରି ହାର ଉଚ୍ଚ ହୁଅନ୍ତା। ଦୀର୍ଘ କାଳ ଧରି ରିଜର୍ଭ ବ୍ୟାଙ୍କ୍ର ପୂର୍ବତନ ଗଭର୍ନର ଭାରତୀୟ ଭୋଲକର୍ ଶକ୍ତିକାନ୍ତ ଦାସ ବ୍ୟବହାର କରିଥିବା ଉପମା ଅନୁସାରେ ଭାରତର ଏହି କେନ୍ଦ୍ରୀୟ ବ୍ୟାଙ୍କ୍ ଅର୍ଜୁନ ନିଜର ସମଗ୍ର ଧ୍ୟାନ ମଛର ଆଖି ଉପରେ କେନ୍ଦ୍ରୀଭୂତ କଲାଭଳି ନିଜର ଧ୍ୟାନ ମୁଦ୍ରାସ୍ଫୀତି ଦମନ ଉପରେ କେନ୍ଦ୍ରୀଭୂତ କରିବାର ଫଳସ୍ବରୂପ ଦେଶରେ ଖାଉଟି ମୁଦ୍ରାସ୍ଫୀତି ବର୍ତ୍ତମାନ ଏପରି ସଂପୂର୍ଣ୍ଣ ରୂପେ ନିୟନ୍ତ୍ରିତ ହୋଇପାରିଛି। କିନ୍ତୁ ଆଶ୍ବସ୍ତିଜନକ ଭାବରେ ମୁଦ୍ରାସ୍ଫୀତିର ଏହି ନିମ୍ନ ଗତି ‘ଫିଲିପ୍ସ କର୍ଭ’କୁ ଅନୁସରଣ କରି ଦେଶରେ ବେକାରି ହାରରେ ବୃଦ୍ଧି ସହିତ ସଂଯୁକ୍ତ ହୋଇ ନାହିଁ। କାରଣ କେନ୍ଦ୍ର ସରକାରଙ୍କର ‘ପରିସଂଖ୍ୟାନ ଓ କାର୍ଯ୍ୟାନ୍ବୟନ’ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ସୂଚନା ଅନୁସାରେ ଚଳିତ ବିତ୍ତ ବର୍ଷର ପ୍ରଥମ ଚଉଠରେ ଦେଶରେ ବେକାରି ହାର ୫.୪ ଶତାଂଶ ହୋଇଥିବାବେଳେ, ସେପ୍ଟେମ୍ବରରେ ଶେଷ ହୋଇଥିବା ଦ୍ବିତୀୟ ଚଉଠରେ ତାହା ହ୍ରାସ ପାଇ ହୋଇଥିଲା ୫.୨ ଶତାଂଶ। ପ୍ରାୟ ଏଇ ସମୟରେ ସେପ୍ଟେମ୍ବରରେ ଖାଉଟି ମୁଦ୍ରାସ୍ଫୀତି ହାର ୧.୪୪ ଶତାଂଶ ଥିବାବେଳେ, ଅକ୍ଟୋବରରେ ସେଥିରେ ହ୍ରାସ ଘଟି ତାହା ହୋଇଥିଲା ୦.୨୫ ଶତାଂଶ।
ଦେଶରେ ଖାଉଟି ମୁଦ୍ରାସ୍ଫୀତିରେ ଏହି ଚମକପ୍ରଦ ହ୍ରାସ ପଛରେ ଯାହାର ମୁଖ୍ୟ ଅବଦାନ ରହିଛି, ତାହା ହେଉଛି ଖାଉଟି ଖାଦ୍ୟ ମୁଦ୍ରାସ୍ଫୀତିରେ ଏଇ ସମୟରେ ଘଟିଥିବା ହ୍ରାସ। ଅକ୍ଟୋବରରେ ଖାଦ୍ୟ ମୁଦ୍ରାସ୍ଫୀତିରେ ପତନ ଘଟି ତାହା ଋଣାତ୍ମକ ଇଲାକାରେ ପ୍ରବେଶ କରିବା ଦେଖାଯାଇଥିଲା। ଗ୍ରାମାଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତି (-)୪.୮୫ ଶତାଂଶ ହୋଇଥିବାବେଳେ ସହରାଞ୍ଚଳରେ ତାହା ହୋଇଥିଲା (-)୫.୧୮ ଶତାଂଶ। ଏହାର ମିଳିତ ଫଳସ୍ବରୂପ ଅକେ୍ଟୋବରରେ ସମଗ୍ର ଦେଶ ପାଇଁ ଖାଉଟି ମୁଦ୍ରାସ୍ଫୀତି ହୋଇଥିଲା (-)୫.୦୨ ଶତାଂଶ। ଏହାର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିବା ପାଇଁ ସୂଚାଇ ଦିଆଯାଇପାରେ ଯେ ଗତ ବର୍ଷ ଅକ୍ଟୋବରରେ ଦେଶରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ଧନାତ୍ମକ ଦୁଇ ଅଙ୍କବିଶିଷ୍ଟ ହୋଇଥିଲା, (+)୧୦.୮୭ ଶତାଂଶ।
ଉପରୋକ୍ତ ସରକାରୀ ସୂତ୍ରରୁ ଉପଲବ୍ଧ ସୂଚନା ଅନୁସାରେ ଚଳିତ ବର୍ଷ ଉତ୍ତମ ମୌସୁମୀ ବୃଷ୍ଟିପାତ ତଥା ଅନୁକୂଳ ପାଣିପାଗ ଯୋଗୁଁ କୃଷି ଉତ୍ପାଦନ ସନ୍ତୋଷଜନକ ହୋଇ ବଜାରରେ ଯୋଗାଣ ବୃଦ୍ଧି ପାଇବା ହେତୁ ଖାଦ୍ୟଶସ୍ୟ, ପନିପରିବା, ଡାଲି ଆଦିର ଦରରେ ସ୍ଖଳନ ଘଟି ଖାଦ୍ୟ ମୁଦ୍ରାସ୍ଫୀତିକୁ ନିମ୍ନମୁଖୀ କରିଛି। ଯେହେତୁ ଉପରେ ଦର୍ଶାଯାଇଥିବା ଭଳି ଗତ ବର୍ଷ ଏଇ ସମୟରେ ଖାଦ୍ୟଦ୍ରବ୍ୟ ଦର ଅସ୍ବାଭାବିକ ଭାବରେ ଉଚ୍ଚା ଥିଲା, ତାହା ସୃଷ୍ଟି କରିଥିବା ଉଚ୍ଚ ଭିତ୍ତି ପ୍ରଭାବରେ ଚଳିତ ବର୍ଷ ଏଇ ସମୟରେ ତୁଳନାତ୍ମକ ଭାବରେ ବାର୍ଷିକ ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ନୀଚା ହୋଇଛି।
ବର୍ତ୍ତମାନ ଖାଉଟି ମୁଦ୍ରାସ୍ଫୀତି ନୀଚା ହେବାର ଅନ୍ୟ ଏକ କାରଣ ମଧ୍ୟ ହେଉଛି ‘ଜିଏସ୍ଟି’ ହାରଗୁଡ଼ିକରେ ଲାଗୁ କରାଯାଇଥିବା ସଂସ୍କାର। ଏବେ ମଧ୍ୟ ଭାରତୀୟ ‘ଜିଏସ୍ଟି’ରେ ଏକାଧିକ ଟିକସ ହାରମାନ ବଳବତ୍ତର ରହିଥିଲେ ହେଁ, ବଜାରରେ ଖାଉଟିମାନେ କ୍ରୟ କରୁଥିବା ଅଧିକାଂଶ ଦ୍ରବ୍ୟ ଓ ସେବାମାନଙ୍କ ପ୍ରତି ଦୁଇଟି ହାର ୫ ଓ ୧୮ ଶତାଂଶ ବର୍ତ୍ତମାନ ମୁଖ୍ୟତଃ ଲାଗୁ ହେଉଛି। ସେପ୍ଟେମ୍ବର ଶେଷ ଆଡ଼କୁ ପରିବର୍ତ୍ତିତ ‘ଜିଏସ୍ଟି’ ହାରମାନ ଲାଗୁ ହେବା ପରେ ଖାଉଟିମାନଙ୍କ ପାଇଁ ଦରଦାମରେ ବୃଦ୍ଧି ଶିଥିଳ ହେବା ଦେଖାଯାଇଛି। ତେବେ ଖାଦ୍ୟ ମୁଦ୍ରାସ୍ଫୀତିରେ ଏଭଳି ସ୍ଖଳନ ଘଟିଥିଲେ ହେଁ ଖାଦ୍ୟଦ୍ରବ୍ୟ ଓ ଇନ୍ଧନ ଆଦିକୁ ବାଦ୍ ଦେଇ ହିସାବ କରାଯାଉଥିବା ମଞ୍ଜି ମୁଦ୍ରାସ୍ଫୀତି ହାର ୪.୪ ଶତାଂଶରେ ସ୍ଥିର ରହିଛି। ସାମଗ୍ରିକ ଭାବରେ ଦେଖିଲେ ଚଳିତ ବିତ୍ତ ବର୍ଷର ପ୍ରଥମାର୍ଦ୍ଧରେ ହାରାହାରି ମୁଦ୍ରାସ୍ଫୀତି ହାର ହୋଇଥିଲା ୨.୨୨ ଶତାଂଶ। ରିଜର୍ଭ ବ୍ୟାଙ୍କ୍ ଦୃଷ୍ଟିରୁ ଏହା ବେଶ୍ ସନ୍ତୋଷଜନକ ହୋଇଥାଏ, କାରଣ ମଧ୍ୟବର୍ତ୍ତୀ କାଳରେ ରିଜର୍ଭ ବ୍ୟାଙ୍କ୍ ଅନୁସରଣ କରୁଥିବା ମୁଦ୍ରାସ୍ଫୀତି ନିଶାଣ ୪ ଶତାଂଶ ଠାରୁ ଏହା ବେଶ୍ ତଳେ ରହିଛି। ଏହାକୁ ଭିତ୍ତିକରି ସମଗ୍ର ୨୦୨୫-୨୬ ବିତ୍ତ ବର୍ଷ ପାଇଁ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର ସମ୍ବନ୍ଧରେ ନିଜର ପୂର୍ବର ପୂର୍ବାନୁମାନରେ ପରିବର୍ତ୍ତନ ଘଟାଇ ତାହା ୩.୧ ସ୍ଥାନରେ ୨.୬ ଶତାଂଶ ହେବାକୁ ଯାଉଛି ବୋଲି ରିଜର୍ଭ ବ୍ୟାଙ୍କ୍ ଏବେ ପ୍ରକାଶ କରିଛି।
ଭାରତୀୟ ଅର୍ଥନୀତି ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ଅର୍ଥନୀତି ହୋଇଥିବା ସଙ୍ଗେ ସଙ୍ଗେ ବେକାରିରେ ହ୍ରାସ ଓ ମୁଦ୍ରାସ୍ଫୀତିର ଅନ୍ତର୍ଦ୍ଧାନ ମିଶି େଯଉଁ ଆଦର୍ଶ ପରିସ୍ଥିତିର ଆବିର୍ଭାବ ଘଟିଛି, ତାହା ଯେ ହେଉଛି ରିଜର୍ଭ ବ୍ୟାଙ୍କ୍ ଅତୀତରେ ଗ୍ରହଣ କରିଥିବା କଠୋର ପଦକ୍ଷେପର ସୁଫଳ, ଏଥିରେ କୌଣସି ସନ୍ଦେହ ନାହିଁ। ଠିକ୍ ଯେମିତି ପଲ୍ ଭୋଲକର୍ ନେଇଥିବା ଉପରୋକ୍ତ କଠୋର ପଦକ୍ଷେପର ଫଳସ୍ବରୂପ ପରବର୍ତ୍ତୀ ସମୟରେ ଆମେରିକାରେ ମୁଦ୍ରାସ୍ଫୀତି ସଂଯତ ରହିବା ସହିତ ବେକାରିରେ ହ୍ରାସ ଓ ଅଭିବୃଦ୍ଧିରେ ଅଗ୍ରଗତି ଘଟିବା ଦେଖାଯାଇଥିଲା।
Follow Us