ନାୟରା ଅନ୍ୟାୟ

Advertisment

ବର୍ତ୍ତମାନ ‘ନାୟରା’ ଘଟଣା ପ୍ରମାଣିତ କରିଛି ଯେ ଆମେରିକୀୟ କଂପାନିମାନେ ଚାହିଁଲେ ଏଭଳି କାର୍ଯ୍ୟାନୁଷ୍ଠାନ ବଳରେ କେବଳ ଭାରତର ବ୍ୟାବସାୟିକ କ୍ଷତି ଘଟାଇ ପାରିବେ, ତାହା ନୁହେଁ, ଆମ ଦେଶର ନିରାପତ୍ତାକୁ ମଧ୍ୟ ବିପନ୍ନ କରି ଦେଇପାରିବେ।

ବର୍ତ୍ତମାନ ‘ନାୟରା’ ଘଟଣା ପ୍ରମାଣିତ କରିଛି ଯେ ଆମେରିକୀୟ କଂପାନିମାନେ ଚାହିଁଲେ ଏଭଳି କାର୍ଯ୍ୟାନୁଷ୍ଠାନ ବଳରେ କେବଳ ଭାରତର ବ୍ୟାବସାୟିକ କ୍ଷତି ଘଟାଇ ପାରିବେ, ତାହା ନୁହେଁ, ଆମ ଦେଶର ନିରାପତ୍ତାକୁ ମଧ୍ୟ ବିପନ୍ନ କରି ଦେଇପାରିବେ।

samp1

ବର୍ତ୍ତମାନ ‘ନାୟରା’ ଘଟଣା ପ୍ରମାଣିତ କରିଛି ଯେ ଆମେରିକୀୟ କଂପାନିମାନେ ଚାହିଁଲେ ଏଭଳି କାର୍ଯ୍ୟାନୁଷ୍ଠାନ ବଳରେ କେବଳ ଭାରତର ବ୍ୟାବସାୟିକ କ୍ଷତି ଘଟାଇ ପାରିବେ, ତାହା ନୁହେଁ, ଆମ ଦେଶର ନିରାପତ୍ତାକୁ ମଧ୍ୟ ବିପନ୍ନ କରି ଦେଇପାରିବେ। ଅଧିକ ବିଳମ୍ବ ହେବା ପୂର୍ବରୁ ଭାରତକୁ ବର୍ତ୍ତମାନ ଏହି ସମ୍ଭାବନା ପ୍ରତିହତ କରିବା ନିମିତ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ହେବ। ଡେଟାର ସ୍ଥାନୀୟକରଣ ଉଦ୍ଦେଶ୍ୟରେ କଠୋର ଆଇନ ପ୍ରଣୟନ ହେବ ଏ ଦିଗରେ ପ୍ରଥମ ପଦକ୍ଷେପ।

ଭାରତ ନିଜକୁ ପୃଥିବୀର ଏକ ପ୍ରମୁଖ ଡିଜିଟାଲ୍ ଅର୍ଥନୀତି ରୂପେ ପ୍ରଦର୍ଶିତ କରି ଆତ୍ମସନ୍ତୋଷ ଲାଭ କରୁଥିବାବେଳେ ଏବେ ଏଭଳି ଏକ ବାହ୍ୟ ଡିଜିଟାଲ୍ ଧକ୍‌କାର ସମ୍ମୁଖୀନ ହୋଇଛି, ଯାହା ଆମର ଅର୍ଥନୈତିକ ନିରାପତ୍ତା ଉପରେ ଏକ ଗୁରୁତର ପ୍ରଶ୍ନଚିହ୍ନ ଲଗାଇଛି। ଆଂଶିକ ଭାବରେ ରୁଷିଆର ତୈଳ କଂପାନି ‘ରସ୍‌ନେଫ୍‌ଟ’ର ମାଲିକାନାରେ ଥିବା ଭାରତୀୟ ତୈଳ ବିଶୋଧନ କଂପାନି ‘ନାୟରା ଏନର୍ଜି’ ଏକ ଗ୍ରାହକ ରୂପେ ଆମେରିକୀୟ ଟେକ୍‌ନୋଲୋଜି କଂପାନି ‘ମାଇକ୍ରୋସଫ୍‌ଟ’ ଯୋଗାଉଥିବା କ୍ଲାଉଡ୍ କମ୍ପ୍ୟୁଟିଙ୍ଗ୍ ଓ ପ୍ରଡକ୍‌ଟିଭିଟି ସେବା ଉପରେ ନିର୍ଭର କରିଥାଏ। ଏବେ ‘ମାଇକ୍ରୋସଫ୍‌ଟ’ ଅଚାନକ ସେହି ସେବା ଯୋଗାଣ ବନ୍ଦ କରିଦେଇ ‘ନାୟରା’ରେ ଏକ ଅଚଳାବସ୍ଥା ସୃଷ୍ଟି କରିଦେଇଥିଲା। ଉଭୟ କଂପାନି ମଧ୍ୟରେ କୌଣସି ବ୍ୟାବସାୟିକ ସମସ୍ୟା ଯୋଗୁଁ ‘ମାଇକ୍ରୋସଫ୍‌ଟ’ ‘ନାୟରା’ ବିରୁଦ୍ଧରେ ଏହି ପଦକ୍ଷେପ ନେଇ ନ ଥିଲା; ଏକ ବାହ୍ୟ ରାଜନୈତିକ କାରଣ ଯୋଗୁଁ ‘ମାଇକ୍ରୋସଫ୍‌ଟ’ ଏହା କରିଥିଲା, ଯାହା ଭାରତର ଶକ୍ତି ନିରାପତ୍ତା ବ୍ୟାହତ କରିବାର କ୍ଷମତା ବହନ କରିଥାଏ। ସେଇ କାରଣଟି ଥିଲା ‘ୟୁରୋପିଆନ୍ ୟୁନିଅନ୍’ ରୁଷିଆ ପ୍ରତି ଲାଗୁ କରିଥିବା ନୂତନ ଅର୍ଥନୈତିକ ବାସନ୍ଦ।
ଏହା ମଧ୍ୟ ଭାରତ ରୁଷିଆ ଠାରୁ ତୈଳ କ୍ରୟ କରୁଥିବାରୁ ଆମେରିକା ରାଷ୍ଟ୍ରପତି ଗ୍ରହଣ କରିଥିବା ଭାରତବିରୋଧୀ ଆଭିମୁଖ୍ୟ ସହିତ ମେଳ ଖାଇଥାଏ। ତେବେ ଏଥିଯୋଗୁଁ ଆମେରିକା ସରକାର ଭାରତ ପ୍ରତି ଉଚ୍ଚ ଟାରିଫ୍ ଲାଗୁ କରିବା ଗୋଟିଏ କଥା, କିନ୍ତୁ ସେ ଦେଶର କୌଣସି କଂପାନି ଆପଣା ଛାଏଁ ସେଠାକାର ରାଜନୀତିରେ ସାମିଲ ହୋଇ ଭାରତ ବିରୁଦ୍ଧରେ ଏକ ଅର୍ଥନୈତିକ ପଦକ୍ଷେପ ନେବା ହେଉଛି ଏକ ସଂପୂର୍ଣ୍ଣ ଭିନ୍ନ କଥା। ତେବେ ଆମେରିକୀୟ କଂପାନିମାନେ ଏଭଳି ସେ ଦେଶର ସରକାରଙ୍କର ହାତବାରିସିରେ ପରିଣତ ହେବା କିମ୍ବା ସରକାର କଂପାନିର ସ୍ବାର୍ଥ ରକ୍ଷା ପାଇଁ ଅନ୍ୟ ଦେଶର ରାଜନୀତିରେ ହସ୍ତକ୍ଷେପ କରିବା କିଛି ନୂଆ କଥା ନୁହେଁ। ଦୀର୍ଘ ଦିନ ଧରି ୟୁକ୍ରେନ୍ ବିରୋଧରେ ବିଷୋଦ୍‌ଗାର କରି ଚାଲିବା ପରେ ଟ୍ରମ୍ପ ଏବେ ହାସ୍ୟାସ୍ପଦ ଭାବରେ ୟୁକ୍ରେନ୍‌ରେ ରକ୍ତପାତ ପାଇଁ ଭାରତକୁ ଦାୟୀ କରୁଛନ୍ତି- ରୁଷିଆରୁ ଭାରତର ତୈଳ କ୍ରୟ ଯୁଦ୍ଧ ଚଳାଇ ରଖିବାରେ ରୁଷିଆକୁ ସାହାଯ୍ୟ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। କିନ୍ତୁ ଏକ ଆମେରିକୀୟ କଂପାନି କିପରି ବିନା ଉତ୍ତରଦାୟିତ୍ବ ସହକାରେ ନେଇଥିବା ଏକ ପଦକ୍ଷେପ ଯୁଦ୍ଧ ଆରମ୍ଭ ପରେ ପରେ ୟୁକ୍ରେନ୍‌କୁ ବିପଦ ମଧ୍ୟକୁ ଠେଲି ଦେଇଥିଲା, ତାହା ଏ ପର୍ଯ୍ୟନ୍ତ କେହି ଭୁଲି ନାହାନ୍ତି।
ରାଷ୍ଟ୍ରପତି ବାଇଡେନ୍‌ଙ୍କ ସମୟରେ ଏହି ଘଟଣା ଘଟାଇଥିବା କଂପାନିର ମାଲିକ ପରବର୍ତ୍ତୀ ସମୟରେ ଟ୍ରମ୍ପଙ୍କର ଘନିଷ୍ଠତମ ସହଯୋଗୀରେ ପରିଣତ ହୋଇଥିଲେ। ସେ କଂପାନି ହେଉଛି ସାଟେଲାଇଟ୍ ଇଣ୍ଟର୍‌ନେଟ୍ କଂପାନି ‘ଷ୍ଟାର୍‌ଲିଙ୍କ୍’ ଓ ତା’ର ମାଲିକ ହେଉଛନ୍ତି ଏଲନ୍ ମସ୍କ, ଯାହାଙ୍କ ସହିତ ଟ୍ରମ୍ପଙ୍କର ସଂପର୍କ ଏବେ ତିକ୍ତ ହୋଇଯାଇଛି। ରୁଷିଆର ଆକ୍ରମଣ ପରେ ୟୁକ୍ରେନ୍ ସେନାବାହିନୀକୁ ଯୁଦ୍ଧ କ୍ଷେତ୍ରରେ ଯୋଗାଯୋଗ ସ୍ଥାପନରେ ସାହାଯ୍ୟ କରିବା ପାଇଁ ମସ୍କ ତାଙ୍କର ‘ଷ୍ଟାର୍‌ଲିଙ୍କ୍’ ସେବା ଉପଲବ୍‌ଧ କରାଇଥିଲେ। କିନ୍ତୁ ଖର୍ସନ୍ ଠାରେ ପ୍ରତିଆକ୍ରମଣ ସମୟରେ ରୁଷିଆର ଆଣବିକ ପ୍ରତିକ୍ରିୟା ସମ୍ଭାବନାକୁ ଭୟ କରି ମସ୍କ ହଠାତ୍ ‘ଷ୍ଟାର୍‌ଲିଙ୍କ୍’ ସେବା ବନ୍ଦ କରିଦେଲେ, ଯାହା ୟୁକ୍ରେନ୍‌ର କମାଣବାହିନୀ ଓ ଡ୍ରୋନ୍‌ବାହିନୀ ମଧ୍ୟରେ ସଂଯୋଗ ରକ୍ଷାକୁ ଗୁରୁତର ଭାବରେ ବ୍ୟାହତ କଲା। ଏହା ହେଉଛି ଏକ ବିପଜ୍ଜନକ ଉଦାହରଣ, ଯେତେବେଳେ ଏକ ଘରୋଇ କଂପାନିର ଅଣ-ଉତ୍ତରଦାୟୀ ନିଷ୍ପତ୍ତି ଏକ ସାର୍ବଭୌମ ଦେଶର ନିରାପତ୍ତାକୁ ଗୁରୁତର ଭାବରେ ବିପନ୍ନ କରିଥିଲା।
ଆମେରିକୀୟ କଂପାନିମାନେ ସେ ଦେଶର ସରକାରଙ୍କ ରାଜନୈତିକ ଓ କୂଟନୈତିକ କାର୍ଯ୍ୟକଳାପ ସହିତ ଏପରି ନିବିଡ଼ ଭାବରେ ସଂପୃକ୍ତ ହୋଇପଡ଼ିବା ଅବଶ୍ୟ କିଛି ନୂଆ କଥା ନୁହେଁ। ଦୂର ଅତୀତରେ ୧୯୫୪ରେ ‘ୟୁନାଇଟେଡ୍ ଫ୍ରୁଟ୍ କଂପାନି’ ନାମକ ଏକ ଆମେରିକୀୟ କଂପାନିର ସ୍ବାର୍ଥ ରକ୍ଷା କରିବା ପାଇଁ ଆମେରିକାର ଗୁପ୍ତଚର ସଂସ୍ଥା ‘ସିଆଇଏ’ ଗୁଆଟେମାଲାରେ ଏକ ସାମରିକ ବିଦ୍ରୋହ ରଚନା କରିବା ଠାରୁ ୨୦୧୮ରେ ବିଶାଳ ଫରାସୀ ତୈଳ କଂପାନି ‘ଟୋଟାଲ୍ ଏସ୍‌ଏ’କୁ ଇରାନ୍‌ର ‘ସାଉଥ୍ ପାର୍ସ ଗ୍ୟାସ୍ ପ୍ରୋଜେକ୍ଟ’ରୁ ପ୍ରସ୍ଥାନ କରିବାକୁ ବାଧ୍ୟ କରାଯିବା ପର୍ଯ୍ୟନ୍ତ ଇତିହାସ ଏଭଳି  ଉଦାହରଣମାନଙ୍କରେ ଭରପୂର।
ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଆମେରିକାର ଆଇନ ବ୍ୟବସ୍ଥା ସେ ଦେଶର କଂପାନିମାନଙ୍କୁ ଏଭଳି ଦେହବଳିଆ ଆଚରଣ ପ୍ରଦର୍ଶନ କରିବାରେ ସହାୟକ ହୋଇଥାଏ। ଉଦାହରଣ ସ୍ବରୂପ ସେ ଦେଶରେ ବଳବତ୍ତର ଥିବା ‘ଇଣ୍ଟର୍‌ନେସନାଲ୍ ଏମର୍ଜେନ୍‌ସି ଇକୋନୋମିକ୍ ପାୱାର୍ସ ଆକ୍ଟ’ ଆମେରିକୀୟ କଂପାନିମାନଙ୍କୁ ଏଭଳି ପଦକ୍ଷେପ ନେବାକୁ କ୍ଷମତା ପ୍ରଦାନ କରିଥିବାବେଳେ ‘ଅଫିସ୍ ଅଫ୍ ଫରେନ୍ ଆସେଟ୍‌ସ କଣ୍ଟ୍ରୋଲ୍’ (‘ଓଫାକ୍’) ଦ୍ବାରା ଅନୁସୃତ ନୀତି ଏହାକୁ ପରିପୁଷ୍ଟ କରିଥାଏ। ରାଷ୍ଟ୍ରପତି ଜୋ ବାଇଡେନ୍ ଜାରି କରିଥିବା ଏ ପ୍ରଶାସନିକ ନିର୍ଦ୍ଦେଶ (‘ଇଗ୍‌ଜେକ୍ୟୁଟିଭ୍ ଅର୍ଡର୍’) ଆମେରିକୀୟ ବାସନ୍ଦ ବ୍ୟବସ୍ଥାକୁ ସଂପ୍ରସାରିତ କରି ପରୋକ୍ଷରେ ରୁଷିଆର ସାମରିକ କ୍ଷମତାକୁ ସହାୟକ ହେଉଥିବା କଂପାନିମାନଙ୍କୁ ତାହାର ପରିସରଭୁକ୍ତ କରିଥିଲା, ‘ନାୟରା’ ପ୍ରତି ‘ମାଇକ୍ରୋସଫ୍‌ଟ’ର କାର୍ଯ୍ୟାନୁଷ୍ଠାନ ହେଉଛି ଯାହାର ଏକ ଉଦାହରଣ। ଏହା ସଂପୃକ୍ତ ଦେଶର ନିଜର ଆଇନର ପରିପନ୍ଥୀ ହୋଇଥିଲେ ହେଁ ଆମେରିକୀୟ ଡଲାର୍ ବ୍ୟବସ୍ଥାକୁ ବ୍ୟବହାର କରିବା, ଆନ୍ତର୍ଜାତିକ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ଅଂଶ ହୋଇ ରହିବା ଏବଂ ଆମେରିକୀୟ ବଜାରରେ ପ୍ରବେଶ ଅଧିକାର ନ ହରାଇବା ପାଇଁ ବିଦେଶୀ କଂପାନିମାନେ ଆମେରିକାର ଏଭଳି ଦେହବଳିଆ ଆଚରଣକୁ ମୁଣ୍ଡପାତି ସହି ଯିବାକୁ ବାଧ୍ୟ ହୋଇଥାନ୍ତି।
୨୦୨୪ ଶେଷ ଭାଗରେ ରୁଷିଆ ପ୍ରତି ଲାଗୁ ହୋଇଥିବା ଅର୍ଥନୈତିକ ବାସନ୍ଦ ବ୍ୟବସ୍ଥା ଏଡ଼ାଇବାରେ ସାହାଯ୍ୟ କରିବା ଅଭିଯୋଗରେ ‘ଓଫାକ୍’ ୧୯ଟି ଭାରତୀୟ କଂପାନି ଓ ଦୁଇ ଜଣ ଭାରତୀୟ ନାଗରିକଙ୍କୁ ବାସନ୍ଦରେ ଅନ୍ତର୍ଭୁକ୍ତ କରିଥିଲା। ବର୍ତ୍ତମାନ ‘ନାୟରା’ ଘଟଣା ପ୍ରମାଣିତ କରିଛି ଯେ ଆମେରିକୀୟ କଂପାନିମାନେ ଚାହିଁଲେ ଏଭଳି କାର୍ଯ୍ୟାନୁଷ୍ଠାନ ବଳରେ କେବଳ ଭାରତର ବ୍ୟାବସାୟିକ କ୍ଷତି ଘଟାଇ ପାରିବେ, ତାହା ନୁହେଁ, ଆମ ଦେଶର ନିରାପତ୍ତାକୁ ମଧ୍ୟ ବିପନ୍ନ କରି ଦେଇପାରିବେ। ଅଧିକ ବିଳମ୍ବ ହେବା ପୂର୍ବରୁ ଭାରତକୁ ବର୍ତ୍ତମାନ ଏହି ସମ୍ଭାବନା ପ୍ରତିହତ କରିବା ନିମିତ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ହେବ। ଡେଟାର ସ୍ଥାନୀୟକରଣ ଉଦ୍ଦେଶ୍ୟରେ କଠୋର ଆଇନ ପ୍ରଣୟନ ହେବ ଏ ଦିଗରେ ପ୍ରଥମ ପଦକ୍ଷେପ। ସମସ୍ତ ସମ୍ବେଦନଶୀଳ ଡିଜିଟାଲ୍ ସଂପତ୍ତି ଯେପରି ଦେଶ ଭିତରେ ତଥା ଦେଶର ନିୟନ୍ତ୍ରଣ ମଧ୍ୟରେ ହିଁ ଗଚ୍ଛିତ ହୋଇ ରହେ, ଏଭଳି ଆଇନ ତାହା ନିଶ୍ଚିତ କରିବା ଜରୁରି। ଏହା ବାଦ୍ ଭାରତ କୂଟନୈତିକ ସ୍ତରରେ ଉଦ୍ୟମ ଆରମ୍ଭ କରି ଏକ ଅଧିକ ସମତୁଲ ଆନ୍ତର୍ଜାତିକ ଡିଜିଟାଲ୍ ନିୟନ୍ତ୍ରଣ ବ୍ୟବସ୍ଥା ସ୍ଥାପନ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ। ‘ନାୟରା’ ଘଟଣା ଆମ ପାଇଁ ଏହି ଆହ୍ବାନ ବହନ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe