ଗଳ୍ପର ମୃତ୍ୟୁ?

Advertisment

ଦଳ ମଧ୍ୟରେ ସୃଷ୍ଟ ଗଳ୍ପରେ କୁହାଯାଇଛି ଯେ ନିର୍ବାଚନରେ ଲବ୍‌ଧ ସଫଳତାର ଏକମାତ୍ର କାରଣ ହେଉଛି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା; ସୁତରାଂ, ନେତାଙ୍କ ଦକ୍ଷତା ବା ସାଂଗଠନିକ ସାମର୍ଥ୍ୟ ଅପ୍ରାସଙ୍ଗିକ।

ଦଳ ମଧ୍ୟରେ ସୃଷ୍ଟ ଗଳ୍ପରେ କୁହାଯାଇଛି ଯେ ନିର୍ବାଚନରେ ଲବ୍‌ଧ ସଫଳତାର ଏକମାତ୍ର କାରଣ ହେଉଛି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା; ସୁତରାଂ, ନେତାଙ୍କ ଦକ୍ଷତା ବା ସାଂଗଠନିକ ସାମର୍ଥ୍ୟ ଅପ୍ରାସଙ୍ଗିକ।

samp1

ଦଳ ମଧ୍ୟରେ ସୃଷ୍ଟ ଗଳ୍ପରେ କୁହାଯାଇଛି ଯେ ନିର୍ବାଚନରେ ଲବ୍‌ଧ ସଫଳତାର ଏକମାତ୍ର କାରଣ ହେଉଛି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା; ସୁତରାଂ, ନେତାଙ୍କ ଦକ୍ଷତା ବା ସାଂଗଠନିକ ସାମର୍ଥ୍ୟ ଅପ୍ରାସଙ୍ଗିକ। କହିବା ବାହୁଲ୍ୟ ଯେ ଅନେକ ପୁରୁଖା ଓ ସମର୍ଥ ନେତା ଏହି ଗଳ୍ପକୁ ସଂପୂର୍ଣ୍ଣ ବିଶ୍ବାସ କରି ‘କ୍ଳୀବତ୍ବ’ର ଶିକାର ‌େହାଇଛନ୍ତି ଏବଂ ପରବର୍ତ୍ତୀ ନିର୍ବାଚନ ବେଳକୁ ଟିକେଟ ପାଇବା ନେଇ ଶଙ୍କାଗ୍ରସ୍ତ ରହି ‘ଜୀ ହଜୁର’ ବୋଲି କହିବାରେ ବ୍ୟାପୃତ ହୋଇଛନ୍ତି ସିନା, ଗଳ୍ପଗୁଡ଼ିକ ‘ଗୁଲି’ ବା ‘ଗାଲୁ’ ବୋଲି ପ୍ରଶ୍ନ କରିପାରି ନାହାନ୍ତି।

ବର୍ତ୍ତମାନ ବିଜୁ ଜନତା ଦଳ ବା ବି.ଜେ.ଡି.ରେ ଦେଖା ଦେଇଥିବା ବିବାଦକୁ ନେଇ ରାଜ୍ୟର ଗଣମାଧ୍ୟମ ଓ ଲୋକକ୍ଷେତ୍ରରେ ସଘନ ଚର୍ଚ୍ଚା ଚାଲିଥିବା ବେଳେ ଏହି ଦଳର ଜନ୍ମ, ଅତି ଶୀଘ୍ର ଅତୁଳନୀୟ ଉଚ୍ଚତା ସ୍ପର୍ଶ ଏବଂ ଅପ୍ରତ୍ୟାଶିତ ଭାବେ ପତନଶୀଳ ହୋଇଯିବା ଭଳି ଦୃଶ୍ୟପଟ ଏକ ବିଶେଷ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ। ସେହି ଦୃଷ୍ଟିରୁ ୧୯୯୭ ମସିହାରେ ସଂପୂର୍ଣ୍ଣ ଶୂନ୍ୟତା ମଧ୍ୟରୁ ଆବିର୍ଭୂତ ହୋଇଥିବା ଏହି ଦଳର ଚରିତ୍ର, ଗୁଣବତ୍ତା ଓ ପ୍ରଦର୍ଶନ ଇତ୍ୟାଦି ଏକ ପରୀକ୍ଷାଗାରୀୟ ନିରୀକ୍ଷଣର ବିଷୟବସ୍ତୁ ବୋଲି ମଧ୍ୟ ଅନେକ ରାଜନୈତିକ ବିଶେଷଜ୍ଞ ମତ ପ୍ରଦାନ କରିଥାଆନ୍ତି।
ତେବେ, ପ୍ରାରମ୍ଭରୁ କହି ରଖିବା ଉଚିତ ଯେ ସାଂପ୍ରତିକ ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ତହିଁରେ ରାଜନୈତିକ ଦଳ ଓ ନେତାମାନଙ୍କ ଭୂମିକା ତଥା ଆଭିମୁଖ୍ୟ ପରିପ୍ରେକ୍ଷୀରେ ପ୍ରସିଦ୍ଧ ବିଦ୍ବାନ, ଲେଖକ ଓ ଚିନ୍ତକ ୟୋଭାଲ ନୋଆ ହାରାରିଙ୍କ ଗଭୀର ଅନ୍ତର୍ଦୃଷ୍ଟି-ସଂପନ୍ନ ବିବେଚନାକୁ ମୂଳ ଆଧାର ଭାବେ ବ୍ୟବହାର କରାଯାଇଛି। ପ୍ରକାଶ ଥାଉ କି ଇସ୍ରାଏଲର ହିବ୍ର୍ୟୁ ବିଶ୍ବବିଦ୍ୟାଳୟରେ ଇତିହାସ ଅଧ୍ୟାପନା କରୁଥିବା ପ୍ରଫେସର ହାରାରିଙ୍କ ପୁସ୍ତକ ‘ସେପିଏନ୍‌ସ’ ପାଠ କରି ତହିଁରେ ଥିବା ଅନୁଶୀଳନ, ତର୍ଜମା ଓ ନିଷ୍କର୍ଷର ମୌଳିକତା ଦ୍ବାରା ସମଗ୍ର ପୃଥିବୀ ଚକିତ ହୋଇ ସାରିଛି। ହାରାରି କହିଥାଆନ୍ତି ଯେ ଏକ ଆଦର୍ଶ ଗଣତନ୍ତ୍ର ବିଶ୍ବାସର ଭିତ୍ତି ଉପରେ ଦଣ୍ଡାୟମାନ ହୋଇଥାଏ, ଯେଉଁ ବ୍ୟବସ୍ଥାରେ ଦଳେ ଲୋକ ଏହି ବିଶ୍ବାସରେ କୌଣସି ‘ବ୍ୟକ୍ତି’ ବା ‘ଗୋଷ୍ଠୀ’କୁ ଏକ ନିର୍ଦ୍ଦିଷ୍ଟ ସମୟ ସକାଶେ କ୍ଷମତା ଅର୍ପଣ କରନ୍ତି ଯେ କ୍ଷମତା ପ୍ରାପ୍ତ ହୋଇଥିବା ‘ବ୍ୟକ୍ତି’ ବା ‘ଗୋଷ୍ଠୀ’ ତାହାର ଯଥାର୍ଥ ଉପଯୋଗ କରି ସେହି ନିର୍ଦ୍ଦିଷ୍ଟ ସମୟ ସୀମା ପରେ ତାହା ସେମାନଙ୍କୁ ପୁଣି ଫେରସ୍ତ ଦେବେ, ଯଦ୍ଦ୍ବାରା ପୁନର୍ବାର ସେହି କ୍ଷମତା ଅନ୍ୟକୁ ଅର୍ପଣ କରିବାର ପ୍ରକ୍ରିୟା ଆରମ୍ଭ ହେବ। ପୂର୍ବରୁ କ୍ଷମତା ଲାଭ କରିଥିବା ପକ୍ଷ ଯଦି କ୍ଷମତାର ସୁଉପଯୋଗ କରିଥାଆନ୍ତି, ତେବେ ସେମାନଙ୍କ ନିକଟକୁ କ୍ଷମତା ପୁଣି ପ୍ରତ୍ୟାବର୍ତ୍ତନ କରିପାରେ, ନଚେତ୍‌ ତାହା ଅନ୍ୟ ‘ବ୍ୟକ୍ତିି’ ବା ‘ଗୋଷ୍ଠୀ’ ନିକଟକୁ ଚାଲି ଯାଇଥାଏ। ହାରାରି କହନ୍ତି ଯେ ଗଣତନ୍ତ୍ରର ଏହି ଆଦର୍ଶକୁ ଦୂରେଇ ଦେଇଥିବା ସାଂପ୍ରତିକ ଗଣତନ୍ତ୍ରରେ କ୍ଷମତାପ୍ରାପ୍ତ ବ୍ୟକ୍ତି ବା ଗୋଷ୍ଠୀ କୌଣସିମତେ ତାହା ହରାଇବାକୁ ଚାହୁଁନାହିଁ; ସୁତରାଂ, ସେହି କ୍ଷମତାର ବ୍ୟବହାର କରି ଅଧିକରୁ ଅଧିକ କ୍ଷମତା ଆହରଣ କରିବାର ଉଦ୍ୟମ ଓ କୌଶଳ କରାଯାଉଛି। ହାରାରି କହନ୍ତି ଯେ ତାହା କରିବାର ଏକ ଅକାଟ୍ୟ କୌଶଳ ହେଉଛି ‘ଗଳ୍ପ’ (ଆଖ୍ୟାନ)ର ସୃଷ୍ଟି; ଯଦ୍ଦ୍ବାରା ଅତି ଚତୁରତାର ସହିତ ଜନ-ଧାରଣାକୁ ପ୍ରଭାବିତ, ଏପରିକି ବିଭ୍ରାନ୍ତ କରିଦିଆଯାଇପାରେ, କେହି ଠଉରାଇ ନ ପାରିଲା ଭଳି ଉପାୟରେ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ଅପଭ୍ରଂଶ ଘଟାଇ ଦିଆଯାଇପାରେ ଏବଂ ଅତି ଆବଶ୍ୟକ ବୋଲି ଦର୍ଶାଇ ଭୀତି ସଂଚାର ମଧ୍ୟ କରାଯାଇପାରେ। କହିବା ବାହୁଲ୍ୟ, ଏଭଳି ‘ଗଳ୍ପ’ମାନ ହୃଦୟସ୍ପର୍ଶୀ, ବିଶ୍ବସନୀୟ ଓ ଅନେକ ସମୟ‌େର ‘ମସ୍ତିଷ୍କ-ଶୋଧନକାରୀ’ ହୋଇଥାଆନ୍ତି। ଏହି ପ୍ରକ୍ରିୟାର ଦୁଇଟି ପାର୍ଶ୍ବ ପ୍ରଭାବ ରହିଛି; ପ୍ରଥମଟି ହେଲା ନିର୍ବାଚନ ମାଧ୍ୟମରେ କ୍ଷମତା ଅର୍ପଣ କରୁଥିବା ବର୍ଗ ଗଳ୍ପ ସମ୍ମୋହିତ ହୋଇ ସ୍ପଷ୍ଟ ଚିନ୍ତନ ଓ ଦୃଷ୍ଟି ହରାଇ ବସନ୍ତି ଏବଂ ଦ୍ବିତୀୟଟି ହେଲା ଗଳ୍ପ ସୃଷ୍ଟିରେ ପ୍ରବୃତ୍ତ କ୍ଷମତାଧାରୀମାନେ ଅବଲୀଳା କ୍ରମେ ବାସ୍ତବତା ବା ବସ୍ତୁସ୍ଥିତି ବା ହାରାରିଙ୍କ ଭାଷାରେ ‘ସତ୍ୟ’ (ଟ୍ରୁଥ୍‌) ସହିତ ସଂପୃକ୍ତି ହରାନ୍ତି। ହାରାରିଙ୍କ ଭାଷାରେ ଏଭଳି ସ୍ଥିତି ନିର୍ବାଚନ ଆଧାରିତ ଏକଛତ୍ରବାଦ ଆଡ଼କୁ ପଥ ଉନ୍ମୁକ୍ତ କରିଥାଏ। 
ଏବେ ବି.ଜେ.ଡି. ଉପରେ ହାରାରିଙ୍କ ଚିନ୍ତନର ଆଲୋକ ପଡୁ। ଏଥିରୁ ଦିଶିଥାଏ କିଭଳି ଓଡ଼ିଶା ରାଜନୀତିରେ ଅଚାନକ ଆବିର୍ଭୂତ ହୋଇଥିବା ବି.ଜେ.ଡି. ଓ ତା’ର ନେତା ନବୀନ ପଟ୍ଟନାୟକଙ୍କୁ ଘେନି ମଧ୍ୟ ଅନେକ ‘ଗଳ୍ପ’ ସୃଷ୍ଟି ହୋଇଥିଲେ। ସେ ସବୁ ଗଳ୍ପର ଉପାଦାନମାନ ଥିଲେ ଏହି ଭଳି: ‘ଜଣେ କୁଣ୍ଠିତ ରାଜନେତା’, ‘ଅବିବାହିତ, ତେଣୁ, ଲାଳସା ଓ ପ୍ରଲୋଭନ ମୁକ୍ତ’, ‘ତାଙ୍କ ସଂପତ୍ତି ବୋଇଲେ ହଳେ ସଫେଦ ଟ୍ରାଉଜର ଓ ପଞ୍ଜାବୀ ସହିତ ଏକ ହଳ ଚପଲ,’ ‘ନିରାଡ଼ମ୍ବର ବୈରାଗୀ’, ‘ଦୁର୍ନୀତି ପ୍ରତି ଚରମ ଅସହିଷ୍ଣୁ’, ‘ସ୍ବଳ୍ପ ଭାଷୀ’, ‘ଦରଦୀ ଓ ଜନାଭିମୁଖୀ’, ‘ଏକମାତ୍ର ଲକ୍ଷ୍ୟ ବିଜୁଙ୍କ ଅଧୁରା ସ୍ବପ୍ନର ପୂରଣ’ ଇତ୍ୟାଦି। ଏହି ‘ଗଳ୍ପ’ଗୁଡ଼ିକୁ ବିଶ୍ବାସଯୋଗ୍ୟ କରାଇବା ଲାଗି ପ୍ରାରମ୍ଭରୁ ଏବଂ ସମୟ ଅନ୍ତରାଳରେ ଅନେକ ବରିଷ୍ଠ ନେତାଙ୍କୁ ଅତର୍କିତ ଭାବେ ବିନା କୌଣସି ନିର୍ଦ୍ଦିଷ୍ଟ କାରଣ‌ ଦର୍ଶାଇ ଅପସାରଣ କରାଯାଇଛି, ଅଥଚ ଧାରଣା ସୃଷ୍ଟି ହୋଇଛି ଯେ ଦୁର୍ନୀତି ବା ଦଳ ପ୍ରତି ବିଶ୍ବାସଘାତ ହେତୁ ସେମାନେ ବହିଷ୍କୃତ; ଅସଂଖ୍ୟ ମାଗଣା ଓ ରିହାତି ଯୋଜନା ରୂପ ପାଇ ‘ଦରଦୀ ହୃଦୟ’ର ଗଳ୍ପକୁ ଦୋରସ୍ତ କରିଛି, ‘ସ୍ବଳ୍ପ ଭାଷୀ’ ଓ ‘କୁଣ୍ଠିତ ରାଜନେତା’ ଭଳି ଗଳ୍ପର ଉପାଦାନ ମିଶିଯାଇ ଜନ ପ୍ରତିନିଧିମାନଙ୍କ ଠାରୁ ମୁଖ୍ୟ ନେତା ଅଲଂଘ୍ୟ ଦୂରରେ ରହିବା ଭଳି ବିଷୟକୁ ଯଥାର୍ଥତା‌ ପ୍ରଦାନ କରିଛି। ଅପର ପକ୍ଷରେ ଦଳ ମଧ୍ୟରେ ସୃଷ୍ଟ ଗଳ୍ପରେ କୁହାଯାଇଛି ଯେ ନିର୍ବାଚନରେ ଲବ୍‌ଧ ସଫଳତାର ଏକମାତ୍ର କାରଣ ହେଉଛି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା; ସୁତରାଂ, ନେତାଙ୍କ ଦକ୍ଷତା ବା ସାଂଗଠନିକ ସାମର୍ଥ୍ୟ ଅପ୍ରାସଙ୍ଗିକ। କହିବା ବାହୁଲ୍ୟ ଯେ ଅନେକ ପୁରୁଖା ଓ ସମର୍ଥ ନେତା ଏହି ଗଳ୍ପକୁ ସଂପୂର୍ଣ୍ଣ ବିଶ୍ବାସ କରି ‘କ୍ଳୀବତ୍ବ’ର ଶିକାର ‌େହାଇଛନ୍ତି ଏବଂ ପରବର୍ତ୍ତୀ ନିର୍ବାଚନ ବେଳକୁ ଟିକେଟ ପାଇବା ନେଇ ଶଙ୍କାଗ୍ରସ୍ତ ରହି ‘ଜୀ ହଜୁର’ ବୋଲି କହିବାରେ ବ୍ୟାପୃତ ହୋଇଛନ୍ତି ସିନା, ଗଳ୍ପଗୁଡ଼ିକ ‘ଗୁଲି’ ବା ‘ଗାଲୁ’ ବୋଲି ପ୍ରଶ୍ନ କରିପାରି ନାହାନ୍ତି। 
କହିବା ଅନାବଶ୍ୟକ ଯେ ଗହନ ଗଳ୍ପର ଏଭଳି ପରିବେଶରେ ‘କୁଣ୍ଠିତ ରାଜନେତା’ଙ୍କ ସକାଶେ ‘ଦ୍ବିତୀୟ କ୍ଷମତା କେନ୍ଦ୍ର’ର ଆବିର୍ଭାବ ଘଟିବା ଏବଂ ଗର୍ଭଗୃହସ୍ଥ ଈଶ୍ବରଙ୍କ ପ୍ରତିନିଧିତ୍ବ କରି ସେ କ୍ଷମତାଧାରୀ ଜଣକ ‘ଚଳନ୍ତି ପ୍ରତିମା’ ଭଳି ଆତଯାତ ହେବା ମଧ୍ୟ ସ୍ବାଭା‌ବିକ ଭଳି ଦିଶିଛି। ଏହି ‘ଚଳନ୍ତି ପ୍ରତିମା’, ଅତ୍ୟୁତ୍ସାହୀ ଅଣଓଡ଼ିଆ ଆଇ.ଏ.ଏସ. (ନାମ ସମସ୍ତଙ୍କ ମୁହଁରେ, ତେଣୁ ଉଲ୍ଲେଖ ଅନାବଶ୍ୟକ), ‘ବ୍ୟୁରୋକ୍ରାସି’ ବା ‘ପ୍ରଶାସନ କଳ’କୁ ବି.ଜେ.ଡି. ଦଳର ଗୋଟିଏ ଏଜେନ୍‌ସିରେ ପରିଣତ କରି ଦେଇଥିଲେ ବି ପ୍ରତିବାଦ ଶୁଭିନାହିଁ। ‘କଳ’ ବା ‘ମେସିନେରି’ଗୁଡ଼ିକ ଶକ୍ତିର ଅଧିକାରୀ ହୋଇଥିଲେ ହେଁ ‘ନିଜତ୍ବ’ ନ ଥିବାରୁ ସେଗୁଡ଼ିକ ବ୍ୟବହାରକାରୀର ଦାସ ହୁଅନ୍ତି ବୋଲି ବୁଝିଥିବା ଏହି ଆଇ.ଏ.ଏସ. ଅଧିକାରୀ ଜଣକ ଶାସନ ‘କଳ’କୁ ଦଳୀୟ ଯନ୍ତ୍ରରେ ପରିଣତ କରିବା ସହିତ ଅମାପ କ୍ଷମତା ଠୁଳ କରିଛନ୍ତି ସତ, କିନ୍ତୁ ତା’ ବିରୋଧରେ ପ୍ରଶ୍ନ ଉଠିନାହିଁ। ଏହି କାରଣରୁ ରାଜ୍ୟରେ ଅନେକ ଗଣତାନ୍ତ୍ରିକ ଅନୁଷ୍ଠାନର ମାନ୍ୟତା ଭୂଲୁଣ୍ଠିତ ହୋଇଛି, ଅନେକ ବ୍ୟବସ୍ଥାଗତ ବିଭ୍ରାଟ ମଧ୍ୟ ଦେଖାଦେଇଛି; କିନ୍ତୁ ବିଡ଼ମ୍ବନା ହେଲା, ସେ ସବୁ ରାଜ୍ୟର ହିତ ସକାଶେ ଉଦ୍ଦିଷ୍ଟ ବୋଲି ନୂଆ‌ ଗଳ୍ପମାନର ସୃଷ୍ଟି ହୋଇଛି। 
କହିବା ବାହୁଲ୍ୟ ଯେ ଏଭଳି ଗଳ୍ପ ବିମୋହିତ ପରିବେଶରେ ‘ସତ୍ୟ’ ବା ‘ବାସ୍ତବତା’ ସହିତ ସଂପୃକ୍ତ ହରାଇଥିବା ସମସ୍ତଙ୍କ ତନ୍ଦ୍ରାଭଙ୍ଗ ହୁଏତ ଘଟି ନ ଥାଆନ୍ତା, ଯଦି ପ୍ରଥମ ପ୍ରହାର ଏହି ସମ୍ବାଦପତ୍ରର ପ୍ରଥମ ପୃଷ୍ଠାର ସଂପାଦକୀୟ ସ୍ତମ୍ଭ ‘ଆମ ଘର ହାଲଚାଲ’ରେ ପ୍ରକାଶିତ ତତ୍କାଳୀନ ସଂପାଦକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଦ୍ବାରା ଲିଖିତ ଦୁଇଟି ଆଲେଖ୍ୟ ମାଧ୍ୟମରେ ପଡ଼ି ନ ଥାଆନ୍ତା! ସେହି ଲେଖାର ପ୍ରକାଶନ ଓ ତା‌’ ପରବର୍ତ୍ତୀ ଘଟଣାବଳୀ କିଭଳି ରାଜନୈତିକ ପଟ ପରିବର୍ତ୍ତନର ପଥ ପରିଷ୍କାର କରିଥିଲା, ତାହା ସୁବିଦିତ। କିନ୍ତୁ ବଡ଼ କଥାଟି ହେଲା, ସଂପାଦକଙ୍କ ପ୍ରଶ୍ନ ସହିତ ‘ଗଳ୍ପ’ଗୁଡ଼ିକର ମୃତ୍ୟୁ ଘଟିବା ମଧ୍ୟ ଆରମ୍ଭ ହୋଇଥିଲା!
ଏବେ ଏହି ସଂଦର୍ଭରେ ପିଲା ଦିନେ ପଢ଼ିଥିବା ଏକ ପର୍ତ୍ତୁଗୀଜ ଲୋକକଥା ମନେ ପଡ଼ିଯାଏ। ଥରେ ଦଳେ ବଳଦ ସେମାନଙ୍କ ଦଳପତିର ଅତ୍ୟାଚାରରେ ଅତିଷ୍ଠ ହୋଇ ତାକୁ ଶିଙ୍ଗରେ ଭୁଷି ଲହୁଲୁହାଣ କରିବାର ମସୁଧା କରନ୍ତି। ପାଖରେ ବସି ଏହା ଶୁଣୁଥିବା ବୃଦ୍ଧ ବଳଦ କିନ୍ତୁ ଚେତାଇ ଦିଏ, ‘ଭୁଲିଯାଅ ନାହିଁ ଯେ ତୁମ ଶିଙ୍ଗଠାରୁ ଦଳପତିର ଶିଙ୍ଗ ଅଧିକ ଟାଣ ଓ ମୁନିଆ।’ ଏଥିରେ ବଦଳମାନେ ଅସହାୟ ଦିଶିବାରୁ ପ୍ରବୁଦ୍ଧ ବଳଦ କହେ, ‘କିଛି ଲାଭ ନାହିଁ। ଆସ ମୋ ପାଖ‌େର ବସି ପାକୁଳି କର।’ ୟୋଭାଲ ନୋଆ ହାରାରିଙ୍କ ଚିନ୍ତନର ଆଲୋକରେ ଦେଖିଲେ ଏବେ ବୁଝି ହେଉଛି ଯେ ଦଳପତିର ଶିଙ୍ଗକୁ ନେଇ ଗଳ୍ପଟିଏ ସୃଷ୍ଟି ହୋଇଥିବ ବୋଲି ଶିଙ୍ଗ ଥିବା ସତ୍ତ୍ବେ ବଳଦଗୁଡ଼ିକ ନିରୁପାୟ ଦିଶିଲେ। କହିବା ବାହୁଲ୍ୟ ଏଭଳି ‘କ୍ଳୀବତ୍ବ’ ଦୂର ହେବା ଲାଗି ଗଳ୍ପଗୁଡ଼ିକର ମୃତ୍ୟୁ ଘଟିବା ଆବଶ୍ୟକ, ନଚେତ ବଳଦଙ୍କ ଦଳ ସକାଶେ ନିସ୍ତାରର ଅନ୍ୟ କୌଣସି ବାଟ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe