ରାଷ୍ଟ୍ରର ଯାତ୍ରା ପଥ

Advertisment
ବିଡ଼ମ୍ବନା

Twitter

ଏକ ସଂପୂର୍ଣ୍ଣ ବିକଶିତ ରାଷ୍ଟ୍ର ହେବା ଦିଗରେ ଭାରତର ଯାତ୍ରା ୨୦୪୭ ମସିହାରେ ଅନ୍ତିିମ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବ ବୋଲି ଆମେ ଆଶା କରିବା ଉଚିତ। ତେବେ, ୨୦୪୭ ମସିହାରେ ହେଉ ବା ତା’ ପୂର୍ବରୁ ଅଥବା ତା’ ପରେ, ଭାରତ ଯଦି ଏକ ବୈଷମ୍ୟମୁକ୍ତ ସଂପୂର୍ଣ୍ଣ ବିକାଶିତ ରାଷ୍ଟ୍ରରେ ପରିଣତ ହୁଏ, ତେବେ ହୁଏତ ଲାଲକିଲ୍ଲା ଉପରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଆଉ ଦୀର୍ଘ ଭାଷଣ ଭାସି ଆସି ନ ପାରେ! ଏଭଳି ଏକ ସଫଳ ରାଷ୍ଟ୍ର ଓ ରାଷ୍ଟ୍ରବାସୀଙ୍କ ସକାଶେ କୃତଜ୍ଞତାଭରା ଏହି ଗୋଟିଏ ମାତ୍ର ଶବ୍ଦ ଯଥେଷ୍ଟ- ‘ଧନ୍ୟବାଦ’।

ସ୍ବାଧୀନତା ଦିବସ ପାଳନ ଅବସରରେ ଦିଲ୍ଲୀର ଲାଲକିଲ୍ଲା ଉପରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଦତ୍ତ ଭାଷଣ ଦ୍ବାରା ସ୍ଥାପିତ ଏକ ‘କୀର୍ତ୍ତିମାନ’ (ପଣ୍ଡିତ ଜୱାହରଲାଲ ନେହରୁଙ୍କ ପରେ କ୍ରମାନ୍ବୟେ ଏଗାର ଥର ଏଭଳି ଭାଷଣ ପ୍ରଦାନ କରିଥିବା ଦ୍ବିତୀୟ ପ୍ରଧାନମନ୍ତ୍ରୀ) ସହିତ ଆଉ ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଲା ତୃତୀୟ ପାଳିରେ କ୍ଷମତାରୂଢ଼ ହେବା ପରେ ଏହା ହେଉଛି ସ୍ବାଧୀନତା ଦିବସ ଉପଲକ୍ଷେ ତାଙ୍କର ପ୍ରଥମ ଅଭିଭାଷଣ। ଏହି ଦୃଷ୍ଟିରୁ ୨୦୧୪ ଓ ୨୦୧୯ ମସିହାରେ ତାଙ୍କ ଦ୍ବାରା ପ୍ରଦତ୍ତ ଭାଷଣଦ୍ବୟ ବିଶେଷ ପ୍ରଣିଧାନଯୋଗ୍ୟ ଥିଲା, କାରଣ ପରବର୍ତ୍ତୀ ପାଞ୍ଚ ବର୍ଷର ଶାସନର ମଙ୍ଗ କେଉଁ ଦିଗକୁ ମୋଡ଼ିପାରେ, ତା’ର ଏକ ଆଭାସ ତହିଁରୁ ମିଳିଥିଲା। ସେହି ପରିପ୍ରେକ୍ଷୀରେ ଏହି ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ପ୍ରଦତ୍ତ ଭାଷଣ ମଧ୍ୟ ମହତ୍ତ୍ବପୂର୍ଣ୍ଣ, ଯାହାର କ୍ଷୁଦ୍ର ତର୍ଜମା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ବରିଷ୍ଠ ସାମ୍ବାଦିକ ଓ ଖ୍ୟାତିସଂପନ୍ନ ସଂପାଦକ ଶେଖର ଗୁପ୍ତା ୨୦୧୪, ୨୦୧୯ ଓ ୨୦୨୪ ମସିହାର ଭାଷଣଗୁଡ଼ିକରେ ତିନି ପ୍ରକାର ଭାବଧାରା ଠଉରାଇ ଥାଆନ୍ତି; ଯେମିତି କି ୨୦୧୪ ମସିହାରେ ଏକକ ସଂଖ୍ୟାଗରିଷ୍ଠତା ସହିତ କ୍ଷମତାସୀନ ହେବାର ପ୍ରଥମ ଅନୁଭୂତି ହେତୁ ସୃଷ୍ଟ ଉଲ୍ଲାସଭରା ମନୋଭାବ ଏବଂ ‘ଅଚ୍ଛେ ଦିନ’ର ପ୍ରତିଶ୍ରୁତି ପୂରଣ ସକାଶେ ନୂଆ ଯୋଜନା ଓ ନୀତିର ବର୍ଷା, ଯହିଁରେ ଲାଲକିଲ୍ଲା ଉପରୁ ଜନ ଧନ ଯୋଜନା, ସ୍ବଚ୍ଛ ଭାରତ ଅଭିଯାନ, ଆଦର୍ଶ ଗ୍ରାମ ଯୋଜନା, ମେକ୍‌ ଇନ୍‌ ଇଣ୍ଡିଆ, ସ୍କିଲ୍‌ ଇଣ୍ଡିଆ, ନିତି ଆୟୋଗର ଗଠନ ଇତ୍ୟାଦି ଶ୍ରୁତିଗୋଚର ହୋଇଥିଲା। ୨୦୧୯ ମସିହାରେ ପୁଲୱାମା ଟ୍ରାଜେଡି ଓ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ୍‌ ପୃଷ୍ଠଭୂମିରେ ଅନୁଷ୍ଠିତ ନିର୍ବାଚନରେ ପୂର୍ବାପେକ୍ଷା ମିଳିଥିବା ଅଧିକ ସଫଳତା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଲାଲକିଲ୍ଲା ଭାଷଣରେ ରାଷ୍ଟ୍ରୀୟ ସୁରକ୍ଷା ଅଧିକ ଧ୍ୟାନର ‌େକନ୍ଦ୍ରରେ ରହିଥିଲା। ସେହି ଦୃଷ୍ଟିରୁ ୨୦୨୪ ମସିହାର ଅଭିଭାଷଣକୁ ସ୍ବପ୍ନାଭିଳାଷୀ ଅଥଚ ଉଚ୍ଚାଟଶୂନ୍ୟ ରୂପେ ଦେଖାଯାଇପାରେ, ଯହିଁରେ ୨୦୪୭ ମସିହାରେ ଭାରତକୁ ଏକ ସଂପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଆକାଂକ୍ଷା ବିଦ୍ୟମାନ। ଏହି ଅଭିଭାଷଣରେ ନିର୍ଦ୍ଦିଷ୍ଟ ରୂପେ ଯୁବ ବର୍ଗ ସକାଶେ ଆଶା ଓ ସ୍ବପ୍ନ ସଂଚାରର ଉଦ୍ଦେଶ୍ୟ ନିହିତ ଅଛି। ବିଶିଷ୍ଟ ରାଜନୈତିକ ସମୀକ୍ଷକ ଡି. କେ. ସିଂହଙ୍କ ଗଣତି କହିଥାଏ ଯେ ତାଙ୍କର ଏହି ଅଭିଭାଷଣରେ ପ୍ରଧାମମନ୍ତ୍ରୀ ୨୫ ଥର ଯୁବା, ୧୭ ଥର ଦକ୍ଷତା ଓ ୧୫ ଥର ନିଯୁକ୍ତି ଭଳି ଶବ୍ଦର ବ୍ୟବହାର କରିଛନ୍ତି, ଯହିଁରୁ ଏହା ସ୍ପଷ୍ଟ ଯେ ତରୁଣ ବର୍ଗ ଅଭିଭାଷଣରେ ଅଧିକ ମହତ୍ତ୍ବ ଲାଭ କରିଛନ୍ତି, ଯେଉଁମାନେ ୨୦୪୭ ମସିହା ବେଳକୁ ମଧ୍ୟ ବା ଉତ୍ତର ବା ଉତ୍ତୀର୍ଣ୍ଣ ତାରୁଣ୍ୟରେ ଥିବେ! ଏହା ସହିତ ଭାଷଣରେ ଶୁଣିବାକୁ ମିଳିଥିଲା ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ବା ପ୍ରଧାନମନ୍ତ୍ରୀଙ୍କ ଭାଷାରେ ‘ଧର୍ମ ନିରପେକ୍ଷ କୋଡ୍‌’ର ପ୍ରଚଳନ, ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ଭଳି ଅବଧାରଣାର ଗୁରୁତ୍ବ, ଭ୍ରଷ୍ଟାଚାରରୁ ମୁକ୍ତି ସକାଶେ ଦୁର୍ନୀତିଗ୍ରସ୍ତଙ୍କ ଲାଗି ଇ.ଡି. ଓ ସି.ବି.ଆଇ. ଆଦି ମାଧ୍ୟମରେ ଭୟପୂର୍ଣ୍ଣ ବାତାବରଣର ଯାଥାର୍ଥ୍ୟ, ଭାରତକୁ ଦୁର୍ବଳ ଓ ଖର୍ବକାୟ କରିବାର କେତେକ ବିଦେଶୀ ଶକ୍ତି ଏବଂ ଦେଶୀ ଚକ୍ରାନ୍ତକାରୀଙ୍କ ଅଭିସନ୍ଧି, ବଂଶବାଦ ରାଜନୀତିର ବର୍ଜନ ଇତ୍ୟାଦି ଭଳି ଅନେକ ପ୍ରସଙ୍ଗ। କିନ୍ତୁ ତାଙ୍କ ସ୍ବର ସ୍ଫୁଲିଙ୍ଗଶୂନ୍ୟ ଥିଲା, ଯାହାର କାରଣ ହୁଏତ ହୋଇଥିବ ଆାଶାନୁରୂପକ ସଂଖ୍ୟକ ଆସନ ଜିଣି ନ ପାରି ସହଯୋଗୀ ଦଳଗୁଡ଼ିକ ଉପରେ ନିର୍ଭରଶୀଳ ହୋଇ ମେଣ୍ଟ ସରକାର ଗଢ଼ିଥିବାର ବାସ୍ତବତା!
ଚଳିତ ବର୍ଷ ଭାରତ ତା’ର ୭୮ତମ ସ୍ବାଧୀନତା ଦିବସ ପାଳନ କରୁଛି। ତେବେ, ଏହି ନବଜାତ ରାଷ୍ଟ୍ରର ଜନ୍ମ ବେଳାରେ କୋଷ୍ଠୀ ଗଣକ ଓ ବିଭୀଷିକାର ଭବିଷ୍ୟଦ୍ରଷ୍ଟାମାନେ ଏହାର ଭବିଷ୍ୟତ୍‌ ନେଇ ଯେଉଁ ସଂଶୟ ଓ ସନ୍ଦେହ ପ୍ରକାଶ କରିଥିଲେ ତାହା ଯେ ଇତିମଧ୍ୟରେ ଅହେତୁକ ସାବ୍ୟସ୍ତ ହୋଇସାରିଛି, ତାହା କହିବା ବାହୁଲ୍ୟ ମାତ୍ର! ସ୍ବାଧୀନତା ଲାଭର ଉଚ୍ଛ୍ବାସ ଏବଂ ଦେଶ ବିଭାଜନ ଓ ତଜ୍ଜନିତ ଭୟାବହ ଦଙ୍ଗାର କରୁଣତାରେ ଯେଉଁ ରାହୁଗ୍ରସ୍ତ ମଧ୍ୟାହ୍ନ ଉପନୀତ ହୋଇଥିଲା, ତହିଁରେ ଇଂଲାଣ୍ଡର ୱିନଷ୍ଟନ ଚର୍ଚ୍ଚିଲ ଓ ଆମେରିକାର ହାରି ଟ୍ରୁମାନଙ୍କ ଭଳି ରାଷ୍ଟ୍ରନୀତିଜ୍ଞମାନେ ସ୍ବାଧୀନ ଭାରତର ଅସ୍ତିତ୍ବକୁ ନେଇ ମଧ୍ୟ ଘୋର ସନ୍ଦିହାନ ହୋଇ ଉଠିଥିଲେ। ଏକ ଦରିଦ୍ର, ଅଶିକ୍ଷିତ, ରକ୍ଷଣଶୀଳ, ଜାତିବାଦୀ, ସଂପ୍ରଦାୟ ଓ ସଂସ୍କୃତିଗତ ବିବିଧତା ତଥା ବିଦ୍ବେଷ ବିଜଡ଼ିତ ଏକ ଅଣ-ଶ୍ବେତାଙ୍ଗ ରାଷ୍ଟ୍ରରେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ପ୍ରଚଳିତ ହେବା ଭଳି ପରିପକ୍ବତା ନାହିଁ ବୋଲି ସେଭଳି ପାଶ୍ଚାତ୍ୟ ଧାରଣା ଏବେ ଭ୍ରାନ୍ତ ବୋଲି ପ୍ରତିପାଦିତ। ଭାରତ ସଂପ୍ରତି ପୃଥିବୀର ବୃହତ୍ତମ ଗଣତନ୍ତ୍ର ଓ ତୃତୀୟ ବୃହତ୍ତମ ଅର୍ଥନୀତି ଭାବେ ଉଭା ଯେଉଁଠି ଅଠରଟି ଜାତୀୟ ନିର୍ବାଚନ ଏବଂ ଅସଂଖ୍ୟ ରାଜ୍ୟ ଓ ତୃଣମୂଳ ସ୍ତରୀୟ ନିର୍ବାଚନମାନ ନିୟମିତ ଭାବେ ସମାହିତ ହୋଇ ଅତ୍ୟନ୍ତ ସାବଲୀଳ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଦେଖି ଚାଲିଛି; ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ରାଜନୈତିକ ବିରୋଧ ଏପରିକି ତିକ୍ତତା ସତ୍ତ୍ବେ ସଂଘୀୟ ଚରିତ୍ର ବଳବତ୍ତର ରହିଛି। ବିଗତ ୭୭ ବର୍ଷର ଅବଧି ମଧ୍ୟରେ ଏହି ରାଷ୍ଟ୍ର କିଭଳି ଅଗ୍ରଗତି କରିଛି, ତାହାର ଦୃଷ୍ଟାନ୍ତ ହେଲା ସ୍ବାଧୀନତା ବେଳକୁ ଦେଶର ହାରାହାରି ଆୟୁ ୩୨ ବର୍ଷ ଥିବାବେଳେ ସଂପ୍ରତି ତାହା ୭୦ ବର୍ଷ, ସାକ୍ଷରତା ହାର ୨୦% ଥିବା ବେଳେ ସଂପ୍ରତି ତାହା ୭୭%, ବିଶ୍ବବିଦ୍ୟାଳୟ ସଂଖ୍ୟା ୨୦ ଥିବାବେଳେ ବର୍ତ୍ତମାନ ତାହା ୧୧୧୩, ବିଦେଶୀ ମୁଦ୍ରା‌ ଭଣ୍ଡାର ୧.୮୨ ବିଲିଅନ୍‌ ଡଲାର ଥିବାବେଳେ ସଂପ୍ରତି ତାହା ୬୪୮ ବିଲିଅନ୍‌ ଡଲାର, ସେହି ସମୟରେ ବିଶ୍ବ ଜି.ଡି.ପି.ରେ ଭାରତର ‌ଯୋଗଦାନ ମାତ୍ର ୩% ଥିବାବେଳେ ଏବେ ତାହା ୧୦% ଏବଂ ତତ୍କାଳୀନ ବୁଭୁକ୍ଷୁ ଭାରତ ବର୍ତ୍ତମାନ ଏକ ଖାଦ୍ୟାନ୍ନ ରପ୍ତାନିକାରୀ ବଳକା ରାଷ୍ଟ୍ର। ନବମ ଦଶକ‌େର ଆର୍ଥିକ ଦୁରବସ୍ଥାର ସ୍ତୀମିିତ ଆଲୋକରେ ପଥ ହୁଡ଼ି ନ ଯାଇ ଭାରତ ବଜାର ଅର୍ଥନୀତିର ଆଲୋକିତ ରାଜପଥରେ ଯେଉଁଭଳି ପ୍ରବେଶ କରିଥିଲା, ତାହା ଅନ୍ୟ ସମସ୍ତ ରାଷ୍ଟ୍ରଙ୍କ ସକାଶେ ଉଦାହରଣୀୟ। ଯୁଦ୍ଧ ଓ ଆତଙ୍କବାଦର ଘନଘଟା ସତ୍ତ୍ବେ ସପ୍ତମ ଦଶକରେ ଗୋଷ୍ଠୀ ନିରପେକ୍ଷ ଆଦର୍ଶ ଓ ସଂପ୍ରତି ‘ରଣନୈତିକ ସ୍ବାୟତ୍ତତା’ (ଷ୍ଟ୍ରାଟେଜିକ୍‌ ଅ‌େଟାନମି) ଆଧାରିତ ବିଦେଶ ନୀତି ଭାରତର ସାହସିକ ମୁକ୍ତ ବିଚାରର ପ୍ରମାଣ ହେବା ସହିତ ଅନେକ ରାଷ୍ଟ୍ରଙ୍କ ସକାଶେ ଅନୁକରଣୀୟ ମଧ୍ୟ ହୋଇଛି। ସୁତରାଂ, ଅନେକ କ୍ଷେତ୍ରରେ ରହିଥିବା ବିଭ୍ରାଟ ଓ ବିଚ୍ୟୁତି ସତ୍ତ୍ବେ ଏବଂ ଅନେକ କ୍ଷେତ୍ରରେ ଆଶାନୁରୂପକ ପାରଦର୍ଶିତା ଲାଭ କରି ପାରି ନ ଥିଲେ ସୁଦ୍ଧା ୧୯୪୭ ମସିହାର ଭାରତ ଭଳି ଏକ ନିଃସଙ୍ଗ ପଦାତିକର ଯାତ୍ରା ଯେ ଅନେକ ରାଷ୍ଟ୍ରଙ୍କ ସକାଶେ ଦିଗ୍‌ଦର୍ଶକ ଧ୍ରୁବତାରାରେ ପରିଣତ ହୋଇଛି, ତାହା ସ୍ବୀକାର୍ଯ୍ୟ।
ଚଳିତ ଥର ଲାଲକିଲ୍ଲା ଉପରୁ ପ୍ରଧାନମନ୍ତ୍ରୀଙ୍କ ଭାଷଣର ଅବଧି ଥିଲା ୯୮ ମିନିଟ୍‌; ଦେଢ଼ ଘଣ୍ଟାରୁ ଆଠ ମିନିଟ୍‌ ଅଧିକ, ଯାହା ଏହି ଅବସରରେ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରଦତ୍ତ ଭାଷଣ ମଧ୍ୟରେ ଦୀର୍ଘତମ। ଆଉ ମାତ୍ର ୨୩ ବର୍ଷ ପରେ ଭାରତ ଏକ ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ ହେବାର ଆଶା ସଂଦର୍ଭରେ ରାଷ୍ଟ୍ର ହାସଲ କରିଥିବା ଉପଲବ୍‌ଧି ଓ ସମ୍ମୁଖରେ ଥିବା ଆହ୍ବାନ ଆଦିକୁ ଦର୍ଶାଉଥିବା କୌଣସି ଭାଷଣ ଏଭଳି ଦୀର୍ଘ ହେବା ସ୍ବାଭାବିକ। ଏକ ସଂପୂର୍ଣ୍ଣ ବିକଶିତ ରାଷ୍ଟ୍ର ହେବା ଦିଗରେ ଭାରତର ଯାତ୍ରା ୨୦୪୭ ମସିହାରେ ଅନ୍ତିିମ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବ ବୋଲି ଆମେ ଆଶା କରିବା ଉଚିତ। ତେବେ, ୨୦୪୭ ମସିହାରେ ହେଉ ବା ତା’ ପୂର୍ବରୁ ଅଥବା ତା’ ପରେ, ଭାରତ ଯଦି ଏକ ବୈଷମ୍ୟମୁକ୍ତ ସଂପୂର୍ଣ୍ଣ ବିକାଶିତ ରାଷ୍ଟ୍ରରେ ପରିଣତ ହୁଏ, ତେବେ ହୁଏତ ଲାଲକିଲ୍ଲା ଉପରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଆଉ ଦୀର୍ଘ ଭାଷଣ ଭାସି ଆସି ନ ପାରେ! ଏଭଳି ଏକ ସଫଳ ରାଷ୍ଟ୍ର ଓ ରାଷ୍ଟ୍ରବାସୀଙ୍କ ସକାଶେ କୃତଜ୍ଞତାଭରା ଏହି ଗୋଟିଏ ମାତ୍ର ଶବ୍ଦ ଯଥେଷ୍ଟ- ‘ଧନ୍ୟବାଦ’। ସେହି ଭଳି ଦିନ ଯେତେ ଶୀଘ୍ର ଆସିବ, ସେତେ ଭଲ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe