ବୈଦ୍ୟୁତିକ ବିଜୟ

Advertisment
ବିଡ଼ମ୍ବନା

Twitter

ଗଲା ବୁଧବାର ସଂଧ୍ୟାରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିଅମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ସେମି ଫାଇନାଲ ମ୍ୟାଚ୍‌ଟି ଏକ ବିରଳ ବୈଦ୍ୟୁତିକ ଉନ୍ମାଦନା ମଧ୍ୟରେ ସମା‌ପ୍ତ ହୋଇଛି। ଚଳିତ ବିଶ୍ବକପ୍‌ ଶୃଙ୍ଖଳାରେ ଏହା ଥିଲା ପ୍ରଥମ ‘ନକ୍‌ ଆଉଟ୍‌’ ମ୍ୟାଚ୍‌; ଏବଂ ଏହା ପୂର୍ବରୁ ଲିଗ୍‌ ପର୍ଯ୍ୟାୟରେ ନଅଟି ଯାକ ମ୍ୟାଚ୍‌ରେ ଅପରାଜେୟ ରହି ଆସିଥିବା ଭାରତ ସକାଶେ କିଭଳି ଭାଗ୍ୟ ଅପେକ୍ଷା କରି ରହିଛି, ତା’କୁ ନେଇ ‘ଲ’ ଅଫ୍‌ ଏଭାରେଜ୍‌’ ବା ‘ହାରାହାରି ନିୟମ’ରେ ବିଶ୍ବାସ କରୁଥିବା ଅସଂଖ୍ୟ କ୍ରିକେଟ୍‌-ପ୍ରଶଂସକ ସାମାନ୍ୟ ସଂଶୟଗ୍ରସ୍ତ ହୋଇ ରହିଥିଲେ! ପ୍ରକାଶ ଥାଉ କି ଜିଣିବା ଏବଂ ହାରିବା କୌଣସି ଏକ ଖେଳର ଦୁଇଟି ପାର୍ଶ୍ବ ହୋଇଥିବାରୁ ‘ଲ’ ଅଫ୍‌ ଏଭାରେଜ୍‌’ର ନିୟମ (୧୭୧୩ ମସିହାରେ ଜାକବ ବର୍ନୁଲିଙ୍କ ଦ୍ବାରା ସୃଷ୍ଟ) ଅନୁସାରେ ସମତୁଲ ପ୍ରତିସ୍ପର୍ଦ୍ଧୀଙ୍କ ସହିତ ଏକାଧିକ ପ୍ରତିଦ୍ବନ୍ଦ୍ବିତାରେ ବିଜୟ ଓ ପରାଜୟର ସମ୍ଭାବନା ୫୦-୫୦ ହୋଇପାରେ! ସୁତରାଂ, ସେମାନେ ଅନ୍ଧବିଶ୍ବାସୀତୁଲ୍ୟ ଆଶଙ୍କା କରୁଥିଲେ ଯେ ଏହି ବିଶ୍ବକପ୍‌ ଶୃଙ୍ଖଳାରେ ଭାରତୀୟ କ୍ରିକେଟ୍‌ ଦଳର ନିରବଚ୍ଛିନ୍ନ ବିଜୟର ଧାରା ଏହି ଗୁରୁତ୍ବପୂର୍ଣ୍ଣ ‘ନକ୍‌ ଆଉଟ୍‌’ ପର୍ଯ୍ୟାୟରେ ବ୍ୟାହତ ହେବ ନାହିଁ ତ? କିନ୍ତୁ, ବିଜୟର ଉତ୍ତାଳ ତରଙ୍ଗ ଉପରେ ଆସୀନ ଭାରତୀୟ କ୍ରିକେଟ୍‌ ଦଳର ଉଚ୍ଚାଙ୍ଗ ପ୍ରଦର୍ଶନ ଏହି ଆଶଙ୍କାକୁ ଭ୍ରମାତ୍ମକ ବୋଲି ସାବ୍ୟସ୍ତ କରିଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ଦଳର କ୍ରୀଡ଼ା ନୈପୁଣ୍ୟର ପରାକାଷ୍ଠା ଏକ କ୍ଷୁଦ୍ର ଆଲୋଚନା ସକାଶେ ଅବକାଶ ସୃଷ୍ଟି କରିଥାଏ। ଏବଂ ତା’ ସହିତ ଏହି ମ୍ୟାଚ୍‌ ଲାଗି ସହସା ‘ପିଚ୍‌’ ପରିବର୍ତ୍ତନ ବିବାଦର ଯେଉଁ ହାଲୁକା ଧୂମପଟଳ ସୃଷ୍ଟି କରିଛି, ତାହାକୁ ଦୂର କରିବା ମଧ୍ୟ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରଥମେ ବିବାଦର ଆଲୋଚନା କରାଯାଇପାରେ, ଯାହା ‘ଡେଲି ମେଲ୍‌’ ଭଳି କେତେକ ପାଶ୍ଚାତ୍ୟ ସମ୍ବାଦପତ୍ରରେ ପ୍ରକାଶିତ ହୋଇ କହିଥିଲା ଯେ ପୂର୍ବରୁ ନିର୍ଦ୍ଧାରିତ ଓ ସେଥି ଲାଗି ସଦ୍ୟ ପ୍ରସ୍ତୁତ ‘୭’ ନମ୍ବର ପିଚ୍‌ ବଦଳରେ ‘୬’ ନମ୍ବର ପିଚ୍‌ରେ ମ୍ୟାଚ୍‌ ଖେଳାଯିବାର ନିଷ୍ପତ୍ତି କେବଳ ଅଭିସନ୍ଧିମୂଳକ ନୁହେଁ, ନିୟମ ବହିର୍ଭୂତ ମଧ୍ୟ! କାରଣ, ‘ଅାଇ.ସି.ସି.’ (ଇଣ୍ଟରନେସନାଲ କ୍ରିକେଟ୍‌ କାଉନସିଲ) ଦ୍ବାରା ନିଯୁକ୍ତ ମୁଖ୍ୟ ପରାମର୍ଶଦାତା ବା ‘କନସଲଟାଣ୍ଟ୍‌’ଙ୍କ ଅଜ୍ଞାତସାରରେ ଭାରତୀୟ ‘କ୍ୟୁରେଟର’ (ପିଚ୍‌ ପ୍ରସ୍ତୁତକାରୀ)ମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି, ଯାହା ନିୟମର ଖିଲାପ ଏବଂ ସାନି ପରିବର୍ତ୍ତିତ ‘୬’ ନମ୍ବର ପିଚ୍‌ରେ ପୂର୍ବରୁ ଦୁଇଟି ମ୍ୟାଚ୍‌ ହୋଇ ସାରିଥିବାରୁ ତାହା ଭାରତୀୟ ସ୍ପିନ୍‌ ବୋଲରମାନଙ୍କୁ ଅଧିକ ସୁହାଇବ। ତହିଁରେ ଏହା ମଧ୍ୟ କୁହାଯାଇଛି ଯେ ସେମି ଫାଇନାଲ ମ୍ୟାଚ୍‌ ଏକ ନୂଆ ପିଚ୍‌ରେ ହେବା ବିଧେୟ। ତେବେ ‘ଆଇ.ସି.ସି.’ ପକ୍ଷରୁ ପ୍ରଦତ୍ତ ସ୍ପଷ୍ଟୀକରଣ ସୂଚାଇଛି ଯେ ‘କନସଲଟାଣ୍ଟ’ଙ୍କ ସହମତିରେ ହିଁ ଏଭଳି ପରିବର୍ତ୍ତନ କରାଯାଇଛି, କାରଣ କେତେକ କାରଣରୁ ‘୭’ ନମ୍ବର ପିଚ୍‌ଟି ଅଗତ୍ୟା ମ୍ୟାଚ୍‌ ସକାଶେ ଅନୁପଯୁକ୍ତ ବୋଲି ହୃଦ୍‌ବୋଧ ହୋଇଥିଲା। କେବଳ ସେତିକି ନୁହେଁ, ପୁରୁଣା ପିଚ୍‌ରେ ‘ନକ୍‌ ଆଉଟ୍‌’ ପର୍ଯ୍ୟାୟର ମ୍ୟାଚ୍‌ ଅନୁଷ୍ଠିତ ହୋଇଥିବାର ଅତୀତର ଉଦାହରଣମାନ ମଧ୍ୟ ରହିଛି। ଏବଂ ମ୍ୟାଚ୍‌ ସରିବା ପରେ ସାବ୍ୟସ୍ତ ହୋଇ ସାରିଛି ଯେ ‘୭’ ନମ୍ବର ପିଚ୍‌ରେ ସ୍ପିନରଙ୍କ ବଦଳରେ ଭାରତୀୟ ଦ୍ରୁତ ଗତିର ବୋଲରମାନେ ହିଁ ଅତୁଳନୀୟ ସଫଳତା ଲାଭ କରିଛନ୍ତି। ପୁଣି କହିବା ବାହୁଲ୍ୟ ଯେ ଉଭୟ ଦଳ ସେହି ଗୋଟିଏ ପିଚ୍‌ରେ ଖେଳୁଥିବାରୁ ଏଥିରେ ‘ପାତରଅନ୍ତର’ର କୌଣସି କାରଣ ହିଁ ନାହିଁ।
ଏହି ସେମିଫାଇନାଲ ମ୍ୟାଚ୍‌ ତିନିଟି କାରଣ ଲାଗି ସୁଦୀର୍ଘ ଚର୍ଚ୍ଚାରେ ରହିବ। ତହିଁରୁ ପ୍ରଥମଟି ହେଲା
ପଚାଶଟି ଏକଦିବସୀୟ ଶତକ ସହିତ ବିରାଟ କୋହଲୀଙ୍କ ଦ୍ବାରା ଏକ ନୂତନ ବିଶ୍ବ କୀର୍ତ୍ତିମାନ ସ୍ଥାପନ। ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିଅମରେ ଦର୍ଶକ ଭାବେ ଉପସ୍ଥିତ ଜୀବନ୍ତ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କ ସମକ୍ଷରେ ତାଙ୍କର ‘ଅଣଚାଶତମ ଶତକ’ର ରେକର୍ଡ ଧରାଶାୟୀ ହୋଇଯିବା ତାଙ୍କ ମନରେ ବିଷଣ୍ଣତା ପରିବର୍ତ୍ତେ ଉଲ୍ଲାସ ସୃଷ୍ଟି କରିଛି; କାରଣ ଜଣେ ‘ଭାରତୀୟ’ କ୍ରିକେଟ୍‌ ପ୍ରତିଭା ହିଁ ତାଙ୍କୁ ଅତିକ୍ରମ କରିଛନ୍ତି; ଯିଏ ଏକଦା ବିପୁଳ ଓ ବିରଳ ସମ୍ଭାବନା ବହନ କରି ସଚିନଙ୍କ କ୍ୟାରିଅରର ଅପରାହ୍‌ଣରେ ଭାରତୀୟ ଟିମ୍‌ରେ ପ୍ରବେଶ କରିଥିଲେ ଏବଂ ଏ ଯାବତ୍‌ ଇତିହାସ ସୃଷ୍ଟିରେ ବ୍ୟାପୃତ ରହି ପ୍ରମାଣିତ କରି ଚାଲିଛନ୍ତି ଯେ ବ୍ୟାଟିଂରେ କୀର୍ତ୍ତିମାନ ସ୍ଥାପନର ଏକାଧିପତ୍ୟ ସତେ ଯେମିତି ଭାରତ ଅଧୀନକୁ ଚାଲି ଆସିଛି। ଦ୍ବିତୀୟ ବିଷୟଟି ହେଉଛନ୍ତି ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବୋଲିଂ ଉତ୍କର୍ଷ; ଯିଏ ଏହି ବିଶ୍ବ କପ୍‌ ଶୃଙ୍ଖଳାର ପ୍ରଥମ ଚାରିଟି ମ୍ୟାଚ୍‌‌େର ଦୃଶ୍ୟମାନ ହୋଇ ନ ଥିଲେ ସତ, କିନ୍ତୁ ପରବର୍ତ୍ତୀ ଛଅଟି ମ୍ୟାଚ୍‌ରେ ସମୁଦାୟ ତେଇଶଟି ୱିକେଟ୍‌ ଅକ୍ତିଆର କରି ନିଜ ପାରଦର୍ଶିତା ପ୍ରମାଣ କରିବା ସହିତ ଦଳକୁ ଟ୍ରଫି ବିଜେତା ହେବାର ନିକଟବର୍ତ୍ତୀ କରାଇଛନ୍ତି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ଅଦ୍ବିତୀୟ ବ୍ୟାଟ୍‌ସମ୍ୟାନ ଡେରେକ୍‌ ମିଚେଲଙ୍କ ବଳିଷ୍ଠ ଏବଂ ଦମ୍ଭପୂର୍ଣ୍ଣ ବ୍ୟାଟିଂ କାରଣରୁ ଅଗତ୍ୟା ଉଦ୍‌ବିଗ୍ନ ହୋଇ ଉଠିଥିବା ଭାରତୀୟ ପ୍ରଶଂସକଙ୍କୁ ଚାପମୁକ୍ତ କରିଥିଲା ସାମିଙ୍କ ବୋଲିଂ, ଯହିଁରେ ଗୋଟିଏ ଓଭରର ଦୁଇଟି ବଲରେ ସେ କେନ୍‌ ଵିଲିଅମସନ୍ ଏବଂ ଟମ୍‌ ଲଥମଙ୍କ ୱିକେଟ୍‌ର ପତନ ଘଟାଇଥିଲେ। ଏହା ଭାରତ ଲାଗି ବିଜୟର ପଥ ପରିଷ୍କାର କରିଥିଲା। ତୃତୀୟ ବିଷୟଟି କ୍ୟାପଟେନ ରୋହିତ ଶର୍ମାଙ୍କ ବିଚକ୍ଷଣ ନିଷ୍ପତ୍ତି, ସ୍ଥିରତା ଏବଂ ଦଳର ସଦସ୍ୟମାନଙ୍କ ସହିତ ଜଣେ ‘ବଡ଼ ଭାଇ ସୁଲଭ’ ଶ୍ରଦ୍ଧାଶୀଳ ବ୍ୟବହାର, ଯାହା ଅନେକ ବିଶେଷଜ୍ଞଙ୍କ ମତରେ ଏହି ଦଳକୁ ଏଭଳି ଅପରାଜେୟ କରି ଗଢ଼ି ତୋଳିଛି। ଏହି ମ୍ୟାଚ୍‌ରେ ସାମିଙ୍କ ଦ୍ବାରା ନିକ୍ଷେପିତ ଏକ ‘ରାଉଣ୍ଡ ଦ ୱିକେଟ୍‌ ୟର୍କର’ ଅଗତ୍ୟା ପ୍ରତିପକ୍ଷ ବ୍ୟାଟସମ୍ୟାନଙ୍କ ଠାରୁ ଶକ୍ତ ପ୍ରହାର ଖାଇ ଚୌକା ହୋଇଯାଇଥିବା ବେଳେ ଅଧିନାୟକ ରୋହିତ ଶର୍ମାଙ୍କ କଣ୍ଠରୁ ଶୁଭିଥିଲା ପ୍ରଶଂସାର ବାଣୀ ‘ଗୁଡ୍‌ ବୋଲିଂ।’ କହିବା ବାହୁଲ୍ୟ ଅଧିନାୟକଙ୍କ ଠାରୁ ଏଭଳି ଉତ୍ସାହର ବାକ୍ୟ ସାମିଙ୍କ ମନୋବଳକୁ ଦୃଢ଼ କରିଥିବ, ଯାହାର ପ୍ରମାଣ ସେହି ମ୍ୟାଚ୍‌ରେ ହିଁ ଦେଖିବାକୁ ମିଳିଲା।
ଏହା ସ୍ବୀକାର୍ଯ୍ୟ ଯେ ଅର୍ଦ୍ଧ ଶତାବ୍ଦୀ ତଳର କ୍ରିକେଟ୍‌ ଆଜି ଆଉ ନାହିଁ। ପୂର୍ବର ରକ୍ଷଣାତ୍ମକ ଆଭିମୁଖ୍ୟର ସ୍ଥାନ ନେଇଛି ଆକ୍ରମଣାତ୍ମକ ମନୋଭାବ। ତାହା ହୋଇ ନ ଥିଲେ ଛଅ ଘଣ୍ଟାର ଅବଧି ଏବଂ ଶହେ ଓଭରର କ୍ରିକେଟ୍‌ରେ ସାତ ଶହରୁ ଅଧିକ ରନ୍‌ ଠୁଳ ହେବା ସମ୍ଭବପର ହୁଅନ୍ତା ନାହିଁ। ଏହି ପରିପ୍ରେକ୍ଷୀରେ ୱେଷ୍ଟଇଣ୍ଡିଜର କିଂବଦନ୍ତୀୟ କ୍ରିକେଟ୍‌ ଖେଳାଳି ଗେରି ସୋବର୍ସଙ୍କ ଦ୍ବାରା ବର୍ଣ୍ଣିତ ଏକ ଘଟଣା ସ୍ମରଣକୁ ଆସେ। ଅତୀତର ଅତ୍ୟନ୍ତ ମନ୍ଥର କ୍ରିକେଟ୍‌ ଖେଳର ଦୁନିଆରେ ସୋବର୍ସ ଥିଲେ ଜଣେ ଅମଣିଆ ଖେଳାଳି, ଯିଏ ସର୍ବ ପ୍ରଥମେ ଗୋଟିଏ ଓଭରରେ ଛଅଟି ଛକ୍‌କା ମାରିବାର ଦୃଷ୍ଟାନ୍ତ ସ୍ଥାପନ କରିଥିଲେ। ୧୯୫୮ ମସିହାର କଥା। ସୋବର୍ସ ଅନ୍ତଜାତୀୟ କ୍ରିକେଟ୍‌ରେ କ୍ୟାରିଅର ଆରମ୍ଭ କରିଥାଆନ୍ତି। ସେହି ସମୟରେ ୱେଷ୍ଟଇଣ୍ଡିଜ ଗସ୍ତରେ ଥିବା ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ବ୍ୟାଟସମ୍ୟାନ ହନିଫ ମହମ୍ମଦ ଦଳ ଲାଗି ସମ୍ଭାବ୍ୟ ପରାଜୟକୁ ଏଡ଼ାଇବା ସକାଶେ ଦୁଇ ଦିନରୁ ଅଧିକ ସମୟ କ୍ରିଜ୍‌ରେ ରହି ରହି ୩୩୬ ରନ୍‌ ସଂଗ୍ରହ କରିଥିଲେ। ସୋବର୍ସ କହିଥିଲେ ଯେ ଷ୍ଟାଡିଅମ ବାହାରେ ଥିବା ଏକ ଗଛରେ ଚଢ଼ି ସେହି ମନ୍ଥର ଖେଳ ଦେଖୁଥିବା ଜଣେ ଯୁବକ ବିରକ୍ତ ଓ କ୍ଳାନ୍ତ ହୋଇ ଶୋଇ ପଡ଼ିବାରୁ ଅଗତ୍ୟା ଭୂପତିତ ହୋଇ ଚେତାଶୂନ୍ୟ ଅବସ୍ଥାରେ ହାସପାତାଲକୁ ନିଆଯାଇଥିଲା। ଦିନକ ପରେ ଯେତେବେଳେ ତା’ର ଚେତା ଆସିଲା, ତା’ର ପ୍ରଥମ ପ୍ରଶ୍ନ ଥିଲା, ‘ହନିଫ କ’ଣ ଏ ଯାଏ ଖେଳୁଛନ୍ତି?’ ଏହାର ଅସ୍ତିସୂଚକ ଉତ୍ତର ତାକୁ ଏଭଳି ବିଷଣ୍ଣ କରି ପକାଇଥିଲା ଯେ ତାକୁ ପ୍ରବୋଧନା ଦେବା କଷ୍ଟକର ହୋଇପଡ଼ିଥିଲା। ମନ୍ଥରତାର ସେହି ଯୁଗକୁ ପଛରେ ପକାଇ କ୍ରିକେଟ୍‌ ଏବେ ‘ରକେଟ୍‌’ ଯୁଗରେ!, ଯଦିଓ ଅନେକ କ୍ରିକେଟ୍‌ ପ୍ରଶଂସକ ଏବେ ବି ସେହି ପୁରୁଣା କ୍ରିକେଟ୍‌ରେ ପରିଦୃଷ୍ଟ ହେଉଥିବା ଆତ୍ମରକ୍ଷାମୂଳକ ଶାସ୍ତ୍ରୀୟ ‘ଟେକନିକ୍‌’ ବା ‘କୌଶଳ’ର ସ୍ମୃତିଚାରଣ କରନ୍ତି। କିନ୍ତୁ ସତ କଥା ହେଲା, ସେଭଳି କ୍ରିକେଟ୍‌ କଦାଚିତ୍‌ ଦୀର୍ଘଜୀବୀ ହୁଅନ୍ତା ନାହିଁ। ସୁତରାଂ, ୱେଷ୍ଟଇଣ୍ଡିଜର ସେହି କ୍ରିକେଟ୍‌ ପ୍ରଶଂସକ ସେ ଦିନ ଯେଉଁ ଭଳି ‌େଖଳ ଦେଖିବାକୁ ଇଚ୍ଛା କରିଥିଲେ, ତାହା ହିଁ କ୍ରମେ କ୍ରିକେଟ୍‌ର ସ୍ବରୂପରେ ପରିବର୍ତ୍ତନ ଘଟାଇଛି। କ୍ରିକେଟ୍‌ ଆଉ କାହାକୁ ଶୁଆଇ ପକାଉ ନାହିଁ; ବରଂ ବିଳମ୍ବିତ ରାତ୍ରି ଯାଏ ଅନାୟାସରେ ନିଦ୍ରା ଅପହରଣ କରି ନେଉଛି।
ଆସନ୍ତା ରବିବାର ଦିନ ବିଶ୍ବ କପ୍‌ର ଫାଇନାଲ ଅନୁଷ୍ଠିତ ହେବ। ଭାରତ ଏଥିରେ ବିଜୟ ଲାଭ କରିବାର ଆଶା ବେଶ୍‌ ଉଜ୍ଜ୍ବଳ। ତାହା ହେଲେ ୧୯୮୩ରେ ଭାରତ ଦ୍ବାରା ପ୍ରଥମ ବିଶ୍ବ କପ୍‌ ବିଜୟର ଚାଳିଶ ବର୍ଷ ପୂର୍ତ୍ତି ଅଧିକ ଅର୍ଥପୂର୍ଣ୍ଣ ମଧ୍ୟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe