ଦାୟୀ କିଏ?

Advertisment

ଏହା ସତ ଯେ ‘ଜମାଟୋ’, ‘ଜେପ୍ଟୋ’ ଆଦିଙ୍କ ପରି ନବାଗତ ଷ୍ଟାର୍ଟଅପ୍‌ମାନେ ଏଠାରେ ତୁରନ୍ତ ବାଣିଜ୍ୟ ମାଧ୍ୟମରେ ତୁରନ୍ତ ଅର୍ଥ ଅର୍ଜନ ପଛରେ ଧାଇଁଛନ୍ତି, କିନ୍ତୁ ଦେଶର ଦୁଇ ବିଶାଳତମ ଶିଳ୍ପଗୋଷ୍ଠୀ, ରିଲାଏନ୍‌ସ....

ଏହା ସତ ଯେ ‘ଜମାଟୋ’, ‘ଜେପ୍ଟୋ’ ଆଦିଙ୍କ ପରି ନବାଗତ ଷ୍ଟାର୍ଟଅପ୍‌ମାନେ ଏଠାରେ ତୁରନ୍ତ ବାଣିଜ୍ୟ ମାଧ୍ୟମରେ ତୁରନ୍ତ ଅର୍ଥ ଅର୍ଜନ ପଛରେ ଧାଇଁଛନ୍ତି, କିନ୍ତୁ ଦେଶର ଦୁଇ ବିଶାଳତମ ଶିଳ୍ପଗୋଷ୍ଠୀ, ରିଲାଏନ୍‌ସ....

samp1

ଏହା ସତ ଯେ ‘ଜମାଟୋ’, ‘ଜେପ୍ଟୋ’ ଆଦିଙ୍କ ପରି ନବାଗତ ଷ୍ଟାର୍ଟଅପ୍‌ମାନେ ଏଠାରେ ତୁରନ୍ତ ବାଣିଜ୍ୟ ମାଧ୍ୟମରେ ତୁରନ୍ତ ଅର୍ଥ ଅର୍ଜନ ପଛରେ ଧାଇଁଛନ୍ତି, କିନ୍ତୁ ଦେଶର ଦୁଇ ବିଶାଳତମ ଶିଳ୍ପଗୋଷ୍ଠୀ, ରିଲାଏନ୍‌ସ (‘ରିଲାଏନ୍‌ସ ରିଟେଲ୍’) ଓ ଟାଟା (‘ବିଗ୍ ବାସ୍କେଟ୍’) ମଧ୍ୟ ସେଇ ଦୌଡ଼ରେ କାହିଁକି ସାମିଲ ହୋଇଛନ୍ତି, ମନ୍ତ୍ରୀ ଗୋୟଲ ସେମାନଙ୍କୁ ସେ ପ୍ରଶ୍ନ ପଚାରୁ ନାହାନ୍ତି କାହିଁକି?

କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଜଣେ ବିଦ୍ବାନ, ବୁଦ୍ଧିମାନ, ଦକ୍ଷ ଓ ଅମାୟିକ ବ୍ୟକ୍ତି ରୂପେ ଜଣାଶୁଣା। ସେ ତେଣୁ ଏକ ବିରୁଡ଼ି ବସାକୁ ଟେକା ମାରିବା ପରି ଭାରତୀୟ ଷ୍ଟାର୍ଟଅପ୍ ଉଦ୍ୟୋଗମାନଙ୍କ ବିରୁଦ୍ଧରେ ପ୍ରଦାନ କରିଥିବା ଏକ ପ୍ରତିକୂଳ ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଏବଂ କେତେକ ଏଭଳି ଉଦ୍ୟୋଗୀଙ୍କ ଠାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିବା ମଧ୍ୟ ଦେଖାଯାଇଛି। ଭାରତରେ ସର୍ବାଧିକ ପରିଦୃଷ୍ଟ ଷ୍ଟାର୍ଟଅପ୍ ବ୍ୟବସାୟମାନଙ୍କୁ ଲକ୍ଷ୍ୟ କରି ଗୋୟଲ ଚୀନ୍‌ର ଷ୍ଟାର୍ଟଅପ୍‌ମାନଙ୍କ ସହିତ ସେମାନଙ୍କୁ ତୁଳନା କରି କ୍ଷୋଭ ପ୍ରକାଶ କରିଛନ୍ତି ଯେ ଚୀନା ଷ୍ଟାର୍ଟଅପ୍‌ମାନେ ଆର୍ଟିଫିସିଆଲ୍ ଇଣ୍ଡେଲିଜେନ୍‌ସ (‘ଏଆଇ’), ସେମିକଣ୍ଡକ୍ଟର୍, ଇଲେକ୍ଟ୍ରିକ୍ ଗାଡ଼ି (‘ଇଭି’), ବ୍ୟାଟେରି ଟେକ୍‌ନୋଲୋଜି ଆଦି ଉଚ୍ଚ ଜ୍ଞାନକୌଶଳଭିତ୍ତିକ ଅତ୍ୟାଧୁନିକ ତଥା ଉଚ୍ଚ ଅଭିବୃଦ୍ଧି ହାସଲ ସମ୍ଭାବନା ବହନକାରୀ କ୍ଷେତ୍ରମାନଙ୍କରେ ସକ୍ରିୟ ଥିବାବେଳେ ଭାରତୀୟ ଷ୍ଟାର୍ଟଅପ୍‌ମାନେ ମୁଖ୍ୟତଃ ଫୁଡ୍ ଡେଲିଭରି, ବେଟିଙ୍ଗ୍ ଆଦି ଖାଉଟିମୁଖୀ ବ୍ୟବସାୟମାନଙ୍କରେ ନିଜକୁ ସୀମିତ ରଖି କେବଳ ତୁରନ୍ତ ଅର୍ଥ ଅର୍ଜନରେ ନିଜର ଧ୍ୟାନ କେନ୍ଦ୍ରୀଭୂତ କରିବାରେ ଲାଗିଛନ୍ତି।
ମନ୍ତ୍ରୀଙ୍କର ଏଭଳି ମନ୍ତବ୍ୟର ପ୍ରତିବାଦରେ ଷ୍ଟାର୍ଟଅପ୍ ଉଦ୍ୟୋଗୀମାନେ ଅଭିଯୋଗ କରିଛନ୍ତି ଯେ ନିଯୁକ୍ତି ସୃଷ୍ଟିରୁ ଗ୍ରାମାଞ୍ଚଳରେ ଯୋଗାଣ ଶୃଙ୍ଖଳ ରଚନା, ଦକ୍ଷତା ବୃଦ୍ଧି ନିମିତ୍ତ ଟେକ୍‌ନୋଲୋଜି ବ୍ୟବହାର ପର୍ଯ୍ୟନ୍ତରେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନକୁ ଏହାଦ୍ବାରା ସେ ହେୟଜ୍ଞାନ ପ୍ରଦର୍ଶନ କରିଛନ୍ତି। ସେମାନଙ୍କର ଏଭଳି ପ୍ରତିବାଦ ଆଦୌ ନିରାଧାର ନୁହେଁ, କିନ୍ତୁ ଗୋୟଲଙ୍କ ମନ୍ତବ୍ୟରେ ମଧ୍ୟ ଯେ ଚିନ୍ତା କରିବା ନିମିତ୍ତ ଉପାଦାନ ରହିଛି, ଏହା ଆମର ଷ୍ଟାର୍ଟଅପ୍‌ ଉଦ୍ୟୋଗୀମାନେ ମଧ୍ୟ ସ୍ବୀକାର କରିବେ। ଏହା ସତ ଯେ ଆମର ପ୍ରତିରକ୍ଷାରୁ ଆରମ୍ଭ କରି ମହାକାଶ ଗବେଷଣା, କମ୍ପ୍ୟୁଟିଙ୍ଗ୍, ଯୋଗାଯୋଗ ଆଦି କ୍ଷେତ୍ରମାନଙ୍କ ପର୍ଯ୍ୟନ୍ତରେ ଭାରତ ଆତ୍ମନିର୍ଭରତା ହାସଲ କରିବା ପାଇଁ ଯେଉଁ ପ୍ରୟାସ ଚଳାଇଛି, ଆମର ଷ୍ଟାର୍ଟଅପ୍ ଉଦ୍ୟୋଗୀମାନଙ୍କ ଠାରୁ ସେଥିପ୍ରତି ଉଲ୍ଲେଖନୀୟ ଅବଦାନ ଆଶା କରାଯାଏ, ଯାହା ଚୀନ୍‌ରେ ଘଟିଚାଲିଛି। ଭାରତରେ ଏହାର ଅନୁପସ୍ଥିତି କେବଳ ପୀୟୂଷ ଗୋୟଲଙ୍କ ପାଇଁ ନୁହେଁ, ଆମ ସମସ୍ତଙ୍କ ପାଇଁ ଚିନ୍ତାଜନକ ହୋଇଥାଏ। କିନ୍ତୁ ପ୍ରଶ୍ନ ହେଲା, ଏଥିପାଇଁ କ’ଣ ଗୋୟଲ କହିଥିବା ଭଳି ‌ଯେଉଁ ଷ୍ଟାର୍ଟଅପ୍‌ମ‌ାନେ ଆଇସ୍‌କ୍ରିମ୍ ବିକ୍ରି କରୁଛନ୍ତି କିମ୍ବା ବେଟିଙ୍ଗ୍ ସେବା ଯୋଗାଉଛନ୍ତି, କେବଳ ସେଇମାନେ ହିଁ ଦାୟୀ?
ଏକ ଅର୍ଥନୀତିରେ କେଉଁଭଳି ଷ୍ଟାର୍ଟଅପ୍‌ମାନଙ୍କର ଆବିର୍ଭାବ ଘଟିବ, ତାହା ସେଠାରେ ଉପଲବ୍‌ଧ ପରିବେଶ ଉପରେ ମଧ୍ୟ ନିର୍ଭର କରିଥାଏ। ଏକ ସ୍ଥୂଳ ଉଦାହରଣ ସ୍ବରୂପ କୁହାଯାଇପାରେ ଭାରତରେ ବର୍ତ୍ତମାନ ସ୍ବାସ୍ଥ୍ୟ ସଚେତନ ବର୍ଗମାନଙ୍କ ମଧ୍ୟରେ ଅଲିଭ୍ ତେଲ ବ୍ୟବହାରର ପ୍ରସାରକୁ ଲକ୍ଷ୍ୟ କରି ଏଠାରେ କେହି ଅଲିଭ୍ ଚାଷ ପାଇଁ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିପାରିବ କି? ଏହାର ଉତ୍ତର ହେଉଛି, ନା, କାରଣ କେବଳ ଭୂ-ମଧ୍ୟସାଗରୀୟ ଜଳବାୟୁରେ ଅଲିଭ୍ ଚାଷ ସମ୍ଭବ ହୋଇଥାଏ। ସେଇଭଳି ଉଚ୍ଚ ଜ୍ଞାନକୌଶଳ କ୍ଷେତ୍ରରେ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିବାକୁ ହେଲେ ସେ ଦେଶରେ ଏକ ଅନୁକୂଳ ଗବେଷଣା ଓ ବିକାଶ (‘ଆର୍‌ ଆଣ୍ଡ୍ ଡି’) ଜଳବାୟୁ ଉପସ୍ଥିତ ଥିବା ଆବଶ୍ୟକ। ଏ ବାବଦରେ ଭାରତର ସ୍ଥିତି ଉପରେ ଦୃଷ୍ଟି ନିକ୍ଷେପ କଲେ ଏକ ଉତ୍ସାହଜନକ ଚିତ୍ର ଦୃଷ୍ଟିଗୋଚର ହୋଇ ନ ଥାଏ।
ୱର୍ଲଡ୍ ବ୍ୟାଙ୍କ୍ ପ୍ରଦତ୍ତ ସୂଚନା ଅନୁସାରେ ଭାରତରେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ମିଶି ‘ଆର୍ ଆଣ୍ଡ୍ ଡି’ରେ ଯେତିକି ସମ୍ବଳ ବିନିଯୁକ୍ତ ହୋଇଥାଏ, ତାହା ‌େହଉଛି ଭାରତର ମୋଟ ବାର୍ଷିକ ଜାତୀୟ ଉତ୍ପାଦ (‘ଜିଡିପି’)ର ୦.୬୫ ଶତାଂଶ ମାତ୍ର। ଷ୍ଟାର୍ଟଅପ୍ ଦୌଡ଼ରେ ବହୁ ଆଗରେ ଥିବା ଦେଶମାନଙ୍କରେ ପରିଦୃଷ୍ଟ ଏହି ଅନୁପାତ ସହିତ ଏହାକୁ ତୁଳନା କଲେ ଏ କ୍ଷେତ୍ରରେ ଭାରତର ଦୁର୍ବଳତା ସ୍ପଷ୍ଟ ହୋଇଥାଏ: ଚୀନ୍- ୨.୪୩ ଶତାଂଶ, ଆମେରିକା- ୩.୪୬ ଶତାଂଶ, ଦକ୍ଷିଣ କୋରିଆ- ୪.୯୩ ଶତାଂଶ, ଇସ୍ରାଏଲ- ୫.୫୬ ଶତାଂଶ। ଏଥିରେ ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ନବପ୍ରକରଣ ବା ‘ଇନୋଭେସନ୍’ କ୍ଷେତ୍ରରେ ୨୦୨୪ ପାଇଁ ପ୍ରସ୍ତୁତ ‘ଗ୍ଲୋବାଲ୍ ଇନୋଭେସନ୍ ଇଣ୍ଡେକ୍ସ’ (‘ଜିଆଇଆଇ’) ମର୍ଯ୍ୟାଦା ତାଲିକାରେ ଭାରତକୁ ଏକ ନୀଚା ୩୯ତମ ସ୍ଥାନ ମିଳିଥିବାବେଳେ ଚୀନ୍‌ର ସ୍ଥାନ ହେଉଛି ଏକ ଉଚ୍ଚା ଏକାଦଶ।
ଚଳିତ ବର୍ଷ ଜାନୁଆରିରେ ଯେତେବେଳେ ଚୀନ୍‌ର ଷ୍ଟାର୍ଟଅପ୍ ‘ଡିପ୍‌ସିକ୍’ ଏଆଇ କ୍ଷେତ୍ରରେ ଏକ ଚମକପ୍ରଦ ସଫଳତା ହାସଲ କରି ପୃଥିବୀବ୍ୟାପୀ କମ୍ପନ ସୃଷ୍ଟି କଲା, ‌େସତେବେଳେ ‘ଅଷ୍ଟ୍ରେଲିଆନ୍ ଷ୍ଟ୍ରାଟେଜିକ୍ ପଲିସି ଇନ୍‌ଷ୍ଟିଚ୍ୟୁଟ୍’ ଚୀନ୍‌ର ଏଭଳି ସଫଳତା ପଛରେ ନିହିତ ଥିବା ରହସ୍ୟ ଉପରୁ ନିମ୍ନମତେ ପର୍ଦ୍ଦା ହଟାଇଥିଲା। ଏହି ସଂସ୍ଥାର ‘କ୍ରିଟିକାଲ୍ ଟେକ୍‌ନୋଲୋଜି ଟ୍ରାକର୍’ ବିଗତ ଦୁଇ ଦଶନ୍ଧିରେ ପ୍ରକାଶିତ ସର୍ବାଧିକ ପ୍ରଭାବଶାଳୀ ଗବେଷଣାପତ୍ରମାନଙ୍କର ଅନୁଶୀଳନ କରି ଆବିଷ୍କାର କରିଥିଲା ଯେ ୬୪ଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରବିଧି (କ୍ରିଟିକାଲ୍ ଟେ‌କ୍‌ନୋଲୋଜି) ଇଲାକାରେ ହୋଇଥିବା କର୍ତ୍ତନାଗ୍ର ଗବେଷଣା (‘କଟିଙ୍ଗ୍ ଏଜ୍ ରିସର୍ଚ୍ଚ’) ମଧ୍ୟରୁ ୫୭ଟି ଇଲାକାରେ ଚୀନ୍ ଆମେରିକାକୁ ଅତିକ୍ରମ କରି ନେତୃସ୍ଥାନ ଦଖଲ କରିସାରିଲାଣି। ‘ଡିପ୍‌ସିକ୍’ର ସଫଳତା ଚୀନ୍‌ର ଏହି ଉପଲବ୍‌ଧି ଉପରେ ପ୍ରତିଷ୍ଠିତ। ପ୍ରତ୍ୟେକ ସ୍ତରରେ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବ ପ୍ରଦାନ ଏବଂ ଦେଶରେ ଗବେଷଣା କ୍ଷମତାର ସଂପ୍ରସାରଣ ଓ ସେଥିପାଇଁ ପ୍ରୋତ୍ସାହନ ପ୍ରଦାନ ଚୀନ୍‌କୁ ବର୍ତ୍ତମାନ ଏକ ପ୍ରାବିଧିକ ମହାଶକ୍ତିରେ ପରିଣତ କରିସାରିଲାଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାରତରେ ମଧ୍ୟ ଅସଂଖ୍ୟ ଗବେଷଣା ହେଉଛି, କିନ୍ତୁ ସେଥିମଧ୍ୟରୁ ପ୍ରାୟ ସମସ୍ତ ସଂପୃକ୍ତ ଗବେଷକମାନଙ୍କର କ୍ୟାରିଅର୍‌ରେ ଉନ୍ନତି ସାଧନ ପାଇଁ ଉଦ୍ଦିଷ୍ଟ କିମ୍ବା ସେମାନଙ୍କର ନାମର ଶୋଭାବର୍ଦ୍ଧନ ପାଇଁ ଉଦ୍ଦିଷ୍ଟ। ସେମାନଙ୍କର ଗବେଷଣାପ୍ରସୂତ ଜ୍ଞାନକୌଶଳ ଷ୍ଟାର୍ଟଅପ୍‌ର କାମରେ ଲାଗି ନ ଥାଏ।
ପୀୟୂଷ ଗୋୟଲଙ୍କ ସରକାର ୨୦୧୬ ଠାରୁ ଦେଶରେ ‌ଷ୍ଟାର୍ଟଅପ୍‌ ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ‘ଷ୍ଟାର୍ଟଅପ୍ ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଥିଲେ ହେଁ, ତଥାପି ଆଜି କାହିଁକି ତାଙ୍କୁ ଏଭଳି କ୍ଷୋଭ ପ୍ରକାଶ କରିବାକୁ ପଡୁଛି, ସେଥିପାଇଁ ମନ୍ତ୍ରୀଙ୍କୁ ଆତ୍ମସମୀକ୍ଷା କରିବା ଦରକାର। ତେବେ ଭାରତରେ ଷ୍ଟାର୍ଟଅପ୍‌ମାନ ଉଧେଇବା ନିମିତ୍ତ ଏକ ଉପଯୁକ୍ତ ଗବେଷଣା ଓ ବିକାଶ ପରିବେଶର ଅନୁପସ୍ଥିତି ପାଇଁ ସରକାର ଯେତିକି ଦାୟୀ ଭାରତର ପ୍ରତିଷ୍ଠିତ ବଡ଼ ବଡ଼ ଶିଳ୍ପ ବ୍ୟବସାୟ ସାମ୍ରାଜ୍ୟମାନେ ମଧ୍ୟ ସେତିକି ଦାୟୀ। ଏହା ସତ ଯେ ‘ଜମାଟୋ’, ‘ଜେପ୍ଟୋ’ ଆଦିଙ୍କ ପରି ନବାଗତ ଷ୍ଟାର୍ଟଅପ୍‌ମାନେ ଏଠାରେ ତୁରନ୍ତ ବାଣିଜ୍ୟ ମାଧ୍ୟମରେ ତୁରନ୍ତ ଅର୍ଥ ଅର୍ଜନ ପଛରେ ଧାଇଁଛନ୍ତି, କିନ୍ତୁ ଦେଶର ଦୁଇ ବିଶାଳତମ ଶିଳ୍ପଗୋଷ୍ଠୀ, ରିଲାଏନ୍‌ସ (‘ରିଲାଏନ୍‌ସ ରିଟେଲ୍’) ଓ ଟାଟା (‘ବିଗ୍ ବାସ୍କେଟ୍’) ମଧ୍ୟ ସେଇ ଦୌଡ଼ରେ କାହିଁକି ସାମିଲ ହୋଇଛନ୍ତି, ମନ୍ତ୍ରୀ ଗୋୟଲ ସେମାନଙ୍କୁ ସେ ପ୍ରଶ୍ନ ପଚାରୁ ନାହାନ୍ତି କାହିଁକି? ଏହି ପରିପ୍ରେକ୍ଷୀରେ ଏଠାରେ ଉଲ୍ଲେଖ କରିବା ଉଚିତ ହେବ ଯେ ଭାରତର ଘରୋଇ କ୍ଷେତ୍ରର ଏହି ବିଶାଳ କଂପାନିମାନଙ୍କ ସମେତ ସମସ୍ତ କଂପାନି ଓ ଦେଶର ସରକାରୀ କ୍ଷେତ୍ର ମିଶି ଗବେଷଣା ଓ ବିକାଶ ବାବଦରେ ଯେତିକି ସମ୍ବଳ ନିବେଶ କରିଥାନ୍ତି, କେବଳ ଏକୁଟିଆ ବହୁଦେଶୀୟ କଂପାନି ‘ଆମାଜନ୍’ ସେ ବାବଦରେ ତା’ଠାରୁ ଅଧିକ ସମ୍ବଳ ବିନିଯୋଗ କରିଥାଏ। ଏହି ଅଭାବ ପୂରଣ କରିବା ଦାୟିତ୍ବ କାହାର? ନିଶ୍ଚିତ ରୂପେ ନବାଗତ ଷ୍ଟାର୍ଟଅପ୍‌ମାନଙ୍କର ନୁହେଁ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe